Unknown

 

 

 

 

 

 

 

 

 

 

ବୈଦେହୀଶ ବିଳାସ (ଦ୍ୱିତୀୟ ଖଣ୍ଡ)

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ

 

ସୂଚୀପତ୍ର

 

ଛାନ୍ଦ

 ବିଷୟ

୧୪ଶ ଛାନ୍ଦ

ବେହରଣ ଭାଙ୍ଗି ବିଭାଦିନ ମୂଳ କରି

୧୫ଶ ଛାନ୍ଦ

ବିଚିତ୍ରିତ ଚିତ୍ରରେ ହୋଇଥିଲେ

୧୬ଶ ଛାନ୍ଦ

ବିଦେହ ରାଜନ ଭୋଜି ସମ୍ଭାର ଭିଆଇ

୧୭ଶ ଛାନ୍ଦ

ବସି ବଶିଷ୍ଠଜାବାଳି ବାମଦେବ

୧୮ଶ ଛାନ୍ଦ 

ବନ୍ୟା ଶିଖରିର ତହିଁ ବିପ୍ରଲବ୍ଧା ପ୍ରାୟ ହୋଇ

୧୯ଶ ଛାନ୍ଦ

ବିଚାରଇ ମାଳ ଯମକରେ କବି ମନେ

୨୦ଶ ଛାନ୍ଦ

ବୋଇଲେ ସୀତା ଶୀତଂଶୁମୁଖୀ ଏକଦିନେ

୨୧ଶ ଛାନ୍ଦ

ବିଦୁଷଣ ଗୀତ ସୁଜନେ ଶୁଣ

୨୨ଶ ଛାନ୍ଦ

ବାତାପି ସୂଦନ ଆଶ୍ରମ

୨୩ଶ ଛାନ୍ଦ

ବୈଦେହୀ ଶ୍ରୀରାମ କି ସେ କରିଣୀ କରି

୨୪ଶ ଛାନ୍ଦ

 ବିନାଶ ନାସା ଶ୍ରବଣ ସୂର୍ପଣଖା ପ୍ରବେଶ ଲଙ୍କାର

୨୫ଶ ଛାନ୍ଦ

ବାଜୀ ବାଜିବାରେ ତ୍ରାହି ଲକ୍ଷ୍ମଣ ଶବଦ

୨୬ଶ ଛାନ୍ଦ

ବନେ ଘନେ ରଘୁମଣି, ବିପଥ ପଥ ନ ମଣି

 

ଚତୁର୍ଦ୍ଦଶ ଛାନ୍ଦ

ରାଗ-ମଙ୍ଗଳ ଗୁଜ୍ଜରୀ

 

ବେହରଣ ଭାଙ୍ଗି ବିଭାଦିନ ମୂଳ କରି।

ବିଶୁଦ୍ଧ ତାର ଲଗ୍ନକୁ ଜ୍ୟୋତିଷେ ବିଚାରି ଯେ। ୧।

ବର୍ଦ୍ଧିକୀଚୟ କି ମୟ ବିଶ୍ୱକର୍ମା ଗୁରୁ।

ବେଦିକାମଣ୍ଡପ କଲେ ଅତିଶୟ ଚାରୁ ଯେ। ୨।

ବଇକୁଣ୍ଠପୁରୁ ରଥ ପଡ଼ିଲା କି ଖସି।

ବଇକୁଣ୍ଠ-ପୁରସଭାଶୋଭାନକୁ ହସି ଯେ। ୩।

ବିହରିତ ହରିତବସନେ ହୋଇଛନ୍ତି।

ବିଲଗନ ତଳରେ ଉପରେ ରମ୍ଭା ସ୍ଥିତି ଯେ। ୪।

ବେହରଣ ଭାଙ୍ଗି ବିଭାଦିନ ମୂଳ କରି।

ବିଶୁଦ୍ଧ ତାର ଲଗ୍ନକୁ ଜ୍ୟୋତିଷେ ବିଚାରି ଯେ। ୧।

ବର୍ଦ୍ଧିକୀଚୟ କି ମୟ ବିଶ୍ୱକର୍ମା ଗୁରୁ।

ବେଦିକାମଣ୍ଡପ କଲେ ଅତିଶୟ ଚାରୁ ଯେ। ୨।

ବଇକୁଣ୍ଠପୁରୁ ରଥ ପଡ଼ିଲା କି ଖସି।

ବଇକୁଣ୍ଠ-ପୁରସଭାଶୋଭାନକୁ ହସି ଯେ। ୩।

ବିହରିତ ହରିତବସନେ ହୋଇଛନ୍ତି।

ବିଲଗନ ତଳରେ ଉପରେ ରମ୍ଭା ସ୍ଥିତି ଯେ। ୪।

ବିଭ୍ରମିଲା ଚିତ୍ତ ଛାୟାମଣ୍ଡପକୁ ଚାହିଁ।

ବେଢ଼ି ରହିଲା କି ସୁରସଭାଆସି ତହିଁ ଯେ। ୫।

 

୧ମ ପଦ :- ବେହରଣ-ସଭା । ବିଶୁଦ୍ଧ-ନିର୍ଦ୍ଦୋଷ ବା ଉତ୍ତମ । ତାର-ନକ୍ଷତ୍ର ।

୧ମ ପଦ :- କନ୍ୟା ଦେଖାପରେ ସଭା ଭାଙ୍ଗି ଜ୍ୟୋତିଷମାନଙ୍କ ସହିତ ବିଚାର କରି ବିବାହ ପାଇଁ ଶୁଭଲଗ୍ନ, ଶୁଭଚନ୍ଦ୍ର ଓ ଭଲ ଦିନ ସ୍ଥିର କଲେ ।

୨ୟ ପଦ :- ବର୍ଦ୍ଧକୀଚୟ-ବଢ଼ାଇମାନେ ।

୨ୟ ପଦ :- ବଢ଼ାଇମାନେ ବେଦୀ ଓ ବିଭାମଣ୍ଡପ ଅତ୍ୟନ୍ତ ସୁନ୍ଦରରୂପେ ନିର୍ମାଣ କଲେ । ତାହା ଦେଖି ମନେହେଲା, ସେମାନେ ମୟଦୈତ୍ୟ ଓ ବିଶ୍ୱକର୍ମା ଏ ଦୁହିଙ୍କର ଗୁରୁ ଅଟନ୍ତି କି ? (ଏ ଦୁହେଁ ପ୍ରସିଦ୍ଧ ଶିଳ୍ପୀ, ମାତ୍ର ମଣ୍ଡପନିର୍ମାତା ବଢ଼େଇମାନଙ୍କ ଅପେକ୍ଷା ନ୍ୟୂନ ଅଟନ୍ତି ) ।

୩ୟ ପଦ :- ବୈକୁଣ୍ଠପୁର-ସ୍ୱର୍ଗପୁର ବା ବିଷ୍ଣୁ ପୁର। ବଇକୁଣ୍ଠପୁରସଭା-ସୁଧର୍ମାସଭା ।

୩ୟ ପଦ :- ସେହି ବେଦୀ ଓ ମଣ୍ଡପର ଶୋଭା ଦେଖି ମନେହେଲା, ବୈକୁଣ୍ଠ ଭୁବନରୁ ବିଷ୍ଣୁରଥ ମର୍ତ୍ତ୍ୟକୁ ଖସି ପଡ଼ିଲାକି? ଇନ୍ଦ୍ରଙ୍କର ସୁଧର୍ମାସଭାର ସୌନ୍ଦର୍ଯ୍ୟକୁ ମଧ୍ୟ ସେ ମଣ୍ଡପର ଶୋଭା ଉପହାସ କଲା ।

୪ର୍ଥ ପଦ :- ହରିତବସନ-ହଳଦିଆ ଲୁଗା, ବିଷ୍ଣୁ । ରମ୍ଭା-ରମ୍ଭାନାମ୍ନୀସ୍ୱର୍ଗ ବେଶ୍ୟା, କଦଳୀ ଗଛ ।

୪ର୍ଥ ପଦ :- ବିଷ୍ଣୁରଥ ନାରାୟଣଙ୍କ ସହିତ ଶୋଭିତ ହୋଇଥାଏ, ସେହିପରି ଏ ବେଦୀ ରାମ ସୀତାଙ୍କ ସହ ଶୋଭା ପାଇବ । ସୁଧର୍ମା ସଭାରେ ଦିଗମ୍ୱରମାନେ ବିହାର କରୁଥାନ୍ତି, ଏ ମଣ୍ଡପରେ ବନ୍ଧା ହୋଇଥିବା ହଳଦିଆ ବର୍ଣ୍ଣ ଲୁଗାସବୁ ପବନ ଯୋଗେ ଦୋହଲୁଅଛନ୍ତି । ସେ ସଭାରେ ରମ୍ଭା ଅପ୍‌ସରା ଥାଏ, ସେହିପରି ଏ ସଭାରେ ତଳ ଉପର ହୋଇ କଦଳୀଗଛ ସବୁ ପୋତା ଯାଇଅଛି ।

୫ମ ପଦ :- ଛାୟାମଣ୍ଡପ-ଛାମୁଣ୍ଡିଆ । ସୁରସଭା-ଦେବସଭା ।

୫ମ ପଦ :- ଛାମୁଣ୍ଡିଆକୁ ଚାହିଁ ଚିତ୍ତରେ ଭ୍ରମ ଜାତହେଲା, ମନେହେଲା ଦେବସଭା ଆସି ଏଠାରେ ବେଢ଼ି ରହିଲାକି?

 

ବିନୟ ତ ସୁମନମାଳାରେ ଅବିରତ।

ବାଞ୍ଛା-କଳ୍ପଦ୍ରୁମ ପରି ଫଳରେ ପୂରିତ ଯେ। ୬ ।

ବରଣ ବରୁଣାଳୟ ପ୍ରାୟ ବେଷ୍ଟନାରେ।

ବିଚିତ୍ର ଚିତ୍ର ମକର ଗଙ୍ଗା ଯମୁନାରେ ଯେ। ୭।

ବେନି ନରେଶ୍ୱରଙ୍କରମଣ୍ଡିତ ନବରେ।

ବିହାଇଲେଗନ୍ଧଷଣ ମହା ଉତ୍ସବରେ ଯେ। ୮।

ବ୍ରାହ୍ମଣୀ ସାତ ଅଳଙ୍କାର କରି ତହିଁ।

ବସ୍ତ୍ର ପାଟେ ଲଲାଟେ ସିନ୍ଦୂର ଚିତା ଦେଇ ଯେ। ୯।

ବିଯୋଗିଲେ ଚନ୍ଦ୍ର ଦୀପ୍ୟମାନକୁମ୍ଭରାଶି।

ବନ୍ଧୁରତାରେ ଧନିଷ୍ଠା ହୋଇ ପରଶଂସି ଯେ। ୧୦।

 

୬ଷ୍ଠ ପଦ :- ଦେବସଭାରେ ଦେବତାମାନେ ଅନବରତ ବିନୟ ବା ନମ୍ର ହୋଇଥାନ୍ତି, ସେହିପରି ଏ ଛାୟାମଣ୍ଡପରେ ଫୁଲମାଳସବୁ ସର୍ବଦା ‘ବିନୟ’ ଓହଳି ଝୁଲୁଅଛି । ସେ ଛାୟାମଣ୍ଡପ କଳ୍ପଦ୍ରୁମସମ ବୋଧହେଲା । କଳ୍ପଦ୍ରୁମ ବାଞ୍ଛିତ ଫଳରେ ଯେପରି ପୂର୍ଣ୍ଣ ହୋଇଥାଏ, ଏ ମଣ୍ଡପ ସେହିପରି ଗୁଆ, ନଡ଼ିଆ ଆଦି ଫଳରେ ପରିପୂର୍ଣ୍ଣ ହୋଇଅଛି ।

୭ମ ପଦ :- ବରଣ-ପ୍ରାଚୀର । ବରୁଣାଳୟ-ସମୁଦ୍ର । ଚିତ୍ର-ଚିତଳମାଛ ।

୭ମ ପଦ :- ସମୁଦ୍ର ପୃଥ୍ୱୀକୁ ବେଷ୍ଟନ କରି ରହିଲାପରି ପ୍ରାଚୀର ଏ ସଭାକୁ ବେଢ଼ି ରହିଅଛି । ସମୁଦ୍ରରେ ଗଙ୍ଗା ଯମୁନା ନଦୀ ପତିତ ହୋଇଅଛନ୍ତି ଓ ମକର, ମତ୍ସ୍ୟ ପ୍ରଭୃତି ଜଳଚର ପ୍ରାଣୀ ତହିଁରେ ବିହାର କରନ୍ତି, ସେହିପରି ପ୍ରାଚୀରରେ ଗଙ୍ଗାଯମୁନା ଓ ମତ୍ସ୍ୟ ମକର ପ୍ରଭୃତିଙ୍କର ଚିତ୍ର ଅଙ୍କିତ ହୋଇଅଛି ।

୮ମ ପଦ :- ନବର-ପୁର । ଗନ୍ଧପଣ-ଚନ୍ଦନ, କର୍ପୂରାଦି ସୁଗନ୍ଧ ଦ୍ରବ୍ୟ ।

୮ମ ପଦ :- ଦଶରଥ ଓ ଜନକଙ୍କର ମଣ୍ଡଣି ପୁରରେ ପରିଚାରିକାମାନେ ମହୋତ୍ସବରେ ଗନ୍ଧଷଣ ବିଧାନକୁ ବିହିଲେ (ଆନନ୍ଦର ସହିତ ଗନ୍ଧଚନ୍ଧନାଦିଦ୍ୱାରା ପୁରକୁ ସୁବାସିତ କରାଇଲେ ) ।

୯ମ ପଦ :- ସଅଳଂକାର-ଅଳଂକାରଭୂଷିତ ।

୧୦ମ ପଦ :- ଚନ୍ଦ୍ର-ସୁବର୍ଣ୍ଣ, ଚନ୍ଦ୍ର । କୁମ୍ଭରାଶି-ସ୍ୱର୍ଣ୍ଣଘଟ ସମୂହ, ରାଶି ବିଶେଷ । ଧନିଷ୍ଠା-ଧନିଷ୍ଠା ନକ୍ଷତ୍ର ।

୯ମ ଓ ୧୦ମ ପଦ :- ତତ୍‌ପରେ ସାତଜଣ ବ୍ରାହ୍ମଣ କନ୍ୟାଙ୍କୁ ଅଳଙ୍କାର ମଣ୍ଡିତ କରି ଓ ପଟ୍ଟବସ୍ତ୍ର ପିନ୍ଧାଇ ଲଲାଟରେ ସିନ୍ଦୁର ଚିତା ଭୂଷିତ କରାଇ, ସେମାନଙ୍କ କାଖରେ ସ୍ୱର୍ଣ୍ଣ ନିର୍ମିତ ଘଟସବୁ ଦେଲେ । ଯେପରି ଚନ୍ଦ୍ର କୁମ୍ଭ ରାଶିରେ ଯୁକ୍ତହୋଇ ଧନିଷ୍ଠା ନକ୍ଷତ୍ର ସହିତ ବନ୍ଧୁତା କଲେ ନିଜକୁ ପ୍ରଶଂସିତ ମନେକରେ, ସେହିପରି ସେ ସମୟରେ ବନ୍ଧୁ ଲୋକମାନେ ଅନୁରକ୍ତ ହୋଇ ନିଜକୁ ଭାଗ୍ୟବନ୍ତ ବୋଲି ପ୍ରଶଂସା କଲେ ।

 

ବିଷମେଷୁ ସୂର୍ପଯୁକ୍ତ ନାରୀକେଳତିରେ।

ବିରହିଣୀ ପ୍ରାୟ ଦିବାକୀର୍ତ୍ତି- ନାରୀ ଧରେ ଯେ। ୧୧।

ବିଜ୍ଜ୍ୱଳିତ ଦୀପେ ଯେ ସରିତଈଶ ସରି।

ବେଶ୍ୟାବାର ସଙ୍ଗୀତ ମନ୍ଦିର ଶୋଭା ଧରି ଯେ। ୧୨।

ବୀଣାକଣ୍ଠ ପୟୋଧର ମର୍ଦ୍ଦଳ ରାଜିତ।

ବିସ୍ତାରି ନୃତ୍ୟ ନର୍ତ୍ତକୀ ନେତ୍ର ଖ୍ୟାତ ଗୀତ ଯେ। ୧୩।

ବାହାରୁଁ ଯେ ମୁଖର-ରସନା ସ୍ୱନ କଲେ।

ବିସ୍ତରେ ଅନ୍ତଃପୁରସ୍ଥା ଦ୍ୱିବିଧ ମଙ୍ଗଳେ ଯେ। ୧୪।

ବାରାସନ ନଳ ପ୍ରାୟ ନିଷେଧ ଅଧିପ।

ବାଜିବାରେ ରାଜି ବାଦ୍ୟ ସାଦିଙ୍କ ସ୍ୱରୁପ ଯେ। ୧୫।

 

୧୧ଶ ପଦ :- ବିଷମେଷୁ-କନ୍ଦର୍ପ । ସୂର୍ପ-କୁଲା । ଦିବାକୀର୍ତ୍ତିନାରୀ-ଭଣ୍ଡାରୁଣୀ ।

୧୧ଶ ପଦ :- କନ୍ଦର୍ପ ଯେପରି ରତିଦେବୀ ସହିତ ଯୁକ୍ତ ଥାଏ, ସେହିପରି କୁଲା ନଡ଼ିଆ ଓ କାଣ୍ଡଶର ଏ ଦୁଇ ପଦାର୍ଥରେ ଯୁକ୍ତ ହୋଇଅଛି । ବିରହିଣୀ ଯେପରି କାମ ବିକାରକୁ ଧରିଥାଏ, ଭଣ୍ଡାରୁଣୀ ସେହିପରି ଏ କୁଲାକୁ ଧରିଅଛି ।

୧୨ଶ ପଦ :- ସରିତଈଶ-ସମୁଦ୍ର । ବେଶ୍ୟାବାର-ବେଶ୍ୟାସମୂହ ।

୧୨ଶ ପଦ :- ପୁଣି ସେ କୁଲା ସମୁଦ୍ର ପ୍ରାୟ ହୋଇଅଛି । ସମୁଦ୍ର ଯେପରି ଦ୍ୱୀପମାନଙ୍କରେ ଶୋଭିତ ହୋଇଥାଏ, କୁଲା ସେହିପରି ପ୍ରଦୀପମାନ ଜଳିବାଦ୍ୱାରା ଶୋଭା ପାଉଅଛି । ବେଶ୍ୟାମାନେ ସଙ୍ଗୀତ ଗୃହର ଶୋଭାକୁ ଧାରଣ କରି ଅଛନ୍ତି ।

୧୩ଶ ପଦ :- ପୟୋଧର-ସ୍ତନ ।

୧୩ଶ ପଦ :- ସଙ୍ଗୀତ ଗୃହ ବୀଣା ଆଉ ମର୍ଦ୍ଦଳରେ ମଣ୍ଡିତ ହୋଇଥାଏ, ତଦ୍ରୂପ ଏହି ବେଶ୍ୟାଗଣ ବୀଣା ତୁଲ୍ୟ କଣ୍ଠ ସ୍ୱରରେ ଓ ମାର୍ଦ୍ଦଳ ତୁଲ୍ୟ ସ୍ତନ ଯୁଗଳରେ ମଣ୍ଡିତ ହୋଇଅଛନ୍ତି । ପୁଣି ସଙ୍ଗୀତ ଗୃହରେ ନର୍ତ୍ତକୀସବୁ ନୃତ୍ୟ କରନ୍ତି । ଏଠାରେ ବେଶ୍ୟାମାନଙ୍କର ଭ୍ରୃଭଙ୍ଗୀ ନେତ୍ର ଚାଳନା ସହିତ ନୃତ୍ୟ ଓ ଗୀତ ଖ୍ୟାତି ଲଭିଅଛି ।

୧୪ଶ ପଦ :- ମୁଖର-ଶବ୍ଦାୟମାନ । ରସନା-କିଙ୍କିଣୀ । ମୁଖର ରସନା-ହୁଳିହୁଳି ଶବ୍ଦ ।

୧୪ଶ ପଦ :- ନର୍ତ୍ତକୀମାନେ ସଙ୍ଗୀତଶାଳାରୁ ବାହାରିବାବେଳେ ଯେପରି ସେମାନଙ୍କର କଟୀସ୍ଥ କିଙ୍କିଣୀର ସ୍ୱନ ଶୁଣାଯାଏ, ସେହିପରି ଏମାନେ ଅନ୍ତଃପୁରରୁ ବାହାରିବାବେଳେ ସ୍ତ୍ରୀମାନେ ମଙ୍ଗଳସୂଚକ ହୁଳହୁଳି ଶବ୍ଦ କଲେ ।

୧୫ଶ ପଦ :- ବାରସନ-ଦ୍ୱାରୀ । ବାଜିବାରେ-ବାଜିବାରୁ,ଅଶ୍ୱମାନଙ୍କର । ରାଜି-ସମୂହ, ଶୋଭାପାଇ । ସାଦି-ଅଶ୍ୱାରୋହୀ ।

୧୫ଶ ପଦ :- ସେ ସମୟରେ ଦ୍ୱାରପାଳମାନେ ନଳରାଜାଙ୍କ ପ୍ରାୟ ହେଲେ । ନଳରାଜା ନିଷଧ ଦେଶର ଅଧିପତି, ସେହିପରି ଦ୍ୱାରପାଳମାନେ ନିଷଧ ଅର୍ଥାତ ବାରଣ କରିବାରେ ଅଧିପତି ଅଟନ୍ତି । ବାଦ୍ୟସମୂହ ବାଜିବାରୁ ତାହା ଅଶ୍ୱାରୋହୀଙ୍କ ସ୍ୱରୂପ ହେଲା । ଅଶ୍ୱାରୋହୀମାନେ ‘ବାଜୀବରେ’ ଅଶ୍ୱସମୂହରେ ଶୋଭିତ ହୋଇଥାନ୍ତି-ଏ ବାଜିବାରୁ ଶୋଭିତ ।

 

ବନ୍ଧୁରାଏ ଚାହୁଁଛନ୍ତି ଘଣ୍ଟିମୃଗ ପରି

ବିଶିଷ୍ଟ ଭବନ ଜନ୍ୟ ଶମ୍ବରକୁ ଧରି ଯେ। ୧୬।

ବନ୍ଦିଲେ ଦେବୀ ଦେବଙ୍କୁ ପରସ୍ପରେ ଯାଇ।

ବର କନ୍ୟା ଗନ୍ଧଷିଲେଗନ୍ଧପୁଷ୍ପ ଦେଇ ଯେ। ୧୭।

ବିଯୋଗ ନିଦ୍ରାରେ ଭୃତ୍ୟେ ନିଶା ଥାଉଁ ଯାମେ।

ବୁଡ଼ି ବହି ପରଭୃତ ପରାକୃତ ନାମେ ଯେ। ୧୮।

ବିଜନ ସ୍ଥାନେ ପୂଜାରଲବଣଚାମରୀ।

ବ୍ରତାଚାରୀ ପରି କରି ଚାରି ସୁକୁମାରୀ ଯେ। ୧୯।

ବେଗେ ଯାଉ ଦିବସ ଏ ବଶ ବର କନ୍ୟା।

ବିରକ୍ତ ହେଉଁ ଏ ରକ୍ତବନ୍ତେ ଭାନୁ ଧନ୍ୟା ଯେ। ୨୦।

 

୧୬ଶ ପଦ :- ମୃଗମାନେବ୍ୟାଧର ଘଣ୍ଟି ଶବ୍ଦ ଶୁଣି ଚାହିଁଲାପରି ବନ୍ଧୁରାଜାମାନେ ଏ କନ୍ୟାମାନଙ୍କୁ ହୁଳହୁଳି ଶବ୍ଦ ଶୁଣି ଚାହୁଁଅଛନ୍ତି । ବନରେ ବ୍ୟାଧମାନେ ଅତି ଶୋଭାଯୁକ୍ତ ବନଜାତି ସମ୍ୱର, ମୃଗ ଧରିଲାପରି ଏଠାରେ ରମଣୀମାନେ ପ୍ରଧାନ ପ୍ରଧାନ ଘରୁ ଜଳ ସଂଗ୍ରହ କରି ଧଇଲେ,(ବାଡ଼ୁଅ ପାଣି ଗ୍ରାମରେ କେତେକ ଘରୁ ସଂଗ୍ରହ କରାଯାଇ ଥାଏ। )

୧୭ଶ ପଦ :- ତାହାପରେ (ଜଳତୋଳା ସରିଲା ପରେ) ଜଣେ ଜଣେ ଯାଇ ଦେବଦେବୀମାନଙ୍କୁ ପୂଜାକଲେ ଓ ବରକନ୍ୟାଙ୍କୁ ଗନ୍ଧପୁଷ୍ପ ଦେଇ ମଙ୍ଗୁଳିଲେ।

୧୮ଶ ପଦ :- ଯମ-ପ୍ରହର । ପରଭୃତ-କୋକିଳ ।

୧୮ଶ ପଦ :- ଭୃତ୍ୟମାନେ ରାତ୍ର ପ୍ରହରେ ଥାଉଁ ନିଦ୍ରା ତେଜି ଉଠି କୋକିଳର ପ୍ରକୃତ ନାମ ବୁଡ଼କୁ ବିହିଲେ । (ବରକନ୍ୟାଙ୍କୁ କୋଇଲିବୁଡ଼ କରାଇଲେ । )

୧୯ଶ ପଦ :- ଲବଣଚାମରୀ- ଲୁଣଚାଉଁରୀ । ବତାଚାରୀ-ବ୍ରତାବଲମ୍ବିନୀ ।

୧୯ଶ ପଦ :- ତଦନନ୍ତର ସୀତା ପ୍ରଭୃତି ଚାରି କୁମାରୀଙ୍କୁ ବ୍ରତାଚାରିଣୀ ପରି ନିର୍ଜନ ସ୍ଥାନରେ ଲବଣଚଉଁରୀ ପୂଜାଇଲେ ।

୨୦ଶ ପଦ :- ‘ଶୀଘ୍ର ଦିନ ଶେଷ ହେଉ’ ଏହି କଥାରେ ବଶ ହୋଇ ବରକନ୍ୟା ବିରକ୍ତ ପ୍ରକାଶ କରନ୍ତେ, ସୂର୍ଯ୍ୟ ତାହା ଜାଣିପାରି ଅସ୍ତ ହୋଇଗଲେ । ତେଣୁ ସେ ବରକନ୍ୟା ପ୍ରଶଂସ୍ୟା ଅଟନ୍ତି । (ସୂର୍ଯ୍ୟ ମଧ୍ୟ ତାଙ୍କ ମନକଥା ଜାଣି ଶୀଘ୍ର ଅସ୍ତ ହୋଇଗଲେ) ।

 

ବ୍ୟାସକ୍ତ ଅନୁରାଗରେ ସବିତା ଏକାଳେ।

ବିଳପୃଷ୍ଟ ବୋଲି ନିଜ ନିବାସକୁ ଚଳେ ଯେ। ୨୧।

ବୁଡ଼ାଇ କି ସିନ୍ଧୁ ଜଳେ ତାମ୍ରପାତ୍ର ରବି।

ବିଭା ସୀତା ରାମର ନିକଟ ଧାତା ଭାବି ଯେ। ୨୨।

ବାରିଧିଜ ଉଦେ ଅଙ୍କ ଦୁର୍ବାଦଳ ଭରି।

ବନ୍ଦାଇବ ରୂପାସ୍ଥାଳୀପ୍ରାଚୀନାରୀ ଧରି ଯେ। ୨୩।

ବିଭବେ ଉତ୍ସବ ହେଲା ବେନି ରାଜା ଦ୍ୱାରେ।

ବର୍ଷାଋତୁମୁର୍ତ୍ତିମନ୍ତେ କିବା ଅନୁସରେ ଯେ। ୨୪।

ବୃନ୍ଦ ବୃନ୍ଦ ଦିଶିଲେ ଜଳଦ କରୀବର।

ବ୍ୟୋମ-ପୂର୍ଣ୍ଣ ସ୍ତନିତ ପଟ୍ଟହ ନାଦ ତାର ଯେ। ୨୫।

 

୨୧ଶ ପଦ :- ସବିତା-ସୂର୍ଯ୍ୟ । ବଳିପୁଷ୍ଟ-କୁଆ ।

୨୧ଶପଦ :- ସୂର୍ଯ୍ୟ ଅନୁରାଗରେ ରକ୍ତବର୍ଣ୍ଣ ପ୍ରତି ସ୍ନେହ ପ୍ରକାଶ କରିବାର ଦେଖି କାକଗଣ ‘ସ୍ନେହରେ ବିଶେଷରେ ଆସକ୍ତ ହୁଅ’ ଏହା ସମସ୍ତଙ୍କୁ କହି ନିଜ ନିଜ ବସାକୁ ଉଡ଼ିଗଲେ ।

୨୨ଶ ପଦ :- ସୂର୍ଯ୍ୟ ବୁଡ଼ିଯିବାର ଦେଖି ବୋଧହେଲା, ‘ସୀତା ରାମଙ୍କ ବିବାହ ନିକଟ ହେଲା’ ଏହା ଭାବି ବିଧାତା ରବି ରୂପ ତାମ୍ରପାତ୍ରକୁ ସମୁଦ୍ର ଜଳରେ ବୁଡ଼ାଇଲେ କି ?

୨୩ଶ ପଦ :- ବାରିଧିଜ-ଚନ୍ଦ୍ର । ଅଙ୍କ-କଳଙ୍କ । ପ୍ରାଚୀନାରୀ-ପୂର୍ବଦିଗରୂପ ରମଣୀ।

୨୩ଶ ପଦ :- ସେହି ସମୟରେ ଚନ୍ଦ୍ର ଉଦିତ ହେଲେ । ତାହା ଦେଖି ମନେହେଲା, ପୂର୍ବଦିଗରୂପା ସ୍ତ୍ରୀ କଳଙ୍କ ରୂପ ଦୁର୍ବାଦଳକୁ ରଖି ରାମ ସୀତାଙ୍କୁ ବନ୍ଦାଇବ ବୋଲି ରୂପାଥାଳି ଧାରଣ କରିଅଛି କି ? (ଚନ୍ଦ୍ର ରୂପାଥାଳି ଓ ତନ୍ମଧ୍ୟସ୍ଥ କଳଙ୍କ ଦୁର୍ବାଦଳ ସହିତ ଉପମିତ ) ।

୨୪ଶ ପଦ :- ଦଶରଥ ଓ ଜନକଙ୍କ ଦ୍ୱାରରେ ଆଡ଼ମ୍ୱର ସହିତ ଉତ୍ସବ ହେଲା । ତାହା ଦେଖି ବୋଧହେଲା, ବର୍ଷା ଋତୁ ମୂର୍ତ୍ତିମନ୍ତ ହୋଇ ସେଠାରେ ପ୍ରବିଷ୍ଟ ହେଲା କି ?

୨୫ଶ ପଦ :- ଜଳଦ-ମେଘ । ବ୍ୟୋମ-ଆକାଶ । ସ୍ତନିକ-ମେଘଗର୍ଜନ । ପଟ୍ଟହ-ବାଦ୍ୟ ବିଶେଷ ।

୨୫ଶ ପଦ :- ଯୂଥ ଯୂଥ ହୋଇ ଯାଉଥିବା ଶ୍ରେଷ୍ଠ ହସ୍ତୀସବୁ ମେଘମାଳପରି ଦେଖାଗଲେ । ମେଘ ଗର୍ଜନ ତୁଲ୍ୟ ପଟ୍ଟହ ପ୍ରଭୃତି ବାଦ୍ୟନାଦରେ ଆକାଶ ପୂର୍ଣ୍ଣ ହେଲା ।

 

ବିଗଳିତ ଜଳଧାରା ଯହିଁ ଦାନଜଳ।

ବଜ୍ର ନିର୍ଘୋଷ ନାଗରା ବାଦନ ଚହଳ ଯେ। ୨୬।

ବ୍ୟୁହ ଭୟାଳହି ଅଶ୍ୱ ଚଞ୍ଚଳ ହୁଅନ୍ତି।

ବୈଶମ୍ପାୟନଙ୍କ ଚିନ୍ତା ମାଗଧଙ୍କ ସ୍ତୁତି ଯେ। ୨୭।

ବାଲ୍ମୀକନଳିତ ଇନ୍ଦ୍ରକୋଦଣ୍ଡ ହାବେଳି।

ବହ୍ନିକଣା ଜାତ କି ଖଦ୍ୟୋତ ଦିଶେ ଝଳି ଯେ। ୨୮।

ବିଦ୍ୟୁତ ଚଞ୍ଚଳ ପୀତ-ଚିରାଳ ପ୍ରଚଳ।

ବିଭ୍ରମେ ଚାତକପନ୍ତି ଚ୍ୟୁତ ତ୍ରୋଣାମେଳ ଯେ। ୨୯।

ବକ ଶଙ୍ଖଦାତ୍ୟୁହମଧୁରୀ କଙ୍କଭେରୀ।

ବର୍ଷାଭୂ ଟମକ ନାଦେ ଦଶଦିଶ ପୂରି ଯେ। ୩୦।

 

୨୬ଶ ପଦ :- ବ୍ୟୂହ-ସମୂହ । ମାଗଧ-ସ୍ତୁତି ପାଠକ ବା ଭାଟ ।

୨୬ଶ ପଦ :- ହସ୍ତିମାନଙ୍କର ଗଣ୍ଡସ୍ଥଳରୁ ଝରୁଥିବା ମଦବାରିସବୁ କିମ୍ୱା ବିବାହ ଯୋଗୁ ଦାନ ଦେବାପାଇଁ ବ୍ରାହ୍ମଣମାନଙ୍କ ହାତକୁ ଟେକି ଦେଉଥିବା ଜଳସବୁ ବର୍ଷାଧାରା ପରି ଦେଖାଗଲା ଏବଂ ବାଜୁଥିବା ନାଗରାର ଚହଳ ବଜ୍ର ନିର୍ଘୋଷ ପରିବୋଧ ହେଲା ।

୨୭ଶ ପଦ :- ବଜ୍ର ନିର୍ଘୋଷରେ ଭୟାତୁର ଲୋକମାନେ ଚଞ୍ଚଳ ହେଲାପରି, ବାଦ୍ୟର ଅତ୍ୟୁଚ୍ଚ ନାଦରେ ଘୋଟକସବୁ ଚଞ୍ଚଳ ହେଲେ । ବଜ୍ର ଭୟରୁ ରକ୍ଷା ପାଇବାପାଇଁ ଲୋକେ ବୈଶମ୍ପାୟନଙ୍କୁ ଚିନ୍ତା କଲା ପରି ଏଠାରେ ଭାଟମାନଙ୍କର ସ୍ତୃତିପାଠ ନିର୍ଦ୍ଦିଷ୍ଟ ହେଲା ।

୨୮ଶ ପଦ :- ବାଲ୍ମୀକ-ସ୍ତୁପମେଘ । କୋଦଣ୍ଡ-ଧନୁ । ଇନ୍ଦ୍ରକୋଦଣ୍ଡ-ଇନ୍ଦ୍ରଧନୁ । ବହ୍ନିକଣା-ଅଗ୍ନିକଣା । ଖଦ୍ୟୋତ-ଜୁଳୁଜୁଳୁା ପୋକ ।

୨୮ଶ ପଦ :- ସ୍ତୁପମେଘରୁ ଇନ୍ଦ୍ରଧନୁ ଜାତ ହେଲାପରି ନଳୀମାନଙ୍କରୁ ହାବେଳୀ ବାଣ ପ୍ରକାଶ ପାଇଲା । (ଗାଢ଼ ମେଘ କୃଷ୍ଣବର୍ଣ୍ଣ ଓ ଲୁହାନଳୀ କୃଷ୍ଣବର୍ଣ୍ଣ) । ସେହି ହାବେଳୀରୁ ଜାତ ଅଗ୍ନିକଣାସବୁ ଜୁଳୁଜୁଳା ପୋକପରି ସବୁଦିଗକୁ ଉଜ୍ଜ୍ୱଳ କଲେ । (ସେହି ବାଣ ଲାଗିବାରୁ ସବୁଦିଗ ଉଜ୍ଜ୍ୱଳ ଦେଖାଗଲା) ।

୨୯ଶ ପଦ :- ହଳଦିଆ ପତାକାସବୁ ପବନ ଯୋଗେ ଉଡ଼ୁଥିବାରୁ ଝଟକ ବିଜୁଳି ପ୍ରାୟ ଦେଖାଗଲା । ଆମ୍ୱପତ୍ରର ତୋରଣ ଚାତକ ପକ୍ଷୀ ଏଣେତେଣେ ଉଡ଼ିଲା ପରି ଇତସ୍ତତଃ ଦୋହଲିବାକୁ ଲାଗିଲା ।

୩୦ଶ ପଦ :- ଦାତ୍ୟୁହ-ଡାହୁକ । ବର୍ଷାଭୁ-ବେଙ୍ଗ ।

୩୦ଶ ପଦ :- ଶଙ୍ଖରୂପ ବଗ, ମହୁରୀରୂପ ଡାହୁକ, ଭେରୀରୂପ କଙ୍କପକ୍ଷୀ, ଟମକରୂପ ବେଙ୍ଗଙ୍କର ନାଦରେ ଦଶଦିଗ ପୂରିଗଲା । ବର୍ଷାଦିନେ ବଗ, ଡାହୁକ, କଙ୍କ ଓ ବେଙ୍ଗଙ୍କ ଶବ୍ଦରେ ଦଶଦିଗ ପୂରିଉଠେ, ସେହିପରି ଏଠାରେ ଶଙ୍ଖ, ମହୁରୀ, ଭେରୀ ଓ ଟମକ ନାଦରେ ଦଶଦିଗ ପୂରି ଉଠିଲା ।

 

ବ୍ୟାଖ୍ୟାନ ଶାମୁକ ନାଦ ଦାସୀ ହୁଳହୁଳି।

ବିଳସିତା ଇନ୍ଦ୍ରଗୋପ ବେଶ୍ୟା ପାଟଚୋଳି ଯେ। ୩୧।

ବିଶଦ ଶିଳୀନ୍ଦ୍ର ଛତ୍ର ସହଜେ ଦିଶିଲେ।

ବାଣାଦି ଜାଇ ଯୁଇ ତ ସତ ଫୁଟିଗଲେ ଯେ। ୩୨।

ବରହିଣ ନର୍ତ୍ତକ ନର୍ତ୍ତନ ପ୍ରକାଶିତ।

ବ୍ୟାପେ ଦୁର୍ଦ୍ଦିନ କୁହୁକ ଜାଲିକରେ ସତ ଯେ। ୩୩।

ବର୍ଷୋତ୍ପତ ପାତ ଦାତା ରଜତ ପ୍ରଦାନ।

ବାହାର ପୁର-ଗିରିରୁ ହେଲେ ଝର-ସୈନ୍ୟ ଯେ। ୩୪।

ବିବର୍ଦ୍ଧନ ରାଜମାର୍ଗ ନଦୀ ହେଲା ତହିଁ।

ବିଭରଣ ଉଷ୍ଣୀଷ ହିଣ୍ଡୀରମାନ ଯହିଁ ଯେ। ୩୫।

 

୩୧ଶ ପଦ :- ଇନ୍ଦ୍ରଗୋପ-ସାଧବ ବୋହୂ ବା ଲାଲବର୍ଣ୍ଣ କୀଟ ବିଶେଷ ।

୩୧ଶ ପଦ :- ଦାସୀମାନଙ୍କର ହୁଳହୁଳି ଶବ୍ଦ ଶାମୁକର ନାଦପରି ଶୁଣାଗଲା ଓ ନୃତ୍ୟଲୀଳା କରୁଥିବା ବେଶ୍ୟାମାନଙ୍କର ପାଟ କାଞ୍ଚଲା ସାଧବବୋହୂ ପୋକପରି ଦେଖାଗଲା । (ବର୍ଷାଦିନେ ଶାମୁକାନାଦ ଶୁଣାଯାଏ ଓ ବହୁତ ଗାଢ଼ ଲାଲବର୍ଣ୍ଣ ସାଧବବୋହୂ ପୋକ ଦେଖାଯାନ୍ତି । ସେହିପରି ଏଠାରେ ହୁଳହୁଳି ଶବ୍ଦ ଶୁଣାଗଲା ଓ ନୃତ୍ୟକାରିଣୀମାନଙ୍କ ଲାଲବର୍ଣ୍ଣର କାଞ୍ଚଲା ସାଧବବୋହୂ ପୋକ ପ୍ରାୟ ପ୍ରତୀୟମାନ ହେଲା) ।

୩୨ଶ ପଦ :- ବିଶଦ-ଶୁକ୍ଳବର୍ଣ୍ଣ । ଶିଳୀନ୍ଦ୍ର-କନ୍ଦଳୀ।

୩୨ଶ ପଦ :- ଶୁକ୍ଳବର୍ଣ୍ଣର ଛତ୍ରସବୁ କନ୍ଦଳୀ ପୁଷ୍ପ ପ୍ରାୟ ଦିଶିଲେ । ବାଣ ସବୁ ଫୁଟିବାରୁ, ଜାଈ, ଯୁଇ ଫୁଲ ଫୁଟିଲା ପ୍ରାୟ ଦେଖାଗଲା । (ବର୍ଷାଦିନେ ନୀଳବାଣ ପ୍ରଭୃତି ଜାଈ ଯୂଇ ଫୁଲ ଫୁଟନ୍ତି ) ।

୩୩ଶ ପଦ :- ବରହିଣ(ବହଣ)-ମୟୁରସମୂହ । ଦୁର୍ଦ୍ଦିନ-ମେଘ ଘୋଡ଼ାଇଥିବା ଦିନ । ଜାଲିକ-ଯେ କୁହୁକ ଦେଖାଏ ।

୩୩ଶ ପଦ :- ନର୍ତ୍ତକମାନେ ମୟୁର ପ୍ରାୟ ହୋଇ ନୃତ୍ୟ କଲେ । ଇନ୍ଦ୍ରଜାଲିକ(କୁହୁକ କଲା ବ୍ୟକ୍ତି)ର କୁହୁକ ମେଘାଚ୍ଛନ୍ନ ଦିବସ ପ୍ରାୟ ଅସ୍ପଷ୍ଟ ଦେଖାଗଲା । (ବର୍ଷାଦିନେ ମୟୁରମାନେ ନୃତ୍ୟ କରନ୍ତି, ମେଘାଚ୍ଛନ୍ନ ହେତୁ ଦିନ ସ୍ପଷ୍ଟ ଦେଖାଯାଏ ନାହିଁ, ସେହିପରି ନର୍ତ୍ତକମାନେ ଏଠାରେ ନୃତ୍ୟ କରୁଛନ୍ତି ଏବଂ ଐନ୍ଦ୍ରଜାଲିକର କୁହୁକ କୌଶଳ ସ୍ପଷ୍ଟ କେହି ବୁଝିପାରୁ ନାହାନ୍ତି )।

୩୪ଶ ପଦ :- ବର୍ଷୋତ୍ପଳ-କୁଆପଥର ।

୩୪ଶ ପଦ :- ଦାତାମାନଙ୍କର (ଦଶରଥ ଓ ଜନକ ଦୁଇରାଜାଙ୍କର) ରୌପ୍ୟମୁଦ୍ରା କରକାପାତ ପ୍ରାୟ ପ୍ରତୀୟମାନ ହେଲା । ନଗର ରୂପ ପର୍ବତରୁ ସୈନ୍ୟମାନେ ଝରଣା ସଦୃଶ ବହିର୍ଗତ ହେଲେ ।

୩୫ଶ ପଦ :- ସେ ସୈନ୍ୟରୂପ ଝରଣାଦ୍ୱାରା ରାଜପଥରୂପ ନଦୀ ବର୍ଦ୍ଧିତ ହେଲା । ସୈନ୍ୟମାନଙ୍କର ମୁଣ୍ଡର ପାଗ ସବୁ ପାଣିର ଫେଣରୂପେ ପୂର୍ଣ୍ଣକାରରେ ଦେଖାଗଲା।

 

ବୀରତରୁ ପୁଷ୍ପବନ୍ତ ହୋଇ ସମଧୂପ।

ବେନିକୁଳ ବେନିପାଶେ ସ୍ଥିତି ବୃକ୍ଷଦୀପ ଯେ। ୩୬।

ବୀଚି ବେଗରେ ଗମନ ଲିଭିଲା ସେ ଶାନ୍ତି।

ବନ୍ଧ ସିଂହଦ୍ୱାରରେ ଏମନ୍ତ ବ୍ୟୁତପତ୍ତି ଯେ। ୩୭।

ବିଦେଶୀ ପାନ୍ଥ ପ୍ରଧାନ ଜନତରୀ ଜାନ।

ବହନ ତେଜି କଲେ ସେ ସଦନ ଗମନ ଯେ। ୩୮।

ବେଶ୍ମସ୍ଥା ମୃଦୁସୁଲୀକ ନିଉଞ୍ଛାଇ ଅନ୍ନ।

ବରିଲେ ବର ଶାଳକେ ଦିଶିଲେ ତେସନ ଯେ। ୩୯।

ବିବାହ ସ୍ଥାନରେ ବରବେଶେ ବସାଇଲେ।

ବ୍ରହ୍ମା ଆଚାର୍ଯ୍ୟ ବେଦିକେ ଯୁଗଯୁଗ ହେଲେ ଯେ। ୪୦।

 

୩୬ଶ ପଦ :- ବୀରତରୁ-ଅର୍ଜ୍ଜୁନ ବୃକ୍ଷ ।

୩୬ଶ ପଦ :- ବର୍ଷାଦିନେ ଅର୍ଜୁନ ବୃକ୍ଷମାନେ ପୁଷ୍ପବନ୍ତ ଓ ଭ୍ରମରଯୁକ୍ତ ହୋଇ ନଦୀର ବେନି କୂଳରେ ରହିଥାନ୍ତି; ସେହିପରି ଏ ରାଜପଥ ରୂପ ନଦୀର ଉଭୟ ପାର୍ଶ୍ୱରେ ବୃକ୍ଷ ଦୀପମାନେ ଫୁଲଝାଡ଼ ଶୋଭିତ ଓ ମଦ୍ୟପ ଶବରାଦି ଯୁକ୍ତ ହୋଇ ଠିଆ ହୋଇଅଛନ୍ତି ।

୩୭ଶ ପଦ :- ବୀଚି-ଲହରୀ ।

୩୭ଶ ପଦ :- ନଦୀ ତରଙ୍ଗଯୁକ୍ତହୋଇ ବେଗରେ ଗମନ କରୁ କରୁ ବନ୍ଧ ପାଇଲେ ସ୍ଥିର ହୋଇଯାଏ । ସେହିପରି ସୈନ୍ୟମାନେ ଅଳ୍ପ ବେଗରେ ଯାଇ (ଶୋଭାଯାତ୍ରାରେ ଯାତ୍ରୀଗଣ ଧୀରେ ଧୀରେ ଯାନ୍ତି) ସିଂହଦ୍ୱାର ରୂପ ବନ୍ଧକୁ ପାଇ ସ୍ଥିର ହୋଇ ରହିଲେ ।

୩୮ଶ ପଦ :- ପାନ୍ଥ-ପଥିକ । ତରୀ-ନୌକା ।

୩୮ଶ ପଦ :- ବିଦେଶୀ ପଥିକମାନେ ନଦୀ ପାର ହୋଇ ଆସିଲେ । ନୌକା ଛାଡ଼ି ନିଜ ନିଜ ଗୃହକୁ ଗମନ କରନ୍ତି । ସେହିପରି ବିବାହ ଯାତ୍ରୀ ହୋଇଥିବା ଶ୍ରେଷ୍ଠବ୍ୟକ୍ତିମାନେ ଶବାରି ପ୍ରଭୃତି ଯାନ ସବୁକୁ ତ୍ୟାଗ କରି ନିଜ ବାସଗୃହକୁ ଗଲେ ।

୩୯ଶ ପଦ :- ବେଶୁସ୍ଥା-ଗୃହବାସିନୀ ସ୍ତ୍ରୀ ।

୩୯ଶ ପଦ :- ତାହାପରେ ପୁର ମଧ୍ୟରେ ଥିବା ମୁଦୁସୁଲୀମାନେ ବରମାନଙ୍କୁ ଅନ୍ନଥାଳୀରେ ବନ୍ଦାପନା କଲେ, ଶାଳକମାନେ ବରଙ୍କୁ ବରଣ କରି ନେଲାବେଳେ ପ୍ରଧାନ ବ୍ୟକ୍ତିମାନଙ୍କୁ ବରଣ କରି ନେଲା ପ୍ରାୟ ଦେଖାଗଲା ।

୪୦ଶ ପଦ :- ବେଦିକେ-ପ୍ରତିବେଦୀରେ । ଯୁଗ ଯୁଗ-ଦୁଇ ଦୁଇ ।

୪୦ଶ ପଦ :- ତଦନନ୍ତର ବରମାନଙ୍କୁ ବରବେଶରେ ବିବାହ ସ୍ଥାନରେ ବସାଇଲେ, ପ୍ରତି ବେଦୀରେ ବ୍ରହ୍ମା ଓ ଆଚାର୍ଯ୍ୟ ଏହିପରି ଦୁଇ ଦୁଇଜଣ ବରଣ ହେଲେ ।

 

ବିଶିଷ୍ଠ ଶତାନନ୍ଦ, କାଶ୍ୟପ କଉଶିକ ।

ବାମଦେବ ଗଉତମ, ଜାବାଳି ବାଲ୍ମୀକି ଯେ। ୪୧।

ବହି ବିଚରିତ ଶାଳେ ଧୁଆଇଲେ ପଦ।

ବହିତ ଗମନାନିଳେ ଚମରୀ ବିନୋଦ ଯେ। ୪୨।

ବିଦୃଷ୍ଟି ଅନ୍ତର ପାଟ କୁଜ୍‌ଝଟି ବଶରେ।

ବିଭାବସୁ ପଦ୍ମିନୀର ହୋଏ ପରସ୍ପରେ ଯେ। ୪୩।

ବରଗିଲେ ସୁଯଜ୍ଞୋପବିତ ଦୂତୀ ତହିଁ।

ବିପ୍ରଲବ୍‌ଧା ହୋଇଥିଲେ ଆଣିଲେ ବୋଧାଇ ଯେ। ୪୪।

ବାଞ୍ଛାକଳ୍ପଦ୍ରୁମ ପାଶେ କାମଧେନୁ ମିଳେ।

ବାମନେତ୍ରା ଦକ୍ଷିଣ କରାଇ ବସାଇଲେ ଯେ। ୪୫।

 

୪୧ଶ ପଦ :- ବଶିଷ୍ଠ-ଶତାନନ୍ଦ, କାଶ୍ୟପ-କୌଶିକ, ବାମଦେବ-ଗୌତମ, ଏବଂ ଜାବାଳି-ବାଲ୍ମୀକି ଏହିପରି ଚାରିବେଦୀରେ ବ୍ରହ୍ମା ଓ ଆଚାର୍ଯ୍ୟ ହୋଇ ବସିଲେ ।

୪୨ଶ ପଦ :- ପୁରୋହିତମାନେ ବିଧିବିଧାନ ଅନୁସାରେ ଶାଳକମାନଙ୍କଦ୍ୱାରା ବରମାନଙ୍କର ପାଦକୁ ଧୁଆଇଲେ । ଚମରୀମୃଗ ପବନରେ କ୍ରୀଡ଼ାରତ ହୋଇ ଆମୋଦ ଲଭିଲା ପରି, ସେ ବରକନ୍ୟାମାନେ ଲବଣ ଚାମରୀ ବିଧାନରେ ଆନନ୍ଦ ଉପଭୋଗ କଲେ ।

୪୩ଶ ପଦ :- ବିଭାବିସୁ-ସୂର୍ଯ୍ୟ ।

୪୩ଶ ପଦ :- ବରକନ୍ୟାଙ୍କର ଦେଖା ଦେଖି ନ ହେବାପାଇଁ ପାଟର ଅନ୍ତର ବାଡ଼ ମଧ୍ୟରେ ପକାଇଲେ । କୁହୁଡ଼ିଯୋଗୁଁ ସୂର୍ଯ୍ୟ ଓ ପଦ୍ମଙ୍କର ଯେପରି ଦେଖାଦେଖି ହୋଇ ନ ପାରେ, ସେହିପରି ଅନ୍ତର ପାଟ ଯୋଗୁଁ ସୂର୍ଯ୍ୟବଂଶ ଜାତ ରାମଚନ୍ଦ୍ରଙ୍କର ଓ ପଦ୍ମିନୀ ସ୍ତ୍ରୀ ସୀତାଙ୍କର ଦେଖାଦେଖି ହୋଇପାରିଲା ନାହିଁ ।

୪୪ଶ ପଦ :- ବିପ୍ରଲବ୍‌ଧା-ନାୟିକା ବିଶେଷ ଅର୍ଥାତ୍‌ ଆଠପ୍ରକାର ନାୟିକାଙ୍କ ମଧ୍ୟରୁ ଗୋଟିଏ, ମାନିନୀ ସ୍ତ୍ରୀ ।

୪୪ଶ ପଦ :- ଉତ୍ତମ ଯଜ୍ଞସୂତ୍ର (ମନ୍ତ୍ରୀତ ହୋଇଥିବା ଅଷାଢ଼ୁଆ ସୂତା) ଦୂତୀରୂପେ ବରମାନଙ୍କଠାରୁ ସଙ୍କେତ ନେଇ କନ୍ୟାମାନଙ୍କ ପାଖକୁ ପଠାଇବାରୁ କନ୍ୟାମାନେ ଆସିଲେ । ସେ କନ୍ୟାମାନେ ବିପ୍ରଲବ୍‌ଧା ହୋଇଥିଲେ, ତାଙ୍କୁ ବୋଧ କରାଇ ଆଣିଲେ । (ଦୂତିମାନେମାନିନୀ ନାୟିକାଙ୍କୁ ପ୍ରବୋଧ କରାଇ ସଙ୍କେତସ୍ଥଳକୁ ମଣାଇ ନେଲାପରି, ଅଷାଢ଼ୁଆସୂତା ଯିବାରୁ ସୀତା ପହଣ୍ଡମଣାଇ ବେଦୀ ଉପରକୁ ଆସିଲେ)।

୪୫ଶ ପଦ :- ବାଞ୍ଚାପୂର୍ଣ୍ଣକାରୀ କଳ୍ପତରୁରୂପ ବରଙ୍କ ନିକଟରେ କାମଧେନୁ ରୂପୀ କନ୍ୟାମାନେ ଆସି ମିଳିତ ହେବାରୁ ପୁରୋହିତମାନେ ବାମଲୋଚନା କନ୍ୟାମାନଙ୍କୁ ଦକ୍ଷିଣଭାଗରେ ବସାଇଲେ ।

 

ବସୁନ୍ଧରା ପ୍ରାୟେ ସେ ଅଙ୍ଗଣ ନବଖଣ୍ଡେ।

ବିଭାବରୀ କି ଅମ୍ବରେ ତାରାପନ୍ତି ରୁଣ୍ଡେ ଯେ। ୪୬।

ବୃକ୍ଷସ୍ତମ୍ଭେ ରାଜେ ଫଳବନ୍ତ ହୋଇ ସେହି।

ବାନ୍ଧବ-କୁମୁଦର କି ପ୍ରଭା ସୁଧା ବହି ଯେ। ୪୭।

ବ୍ରହ୍ମା ଆନନକୁ ଯେ ହୋଇଲା ଅନୁରୂପ।

ବେଦବାକ୍ୟପୂର୍ଣ୍ଣ ହୋଇ ଚତୁର ମଣ୍ଡପ ଯେ। ୪୮।

ବିପ୍ରେ ଲକ୍ଷିତ ହୋଇଲେ ତାଙ୍କ କର ସଂଗେ।

ବିଷ୍ଟର ତାମ୍ର ସୁପାତ୍ରୀ ଶ୍ରୂବଶ୍ରୂଚ ଯୋଗେ ଯେ। ୪୯।

ବରକନ୍ୟାଙ୍କୁ ବୋଲନ୍ତି ଈଶ୍ୱର ପାର୍ବତୀ।

ବାନ୍ଧିଲେ ସେ ମୁକୁଟ କରି କି ଏହି ମତି ଯେ। ୫୦।

 

୪୬ଶ ପଦ :- ବସୁନ୍ଧରା-ପୃଥିବୀ । ଅଙ୍ଗଣ-ଅଗଣା । ଅମ୍ୱର-ଆକାଶ, ବସ୍ତ୍ର । ତାରାପନ୍ତି-ନକ୍ଷତ୍ର ସମୂହ, ମୁକ୍ତାପନ୍ତି।

୪୬ଶ ପଦ :- ସେହି ଅଗଣା ବସୁନ୍ଧରା ପ୍ରାୟ ହୋଇଅଛି । ବସୁନ୍ଧରା ନବଖଣ୍ଡ ହେଲା ପ୍ରାୟ ଅଗଣା ଚାରିଗୋଟି ବେଦୀ ଓ ପାଞ୍ଚଗୋଟି ଅନ୍ତର ସ୍ଥାନ ଯୋଗେ ନବଖଣ୍ଡ ହୋଇଅଛି । ରାତ୍ରରେ ଆକାଶରେ ନକ୍ଷତ୍ର ଶ୍ରେଣୀ ରୁଣ୍ଡ ହୋଇଶୋଭା ପାଇଲା ପରି, ସେ ଅଗଣାରେ ଟଣା ହୋଇଥିବା ଚନ୍ଦ୍ରାତପ ସୁନ୍ଦର ଦିଶୁଅଛି । (ଏଠାରେ ଚନ୍ଦ୍ରାତପ ଆକାଶ ଓ ଚନ୍ଦ୍ରତପରେ ଖଞ୍ଜିତ ହୋଇଥିବା ମଣି ମୁକ୍ତାଦି ନକ୍ଷତ୍ର ସହିତ ଉପମିତ )।

୪୭ଶ ପଦ :- ସୁଧା-ଚ୍ୟୁନ, ଅମୃତ ।

୪୭ଶ ପାଦ :- ସେହି ଅଗଣାରେ ପୋତା ହୋଇଥିବା ସ୍ତମ୍ଭସବୁ ବୃକ୍ଷ ହେଲେ । ବୃକ୍ଷସବୁ ଫଳଦ୍ୱାରା ଶୋଭିତ ହେଲା ପ୍ରାୟ ସ୍ତମ୍ଭସବୁ ଗୁଆ ନଡ଼ିଆ ଇତ୍ୟାଦି ଫଳରେ ଭୂଷିତ ହୋଇଅଛନ୍ତି । ପୁଣି ସେ ସ୍ତମ୍ଭ ଚୂନଲିପ୍ତ ହୋଇଥିବାରୁ ଅମୃତର ଶୁଭ୍ର ପ୍ରଭା ଧାରଣ କରିଥିବା ଚନ୍ଦ୍ରପ୍ରାୟ ପ୍ରତୀୟମାନ ହୁଏ ।

୪୮ଶ ପଦ :- ସେହି ଚାରିଗୋଟି ମଣ୍ଡପ ବ୍ରହ୍ମାଙ୍କର ଚାରିମୁଖ ସହିତ ସମାନ ହେଲା । ଚତୁରାନନ ବେଦରେ ପୂର୍ଣ୍ଣ ହେଲାପରି ଏହି ଚାରିମଣ୍ଡପ ବ୍ରାହ୍ମଣ ମୂଖ ନିଃସୃତ ବେଦବାକ୍ୟରେ ପୂର୍ଣ୍ଣ ହୋଇଅଛି ।

୪୯ଶ ପଦ :- ସେହି ବ୍ରାହ୍ମଣଙ୍କ ହସ୍ତ ସହିତ ବିପ୍ରମାନେ (ବ୍ରହ୍ମା ଓ ଆଚାର୍ଯ୍ୟମାନେ) ଲକ୍ଷିତ ହେଲେ । ବ୍ରହ୍ମାଙ୍କ ହସ୍ତରେ କୁଶମୁଷ୍ଟି, ତମ୍ୱାପାତ୍ରୀ, ଶ୍ରୁବ, ଶ୍ରୁଚ ବିଦ୍ୟମାନ ଥିଲା ପ୍ରାୟ, ଏହି ବ୍ରାହ୍ମଣମାନଙ୍କ ହସ୍ତରେ କୁଶମୁଷ୍ଟି, ତମ୍ଭାପାତ୍ରୀ, ଶ୍ରୁବ, ଶ୍ରୁଚ ରହିଅଛି ।

୫୦ଶ ପଦ :- ବର କନ୍ୟାଙ୍କୁ ଈଶ୍ୱର ପାର୍ବତୀ କହନ୍ତି (ଉମା ପାଶୁପତେଃ); ସେହି ହେତୁରୁ ସେମାନେ ବରକନ୍ୟାଙ୍କ ମସ୍ତକରେ ମୁକୁଟ ବାନ୍ଧିଲେ କି ?

 

ବିହିତ ପୁଣ ଏ ଗୋତ୍ର ବଂଶବର ଖ୍ୟାତ ।

ବିଶୀର୍ଣ୍ଣ ଭୀତହିଁ ହୋଏ କାମର ଉଦିତ ଯେ। ୫୧।

ବୈଶାଳେଶୂଳ ଭରମ ଉପୁଜି ତା ଥିବ।

ବଳା ଡମ୍ବରୁ ନାଦକୁ ଶୁଣି ପଳାଇବ ଯେ। ୫୨।

ବୀତିହୋତ୍ରେଲାଜା ହୋମ କରୁ ଲଜ୍ଜବଳି ।

ବଳିରେ ବିଚାର କାହିଁ ହୋଇବ ସମ୍ଭାଳି ଯେ। ୫୩।

ବନ୍ଧାଇଲେ ଦୁହିଁଙ୍କର କର ସେ କୋବିଦେ ।

ବାମା ପୁଂସ ଏକ କରି ସେ ଦମ୍ପତି ପଦେ ଯେ। ୫୪।

ବିପ୍ର ଦୁହିତାଏ ତହିଁ ପରବେଶ ହେଲେ।

ବିପଦପାଶ ଫିଟିଲା ପାଞ୍ଚି ଫିଟାଇଲେ ଯେ। ୫୫।

 

୫୧ଶ ପଦ :- ଗୋତ୍ର ବଂଶଜର-‘ଗୋତ୍ର’ । ପର୍ବତମାନଙ୍କ ମଧ୍ୟରେ ପ୍ରଧାନ ଅର୍ଥାତ୍‌ ହିମାଳୟ ପର୍ବତ, ପ୍ରଧାନ ସୂର୍ଯ୍ୟବଂଶ । ବିଶୀର୍ଣ୍ଣ-ଈଷତ୍‌ ଭୟ ।

୫୧ଶ ପଦ :- ବିବାହ ସମୟରେ ଗୋତ୍ର ବଂଶ ପ୍ରବର କଥିତ ହେବା ବିଧି; ପୁଣି କନ୍ଦର୍ପ ପର୍ବତଶ୍ରେଷ୍ଠ ହିମାଳୟରେ ବାସ କରୁଥିବା ମହାଦେବଙ୍କୁ ଦେଖି ଭୀତ ହେଲା ପରି ସୂର୍ଯ୍ୟବଂଶରେ ଜାତ ବରମାନଙ୍କୁ ଦେଖି ବିଶେଷ ଭାବରେ ଭୟ ପ୍ରାପ୍ତ ହେଲା ।

୫୨ଶ ପଦ :- ସେହି କନ୍ଦର୍ପ ବେଦୀ କଡ଼ରେ ପୋତା ହୋଇଥିବା ବହିଃଶାଲା ଦର୍ଶନରେ ମହାଦେବଙ୍କ ଶୂଳ ବୋଲି ଭ୍ରମ ଉପୁଜିଥିବ । ପୁଣି କନ୍ୟାମାନଙ୍କର ବଳା ଶବ୍ଦକୁ ମହାଦେବଙ୍କ ଡମ୍ୱରୁ ଶବ୍ଦ ବୋଲି ମନେକରି ନିଶ୍ଚୟ ପଳାଇ ଯିବ ।

୫୩ଶ ପଦ :- ବୀତହୋତ୍ର-ଅଗ୍ନି । ଲାଜା-ଲିଆ ।

୫୩ଶ ପଦ :- ଅଗ୍ନିରେ ଲାଜା ହୋମ କରିବାରୁ (ବିବାହବେଳେ ଅଗ୍ନିରେ ଲିଆ ପୋଡ଼ାଯାଏ, ତାହାକୁ ଲାଜା ହୋମ ବା ଲଜ୍ଜାହୋମ କହନ୍ତି) ଲଜ୍ଜା ସବୁ ବିଚାର କଲେ, ‘‘ଆମ୍ଭେ ଆଉ କେଉଁଠି ସମ୍ଭାଳି ହୋଇ ରହିବା ?’’

୫୪ଶ ପଦ :- ବରଣ ହୋଇଥିବା ବ୍ରହ୍ମା ଓ ଆଚାର୍ଯ୍ୟ ବରକନ୍ୟା ଦୁହିଙ୍କର ହସ୍ତସବୁ ବାନ୍ଧିଲେ (ହାତଗଣ୍ଠି ପକାଇଲ)। ତବ୍ଦ୍ୱାରା ସେ ବର ଓ କନ୍ୟା ଦୁହିଙ୍କୁ ଦମ୍ପତି (ଜାୟା ଓ ପତି) ପଦରେ ଏକତ୍ର କରିଦେଲେ ।

୫୫ଶ ପଦ :- ତତ୍ପରେ ବ୍ରାହ୍ମଣ କନ୍ୟାମାନେ ସେଠାରେ ପ୍ରବେଶ ହେଲେ । କାମ ବିପତ୍ତି ରୂପ ଫାଶ ଏବେ ଫିଟିଗଲା-ଏହା ପାଞ୍ଚି ସେ ହାତଗଣ୍ଠିକୁ ଫିଟାଇ ଦେଲେ ।

୫୬ଶ ପଦ :- ବରକନ୍ୟା ଗଇଁଠାଳ ବସ୍ତ୍ରରେ ଭୂଷିତ ହୋଇ ବାହାରିଲେ । ତାହା ଦେଖି ମନେହେଲା, କନ୍ଦର୍ପ ସହିତ ଯୁଦ୍ଧାରମ୍ଭ କରିବାପାଇଁ ଏମାନେ ଶାଢ଼ି ପାଇଲେ କି ?

 

ବରାଟକେ ଅନ୍ତଃପୁରେ ଦ୍ୟୁତ ଖେଳାଇଲେ ।

ବଳବନ୍ତ ଅବଳା ଧରଷି ନ ପାରିଲେ ଯେ । ୫୭।

ବୃଦ୍ଧିନଦୀତଟତରୁଉତ୍ପାଟି ଭସାଇ।

ବେତସ ମଧ୍ୟରେ କିଛି କରି ନ ପାରଇ ଯେ । ୫୮।

ବିହୁଁପଞ୍ଚଗ୍ରାସୀ ହସ୍ତ ସ୍ଥାଳୀରୁ ନ ଚାଳି।

ବଳୟେ ରାମମୂରତି ଦିଶନ୍ତେ ମୈଥିଳୀ ଯେ । ୫୯।

ବାରି ବିଧୂ ବିମ୍ବେ ଯଥା ଚକୋର ସୁସ୍ନେହୀ ।

ବସି ପତ୍ରାଚ୍ଛନ୍ନ ବୃକ୍ଷେ ଟେକି ନ ଅନାଇଁ ଯେ । ୬୦।

ବଢ଼ିଲା ଏ ବିଧାନ ଶାଶୁଏ ବନ୍ଦାଇଲେ।

ବିତରଣ ଅମୂଲ୍ୟ ରତନମାନ କଲେ ଯେ । ୬୧।

ବୀରବର ଭଞ୍ଜ ସୀତା ରାମକୁ ଧ୍ୟାଇଲା।

ବାଷଠି ପଦେ ଏ ଛାନ୍ଦ ଶେଷକୁ ବିହିଲା ଯେ । ୬୨।

 

୫୭ଶ ପଦ :- ବରାଟକ-କଉଡ଼ି ।

୫୭ଶ ପଦ :- ଅନ୍ତଃପୁରରେ ବର କନ୍ୟାଙ୍କୁ କଉଡ଼ିରେ ଜୁଆ ଖେଳାଇଲେ । ବଳିଷ୍ଠବୀର ରାମଚନ୍ଦ୍ରାଦି ବରମାନେ ଅବଳା କନ୍ୟାମାନଙ୍କୁ ଜୟ କରିପାରିଲେ ନାହିଁ । (ଅର୍ଥାତ୍‌ କନ୍ୟାମାନଙ୍କ ହାତରୁ ଛଡ଼ାଇ ପାରିଲେ ନାହିଁ ) ।

୫୮ଶ ପଦ :- ବଢ଼ିଥିବା ନଈ ତାର ତୀରରେ ଥିବା ବଡ଼ବଡ଼ ବୃକ୍ଷମାନଙ୍କୁ ଉପାଡ଼ି ଭସାଇ ନିଏ, ମାତ୍ର ମଧ୍ୟରେ ଥିବା ବୁଦାରେ କିଛି କରିପାରେ ନାହିଁ । (ସେହିପରି ବଳିଷ୍ଠ ବୀରମାନେ ବଡ଼ବଡ଼ ବୀରଙ୍କୁ ହରାଇ ପାରନ୍ତି, ମାତ୍ର ଅବଳା ନିକଟରେ ହାରିଲେ)।

୫୯ଶ ଓ ୬୦ଶ ପଦ :- ଯେପରି ଚକୋର ପକ୍ଷୀ ପତ୍ରାଚ୍ଛାଦିତ ବୃକ୍ଷରେ ବସି ଜଳ ମଧ୍ୟରେ ପଡ଼ିଥିବା ଚନ୍ଦ୍ରର ପ୍ରତିବିମ୍ୱ ଦେଖିଲେ ତତ୍‌ପ୍ରତି ସ୍ନେହୀ ହୋଇ ଆଉ ଉପରକୁ (ଚନ୍ଦ୍ରକୁ) ଅନାଏ ନାହିଁ, ସେହିପରି ସୀତା ପଞ୍ଚଗ୍ରାସୀ ସମୟରେ ହସ୍ତରେ ପିନ୍ଧିଥିବା କଙ୍କଣାଦି ଅଳଙ୍କାରରେ ରାମଙ୍କର ମୂର୍ତ୍ତି ଦେଖି ଥାଳିରୁ ଆଉ ହସ୍ତ ଚଳାଇଲେ ନାହିଁ । (ପ୍ରତିମୂର୍ତ୍ତି ଦେଖି ଏପରି ତନ୍ମୟ ହୋଇ ଯାଇଥିଲେ ଯେ, ହାତ ଆଉ ଚଳିଲା ନାହିଁ,- ଏ ଆଶଙ୍କା ହେବାରୁ ହାତ ଚଳାଇଲେ ନାହିଁ) ।

୬୧ତମ ପଦ :- ଏ ପଞ୍ଚଗ୍ରାସୀ ଯଥାବିଧିରେ ଶେଷ ହେଲା । ଶାଶୁମାନେ ବର କନ୍ୟାଙ୍କୁ ବନ୍ଦାପନା କଲେ ଓ ଅମୂଲ୍ୟ ରତ୍ନମାନ ବିତରଣ କଲେ ।

୬୨ତମ ପଦ :- ବୀରବରଭଞ୍ଜ ସୀତା ରାମଙ୍କୁ ଧ୍ୟାନ କରି ଏ ଛାନ୍ଦ ବାଷଠି ପଦରେ ଶେଷ କଲେ ।

 

ପଞ୍ଚଦଶ ଛାନ୍ଦ

(ରାଗ-କେଦାର, ଚକ୍ରକେଳି ବାଣୀ)

 

ବିଚିତ୍ରିତ ଚିତ୍ରରେ ହୋଇଥିଲେ

ବାମା ମଧୁଶଯ୍ୟାକୁ ମଣ୍ଡାଇଲେ ।

ବପୁବନ୍ତରୁ ହୋଇଛି ରଞ୍ଜନ

ବ୍ୟକ୍ତ ସୁନେତ୍ର ରୋହିତ ଖଞ୍ଜନ । । ୧ ।

ବିପତନ ଯେ ପଲଙ୍କ ପଲକ

ବେଣୀ ରତ୍ନପ୍ରଦୀପରେ ଅଧିକ।

ବେଣୀ ଶୋଭା ଅଗୁରୁ ଧୂମ ଧାର

ବହିଅଛି ଅଳକା ମନୋହର । । ୨।

ବକ୍ର ଦର୍ପଣ ଚନ୍ଦ୍ରାତପେ ଶୋହି

ବିନୋଦକୁ ପ୍ରକାଶିବାରେ ସ୍ନେହୀ।

ବିହି ପୁରେ ରୂପକଶ୍ଳେଷ ଛନ୍ଦି

ବହେ ଦମ୍ପତି ହେବେ ବନ୍ଧାବନ୍ଧି । । ୩।

ବସୁ ତହିଁ ରାମା ହେଲେ ରାଘବ

ବିଧିରେ ତ ବାସକସଜ୍ଜା ଭାବ।

ବିଲୋକିତ କାନ୍ତା ସ୍ମରି ଆଗତେ

ବଳି ଚିତ୍ତଦ୍ଵାରେ ଚାହିଁ ଆରତେ । । ୪।

ବିରହରେ ଉତ୍କଣ୍ଠିତା ପ୍ରକାଶି

ବିହିବାକୁ ସୁରସ ମାନ ଘୋଷି।

ବିମ୍ବାଧରେ ହୋଇବାକୁ ଖଣ୍ଡିତା

ବେଗ ବେଗ ହୋଇଅଛି ମମତା । । ୫।

 

୧ମ ପଦ :- ଖଞ୍ଜନ -ଭଦଭଦଳିଆ ପକ୍ଷୀ । ବପୁବନ୍ତରେ-ଶୋଭାରେ ।

୧ମ ପଦ :- ନାନାବର୍ଣ୍ଣ ଚିତ୍ରରେ ବିଚିତ୍ରିତ ହୋଇଥିବା ଓ ପଟ୍ଟବସ୍ତ୍ରରେ ଭୂଷିତ ହୋଇଥିବା ମଧୁଶଯ୍ୟା ଗୃହକୁ ମଣ୍ଡାଇଲେ । ରମଣୀମାନଙ୍କ ପରି ସେ ମଧୁଶଯ୍ୟା ଗୃହ ଲାବଣ୍ୟବନ୍ତରୁ ଅନୁରାଗ ଜନିତ ହୋଇଛି । ତହିଁରେ ଚିତ୍ରିତ ହୋଇଥିବା ରୋହିମାଛ, ଖଞ୍ଜନ ପକ୍ଷୀ ମୀନନୟନା ଓ ଖଞ୍ଜନାକ୍ଷୀ ରମଣୀମାନଙ୍କ ଉତ୍ତମ ନେତ୍ର ସଦୃଶ ହୋଇଅଛନ୍ତି । (ବାମାମାନେ ଚନ୍ଦନାଦିରେ ଚିତ୍ରିତ ହୋଇଥାନ୍ତି, ବସ୍ତ୍ରାଦିରେ ଭୂଷିତ ହୋଇଥାନ୍ତି ଏବଂ ତାଙ୍କ ନେତ୍ର ମୀନ ଓ ଖଞ୍ଜନ ପକ୍ଷୀର ନେତ୍ରପରି ହୋଇଥାଏ, ସେହିପରି ଏ ବାସର ଗୃହ ଚିତ୍ରିତ ହୋଇଅଛି । ନାନାପ୍ରକାର ପଟ୍ଟବସ୍ତ୍ରଦ୍ୱାରା ଆବୃତ ହୋଇଅଛି ଓ ସେଥିରେ ମୀନ, ଖଞ୍ଜନାଦି ଅଙ୍କିତ ହୋଇଅଛନ୍ତି) ।

୨ୟ ପଦ :- ପଲକ-ପକ୍ଷୁପାତ । ଅଳକ-ଚୂର୍ଣ୍ଣକୁନ୍ତଳ, କୁବେରଙ୍କ ପୁର ।

୨ୟ ପଦ :- ବାସର ଗୃହରେ ପଡ଼ିଥିବା ପଲଙ୍କ ରମଣୀଙ୍କ ନେତ୍ରରେ ପଲକ ସଦୃଶ ଅଟେ । ବାମାମାନେ ନାନା ରତ୍ନରେ ବେଶଭୂଷା ହୋଇଥିଲା ପରି ଏ ଗୃହ ବହୁ ରତ୍ନ ପ୍ରଦୀପରେ ଭୂଷିତ ହୋଇଅଛି । ଗୃହ ଅଗୁରୁ ଧୂମର ଶିଖା ବାମାଙ୍କର ବେଣୀର ଶୋଭା ଧାରଣ କରିଅଛି । ଯେପରି ବାମାମାନେ ଅଳକା ଅର୍ଥାତ୍‌ ଚୂର୍ଣ୍ଣକୁନ୍ତଳ ଧାରଣ କରିଥାନ୍ତି ସେହିପରି କୁବେର ପୁରୀ ପ୍ରାୟ ସେ ଗୃହ ମନୋହର ହୋଇଥିବାରୁ ଅଳକା ପୁରୀ ନାମ ବହିଅଛି ।

୩ୟ ପଦ :- ବକ୍ତ୍ର-ମୁଖ । ଚନ୍ଦ୍ରାତପ-ଚାନ୍ଦୁଆ । ଦମ୍ପତ୍ତି-ସ୍ୱାମୀ ଓ ସ୍ତ୍ରୀ ।

୩ୟ ପଦ :- ବାମାମାନଙ୍କ ମୁଖ ଜ୍ୟୋତି ଯେପରି ଦର୍ପଣ ପ୍ରାୟ ଶୋଭାପାଏ, ସେହିପରି ଏ ବାସର ଗୃହ ଦର୍ପଣ ଖଚିତ ଚାନ୍ଦୁଆଦ୍ୱାରା ଶୋଭାପାଉଅଛି । ପୁଣି ବାମାଗଣ ରତିକ୍ରୀଡ଼ାରେ ସ୍ନେହୀ ହେଲାପରି ଏ ଗୃହ ବିନୋଦ ଭାବକୁ ସ୍ନେହର ସହିତ ବହିଅଛି (ମନୋହର ହୋଇଅଛି ) । ସେ ଗୃହରେ ସ୍ତ୍ରୀ ପୁରୁଷ ଦୁହେଁ ବାହୁଦ୍ୱାରା ଛନ୍ଦାଛନ୍ଦି ହେବେ ବୋଲି ଏ ରୂପକ ଶ୍ଳେଷରେ ଗୃହର ବର୍ଣ୍ଣନା ରଚନା କରାଗଲା ।

୪ର୍ଥ ପଦ :- ବାସକସଜ୍ଜା ନାୟିକା କାମାତୁର ହୋଇ ବେଶଭୂଷା ସହିତ ଉଦ୍‌ବିଗ୍ନ ଚିତ୍ତରେ ନିଜର ସ୍ୱାମୀ ଆସିବା ପଥକୁ ଚାହିଁ ବସି ରହିଲା ପରି, ରାମଚନ୍ଦ୍ର ମଧୁଶଯ୍ୟା ଗୃହରେ ବସି କାମାର୍ତ୍ତ ଚିତ୍ତରେ ସୀତାଙ୍କ ଆଗମନ ଅପେକ୍ଷାରେ ଚାହିଁ ରହିଲେ । (ଏଠାରେ ରାମଚନ୍ଦ୍ର ବାସକସଜ୍ଜା ରମଣୀ ସହିତ ଉପମିତ) ।

୫ମ ପଦ :- ରାମଚନ୍ଦ୍ର କାନ୍ତାଙ୍କ ବିରହରେ ଆକୁଳିତ ହୋଇ ବିରହୋତ୍କଣ୍ଠିତା ନାୟିକା ପ୍ରାୟ ଉତ୍ତମ ରସ କଥାମାନ ଘୋଷି ହେଲେ (ବିରହୋତ୍କଣ୍ଠିତା ନାୟିକା ଗୁଣ ପ୍ରକାଶ ପାଇଲା) । ପୁଣି ସୀତାଙ୍କର ବିମ୍ୱୋଷ୍ଠରେ ଅତିଶୀଘ୍ର କ୍ଷତ ଦାଗ ଅଙ୍କିତ କରିବା ପାଇଁ ଅସ୍ଥିର ହୋଇ ଉଠିଲେ (ଖଣ୍ଡିତା ନାୟିକାର ଧର୍ମ ସୂଚିତ ହେଲା )।

 

ବହୁବଚନେ ଏଣୁ ସିଦ୍ଧତର୍କି

ବ୍ୟାକରଣେ ରାମ ରାମା କରି କି ?

ବିହି ଏଣୁ ଗୀତେ ଯୋଷା ସୁଷମା

ବୋଲନ୍ତି ପାଶ୍ଚାତ୍ୟେ ଶ୍ରୀରାମା ରାମା । । ୬।

ବିଲକ୍ଷିତ ହୋଇବ କିପାଁ କଲେ

ବିରୋଚନ ମୋହନେ ରାମା ହେଲେ।

ବୟସୀଏ ଏ କାଳେ ସୁଲକ୍ଷଣୀ

ବିଜେ କରାଇଲେ ବାଜୁଁକିଙ୍କିଣୀ । । ୭।

ବଡ଼ତୃଷାର୍ତ୍ତୀ ଚାତକ ଯେମନ୍ତ

ବାରିବାହ ଧ୍ଵନି ଶୁଣି ତେମନ୍ତ।

ବିଦ୍ୟୁବିଦ୍ୟୁତକାନ୍ତି ଦିଶିଗଲା

ବର୍ଦ୍ଧମାନ ତୋଷ ଅତି ହୋଇଲା । । ୮।

ବାଳା ରହୁଁ କେଳିପୁର ସନ୍ନିଧି

ବୟସିକାଏ ଛଳଭାବେ ବୋଧି।

ବିକର୍ତ୍ତନ ତେଜେ ମୋଦ ପଦ୍ମିନୀ

ବିକର୍ତ୍ତନବଂଶୀ ସେ ତୁ ପଦ୍ମିନୀ । । ୯।

ବାକଚାତୁରୀ କେମନ୍ତ ରହିଲା

ବଲ୍ଲଭରେ ସମର୍ପିବା ହୋଇଲା।

ବଜାଇଣ ବଳେ ଦ୍ଵାର ଦେହଳୀ

ବାହୁଡ଼ିଲେ କବାଟ କିଳି ଆଳୀ । । ୧୦।

 

୬ଷ୍ଠ ପଦ :- ରାମ ବାସଗୃହରେ ବସି ରାମା ହେଲେ; ଏହି ବର୍ଣ୍ଣନା ଅଳୀକ ନୁହେଁ । ବ୍ୟାକରଣ ଶାସ୍ତ୍ରରେ ରାମ ଶବ୍ଦର ବହୁବଚନରେ ରାମା ହୋଇଥାଏ । (ରାମଃ, ରାମୌ, ରାମାଃ) । ତେଣୁ ଗୀତରେ ରାମଙ୍କୁ ସ୍ତ୍ରୀ ରୂପରେ ବିଧାନ କରାଗଲା । ପୁଣି ପଶ୍ଚିମ ଅଞ୍ଚଳରେ ଲୋକମାନେ ଶ୍ରୀରାମା ରାମା ବୋଲି କହିଥାନ୍ତି । (ତେଣୁ ରାମକୁ ସ୍ତ୍ରୀ ଲିଙ୍ଗ କରି ରାମା ରୂପେ ବର୍ଣ୍ଣନା କଲେ କ୍ଷତି କ’ଣ ?)

୭ମ ଓ ୮ମ ପଦ :- ରାମ ଶବ୍ଦକୁ ରାମା ବୋଲି ବର୍ଣ୍ଣନା କଲେ ଏହା ଅସଙ୍ଗତ ହେବ ନାହିଁ; କାରଣ, ବିରୋଚନ ରାକ୍ଷସକୁ ପୂର୍ବେ ମାଳତୀ କନ୍ୟାରୂପେ ଏହି ରାମଚନ୍ଦ୍ର ମୋହିତ କରିଥିଲେ । ଏହି ସମୟରେ ସଖୀମାନେ ସୁଲକ୍ଷଣବତୀ ସୀତାଙ୍କୁ ବାସର ଗୃହକୁ ବିଜେ କରାଇଲେ । ସୀତାଙ୍କର ଗମନ ସମୟରେ ପାଦର କିଙ୍କିଣୀ ବାଜିବା ଶବ୍ଦ ଶୁଣି ମହାତୃଷାତୁର ଚାତକପକ୍ଷୀ ମେଘର ଗର୍ଜନ ଶୁଣି ଯେପରି ଆନନ୍ଦିତ ହୁଏ, ରାମଚନ୍ଦ୍ର, ସେହିପରି ଆନନ୍ଦିତ ହେଲେ । ସୀତାଙ୍କ ଦେହ କାନ୍ତି ବିଜୁଳି ତେଜକୁ ନିଷ୍ପ୍ରଭ କରି ପ୍ରକାଶିତ ହେଲା, ତେଣୁ ରାମଚନ୍ଦ୍ରଙ୍କ ଆନନ୍ଦ ଅତିଶୟ ବର୍ଦ୍ଧିତ ହୋଇଗଲା ।

୯ମ ପଦ :- ସୀତା ବାସରଗୃହ ସମୀପରେ ରହିଯାନ୍ତେ ସମବୟସୀ ସଖୀମାନେ ଛଳ ଭାବରେ ବୋଧ କରି କହିଲେ, ‘‘ହେ ସଖୀ ! ସୂର୍ଯ୍ୟ ତେଜରେ ପଦ୍ମ ପ୍ରଷ୍ଫୁଟିତ ହୁଏ । ସେ ରାମଚନ୍ଦ୍ର ସୂର୍ଯ୍ୟ ବଂଶଧର, ତୁ ତ ପଦ୍ମିନୀ ରମଣୀ । କାନ୍ତ ସଙ୍ଗମକୁ ଭୟ କରୁଛ କାହିଁକି ?’’

୧୦ମ ପଦ :- ସଖୀମାନେ ଯେଉଁ ବକ୍ରୋକ୍ତି କଲେ, ସେଥିରେ ବାକ୍‌ଚାତୁରୀ ପ୍ରକାଶିତ ହେଲା, ପୁଣି କାନ୍ତଙ୍କ ସମର୍ପଣ କରିବାର ମଧ୍ୟ ହେଲା । ତାହାପରେ ବଳାତ୍କାରରେ ହାରର ଏରୁଣ୍ଡି ବନ୍ଧଙ୍କୁ ବଳାଇ ଦେଇ କବାଟ କଳି ସଖୀମାନେ ଫେରିଗଲେ।

 

ବଳେ ବସାଉଁ ତଳେ କୋଳେ କାନ୍ତ

ବିରାଜିତ ପ୍ରଭାରେ ଦୁର୍ଗା ମତ।

ବ୍ରୀଡ଼ାବତୀ ଚଞ୍ଚଳ ନ ଛାଡ଼ିଲେ

ବୋଧୁଁ ବିନୟେ ଧୀରା ଧୀର ହେଲେ । । ୧୧।

ବିଦଗଧ ଶ୍ରୀରାମଚନ୍ଦ୍ର କହେ

ବନ୍ଧୁ ଜୀବନ ଥିବାରେ ଏ ଦେହେ।

ବିଳାସିନୀ ନ କରିବ ଆନକୁ

ବୋଲି ଛୁଇଁ ଦୀପ ହୁତାଶନକୁ । । ୧୨।

ବଇଦେହୀକେଶୁଁକାଢ଼ି କେତକୀ

ବର୍ଣ୍ଣ ଲିଖିତ ପୋଛି କସ୍ତୁରୀକି ।

ବଳି ନାହିଁ ଆନେ ଆଜଯାଏ ତ

ବଳାଇବି ଜନ୍ମେ ଜନ୍ମେ ମୋ ଚିତ୍ତ । । ୧୩।

ବର ମଣ୍ଡପରୁ ଯିବ ବାହୁଡ଼ି

ବାର୍ତ୍ତାବହେ ତୁମ୍ଭଙ୍କୁ ନେବି ଲୋଡ଼ି ।

ବୀରମୁକୁଟେ ପତ୍ର କରି ଦତ୍ତ

ବିନ୍ୟସ୍ତ ଯେ ପ୍ରଦୀପେ କଲେ ହସ୍ତ । । ୧୪ ।

ବଇଦର୍ଭୀ ଚାତୁରୀ ପ୍ରକାଶିତ

ବତ୍ସେ ସଂଯୋଗିପଢ଼ିରଘୁସୂତ ।

ବତ୍ସପାଦ ଚିହ୍ନ ପରି ହୃଦରେ

ବାହ୍ୟେ ନ ଦିଶି ରଖିଲେ ଭିତରେ । । ୧୫।

 

୧୧ଶ ପଦ :- ବ୍ରାଡ଼ାବତୀ-ଲଜ୍ଜାବତୀ । ଧୀରା-ପଣ୍ଡିତା । ଧୀର-ସ୍ଥିର ।

୧୧ଶ ପଦ :- ନାୟକ ରାମଚନ୍ଦ୍ର ବଳପୂର୍ବକ ସୀତାଙ୍କୁ ନେଇ ଶଯ୍ୟାରେ ନିଜ କୋଳରେ ବସାନ୍ତେ, ସୀତା ଜ୍ୟୋତିରେ ଦୁର୍ଗା ସମାନ ବିରାଜିତ ହେଲେ, (କନକ ଦୁର୍ଗାଙ୍କ ବର୍ଣ୍ଣ ଶୁଦ୍ଧ ସୁବର୍ଣ୍ଣ ପରି) । ସେ ନୀଳମଣୀ ପ୍ରଭାରେ ଜଡ଼ିତ ହେଲେ ଯେପରି ଦିଶିବେ ସୀତା ସେହିପରି ଦିଶିଲେ । ସେ ଲଜ୍ଜାବତୀ ହେତୁ ଚଞ୍ଚଳତା ଶୀଘ୍ର ଛାଡ଼ି ନ ଥିଲେ । ରାମ ବିନୟ ବାକ୍ୟରେ ବୋଧ କରନ୍ତେ, କ୍ରମେ ସୀତା ସ୍ଥିର ହେଲେ ।

୧୨ଶ ପଦ :- ବିଦଗ୍‌ଧ-ପଣ୍ଡିତ, ଚତୁର । ବିଳାସିନୀ-ସ୍ତ୍ରୀ ବା ଭାର୍ଯ୍ୟା । ଦୀପ ହୁତାଶନ-ଦୀପାଗ୍ନି ।

୧୨ଶ ପଦ :- ତାହା ପରେ ଚତୁର ରାମଚନ୍ଦ୍ର କହିଲେ, ‘‘ହେ ପ୍ରିୟେ ! ମୋର ଏ ଦେହରେ ପ୍ରାଣ ଥିବାଯାଏ, ତୋ ବିନା ଅନ୍ୟ ସ୍ତ୍ରୀକୁ ଚାହିଁବି ନାହିଁ ।’’ ଏହା କହି ସେ ଦୀପର ଅଗ୍ନିକୁ ଛୁଇଁ ନିୟମ କଲେ ।

୧୩ଶ ପଦ :- ରାମ ଏପରି ନିୟମ କରିବାରୁ ସୀତା ମୁଣ୍ଡରେ କେଶରୁ କେତକୀ ପାଖୁଡ଼ାକାଢ଼ି ଚିବୁକରୁ କସ୍ତୁରୀକୁ ପୋଛି ଅକ୍ଷର ଲେଖିଲେ; ‘‘ଆଜିଯାଏ ତ ମୋର ମନ ତୁମ୍ଭ ବିନା ଅନ୍ୟଠାରେ ବଳି ନାହିଁ । ପର ଜନ୍ମମାନଙ୍କରେ ମଧ୍ୟ ମୋ ଚିତ୍ତ ଅନ୍ୟ ପୁରୁଷଠାରେ ବଳାଇବି ନାହିଁ ।’’

୧୪ଶ ପଦ :- ବାର୍ତ୍ତାବହ-ଦୂତ । ବୀରମୁକୁଟେ-ବୀରଶ୍ରେଷ୍ଠ ରାମଚନ୍ଦ୍ରଙ୍କୁ ।

୧୪ଶ ପାଦ :- ‘‘ପରଜନ୍ମରେ ପିତା ବର ବରି ଆଣି ବିଭାମଣ୍ଡପରେ ବସାଇଥିବେ, ମାତ୍ର ମୁଁ ରାଜି ନ ହେବାରୁ (ଦ୍ୱାପର ଯୁଗରେ ରୂକ୍ମିଣୀ ଅବତାରର କଥା) ସେ ବର (ଶିଶୁପାଳ) ମଣ୍ଡପରୁ ବାହୁଡ଼ିଯିବ । ମୁଁ ଦୂତଦ୍ୱାରା ତୁମ୍ଭଙ୍କୁ ଖବର ଦେଇ ବରି ନେବି ।’’ ଏହା ଲେଖି ସୀତା ସେ ପତ୍ର ରାମଙ୍କୁ ପ୍ରଦାନ କରି ପ୍ରଦୀପରେ ହସ୍ତ ଦେଲେ । (ପ୍ରଦୀପ ଛୁଇଁ ନିୟମ କଲେ) ।

୧୫ଶ ପଦ :- ପତ୍ରରେ ପ୍ରକାଶିତ ସୀତାଙ୍କର ବାକ୍‌ଚାତୁରୀକୁ (ଅର୍ଥାତ୍‌ ତୁମ୍ଭେ ଏ ଜନ୍ମରେ ଅନ୍ୟ ସ୍ତ୍ରୀ କରି ନ ପାର; କିନ୍ତୁ ଅନ୍ୟ ଜନ୍ମରେ ମୋ ବ୍ୟତୀତ ଅନ୍ୟ ସ୍ତ୍ରୀ କରିପାରିବ, ମାତ୍ର ମୁଁ ଜନ୍ମଜନ୍ମାନ୍ତରେ ସୁଦ୍ଧା ତୁମ୍ଭ ବ୍ୟତୀତ ଅନ୍ୟ ପୁରୁଷକୁ ଚାହିଁବି ନାହିଁ) ପାଠକରି ରାମଚନ୍ଦ୍ର ବକ୍ଷଦେଶରେ ନାରାୟଣ ଶ୍ରୀବତ୍ସ ଚିହ୍ନ ବହିଲା ପରି ତାହା ଧାରଣ କଲେ, ମାତ୍ର ପଦାକୁ କିଛି ପ୍ରକାଶ କଲେ ନାହିଁ ।

 

ବିଶଦତା ଚିତ୍ତ ନଭେ ଉଦୟ

ବିନିର୍ଗତ ହେଲା ଘନ ସଂଶୟ।

ବିମଳତା ରସ ଖ୍ୟାତ ହୋଇଲା

ବିକାଶକୁ କାଶ ହାସ ପାଇଲା । ୧୬।

ବନଜୀନୀ ଶେଯ ସରେ ରାଜିତା

ବହେ ପୁଲକରାଜି ପ୍ରଫୁଲ୍ଲତା।

ବନ୍ଧ ସର୍ବତୋଭାବେ ଗଲା ଦିଶି

ବିଚଳିତ ନିର୍ମଳେ ହେଲା ଶଶୀ । ୧୭।

ବିସ୍ତୃତ ଯେ ହଂସକର ନିଃସ୍ଵନ

ବିତପନ ନକ୍ଷତ୍ରମାଳା ପୁନ।

ବ୍ୟୁତ୍ପତ୍ତିରେ ଯୁବତୀ ଋତୁମତୀ

ବିଧୂନନେଶରଦ ହେଲା ଖ୍ୟାତି । ୧୮।

ବୀରେ ବିଖ୍ୟାତ ତୁ ସାରସଦୃଶା

ବଦନରେ ଜଡ଼କର ପ୍ରଶଂସା।

ବିମ୍ବାଧରେ ତ ସଦନ ମଧୁର

ବକ୍ଷୋରୁହେ ଗିରିସମ ବିଚାର । ୧୯।

ବିଧି ଘନଜଘନା ବୋଲିବାର

ବ୍ୟବହାର ଖ୍ୟାତ ସର୍ବ ସେଠାର।

ବିନାଶନ ହେଲା ନିଶା ଏକାଳେ

ବେଶ୍ୟା ପ୍ରାୟେ ଗଗନ ବିରାଜିଲେ । ୨୦।

 

୧୬ଶ ପଦ :- ବିଶଦତା-ନିର୍ମଳତ । ନଭ-ଆକାଶ । ଘନ-ମେଘ । ରସ-ଜଳ, ଶୃଙ୍ଗାର ରସ ।

୧୬ଶ ପଦ :- ଉଭୟ ଉଭୟଙ୍କର ମନକଥା ଜାଣି ପାରିବାରୁ ସେମାନଙ୍କର ଚିତ୍ତରୂପ ଆକାଶରୁ ସଂଶୟ ରୂପ ମେଘ ଦୂର ହୋଇଗଲା ଓ ନିର୍ମଳ ଭାବ ଉଦିତ ହେଲା । ବର୍ଷା ଋତୁ ପରେ ଶରତଋତୁ ପ୍ରବେଶ କଲେ ଆକାଶ ନିର୍ମଳ ହୁଏ, ଜଳ ସଫା ହୁଏ, କାଶତଣ୍ଡୀ ଫୁଲ ଫୁଟେ; ସେହିପରି ଉଭୟଙ୍କ ମନରୁ ସଂଶୟ ମେଘ ଦୂର ହେବାରୁ ଚିତ୍ତ ନିର୍ମଳ ହେଲା, ଶୃଙ୍ଗାର ରସ ପୂର୍ଣ୍ଣ ଭାବରେ ଖ୍ୟାତ ହେଲା ଏବଂ କାଶ ଫୁଲ ସମ ହାସ ପ୍ରକାଶିତ ହେଲା ।

୧୭ଶ ପଦ :- ବନଜୀନୀ-ପଦ୍ମିନୀ । ସର-ପୁଷ୍କରିଣୀ,ସରୋବର ।

୧୭ଶ ପଦ :- ସୀତା ପଦ୍ମଫୁଲ ପ୍ରାୟ ହେଲେ, ଶଯ୍ୟାସରୋବର ପ୍ରାୟ ହେଲା । ଶରତ ସମୟରେ ସରୋବରରେ ପଦ୍ମ ବିକଶିତ ହେଲା ପରି ଶଯ୍ୟାରେ ସୀତା ରୋମାଞ୍ଚିତ ହୋଇ ଶୋଭା ପାଇଲେ । ସରୋବରରେ ଜଳ ଶୁଖିଗଲେ ବନ୍ଧମାନ ପ୍ରକାଶିତ ହେଲା ପ୍ରାୟ ଶଯ୍ୟା ସରୋବରରେ ଚତୁଷଷ୍ଠି କାମବନ୍ଧ ପ୍ରକାଶିତ ହେଲା । ନିର୍ମଳ ଚନ୍ଦ୍ର ଶରତ୍‌ କାଳରେ ଦେଖାଗଲା ପ୍ରାୟ ଏଠାରେ ଉତ୍ତମ ଭାବରେ ଚନ୍ଦ୍ର ଚାଳନା ହେଲା ।

୧୮ଶ ପଦ :- ହଂସକ-ହଂସ ପକ୍ଷୀ, ନୁପୂର । ନକ୍ଷତ୍ରମାଳା-ତାରକାସମୂହ, ମୁକ୍ତାମାଳା । ବ୍ୟୁତ୍ପତ୍ତିରେ-ଜାଣିବାରେ । ବିଧୁନନେ-ରତିକ୍ରୀଡ଼ାରେ ।

୧୮ଶ ପଦ :- ଶରତ୍‌ କାଳରେ ସରୋବରମାନଙ୍କରେ ହଂସଙ୍କର ଶବ୍ଦ ଶୁଣାଗଲା ପରି ଏଠାରେ ରତିକ୍ରୀଡ଼ା ଯୋଗୁ ନୂପୁରସ୍ୱନ ଶୁଣାଗଲା ଏବଂ ନକ୍ଷତ୍ରସବୁ ନିର୍ମଳ ଆକାଶଯୋଗୁଁ ସ୍ପଷ୍ଟ ଦେଖାଗଲା ପ୍ରାୟ କଣ୍ଠ ସ୍ଥିତ ମୁକ୍ତାମାଳା ଦେଖାଗଲା । ସ୍ତ୍ରୀମାନେ ଋତୁମତୀ ହୁଅନ୍ତି, ତେଣୁ ସୀତାଙ୍କୁ ଋତୁମତୀ ବିଚାର କରି ତାଙ୍କ ରତିକୁ ଶରତ୍‌କାଳ ସହିତ ଖ୍ୟାତ କରାଗଲା ।

୧୯ଶ ପଦ :- ବିଖ୍ୟାତ-କଥିତ । ସାରସଦୃଶା-ପଦ୍ମଲୋଚନା । ଜଡ଼କର-ଚନ୍ଦ୍ର, ମୁକ, ଶିଶିର । ମଧୁ-ବସନ୍ତ କାଳ। ବକ୍ଷୋରୁହ-ସ୍ତନ ।

୧୯ଶ ପଦ :- ବୀର ରାମଚନ୍ଦ୍ର କହିଲେ, ‘‘ଗୋ ପଦ୍ମଲୋଚନେ ! ତୁମ୍ଭେ ତୁଷାର ସଦୃଶା ଅର୍ଥାତ୍‌ ହିମ ଋତୁ ଅଟ । (ତୁମ୍ଭର ଦେହ ତୁଷାର ସଦୃଶ ଶୀତଳ) । ତୁମ୍ଭର ଯେଉଁ ବଦନ ସହିତ ତୁଳନୀୟ ହୋଇ ଚନ୍ଦ୍ର ପ୍ରଶଂସା ପାଉଅଛି, ସେ ବଦନ ଶୀତଳ ହୋଇଥିବାରୁ ତାହା ଶୀତକାଳ ପ୍ରାୟ ଅଟେ । ତୁମ୍ଭର ବିମ୍ୱାଧର ଅମୃତର ଗୃହ ହୋଇଥିବାରୁ, ତାହା ବସନ୍ତର ସ୍ଥାନ ହୋଇଅଛି । ତୁମ୍ଭର ସ୍ତନଯୁଗଳ ଗିରିସମ ଅର୍ଥାତ୍‌ ପର୍ବତ ସମାନ ହୋଇଥିବାରୁ ଗିରିସମର ବିଚାର ହେଲା ।’’ (ଏଥିରେ ହେମନ୍ତ, ଶୀତ, ବସନ୍ତ ଓ ଗ୍ରୀଷ୍ମଋତୁର ସୂଚନା ଦିଆଗଲା )।

୨୦ଶ ପଦ :- ବେଶ୍ୟା-ବେଶ ହୋଇଥିବା ଲୋକ ।

୨୦ଶ ପଦ :- ‘‘ଗୋ ସୀତେ ! ତୁମ୍ଭଙ୍କୁ ଘନଜଘନା ବୋଲିବା ଉଚିତ’’ (ଏଠାରେ ଘନ ବା ମେଘ ଶବ୍ଦର ବ୍ୟବହାରରେ ବର୍ଷାଋତୁର ସୂଚନା ମିଳିଳା ) । ବ୍ୟବହାରରେ ସୀତାଙ୍କଠାରେ ଶରଦାଦି ଋତୁସମୂହ ଖ୍ୟାତ ହେଲେ । ଏହି ସମୟରେ ରାତ୍ର ଶେଷ ହେବାରୁ ଆକାଶ ବେଶ ହୋଇଥିବାଲୋକ ପ୍ରାୟ ଶୋଭିତ ହେଲା ।

 

ବିଧୂକୋଳ ଦିଗ ବେଶ୍ୟା ତେଜିଲା

ବେଗେ ସବିତା ଭାବରେ ମଜ୍ଜିଲା ।

ବନଜୀନୀ ଯେ କୁଳଟା ସ୍ଵଭାବେ

ବିକର୍ତ୍ତନ ଉଲ୍ଲସେ ସେ ଭୃଙ୍ଗ ଚୂମ୍ବେ । ୨୧ ।

ବଳିଭୁଜ ସତ୍ୟବାକ ରଚନା

ବିବୁଧେ ଯେ ସେ ବେଶ୍ୟାବଶ ସିନା।

ବାୟସ ସାହୁ ଡାକକୁ ପେଚକ

ବୃକ୍ଷକ୍ରୋଡ଼େ ଲୁଚେ ହୀନ ଖାତକ । ୨୨।

ବିଚକ୍ଷଣା କୁମୁଦିନୀ ଦେଖାଇ

ବିଷ୍ଫାରିତ ମାଦ୍ରିତେ ସତୀ ମୁହିଁ।

ବସି ନ ପାରି ନ ରସି ଭ୍ରମର

ବ୍ୟର୍ଥ ବାଦ ଦେଇ କରେ ଝଙ୍କାର । ୨୩ ।

ବାୟୁ ମନ୍ଦ ଗୁଣକୁ ଆଶ୍ରେ କରି

ବାସ ପୁଷ୍ପବତୀର ନେଲା ହରି।

ବିଶ୍ଵେ ସମୀର ହୋଇଲା ରଜକ

ବିଚାରୁଛି ଅନୁସ୍ଵାରେ ଅଧିକ । ୨୪।

ବଲ୍ଲୀଠାରୁ କାମୁକୀ ବଳି ନାହିଁ

ବିନୋଦକୁ କୁସୁମେ ଯେଣୁ ଦେଇ ।

ବିହଇ ଯେ ସମ୍ଭୋଗକୁ ମଧୁପ

ବେନି ସବୁ କାଳରେ ଅନୁରୂପ । ୨୫।

 

୨୧ଶ ପଦ :- ପ୍ରଭାତ ହେବାରୁ ପୂର୍ବଦିଗ ରୂପ ବେଶ୍ୟା ଚନ୍ଦ୍ର ରୂପ ପୁରୁଷ କୋଳକୁ ତ୍ୟାଗକରି ସୂର୍ଯ୍ୟଙ୍କ ଭାବରେ ମଜ୍ଜିଲେ । (ତେଣୁ ବେଶ୍ୟା ନାମରେ ଅଭିହିତ) । ସ୍ୱଭାବରେ ପଦ୍ମିନୀ ଅସତୀ ଅଟଇ, କାରଣ ସୂର୍ଯ୍ୟ ତାକୁ ପ୍ରଷ୍ଫୁଟିତ କଲେ; ମାତ୍ର ଭ୍ରମର ବିଟପୁରୁଷ ରୂପରେ ତାକୁ ଚୁମ୍ୱନ ଦେଲା । (ପ୍ରଭାତ ହେବାରୁ ପୂର୍ବଦିଗରେ ସୂର୍ଯ୍ୟ ଉଦିତ ହେଲେ, ପଦ୍ମ ଫୁଟିଲା ଓ ତହିଁରେ ଭ୍ରମରମାନେ ଉଡ଼ି ବସିଲେ) ।

୨୨ଶ ପଦ :- ବଳିଭୁକ-କାକ । ସତ୍ୟବାକ-ସତ୍ୟ ବଚନ । ବିବୁଧେ-ଦେବତାମାନେ । ବାୟସ-କାକ ।

୨୨ଶ ପଦ :- କାକମାନେ ସତ୍ୟ ବଚନ ପ୍ରକାଶ କରି ଗାଇ ବୁଲିଲେ, ‘‘ଦେବତାମାନେ ଯେ ବେଶ୍ୟାସକ୍ତ ଅଟନ୍ତି ଏହା ସତ୍ୟ । (ଚନ୍ଦ୍ର ଓ ସୂର୍ଯ୍ୟ ଦିଗ୍‌ବେଶ୍ୟାରେ ଆସକ୍ତ, ଏହା କାକମାନେ ରାବ ଦେଇ କହି ବୁଲିଲେ) । ପୁଣି କାକ ସାହୁ ପ୍ରାୟ ହେଲେ । ତାଙ୍କ ଡାକକୁ ଶୁଣି ପେଚାମାନେ ହୀନ ଖାତକ-ପ୍ରାୟ ବୃକ୍ଷ କ୍ରୋଟରରେ ଲୁଚିଲେ ।

୨୩ଶ ପଦ :- ବିଚକ୍ଷଣା-ବୁଦ୍ଧିମତୀ, ପଣ୍ଡିତା। କୁମୁଦିନୀ-କଇଁଲତା ।

୨୩ଶ ପଦ :- ମୁଁ ଜାଣିପାରୁଛି, କଇଁ ପଣ୍ଡିତା ଅଟେ । ନିଜ କାନ୍ତ ଚନ୍ଦ୍ରର ଉଦୟରେ ସେ ପ୍ରଫୁଲ୍ଲିତ ଓ ଅସ୍ତରେ ମୁଦ୍ରିତ ହୁଏ, ତେଣୁ ସେ ସତୀ । ଭୃଙ୍ଗ କାମୁକପୁରୁଷ ପ୍ରାୟ ହୋଇ ତା’ ପାଖକୁ ଗଲା, ମାତ୍ର ତା’ ଉପରେ ବସିନ ପାରି ବୃଥାରେ ଅପବାଦ ଦେଇ ଝଙ୍କାର କରୁଅଛି ।

୨୪ଶ ପଦ :- ଧୀର ପବନ ବହିବାରୁ ଜଣାଗଲା, ପବନର ଯେ ‘ମନ୍ଦଗତି’ ତାହା ପବନର ମନ୍ଦଗୁଣକୁ ଆଶ୍ରୟ କରିଅଛି । ମନ୍ଦଗୁଣ ବିଶିଷ୍ଟ ପୁରୁଷ ପୁଷ୍ପବତୀ ରମଣୀର ବସନ ହରଣ କଲା ପରି, ମନ୍ଦପବନ ପୁଷ୍ପବତୀ ଲତାରୁ ବାସ (ସୁଗନ୍ଧ) ହରଣ କରି ନେଉଅଛି । ଆଉ ମଧ୍ୟ ଏ ସଂସରରେ ସେ ରଜକ ପ୍ରାୟ ହେଲା । (ରଜକ ପୁଷ୍ପବତୀର ବାସ ନେଇ ସଫା କରେ)। ମୁଁ ବିଚାରୁଛି, ରଜକର ଅନୁସ୍ୱାର ମାତ୍ର ଅଧିକ ଲାଗି ସେ ରଞ୍ଜକ ହୋଇଅଛି, (ତେଣୁ ପୁଷ୍ପ ସୌରଭ ନେଇ ସମସ୍ତଙ୍କ ମନ ରଞ୍ଜନ କରୁଥାଏ ) ।

୨୫ଶ ପଦ :- ବଲ୍ଲୀ-ଲତା । କୁସୁମେ-ପୁଷ୍ପକାଳରେ । ବିନୋଦ-ଆନନ୍ଦ ।

୨୫ଶ ପଦ :- ଲତାଠାରୁ ବଳି କାମୁକୀ ଆଉ କେହି ନାହିଁ, କାରଣ ସେ ପୁଷ୍ପବତୀ ସମୟରେ ମଧ୍ୟ କଳି ଦିଏ ଏବଂ ମଧୁପ ସହିତ ସମ୍ଭୋଗ ବିଧାନ କରେ । ମଧୁପ ସ୍ୱଭାବରେ ମଦ୍ୟପ ଅଟେ । କାମୁକୀ ଲତା ଓ ମଦ୍ୟପ ମଧୁପ ଉଭୟେ ସବୁ ସମୟରେ ପରସ୍ପରର ଅନୁରୂପ ଅଟନ୍ତି ।

 

ବେଶ୍ମେ ଦୀପ ମଳିନ ହେବା ଚାହିଁ

ବାହାରିଲେ କାନ୍ତପାଶୁଁ ବୈଦେହୀ ।

ବାମଦେବାରି ଯେ ରଣେ ହାରିଲା

ବିଜୟ ତା ରଥ କି ଲେଉଟିଲା । ୨୬।

ବିଳମ୍ବିତ ଗତି ଆନ୍ଦୁ ବିହିତେ

ବାରଣ କି ଯୋଚିଥିଲା ଏ ପ୍ରତେ।

ବନ୍ଧୁହୀନେ ପୃଷ୍ଠେଲୋକେ ଚିକୁର

ବୈଜୟନ୍ତୀ ଅଧୋଗତି ପ୍ରକାର । ୨୭।

ବଳା ଅଳ୍ପ ଝୁମୁଝୁମୁ ସ୍ଵନିତ

ବାଜେ ପରାଜୟ ତୂର ଯେମନ୍ତ।

ବିନ୍ଧେ ନୟନଛଳେ ନୀଳୋତ୍ପଳ

ବାମ ଦକ୍ଷିଣେ ଶର କି ଚଞ୍ଚଳ । ୨୮।

ବେଢ଼ିଗଲେ ସଜନୀ ଚାରିପାଶେ

ବିଧାନୀ ସେ ନୋହିଲେ ପରିହାସେ।

ବିଚାରିଲେ ଜାଣିମେ ଗୁରୁଜନ

ବେଶ କଲେ ନୀତି ସାରି ବହନ । ୨୯।

ବସିଥିଲା ଯେ ଓଷ୍ଠେ ରଦପଦ

ବିଦ୍ରୁମରେ ଯେମନ୍ତ କୀଟ ଭେଦ।

ବିଶେଷରେ ତାମ୍ବୁଳ ଭୁଞ୍ଜାଇଲେ

ବିଲୋପକୁ ଯେ ତାର ବିଚାରିଲେ । ୩୦।

 

୨୬ଶ ପଦ :- ବେଶେ-ଘରେ । ବାମଦେବାରି-କନ୍ଦର୍ପ ।

୨୬ଶ ପଦ :- ଗୃହରେ ଦୀପ ମଳିନ ହେବାର ଦେଖି ସୀତା କାନ୍ତ ପାଶରୁ ବାହାରିଲେ । ତାଙ୍କ ମନ୍ଥର ଗତି ଦେଖି ମନେହୁଏ କନ୍ଦର୍ପ ରଣରେ ହାରିଯିବାରୁ ତାହାର ପରାଜିତ ରଥ ମନ୍ଥରଗତି କରି ଲେଉଟିଲାକି ?

୨୭ଶ ପଦ :- ଆନ୍ଦୁ-ହସ୍ତୀର ପାଦବନ୍ଧନ ଶୃଙ୍ଖଳ, ପାଦଭୂଷଣ । ଚିକୁର-କେଶ । ବନ୍ଧୁହୀନେ-ବନ୍ଧନ ରଜ୍ଜୁ ଛିନ୍ନ ହେତୁ ।

୨୭ଶ ପଦ :- ମନ୍ଥରଗତି ହେତୁ ଏପରି ପ୍ରତୀତ ହୁଏ, କନ୍ଦର୍ପ ସେ ରଥରେ ପାଦ ଶାଙ୍କୁଳି ଦେଇ ହସ୍ତିକୁ ବାନ୍ଧିଥିଲା କି ? ପୁଣି ବନ୍ଧନ ଫିଟି ଯାଇଥିବାରୁ କେଶ ପିଠିରେ ଲୋଟୁଛି । ତା ଦେଖି ମନେହୁଏ, କନ୍ଦର୍ପର ପରାଜିତ ପତାକା ଅଧୋଗତି ଲଭିଅଛି କି ? (ପରାଜିତ ହେବାରୁ ପତାକା ଉପରକୁ ନ ଉଡ଼ି ତଳ ଦିଗକୁ ପଡ଼ିଅଛିକି ?)

୨୮ଶ ପଦ :- ତୁର-ବାଦ୍ୟବିଶେଷ, ତୁରୀ । ବଳା-ପାଦାଳଙ୍କାର ବିଶେଷ ।

୨୮ଶ ପଦ :- ପାଦର ବଳା ଅଳ୍ପ ଝୁମୁଝୁମୁ ଶବ୍ଦ କରେ, ସେଥିରୁ ମନେହୁଏ, ପରାଜୟ ହେତୁରୁ ତୁରୀ ମନ୍ଦ ମନ୍ଦ ବାଜୁଅଛି କି ? ସେହି ଗତିବେଳେ ସୀତା ମନର ଚଞ୍ଚଳତା ହେତୁ ଏ ଦିଗ ସେ ଦିଗକୁ ବରମ୍ବାର ଚାହୁଁଥିବାରୁ ମନେ ହୁଏ, କନ୍ଦର୍ପ ନୀଳୋତ୍ପଳ ଶରକୁ ବାମ ଓ ଦକ୍ଷିଣ ଦିଗକୁ ଖରତରେ ବିନ୍ଧୁଅଛିକି ?

୨୯ଶ ପଦ :- ସେହିକାଳରେ ସଖିମାନେ ସୀତାଙ୍କର ଚାରିପାଖରେ ବଢ଼ିଗଲେ, ସେମାନେ ସୀତାଙ୍କ ଅଙ୍ଗରେ କ୍ଷତ ଚିହ୍ନମାନ ଦେଖି ପରିହାସରେ ସମୟ ଅତୀତ କଲେ ନାହିଁ । ବିଳମ୍ୱ ହେଲେ କାଳେ ଗୁରୁଜନମାନେ କ୍ଷତ ଚିହ୍ନମାନ ଦେଖିବେ, ତାହା ଭାବି ସେମାନେ ଶୀଘ୍ର ନିତ୍ୟକର୍ମମାନ ସମାପ୍ତ କରି ସୀତାଙ୍କୁ ବେଶଭୂଷା କଲେ । (ଏହାଦ୍ୱାରା ସଖିମାନଙ୍କର ଚାତୁର୍ଯ୍ୟ ସୂଚିତ ହେଲା)।

୩୦ଶ ପଦ :- ରଦପଦ :- ଦନ୍ତଚିହ୍ନ । ବିଦ୍ରୁମ-ପୋହଳା ।

୩୦ଶ ପଦ :- ପ୍ରବାଳରେ କୀଟର ଦଂଶନ ଜନିତ କ୍ଷତ ଦେଖାଗଲା ପରି ସୀତାଙ୍କ ରକ୍ତିମ ଓଷ୍ଠରେ ଯେଉଁ ଦାଗସବୁ ଦେଖାଯାଉଥିଲା, ତାହାକୁ ଲୋପ କରିବାପାଇଁ ବିଚାରି ସଖିମାନେ ବିଶେଷରୂପେ ତାଙ୍କୁ ପାନ ଭୁଞ୍ଜାଇଲେ ।

 

ବିଧ୍ଵଂସିଲେ ସେ ଚିହ୍ନ ଗଣ୍ଡଦେଶୁଁ

ବିହି ମକରୀ ଚିତ୍ରକ ସନ୍ତୋଷୁ।

ବକ୍ଷୋଜରେ ରାଜିତ ନଖକ୍ଷତ

ବିଧୁ ଅର୍ଦ୍ଧ ଶମ୍ଭୁଶିରେ ଯେମନ୍ତ । ୩୧।

ବେଢ଼ାଇଣ ଚୋଳ ତା ଗୁପ୍ତ କରି

ବିଜେ ବାହାରେ ପୁଂସବର ଚାରି।

ବୋଲେ ଉପଇନ୍ଦ୍ର ଭଞ୍ଜ ଏ ରସ

ବୁଝ ବୁଧମାନେ ପଦ ବତିଶ । ୩୨।

 

୩୧ଶ ପଦ :- ବକ୍ଷୋଜ-ସ୍ତନ । ବିଧୁଅର୍ଦ୍ଧ-ଅର୍ଦ୍ଧଚନ୍ଦ୍ର ।

୩୨ଶ ପଦ :- ଚୋଳ-କାଞ୍ଚଲା। ବୁଧମାନେ-ପଣ୍ଡିତମାନେ।

୩୧ଶ ଓ ୩୨ଶ ପଦ :- ପୁଣି ସେହି ସଖୀମାନେ ସୀତାଙ୍କ ସନ୍ତୋଷ ବର୍ଦ୍ଧନ ନିମିତ୍ତ ମକରୀ ଚିତ୍ର ଲେଖି ତାଙ୍କ ଗଣ୍ଡସ୍ଥଳରେ ହୋଇଥିବା କ୍ଷତ ଚିହ୍ନକୁ ଲୋପ କଲେ । ମହାଦେବଙ୍କ ଶିରରେ ଅର୍ଦ୍ଧଚନ୍ଦ୍ର ଯେପରି ଦେଖାଯାଏ, ସେହିପରି ଦେଖାଯାଉଥିବା ସ୍ତନଯୁଗଳୋପରି ନଖକ୍ଷତ ଚିହ୍ନକୁ କାଞ୍ଚଲା ବେଢ଼ାଇ ଲୁଚାଇ ଦେଲେ । ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏହି ଚାରି ପୁରୁଷଶ୍ରେଷ୍ଠ ବାସର ଗୃହରୁ ଯାଇ ବାହାରେ ବିଜେ କଲେ । ଉପେନ୍ଦ୍ରଭଞ୍ଜ ଏ ରସକୁ ବତ୍ରିଶ ପଦରେ କହିଲେ । ହେ ପଣ୍ଡିତମାନେ ! ତାହା ହୃଦୟଙ୍ଗମ କର ।

 

ଷୋଡ଼ଶ ଛାନ୍ଦ

(ରାଗ-ନଳିନୀ ଗୌଡ଼ା)

 

ବିଦେହରାଜନ ଭୋଜି ସମ୍ଭାର ଭିଆଇ।

ବିଳୋହିଲେ ଦଶରଥ ବନ୍ଧୁବର୍ଗ ନେଇ ଯେ । ୧।

ବସନ ରତ୍ନ ଭୂଷଣ କୁସୁମ ଚନ୍ଦନେ।

ବନ୍ଦିଲେ ସତ୍ଵରେ ଅତି ଆନନ୍ଦିତ ମନେ ଯେ । ୨।

ବସାପୁରେ ବରକନ୍ୟା ଘେନି ଗଲାବେଳେ।

ବସାଇ କୋଳେ ଜନନୀମାନେ ତିଆରିଲେ ଯେ । ୩।

ବୀରସୂ ସନ୍ନିଧେ ହେଉଁ ବଧୂ ଆଲୋକରେ।

ବିରସୁଁ ଉଦ୍ଧରି ହେଲେ ଥିଲେ ଏ ଲୋକରେ ଯେ । ୪।

ବରଙ୍କ ସୁଷମା ସମ କନ୍ୟା ଥିବେ କାହିଁ।

ବିଚାରୁଥିଲାଇଁ ବିହି ଭଲା ଥିଲା ବିହି ଯେ । ୫।

 

୧ମ ପଦ :- ବିଦେହ ରାଜନ ଜନକ ଭୋଜନ ସାମଗ୍ରୀ ଆୟୋଜନ ପୂର୍ବକ ଦଶରଙ୍କ ବନ୍ଧୁମାନଙ୍କୁ ଚର୍ଚ୍ଚା କଲେ ।

୨ୟ ପଦ :- ତଦନନ୍ତର ଆନନ୍ଦିତ ଚିତ୍ତରେ ବନ୍ଧୁମାନଙ୍କୁ ବସନ ଭୂଷଣ କୁସୁମ ଚନ୍ଦନ ଦେଇ ସତ୍କାର କଲେ ।

୩ୟ ପଦ :- ବସାଘରକୁ ବର ଓ କନ୍ୟାମାନଙ୍କୁ ଘେନି ଯିବା ସମୟରେ ଜନନୀମାନେ କନ୍ୟାମାନଙ୍କୁ କୋଳରେ ବସାଇ ବହୁତ ତିଆରି କହିଲେ । ( ବହୁତ ସଦୁପଦେଶ ଦେଲେ )।

୪ର୍ଥ ପଦ :- ବୀରସୂ-ବୀରମାତା।

୪ର୍ଥ ଓ ୫ମ ପଦ :- ବୀରମାତା କୌଶଲ୍ୟାଦି ରାଣୀମାନଙ୍କ ନିକଟରେ ବଧୂମାନେ ପ୍ରବେଶ ହୁଅନ୍ତେ, ବଧୂମାନଙ୍କର ତେଜଶୋଭା ଦେଖି ସେମାନେ ବିରସ ଭାବକୁ ତ୍ୟାଗ କଲେ ଅର୍ଥାତ୍ ହର୍ଷ ହେଲେ । ( ବଧୂମାନଙ୍କୁ ନ ଦେଖି ବିରସ ହୋଇଥିଲେ; କାରଣ ) ସେମାନେ କୁହାକୋହି ହେଲେ, ‘‘ଆମେ ବିଚାରୁ ଥିଲେ ଯେ, ଆମ ପୁତ୍ରମାନଙ୍କ ଶୋଭା ସମାଜରେ କନ୍ୟା କେଉଁଠାରେ ଅବା ଥିବେ ? ମାତ୍ର ବିଧାତା ଉପଯୁକ୍ତ କନ୍ୟାମାନଙ୍କୁ ନିର୍ମାଣ କରିଅଛି ।’’

 

ବର୍ତ୍ତମାନ ଭୂତ ଭବିଷ୍ୟରେ ଶୋଭାସାର ।

ବୋଲିବାର ସମ୍ଭବିଲା ଏହାଙ୍କ ଠାବର ଯେ । ୬।

ବସୁମତୀ ଗର୍ଭୁଁ ଗ୍ରହ ଦୈତ୍ୟ ଜାତ ହୋଇ।

ବିଭୁତି ତା ଗର୍ଭେ ସୀତା ହୋଇଥିଲା କେହି ଯେ । ୭।

ବାରୁଣୀ ବିଷ ଅମୃତ ଯଥା ସିନ୍ଧୁଜାତ ।

ବିଶ୍ଵମ୍ଭରାରୁ ଜାନକୀ ଜନିତ ତେମନ୍ତ ଯେ । ୮।

ବିଧି ଭଲା ବିଧି ଭଲା ଏ ଜାତ ହେବାକୁ।

ବୋଲିଥିଲା ଗନ୍ଧବତୀ ରତ୍ନଗର୍ଭା ତାକୁ ଯେ । ୯।

ବରବର୍ଣ୍ଣିନୀ ବରଙ୍କ ଚଉଠି ଉତ୍ସବ।

ବରବର୍ଣ୍ଣିନୀ କ୍ରୀଡ଼ାକୁ ରଚିଲେ ବାନ୍ଧବ ଯେ । ୧୦।

 

୬ଷ୍ଠ ପଦ :- ବର୍ତ୍ତମାନ, ଭୂତ ଓ ଭବିଷ୍ୟତ-ଏହି ତିନି କାଳରେ ଶୋଭାଶ୍ରେଷ୍ଠା ବା ପରମା ସୁନ୍ଦରୀ ବୋଲିବା କେବଳ ଏହି କନ୍ୟାମାନଙ୍କଠାରେହିଁ ସମ୍ଭବ । (ଅର୍ଥାତ୍ ଏହାଙ୍କ ପରି ସୁନ୍ଦରୀ ବର୍ତ୍ତମାନ କାଳରେ ନାହାନ୍ତି, ଅତୀତରେ ନ ଥିଲେ ବା ଭବିଷ୍ୟତରେ ହୋଇ ନ ପାରନ୍ତି )।

୭ମ ପଦ :- ବସୁମତୀ-ପୃଥିବୀ । ଗ୍ରହ- ମଙ୍ଗଳଗ୍ରହ । ଦୈତ୍ୟ-ନାରକାସୁର । ବିଭୃତି-ପୋଷଣ ବା ଧାରଣ ।

୭ମ ପଦ :- ରାଣୀମାନେ ଭାବିଲେ, ଯେଉଁ ପୃଥିବୀ ଗର୍ଭରୁ (ବିରୂପ) ମଙ୍ଗଳ ଗ୍ରହ ଓ ନାରକାସୁର ଜନ୍ମ ହୋଇଥିଲେ, ସେ ପୃଥିବୀରୁ ଏ ପରମା ସୁନ୍ଦରୀ ସୀତା କିପରି ଜାତ ହେଲେ ?

୮ମ ପଦ :- ବାରୁଣୀ-ମଦ୍ୟ ବିଶେଷ । ବିଶ୍ୱମ୍ଭରୀରୁ-ପୃଥିବୀରୁ ।

୮ମ ପଦ :- ମଦ୍ୟ, ବିଷ ଓ ଅମୃତ ଯେପରି ସମୁଦ୍ରରୁ ଜାତ ହେଲେ, ସେହିପରି ପୃଥିବୀରୁ ସୀତା ଉଦିତ ହୋଇଅଛନ୍ତି । (ସମୁଦ୍ରରୁ ମଦ୍ୟ ଓ ବିଷ ଜାତ ହେଲା ପରେ ଅମୃତ ଉଦ୍ଭବ ହୋଇଥିଲା; ସେହିପରି ପୃଥିବୀରୁ ମଙ୍ଗଳ ଓ ନାରକାସୁର ଜନ୍ମ ହେବା ପରେ ସୀତା ଜନ୍ମ ହେଲେ-ମନ୍ଦ ସ୍ଥାନରେ ଭଲ ରହିବା ଅସମ୍ଭବ ନୁହେଁ ।)

୯ମ ପଦ :- ବିଧାତା ଧନ୍ୟ ଓ ତାହାର ବିଧାନ ମଧ୍ୟ ଧନ୍ୟ । କାରଣ, ସେ ପୃଥିବୀକୁ ଯାହା ଗନ୍ଧବତୀ ଓ ରତ୍ନଗର୍ଭା ନାମ ଦେଇଥିଲେ, ତାହା ଏହି ସୁଗନ୍ଧମୟୀ ସୀତାଙ୍କ ଜନ୍ମ ହେତୁ ସାର୍ଥକ ହୋଇଅଛି ।

୧୦ମ ପଦ :- ବରବର୍ଣ୍ଣିନୀ-ଗୌରାଙ୍ଗୀ କନ୍ୟା । ବରବର୍ଣ୍ଣିନୀ-ହଳଦୀ ଅର୍ଥାତ୍ ହଳଦୀପାଣି ।

୧୦ମ ପଦ :- ଗୌରବର୍ଣ୍ଣ କନ୍ୟା ଓ ବରମାନଙ୍କର ଚଉଠୀ ଉତ୍ସବରେ ବନ୍ଧୁଜନମାନେ ହଇଦ୍ରା କେଳି କଲେ (ଚଉଠୀ ଦିନ ହଳଦୀ ପାଣି ପକାପକି ହେବାର ବିଧି) ।

 

ବନକ ହରିତାଳେ କି ପ୍ରଳୟ ହୋଇଲା।

ବର୍ଣ୍ଣାଞ୍ଜନ ଜନ ହେଲେ ସୁବର୍ଣ୍ଣପିତୁଳା ଯେ । ୧୧।

ବିଶିଖଘରାଦି ବିଧି ପାଇଲେ ପୂର୍ଣ୍ଣକୁ।

ବୋଲାଇଲେ ଅଜସୂତ ପୁର ଗମନକୁ ଯେ । ୧୨।

ବିଭରଣ କରି ଆଣି ବୁହାଇ ଜନକ।

ବଚନୀୟ ନୋହେ ଯେତେ ଦେଲେ ଯଉତୁକ ଯେ । ୧୩।

ବାତାୟୁଲୋମଜ କଉଶେୟ ଜରିବସ୍ତ୍ର ।

ବ୍ରହ୍ମାସ୍ତ୍ର ସମାନ କରି ସମର୍ପିଲେ ଅସ୍ତ୍ର ଯେ । ୧୪।

ବୃଷାହୟ ପରି ହୟଚୟ, କରୀ ତହିଁ।

ବାସବ-ଗଜ-ତନୟ ନୟ ଉପୁଜଇ ଯେ । ୧୫।

 

୧୧ଶ ପଦ :- ବନକ-ରଙ୍ଗ ।

୧୧ଶ ପଦ :- ହଳଦୀ ପାଣିରେ ବନ୍ଧୁବାନ୍ଧବମାନେ ରଞ୍ଜିତ ହେବାରୁ ମନେହୁଏ, ହରିତାଳ ବର୍ଣ୍ଣ ଜଳରେ ପ୍ରଳୟ ହେଲା କି ? ଶ୍ୟାମଳ ବର୍ଣ୍ଣ ବ୍ୟକ୍ତିମାନେ ହଳଦୀ ପାଣିରେ ରଞ୍ଜିତ ହେବାରୁ ସ୍ୱର୍ଣ୍ଣ ପିତୁଳା ପ୍ରାୟ ଦେଖାଗଲେ ।

୧୨ଶ ପଦ :- ଅଜସୁତ-ଦଶରଥ ।

୧୨ଶ ପଦ :- କାଣ୍ଡଘର ଆଦି ବିଧାନସବୁ ସମ୍ପୂର୍ଣ୍ଣ ହେଲା । ତାହାପରେ ଦଶରଥ ଆପଣା ପୁରକୁ ଯିବାପାଇଁ ଜନକଙ୍କ ପାଖକୁ ଖବର ପଠାଇଲେ ।

୧୩ଶ ପଦ :- ଜନକ ରାଜା ପେଟିକା ପ୍ରଭୃତିରେ ପୂର୍ଣ୍ଣ କରି ବୁହାଇ ଆଣି ଯେତେ ଯଉତୁକ ଦେଲେ-ତାହା ଅକଥନୀୟ ( ଅର୍ଥାତ୍ କଥାରେ ବର୍ଣ୍ଣନା କରି ହେବ ନାହିଁ )।

୧୪ଶ ପଦ :- ବାତାୟୁ ଲୋମଜ-ମୃଗ ଲୋମରେ ନିର୍ମିତ । କଉଶେୟ-ପଟ୍ଟବସ୍ତ୍ର ।

୧୪ଶ ପଦ :- ମୃଗରୋମ ଜାତ ସାଲ, ପାଟବସ୍ତ୍ର, ଜରୀବସ୍ତ୍ର ଓ ବ୍ରହ୍ମାସ୍ତ୍ର ସମାନ ଅସ୍ତ୍ର ସବୁ ଯୌତୁକସ୍ୱରୂପ ସମର୍ପଣ କଲେ ।

୧୫ଶ ପଦ :- ବୃଷାହୟ-ଇନ୍ଦ୍ରଙ୍କର ଉଚ୍ଚୈଃଶ୍ରବା ଅଶ୍ୱ । ହୟଚୟ-ଅଶ୍ୱସମୂହ । ବାସବଗଜ ତନୟ-ଇନ୍ଦ୍ରଙ୍କ ଐରାବତ ହସ୍ତୀର ପୁଅ । ନୟ-ସଦୃଶ ।

୧୫ଶ ପଦ :- ଉଚ୍ଚୈଃଶ୍ରବା ପରି ଘୋଟକ, ଐରାବତ ସୁତଙ୍କ ସମାନ ଗଜ ସବୁ ଦେଲେ ।

 

ବାରାଂନିଧି ଶୂନ୍ୟ କଲା ପରି ରତ୍ନ ଦିଏ।

ବେଳବୁଝା ପାରାବତ ଜ୍ୟୋତିର୍ବିଦ ପ୍ରାୟେ ଯେ । ୧୬।

ବିହଙ୍ଗେ ଶୁକ ସରିକା ଶ୍ଳୋକ ପଢ଼ାହୋଇ।

ବିଦ୍ୟାଧରୀ ବିଜିତା ଦାସୀ ତ ଥିଲେ ଦେଇ ଯେ । ୧୭।

ବାହାରିଲେ ଛାଡ଼ି ଯେ ମିଥିଳା ନରେଶ୍ଵର ।

ବିଜୟେ ସୁଖାସନରେ ଚାରି କନ୍ୟା ବର ଯେ । ୧୮।

ବଳ ସାଜି ଗମନ ବାଜନ୍ତେ ବାଦ୍ୟମାନ ।

ବଳପର ଆଦି ଦେବେ କରନ୍ତି ଲୋକନ ଯେ। ୧୯।

ବିଶାଳ ଭୂପାଳ ମେଳ ହୋଇଲେ ପଥର।

ବଂଶେ ମିତ୍ରର ଯେ ଜାତ କେ ହୋଇବ ପର ଯେ । ୨୦।

 

୧୬ଶ ପଦ :- ବାରାଂନିଧି-ସମୁଦ୍ର।

୧୬ଶ ପଦ :- ସମୁଦ୍ର ଶୂନ୍ୟ କଲାପରି ରତ୍ନସବୁ (ଅପରିମିତ ରତ୍ନ) ପୁଣି ଜ୍ୟୋତିର୍ବିଦସମ କାଳଜ୍ଞ ପାରାମାନଙ୍କୁ ପ୍ରଦାନ କଲେ ।

୧୭ଶ ପଦ :- ଶ୍ଲୋକପଢ଼ୁଥିବା ଶୁକ ସାରିକା ପକ୍ଷୀମାନଙ୍କୁ ଦେଲେ ଏବଂ ତତ୍‌ପୂର୍ବରୁ ବିଦ୍ୟାଧରୀଙ୍କ ଅପେକ୍ଷା ବେଶୀ ସୁନ୍ଦରୀ ଦାସୀ ଦେଇଥିଲେ ।

୧୮ଶ ପଦ :- ସୁଖାସନ-ଯାନ, ଏଠାରେ ପାଲିଙ୍କି ।

୧୮ଶ ପଦ :- ଦଶରଥ ଅନୁକୂଳ କରିବାରୁ ମିଥିଳାରାଜ ଜନକ ତାଙ୍କୁ ବଳାଇ ଦେବାକୁ ବାହାରିଲେ । ଚାରି ବର ଓ କନ୍ୟା ପାଲିଙ୍କି ଓ ଶିବିକାରୂପ ସୁଖାସନରେ ବିଜେ କଲେ ।

୧୯ଶ ପଦ :- ବଳ-ସୈନ୍ୟ। ବଳପର-ଇନ୍ଦ୍ର।

୧୯ଶ ପଦ :- ଦଶରଥ ସୈନ୍ୟମାନଙ୍କୁ ସଜ କରି ବାଦ୍ୟ ବଜାଇ ଗମନ କରନ୍ତେ, ଇନ୍ଦ୍ର ଆଦି ଦେବତାମାନେ ଶୂନ୍ୟରେ ରହି ତାହା ଦେଖିଲେ ।

୨୦ଶ ପଦ :- ଭୂପାଳ-ରାଜା । ମିତ୍ର-ସୂର୍ଯ୍ୟ । ପର-ଶତ୍ରୁ ।

୨୦ଶ ପଦ :- ବଡ଼ବଡ଼ ରାଜାମାନଙ୍କର ବାଟରେ ଭେଟ ହେଲା । ଯେଉଁ ଦଶରଥ ସୂର୍ଯ୍ୟ ବଂଶରେ ଜାତ, ତାଙ୍କର ଶତ୍ରୁ ବା କିଏ ହେବ ? (ଅର୍ଥାତ୍ ବଡ଼ ବଡ଼ ରାମାମାନେ ତାଙ୍କର ଅଧୀନ ଥିବାରୁ ବାଟରେ ଆସି ଯୋଗ ଦେଇଥିଲେ ) ।

 

ବୀରବାହୁ ଭୃଗୁପତି ତ୍ରାସ ଦେବାପାଇଁ।

ବାସ କଲା ଗିରି ଭୃଗୁ ଚମକନ୍ତେ ତହିଁ ଯେ । ୨୧।

ବୀତିହୋତ୍ର ପରାୟେ ସ୍ଵଭାବେ ତେଜୋବନ୍ତ ।

ବୀରତୂର ଘୃତାହୁତି ଲାଗି ପ୍ରଜ୍ଜ୍ଵଳିତ ଯେ । ୨୨।

ବିଦିତ କାଷ୍ଠାବଳିରେ ଲାଗି ପାଶୁ ବର୍ଷେ।

ବ୍ୟାକୁଳିତ ଦଶରଥ ହେଲେ ସେହି ତ୍ରାସେ ଯେ । ୨୩।

ବୋଇଲେ ପ୍ରଚଣ୍ଡ ନଳ ଆସୁଅଛି ଜଳି।

ବୁଦ୍ଧି ନ ଦିଶେ କୁମରେ ହେଲେ ତୃଣାବଳି ଯେ । ୨୪।

ବିଶ୍ଵାମିତ୍ର ଶ୍ରବଣରେ କଲେ ପ୍ରତିଭାଷ ।

ବିନାଶ ତହିଁ ଉତ୍ପତ୍ତି ଯହିଁରୁ ନ ଘୋଷ ଯେ । ୨୫।

 

୨୧ଶ ପଦ :- ରାହୁ ତୁଲ୍ୟ ବୀର ( କ୍ଷତ୍ରୀୟ ଚନ୍ଦ୍ରମାନଙ୍କର ଗ୍ରାସକାରୀ ) ପର୍ଶୁରାମଙ୍କ ନିବାସ ପର୍ବତର ସନ୍ନିକଟ ବାଦ୍ୟ ନାଦରେ ଚମକନ୍ତେ, ସେ କ୍ଷତ୍ରିୟମାନଙ୍କୁ ତ୍ରାସ ଦେବା ପାଇଁ ବାହାର ହୋଇପଡ଼ିଲେ ।

୨୨ଶ ପଦ :- ବୀତିହୋତ୍ର-ଅଗ୍ନି ।

୨୨ଶ ପଦ :- ସ୍ୱଭାବରେ ସେ ପର୍ଶୁରାମ ଅଗ୍ନି ପ୍ରାୟ ତେଜସ୍ୱୀ ଅଟନ୍ତି । ବୀରବାଦ୍ୟ ରୂପ ଘୃତାହୁତି ପାଇ ପ୍ରଜ୍ଜ୍ୱଳିତ ହୋଇ ଉଠିଲେ । (ବୀରମାନେ ବୀରବାଦ୍ୟ ଶ୍ରବଣରେ ଉଲ୍ଲସିତ ହୁଅନ୍ତି)।

୨୩ଶ ପଦ :- କାଷ୍ଠାବଳିରେ-ଦିଗମାନଙ୍କରେ, କାଠରେ ।

୨୩ଶ ପଦ :- କାଠ ପୋଡ଼ିଗଲା ପରେ ପାଉଁଶ ଉଡ଼ି ଦିଗ ଆଚ୍ଛାଦନ କଲାପରି ପର୍ଶୁରାମଙ୍କର କ୍ରୋଧୋନ୍ମତ୍ତ ଆଗମନରେ ଧୂଳିଉଡ଼ି ଦିଗସବୁ ଢାଙ୍କି ହୋଇଗଲା । ସେହି ଭୟରେ ଦଶରଥ ବ୍ୟାକୁଳିତ ହେଲେ ।

୨୪ଶ ପଦ :- ଭୟ ପାଇ ଦଶରଥ କହିଲେ, ‘‘ପ୍ରଚଣ୍ଡ ଅଗ୍ନି ଜଳି ଆସୁଅଛି, ମୋତେ ବୁଦ୍ଧି ଦିଶୁନାହିଁ । ମୋର ପୁତ୍ରେ ତୃଣ ପରି ହୋଇ ଅଛନ୍ତି । ଅର୍ଥାତ୍ ତୃଣ ପ୍ରାୟ ସେ ପ୍ରଚଣ୍ଡ ଅଗ୍ନିରେ ପୋଡ଼ି ହୋଇଯିବେ )।

୨୫ଶ ପଦ :- ବିଶ୍ୱାମିତ୍ର ଦଶରଥଙ୍କ ବ୍ୟାକୁଳ ବଚନ ଶୁଣି ପ୍ରତ୍ୟୁତ୍ତର କଲେ, ‘‘ଯହିଁରୁ ଯେ ଉତ୍ପନ, ତହିଁରେ ତା’ର ବିନାଶ ହୁଏ । ଏ କଥା ବିଚାର କରୁନାହଁ କାହିଁକି ? (ଅଗ୍ନି ଜଳରୁ ଉତ୍ପନ୍ନ ହୋଇ ପୁଣି ସେହି ଜଳରେ ବିନାଶ ହୁଏ) ।

 

ବ୍ୟୋମ ଅଯୋଧ୍ୟାରେ ଉଦେ ମୁଦିର ସୁନ୍ଦର।

ବହ୍ନି ତପନ କେମନ୍ତେ ରହିବ ତାହାର ଯେ । ୨୬।

ବାମଦେବ ବୋଇଲେ କରିଛି ତୋତେ ରକ୍ଷା ।

ବାଞ୍ଛି ପୁତ୍ରଙ୍କ କଲ୍ୟାଣେ ଆସୁଅଛି ଦକ୍ଷା ଯେ । ୨୭।

ବଶିଷ୍ଠ ବୋଇଲେ ଗ୍ରହ ମଙ୍ଗଳ ବୋଲାଇ।

ବିନା ଦାନେ ଶାନ୍ତି ନୋହେ ଅମଙ୍ଗଳଦାୟୀ ଯେ । ୨୮।

ବୀରଶାର୍ଦ୍ଦୂଳ ଲୋକନେ ଭାଜେ ସୈନ୍ୟମୃଗ ।

ବିନୟୀ ହେଲେ ନୃପତି ଅତ୍ୟନ୍ତ ଉଦ୍‌ବେଗ ଯେ । ୨୯।

ବୃଦ୍ଧକାଳେପୁତ୍ରଦାନ କଲେ ଋଷ୍ୟଶୃଙ୍ଗ ।

ବିବାହ ଉତ୍ସବ କରି ବାହୁଡୁଛି ନଗ୍ର ଯେ । ୩୦।

 

୨୬ଶ ପଦ :- ବ୍ୟୋମ-ଆକାଶ । ମୁଦିର-ମେଘ । ବହ୍ନିତପନ-ଅଗ୍ନିତେଜ ।

୨୬ଶ ପତ :- ‘‘ଅଯୋଧ୍ୟା ଆକାଶରେ ଘନସୁନ୍ଦର ରାମ ଉଦିତ ହୋଇ ଅଛନ୍ତି । ଅଗ୍ନିତ ମେଘର ଶତ୍ରୁ, ସେ କିପରି ରହିବ ? ( ପର୍ଶୁରାମଙ୍କ କ୍ରୋଧରୂପ ଅନଳ ରାମଚନ୍ଦ୍ରରୂପ ମେଘଦ୍ୱାରା ବିଲୁପ୍ତ ହେବ )।

୨୭ଶ ପଦ :- ତତ୍ପରେ ବାମଦେବ କହିଲେ, ‘‘ପର୍ଶୁରାମ ପୂର୍ବେ ତୁମ୍ଭଙ୍କୁ ରକ୍ଷା କରିଅଛନ୍ତି-। ସେ କଲ୍ୟାଣ କରିବାରେ ଦକ୍ଷ, ତେଣୁ ତୁମ୍ଭ ପୁତ୍ରମାନଙ୍କୁ କଲ୍ୟାଣ କରିବା ଇଚ୍ଛାରେ ଆସୁଅଛନ୍ତି । (ତେଣୁ ଭୟ କରିବା ଉଚିତ ନୁହେଁ) ।

୨୮ଶ ପଦ :- ବଶିଷ୍ଠ ତାହାପରେ କହିଲେ, ‘‘ମଙ୍ଗଳ ଗ୍ରହ ମଙ୍ଗଳ ନାମ ବୋଲାଇଲେ ସୁଦ୍ଧା ଅମଙ୍ଗଳକୁ ପ୍ରଦାନ କରେ । ଦାନାଦିଦ୍ୱାରା ତାହାର ଅମଙ୍ଗଳ ନିବାରିତ ହୋଇଥାଏ । ସେହିପରି ପର୍ଶୁରାମଙ୍କ ତେଜ ଅଶାନ୍ତିକାରକ, ତାହା ‘ଦାନ’ ଛେଦନ ନ ହେଲେ ସେ ଶାନ୍ତି ଲଭିବେ ନାହିଁ ।

୨୯ଶ ପଦ :- ବୀରଶାର୍ଦ୍ଦୂଳ-ବୀରଶ୍ରେଷ୍ଠ ।

୨୯ଶ ପଦ :- ବୀର ଶାର୍ଦ୍ଦୂଳ ପର୍ଶୁରାମଙ୍କୁ ଦର୍ଶନ କରି ସୈନ୍ୟ ମୃଗମାନେ ପଳାୟନ କଲେ । ତାହା ଦେଖି ନୃପତି ଦଶରଥ ଅତ୍ୟନ୍ତ ବ୍ୟାକୁଳ ମନରେ ପର୍ଶୁରାମଙ୍କ ନିକଟରେ ବିନୟଯୁକ୍ତ ହେଲେ ।

୩୦ଶ ପଦ :- ଦଶରଥ ବିନୟ ଭାବରେ କହିଲେ, ‘‘ବୃଦ୍ଧ କାଳରେ ଋଷ୍ୟଶୃଙ୍ଗ ମୁନି ଦୟାପୂର୍ବକ ପୁତ୍ରଦାନ କରି ଅଛନ୍ତି । ତାହାଙ୍କର ବିବାହ ଉତ୍ସବ କରି ମୁଁ ଏବେ ନଗ୍ରକୁ ଫେରି ଯାଉଅଛି ।’’

 

ବିଜେ କଲ କୃପାରେ ଏଠାକୁ ଭୃଗୁରାଜ ।

ବୃଦ୍ଧି ହେବ ଆୟୁ ତାଙ୍କୁ ଦିଅ ପାଦରଜ ହେ । ୩୧।

ବିଷ୍ଣୁର ଆବେଶ ଅବତାର ହୋଇ ତବ।

ବିଜ୍ଜ୍ଵଳିତ କୋପେ ଭକ୍ତ ଭକ୍ତି ନ ଘେନିବ ହେ । ୩୨।

ବୋଲୁଁ ବୋଲେ ଯେଉଁ ରାମ ବଡାଇ ପ୍ରକଟେ।

ବୀରବାଦ୍ୟ ବଜାଇ ଯାଉଛି ମୋ ନିକଟେ ଯେ । ୩୩।

ବିଶ୍ଵେ ନ ଜାଣେ କ୍ଷତ୍ରିୟବିମର୍ଦ୍ଦନବାନା ।

ବସୁଧାରେ ତାର ଶିର ଲୋଟାଇବି ସିନା ଯେ । ୩୪।

ବୋଲେ ନୃପ କ୍ଷୀରକଣ୍ଠ ମାରି କେଉଁ ଯଶ।

ବିକ୍ରମିଣ ଗଲା ସେ ନ ଶୁଣି ରାଜା ଭାଷ ଯେ । ୩୫।

 

୩୧ଶ ପଦ :- ହେ ଭୃଗୁବଂଶ, ଶ୍ରେଷ୍ଠ ! ଅନୁଗ୍ରହ ପୂର୍ବକ ତୁମ୍ଭେ ଏଠାକୁ ବିଜେ କଲ । ପୁତ୍ରମାନଙ୍କର ଆୟୁ ବୃଦ୍ଧିକାରଣ ସେମାନଙ୍କୁ ପଦଧୂଳି ପ୍ରଦାନ କର ।’’

୩୨ଶ ପଦ :- ‘‘ତୁମ୍ଭେ ବିଷ୍ଣୁଙ୍କର କଳାବତାର ଅଟ । କ୍ରୋଧାଗ୍ନିରେ ପ୍ରଜ୍ଜ୍ୱଳିତ ହୋଇ ଭକ୍ତର ଭକ୍ତି ଗ୍ରହଣ କରିବ ନାହିଁ କି ?’’

୩୩ଶ ଓ ୩୪ଶ ପଦ :- ଦଶରଥ ଏପରି ବିନୟ ବାଣୀ କହିବାରୁ ପର୍ଶୁରାମ କହିଲେ, ‘‘ଯେଉଁ ରାମ ବଡ଼ାଇ ପ୍ରକଟ କରି ବୀରବାଦ୍ୟ ବଜାଇ ମୋ ନିକଟରେ ଯାଉଅଛି, ସେ କ’ଣ ସଂସାରରେ ମୋହର କ୍ଷତ୍ରିୟ ବିମର୍ଦ୍ଦନ ବାନା ଉଡ଼ୁଛି ବୋଲି ଜାଣେନାହିଁ ? ତାହାର ଶିର ଆଜି ବସୁଧାରେ ଲୋଟାଇ ଦେବି । (ତାହାର ମସ୍ତକ ଛେଦନ କରିବ ) ।

୩୫ଶ ପଦ :- ଏହା ଶୁଣି ଦଶରଥ କହିଲେ, ଏ କ୍ଷୀରକଣ୍ଠ ଶିଶୁଙ୍କୁ ମାରି କେଉଁ ଯଶ ଲାଭ କରିବ ?’’ ରାଜାଙ୍କର ଏ ବାଣୀ ନ ଶୁଣି ପର୍ଶୁରାମ ବିକ୍ରମ ପ୍ରକାଶ କରି ରାମଙ୍କ ନିକଟକୁ ଗଲେ ।

 

ବକ୍ତା ଲକ୍ଷ୍ମଣ କାହାକୁ ପଚାରିଲେ ପ୍ରାୟେ।

ବାଚାଳେ କାହୁ ପ୍ରବେଶ ଆମ୍ଭ ସୈନ୍ୟେ ହୁଏ ଯେ । ୩୬।

ବ୍ୟାଳେ ଲୋଷ୍ଟ୍ର ପ୍ରହାରିଲା ପ୍ରାୟେ ରହି କହି।

ବିଷକଣ୍ଠେ କ୍ଷୀରକଣ୍ଠ ବୋଲୁଥିଲା କେହି ଯେ । ୩୭।

ବିଷକଣ୍ଠ ଯେବେ ତବ ଗୁରୁ ହେବା, ସ୍ତବ।

ବିରଚି କି ଆସିଅଛ କହୁଁ କହେ ଜବ ଯେ । ୩୮।

ବଂଶଧନୁ କୀଟଭେଦ ଥୋଉଁ ଥିଲା ହୋଇ।

ବିଭଞ୍ଜନେ ତାହା ମହାବୀର ଯେ ବୋଲାଇ ଯେ । ୩୯।

ବଧ ଆଗ ତାକୁ ବିଚାରିବା ପଛେ ତୁହି ।

ବୋଲେ ଅନ୍ଧମତେ ଚନ୍ଦ୍ର ସୂର୍ଯ୍ୟ ଯଥା ନାହିଁ ଯେ । ୪୦।

 

୩୬ଶ ପଦ :- ଗର୍ବୋନ୍ମତ୍ତ ଓ କ୍ରୁଦ୍ଧ ପର୍ଶୁରାମଙ୍କୁ ଦେଖି ଲକ୍ଷ୍ମଣ ଅନ୍ୟ କାହାକୁ ପଚାରିଲା ପ୍ରାୟ କହିଲେ, ‘‘ପାଗଳଟିଏ କାହୁଁ ଆସି ଆମ୍ଭ ସୈନ୍ୟ ମଧ୍ୟରେ ପ୍ରବେଶ କଲା ?’’

୩୭ଶ ପଦ :- ବ୍ୟାଳ-ସର୍ପ । ଲୋଷ୍ଟ୍ର-ଟେକା । ବିଷକଣ୍ଠ-ସର୍ପ। କ୍ଷୀରକଣ୍ଠ-ଶିଶୁ ।

୩୭ଶ ପଦ :- ଲକ୍ଷ୍ମଣଙ୍କ ଉପହାସ ବଚନ ଶୁଣି ସର୍ପକୁ ଟେକା ପକାଇଲା ପ୍ରାୟ ପର୍ଶୁରାମ ଗର୍ଜନ କରି କହିଲେ, ‘‘ଏମାନେ ତ ବିଷକଣ୍ଠ (ସର୍ପ) ଅଟନ୍ତି, କିଏ ଏହାଙ୍କୁ କ୍ଷୀରକଣ୍ଠ ବୋଲି କହୁଥିଲା ?’’

୩୮ଶ ପଦ :- ଲକ୍ଷ୍ମଣ ଉତ୍ତର ଦେଲେ, ‘‘ଯେବେ ଆମ୍ଭଙ୍କୁ ବିଷକଣ୍ଠ ବୋଲି କହୁଛ (ବିଷକଣ୍ଠ ତ ମହାଦେବ) ତୁମ୍ଭର ଆମ୍ଭେ ଗୁରୁ ହେଲୁଁ । ତେଣୁ ସ୍ତୁତି କରିବାକୁ ଆସିଅଛକି ?’’ ଏହା ଶୁଣି ପର୍ଶୁରାମ ବେଗରେ କହିଲେ;

୩୯ଶ ଓ ୪୦ଶ ପଦ :- ‘‘ବହୁଦିନୁ ଥୁଆହୋଇ ରହିଥିବାରୁ ବାଉଁଶର ଧନୁ ପୋକରା ହୋଇଥିଲା । ତାହାକୁ ଭାଙ୍ଗି ଯେ ମହାବୀର ବୋଲାଉଛି, ତାହାକୁ ଆଗ ବଧ କରିବା, ତୁହି ପରେ ବଧ ହେବୁ ।’’ ଏହା ଶ୍ରବଣ କରି ଲକ୍ଷ୍ମଣ କହିଲେ, ‘‘ଅନ୍ଧ ଯେପରି ମନେକରେ ଚନ୍ଦ୍ର, ସୂର୍ଯ୍ୟ ନାହାନ୍ତି, ସେହିପରି ତୁମ୍ଭେ ଭାବୁଛ ଯେ, ଆଉ ବଳିଷ୍ଠ କେହି ନାହାନ୍ତି ।’’ (ଯେପରି ଅନ୍ଧ ନ ଜାଣିଲେ ସୁଦ୍ଧା ଚନ୍ଦ୍ର ସୂର୍ଯ୍ୟ ଅଛନ୍ତି, ସେହିପରି ତୁମ୍ଭେ ଜାଣି ନ ପାରିଲେହେଁ ବଳିଷ୍ଠ ବୀରମାନେ ଅଛନ୍ତି )।

 

ବିଭ୍ରାଜି ପରଶୁରାମ ଶ୍ରୀରାମ ଭେଟିଲା।

ବିବାଦୀ ତାହାଙ୍କୁ ସେହି ସେକାଳେ ଘୋଟିଲା ଯେ । ୪୧।

ବିଷମ ସମସ୍ୟା ଦେବା ପୂରଣ ଏଠାରେ।

ବିଦିତ ଖଣ୍ଡେନ୍ଦୁ କିବା ପୂର୍ଣ୍ଣେନ୍ଦୁ ଅଗରେ ଯେ । ୪୨।

ବିଧୁ ଅବତାର ଦୁହିଁଙ୍କର ସେହିପରି।

ବିନ୍ୟସ୍ତ ଦ୍ଵିତୀୟା ଆଗେ ପଛେ ରାକା କରି ଯେ । ୪୩।

ବୋଇଲେ ରଘୁନନ୍ଦନ ଆହେ ବିପ୍ରବର ।

ବାହୁଜ ବୃତ୍ତିରେ କିପାଁ ଅଇଲ ଏଠାର ଯେ । ୪୪।

ବ୍ୟାଜ ଏ ଶବର ପ୍ରାୟେ କୁଠାରେ ତ ବହ।

ବୃତ୍ତି କରିଛ ସମିଧ ବିକ୍ରୟ କି କହ ହେ ? ୪୫।

 

୪୧ଶ ପଦ :- ଦୀପ୍ତିମନ୍ତ ହୋଇ ପର୍ଶୁରାମ ଶ୍ରୀରାମଙ୍କୁ ଭେଟିଲେ । ସେ ସମୟରେ ସେହି ଏକା ତାହାଙ୍କର ବିବାଦୀ ହେବାର ଦେଖାଗଲା । (ବିଷ୍ଣୁ ବିଷ୍ଣୁଙ୍କର ବିବାଦୀ ହେଲେ )।

୪୨ଶ ପଦ :- ଏଠାରେ ବିଷମ ସମସ୍ୟା ପୂରଣ ହେଲା । ପୂର୍ଣ୍ଣଚନ୍ଦ୍ର ଆଗରେ ଖଣ୍ଡଚନ୍ଦ୍ର ପ୍ରକାଶିତ ହେଲାକି? (ରାମଚନ୍ଦ୍ର ପୂର୍ଣ୍ଣାବତାର ଓ ପର୍ଶୁରାମ ଅଂଶାବତାର; ତେଣୁ ରାମଚନ୍ଦ୍ର ପୂର୍ଣ୍ଣଚନ୍ଦ୍ର ଓ ପର୍ଶୁରାମ ଖଣ୍ଡଚନ୍ଦ୍ର ) ।

୪୩ଶ ପଦ :- ବିଧୁ-ଚନ୍ଦ୍ର, ବିଷ୍ଣୁ । ରାକା-ପୂର୍ଣ୍ଣିମାତିଥି ।

୪୩ଶ ପଦ :- ବିଷ୍ଣୁ ଓ ଚନ୍ଦ୍ର ଦୁହିଁଙ୍କର ଅବତାର ଏକାପରି ହୋଇଅଛି । ଆଗ ଦ୍ୱିତୀୟାଚନ୍ଦ୍ର ଦେଖା ଦେଇ ପରେ ପୂର୍ଣ୍ଣଚନ୍ଦ୍ର ପ୍ରକାଶିତ ହେଲାପରି ଆଗ ଅଂଶାବତାର ପର୍ଶୁରାମ ଜାତ ପରେ ପୂର୍ଣ୍ଣାବତାର ରାମଚନ୍ଦ୍ର ଜନ୍ମ ଗ୍ରହଣ କଲେ ।

୪୪ଶ ପଦ :- ବାହୁଜ-କ୍ଷତ୍ରିୟ ।

୪୪ଶ ପଦ :- ପର୍ଶୁରାମଙ୍କୁ ସମ୍ମୁଖରେ ଦେଖି ରାମଚନ୍ଦ୍ର କହିଲେ, ‘‘ଆହେ ଦ୍ୱିଜଶ୍ରେଷ୍ଠ ! କ୍ଷତ୍ରୀୟ ରୂପରେ କାହିଁକି ଏଠାକୁ ଆସିଲ ?’’ (ଅର୍ଥାତ୍ ତୁମ୍ଭେ ତ କ୍ଷତ୍ରୀୟ ନୁହଁ) ।

୪୫ଶ ପଦ :- ବ୍ୟାଜ-ଛଳ, କପଟ । ସମିଧ-କାଠ ।

୪୫ଶ ପଦ :- ପର୍ଶୁରାମ କୁଠାର ଧରିଥିବାର ଦେଖି ବକ୍ରୋକ୍ତି କରି ରାମ କହିଲେ, ‘‘ତୁମ୍ଭର କ୍ଷତ୍ରୀୟ ବୃତ୍ତି ମଧ୍ୟ ଛଳପୂର୍ଣ୍ଣ । ତୁମ୍ଭେ ଶବର ପ୍ରାୟ କୁରାଢ଼ୀ ଗୋଟାଏ ତ ବହିଅଛ । ହୋମକାଷ୍ଠ ବିକ୍ରୟ କରି ଜୀବିକା ଚଳାଅ କି? ସତକଥା କହ ।’’

 

ବିଷ୍ଟର କରକ ପାତ୍ରୀ ବହିବାକୁ ଦେବା।

ବ୍ରହ୍ମଣ୍ୟ ! ଆମ୍ଭେ ତୁମ୍ଭଙ୍କୁ ପୂଜନ କରିବା ହେ । ୪୬।

ବାଲ୍ମୀକି ଖଣ୍ଟ ବୃତ୍ତିକି ଆଶ୍ରେ କରିଥିଲେ।

ବନ୍ଦ୍ୟ ଜଗତେ ସେ ସାଧୁ ଦର୍ଶନେ ହୋଇଲେ ଯେ । ୪୭।

ବିଚାରି ଏମନ୍ତ ଆସିଥିଲେ ଭଲ କଥା।

ବ୍ୟଥା ଲଭି ରୈଣୁକେୟ ବୋଇଲେ ଏ ବୃଥା ଯେ । ୪୮।

ବନେ ପଶି ସ୍ତିରୀଏ ତାଡ଼କି ନାମେ ହାଣି।

ବହୁତ କାଳରୁ ଥୁଆ ଧନୁ ଭାଙ୍ଗି ପୁଣି ଯେ । ୪୯।

ବୀରଧୁ ପ୍ରକାଶି ଅଛୁ ମୋର ଧନୁ ଧର।

ବିଗ୍ରହ କି ଆରମ୍ଭିବା ଦାଶରଥିଠାର ଯେ । ୫୦।

 

୪୬ଶ ପଦ :- ବିଷ୍ଟର-କୁଶାସନ । କରକ-କମଣ୍ଡଳୁ ।

୪୬ଶ ପଦ :- ‘‘ହେ ବ୍ରହ୍ମନ୍‌ ! ଆମ୍ଭେ ତୁମ୍ଭଙ୍କୁ କୁଶ, କମଣ୍ଡଳୁ, ତମ୍ବାପାତ୍ରୀ ବହନ କରିବାକୁ ଦେବା; ତୁମ୍ଭେ ଏ କୁରାଢ଼ୀ ବହିବା ଛାଡ଼ି । ଆମ୍ଭେ ତୁମ୍ଭଙ୍କୁ ବ୍ରାହ୍ମଣରୂପେ ପୂଜା କରିବା ।’’

୪୭ଶ ପଦ :- ବନ୍ଦ୍ୟ-ପୂଜ୍ୟ।

୪୮ଶ ପଦ :- ରୈଣୁକେୟ-ପରଶୁରାମ ।

୪୭ଶ ଓ ୪୮ଶ ପଦ :- ‘‘ପୂର୍ବେ ବାଲ୍ମୀକି ଖଣ୍ଟ ବୃତ୍ତିକି ଆଶ୍ରୟ କରିଥିଲେ । ସେ ପରେ ସାଧୁଙ୍କ ଦର୍ଶନରେ ସଂସାରରେ ପୂଜନୀୟ ହେଲେ । ତୁମ୍ଭେ ଯଦି ସେହିପରି ଆଶା କରି ଅର୍ଥାତ୍ ଆମ୍ଭ ଦର୍ଶନରେ ପୂଜନୀୟ ହେବ ବୋଲି ଇଚ୍ଛା କରି ଆସିଥାଅ, ତେବେ ଭଲ କଥା ।’’ ରାମଙ୍କର ଏ ବକ୍ରୋକ୍ତି ଶୁଣି ରେଣୁକା ପୁତ୍ର ପର୍ଶୁରାମ ଦୁଃଖ ଲଭି କହିଲେ, ‘‘ଏ ସବୁ ବୃଥା କଥା ।’’

୪୯ ଓ ୫୦ଶ ପଦ :- ‘‘ବନରେ ପଶି ତାଡ଼କା ନାମକ ଗୋଟାଏ ସ୍ତ୍ରୀକୁ ହାଣି, ପୁଣି ବହୁଦିନୁ ଥୁଆ ହୋଇଥିବା ପୋକଖିଆ ଓ ଅସାର ଧନୁ ଭାଙ୍ଗି ବୀରପଣିଆ ପ୍ରକାଶ କରୁଅଛୁ । ଏବେ ମୋର ଧନୁକୁ ଧାରଣ କର । ତୁ ତ ଦଶରଥର ପୁତ୍ର; ତୋ ସହିତ ବା କ’ଣ କଳହ ଆରମ୍ଭ କରିବା ? (ମୋର ଦିଗ୍‌ବିଜୟ ସମୟରେ ଦଶରଥ ରାଣୀମାନଙ୍କ ପଣତ ଉହାଡ଼ରେ ଲୁଚିଥିଲେ, ମୁଁ ତାଙ୍କୁ ଖାତିରି କରେନାହିଁ, ତୁ ତ ତାଙ୍କ ପୁଅ, ତୋତେ ବା ପଚାରେ କିଏ ? )

ଅନ୍ୟର୍ଥ :- ତୁ ତ ଦାସରଥି ଅର୍ଥାତ୍ କୈବର୍ତ୍ତଶ୍ରେଷ୍ଠ, ତୋ ସହିତ ବିବାଦ କରିବା ଅଶୋଭନୀୟ ।

 

ବାମକର ବଢ଼ାଇଲେ ରାମ ଶୁଣିକରି ।

ବଢ଼ାଇ ଦେଉଁ ସେ ଧନୁ ବିଷ୍ଣୁ ତେଜ ହରି ଯେ । ୫୧।

ବିମନା ଜାନକୀ ଯେ ସପତ୍ନୀ ଭୟ ଗୁଣି।

ବିଭଞ୍ଜାଇ ଋଷି ଏତ ପୁଣି ଚାପେ ଆଣି ଯେ । ୫୨।

ବୋଧିଲେ ବଲ୍ଲଭୀ କାନ୍ତ କର୍ଣ୍ଣପାଶେ କହି।

ବଳ କଷେ ବିବାହକାର୍ଯ୍ୟ ଏ ନୋହେ ସହି ଗୋ । ୫୩।

ବସିବାଠାବରେ ଗୁଣ ଦେଇ ସନ୍ଧି ଶର।

ବିନ୍ଧିବା କାହିଁକି ବୋଲି ପଚାରିଲେ ବୀର ଯେ । ୫୪।

ବୋଲେ ପରଶୁରାମ ମୋ ପାପଭାର ଛେଦ।

ବିଚ୍ଛେଦିଲେ ରାମଚନ୍ଦ୍ର ସେ ହେଲେ ପ୍ରମୋଦ ଯେ । ୫୫

 

୫୧ଶ ପଦ :- ରାମ ପର୍ଶୁରାମଙ୍କ ବଚନ ଶୁଣି ବାମକର ବଢ଼ାଇଲେ । ପର୍ଶୁରାମ ଧନୁ ବଢ଼ାଇ ଦେବାରୁ ସେ ଧନୁ ସହିତ ତାଙ୍କର ବିଷ୍ଣୁ ତେଜକୁ ହରଣ କରି ନେଲେ ।

୫୨ଶ ପଦ :- ଏହା ଦେଖି ଜାନକୀ ତାଙ୍କର ଆଉ ଏକ ସଉତୁଣୀ ହେବା ଆଶଙ୍କାରେ ଦୁଃଖିତ ହୋଇ ଭାବିଲେ, ‘ଜନକ ଋଷିଙ୍କର ଗୋଟିଏ ଧନୁ ଭାଙ୍ଗି ରାମଚନ୍ଦ୍ର ମୋତେ ବିଭା କଲେ । ପୁଣି ଆଉ ଏବଂ ଋଷି ଗୋଟିଏ ଧନୁ ଆଣି ଭଙ୍ଗାଉ ଅଛନ୍ତି, ତାଙ୍କ ଝିଅଙ୍କୁ ନିଶ୍ଚୟ ବିବାହ ହେବେ ।’

୫୩ଶ ପଦ :- ସୀତାଙ୍କର ମନ ଦୁଃଖ ଜାଣି ପାରି ରାମଚନ୍ଦ୍ର ପ୍ରିୟାର କାନରେ ଏହା କହି ବୋଧ କଲେ, ‘‘ହେ ସଖି ! ଏ ଧନୁର୍ଭଙ୍ଗ ବିବାହ କାର୍ଯ୍ୟ ନୁହେଁ । ଏହାଦ୍ୱାରା ଏ ଋଷି ଆମ୍ଭର ବଳ ପରୀକ୍ଷା କରୁଅଛି । ତୁମ୍ଭେ ଦୁଃଖିତ ହେବାର କାରଣ କିଛି ନାହିଁ ।’’

୫୪ଶ ପଦ :- ବୀର ରାମଚନ୍ଦ୍ର ବସିବା ଅବସ୍ଥାରେ ଧନୁରେ ଗୁଣ ଦେଇ, ତହିଁରେ ଶର ସନ୍ଧାନ କରି ପରଶୁରାମଙ୍କୁ ପଚାରିଲେ, ‘‘କାହାକୁ ବିନ୍ଧିବା କହ ।’’ (ଏହାଦ୍ୱାରା ପର୍ଶୁରାମଙ୍କର ଦର୍ପ ଚୂର୍ଣ୍ଣ ଓ ରାମଚନ୍ଦ୍ରଙ୍କର ବୀରତ୍ୱ ପ୍ରକାଶ, ଉଭୟ ସୂଚିତ ହେଲା ।)

୫୫ଶ ପଦ :- ରାମଙ୍କର ବଚନ ଶୁଣି ପର୍ଶୁରାମ ନମ୍ରହୋଇ କହିଲେ, ‘‘ମୋର ପାପଭାରକୁ ଛେଦନ କର ।’’ ରାମଚନ୍ଦ୍ର ତାଙ୍କର ପାପଭାରକୁ ଶର ବିନ୍ଧି ଖଣ୍ଡନ କଲେ । ପର୍ଶୁରାମ ଆନନ୍ଦ ହେଲେ ।

 

ବାହୁଡ଼ନ୍ତେ ପ୍ରଦକ୍ଷିଣ କରି ଦେବବୁଦ୍ଧି ।

ବାଜିଲା ବିବିଧ ବାଦ୍ୟ ବିଜେ କୃପାନିଧି ଯେ । ୫୬।

ବଳଗଣ୍ଡିଠାରେ ରହି ଯଥା ଜଗନ୍ନାଥ।

ବିଜେ ପୁଣି ଜନକ ସନ୍ତୋଷେ ଚାଳି ରଥ ଯେ । ୫୭।

ବିସ୍ତାରି ତ ଜୟ ଶବ୍ଦ ହେଲା ଦଶଦିଶ।

ବଡ଼ ଦେଉଳ ସାକେତେ ହେଲେ ପରବେଶ ଯେ । ୫୮।

ବିଧିରେତ ବେନି ମହୋତ୍ସବ ଅବଲୋକ ।

ବୃନ୍ଦାରକେ ଏକା ମିତ୍ରକରଣେ ବିବେକ ଯେ । ୫୯।

ବଚନ ନାହିଁ ଯହିଁ କି ଉପମା ତାକୁ ସେ।

ବଇକୁଣ୍ଠ ମର୍ତ୍ତ୍ୟେ ସେହି ଯେ ପୁରେ ବିଳସେ ଯେ । ୬୦।

 

୫୬ଶ ପଦ :- ବୈଷ୍ଣବଧନୁ ଧରିବାକୁ ସମର୍ଥ ହେବାରୁ ପର୍ଶୁରାମ ରାମଚନ୍ଦ୍ରଙ୍କୁ ସ୍ୱୟଂ ବିଷ୍ଣୁ ବୋଲି ଜାଣିପାରି, ତାଙ୍କୁ ପ୍ରଦକ୍ଷିଣ କରି ବାହୁଡ଼ି ଗଲେ । ତତ୍ପରେ ନାନା ପ୍ରକାର ବାଦ୍ୟ ବାଜିଲା, କୃପାନିଧି ରାମ ବିଜେ କଲେ।

୫୭ଶ ପଦ :- ଯେପରି ଜଗନ୍ନାଥ ବଳଗଣ୍ଡିଠାରେ ରହି ଲୋକମାନଙ୍କର ସନ୍ତୋଷ ବିଧାନ କରି ପରେ ରଥ ଚଳାଇ ବିଜେ କରନ୍ତି; ସେହିପରି ରାମଚନ୍ଦ୍ର କିଛି ସମୟ ରହି ପର୍ଶୁରାମଙ୍କୁ ଜିଣିବାଦ୍ୱାରା ଜନକ ଦଶରଥଙ୍କ ସନ୍ତୋଷ ପ୍ରଦାନ କରି ପରେ ରଥ ଚଳାଇ ଗଲେ ।

୫୮ଶ ପଦ :- ଜୟଧ୍ୱନି ଦଶଦିଗରେ ବିସ୍ତାରିତ ହେଲା । ବଡ଼ ଦେଉଳ ସଦୃଶ ଅଯୋଧ୍ୟା ନଗରୀରେ ରାମଚନ୍ଦ୍ର ପ୍ରବେଶ ହେଲେ । (ବାହୁଡ଼ା ସମୟରେ ଜୟଶବ୍ଦଦ୍ୱାରା ଦଶଦିଗ ପୂର୍ଣ୍ଣ କରି ଜଗନ୍ନାଥ ବଡ଼ ଦେଉଳରେ ପ୍ରବେଶ କରନ୍ତି । ସେହିପରି ରାମଚନ୍ଦ୍ର ଅଯୋଧ୍ୟା ନଗରୀରେ ଜୟ କୋଳାହଳ ମଧ୍ୟରେ ପ୍ରବେଶ କଲେ ) ।

୫୯ଶ ପଦ :- ଦୈବବଶରେ ଏହି ଦୁଇ ମହୋତ୍ସବ (ଜଗନ୍ନାଥଙ୍କ ବାହୁଡ଼ା ମହୋତ୍ସବ ଓ ରାମଚନ୍ଦ୍ରଙ୍କ ବିବାହ ମହୋତ୍ସବ) ଦେବତାମାନେ ଓ ଶ୍ରେଷ୍ଠ ଲୋକମାନେ ଦର୍ଶନ କରୁଅଛନ୍ତି । ଅତଏବ ଏ ଦୁଇ ମହୋତ୍ସବର ଯେ ସମାନତା ଅଛି-ଏହା ବିବେଚିତ ହେଉଅଛି ।

୬୦ଶ ପଦ :- ଭଗବାନ ରାମଚନ୍ଦ୍ର ଯେଉଁ ପୁରରେ ବିହାର କରନ୍ତି, ସେହି ମର୍ତ୍ତ୍ୟବୈକୁଣ୍ଠ ରୂପ ଅଯୋଧ୍ୟାର ଶୋଭାକୁ କଥାରେ ବର୍ଣ୍ଣନା କରି ହେବନାହିଁ, ତା’ର ଉପମା କେବଳ ସେହି । (ଯେଉଁ ମର୍ତ୍ତ୍ୟବୈକୁଣ୍ଠ ନୀଳାଚଳରେ ଜଗନ୍ନାଥ ବିହାର କରନ୍ତି, ତାର ଉପମା କେବଳ ସେହି । ତା’ର ଶୋଭା ବର୍ଣ୍ଣନା କରି ହେବନାହିଁ)।

 

ବଳେ ଛଡ଼ାଇ ଚନ୍ଦ୍ରୁ ସେ ସୁଧାକର ପଦ।

ବିଶଦ ହାସେ ଉଡ଼ାଇ ରଖେ ବିଷ୍ଣୁପଦ ଯେ । ୬୧।

ବିଷ୍ଣୁପଦ ସମ୍ପଦ ଲୁଟିରୁ ରତ୍ନମୟେ ।

ଚଢ଼ାଇ ପତାକା କର ଆଣିଲାର ପ୍ରାୟେ ଯେ । ୬୨।

ବାଟିକା ଯହିଁର କରେ ନନ୍ଦନ ନିନ୍ଦନ।

ବଲ୍ଲିକା କୁସୁମ ପାରିଜାତକ ବନ୍ଦନ ଯେ । ୬୩।

ବାଦେ ଜିଣେ କଳ୍ପଦ୍ରୁମ ଯହିଁ ବୃକ୍ଷପନ୍ତି ।

ବିଦୃଶ୍ୟ ଫଳ ସେ ଦୃଶ୍ୟ ଫଳେ ଏ ରାଜନ୍ତି ଯେ । ୬୪।

ବିପୁଳ କ୍ଳେଶ ଲଭ୍ୟ ସେ ଏ ଲଭ୍ୟ ଅକ୍ଳେଶେ।

ବିଦ୍ୟାଧରୁ ଚଳି ପିକ ସପ୍ତସ୍ଵର ଘୋଷେ ଯେ । ୬୫।

 

୬୧ଶ ପଦ :- ସୁଧାକର-ଚନ୍ଦ୍ର । ବିଶଦ-ଶୁକ୍ଳା । ବିଷ୍ଣୁପଦ-ଆକାଶ ।

୬୧ଶ ପଦ :- ସେ ନଗରର ଅଟ୍ଟାଳିକାଗୁଡ଼ିକ ବଳାତ୍କାରରେ ଚନ୍ଦ୍ରଠାରୁ ସୁଧାକର ପଦକୁ ଛଡ଼ାଇ ଆଣିଅଛି ଏବଂ ଶୁଭ୍ର ହାସରେ ଚନ୍ଦ୍ରଙ୍କୁ ଉଡ଼ାଇ ନେଇ ଆକାଶ ମଧ୍ୟରେ ରଖିଅଛି । (ଅଟ୍ଟାଳିକାଗୁଡ଼ିକ ଚୂନଲିପ୍ତ ହୋଇଥିବାରୁ ଶୁଭ୍ରତାର ଚନ୍ଦ୍ରର ଜ୍ୟୋତ୍ସ୍ନାକୁ ବଳି ପଡ଼ିଅଛି)।

୬୨ଶ ପଦ :- ସେ ପୁର ପତାକା ରୂପ କରକୁ ବଢ଼ାଇ ଯେପରି ସ୍ୱର୍ଗର ସମସ୍ତ ସମ୍ପତ୍ତି ଲୁଟିକରି ଆଣି ନିଜେ ରତ୍ନପୂର୍ଣ୍ଣା ହୋଇଅଛି । (ପୁରସ୍ଥ ଅଟ୍ଟାଳିକାମାନଙ୍କର ପତାକା ବହୁତ ଉଚ୍ଚରେ ଉଡ଼ୁଅଛି ଓ ସେ ପୁରରେ ବହୁତ ଧନରତ୍ନ ରହିଅଛି)।

୬୩ଶ ପଦ :- ବାଟିକା-ପୁଷ୍ପୋଦ୍ୟାନ । ବଲ୍ଲିକା-ଲତାସମୂହ ।

୬୩ଶ ପଦ :- ଯେଉଁ ପୁରର ପୁଷ୍ପଉଦ୍ୟାନ ସ୍ୱର୍ଗର ନନ୍ଦନ ବନକୁ ନିନ୍ଦାକରେ ଓ ତନ୍ମଧ୍ୟସ୍ଥ ଲତାମାନଙ୍କରେ ଫୁଟିଥିବା ପୁଷ୍ପ ପାରିଜାତ କୁସୁମଦ୍ୱାରା ବନ୍ଦିତ ହୋଇଅଛି, (ଲତା ପୁଷ୍ପ ପାରିଜାତ ଅପେକ୍ଷା ସୌରଭଯୁକ୍ତ ଓ ସୁନ୍ଦର)

୬୪ଶ ପଦ :- ଯେଉଁ ପୁରର ବୃକ୍ଷସମୂହ ବିବାଦରେ କଳ୍ପଦ୍ରୁମକୁ ଜୟ କରିଅଛି, କାରଣ କଳ୍ପଦ୍ରୁମସବୁ ଅଦୃଶ୍ୟ ଫଳଦ୍ୱାରା ଶୋଭିତ ହୁଅନ୍ତି, ମାତ୍ର ଯେଉଁ ପୁରର ବୃକ୍ଷମାନେ ଦେଖାଯାଉଥିବା ଫଳରେ ଆନନ୍ଦ ହୋଇଅଛନ୍ତି ।

୬୫ଶ ପଦ :- ସେହି କଳ୍ପଦ୍ରୁମର ଫଳ ବଡ଼ କଷ୍ଟରେ ମିଳିଥାଏ, ମାତ୍ର ଏ ନଗରସ୍ଥ ବୃକ୍ଷମାନଙ୍କର ଫଳ ଅକ୍ଲେଶରେ ପ୍ରାପ୍ତ ହୁଏ । ନନ୍ଦନବନରେ ବିଦ୍ୟାଧରମାନେ ସପ୍ତସ୍ୱରରେ ଗାନ କରୁଥାନ୍ତି, ମାତ୍ର ଏ ନଗରସ୍ଥ ଉଦ୍ୟାନରେ ତାଙ୍କଠାରୁ ଶ୍ରେଷ୍ଠ କୋକିଳମାନେ ସପ୍ତସ୍ୱରରେ ଗାନ କରନ୍ତି ।

 

ବୀଣା ତେଜିବେ ନାରଦ ଶୁକପଢ଼ା ଶୁଣି।

ବିହରନ୍ତି ତହିଁ ସୀତା ଘେନି ରଘୁମଣି ଯେ । ୬୬।

ବିଷ୍ଣୁଆଣୀକି ଆଣନ୍ତି ଜାନୁରେ ବସାଇ।

ବାର୍ଦ୍ଧିଗଙ୍ଗା ଛବି ଲଭେ କୋଳାକୋଳି ହୋଇ ଯେ । ୬୭।

ବତ୍ସେ ଉତ୍ସୁକଭାବରେ କରାଉଁ ଶୟନ।

ବିଦ୍ୟୁତକେଳି ଉଜ୍ଜ୍ଵଳ ଜଳଦ କୁଣ୍ଠନ ଯେ । ୬୮।

ବନ୍ଧୁକ ଭୃଙ୍ଗ ବନ୍ଧୁତା ଓଷ୍ଠପାନବେଳେ ।

ବୃଷଧ୍ଵଜ ପୂଜନ ଉରଜେ କର ଦେଲେ ଯେ । ୬୯।

ବନଜେ ନୀଳଉତ୍ପଳ ପବନେ କି ଢଳେ।

ବିମଳଗଣ୍ଡ ଚୁମ୍ବନେ ସେ ରୀତି ବହିଲେ ଯେ । ୭୦।

 

୬୬ଶ ପଦ :- ଯେଉଁ ପୁରର ବଗିଚାରେ ଥିବା ଶୁକମାନଙ୍କର ପଢ଼ା ଶୁଣିଲେ ନାରଦ ବୀଣାକୁ ତ୍ୟାଗ କରିବେ, ଏହିପରି ଯେ ଅଯୋଧ୍ୟାପୁରୀ (ସର୍ବ ଶୋଭାର ଆଧାର) ତହିଁରେ ରାମଚନ୍ଦ୍ର ସୀତାଙ୍କୁ ଘେନି ବିହାର କରନ୍ତି ।

୬୭ଶ ପଦ :- ରାମଚନ୍ଦ୍ର ସୀତାଙ୍କୁ କୋଳରେ ବସାଇବା ସମୟରେ, ବିଷ୍ଣୁଲକ୍ଷ୍ମୀଙ୍କୁ କୋଳରେ ଧାରଣ କରି ଯେପରି ଶୋଭା ପାଆନ୍ତି, ସେହିପରି ଶୋଭାବନ୍ତ ଦେଖାଗଲେ । ପୁଣି ରାମ ସୀତା ପରସ୍ପର ଆଲିଙ୍ଗନ କରିବା ସମୟରେ ସମୁଦ୍ର ଗଙ୍ଗାଙ୍କୁ ଆଲିଙ୍ଗନ କରି ଯେପରି ଦେଖାଯାନ୍ତି, ସେହି ଶୋଭା ଧାରଣ କଲେ ।

୬୮ଶ ପଦ :- ବତ୍ସେ-ବକ୍ଷରେ ।

୬୮ଶ ପଦ :- ରାମଚନ୍ଦ୍ର ଉତ୍ସୁକ ଭାବରେ ବକ୍ଷସ୍ଥଳରେ ସୀତାଙ୍କୁ ଶୟନ କରାଇଲାବେଳେ, ମେଘରେ ଭେଳି କରୁଥିବା ବିଦ୍ୟୁତ୍‌ର ଉଜ୍ଜ୍ୱଳତାକୁ ଲୁଣ୍ଠନ କଲେ । (ମେଘ ବକ୍ଷରେ ବିଜୁଳି ଚମକିଲେ ଯେପରି ସୁନ୍ଦର ଦିଶେ ତା ଅପେକ୍ଷା ବେଶି ସୁନ୍ଦର ଦିଶିଲେ) ।

୬୯ଶ ପଦ :- ବନ୍ଧୂକ-ବଧୂଲିପୁଷ୍ପ । ଭୃଙ୍ଗ-ଭ୍ରମର । ବୃଷଧ୍ୱଜ-ଶିବ ।

୬୯ଶ ପଦ :- ରାମଚନ୍ଦ୍ର ସୀତାଙ୍କର ଅଧର ଚୁମ୍ବନ କଲାବେଳେ ଭୃଙ୍ଗ ବଧୂଲି ଫୁଲରୁ ମଧୁପାନ କରିବା ଶୋଭାକୁ ଧାରଣ କଲେ । ସୀତାଙ୍କ ସ୍ତନ ଯୁଗଳରେ ହସ୍ତ ଦେଲାବେଳେ ଶମ୍ଭୁଙ୍କୁ ପୂଜା କଲାପ୍ରାୟ ବୋଧହେଲା ।

୭୦ଶ ପଦ :- ନୀଳୋତ୍ପଳ-ନୀଳକଇଁ । ବନଜ-ପଦ୍ମ ।

୭୦ଶ ପଦ :- ନୀଳକଇଁ ପବନ ଯୋଗେ ପଦ୍ମ ଉପରେ ଢଳିଲେ ଯେପରି ଦେଖାଯାଏ ରାମଚନ୍ଦ୍ର ସୀତାଙ୍କର ନିର୍ମଳ ଗଣ୍ଡ ଚୁମ୍ବିଲାବେଳେ ସେହିପରି ଦେଖାଗଲେ । (ରାମଚନ୍ଦ୍ର ନୀଳବର୍ଣ୍ଣ ହେତୁ ନୀଳକଇଁ ସଦୃଶ୍ୟ, ସୀତା ପଦ୍ମ ସଦୃଶ)।

 

ବାହୁ କରେ ଧରି ହେଉଁଆରାମ ପ୍ରବେଶୀ ।

ବାରିଦେ ପଶିଲା ପ୍ରାୟେ ଏକ ତାରା ଶଶୀ ଯେ । ୭୧।

ବାଗ୍‌ଦେବୀ ଗଣେଶ କବିତ୍ଵରେ ବାଦକୃତ ।

ବ୍ରତତିରେ ଉକ୍ତି ପ୍ରତିଉକ୍ତିରେ ତେମନ୍ତ ଯେ । ୭୨।

ବିଧାତା ବଶରେ ପିତୃଦିବସ ପ୍ରବେଶ।

ବନେ ମୃଗୟା ଗମନ ଜନକ ଆଦେଶ ଯେ । ୭୩।

ବଣା ସେ ଖଡ୍‌ଗୀନ ହୋଇ ଖଡ଼୍‌ଗୀନ ସଙ୍ଗତ ।

ବନ୍ଧାଇଲେ ଗୁହ ଶବରେଶ ସଙ୍ଗେ ମିତ ଯେ । ୭୪।

ବାହୁଡ଼ି ନଗରେ ଜୀବେ ଜୀବେଶ ହୋଇ ସେ।

ବିଦେହ ଗମନ କଲେ ଜନକ ଏ ଶେଷେ ଯେ । ୭୫।

 

୭୧ଶ ପଦ :- ସୀତାଙ୍କ ବାହୁ ହସ୍ତରେ ଧରି ରାମଚନ୍ଦ୍ର ଉପବନ ମଧ୍ୟରେ ପ୍ରବେଶ କଲାବେଳେ, ଚନ୍ଦ୍ର ଗୋଟିଏ ତାରକା ସହିତ ମେଘମଧ୍ୟରେ ପଶିଲା ପ୍ରାୟ ଦେଖାଗଲେ ।

୭୨ଶ ପଦ :- ଉପବନର ଲତା କୁଞ୍ଜରେ ବସି ରାମ ଓ ସୀତା ଉକ୍ତି ପ୍ରତ୍ୟୁକ୍ତି କଲାବେଳେ, ଗଣେଶ ସରସ୍ୱତୀ ତାଙ୍କ କବିତ୍ୱରେ ବିବାଦ କଲା ପ୍ରାୟ ବୋଧ ହେଲା ।

୭୩ଶ ପଦ :- ଏହିପରି କିଛିଦିନ ପରେ ଦୈବଯୋଗରେ ଶ୍ରାଦ୍ଧଦିବସ ପ୍ରବେଶ ହୁଅନ୍ତେ, ରାମଚନ୍ଦ୍ର ପିତାଙ୍କ ଆଦେଶ ପାଇ ମୃଗୟା ନିମିତ୍ତ ବନକୁ ଗମନ କଲେ ।

୭୪ଶ ପଦ :- ଖଡ଼୍‌ଗୀନ-ଗଣ୍ଡପଶୁ, ଖଡ଼୍‌ଗଧାରୀ ।

୭୪ଶ ପଦ :- ଖଡ଼୍‌ଗଧାରୀ ରାମଚନ୍ଦ୍ର ଖଡ଼୍‌ଗୀନ ଅର୍ଥାତ୍ ଗଣ୍ଡା ସଙ୍ଗତରେ ବଣା ହୋଇ ଅରଣ୍ୟ ମଧ୍ୟକୁ ଗଲେ ଓ ଗୁହକ ନାମକ ଶବରରାଜ ସହିତ ମିତ୍ରତା ସୂତ୍ରରେ ବନ୍ଧା ହେଲେ ।

୭୫ଶ ପଦ :- ରାମଚନ୍ଦ୍ର ମୃଗାଦି ପଶୁଙ୍କଠାରେ ଯମ ପ୍ରାୟ ନାଶକର୍ତ୍ତା ହୋଇ ପୁରକୁ ବାହୁଡ଼ିଲେ । ଶ୍ରାଦ୍ଧବିଧି ଶେଷ ହୁଅନ୍ତେ ମିଥିଳାରାଜ ଜନକ, (ଶ୍ରାଦ୍ଧ ପାଇଁ ନିମନ୍ତ୍ରିତ ହୋଇ ଆସିଥିବା) ସ୍ୱଦେଶ ବିଦେହକୁ ଗମନ କଲେ । କିମ୍ବା ରାମଚନ୍ଦ୍ର ଯମ ସଦୃଶ ପର୍ବତରେ ବିହାରି କରି ଜୀବମାନଙ୍କୁ ‘ବିଦେହ’ ବିନାଶ କରି ସେଠାରୁ ବାହୁଡ଼ି ଆସନ୍ତେ ‘ଜନକ’ ପିତା ଦଶରଥ ଶ୍ରାଦ୍ଧ କର୍ମ ସମାପନ କଲେ ।

 

ବିଲୋକନ ଅର୍ଥରେ ଭରତ ଶତ୍ରୁଘନ ।

ବପ୍ତା କୈକେୟୀର ନିଆଇଲେ ତୋଷମନ ଯେ । ୭୬।

ବାସିତା-ସୀତାଙ୍କୁ ଘେନି ତ୍ରିକାଳ ବଞ୍ଚନ।

ବିଭରତି ଦିଗନ୍ତରେ କଳକଣ୍ଠ ସ୍ଵନ ଯେ । ୭୭।

ବିରୋଚନ ସୁଖ ଦାନ ଦରଶନ କରେ।

ବନେ କେଳିକୃତ ଚିତ୍ତ ଆଦର ନିଶାରେ ଯେ । ୭୮।

ବିଗ୍ରହୁ ସୀତାର ଜାତ ହିମ ଜଡ଼େ ଉଷ୍ମ।

ବସନ୍ତ ଗ୍ରୀଷମେ ଅତି ଶୀତଳ ତ ବର୍ଷ୍ମ ଯେ । ୭୯।

ବରଷା ଶରଦେ ଦୁଇ ମତ ଥାଇ ବହି।

ବିଦଗ୍‌ଧହେମାଙ୍ଗୀ ଗନ୍ଧସାରବାସୀ ସେହି ଯେ । ୮୦।

 

୭୬ଶ ପଦ :- ବପ୍ତା-ପିତା ।

୭୬ଶ ପଦ :- କୈକେୟୀଙ୍କ ପିତା ଭରତ ଶତ୍ରୁଘ୍ନ ଦୁଇଭାଇଙ୍କି ଦେଖିବା ନିମିତ୍ତ ଆନନ୍ଦ ମନରେ ନିଜ ନଗରକୁ ଘେନାଇ ଗଲେ ।

୭୭ଶ ପଦ :- ବାସିତା-ସୌରଭାନିତା, ଗୃହିଣୀ, ବସ୍ତ୍ରାଚ୍ଛାଦିତା । କଳକଣ୍ଠ-କୋକିଳ, ମୟୂର ବା ହଂସ, କପୋତ ।

୭୭ଶ ପଦ :- ‘କଳକଣ୍ଠ’ କୋକିଳ ସ୍ୱନ ସର୍ବଦିଗରେ ପୂରିଥିଲା, ଏପରି ଯେ ବସନ୍ତକାଳ; ‘କଳକଣ୍ଠ’ ହଂସମାନଙ୍କର ସ୍ୱନରେ ସର୍ବଦିଗ ପୂର୍ଣ୍ଣ ହୋଇଥିଲା, ଏପରି ଯେ ବର୍ଷାକାଳ ଏବଂ କଳକଣ୍ଠ ପାରାମାନଙ୍କ ସ୍ୱନରେ ଦିଗସମୂହ ପରିପୂର୍ଣ୍ଣ ହୋଇଥିଲା, ଏପରି ଯେ ଶୀତକାଳ- ଏହି ତିନିକାଳ ଶ୍ରୀରାମଚନ୍ଦ୍ର ଯୋଜନାଗନ୍ଧା ସୀତାଙ୍କ ସହିତ ବିହାର କଲେ ।

୭୮ଶ ପଦ :- ବିରୋଚନ-ଚନ୍ଦ୍ର, ସୂର୍ଯ୍ୟ, ଅଗ୍ନି । ବନ-ଜଳ, ଅରଣ୍ୟ, ଗୃହ । ନିଶା-ହଳଦୀ, ରାତ୍ରି, ରେଜାଇ ।

୭୮ଶ ପଦ :- ‘ବିରୋଚନ’ ଚନ୍ଦ୍ର ଦର୍ଶନରେ ଦର୍ଶକକୁ ସୁଖ ଦାନକରେ, ଏପରି ଯେ ବସନ୍ତକାଳ; ‘ବିରୋଚନ’ ସୂର୍ଯ୍ୟ ଦର୍ଶନ କରିବାରେ ଯେଉଁ ସୁଖ, ତାକୁ ଦାନ ଅର୍ଥାତ୍ ଛେଦନ କରେ (ଆକାଶ ମେଘାଚ୍ଛନ୍ନ ଥିବାରୁ ସୂର୍ଯ୍ୟ ଦର୍ଶନ ହୁଏ ନାହିଁ) ଏପରି ସେ ବର୍ଷାକାଳ ଏବଂ ‘ବିରୋଚନ’ ଅଗ୍ନି ଦର୍ଶନରେ ସୁଖ ପ୍ରାପ୍ତ ହୁଏ, ଏପରି ଯେ ଶୀତାକାଳ; ପୁଣି ଉପବନରେ କେଳି କରିବାକୁ ମାନସ ହୁଏ, ନିଶାରେ ହଳଦୀରେ ଆଦର କରାଏ, ଏପରି ଯେ ବସନ୍ତକାଳ; ଜଳରେ ନୌକାଦିରେ ବିହାରି କରିବାକୁ ଇଚ୍ଛା ହୁଏ, ରାତ୍ରରେ ସୁଖ ପ୍ରଦାନ କରେ, ଏପରି ଯେ ବର୍ଷାକାଳ; ପୁଣି ଗୃହରେ କ୍ରୀଡ଼ା କରିବାକୁ ଚିତ୍ତ ବଳେ, ‘ନିଶାରେ’ ତୁଳା ଶେଯରେ ଆଦର କରାଏ, ଏପରି ଯେ ଶୀତକାଳ- ଏହି ତିନିକାଳ ରାମଚନ୍ଦ୍ର ସୀତାଙ୍କ ସହିତ ବିହାର କଲେ ।

୭୯ଶ ପଦ :- ବିଗ୍ରହ-ଦେହ ।

୮୦ଶ ପଦ :- ଜଡ଼-ଶୀତକାଳ । ବର୍ଷ୍ମ-ଦେହ ।

୭୯ ଓ ୮୦ଶ ପଦ :- ସୀତାଙ୍କ ଦେହରୁ ହେମନ୍ତ ଓ ଶୀତ ଏ ଦୁଇକାଳରେ ଉଷ୍ମ ଜାତ ହୁଏ, ବସନ୍ତ ଓ ଗ୍ରୀଷ୍ମ ଏ ଦୁଇକାଳରେ ତାଙ୍କ ଦେହ ଅତି ଶୀତଳ ହୋଇଥାଏ ଏବଂ ବର୍ଷା ଓ ଶରତ ଏ ଦୁଇକାଳରେ ଦୁଇମତ ଯଥା- ଉଷ୍ମ ଓ ଶୀତଳ ହୋଇଥାଏ । କାରଣ, ସେ ତପ୍ତସ୍ୱର୍ଣ୍ଣବର୍ଣ୍ଣା (ଏହାଦ୍ୱାରା ଉଷ୍ମତ୍ୱ ସୂଚିତ ହେଲା) ପୁଣି କର୍ପୂର ଓ ଚନ୍ଦନ ସୁବାସିନୀ (ଏହାଦ୍ୱାରା ଶୀତଳତ୍ୱ ପ୍ରକାଶିତ ହେଲା) ଅଟନ୍ତି ।

୮୧ଶ ପଦ :- ଋତୁରେ-ପୁଷ୍ପବତୀ ସମୟରେ ।

୮୧ଶ ପଦ :- ଏହିସବୁ କାରଣ ହେତୁ ସୀତାଙ୍କ ଯୋଗୁଁ ରାମଚନ୍ଦ୍ର ଋତୁମାନଙ୍କ ବ୍ୟାପାର- ଯେଉଁ ଋତୁରେ ଯାହାସବୁ ଦରକାର, ତାହା ଲୋଡ଼ିଲେ ନାହିଁ । କେବଳ ପୁଷ୍ପବତୀ ସମୟରେ ବିରହ ହେତୁ ଯାହା ରାମଚନ୍ଦ୍ର ବ୍ୟଥିତ ହେଉଥିଲେ ।

୮୨ଶ ପଦ :- ବୀରବର ଉପେନ୍ଦ୍ର ଭଞ୍ଜ ବୟାଶୀ ପଦରେ ଏ ରସ କହିଲେ । ହେ ପଣ୍ଡିତମାନେ ! ଏ ସ୍ୱାଦୁରେ ମଜ୍ଜ।

 

ସପ୍ତଦଶ ଛାନ୍ଦ

ରାଗ-ଧନାଶ୍ରୀ

 

ବସି ବଶିଷ୍ଠଜାବାଳି ବାମଦେବ କଶ୍ୟପ ସୁମନ୍ତ୍ର ଘେନି।

ବୋଲେ ଦଶରଥ ମୋର ମନୋରଥ ମଣ୍ଡାଇବି ରାଜଧାନୀ ।

ବୀରବୃନ୍ଦରେ ଇନ୍ଦ୍ର।

ବସୁ ନୃପପଦେ ରାମଚନ୍ଦ୍ର । ୧।

 

ବ୍ରହ୍ମା ସର୍ଜନାରେ ବ୍ରହ୍ମାଣ୍ଡେ କାହିଁଛି ଆଉ ମୋ ତନୟ ସରି।

ବାମେ ବାମଦେବ ଧନୁକୁ ଭାଙ୍ଗିଲା ବାମେ ଭୃଗୁପତି ହାରି।

ବସୁପତି ସମସ୍ତ।

ବସୁଁ ସେବିବେ ସେବକ ମତ । ୨।

 

ବୋଇଲେ ସୁମନ୍ତ୍ର ସେ ପୁଣି ଏମନ୍ତ ସୁଝିବେଟି ପିତୃଋଣ।

ବଧକାରକଅନରଣ୍ୟ ରାଜାର ବଧରେ ହେବେ ନିପୁଣ।

ବେଧାବିଧାନ ପୁଣି ।

ବୈବସ୍ଵତବଂଶୀ ତୋଷ ଶୁଣି । ୩।

 

ବୁଝିଲେ ଲଗ୍ନ ମଗ୍ନ ହୋଇ ସୁଝିଲେ ମଙ୍ଗଳ ଦାନରେ ତହିଁ।

ବୃହସ୍ପତି ରାଶି ଅଷ୍ଟମେ ବିଳାସୀ ନୃପତି ହୋଇବେ କେହି।

ବାମଦେବ ଉତ୍ତର।

ବକ୍ତା ବଶିଷ୍ଠ ହେବେ ଈଶ୍ଵର । ୪।

 

ବିଷେ କି ପୁଚ୍ଛୁଁ ରାଜା ଦୀର୍ଘେ କହିଲେ ହେବେ ଦିବ୍ୟଭୁତି ଭୋଗୀ।

ବଇଶ୍ରବଣକୁ ଜିଣିବେ ବୁଷ୍ପକ ମଣ୍ଡନେ ହୋଇ ସରାଗୀ ।

ବୋଲୁଅଛୁଁ ଏମନ୍ତ।

ବୋଧ ନରଦେବ ଦେବଚିତ୍ତ । ୫।

 

୧ମ ପଦ :- ବଶିଷ୍ଠ, ଜାବାଳି, ବାମଦେବ, କଶ୍ୟପ, ସୁମନ୍ତ, ଏମାନଙ୍କୁ ଘେନି ସଭାରେ ବସି ଦଶରଥ କହିଲେ, ‘‘ମୋର ଇଚ୍ଛା, ବୀରମାନଙ୍କ ମଧ୍ୟରେ ଶ୍ରେଷ୍ଠ ରାମଚନ୍ଦ୍ର ସିଂହାସନରେ ବସୁ, ସେଥିପାଇଁ ନଗର ମଣ୍ଡାଇବା ।’’

୨ୟ ପଦ :- ‘‘ସଂସାର ମଧ୍ୟରେ ବିଧାତା ସର୍ଜନା ଭିତରେ ମୋ ପୁତ୍ର ସମାନରେ ଆଉ କିଏ ଅଛି କି ? (ଆଉ କେହି ନାହିଁ) । ସେ ବାମହସ୍ତରେ ଶିବଧନୁ ଭାଙ୍ଗିଲା, ପର୍ଶୁରାମ ପ୍ରତିକୂଳ ହୋଇ ତା’ ପାଖରେ ହାରିଗଲେ । ସେ ନୃପତି ପଦରେ ବସିଲେ, ସମସ୍ତ ରାଜା ସେବକପରି ତାକୁ ସେବା କରିବେ ।’’

୩ୟ ପଦ :- ସୁମନ୍ତ୍ର ଏହା ଶୁଣି କହିଲେ, ‘‘ତୁମ୍ଭ ପୂର୍ବ ପୁରୁଷ ଅନରଣ୍ୟ ରାଜାର ବଧକାରକ ରାବଣକୁ ମାରିବା ପାଇଁ ସେ ପୁଣି ସମର୍ଥ ହେବେ । ଏହିପରି ସେ ପିତୃଋଣ ସୁଝିବେଟି କି ? ଏ ତ ବିଧାତାର ବିଧାନ ।’’ ଏହା ଶୁଣି ଦଶରଥ ତୋଷ ହେଲେ ।

୪ର୍ଥ ପଦ :- ସେ ସ୍ଥାନରେ ବସି ବଶିଷ୍ଠାଦି ଋଷିମାନେ ନିବିଷ୍ଟ ଚିତ୍ତରେ ଶୁଭଲଗ୍ନ ବୁଝିଲେ । ମଙ୍ଗଳ ବ୍ୟୟରେ ଥିବାର ସୁଝିଲେ । (ମଙ୍ଗଳକୁ ଖଣ୍ଡିବାର ସୁଝିଲେ) । ରାଶିର ଅଷ୍ଟମରେ ବୃହସ୍ପତି ସ୍ନେହୀ ହୋଇ ରହିଅଛନ୍ତି । ସେ ରାଜା କିପରି ହେବେ ? (ରାମଚନ୍ଦ୍ରଙ୍କର ଧନୁରାଶି, ତାହାର ଅଷ୍ଟମ କର୍କଟ ରାଶି, ତହିଁରେ ବୃହସ୍ପତି ଅଛନ୍ତି । ତେଣୁ ଜନ୍ମ ବୃହସ୍ପତି ହେଲା, ଏ ଲଗ୍ନରେ ରାଜା ହୋଇପାରିବେ ନାହିଁ) । ବାମଦେବ ଏପରି କହନ୍ତେ, ବଶିଷ୍ଠ ଶେଷରେ ଉତ୍ତର ଦେଲେ, ‘‘ସେ ରାଜା ନ ହୋଇ ‘ଈଶ୍ୱର’ ଜଟାଜୂଟଧାରୀ ଓ ବିଭୂତି ଭୂଷିତ ହେବେ ।’’

୫ମ ପଦ :- ଦିବ୍ୟଭୂତିଭୋଗୀ-ଐଶ୍ୱର୍ଯ୍ୟଭୋଗୀ, ଭସ୍ମଭୋଗୀ । ବଇଶ୍ରବଣ-କୁବେର, ରାବଣ । ପୁଷ୍ପକ-ଦେବଯାନ ବିଶେଷ, ରତ୍ନକଙ୍କୁଣ । ନରଦେବ-ରାଜା । ଦେବଚିତ୍ତ-ଦେବତାମାନଙ୍କର ଚିତ୍ତ ।

୫ମ ପଦ :- ବାମଦେବ ଓ ବଶିଷ୍ଠାଦି ଏପରି କଥାବାର୍ତ୍ତା ହୁଅନ୍ତେ ରାଜା ଦଶରଥ ପୁଚ୍ଛା କଲେ, ‘‘କଥା କ’ଣ ?’’ ବଶିଷ୍ଠ ଉଚ୍ଚ ସ୍ୱରରେ କହିଲେ, ‘‘ରାମଚନ୍ଦ୍ର ପ୍ରଭୁ ହୋଇ ଦିବ୍ୟ ସମ୍ପତ୍ତି ଭୋଗ କରିବେ । ସମ୍ପଦର କୁବେରକୁ ଜିଣିଯିବେ, ରତ୍ନକଙ୍କଣ ଭୂଷଣରେ ସ୍ନେହୀ ହେବେ।’’ ଏହା ଦଶରଥ ବୁଝିଲେ, ମାତ୍ର ବଶିଷ୍ଠଙ୍କ କଥାର ମର୍ମ ଅନ୍ୟ ପ୍ରକାର, ଯଥା-ରାମଚନ୍ଦ୍ର ମହାଦେବଙ୍କ ସମାନ ଉତ୍ତମ ଭସ୍ମ ବୋଳି ହେବେ, ରାବଣକୁ ଜିଣିବେ, ପୁଷ୍ପକଯାନରେ ସରାଗ ସହିତ ବସିବେ । ବଶିଷ୍ଠଙ୍କ ବାକ୍ୟ ଶୁଣି ପ୍ରଥମ ଅର୍ଥ ବୁଝି ନରପତି ଦଶରଥ ସନ୍ତୁଷ୍ଟ ହେଲେ ଓ ଦ୍ୱିତୀୟ ଅର୍ଥ ବୁଝିପାରି ଦେବତାମାନେ ଆନନ୍ଦିତ ହେଲେ ।

 

ବାର୍ତ୍ତା ପାଇ ମାତାମାନେ ହରଷିତା ସୀତା ତୋଷ ନୁହେଁ କହି ।

ବିଧୁ ଦର୍ଶନେ ଯଥା ସିନ୍ଧୁ କଲ୍ଲୋଳ ଅଧିକରେ ଲୋଳ ବହି।

ବେଶ ଅଭିଷେକର।

ବେଳ ଦେଖି ହେବା ସେ ପ୍ରକାର । ୬।

 

ବିଚାରନ୍ତି ତହିଁ ରାଉତ ମାହୁନ୍ତ ରଥୀ ପଦାତିଏ ମିଶି।

ବସିଲେ ରାମ ସିଂହାସନେ ଦ୍ଵିଗୁଣେ ଆମ୍ଭ ଗୁଣେ ଯିବେ ଦିଶି।

ବିବେକ ଏ ପ୍ରକାର।

ବଡ଼ ସୁଖ ଜନ୍ମୁଛି ଆମ୍ଭର । ୭।

 

ବନ୍ଦୀ କେରଳ ଇତ୍ୟାଦି ଭିକ୍ଷୁ ମେଳ ଭାବି ମାଗି ନ ଜାଣିବା ।

ବ୍ରାହ୍ମଣକୂଳର ଆକୁଳ ତୁଟିଲା ଇଷିତେ ଯାଜ୍ଞିକ ହେବା।

ବିନା ପୂଜା ଦେବତା।

ବିଚାରିଲେ ହୋଇବା ପୂଜିତା । ୮।

 

ବଞ୍ଚିବେ ପାଞ୍ଚିଲେ ସୁଲଭେ ଧେନୁ ଯେ ହେବେ ଆମ୍ଭକ୍ଷୀରବତୀ ।

ବାସବାଦି ଦେବେ ଆମ୍ଭ ବାଦୀ ଏବେ ନାଶ ନୋହିଲା ଏ ମତି।

ବ୍ରହ୍ମା ସମୀପେ ଗଲେ।

ବିଭ୍ରମ ସେ କୈକେୟୀଙ୍କି କଲେ । ୯।

 

ବିପଣୀରେ ଶୁଣି ରାମରାଜା ବାଣୀ ବାହୁଡେ଼ ମନ୍ଥରା ତ୍ଵରା ।

ବାରି ଭରିଅଛି ନୟନଯୁଗଳେ ଗଳେ ପ୍ରାଣ ଥିଲା ପରା।

ବୃକ୍ଷ କାଟିଲା ପ୍ରାୟେ।

ବିପତିତ ତା ଅଗ୍ରତେ ହୁଏ । ୧୦ ।

 

୬ଷ୍ଠ ପଦ :- ‘ରାମଚନ୍ଦ୍ରଙ୍କ ଅଭିଷେକ ହେବ’- ଏହି ବାର୍ତ୍ତା ପାଇ ମାତାମାନେ ଆନନ୍ଦିତା ହେଲେ । ସୀତାଙ୍କର ହର୍ଷ କଥାରେ କହି ହେବ ନାହିଁ । ଚନ୍ଦ୍ର ଦର୍ଶନରେ ଯେପରି ସମୁଦ୍ରର ଲହରୀ ଅଧିକ ଉଛୁଳି ଉଠେ, ସେହିପରି ରାମଙ୍କ ଅଭିଷେକ ବେଳର ବେଶ ଦେଖି ଆମେ ଉଲ୍ଲଷିତା ହେବା’ ମାତାମାନେ ଏହା ଭାବିଲେ ।

୭ମ ପଦ :- ସେହି ନଗରୀର ଅଶ୍ୱାରୋହୀ, ଗଜାରୋହୀ, ରଥରୋହୀ, ପଦାତିକ ସୈନ୍ୟମାନେ ମିଶି ବିଚାର କଲେ, ‘‘ରାମ ସିଂହାସନରେ ବସିଲେ ଆମ୍ଭର ଗୁଣ ଦ୍ୱିଗୁଣ ଦେଖାଯିବ; (ରାମ ଅତ୍ୟନ୍ତ ଗୁଣଗ୍ରାହକ ତେଣୁ ଆମ୍ଭ ଗୁଣକୁ ଭଲରୂପେ ଚିହ୍ନି ପାରିବେ’’ । ପ୍ରଜାମାନେ ବିଚାର କଲେ ‘‘ଆମ୍ଭର ଭାରି ଆନନ୍ଦ ହେଉଛି । (ରାମ ରାଜା ହେଲେ ଆମ୍ଭଙ୍କୁ ସୁଖରେ ପାଳିବେ)।’’

୮ମ ପଦ :- ବନ୍ଦୀ-ସ୍ତୁତିପାଠକ ବା ଭାଟ । କେରଳ-କେଳାମାନେ ।

୮ମ ପଦ :- ଭାଟ, କେଳା ପ୍ରଭୃତି ଭିକ୍ଷୁକମାନେ ମେଳ ହୋଇ ବିଚାର କଲେ, ‘‘ଆମ୍ଭେମାନେ ତ ଆଉ ମାଗି ଜାଣିବା ନାହିଁ, (ରାମଚନ୍ଦ୍ର ମହାଦାନୀ, ସେ ଯାଚି କରି ଧନ ଦେବେ) । ବ୍ରାହ୍ମଣମାନେ ଧନ ଅଭାବରୁ ଯଜ୍ଞ କରି ନ ପାରି ଯେଉଁ ନିରାଶ ଭାବ ହୃଦୟରେ ରଖିଥିଲେ, ସେ ବ୍ୟାକୁଳତା ତୁଟିଗଲା । ସେମାନେ ଭାବିଲେ, ‘ଆମେ ପ୍ରଚୁର ଧନ ପାଇ ଅଳ୍ପକରେ ଯାଜ୍ଞିକ ହୋଇ ପାରିବା (ଯାଜ୍ଞ କରିପାରିବା)। ଅପୂଜ୍ୟଦେବତା ସବୁ ବିଚାର କଲେ, ‘‘ଆମେ ପୂଜା ପାଇବା ।’’ (ଏହାଦ୍ୱାରା ରାମଚନ୍ଦ୍ର ଦୀନପ୍ରିୟ, ଦ୍ୱିଜପ୍ରିୟ ଓ ଦେବପ୍ରିୟ ବୋଲି ଜଣାଗଲା)।

୯ମ ପଦ :- ବଲ୍ଲବେ- ଗୋପାଳମାନେ ।

୯ମ ପଦ :- ଗୋପାଳମାନେ ଭାବିଲେ, ‘‘ଆମର ଗାଈମାନେ ବହୁତ ଦୁଧ ଦେବେ ।’’ ବାସବାଦି ଦେବତାମାନେ ପାଞ୍ଚିଲେ, ଆମର ଶତ୍ରୁ ରାବଣ ତ ଆଉ ବିନାଶ ହେବ ନାହିଁ ।’’ ଏହା ପାଞ୍ଚି ସେମାନେ ବ୍ରହ୍ମାଙ୍କ ପାଖକୁ ଗଲେ । ବ୍ରହ୍ମା ବାସବଙ୍କଠାରୁ ସମ୍ବାଦ ଶୁଣି କୈକେୟୀଙ୍କ ଚିତ୍ତ ବିଭ୍ରମ କଲେ ।

୧୦ ମ ପଦ :- ବିପଣୀ-ବଜାର ।

୧୦ ମ ପଦ :- ରାମ ରାଜା ହେବା ସମ୍ବାଦ ବଜାରରେ ଶୁଣି ମନ୍ଥରା ଶୀଘ୍ର ଫେରି ଆସିଲା । ନେତ୍ର ଦ୍ୱୟରେ ଲୋତକଜଳ ପୂର୍ଣ୍ଣ କରି କଣ୍ଠାଗ୍ରତ ପ୍ରାଣ ହୋଇ ଆସି କୈକେୟୀଙ୍କ ଅଗ୍ରତରେ ଛିନ୍ନବୃକ୍ଷ ପ୍ରାୟ ପତିତ ହେଲା ।

 

ବୋଲେ ଟେକି ଏ କି ଭରତିଜନନୀ ? କହୁଅଛି ତହୁଁ ଜବ।

ବଡ଼ ସୁଭାଗୀ ବୋଲାଉରେ ଶୋଭାଙ୍ଗି ଭାଙ୍ଗିଗଲା ତୋ ଗରବ ।

ବେର କି ହୁଏ ତୋର।

ବିଷ ପ୍ରାୟେ ଘାରେ ମୋ ଶରୀର । ୧୧।

 

ବିବେକୀ ଧାର୍ମିକ ଶୋଭା ପ୍ରଶଂସାରେ ସଂସାରେ ଜଣେ ନ ଗଣ।

ବାଟୁଳି ଯାହାର ବଜ୍ରରୁ ଅଧିକ କି ବର୍ଣ୍ଣିତା ତାର ବାଣ।

ବିଦିତ ସେ ନନ୍ଦନ।

ବୋଲିବୁ ବା ବୟସରେ ସାନ । ୧୨।

 

ବଳିଷ୍ଠ ଦାନବେ ପୂର୍ବଦେବ କହି ଅନୁଜ ଦେବତା ଇନ୍ଦ୍ର।

ବୋଲାଇ ସପତ୍ନୀ ଯେ ଯାହାର ପ୍ରୀତି କେହି ହୋଇ ନାହିଁ ସାନ୍ଦ୍ର ।

ବସା କରି ନୃପତି।

ବୁଦ୍ଧିଥିଲେ ବୋଧି କ୍ଷିତିପତି । ୧୩।

 

ବିହ୍ଵଳିତ ମତି କିତବେ ଅହଲ୍ୟା ଦୂଷଣ ଲଭିଲା ପରି।

ବଦନ ମାଡ଼ି ଶୟନ ସଦନରେ ନୟନରେ ପୂରି ବାରି।

ବିଜେ ନୃପ ଏକାଳେ ।

ବନ୍ଧୁ ବନ୍ଧୁ ବୋଲିଣ ଡାକିଲେ । ୧୪।

 

ବିଷବୈଦ୍ୟ ପଦ ନ ମାନିଲା ପ୍ରାୟେ ସହଜେ ଭୋଗିନୀ ସେହି।

ବହ୍ନି ସେନେହରେ ପତଙ୍ଗ ପ୍ରକାରେ ପାଶେ ପରବେଶ ତହିଁ ।

ବୋଧେ ଚିବୁକ ଧରି।

ବିନା ଦୋଷେ ପ୍ରଣୟିନି ଗୋରି । ୧୫।

 

୧୧ଶ ପଦ :- ଜବ-ଶୀଘ୍ର । ବେର-ଶରୀର, ଦେହ ।

୧୧ଶ ପଦ :- ଭରତ ଜନନୀ କୈକେୟୀ ତାକୁ ଦେଖି ଉଠାଇ କହିଲେ, ‘‘କଥା କ’ଣ ?’’ ଏହା ଶୁଣି ସେ ବେଗରେ କହିଲା, ‘‘ରେ ଶୋଭାଙ୍ଗି ତୁ ପରା ରଜାର ବଡ଼ ସୁଆଗୀ ବୋଲାଉ, ତୋର ସେ ଗର୍ବ (ସେ ସୁଆଗୀପଣ) ଏବେ ଭାଙ୍ଗିଗଲା । ତୋ ଦେହ କ’ଣ ହୁଏ, ତା’ ତୁ ଜାଣୁ, ମାତ୍ର ମୋ ଦେହ ବିଷ ଖାଇଲା ପରି ଘାରି ହେଉଛି ।’’

୧୨ଶ ପଦ :- ‘‘ତୋର ପୁତ୍ର ବିଚାରବନ୍ତ, ଧାର୍ମିକ ଅଟେ । ତା’ ସମାନ ସୁନ୍ଦର ଏ ସଂସାରରେ ଆଉଜଣେ ଅଛି ବୋଲି ମୁଁ ଗଣନା କରୁନାହିଁ । ଯାହାର ବାଟୁଳି ବଜ୍ରରୁ ବେଶି ଟାଣ, ତା’ର ଶରକଥା ବା କ’ଣ ବର୍ଣ୍ଣନା କରିବି ? ସେ ପୁତ୍ର ପ୍ରସିଦ୍ଧି ଲଭିଅଛି । ତୁ ବା କହିବୁ ସେ ବୟସରେ ସାନ ଅଟେ, ମାତ୍ର ତାହା ଯୁକ୍ତିଯୁକ୍ତ ନୁହେଁ ।’’

୧୩ଶ ପଦ :- ପୂର୍ବଦେବ- ଅସୁରମାନେ । ଅନୁଜ-କନିଷ୍ଠ । କ୍ଷିତିପତି-ରାଜା ।

୧୩ଶ ପଦ :- ବଳିଷ୍ଠ ଦୈତ୍ୟମାନେ ଅଗ୍ରଜ ହେଲେହେଁ ସାନଭାଇ ଦେବତା ଇନ୍ଦ୍ର ଅର୍ଥାତ୍‌ ସ୍ୱର୍ଗର ରାଜା ହେଲେ । ସେହିପରି ତୋ ପୁତ୍ର ସାନ ହେଲେ ମଧ୍ୟ ରାଜା ହୋଇପାରେ । ସଉତୁଣୀମାନେ କେବେହେଲେ ସ୍ନେହର ଗାଢ଼ ବନ୍ଧନରେ ଏକତ୍ର ରହି ପାରନ୍ତି ନାହିଁ । ତୋର ବୁଦ୍ଧି ଥିଲେ ତୁ ରାଜାଙ୍କୁ ମନାଇ ପୁତ୍ରକୁ ସିଂହାସନରେ ବସା ।’’

୧୪ଶ ପଦ :- କିତବ-କପଟ । ଦୂଷଣ-ନିନ୍ଦା ।

୧୪ଶ ପଦ :- ଗୌତମ ପତ୍ନୀ ଅହଲ୍ୟା ଇନ୍ଦ୍ରର ମନ୍ତ୍ରଣାରେ ପଡ଼ି ବିଚଳିତ ମତି ହୋଇ ନିନ୍ଦା ପାଇଲା ପ୍ରାୟ, କୈକେୟୀଙ୍କ ବୁଦ୍ଧି ମନ୍ଥରାର ମନ୍ତ୍ରଣାରେ ବିଚଳିତ ହେଲା । (ପରେ ସେ ନିନ୍ଦା ପାଇବେ) ସେ ଗୃହମଧ୍ୟରେ ଲୋତକପୂର୍ଣ୍ଣ ଚକ୍ଷୁରେ ମୁହଁ ତଳେ ମାଡ଼ି ଶୟନ କଲେ । ସେହି ସମୟରେ ନୃପତି ବିଜେ କରି ‘ବନ୍ଧୁରେ ବନ୍ଧୁ’ ବୋଲି ଡାକିଲେ ।

୧୫ଶ ପଦ :- ବିଷବୈଦ୍ୟ-କେଳା । ଭୋଗୀନୀ- ସର୍ପିଣୀ, ପଟ୍ଟମହିଷୀ-ବ୍ୟତୀତ ରାଜାଙ୍କର ଅନ୍ୟ ସ୍ତ୍ରୀ । ବହ୍ମି-ନିଆଁ ।

୧୫ଶ ପଦ :- ‘ଭୋଗିନୀ’ ସର୍ପିଣୀ ସାପୁଆ କେଳାର ମନ୍ତ୍ର ପଦକୁ ନ ଶୁଣିଲା ପରି ସେ ‘ଭୋଗିନୀ’ ରାଜରାଣୀ କୈକେୟୀ ଦଶରଥଙ୍କ ଡାକ ଶୁଣିଲେ ନାହିଁ । ଅଗ୍ନିକୁ ସ୍ନେହ କରି ପତଙ୍ଗ ତହିଁରେ ପ୍ରବେଶ କଲା ପ୍ରାୟ ରାଜା ତାଙ୍କ ପାଖରେ ପ୍ରବେଶ ହେଲେ । (ପତଙ୍ଗ ଅଗ୍ନିରେ ପଡ଼ି ବିନାଶ ହୁଏ, ରାଜା ଭବିଷ୍ୟତରେ ସେହି କୈକେୟୀ ଯୋଗୁଁ ବିନାଶ ହେବେ) । ପରେ କୈକେୟୀଙ୍କ ଚିବୁକ ଧରି କହିଲେ, ‘‘ହେ ପ୍ରଣୟିନି ! ହେ ଗୋରି ! ବିନା ଦୋଷରେ ଏ ଅଭିମାନ କାହିକି ?’’ (ଅଥବା ହେ ଗୋରି ! ଦୋଷ କରିଥିଲେ ମଧ୍ୟ ତୁ ପ୍ରଣୟିନୀ ହେଉ, ଏବେ ବିନା ଦୋଷରେ ରୁଷ୍ଟା ହୋଇଛୁ କାହିଁକି ?)

 

ବିପ୍ରେ ଇନ୍ଧନଦେବୀ ମନ୍ତ୍ରେ ପୂଜିଲେ ସେ ଯଥା ନ କହେ କଥା।

ବଇଦ ହୋଇଲା ପ୍ରାୟେ ସ୍ଵପନରେ ବସି ନ ଟେକିଲା ମଥା ।

ବାରେ ମୋତେ ତୁ ଚାହାଁ।

ବନ୍ଧୁ ଦେବି ମୁଁ ମାଗିବୁ ଯାହା । ୧୬।

 

ବୋଲୁଁ ନରପତି ବୋଇଲା ଯୁବତି ତିନିବାର ସତ୍ୟ କଲେ।

ବୃକାସୁର ତାହା କର ନିଜ ଶିରେ ଯଥା ଦେଲା ହରି ବୋଲେ।

ବିଧି କଲେ ନୃପତି।

ବିଶ୍ଵମୋହିନୀ ନାରୀଙ୍କ ପ୍ରୀତି। ୧୭ ।

 

ବାହିଲି ରଥ ସ୍ତିରୀ ହୋଇ ଶମ୍ବର ସମରେ ନାହିଁ କି ମନ।

ବିହିଲ ସତ୍ୟ ସୂତ ହୋଇ ତୋଷିଲୁ ତୋ ସୂତ ହେବ ରାଜନ ।

ବାଳ ବାଲୁକା ଖେଳ।

ବିଧିରେ ତ ଆନ ତୁମ୍ଭ ବୋଲ । ୧୮।

 

ବସୁଧାପତି ପଦ ରାମେ ଉଚିତ ନୋହେ ସେ ଜାମାତା ତାର ।

ବନେ ହରୁ ଦିନ ଚଉଦବରଷ ପୁତ୍ର ରାଜା ହେଉ ମୋର।

ବାମା ବଚନ ଶୁଣି।

ବିଜ୍ଞାନ ସେ ଜ୍ଞାନ କହେ ବାଣୀ । ୧୯।

 

ବିରୋଚନ ନାରୀ ଛଦ୍ମେ ହୋଇ ହରି ତା ଜୀବ ଯେମନ୍ତ ହରି ।

ବଧ ସଧ କରି ମୋର ସେହିରୂପେ ତୁହି ଥିଲୁ ଅବତରି।

ବୋଲି ଏତେ ମଉନ ।

ବିଭୋଜନେ ହରିଲେ ସେ ଦିନ । ୨୦।

 

୧୬ଶ ପଦ :- ଇନ୍ଧନଦେବୀ-କାଷ୍ଠ ନିର୍ମିତ ଦେବୀ ।

୧୬ଶ ପଦ :- ବ୍ରାହ୍ମଣମାନେ କାଷ୍ଠର ଦେବୀ ପ୍ରତିମାକୁ ମନ୍ତ୍ରପଢ଼ି ପୂଜାକଲେ, ସେ ଯେପରି କଥା କହେ ନାହିଁ ଏବଂ ସ୍ୱପ୍ନରେ ବର ଦାନ କରିଥାଏ, ସେହିପରି କୈକେୟୀ ଉଠି ବସିଲା, ମାତ୍ର ମସ୍ତକ ଟେକିଲା ନାହିଁ । ତାହା ଦେଖି ରାଜା କହିଲେ, ‘‘ରେ ବନ୍ଧୁ ! ଥରେ ମୋତେ ତୁ ଚାହାଁ । ତୁ ଯାହା ମାଗିବୁ ମୁଁ ତାହା ଦେବି ।’’

୧୭ଶ ପଦ :- ଦଶରଥ ଏପରି କହନ୍ତେ, ଯୁବତୀ କୈକେୟୀ କହିଲା, ‘‘ସତ୍ୟ କର ।’’ ନୃପତି ତିନିବାର ସତ୍ୟକଲେ। ଯେପରି ହରିଙ୍କ କଥା ମାନି ବୃକାସୁର ଆପଣା ମସ୍ତକରେ ନିଜର କର ଦେଲା, (ବୃକାସୁର ମହାଦେବଙ୍କଠାରୁ ବର ପାଇଥିଲା ଯେସେ ଯାହା ମୁଣ୍ତରେ ହାତ ଦେବ, ସେ ଭସ୍ମ ହୋଇଯିବ, ବିଷ୍ଣୁଙ୍କ କୌଶଳରେ ନିଜେ ନିଜ ମୁଣ୍ତରେ ହାତ ଦେଇ ଭସ୍ମ ହୋଇଥିଲା) କୈକେୟୀ ବୋଲରେ ଦଶରଥ ସେହିପରି କଲେ । (ନିଜେ ମରିବାର ବାଟ କଲେ) ରମଣୀମାନଙ୍କ ପ୍ରୀତି ବିଶ୍ୱମୋହିନୀ ଅଟେ ।

୧୮ଶ ପଦ :- ସୁତ-ସାରଥି ।

୧୮ଶ ପଦ :- ଦଶରଥ ସତ୍ୟ କରିବାକୁ କୈକେୟୀ କହିଲେ, ‘‘ସମ୍ବରାସୁରର ଯୁଦ୍ଧରେ ମୁଁ ସ୍ତ୍ରୀ ହୋଇ ସୁଦ୍ଧା ସୂତରୂପେ ତୁମ୍ଭର ରଥ ଚଳାଇଲି; ତା’ କ’ଣ ମନେନାହିଁ । ତୁମ୍ଭେ ସେତେବେଳେ ସତ୍ୟ କରିଥିଲ, ତୁ ‘ସୁତ’ ସାରଥି ହୋଇ ମୋତେ ଖୁସି କରିଅଛୁ, ତୋର ‘ସୁତ’ ପୁତ୍ର ରାଜା ହେବ । ପିଲାଙ୍କର ଧୂଳିଘର ଖେଳ ସମାନରେ ତୁମ୍ଭ ସତ୍ୟ ଅନ୍ୟଥା ହେଲା । (ମୋ ପାଖରେ ସତ୍ୟ କରି ରାମଙ୍କୁ ରାଜା କରୁଅଛ) ।’’

୧୯ଶ ପଦ :- ବସୁଧାପତି ପଦ-ରାଜପଦ । ଜାମାତା-ଜ୍ୱାଇଁ । ବିଜ୍ଞାନ-ଜ୍ଞାନଶୂନ୍ୟ । ଜ୍ଞାନେ-ସଂଜ୍ଞା ପାଇ ।

୧୯ଶ ପଦ :- ପୁଣି ମହୀପତି ହେବା ରାମ ପକ୍ଷରେ ଉଚିତ ନୁହେଁ । କାରଣ, ରାମ ପୃଥିବୀର ଜାମାତା (ସୀତା ପୃଥିବୀରୁ ଜାତ,- ଜୂଆଇଁ ହୋଇ ଶାଶୁର ପତି କିପରି ହେବ ?) । ସେ ଚଉଦବର୍ଷ ବନରେ ଦିନ କଟାଉ, ମୋର ପୁତ୍ର ରାଜା ହେଉ ।’’ କୈକେୟୀଙ୍କ ଏହି ବଚନ ଶୁଣି ରାଜା ଅଜ୍ଞାନ ହୋଇ ପଡ଼ିଲେ । ପରେ ଜ୍ଞାନ ଲାଭ କରି କହିଲେ :-

୨୦ଶ ପଦ :- ଛଦ୍ମେ -କପଟରେ । ସଧ- ଇଚ୍ଛା ବା କାମନା । ବିଭୋଜନେ-ଅନାହାରରେ ।

୨୦ଶ ପଦ :- ‘‘ଯେପରି ବିଷ୍ଣୁ କପଟରେ ବିରୋଚନ ରାକ୍ଷସର ନାରୀ ହୋଇ ତା’ର ପ୍ରାଣ ବିନାଶ କରିଥିଲେ, ସେହିପରି ତୁ ମୋର ମୃତ୍ୟକୁ ଶ୍ରଦ୍ଧା କରି ଜନ୍ମ ହୋଇଥିଲୁ ।’’ ଏତେ କହି ସେ ମୌନ ହେଲେ । ସେ ଦିନ ଉପବାସରେ ରହିଲେ ।

 

ବେଳାକୁ ନ ଲଙ୍ଘେ ସତ୍ୟେ ପାରାବାର ଯଥା ତାକୁ ନ ଲଙ୍ଘିଲା।

ବିଷଭକ୍ଷଣେ ବିରୁପାକ୍ଷ ପରାୟେ ମୂକେ ସମ୍ମତ ଦିଶିଲା।

ବଡ଼ ସନ୍ତୋଷ ରାଣୀ।

ବିଜ୍ଞ ଶ୍ରୀରାମ ଡ଼କାଇ ଆଣି । ୨୧।

 

ବଦିଲା ପ୍ରଥମେ ପିତାର ସତ୍ୟକୁ ରଖିବ କି ନାହିଁ ସାଧୁ।

ବଂଶେ ଯାହାର ଭଗୀରଥ ସମ୍ଭବ ଉଦ୍ଧରିଲେ ପିତୃ ଦଗ୍ଧୁଁ ।

ବୋଲେ ରାମ ବହନ।

ବିଷୟ କି କର ଅବଧାନ । ୨୨।

 

ବନେ ତୁମ୍ଭେ ଯିବ ଭରତ ହୋଇବ କୋଶଳପତି କୁଶଳେ ।

ବେଶକୁ ଇଙ୍ଗୁଦୀ ରୁଦ୍ରାକ୍ଷ ବିଭୁତି ଥୋଇଦେଲା ଆଣି ତଳେ ।

ବାଳିଶା ଯେ ମନ୍ଥରୀ ।

ବେଗେ ଶ୍ରୀରାମ ସମ୍ମତି କରି । ୨୩।

 

ବୈଦେହୀ ଲକ୍ଷ୍ମଣ ପ୍ରବେଶ ତକ୍ଷଣ ସଙ୍ଗେ ଯିବାକୁ ଆତୁରେ ।

ବଶିଷ୍ଠାଦି ପାତ୍ରେ ପ୍ରବେଶ ହୋଇଣ ଦଶରଥଙ୍କୁ ପଚାରେ।

ବିଭାବରୀ ପ୍ରାନ୍ତରେ।

ବିଭୁ ହୁଅନ୍ତେ ପରା ରାଜ୍ୟରେ । ୨୪।

 

ବିଭାକରକୁଳେ ନାସତ୍ୟ ହୋଇଲି ସତ୍ୟ କରିବାରେ ମୁହିଁ।

ବିବେକ ମୋର କୈକେୟୀ ପୂର୍ବଜନ୍ମେ ପିଶାଚୀ ଥିଲା କି ହୋଇ।

ବାକ୍ୟ ଯେତେ ମୁଖରେ।

ବୈଶ୍ଵାନରହିଁ ଜଳେ ତହିଁରେ । ୨୫।

 

୨୧ ଶ ପଦ :- ପାରାବାର-ସମୁଦ୍ର । ବେଳା-ତଟଭୂମି । ବିରୂପାକ୍ଷ-ମହାଦେବ ।

୨୧ଶ ପଦ :- ସମୁଦ୍ର ଯେପରି ସତ୍ୟରେ କୂଳକୁ ଲଙ୍ଘେ ନାହିଁ, ସେହିପରି ରାଜା ସତ୍ୟକୁ ଲଙ୍ଘିଲେ ନାହିଁ । ମହାଦେବ ବିଷ ଭକ୍ଷଣ ସମୟରେ ମୌନ ହୋଇ ରହିଲା ପରି (ମୌନ ରହିବାରୁ ବିଷ ଭକ୍ଷିବାକୁ ସମ୍ମତ ଥିବାର ପ୍ରକାଶ ପାଇଲା) ଦଶରଥ ତୁନୀହୋଇ ରହିବାରୁ ତାଙ୍କର ସମ୍ମତି ପ୍ରକାଶ ପାଇଲା । ରାଣୀ ତାହା ଜାଣିପାରି ବଡ଼ସନ୍ତୋଷ ହେଲେ ଏବଂ ଜ୍ଞାନୀ ରାମଚନ୍ଦ୍ରଙ୍କୁ ଡକାଇ ଆଣିଲେ ।

୨୨ଶ ପଦ :- ରାମଚନ୍ଦ୍ର ଆସିବାରୁ କୈକେୟୀ ପ୍ରଥମରୁ କହିଲେ, ‘‘ହେ ସାଧୁ ! ତୁମ୍ଭେ ପିତାଙ୍କ ସତ୍ୟକୁ ରଖିବ କି ନାହିଁ ? ଯାହାର ବଂଶରେ ଭଗୀରଥ ଜାତ ହୋଇ (କପିଳମୁନିଙ୍କ କୋପ ନଳରେ) ଦଗ୍‌ଧ ହେଉଥିବା ପିତ୍ରୃଲୋକଙ୍କୁ ଉଦ୍ଧରିଥିଲେ, ତୁମ୍ଭେ ସେହି ବଂଶରେ ଜନ୍ମ ହୋଇଅଛ ।’’ ଏହି ଶୁଣି ରାମ ଚଞ୍ଚଳ କହିଲେ, ‘‘କଥା କଅଣ ? ମୋତେ କୁହ ।’’

୨୩ଶ ପଦ :- କୋଶଳପତି-ଅଯୋଧ୍ୟାରାଜା । ଇଙ୍ଗୁଦୀ-ତୈଳପ୍ରସୁ ବୃକ୍ଷ ବିଶେଷ ।

୨୩ଶ ପଦ :- ରାମଙ୍କ ପ୍ରଶ୍ନ ଶୁଣି କୈକେୟୀ ଉତ୍ତର ଦେଲେ, ‘‘ତୁମ୍ଭେ ବନକୁ ଯିବ, ଭରତ କୁଶଳରେ ଅଯୋଧ୍ୟାର ରାଜା ହେବ ।’’ ସେହି ସମୟରେ ପାପିଷ୍ଠା ମନ୍ଥରା ତପସ୍ୱୀ ବେଶ ହେବା ନିମିତ୍ତ ଇଙ୍ଗଦୀ ଓ ରୁଦ୍ରାକ୍ଷର ମାଳା, ଭସ୍ମ ଆଣି ତଳେ ଥୋଇଦେଲା । ଶ୍ରୀରାମ ସମ୍ମତି ପ୍ରକାଶ କଲେ ଅର୍ଥାତ୍‌ ସେ ମାଳା ଓ ଭସ୍ମ ଗ୍ରହଣ କଲେ ।

୨୪ ଶ ପଦ :- ବିଭାବରୀ-ରାତ୍ରି । ପ୍ରାନ୍ତରେ-ଶେଷରେ। ବିଭୁ-ରାଜା ।

୨୪ଶ ପଦ :- ରାମଚନ୍ଦ୍ର ବନକୁ ଯିବା ଶୁଣି ସୀତା ଓ ଲକ୍ଷ୍ମଣ ଦୁହେଁ ତାଙ୍କ ସହିତ ବନକୁ ଯିବା ପାଇଁ ବ୍ୟାକୁଳ ଭାବରେ ସେଠାରେ ପ୍ରବେଶ କଲେ । ସେହି ସମୟରେ ବଶିଷ୍ଠାଦି ପାତ୍ରମାନେ ପହଞ୍ଚି ଦଶରଥଙ୍କୁ ପଚାରିଲେ, ‘‘ରାତ୍ରର ଶେଷରେ ରାମ ରାଜ୍ୟରେ ପ୍ରଭୁ ହେବେ ପରା ?’’ ( ଏ ତପସ୍ୱୀ ବେଶ କାହିଁକି ହେଲେ) ?

୨୫ଶ ପଦ :- ବିଭାକରକୂଳେ-ସୂର୍ଯ୍ୟବଂଶରେ । ନାସତ୍ୟ-ଅଶ୍ୱିନୀ କୁମାର ଅର୍ଥାତ୍‌ ଘୋଡ଼ାମୁହାଁ ପୁଅ । ବୈଶ୍ୱାନର-ଅଗ୍ନି ।

୨୫ଶ ପଦ :- ରାଜା ଉତ୍ତର ଦେଲେ, ‘‘ସୂର୍ଯ୍ୟବଂଶରେ ମୁଁ ସତ୍ୟ କରିବାରେ ‘ଅଶ୍ୱିନୀ କୁମାର’ ଅର୍ଥାତ୍‌ ଘୋଡ଼ାମୁହାଁ ହେଲି (କୁଳ ନାଶବେଳେ ଘୋଡ଼ାମୁହାଁ ପୁଅ ଜାତ)। ମୋର ମନେହୁଏ, ପୂର୍ବ ଜନ୍ମରେ କୈକେୟୀ ପିଶାଚୀ ହୋଇଥିଲା । ପିଶାଚୀ ମୁଖରୁ ଅଗ୍ନି ନିର୍ଗତ ହେଲା ପ୍ରାୟ କୈକେୟୀ ମୁଖରୁ ଯେତେ କଥା ବାହାରେ, ତହିଁରେ ଅଗ୍ନି ଜଳୁଅଛି । (ସେ କଥା ଅଗ୍ନି ପ୍ରାୟ ଦଗ୍‌ଧ କରୁଅଛି) ।

 

ବିଦୁଷେ ଧୀରେ ରାଜା ଗିରେ କହିଲେ ଏ କଥା ପ୍ରମାଣ ହେବ।

ବାହୁଜବ୍ରତ ଫଳଦ ଧର୍ମଦତ୍ତ ଦେବ ଦରଶନେ ଥିବ ।

ବଇକୁଣ୍ଠ ପ୍ରତିମ।

ବସତିରେ ଦେବୀ ହେଲା କ୍ଷମ । ୨୬।

 

ବଧିରା ପ୍ରାୟେ ଯହିଁ ଲୟ ଆବେଶ ତହିଁ ସେ କାହିଁ ନ ରସେ।

ବହନ ଗହନଗାମୀ ହେଉ ରାମ ଶିଶୁପାଠ ପରା ଘୋଷେ।

ବଳିଭୁଜ ଯେସନ ।

ବନପ୍ରିୟମଧ୍ୟେ କରେ ସ୍ଵନ । ୨୭।

 

ବଂଶନଳୀରେ ରଖି ଲେଖି ବସନ ଦେଲେ ସୀତା ପାଇଁ ଆଣି।

ବହିଲେ ସେ ପାତ୍ର ଲକ୍ଷ୍ମଣ ଇକ୍ଷ୍ଵାକୁ କୁଳର ଯେ ଚୂଡ଼ାମଣି ।

ବାହାରିଲେ ସେ ତିନି।

ବଧୂ ବୋଧନ୍ତି ରାମଜନନୀ । ୨୮।

 

ବିପିନରେ ପୀନଉରଜା ଅପୂର୍ବ ଦ୍ରବ୍ୟ ଦେଖି ନ ମାଗିବୁ।

ବେନି ସହୋଦର ମଧ୍ୟରେ ଆଦର ବିପଥରେ କରିଥିବୁ।

ବାଷ୍ପେ ତିନ୍ତିଲା ଉର।

ବାଣୀ ନ ସ୍ଫୁରେ କଣ୍ଠୁ ତାଙ୍କର । ୨୯।

 

ବୋଇଲେ ସୁମିତ୍ରା ପୁତ୍ରେ ସେବିଥିବୁ ଶ୍ରୀରାମ ମାନସ ଜାଣି ।

ବିନିଦ୍ରେ ସର୍ବ ଶର୍ବରୀକି ହରିବୁ ହୋଇ ଧନୁଶରପାଣି ।

ବଧୂ ଯାଉଛି ସଙ୍ଗେ।

ବଡ଼ମାୟାବୀ ରାକ୍ଷସପୁଙ୍ଗେ । ୩୦।

 

୨୬ଶ ପଦ :- ବିଦୁଷେ-ପଣ୍ତିତମାନେ ।

୨୬ଶ ପଦ :- ରାଜାଙ୍କ କଥା ଶୁଣି ପଣିତମାନେ (ବଶିଷ୍ଠାଦି ପାତ୍ରମାନେ) ଧୀର ଭାବରେ କହିଲେ, ‘‘ଏ ଯାହା କହିଲ, ତା’ ପ୍ରମାଣ । ଧର୍ମଦତ୍ତ ବ୍ରାହ୍ମଣ ଦେବ ଦର୍ଶନକୁ ଗଲାବେଳେ କାର୍ତ୍ତିକବ୍ରତ ଫଳ ପିଶାଚୀକୁ ଦାନ କରିଥିଲେ । ବୋଧହୁଏ ସେହି ଫଳ ଲାଭ ହେତୁ କୈକେୟୀ ବୈକୁଣ୍ଠ ସଦୃଶ ଅଯୋଧ୍ୟା ନଗରୀରେ କୁଶଳରେ ବାସ କଲା ।’’

୨୭ଶ ପଦ :- ଗହନଗାମୀ-ବନଗାମୀ । ବଳିଭୁକ-କୁଆ । ବନପ୍ରିୟ-କୋକିଳ ।

୨୭ଶ ପଦ :- ଯେପରି ବଧିରା ସ୍ତ୍ରୀର ମନ ଯେଉଁଥିରେ ଲାଗିଥାଏ, ସେ ସେହି ବିଷୟରେ ରତ ଥାଏ, ଆଉ କାହିଁରେ ରସେ ନାହିଁ; ସେହିପରି କୈକେୟୀ ‘ରାମ ଶୀଘ୍ର ବନକୁ ଯାଉ’ କେବଳ ଏହିକଥା ଶିଶୁ ପାଠ ଘୋଷିଲା ପ୍ରାୟ କାକ ଯେପରି କୋକିଳଙ୍କ ମଧ୍ୟରେ ରାବ କରେ ସେହିପରି ସଉତୁଣୀଙ୍କ ମଧ୍ୟରେ ଘୋଷି ହେଲା ।

୨୮ଶ ପଦ :- କୈକେୟୀ ବାଉଁଶ ନଳରେ ରଖି ସୀତାଙ୍କର ପିନ୍ଧିବା ପାଇଁ ଚଉଦ ବର୍ଷ ଲାଗି ଲୁଗାମାନ ଆଣି ଦେଲା । ଈକ୍ଷ୍ୱାକୁବଂଶର ଶିରୋମଣି ରାମଚନ୍ଦ୍ର ଓ ଲକ୍ଷ୍ମଣ ‘ଇକ୍ଷ୍ୱାକୁପାତ୍ର’ ତୁମ୍ବାପାତ୍ର ଓ ଲୁଗାଥିବା ବାଉଁଶ ନଳୀ ଧଇଲେ । ରାମ, ଲକ୍ଷ୍ମଣ ଓ ସୀତା ତିନିଜଣ ବନକୁ ଯିବାକୁ ବାହାରିଲେ । ତାହା ଦେଖି ଶ୍ରୀରାମଙ୍କ ମାତା କୌଶଲ୍ୟା ବଧୂ ସୀତାଙ୍କୁ ବୋଧକରି କହିଲେ, -

୨୯ଶ ପଦ :- ପୀନଉରଜା-ପୃଥିବୀ ସମ୍ଭୁତା ।

୨୯ଶ ପଦ :- ‘‘ଗୋ ପୃଥିବୀସମ୍ଭୂତା ସୀତେ ! ଅରଣ୍ୟ ମଧ୍ୟରେ ଅପୂର୍ବ ପଦାର୍ଥ ଦେଖିଲେ ମାଗିବୁ ନାହିଁ । (କୌଣସି ଅପୂର୍ବ ଜିନିଷ ପ୍ରତି ଆଶା କରିବୁ ନାହିଁ) । ଦୁର୍ଗମ ପଥରେ ଗଲାବେଳେ ରାମ ଓ ଲକ୍ଷ୍ମଣ ବେନି ସହୋଦରଙ୍କ ମଧ୍ୟରେ ଯିବୁ । (ତାଙ୍କ ପାଖରୁ ଅଲଗା ହେବୁ ନାହିଁ) ।’’ ଏହା କହୁ କହୁ ଲୋତକରେ ତାଙ୍କର ବକ୍ଷ ତିନ୍ତିଗଲା । ଶୋକରେ ପ୍ରାବଲ୍ୟ ହେତୁ ପାଟିରୁ କଥା ବାହାରିଲା ନାହିଁ ।

୩୦ଶ ପଦ :- ଶର୍ବରୀ-ରାତ୍ରି । ମାୟାବୀ-କପଟୀ । ରାକ୍ଷସ ପୁଙ୍ଗେ-ରାକ୍ଷସ ସମୁହ ।

୩୦ଶ ପଦ :- ସୁମିତ୍ରା ତାଙ୍କ ପୁତ୍ର ଲକ୍ଷ୍ମଣଙ୍କୁ କହିଲେ, ‘‘ରାମର ମନ ଜାଣି ସେବିଥିବୁ । ସମସ୍ତ ରାତ୍ରି ଅନିଦ୍ରାରେ ରହି ଧନୁଶର ଧରିୁ ଜଗି ବସିଥିବୁ ! ବଧୁ ସୀତା ସଙ୍ଗତରେ ଯାଉଛି । ବନରେ ବଡ଼ ମାୟାବୀ ରାକ୍ଷସମାନେ ଅଛନ୍ତି । (ତେଣୁ ସର୍ବଦା ଧନୁଶର ଧରି ଜଗି ରହିଥିବୁ)।

 

ବିମାନେ ବସାଇ ନେବାରେ ସୁମନ୍ତ୍ର ଯିବାରେ ଦେଖିଲେ ଜନେ।

ବିସ୍ମୟ ହୋଇଲେ ପଛେ ଗୋଡ଼ାଇଲେ ନିନ୍ଦା ବିହିଲେ ରାଜନେ ।

ବୃଦ୍ଧ ସମୟେ କିପାଁ ।

ବାମାଠାରେ ଏଡେ଼ ଅନୁକମ୍ପା । ୩୧।

 

ବୈଶାଖ ହୋଇଲା ମନ୍ଥରା ଅଯୋଧ୍ୟା-ଭାଣ୍ଡେ ଥିଲା କ୍ଷୀର ପୂରି।

ବଲ୍ଲବୀ କୈକେୟୀ ମନ୍ଥନରୁ ନବନୀତ ବିଶେଷ ବାହାରି।

ବନବାସିଙ୍କି ଦେଇ।

ବହୁଲୋଚନ ଅଶନ ପାଇଁ । ୩୨।

 

ବାକି ମନ୍ଦପଣତକ୍ରଚକ୍ର ଥୋଇ ହୃଦ ପିଞ୍ଜରେ ଆସକ୍ତେ ।

ବ୍ୟକ୍ତ ଲୋକରେ ଶ୍ରବଣେ ପାନ କରି ଛି ଛି ତ କରିବେ ତିକ୍ତେ ।

ବୋଲାବୋଲି ଏମନ୍ତ।

ବିରକତେ ସମସ୍ତ ଶୋକିତ । ୩୩।

 

ବୃକ୍ଷରାଜ ପରି ସାକେତ ନଗରୀ କରି ଅଲକ୍ଷ୍ମୀ ଆଶ୍ରିତ।

ବାର ରବିର କୈକେୟୀ ଆୟତ୍ତରୁ ଅସ୍ପରଶ ହେଲା ମତ।

ବଳ ଦଳ ଚଳନ।

ବଶ ମନ୍ଥରା କରିଣୀ ମନ । ୩୪।

 

ବଳି ତାମସୀ ନଦୀକି ବନେ ପଶି ସେ ଦିନ ତହିଁ ରହିଲେ।

ବାର୍ତ୍ତା ପାଇ ଶୃଙ୍ଗବେର ପତି ମିଳେ ପୁଚ୍ଛୁଁ ସୁମନ୍ତ୍ର କହିଲେ।

ବୋଲେ ଶବରଈଶ ।

ବାଣ୍ଟି ନ ଦେଲେ କିପାଇଁ ଦେଶ ? । ୩୫।

 

Unknown

ସପ୍ତଦଶ ଛାନ୍ଦ

 

୩୧ଶ ପଦ :- ବାମା-ସ୍ତ୍ରୀ, ଭାର୍ଯ୍ୟା । ଅନୁକମ୍ପା-ଦୟା ।

୩୧ଶ ପଦ :- ତତ୍ପରେ ସୁମନ୍ତ୍ର ମନ୍ତ୍ରୀ ରାମ, ଲକ୍ଷ୍ମଣ ଓ ସୀତାଙ୍କୁ ବିମାନରେ ହସାଇ ବନକୁ ନିଅନ୍ତେ ଲୋକମାନେ ତାହା ବିସ୍ମିତ ହୋଇ ଦେଖିଲେ । ରଥ ପଛରେ ଗୋଡ଼ାଇ ଗୋଡ଼ାଇ ଯାଇ ରାଜାଙ୍କୁ ନିନ୍ଦା କରି କହିଲେ, ‘‘ଏ ବୁଢ଼ା ଦିନେ ରାଜାର ସ୍ତ୍ରୀଠାରେ ଏତେ ଅନୁଗ୍ରହ କାହିଁକି ହେଲା ?’’

      ୩୨ଶ ପଦ :- ବୈଶାଖ-ଖୁଆଦଣ୍ତ ବା ମନ୍ଥନ ଦଣ୍ତ । ବଲ୍ଲବୀ-ଗୋପାଳୁଣୀ । ନବନୀତ-ଲହୁଣୀ । ଅଶନ-ଭୋଜନ ।

୩୨ଶ ପଦ :- ‘କୈକେୟୀ ଗୋପଳୁଣୀରୂପରେ ମନ୍ଥରା ରୂପ ଖୁଆଦଣ୍ତଦ୍ୱାରା ଅଯୋଧ୍ୟା ଭାଣ୍ତରେ ଥିବା ସ୍ନେହ ସୌହାର୍ଦ୍ଦ୍ୟ ରୂପ କ୍ଷୀରକୁ ମନ୍ଥନ କରି ତହିଁରୁ ଉଦ୍ଭବ ରାମ ଲକ୍ଷ୍ମଣ ସୀତା ରୂପ ଲହୁଣୀକୁ ବନବାସୀ ଋଷିମାନଙ୍କୁ ବହୁଲୋଚନରେ ଭୋଜନ କରିବା ନିମିତ୍ତ ଦେଲା । (ଋଷିମାନେ ବହୁତ ଲୋଚନରେ ଦେଖି ସୁଖୀ ହେବ; ଏ ଭାଗ୍ୟ ତାଙ୍କର ଅଛି ମାତ୍ର ଅଯୋଧ୍ୟାବାସୀଙ୍କର ନାହିଁ) ।

ଅନ୍ୟାର୍ଥ :- ‘ବହୁଲୋଚନ’ ଇନ୍ଦ୍ର, ଶିବ, ବ୍ରହ୍ମାଦି ଦେବତାମାନଙ୍କର ‘ଅଶ’ ଅମଙ୍ଗଳ ନ ହେବା ପାଇଁ ଅର୍ଥାତ୍‌ ରାବଣ ବଧ ପାଇଁ ବନଙ୍କୁ ପଠାଇଲା ।

୩୩ଶ ପଦ :- ତକ୍ରଚକ୍ର-ଘୋଳଦହି ସମୂହ ।

୩୩ଶ ପଦ :- ‘‘ଅବଶିଷ୍ଟ ମନ୍ଦସ୍ୱଭାବରୂପ ଘୋଳଦହିକୁ ଅଯୋଧ୍ୟା ଲୋକଙ୍କ ହୃଦୟରୂପ ପିତ୍ତଳ ପାତ୍ରରେ ଘୋଡ଼ାଇ ଥୋଇଦେଲେ । ତାହା ପିତ୍ତଳ ପାତ୍ରରେ ରହି ଉକୁଟି ଯିବା ଦ୍ୱାରାଲୋକେ ପାନ କଲେ ପିତା ଲାଗିବ । ତେଣୁ ସେମାନେ ତାହା ଛି ଛି କରିବେ । (ଲହୁଣୀ ବନକୁ ଗଲା, କୈକେୟୀର ଏହି ମନ୍ଦପଣ ଅଯୋଧ୍ୟାରେ ରହିଲା, ଲୋକେ ସବୁ ଦିନ ତାହା ଶୁଣି ତାକୁ ଛି ଛି କରି ଧିକ୍‌କାରୁ ଥିବେ) । ଏମନ୍ତ ବିରକ୍ତ ଭାବରେ ବୋଲାବୋଲି ହୋଇ ସମସ୍ତେ ଶୋକାକୁଳ ହୋଇ ପଡ଼ିଲେ ।

୩୪ଶ ପଦ :- ବୃକ୍ଷରାଜ-ଅଶ୍ୱତ୍‌ଥ । ସାକେତ ନଗରୀ-ଅଯୋଧ୍ୟାପୁରୀ ।

୩୪ଶ ପଦ :- ଅଯୋଧ୍ୟା ନଗରୀ ଅଶ୍ୱତ୍‌ଥ ବୃକ୍ଷ ପ୍ରାୟ ହେଲା । ଅଶ୍ୱତ୍‌ଥ ବୃକ୍ଷରେ ଅଲକ୍ଷ୍ମୀ ଆଶ୍ରୟ କରି ରହିଥିବାରୁ ତାହା ରବିବାର ଦିନ ଅସ୍ପୃଶ୍ୟ ଅଟେ । ସେହିପରି ଅଯୋଧ୍ୟା ନଗରୀକୁ କୈକେୟୀ ରୂପୀ ରବିବାର ଆଶ୍ରୟ କରି ରହି ଥିବାରୁ ତାହା ଅସ୍ପୃଶ୍ୟ ଅଟେ । (ଅଯୋଧ୍ୟାରେ ଆଉ ରହିବାକୁ କେହି ଇଛା କରୁନାହାଁନ୍ତି,- ରଥ ପଛରେ ଗୋଡ଼ାଉ ଅଛନ୍ତି) । ଅଶ୍ୱତ୍‌ଥ ପତ୍ର ହଲିଲେ ହସ୍ତିନୀ ଯେପରି ବଶ ହୁଏ, ସେହିପରି ରାମଙ୍କ ବନଗମନ ସମୟରେ ସୈନ୍ୟବଳ ସବୁ ଅଯୋଧ୍ୟାରେ ନ ରହି ରଥ ପଛରେ ଗୋଡ଼ାଇବାରୁ ମନ୍ଥରା ଆନନ୍ଦିତା ହେଲା ।

୩୫ଶ ପଦ :- ଶୃଙ୍ଗବେର ପତି-ଗୁହଶବର । ଶବର ଈଶ-ଶଦରରାଜ ।

୩୫ଶ ପଦ :- ତମସା ନଦୀକି ବଳି ଯାଇ ସୁମନ୍ତ୍ର ରାମ, ଲକ୍ଷ୍ମଣ ଓ ସୀତା ସହିତ ବନରେ ପଶି ସେ ରାତିରେ ସେଠାରେ ରହିଲେ । ଶୃଙ୍ଖବେର ରାଜା ଗୁହଶବର ଖବର ପାଇ ଆସି ସେଠାରେ ପହଞ୍ଚିଲେ । ସେ ପଚାରିବାରୁ ସୁମନ୍ତ୍ର ସବୁ କଥା ବୁଝାଇ କହିଲେ । ତାହା ଶୁଣି ଶବରରାଜ କହିଲେ, ‘‘ରାଜା ଦେଶକୁ ବାଣ୍ଟି ନ ଦେଲେ କାହିଁକି ?’’ (ଦେଶ ଭାଇମାନଙ୍କୁ ବାଣ୍ଟି ଦେଇଥିଲେ ରାମ ତ ବନକୁ ଯାଆନ୍ତେ ନାହିଁ) ।

 

ବାଣ୍ଟିଲେ ଯେ ଛଳେ ଏ ବନ ନଗରେ ଭବନ ନଗରେ ସେହି ।

ବ୍ୟକ୍ତି ବ୍ୟକ୍ତି ହୋଇ ସାନୁଜଯୁଗଳ ଅନୁସରଣକୁ ବିହି ।

ବଞ୍ଚିଲେ ସେ ଶର୍ବରୀ।

ବେଢ଼ି ସୈନ୍ୟ ରାଜଧାନୀ ପରି । ୩୬।

 

ବତିଶ ଅବତାରେ ଏକ କପିଳ ପୁଣି ସେ ଛବି ଲମ୍ପଟ।

ବଟକ୍ଷୀରେ ଜଟ କରି ପରକଟ ପିନ୍ଧିଲେ ବକଳପଟ ।

ବାହେ ଇଙ୍ଗୁଦୀମାଳ ।

ବହେ କର୍ଣ୍ଣେ ରୁଦ୍ରାକ୍ଷ କୁଣ୍ଡଳ । ୩୭।

 

ବୋଳିହେଲେ ଭସ୍ମ ନର ନାରାୟଣ ପ୍ରାୟ ବେନିଭାଇ ଦିଶେ ।

ବଦରିକା ବନ ଭାବକୁ ସେ ବନ ସେବନ କଲା ରଭସେ।

ବିକଳିତ ରଞ୍ଜନ।

ବିକଳିତ ଦେଖି ହେଲେ ଜନ । ୩୮।

 

ବାହୁଡ଼ା ନଗ୍ରକୁ ବୋଲୁଁ ଯେ ଘେନିଲେ ବେଢ଼ି ଗତି ଅତି ତ୍ଵରା ।

ବସନ୍ତଗୁଣ୍ଡିଚା ଏକାମ୍ରବନେ କି ଯାତ୍ରୀ ଅନୁଗତ ପରା।

ବିଧୁଚୂଡ଼ ଗଉରୀ ।

ବିଭାତିକି ରାମ ସୀତା ଧରି । ୩୯।

 

ବିଲେପନ ଭୂତି ଏଣୁ ଶୁଭ୍ରକାନ୍ତି ଚନ୍ଦ୍ରାର୍ଦ୍ଧ ଛବି ମୁକୁଟ।

ବରବର୍ଣ୍ଣିନୀ ନାନାରତ୍ନଭୁଷଣୀ ପାରୁଶରେ ଝଟ ଝଟ ।

ବାହକ ଯେ ସୁମନ୍ତ୍ର।

ବ୍ରହ୍ମଚାରୀ ଲକ୍ଷ୍ମଣ ବିନତ । ୪୦।

 

୩୬ଶ ପଦ :- ସୁମନ୍ତ୍ର ଛଳ ବାକ୍ୟରେ ଉତ୍ତର ଦେଲେ, ‘‘ରାଜା ଦେଶକୁ ଭାଇମାନଙ୍କ ମଧ୍ୟରେ ବାଣ୍ଟି ଦେଲେ ତ । ରାମଚନ୍ଦ୍ର ପର୍ବତସଙ୍କୁଳ ଅରଣ୍ୟ ଭାଗରେ ରହିବେ, ଭରତ ଗୃହପୂର୍ଣ୍ଣ ନଗରରେ ରହିବେ । ସାନ ଦୁଇଭାଇ ଅର୍ଥାତ୍‌ ଲକ୍ଷ୍ମଣ ଓ ଶତ୍ରୁଘ୍ନ ଜଣ ଜଣ ହୋଇ ଦୁହିଙ୍କ ପାଖରେ ଅନୁସରଣ କରି ରହିବେ ।’’ ରାମଲକ୍ଷ୍ମଣାଦି ସେ ରାତ୍ର ସେଠାରେ କଟାଇଲେ ଓ ରାଜଧାନୀରେ ସୈନ୍ୟ ବେଢ଼ି ରହିଲା ପରି ସେଠାରେ ସୈନ୍ୟମାନେ ବେଢ଼ି ରହିଲେ।

୩୭ଶ ପଦ :- ବିଷ୍ଣୁଙ୍କର ବତିଶ ଅବତାର ମଧ୍ୟରେ କପିଳ ଅବତାର ଗୋଟିଏ । ରାମଚନ୍ଦ୍ର ସେହି ଅବତାରରେ ଅର୍ଥାତ୍‌ କପିଳ ଋଷିଙ୍କ ବେଶରେ ଆସକ୍ତ ହୋଇ ବଟକ୍ଷୀରରେ ଜଟା ବାନ୍ଧିଲେ ଓ ବୃକ୍ଷର ବକ୍‌କଳ ରୂପ ବସ୍ତ୍ର ପିନ୍ଧିଲେ। ଇଙ୍ଗୁଦୀମାଳ ବାହୁରେ ବାନ୍ଧି ରୁଦ୍ରାକ୍ଷ କୁଣ୍ତଳକୁ କର୍ଣ୍ଣରେ ବହିଲେ ।

୩୮ଶପଦ :- ରଭସେ -ଶୀଘ୍ର । ବିକଳିତ-ଯାହା କଳ୍ପନା କରି ହେବ ନାହିଁ ।

୩୮ଶ ପଦ :- ଅନନ୍ତର ରାମଲକ୍ଷ୍ମଣ ବେନି ଭାଇ ଭସ୍ମ ବୋଳି ହେଲେ, ତେଣୁ ନରନାରାୟଣ ଋଷି ପ୍ରାୟ ଦେଖାଗଲେ । ତତ୍‌କ୍ଷଣାତ୍‌ ସେ ବନ ବଦରିକାଶ୍ରମର ଭାବକୁ ପ୍ରାପ୍ତ ହେଲା । (ବଦାରିକାଶ୍ରମରେ ନରନାରାୟଣ ଋଷି ଅବସ୍ଥାନ କରିଥାନ୍ତି) । ରାମ ଲକ୍ଷ୍ମଣଙ୍କର ଶୋଭା ସେ ସମୟରେ କଳି ହେଲାନାହିଁ (ସେ ଅତ୍ୟନ୍ତ ସୁନ୍ଦର ଦିଶିଲେ; ଲୋକମାନେ ତାହା ଦେଖି ବ୍ୟାକୁଳିତ ହେଲେ ।)

୩୯ଶ ପଦ :- ବସନ୍ତଗୁଣ୍ତିଚା-ଚୈତ୍ର ଗୁଣ୍ତିଚା । ଏକାମ୍ର ବନେ-ଭୁବନେଶ୍ୱରରେ । ବିଧୁଚୂଡ଼ା-ମହାଦେବ । ଗଉରୀ-ପାର୍ବତୀ । ବିଭାତି-ଶୋଭା ।

୩୯ଶ ପଦ :- ଶ୍ରୀରାମଚନ୍ଦ୍ର ପ୍ରଜାଙ୍କୁ ‘‘ନଗରକୁ ଫେରିଯାଅ’’ ଏହା କହିବାରୁ, ସେମାନେ ତାହା ଶୁଣିଲେ ନାହିଁ । ରଥକୁ ଘେରି ଚଞ୍ଚଳ ଗତିରେ ଗମନ କରନ୍ତେ ତାହା ଭୁବନେଶ୍ୱରର ଅଶୋକାଷ୍ଟମୀ ଯାତ୍ରା ପରି ଶୋଭା ପାଇଲା । (ଅଶୋକାଷ୍ଟମୀ ଯାତ୍ରାରେ ରଥ ଚାଲିଲେ ତାହାର ଚାରିଆଡ଼େ ବହୁତ ଯାତ୍ରୀ ଘେରି ଚାଲୁଥାନ୍ତି) । ରାମ ଓ ସୀତା ମହାଦେବ ଓ ପାର୍ବତୀ ପରି ସେ ରଥରେ ଶୋଭା ପାଇଲେ ।

୪୦ ପଦ :- ମହାଦେବ ଶୁକ୍ଲକାନ୍ତି ବିଶିଷ୍ଟ, ଭସ୍ମ ବିଲେପିତ ଓ ଶିରରେ ଅର୍ଦ୍ଧ ଚନ୍ଦ୍ରର ମୁକୁଟ ଧାରଣ କରିଥାଆନ୍ତି, ସେହିପରି ରାମ ଭସ୍ମ ବୋଳିହୋଇ ଥିବାରୁ ଶୁଭ୍ରକାନ୍ତି ବିଶିଷ୍ଟ ହୋଇଅଛନ୍ତି ଓ ତାହାଙ୍କ ଶରରେ ଅର୍ଦ୍ଧଚନ୍ଦ୍ରାକୃତି ମୁକୁଟ ଶୋଭା ପାଉଅଛି । ସୁବର୍ଣ୍ଣବର୍ଣ୍ଣା ନାନା ରତ୍ନାଳଙ୍କାର ଭୂଷିତା ପାର୍ବତୀ ଶିବଙ୍କ ପାର୍ଶ୍ୱରେ ଝଟ ଝଟ ଦିଶିଲା ପରି ଉତ୍ତମବର୍ଣ୍ଣା ବିବିଧ ରତ୍ନାଳଙ୍କାର ମଣ୍ତିତା ସୀତା ରାମଙ୍କ ପାର୍ଶରେ ଶୋଭା ପାଉଅଛନ୍ତି । ଶିବଙ୍କ ରଥବାହକ ‘ସୁମନ୍ତ୍ର’ ଅର୍ଥାତ୍‌ ରଥଚାଳନ ମନ୍ତ୍ରଣାରେ ଦକ୍ଷ ଓ ଏ ରଥ ଚାଳକ ସୁମନ୍ତ୍ର ମନ୍ତ୍ରୀ । ଶିବଙ୍କ ପାଶରେ ବ୍ରହ୍ମଚାରୀମାନେ ଆନନ୍ଦ ହେଲା ପ୍ରାୟ ରାମଙ୍କ ସମୀପରେ ବ୍ରହ୍ମଚାରୀ ଲକ୍ଷ୍ମଣ ବିଦ୍ୟମାନ ।

 

ବିଶ୍ରାମନ୍ତେ କିଛିଦୂରେ କହେ ନରେ ବନରେ ରଚିବା ପୁର।

ବପ୍ତା ଦେଇଛନ୍ତି ଦଣ୍ଡକରେ ପୂର୍ବେ ନ ଥିଲା କି ଦଣ୍ଡଧର ।

ବୋଲ ତାଙ୍କର ମାନ।

ବର୍ତ୍ତୁଁ ଆମ୍ଭେ ହୋଇ ପ୍ରଜାଜନ । ୪୧।

 

ବକ୍ତବ୍ୟ ରାଘବ ଏଥି ଅନୁରୂପ ପ୍ରଜା ଚତୁରଙ୍ଗଛନ୍ତି ।

ବତ୍ସକସହ ସୁରଭି ପୟୋଧର ବ୍ରଜବ୍ରଜ ଝଟକନ୍ତି।

ବୃତ ସୁନାରୀଚୟ ।

ବିହରନ୍ତି କେତେ ତନ୍ତୁବାୟ । ୪୨ ।

ବ୍ୟୁତପନ ରଥ ଗନ୍ଧର୍ବ ଉଟଜେ କରିବାର ବିହାରକୁ।

ବିଧିରେ ଶାଖୀ ଫଳକଧାରୀ ଶୋଭା ଆମ୍ଭ ପ୍ରତିପାଳନକୁ।

ବୋଲି ମଉନ ହେଲେ।

ବଞ୍ଚାଇ ସେ ପଥ ରାତ୍ରୁଁ ଗଲେ । ୪୩।

 

ବାହି ସୁମନ୍ତ୍ର ବିମାନ ରାମ ଆଜ୍ଞାବଶେ ଅଯୋଧ୍ୟା ଗମନ।

ବାହୁଡ଼ିଲେ ଜନେ ସେ ଚକ୍ରଚିହ୍ନକୁ ଗୋଡ଼ାଇ ହରଷ ମନ।

ବଶ ମୃଗତୃଷ୍ଣାରେ।

ବାରି ବୁଦ୍ଧି ଯଥା ମୃଗ କରେ । ୪୪।

 

ବେଗି ଉଦବେଗୀ ହୋଇ ପରବେଶ ଭରଦ୍ଵାଜ ଆଶ୍ରମରେ।

ବୀକ୍ଷଣ କରି ସୀତା ରାମ ଲକ୍ଷ୍ମଣ ତକ୍ଷଣ ସବୁ ପଚାରେ।

ବୋଧି କହିଲେ ଭାଷ।

ବୀରସିଂହ ଅରଣ୍ୟେ ବିଳସ । ୪୫।

 

୪୧ଶ ପଦ :- କିଛିଦୂର ଯାଇ ବନରେ ବିଶ୍ରାମ କରିବାକୁ ଲୋକମାନେ କହିଲେ, ‘‘ଏ ବନରେ ନଗର ନିର୍ମାଣ କରିବା । ପୂର୍ବେ ଦଣ୍ତକାରଣ୍ୟରେ କ’ଣ ରାଜା ନ ଥିଲେ ? (ନିଶ୍ଚୟ ଥିଲେ) ମାତ୍ର ବର୍ତ୍ତମାନ ରାଜା ନ ଥିବାରୁ ତୁମ୍ଭ ପିତା ତୁମ୍ଭଙ୍କୁ ଏ ଅରଣ୍ୟ ଦେଇଅଛନ୍ତି । ତୁମ୍ଭେ ତାଙ୍କ କଥା ମାନି ଏଠାରେ ରାଜା ହୁଏ । ଆମ୍ଭେ ପ୍ରଜା ହୋଇ ଏଠାରେ ରହିବୁ । ତୁମ୍ଭଙ୍କୁ ଛାଡ଼ି ଆମ୍ଭେ ଅଯୋଧ୍ୟାକୁ ଯିବୁ ନାହିଁ ।’’

୪୨ଶ ପଦ :- ବତ୍ସକ ସହ-ବାଛୁରୀ ସହିତ, ବଣମଲ୍ଲୀ ସହିତ । ସୁରଭୀ-ଗାଈ, ଚମ୍ପାଗଛ । ପୟୋଧର-ନଡ଼ିଆ, କ୍ଷୀରଧାରୀ । ବ୍ରଜ ବ୍ରଜ-ଗୋପାଳ ସମୂହ । ସୁନାରୀଚୟ-ସୁନାରୀ ଗଛସମୃହ, ବଣିଆସବୁ । ତନ୍ତୁବାୟ- ତନ୍ତୀ, ବୁଢ଼ୀଆଣି ।

୪୨ଶ ପଦ :- ଲୋକମାନଙ୍କ କଥା ଶୁଣି ରାମଚନ୍ଦ୍ର କହିଲେ, ‘‘ଏଠାରେ ବନ ସଦୃଶ ପ୍ରଜା ଓ ଚତୁରଙ୍ଗ ବଳ ଅଛନ୍ତି; ଏଠାରେ ‘ବତ୍ସକ ’ ଗରିମଲ୍ଲିକା ସହ ‘ସୁରଭି’ ଚମ୍ପକ ଓ ଜାତୀଫଳ ବୃକ୍ଷ ରାଜ୍ୟରେ ବତ୍ସାସହ ଧେନୁ ରହିଲା ପ୍ରାୟ ରହିଅଛନ୍ତି । ‘ପୟୋଧର ବ୍ରଜ’ ନାରିକେଳ ବୃକ୍ଷସମୂହ ‘ପୟୋଧରବ୍ରଜ’ ଦୁଗ୍‌ଧ ବହନକାରୀ ଗୋପାଳଙ୍କ ପରି ବିଦ୍ୟମାନ ଅଛନ୍ତି । ସୁନାରୀ ବୃକ୍ଷସବୁ ସ୍ୱର୍ଣ୍ଣକାରଙ୍କ ପରି ବନକୁ ବେଢ଼ି ରହିଅଛନ୍ତି । ଏଥିରେ ବହୁତ ‘ତନ୍ତୁବାୟ’ ମାଙ୍କଡ଼ସା ରାଜ୍ୟର ତନ୍ତୀ ପ୍ରାୟ ବିହାର କରନ୍ତି । (ଏ ବନରେ ସବୁପ୍ରକାର ପ୍ରଜା ଅଛନ୍ତି, ତୁମ୍ଭର ରହିବା ପ୍ରୟୋଜନ ନାହିଁ) ।’’

୪୩ଶ ପଦ :- ରଥ-ଯାନବିଶେଷ, ବେତସବୃକ୍ଷ । ଗନ୍ଧର୍ବ-ଘୋଡ଼ା, ମୃଗ । ଉଟଜ-ଓଟ, ପର୍ଣ୍ଣଶାଳା । କରିବାର-ହସ୍ତିସମୁହ, କରିବା ପାଇଁ । ଶାଖୀ-ପଦାତି, ବୃକ୍ଷ । ଫଳଧାରୀ-ଖଡ଼୍‌ଗଧରୀ; ଫଳବନ୍ତ ।

୪୩ଶ ପଦ :- ‘‘ଏଠାରେ ମୋର ବିହାର କରିବା ପାଇଁ ‘ଉଟଜ’ ପର୍ଣ୍ଣଶାଳା ରୂପ ଓଟ, ହସ୍ତୀସମୁହ, ‘ରଥ’ ବେତସବୃକ୍ଷ ରୂପ ରଥସବୁ ବିଦ୍ୟମାନ ଅଛନ୍ତି । ମୋତେ ରକ୍ଷାକରିବା ପାଇଁ ଏଠାରେ ଫଳବନ୍ତ ବୃକ୍ଷସମୂହ ଖଡ଼୍‌ଗଧାରୀ ପଦାତିକଙ୍କ ପରି ରହିଅଛନ୍ତି ।’’ (ହସ୍ତୀ, ଅଶ୍ୱ, ରଥ ଓ ପଦାତିକ ଏହି ଚତୁରଙ୍ଗବଳ ରହିଥିବାର ସୂଚିତ ହେଲା) । ଏହା କହି ରାମଚନ୍ଦ୍ର ମୌନ ହେଲେ । ରାତ୍ର ଥାଉଁ ସେ ବାଟ ଛାଡ଼ି ଅନ୍ୟ ବାଟରେ ଗଲେ ।

୪୪ଶ ପଦ :- ରାମଙ୍କ ଆଜ୍ଞାରେ ସୁମନ୍ତ୍ର ମନ୍ତ୍ରୀ ଅଯୋଧ୍ୟାକୁ ଲେଉଟି ଗଲା ପରି ରଥ ବାହି ନେଲେ । ଲୋକେ ରଥ ଚକ୍ରର ସେ ଚିହ୍ନକୁ ଦେଖି ହର୍ଷ ମନରେ ଗୋଡ଼ାଇ ଅଯୋଧ୍ୟାକୁ ବାହୁଡ଼ିଲେ । ଚକ ଚିହ୍ନ ଅଯୋଧ୍ୟାକୁ ପଡ଼ିଥିବାର ଦେଖି ରାମ ଅଯୋଧ୍ୟାକୁ ଫେରିଗଲେ ଏହା ଭାବି ପ୍ରଜାମାନେ ଫେରିଗଲେ) ।

୪୫ଶ ପଦ :- ବେଗି-ବେଗବନ୍ତ । ଉଦ୍‌ବେଗୀ-ଉବ୍ଦିଗ୍ନ ପ୍ରଜାଙ୍କ ଲାଗି ବିଚଳିତ । ବୀରସିଂହ-ବୀରଶ୍ରେଷ୍ଠ ।

୪୫ଶ ପଦ :- କାଳେ ପ୍ରଜାମାନେ ପୁଣି ପଛରେ ଗୋଡ଼ାଇ ଆସିବେ, ଏହି ଉଦ୍‌ବେଗରେ ଶୀଘ୍ର ଯାଇ ଭରଦ୍ୱାଜ ଋଷିଙ୍କ ଆଶ୍ରମରେ ପ୍ରବେଶ ହେଲେ । ଋଷି ରାମ, ସୀତା ଓ ଲକ୍ଷ୍ମଣ ଏହି ତିନିମୂର୍ତ୍ତିଙ୍କୁ ଦେଖି ତତ୍‌କ୍ଷଣାତ୍‌ ସବୁକଥା ପଚାରିଲେ । ରାମ ସମସ୍ତ ବୁଝାଇ କହିଲେ । ତାହା ଶୁଣି ଋଷି କହିଲେ, ‘‘ହେ ବୀରସିଂହ ! ଅରଣ୍ୟରେ ସିଂହ ସମ ବିହାର କର ।’’

 

ବିରାଜ ତୀକ୍ଷ୍‌ଣ ନାରାଚ କରଦରେ ମଦାନ୍ଧକରୀ ଅସୁରେ।

ବିମୋହିତ ହେବ ଚିତ୍ରକୂଟ ଗିରି କ୍ରୋଟେ କରିବାରୁ ପୁର।

ବହେ ପୟସ୍ଵୀ ନଦୀ।

ବିଶେଷିତ ତହିଁ ହୋଇ ସ୍ଵାଦ୍ୱୀ । ୪୬।

 

ବଞ୍ଚି ସେ ଦିନକ ଜନକ ଗଉରୀ ଗଉର ମର୍କତଗାତ୍ର !

ବର୍ତ୍ମରେ ଗମନ ବନ୍ୟନାରୀ ଚାହିଁ ଚକିତ ସ୍ଥକିତ ନେତ୍ର।

ବର କାଗଜଚକୀ ।

ବିଲୋକନ୍ତି ଯେମନ୍ତ କୁତୁକୀ । ୪୭।

 

ବୋଲାବୋଲି ହେଲେ ପରମ ସୁନ୍ଦର ବର ଏ ପଥିକ ଦୁଇ।

ବଲ୍ଲଭୀ ପୁଣି ରମଣୀ ଶିରୋମଣି କାହାର ଥିବଟି ହୋଇ।

ବୋଲି ନିକଟେ ଗଲେ।

ବଇଦେହୀଙ୍କି ସେ ପଚାରିଲେ । ୪୮।

 

ବରାରୋହା ଏ ପୁରୁଷ ସାର ଦୁହେଁ ସୋଦର କିବା ତୁମ୍ଭର।

ବୁଲନ୍ତି ଜଗତେ ଘେନି ସଙ୍ଗତରେ ସୁସମେ ନ ମିଳେ ବର।

ବୋଲୁଁ ଶିର କମ୍ପାଇ।

ବର ଦେବର କେ ଯାଅ କହି । ୪୯।

 

ବିଳମ୍ବ କରନ୍ତେ ପ୍ରଳମ୍ବ-କୁନ୍ତଳା ଡ଼ାକେ ଲକ୍ଷ୍ମଣ କୁମାର।

ବାମାଙ୍କୁ ବୋଧିଲେ ଏ ଦେବର ବୋଲି ମନ୍ଥର ଗତି ସତ୍ଵର ।

ବୃଦ୍ଧି କରନ୍ତେ ନୋହି।

ବରଟା କି ଗର୍ଭାଳସୀ ହୋଇ । ୫୦।

 

ବନରୁହଦଳେ ଚାଳିଲା ପରାୟେ ପରତେ ଏ ନୋହେ ଛଦ୍ମ।

ବିନ୍ୟାସ ଚରଣ କଲା ସ୍ଥଳେ ଯହିଁ ଉତ୍କୁଟି ଯାଉଛି ପଦ୍ମ।

ବସୁଛନ୍ତି ରୋଲମ୍ବ ।

ବାଲିଚିହ୍ନକୁ ଦିଅନ୍ତି ଚୁମ୍ବ । ୫୧।

 

ବ୍ୟକତ ହୋଇବାଯାଏ ଚାହୁଁଥିଲେ ପକ୍ୱଣବାସୀ ଗମିଲେ।

ବିହି ଭେଳା ବାଳା ସହୋଦର ମେଳା

ଗଙ୍ଗା ପାର ହୋଇ ଗଲେ।

ବିଜେ ଚିତ୍ରକୂଟର ।

ବାନପଦେ କହେ ବୀରବର । ୫୨।

 

୪୬ଶ ପଦ :- ତୀକ୍ଷ୍‌ଣ ନାରାଚ- ମୁନିଆଁ ଶର । କରଜ-ନଖ । ମଦାନ୍ଧକରୀ-ମଦମତ୍ତ ହସ୍ତୀ । ପୟସ୍ୱୀ-ଜଳପୂର୍ଣ୍ଣ । ସ୍ୱାଦ୍ୱୀ-ସ୍ୱାଦଯୁକ୍ତ ।

୪୬ଶ ପଦ :- ‘‘ସିଂହ ମଦମତ୍ତ ହସ୍ତୀକୁ ସୁତୀକ୍ଷ୍‌ଣ ନଖରେ ବିଦୀର୍ଣ୍ଣ କରି ପର୍ବତ ଗୁହାରେ ବାସ କଲାପରି ତୁମ୍ଭେ ତୀକ୍ଷ୍‌ଣ ଶରରେ ଗର୍ବୀ ଅସୁରଙ୍କୁ ବିନାଶ କରି ଚିତ୍ରକୂଟ ପର୍ବତରେ ଆନନ୍ଦ ମନରେ ବାସକର । ସେଠାରେ ବହୁଥିବା ପୟସ୍ୱୀ ନଦୀର ସୁସ୍ୱାଦୁ ଜଳ ପାନ କରି ପରିତୃପ୍ତ ହେବ ।’’

୪୭ଶ ପଦ :- ସ୍ୱର୍ଣ୍ଣବର୍ଣ୍ଣା ସୀତା, ଗୌରବର୍ଣ୍ଣ ଲକ୍ଷ୍ମଣ ଓ ମରକତମଣି ତୁଲ୍ୟ ନୀଳବର୍ଣ୍ଣ ରାମ ସେ ଦିନକ ଭରଦ୍ୱାଜଙ୍କ ଆଶ୍ରମରେ ରହିଲେ । ପରଦିନ ପ୍ରତ୍ୟୁଷରୁ ସେ ତିନିହେଁ ଅରଣ୍ୟ ପଥରେ ଗମନ କରନ୍ତେ ବନବାସୀ ସ୍ତିରୀମାନେ ତାଙ୍କୁ ଦେଖି ଚକିତ ଓ ସ୍ଥିର ହେଲେ ଏବଂ ଉତ୍କୃଷ୍ଟ କାଗଜ ଚକିକୁ (ଆକାଶରେ ଉଡ଼ୁଥିବା ଘୁଡ଼ିକୁ) ଦେଖି ଯେପରି କୌତୁକୀ ଲୋକମାନେ ଉତ୍ସୁକ ହୁଅନ୍ତି, ସେମାନେ ସେହିପରି ଉତ୍ସୁକ ହେଲେ ।

୪୮ଶ ପଦ :- ବନବାସୀ ନାରୀମାନେ କୁହାକୋହି ହେଲେ, ‘‘ଏ ବାଟୋଇ ଦୁହେଁ ସୁନ୍ଦର ପୁରୁଷଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି । ଏ ରମଣୀ ଶିରୋମଣି ସେ ଦୁହିଁଙ୍କ ମଧ୍ୟରୁ କାହାର ସ୍ତ୍ରୀ ହୋଇଥିବ ?’’ ଏହା କଥାବାର୍ତ୍ତା ହୋଇ ସେମାନେ ସୀତାଙ୍କ ନିକଟକୁ ଗଲେ ଓ ବୈଦେହୀଙ୍କି ପଚାରିଲେ ।

୪୯ଶ ପଦ :- ‘ହେ ଶ୍ରେଷ୍ଠନାରୀ ! ଏ ପୁରୁଷଶ୍ରେଷ୍ଠ ଦୁହେଁ ତୁମ୍ଭର ଭାଇ କି ? ତୁମ୍ଭ ସମାନରେ ଏ ସଂସାର ମଧ୍ୟରେ ବର ନ ମିଳିବାରୁ ସଙ୍ଗେ ସଙ୍ଗେ ଘେନି ବୁଲୁ ଅଛନ୍ତି କି ? ନାରୀମାନେ ଏପରି ପଚାରନ୍ତେ, ସୀତା ମୁଣ୍ଡ ହଲାଇଲେ (ଭାଇ ନୁହଁନ୍ତି ବୋଲି କହିଲେ) । ସୀତାଙ୍କ ହଥା ବୁଝିପାରି କେଉଁ ନାରୀ କହିଲା ‘‘ତାହା ହେଲେ ଏହାଙ୍କ ମଧ୍ୟରୁ ବର କିଏ ଓ ଦିଅର କିଏ ? ଏହା କହି ଯାଅ ।’’

୫୦ଶ ପଦ :- ପ୍ରଳମ୍ବକୁନ୍ତଳା-ସୁଦୀର୍ଘକେଶୀ । ବରଟା-ହଂସୀ ।

୫୦ଶ ପଦ :- ଦୀର୍ଘକେଶୀ ସୀତା ବନବାସୀ ନାରୀଙ୍କ ସହିତ କଥାବାର୍ତ୍ତା କରିବା ହେତୁ ବାଟ ଚାଲିବାରେ ବିଳମ୍ବ କରନ୍ତେ, ଲକ୍ଷ୍ମଣ ଡାକ ଦେଲେ (ବିଳମ୍ବ ନ କରି ଆସ- କହିଲେ) । ସେତିକିବେଳେ ସୀତା ସେ ନାରୀମାନଙ୍କୁ ‘ଏ ଦିଅର’ ଏହା କହି ବୋଧ ଦେଲେ (ଏ ଦେବର ଚିହ୍ନାଇ ଦେବାରୁ ଅପର ଜଣକ ବର ବୋଲି ପ୍ରକାଶ ପାଇଲା) ଓ ଗର୍ଭାଳସୀ ହଂସୀର ମନ୍ଥର ଗତିକୁ ନିନ୍ଦା କରୁଥିବା ମନ୍ଦ ଗତିକୁ ସେ ବୃଦ୍ଧି କରି ଶୀଘ୍ର ଚାଲିଲେ ।

୫୧ଶ ପଦ :- ବନରୁହଦଳେ-ପଦ୍ମରେ । ଛଦ୍ମ- କପଟ । ରୋଲମ୍ବ- ଭ୍ରମର ।

୫୧ଶ ପଦ :- ଗର୍ଭାଳସୀ ହଂସୀ ପଦ୍ମପତ୍ରରେ ଚାଲିଲା ପ୍ରାୟ ସୀତାଙ୍କ ଗମନ ପ୍ରତୀତି ହେଲା । ଏହା ମିଥ୍ୟା କଥା ନୁହେଁ, କାରଣ ସୀତାଙ୍କ ପଦକ୍ଷେପ ସ୍ଥାନରେ ପଦ୍ମଫୁଟି ଉଠୁଛି (ତାଙ୍କ ପାଦଚିହ୍ନ ପଦ୍ମଫୁଲ ପ୍ରାୟ ଦେଖାଯାଉଛି) ଓ ସେଥିରୁ ପଦ୍ମଗନ୍ଧ ବାହାରୁ ଥିବାରୁ ଭ୍ରମରମାନେ ତାହା ପଦ୍ମ ଭ୍ରମରେ ଚୁମ୍ବନ କରୁଅଛନ୍ତି ।

୫୨ଶ ପଦ :- ଏମାନେ ଅଦୃଶ୍ୟ ହେବାଯାଏ ଅରଣ୍ୟର କୁଟୀରବାସୀ ନାରୀମାନେ ଚାହୁଁଥିଲେ । ଅଦୃଶ୍ୟ ହୋଇଯାନ୍ତେ ସେମାନେ ଫେରିଗଲେ । ଅନନ୍ତର ସୀତା ଓ ଲକ୍ଷ୍ମଣ ସହିତ ମିଳି ରାମଚନ୍ଦ୍ର ଭେଳା ବାନ୍ଧି ଗଙ୍ଗାନଦୀକୁ ପାର ହୋଇ ଗଲେ ଓ ଚିତ୍ରକୂଟ ପର୍ବତରେ ବିଜେକଲେ। ବୀରବର ବାଉନ ପଦରେ ଏ ଛାନ୍ଦ କହିଲେ ।

 

ଅଷ୍ଟାଦଶ ଛାନ୍ଦ

(ରାଗ-ବିଭାସଗୁଜ୍ଜରୀ)

 

ବନ୍ୟା ଶିଖରିର ତହିଁ      ବିପ୍ରଲବ୍‌ଧ ପ୍ରାୟ ହୋଇ

ଋଷିବାର ପ୍ରବର୍ତ୍ତାଇ ଅଛି ଯେ।

ବିଟପ ପ୍ରକମ୍ପକର            ସଙ୍ଗତି ସହଚରୀର

ପୁର ଅଭିମୁଖହିଁ ହୋଇଛି ଯେ । ୧।

 

ବିରସ ଖଣ୍ଡିତା ସେହି      ପିକବାଣୀରେ ଛଳଇ

ପ୍ରବୃଦ୍ଧି କରଇ ମଦନକୁ ଯେ।

ବିସ୍ପରଶ କର ସଙ୍ଗ            ପୟୋଧର ଫଳ ତୁଙ୍ଗ

ପୁରୁଷ ପ୍ରକାଶି ରଞ୍ଜନକୁ ଯେ । ୨।

 

ବିଦୁର ଲକ୍ଷ୍ମଣ ଘନ            ପବନ ଭଗ୍ନ ଚନ୍ଦନ

ଦାରୁ ଆଣି ଚାରୁବାସ ବିହି ଯେ।

ବିଦ୍ରୁମେ ତାହାର ଛାଇ      ବାଡ଼ ନଳଦରେ ଦେଇ

କସ୍ତୁରୀ ଗୈରିକେ ଚିତ୍ର ଲିହି ଯେ । ୩।

 

ବାରଣ ବାରଣ ରଣ-      ବଶେ ଯେଉଁ ରଦଚୂର୍ଣ୍ଣ

କ୍ଷୋଦ କରି ଅଜିରେ ପକାଇ ଯେ।

ବୈଦେହୀ ରାଘବ ମିଳି      ଇଛନ୍ତି ଏକାନ୍ତେ କେଳି

ହରଷେ ଦିବସ ନିଶି ନେଇ ଯେ । ୪।

 

ବୃକଧୂପରେ ଧୂପିତ            ସେ ଓକ କଲେ ନିରତ

ଦ୍ରାକ୍ଷା ଅଶନରେ ହୋଇ ତୋଷ ଯେ।

ବିସ୍ମରିସ୍ଵପୁର ନର୍ମ            ଶଯ୍ୟା କୃଷ୍ଣସାର ଚର୍ମ

ଏବେ ଶୁଣ ସାଧୁ ଆନ ରସ ହେ । ୫।

 

୧ମ ପଦ :- ବନ୍ୟା-ବନସମୂହ । ଶିଖରୀ-ପର୍ବତ । ଋଷିବାର-ଋଷିସମୂହ । ବିଟପ-ପତ୍ର; ବିଟପୁରୁଷ । ସହଚରୀ-ସଖୀ, ଝିଣ୍ଟିନାମକ ବୃକ୍ଷ ବିଶେଷ । ପୁର-ଗୃହ, ଗୁଲ୍ମ ।

୧ମ ପଦ :- ଚିତ୍ରକୂଟ ପର୍ବତର ବନସମୂହ ବିପ୍ରଲବ୍ଧା ସ୍ତ୍ରୀ ପ୍ରାୟ ଶୋଭା ପାଉଅଛି । ବିପ୍ରଲବ୍ଧା ସ୍ତ୍ରୀ ‘ଋଷିବାର’ ମାନ କରିବାରେ ମଜ୍ଜିଥାଏ, ଏ ବନ ସେହିପରି ‘ ଋଷିବାର’ ଋଷିସମୂହଙ୍କ ଦ୍ୱାରା ମଜ୍ଜିଅଛି । ବିପ୍ରଲବ୍ଧା ନାରୀ ବିଟ ପୁରୁଷଙ୍କୁ ହସ୍ତ ହଲାଇ ନାହିଁ କହିଲା ପ୍ରାୟ, ଏ ବନ ବୃକ୍ଷର ପତ୍ରମାନଙ୍କୁ ପବନଦ୍ୱାରା ଦୋହଲାଉଅଛି । ଆଉ ମଧ୍ୟ ସେ ସଖୀଙ୍କ ସହିତ ଗୁହାଭିମୁଖିନୀ ହେଲା ପରି ଏ ବନ ଝିଣ୍ଟି ବୃକ୍ଷର ସଙ୍ଗତି ଲାଭ କରିଅଛି, ଗୁଗ୍‌ଗୁଳୁ ବୃକ୍ଷର ଅଭିମୁଖୀ ହୋଇଅଛି ।

୨ୟ ପଦ :- ପୟୋଧର-ନାରିକେଳ, ସ୍ତନ । ତୁଙ୍ଗ-ଉନ୍ନତ । ପୁରୁଷ-ପୁନ୍ନାଗ ବୃକ୍ଷ, ନାୟକ । ରଞ୍ଜନ-ରକ୍ତଚନ୍ଦନ ।

୨ୟ ପଦ :- ପୁଣି ସେହି ବନ-ନାୟିକା କୋଳିଳଧ୍ୱନି ରୂପ କଥାରେ ଖଣ୍ତିତା ବଚନ କହି କାମରୂପ ବସନ୍ତ ପବନକୁ ବୃଦ୍ଧି କରୁଅଛି । ଉନ୍ନତ ଓ ହସ୍ତଦ୍ୱାରା ସ୍ପର୍ଶ ହୋଇନଥିବା ସ୍ତନ ରୂପ ନାରିକେଳ ଫଳ ଦେଖାଇ ପୁରୁଷର ଅନୁରାଗକୁ ବଢ଼ାଉଅଛି ।

ଫଳିତାର୍ଥ :- ଉକ୍ତ ବନରେ ସର୍ବଦା ବସନ୍ତ ପବନ ବହୁଛି, କୋକିଳ ବୋବାଉଛି । ଖୁବ୍‌ ଉଚ୍ଚରେ ଫଳିଥିବା ହେତୁ ଉକ୍ତ ବନର ନାରିକେଳ ଅସ୍ପରଶ ହୋଇଅଛି । ଆଉ ମଧ୍ୟ ସେଠାରେ ପୁନାଙ୍ଗ, ଚନ୍ଦନ ପ୍ରଭୃତି ବହୁତ ଗଛ ଅଛି ।

୩ୟ ପଦ :- ବିଦୂର-ଅଳ୍ପଦୂର । ବିଦ୍ରୁମ-କୋମଳ ପତ୍ର ।

୩ୟ ପଦ :- ଲକ୍ଷ୍ମଣ ସେହି ବନର ଖୁବ୍‌ ଦୂରକୁ ଯାଇ ନିବିଡ଼ ବନରୁ ପବନ ଯୋଗେ ଭଗ୍ନ ହୋଇଥିବା ଚନ୍ଦନ କାଷ୍ଠ ଆଣି ସୁନ୍ଦର ଗୃହ ନିର୍ମାଣ କଲେ ଓ ତାହା ବୃକ୍ଷର କୋମଳ ପତ୍ରରେ ଛାଆଣି କରି ବେଣା ଚେରର ବାଡ଼ ଦେଲେ ଏବଂ କସ୍ତୁରୀ ଓ ଗେରୁରେ ଚିତ୍ର ଲେଖିଲେ ।

୪ର୍ଥ ପଦ :- ବାରଣ-ହସ୍ତୀ । ରଣ-ଯୁଦ୍ଧ । ରଦଚୂର୍ଣ୍ଣ-ଦନ୍ତଚୁର୍ଣ୍ଣ । କ୍ଷେଦ-ଚୁର୍ଣ୍ଣ ବା ଧୂଳି । ଅଜିରେ-ଅଗଣାରେ ।

୪ର୍ଥ ପଦ :- ହସ୍ତୀ ହସ୍ତୀଙ୍କ ଯୁଦ୍ଧ ସମୟରେ ଦନ୍ତର ଘର୍ଷଣ ହେତୁ ଯେଉଁ ଦନ୍ତଚୁର୍ଣ୍ଣସବୁ ପଡ଼ିଥିଲା, ତାହା ଆଣି ଗୃହର ଅଗଣାରେ ପକାଇଲେ । ସେହି ଗୃହରେ ରାମଚନ୍ଦ୍ର ଓ ସୀତା ଦୁହେଁ ମିଳି ଆନନ୍ଦରେ ଦିନରାତି ଯାପନ କରି ଏକାନ୍ତରେ କେଳି କଲେ ।

୫ମ ପଦ :- ବୃକ ଧୂପରେ-କୃତ୍ତ୍ରିମ ଧୂପରେ ବା ସରଳ ଧୂପରେ । ଧୂପିତ-ସୁବାସିତ । ଓକ-ଗୃହ ।

୫ମ ପଦ :- ସେହି ପର୍ଣ୍ଣକୁଟୀରକୁ ସରଳ ଧୂପରେ ସୁବାସିତ କଲେ । ଦ୍ରାକ୍ଷାରସ ଭୋଜନରେ ନିରନ୍ତର ତୋଷହୋଇ ମୃଗ ଚର୍ମର ଶଯ୍ୟାରେ ଶୋଇ ଅଯୋଧ୍ୟାର ଖେଳ କୌତୁକ ହାସ ପରିହାସକୁ ଭୁଲିଗଲେ । ହେ ସାଧୁଜନେ । ଏବେ ଆନ କଥା ଶ୍ରବଣ କର ।

 

ବାହୁଡ଼ି ସୁମନ୍ତ୍ର ଗଲା      ନୃପ ପଚାରୁଁ କହିଲା,

ରାଣୀଗୋତ୍ରେ ପାତ୍ରେ ତହିଁ ଥିଲେ ଯେ।

ବହି ମୁନିଛବି ବେନି            ଜାନକୀ ସଙ୍ଗତେ ଘେନି

ନ କହି ବିପଥେ ରାତ୍ରୁଁ ଗଲେ ଯେ । ୬।

 

ବନବାସ ରୀତି ଶୁଣି      ବନବାସ ନେତ୍ରେ ଆଣି

ହୃଦମଧ୍ୟେ ରାମ ବିହରିତ ଯେ।

ବି-କଳଧ୍ଵନିରେ ଲୋଳ       ସୁମନ ଭ୍ରମରେ ମେଳ

ଦଶରଥ ଏମନ୍ତ କଥିତ ଯେ । ୭।

 

ବ୍ୟାଧ ପ୍ରାୟ ହୋଇ ମୁହିଁ      ଜଳଘାଟ ଜଗିଥାଇ

ଅନ୍ଧ ତପିସୂତ ନେଉଁ ନୀର ଯେ।

ବୁଡ଼ାଉଁ କୁମ୍ଭ ସେ କୁମ୍ଭୀ      ଶବଦ ଭ୍ରମେ ଆରମ୍ଭି

ତାକୁ ନାଶିଲି ପ୍ରହାରି ଶର ଯେ । ୮।

 

ବ୍ୟଥିତ କହନ୍ତେ ମାତା      ପିତା ଯଥା ପତିବ୍ରତା

ଚିତା କରାଇ ମୋହର କରେ ଯେ।

ବାୟୁସଖାରେ ପଶିଲେ      ସେକାଳେ ଏ ଶାପ ଦେଲେ

ସୂତ ମୁଖ ନ ଦେଖ ନାଶରେ ଯେ । ୯।

 

ବିଶ୍ରାମଟି ସେହି କାଳ      ଜୀବନ ଯିବାର ମୂଳ

ହେଲା ଅଶୁଭସ୍ଵପ୍ନ ମହିଷୀ ଯେ।

ବୀର ଗଣେଶ ଶ୍ରୀରାମ      ମୂଷିକ କରଣେ କ୍ଷମ

ଯମକୁ ସେ ହୋଇ ନାହିଁ ପାଶି ଯେ । ୧୦।

 

୬ଷ୍ଠ ପଦ :- ରାଣୀଗୋତ୍ରେ-ରାଣୀସମୂହ । ବିପଦରେ-ଅବାଟରେ ।

୬ଷ୍ଠ ପଦ :- ରାମ, ଲକ୍ଷ୍ମଣ ଓ ସୀତାଙ୍କୁ ତମସାତୀରରେ ଛାଡ଼ି ସୁମନ୍ତ୍ର ବାହୁଡ଼ି ଗଲେ । ରାଣୀ ସମୁହ ଓ ପାତ୍ର ମନ୍ତ୍ରୀଙ୍କ ସହିତରେ ଥାଇ ରାଜା ଦଶରଥ ପଚାରନ୍ତେ, ସେ କହିଲେ ‘‘ରାମ ଓ ଲକ୍ଷ୍ମଣ ଦୁଇଭାଇ ମୁନିବେଶ ଧରି ଜାନକୀଙ୍କୁ ସଙ୍ଗରେ ନେଇ ମୋତେ ନ କହି ରାତ୍ର ଥାଉଁ ଅବାଟରେ ଚାଲିଗଲେ ।’’

୭ମ ପଦ :- ବନବାସ-ଲୋତକ ଜଳ । ବି-କଳ ଧ୍ୱନି- ପକ୍ଷୀମାନଙ୍କର ମଧୁର ସ୍ୱାନ । ଲୋଳ-ଚଞ୍ଚଳ । ସୁମନ- ପୁଷ୍ପ, ଉତ୍ତମ ମନ ।

୭ମ ପଦ :- ରାମ ଲକ୍ଷ୍ମଣଙ୍କର ବନବାସ କଥାମାନ ଶୁଣି ରାଜା ସେହି ବନବାସକୁ ନେତ୍ର ହୃଦୟରେ ସ୍ଥାନ ଦେଲେ, ନେତ୍ରରେ ‘ବନ’ ଅର୍ଥାତ୍‌ ଜଳ ବାସ କଲା (ନେତ୍ରରୁ ଲୋତକ ଝରିଲା) ବନରେ ମୃଗ ବିହାର କଲାପରି ହୃଦୟରେ ରାମଚନ୍ଦ୍ର ବିହାର କଲେ । ସେ ସବୁବେଳେ ରାମ ରାମ ହୃଦୟରେ ଗୁଣି ହେଲେ । ବନ ମଧ୍ୟରେ ପକ୍ଷୀମାନେ ଅବ୍ୟକ୍ତ ମଧୁର ଧ୍ୱନିରେ ଶବ୍ଦ କଲାପରି ରାଜାଙ୍କ ହୃଦୟ ବ୍ୟାକୁଳ ଶବ୍ଦରେ ପୁରି ଉଠିଲା । ବନରେ ପୁଷ୍ପସବୁ ଭୃଙ୍ଗମାନଙ୍କର ମିଳିତ ହେଲାପରି ରାଜାଙ୍କର ଉତ୍ତମ ମନ ଭ୍ରାନ୍ତିରେ ପୂର୍ଣ୍ଣ ହେଲା । (ରାମଙ୍କ ବନବାସ କଥା ଶୁଣି ଦଶରଥଙ୍କ ନେତ୍ରେରୁ ଲୋତକ ଝରିଲା, ସେ ହୃଦୟରେ ରାମ ନାମ ଘୋଷି ହେଲେ । ଚିତ୍ତ ବଡ଼ ବ୍ୟାକୁଳ ହେଲା ଏବଂ ତାଙ୍କର ଅଟଳ ମନରେ ମଧ୍ୟ ବିଭ୍ରମ ଉପୁଜିଲା ।) ଅନନ୍ତର ଏହିପରି ବ୍ୟାକୁଳିତ ଓ ଅସ୍ଥିର ଚିତ୍ତ ଦଶରଥ କହିଲେ, -

୮ମ ପଦ :- ବ୍ୟାଧ- ଶବର। କୁମ୍ଭ- ମାଠଆ । କୁମ୍ଭୀ-ହସ୍ତୀ।

୮ମ ପଦ :- ‘‘ପୂର୍ବେ ମୁଁ ବ୍ୟାଧପ୍ରାୟ ହୋଇ ଜଳି ଘାଟରେ ଜୀବ ବଧ କରିବା ପାଇଁ ଜଗି ବସିଥିଲି । ଦିନେ ଅନ୍ଧ ମୁନିଙ୍କ ପୁତ୍ର ଜଳ ନେବାବେଳେ କୁମ୍ଭ ଜଳରେ ବୁଡ଼ାନ୍ତେ, ସେ କୁମ୍ଭ ‘କୁମ୍ଭୀ’ ହସ୍ତୀର ପ୍ରାୟ ଶବ୍ଦ କଲା । (ମାଠିଆ ପାଣିରେ ବୁଡ଼ାଇଲାବେଳେ ଯେ ଶବ୍ଦ ହେଲା, ତା ହାତୀର ଶବ୍ଦପରି ଶୁଭିଲା) । ମୁଁ ଭୂଲ୍‌ବଶତଃ ହସ୍ତୀ ବୋଲି ମନେକରି ଶର ପ୍ରହାରଦ୍ୱାରା ତାକୁ ବିନାଶ କଲି ।’’

୯ମ ପଦ :- ଚିତା-ଶ୍ମଶାନାଗ୍ନି । ବାୟୁସଖା-ଅଗ୍ନି ।

୯ମ ପଦ :- ‘‘ପରେ ଜାଣିପାରି ସେ କଥା ଯାଇ କହିବାରୁ ତାହାର ମାତା ପିତା ବ୍ୟଥିତ ଚିତ୍ତରେ ମୋହ ହସ୍ତରେ ଚିତାଗ୍ନି କରାଇଲେ ଏବଂ ଯେପରି ପତିବ୍ରତା ନାରୀ ପତିର ଚିତାରେ ପ୍ରବେଶ କରେ; ସେହିପରି ସେ ଅଗ୍ନିରେ ପଶିଲେ । ସେତେବେଳେ ମୋତେ ଶାପ ଦେଲେ, ତୋହର ନାଶ ସମୟରେ ତୁ ପୁତ୍ରର ମୁଖ ଦେଖିବୁ ନାହିଁ ।’’

୧୦ମ ପଦ :- ପାଶି-ପାଖରେ ।

୧୦ମ ପଦ :- ସେହି ଶାପର ସମୟ ଆସି ଉପସ୍ଥିତ ହେଲା (ମୋହର ମୃତ୍ୟୁ ସୁନିଶ୍ଚିତ) । ମହିଷୀ କୈକେୟୀ ମଇଁଷୀରୂପ ଅଶୁଭ ସ୍ୱପ୍ନ ପରି ହେଲା । (ମଇଁଷୀ ସ୍ୱପ୍ନ ଦେଖିଲେ ମୃତ୍ୟ ହୁଏ) । ବୀର ଗଣେଶ ଯମକୁ ମୂଷିକ କରିବାକୁ ଏକା ସକ୍ଷମ । ଗଣେଶରୂପୀ ବୀରଶ୍ରେଷ୍ଠ ରାମଚନ୍ଦ୍ର ତ ମୋ ପାଖରେ ନାହାନ୍ତି । (ଯମ ହାତରୁ ମୋତେ ଆଉ କିଏ ରକ୍ଷା କରିବ ?)

 

ବଦୁ ପ୍ରତିପଦୁଁ ତହିଁ            ପକ୍ଷ ବାର ଯୋଗ ହୋଇ

ପୂର୍ଣ୍ଣେ ରାଜା କ୍ଷୟାତିଥି ହେଲା ଯେ।

ବିଦିତ ଏଣୁ ସେକ୍ଷଣ      ମାସ ସଦୃଶ ପ୍ରମାଣ

କରଣ ରାଶି ସଞ୍ଚାର ଥିଲା ଯେ । ୧୧।

 

ବଡ଼ିମାହର ମନ୍ଦିରେ            ସେ ନୃପ ଯେଣୁ ବିଚାରେ

ତୈଳପାତ୍ରେ ତେଣୁ କଲେ ଦାନ ସେ।

ବହତୁ ଭରତପାଶେ            ପ୍ରେରଣ କଲେ ରଭସେ

ନଟ ବିଦ୍ୟାପ୍ରାୟ ରଚି ଆନ ସେ । ୧୨।

 

ବତାସେ ମେଘ ଗମନ      ପ୍ରାୟେ ଚଳାଇ ବିମାନ

ପ୍ରବେଶ ହୋଇଲେ ଅଯୋଧ୍ୟାର ଯେ।

ବିଧବା ନାରୀ ସମାନ      ଦିଶେ ସେ ଲକ୍ଷ୍ମଣ ହୀନ

ରାମରଙ୍ଗ ହୋଇବାରୁ ଦୂର ଯେ । ୧୩।

 

ବିମନରେ ନରପନ୍ତି            କୁରରୀ ପରି ଝୁରନ୍ତି

ନିଶବଦ ଯଥା ମୁନିଗଣ ଯେ।

ବରଷାଋତୁ ପ୍ରକାର            ଅନ୍ତଃପୁରସ୍ଥା ନିକର

ଉର-ଭୁମି ପଙ୍କିଳ କରିଣ ଯେ । ୧୪।

 

ବଣା ଗଣଏଣୀ ପ୍ରାୟେ      ଏଣେ ତେଣେ ଚାହିଁଦିଏ

ଚିତାପରି ହୃଦେ ଜଳେ ଚିନ୍ତା ଯେ।

ବିନତିମାତାଙ୍କୁ ଚଣ୍ଡୀ      ଅଗ୍ରେ ଯଥା ସିଂହ ମଣ୍ଡି

ପୁରାଣ ପୁଚ୍ଛିଲା ପ୍ରାୟେ ଶ୍ରୋତା ଯେ । ୧୫।

 

୧୧ଶ ପଦ :- ଯେପରି ଚାନ୍ଦ୍ର ମାସରେ ପ୍ରତିପଦାଦି ତିଥି, ପକ୍ଷ, ଯୋଗ, ବାର, କରଣ ଓ ରାଶିମାନଙ୍କର ସଞ୍ଚାର ଥାଏ, ସେହିପରି ଏହି କଥା କହୁ କହୁ ତାଙ୍କର ପ୍ରତି କଥାରେ ସ୍ୱରଭଙ୍ଗ ହେଲା ଓ ମୃତ୍ୟୁସମୟର ସାତ୍ତ୍ୱିକ କ୍ଷଣମାନ ପ୍ରକାଶ ପାଇଲା । କ୍ରମେ ଇନ୍ଦ୍ରିୟସମୂହ ଶିଥିଳ ହୋଇପଡ଼ିଲା । ମୃତ୍ୟୁ ତାହାଙ୍କର ଅତିଥିରୂପେ ଉପସ୍ଥିତ ହେଲା । ତେଣୁ ଏହି ମୃତ୍ୟୁ ସମୟ ଚାନ୍ଦ୍ରମାତ୍ର ସଦୃଶ ବିଦିତ ହେଲା । (ଚନ୍ଦ୍ର ଯେପରି କ୍ରମଶଃ କ୍ଷୀଣ ହୋଇ ଅମାବାସ୍ୟାରେ କ୍ଷୟ ହୁଏ, ସେହିପରି ରାଜା ଦଶରଥ କ୍ରମଶଃ ଶିଥିଳ ହୋଇ ଶେଷରେ ବିନାଶ ଲଭିଲେ ।)

୧୨ଶ ପଦ :- ବଡ଼ିମାହର-ଗର୍ବହର । ମନ୍ଦ-ଶିନିମହାଗ୍ରହ । ବହତୁ-ଦୂତ ।

୧୨ଶ ପଦ :- ରାଜା ଦଶରଥ ଯେହେତୁ ଶନିଶ୍ଚରର ବଡ଼ିମାକୁ ଖର୍ବ କରିଥିଲେ, ତେଣୁ ପାତ୍ର ମନ୍ତ୍ରୀମାନେ ବିଚାର କରି ତାଙ୍କର ମୃତ ଦେହକୁ ତୈଳ ପାତ୍ରରେ ରଖିଲେ । (ପୁତ୍ରମାନେ ପାଖରେ ନ ଥିବାରୁ ମହାବୀର ଦଶରଥଙ୍କ ମୃତ ଦେହ ତୈଳ ପାତ୍ରରେ ରଖା ଗଲା । ପୁଣି ଶନିଦୃଷ୍ଟି ସମୟରେ ତୈଳପାତ୍ର ଦାନ କରିବା ବିଧି) । ଭରତଙ୍କ ନିକଟକୁ ବେଗରେ ଦୂତ ପ୍ରେରଣ କଲେ । ସେ ଦୂତମାନେ ଐନ୍ଦ୍ରଜାଲିକ ପରି କପଟ କଥାମାନ ଭରତଙ୍କୁ କହିଲେ ।

୧୩ଶ ପଦ :- ଲକ୍ଷ୍ମଣହୀନ-ଲକ୍ଷଣଶୂନ୍ୟ, ଲକ୍ଷ୍ମଣ ନଥିବାରୁ । ରାମରଙ୍ଗ-ରାମରୂପ ରଙ୍ଗରସ ।

୧୩ଶ ପଦ :- ଦୂତଙ୍କଠାରୁ କପଟ କଥାମାନ ଶୁଣି ବାୟୁଯୋଗେ ମେଘ ଗମନ କଲା ପ୍ରାୟ ଭରତ ରଥ ଚଳାଇ ଆସି ଅଯୋଧ୍ୟାରେ ପ୍ରବେଶ ହେଲେ; ଆସି ଦେଥିଲେ, ଅଯୋଧ୍ୟା ରାମ ଓ ଲକ୍ଷ୍ମଣଙ୍କ ବିହୁନରେ ‘ରାମରଙ୍ଗ’ କେଳି ଓ ‘ଲକ୍ଷ୍ମଣ’ ସିନ୍ଦୂରାଦି ଚିହ୍ନ ଶୂନ୍ୟ ବିଧବା ନାରୀ ପ୍ରାୟ ଦେଖା ଯାଉଅଛି ।

୧୪ଶ ପଦ :- ଦୁଃଖ ମନରେ ଲୋକମାନେ କପୋତୀ ପରି ଝୁରୁଛନ୍ତି ଓ ମୁନିଗଣ ନିଃଶବ୍ଦରେ ଯୋଗ ସାଧନା କଲା ପରି ପୁରୀ ନୀରବ ହୋଇଅଛି । ବର୍ଷା ଋତୁରେ ଭୂମି କାଦୁଆ ହେଲା ପରି ଅନ୍ତଃପୁରର ସ୍ତ୍ରୀମାନେ ନେତ୍ର ଜଳରେ ବକ୍ଷଦେଶକୁ ତିନ୍ତାଇ ଦେଇ ଅଛନ୍ତି ।

୧୫ଶ ପଦ :- ଯୁଥବଣା ହରିଣୀ ପରି କେଉଁ ସ୍ତ୍ରୀ ଏଣେତେଣେ ଚାହୁଁଛି । ସମସ୍ତଙ୍କ ହୃଦୟରେ ଚିତା ଅଗ୍ନି ପରି ଚିନ୍ତା ଜଳୁଅଛି । ଏ ସବୁ ଅମଙ୍ଗଳମାନ ଦେଖି ଭରତ ମାତାଙ୍କୁ ପ୍ରଣାମ କରି ଦୁର୍ଗାଙ୍କ ଅଗ୍ରତରେ ସିଂହ ଉପବେଶନ କଲା ପ୍ରାୟ ମାତାଙ୍କ ଆଗରେ ବସିଲେ । ପୁଣି ଶ୍ରୋତା ପୌରାଣିକଙ୍କୁ ପଚାରି ସବୁ ବୁଝିଲା ପରି ଅଯୋଧ୍ୟାର କଥା ସବୁ ପଚାରିଲେ ।

 

ବକ୍ତା ହୋଇଲେ ଜନନୀ            ପ୍ରଥମ ଯୁଗ ନ ମାନି

ଜଳାବର୍ତ୍ତ ବହି ତବ ତାତ ଯେ।

ବିହୁଥିଲେ ଅଭିଷେକ            ଶ୍ରୀରାମେ ହୋଇ ଉତ୍ସୁକ

ଉପାୟେ ମୁଁ ତାହା କଲି ହତ ଯେ । ୧୬।

 

ବିଶ୍ଵମ୍ଭରା ପତି ହୋଇ      ସୀତାବଲ୍ଲଭ ଉତ୍ସାହୀ

ପଶୁ ବୁଦ୍ଧି ଦେଖି ପେଷି ବନ ଯେ।

ବିନାଶ ତାମସୀ ମତେ      ରାମ ଲକ୍ଷ୍ମଣଙ୍କ ଅସ୍ତେ

ନରପତି ହୋଇଲେ ବହନ ଯେ । ୧୭।

 

ବିଳସ ତୁ ଈନ ହୋଇ      କରି ଦୀପ୍ତ କର ମହୀ

ଶ୍ରବଣରେ ସେ ଭରତ ଭାଷେ ଯେ।

ବୋଲିବା କି ମାତା ତୁମ୍ଭେ      ରାହୁ ହେଲ ଏ ଆରମ୍ଭେ

ପୂର୍ବକାଳେବେନିକୁଳ ଗ୍ରାସେ ସେ । ୧୮।

 

ବନ୍ଧ ପକାଇ ମଧ୍ୟର            ବେନିଭାଗ କଲ ନୀର

ଏ ବୁଦ୍ଧି ଶିଖିଲ କାହୁଁ ଏବେ ଯେ।

ବୋଇଲେ ଧାତ୍ରୀ ମନ୍ଥରା            ସୁରଭି ସେ ପରମ୍ପରା

ଗୋପାଳପୁତ୍ରେ ଧାଇଁଲେ ଜବେ ଯେ । ୧୯।

 

ବିଷାଣ କେଶ ଧଇଲେ            ଲଗୁଡ଼ ପ୍ରହାର କଲେ

ଚରଣକୁ ବାନ୍ଧିଲେ ରଜ୍ଜୁରେ ଯେ।

ବେନି ହସ୍ତ ଯୋଡ଼ି ଯାଇଁ            କୌଶଲ୍ୟା ପାଶେ ବିନୟୀ

ବୋଧିଲେ ସେ ବଚନ ମଞ୍ଜରେ ଯେ । ୨୦।

 

୧୬ଶ ପଦ :- ପ୍ରଥମଯୁଗ-ସତ୍ୟ । ଜଳ ବର୍ତ୍ତ ବହି-ଭ୍ରମରେ ପଡ଼ି ।

୧୬ଶ ପଦ :- ଜନନୀ କୈକେୟୀ ବକ୍ତା ହୋଇ କହିଲେ; ‘‘ତୁମ୍ଭର ପିତା ଦଶରଥ ଭ୍ରମବଶତଃ ସତ୍ୟ ଲଙ୍ଘନ କରି ଉତ୍ସୁକ ମନରେ ଶ୍ରୀରାମଙ୍କର ଅଭିଷେକ କରୁଥିଲେ । ମୁଁ ଉପାୟ ଦ୍ୱାରା ତାହା ବିନାଶ କଲି ।’’

୧୭ଶ ପଦ :- ବିଶ୍ୱମ୍ଭରା ପତି-ପୃଥିବୀ ପତି । ତାମସୀ-ରାତ୍ରି ।

୧୭ଶ ପଦ :- ‘‘ପୃଥିବୀ କନ୍ୟା ସୀତାଙ୍କର ପତି ରାମଚନ୍ଦ୍ର ଶାଶୁ ପୃଥିବୀର ପତି ହେବା ପାଇଁ ଉତ୍ସୁକ ହୋଇଥିଲେ । ତାଙ୍କର ଏହି ପଶୁ ବୁଦ୍ଧି ଦେଖି ତାଙ୍କୁ ମୁଁ ବନକୁ ପେଷିଦେଲି (ପଶୁ ବନ ମଧ୍ୟରେ ବାସ କରେ) । ଲକ୍ଷଣଯୁକ୍ତ ମନୋହର ଚନ୍ଦ୍ର ଅସ୍ତ ହେଲେ ଯେପରି ରାତ୍ର ବିନଷ୍ଟ ହୁଏ, ସେହିପରି ରାମ ଲକ୍ଷ୍ମଣଙ୍କ ବନ ଗମନରେ ରାଜା ଦଶରଥ ବିନାଶ ହେଲେ ।’’

୧୮ଶ ପଦ :- ଈନ-ସୂର୍ଯ୍ୟ । କର- କିରଣ । ଦୀପ୍ତ-ଉଜ୍ଜ୍ୱଳ ।

୧୮ଶ ପଦ :- ‘‘ରାତ୍ର ଗଲେ ସୂର୍ଯ୍ୟ ନିଜ କିରଣପ୍ରଭା ଦେଖାଇ ପୃଥିବୀରେ ବିଳସିଲା ପରି ତୁ ରାଜା ହୋଇ ପ୍ରଜାଙ୍କଠାରୁ କର ଆଦାୟ କରି ଅଯୋଧ୍ୟା ପୁରୀରେ ବିହାର କର ।’’ ଭରତ ମାତାଙ୍କର ଏହି କଥା ଶ୍ରବଣ କରି କହିଲେ, ‘‘ତୁମ୍ଭେ ତ ମାତା, ତୁମ୍ଭଙ୍କୁ ଅଧିକ ବା କଅଣ କହିବି ? ରାହୁ ପ୍ରତିପଦ୍‌ଯୁକ୍ତ ଆମାବାସ୍ୟା ଓ ପୂର୍ଣ୍ଣିମାରେ ଚନ୍ଦ୍ର ଓ ସୂର୍ଯ୍ୟ ଉଭୟଙ୍କୁ ଗ୍ରାସ କଲାପରି ତୁମ୍ଭେ ଅଯୋଧ୍ୟାର ଉତ୍ସବ ସମୟରେ ଆମ୍ଭ ଦୁଇକୁଳ (ତୁମ୍ଭ କଥାନୁସାରେ ରାମଚନ୍ଦ୍ର ରୂପୀ ଚନ୍ଦ୍ର ଓ ମୋପରି ସୂର୍ଯ୍ୟକୁଳ) ଗ୍ରାସ କଲ ।

୧୯ଶ ପଦ :- ‘‘ଜଳ ମଧ୍ୟରେ ବନ୍ଧ ପକାଇ ଦୁଇ ଭାଗ କରି ଦେଲ । ଏବେ ଏବୁଦ୍ଧି କାହୁଁ ଶିଖିଲ ?’’ (ଆଗେ ତ ଏ ବୁଦ୍ଧି ନ ଥିଲା) । ଭରତଙ୍କ କଥା ଶୁଣି କୌକେୟୀ କହିଲେ, ‘‘ଦାସୀ ମନ୍ଥରା ହିଂସାରେ ମାତୃଭେଦ ଶିଖାଇଲା ।’’ ଏହା ଶୁଣି ଗୋପାଳ ପିଲା ଗାଈ ପାଖକୁ ଧାଇଁ ଗଲା ପରି ଭରତ ବେଗରେ ମନ୍ଥରା ପାଖକୁ ଦଉଡ଼ି ଗଲେ ।

୨୦ଶ ପଦ :- ବିଷାଣ କେଶ-କେଶରୂପକ ଶୃଙ୍ଗ । ଲାଗୁଡ଼-ବାଡ଼ି । ମଞ୍ଜୁରେ-ମନୋହର ଭାବରେ ।

୨୦ଶ ପଦ :- ଗଉଡ଼ ପିଲା ଗାଈର ଶିଙ୍ଘ ଧଇଲା ପରି ଭରତ ମନ୍ଥରାର କେଶ ଧଇଲେ । ତାକୁ ବାଡ଼ିଦ୍ୱାରା ପ୍ରହାର କରି ତାହାର ପାଦକୁ ଦଉଡ଼ାରେ ବାନ୍ଧିଲେ । ତତ୍ପପରେ କୌଶଲ୍ୟାଙ୍କ ପାଖକୁ ଯାଇ ଦୁଇହାତ ଯୋଡ଼ି ବିନୟ ପ୍ରକାଶପୂର୍ବକ ତାଙ୍କୁ ବୋଧ କଲେ ।

 

ବଶିଷ୍ଠାଦି ଶୁଣି ଆସି            ମହୀପତି ହୁଅ ଭାଷି

ବୋଇଲେ ସେ କି ବୋଲ କୋବିଦେ ହେ।

ବଜ୍ର ସଙ୍ଗରେ ସ୍ଫଟିକ      ସମମୂଲ୍ୟ ଅବିବେକ

ଏତେ ବିବେକ ନ କଲ ହୃଦେ ଯେ । ୨୧।

 

ବିଧିପୂର୍ବେ ତହୁଁ ଗଲେ      ପ୍ରେତକ୍ରିୟାକୁ ସାରିଲେ

ଆସ୍ଥାନେ ବସିଲେ ପ୍ରାନ୍ତ ଦିନ ଯେ।

ବେଷ୍ଟନ ଜନସମସ୍ତ            ସୁମନ୍ତ୍ରେ ପୁଚ୍ଛେ ଭରତ

କେଉଁ ଦିଗେ ଶ୍ରୀରାମ ଗମନ ହେ । ୨୨।

 

ବିନାୟକ ଲମ୍ବୋଦର            ହେଳେହେଲେ ଗଣେଶ୍ଵର

ତାତ ବୋଲେ ତାତ ତୋତେ ଦେଲେ ଯେ।

ବାଳଚର୍ଯ୍ୟ ସେ ଅଛନ୍ତି      ରାମ ହେଲେ ସେହିମତି

ହୁଅ ନୃପ ବଶିଷ୍ଠେ ବୋଇଲେ ଯେ । ୨୩।

 

ବାଣୀରେ ଭରତ ମୋହି      ଗଜମୂର୍ଖ ନୋହେ ମୁହି

ଗିରାଙ୍କୁଶ ଘାତ କିପାଁ କର ହେ।

ବିଧୁର ଅଜ୍ଞାତ ଦୋଷ      କଳଙ୍କ ଯଥା ପ୍ରକାଶ

ଧାତା ମାତା ରଖିଲା ମୋଠାର ଯେ । ୨୪।

 

ବାହାରିଲେ ରାମ ଆଣି      ନଗ୍ର ଶୂନ୍ୟ ସେହିକ୍ଷଣି

ବୃଥା ବୋଲି ମନ୍ତ୍ରୀ କରୁଁ ବିଘ୍ନ ଯେ।

ବିଶୁଦ୍ଧ ସ୍ଵର୍ଣ୍ଣ ପିତ୍ତଳ            ମିଶିଛି ଯେବେ ତା ଜଳ

ପ୍ରତିଉତ୍ତର କଲେ ଶତ୍ରୁଘ୍ନ ଯେ । ୨୫।

 

୨୧ଶ ପଦ :- ଭରତ ଆସିବାର ଶୁଣି ବଶିଷ୍ଠାଦି ପାତ୍ରମାନେ ଆସି କହିଲେ, ‘‘ତୁମ୍ଭେ ରାଜା ହୁଅ’’ । ଭରତ କହିଲେ, ‘‘ହେ ଜ୍ଞାନୀବର୍ଗ ! କି କଥା କହୁଅଛ ? (ଜ୍ଞାନୀ ହୋଇ ଅଜ୍ଞାନଙ୍କ ପରି କହୁଅଛ ) ତୁମ୍ଭେ କ’ଣ ହୃଦୟରେ ବିଚାର କରିପାରୁନାହଁ ଯେ, କେବଳ ଅବିବେକ ଲୋକ ହୀରକର ମୂଲ୍ୟ ସହିତ ସ୍ଫଟିକ ପଥରର ମୂଲ୍ୟକୁ ସମାନ କରିଥାଏ । (ରାମଙ୍କ ସହିତ ମୋତେ ସମାନ କଲେ ତୁମ୍ଭେ ଅବିବେକଙ୍କ ସହିତ ଗଣନା ହେବ) ।’’

୨୨ଶ ପଦ :- ଆସ୍ଥାନେ-ସଭାରେ । ପ୍ରାନ୍ତ-ଶେଷ ।

୨୨ଶ ପଦ :- ତତ୍ପରେ ଭରତ ଯାଇ ବିଧିପୂର୍ବକ ଶ୍ରାଦ୍ଧାଦି ପ୍ରେତକର୍ମ ସମାପ୍ତ କଲେ । ଶେଷଦିନ ସଭା ମଣ୍ଡପରେ ପାତ୍ରମନ୍ତ୍ରୀଙ୍କଦ୍ୱାରା ବେଷ୍ଟିତ ହୋଇ ବସି ସୁମନ୍ତ୍ର ମନ୍ତ୍ରୀଙ୍କି ପଚାରିଲେ, ‘‘ଶ୍ରୀରାମ କେଉଁ ଦିଗରେ ଗଲେ କି ?’’

୨୩ଶ ପଦ :- (ମୁଁ ରାଜା ହେବାକୁ ଅଯୋଗ୍ୟ, ଏହା ଭରତ ପୂର୍ବେ କହିଥିବାରୁ) ବିଶିଷ୍ଠ କହିଲେ ‘‘ସାନ ପୁତ୍ର ଗଣେଶ ‘ବିନାୟକ’ ନାୟକ ପଦର ଅଯୋଗ୍ୟ, ପୁଣି ଲମ୍ବୋଦର ହୋଇ ମଧ୍ୟ (ଅଯୋଗ୍ୟ ହେଲେ ସୁଦ୍ଧା) ପିତା ମହାଦେବଙ୍କ ବୋଲରେ ଗଣନାଥ ହୋଇଅଛନ୍ତି । ସେହିପରି ପିତା ଦଶରଥ ତୁମ୍ଭଙ୍କୁ ରାଜପଦ ଦେଇ ଅଛନ୍ତି । କାର୍ତ୍ତିକେୟ ଥାଉଁ ଥାଉଁ ଗଣେଶ ଗଣନାଥ ହେଲା ପ୍ରାୟ ରାମ ଥିଲେ ସୁଦ୍ଧା ପିତା ବୋଲରେ ତୁମ୍ଭେ ରାଜା ହୁଅ ।’’

୨୪ଶ ପଦ :- ବିଶିଷ୍ଠଙ୍କ କଥା ଶୁଣି ଭରତ ଉତ୍ତରରେ ମୋହିତ କରି କହିଲେ, ‘‘ମୁଁ ଗଜମୁର୍ଖ ନୁହେଁ, ମୋତେ କାହିଁକି ଏ ବଚନ ରୂପ ଅଙ୍କୁଶରେ ଆଘତ କରୁଅଛ ? ଯେପରି ବିଧାତା ଅଜ୍ଞାତ ଦୋଷରେ (ବିନା ଦୋଷରେ) ଚନ୍ଦ୍ରଠାରେ କଳଙ୍କ ରଖିଲା, ସେହିପରି ମାତା କୈକେୟୀ ମୋ’ଠାରେ ମୋର ଅଜ୍ଞାତରେ ଅପବାଦରୂପ କଳଙ୍କ ରଖିଅଛି ।’’

୨୫ଶ ପଦ :- ଏହା କହି ଭରତ ରାମଙ୍କୁ ଆଣିବାପାଇଁ ବାହାରନ୍ତେ ନଗ୍ର ଶୂନ୍ୟ ହୋଇଗଲା, (ନଗ୍ରର ପ୍ରଜାମାନେ ତାଙ୍କ ସହିତ ରାମକୁ ଆଣିବାପାଇଁ ବାହାରିଲେ) । ଏହା ଦେଖି ମନ୍ତ୍ରୀମାନେ ‘ଯିବା ବୃଥା’ ଏହା କହି ଯିବାପାଇଁ ବାଧା ଦିଅନ୍ତେ, ଶତ୍ରୁଘ୍ନ ପ୍ରତି ଉତ୍ତର କଲେ, ‘‘ବିଶୁଦ୍ଧ ସୁବର୍ଣ୍ଣରେ ପିତ୍ତଳ ମିଶିଅଛି, ତାକୁ ପୋଡ଼ିଦେବା ଉଚିତ । (ବିଶୁଦ୍ଧ ସୁବର୍ଣ୍ଣ ଭରତଙ୍କ ସଙ୍ଗରେ ମାତୃ କୁମନ୍ତ୍ରଣା ରୂପ ପିତ୍ତଳ ମିଶିଛି । ରାମଙ୍କୁ ଆଣିଯିବା ରୂପ ଅଗ୍ନିରେ ପୋଡ଼ିଦେଲେ ଭରତଙ୍କ ବିଶୁଦ୍ଧତା ପ୍ରକାଶ ପାଇବ) ।’’

 

ବାଟରେ ହେଲା ଏମନ୍ତ      ଶୃଙ୍ଗବେର ଆତଯାତ-

କର ମହାଧନୀରେ ବିବାଦୀ ଯେ।

ବିଧୃତ ଏକ ପଦିକା            ସେ ନାନାରତ୍ନେ ଶୋଭିକା

ନିର୍ମଳ ହୃଦେ ହେଲା ପ୍ରମୋଦି ଯେ । ୨୬।

 

ବିପିନେ ଭରଦ୍ଵାଜର            ସବଳେ ପ୍ରବେଶ ବୀର

ତପୋବଳେ ସମସ୍ତ ଚର୍ଚ୍ଚିଲେ ସେ।

ବିଧୁପ୍ରାୟେ ସୁଧାତୁଲ୍ୟ      ଭୋଜନ ଦେଲେ ତତ୍କାଳ

ସୁରପ୍ରାୟ ସନ୍ତୋଷେ ଭୁଞ୍ଜିଲେ ସେ । ୨୭।

 

ବ୍ୟୁତପତ୍ତ ଉତ୍ତରରୁ            ଭୋଗ ପ୍ରାୟ ଦିବ୍ୟଭୀରୁ

ସେବିଲେ ଫଳଚନ୍ଦନେ ଶୋହି ଯେ।

ବିତାନ ତଳେ ଶେଯରେ      ବିହରି ମହାସୁଖରେ

କିଛି ନାହିଁ ରାତ୍ର ଗଲା ପାହି ଯେ । ୨୮।

 

ବଚସ୍କର ମୁନି ଯେହୁ      ସୁବାହୁବଳେ ସୁବାହୁ

ନାଶିଭୂତି ବିନା ଭୂତି ଭୂଷା ଯେ।

ବିହୀନ ଲକ୍ଷ୍ମଣେ ଯେହି      ସହିତ ଲକ୍ଷ୍ମଣେ ସେହି

ଜାନକୀ ନୋହି ଜାନକୀ ଆଶା ଯେ । ୨୯।

 

ବିରକ୍ତ ଚିତ୍ରକୂଟରେ            ବିହରେ ଚିତ୍ରକୂଟରେ

କଟକକୁ ତେଜି କଟକରେ ସେ।

ବିରୋଧାଭାଷ ଶୁଣି ସେ      ଗମନ କଲେ ରଭସେ

ପରବେଶ ହୋଇ ନିକଟରେ ସେ । ୩୦।

 

୨୬ଶ ପଦ :- ଶୃଙ୍ଗବେର-ଅଦା । ଏକପଦିକା-ଚାରିପଣ ।

୨୬ଶ ପଦ :- ଅଦା ବ୍ୟବସାୟୀ ଚାରିପଣ କଉଡ଼ି ଧରି ନାନାରତ୍ନରେ ମଣ୍ଡିତ ମହା ଧନବନ୍ତ ଲୋକ ସହିତ ବିବାଦୀ ହେଲାପରି, ଭରତ ଯାଉଁ ଯାଉଁ ଶୃଙ୍ଗବେରପୁରର ଅଧିପତି ଗୁହକ ଶବର ବହୁସୈନ୍ୟ ପରିବେଷ୍ଟିତ ଭରତଙ୍କ ସଙ୍ଗେ ବିବାଦୀ ହୋଇ ବାଟରେ ବାଧା ଦେଲା । ମାତ୍ର କଥାବର୍ତ୍ତା ହେଲାପରେ ଚିହ୍ନାଚିହ୍ନି ହୋଇ ସ୍ୱଚ୍ଛ ହୃଦୟରେ ଆନନ୍ଦ ଅନୁଭବ କଲା ।

୨୭ଶ ପଦ :- ସେଠାରୁ ଯାଇ ବୀର ଭରତ ସୈନ୍ୟ ସହିତରେ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ପ୍ରବେଶିଲେ । ସେ ମୁନି ତପଃପ୍ରଭାବରେ ସେମାନଙ୍କୁ ଚର୍ଚ୍ଚା କଲେ । ଚନ୍ଦ୍ର ଦେବତାଙ୍କୁ ଅମୃତ ଦେଲା ପ୍ରାୟ, ଋଷି ତତ୍‌କ୍ଷଣାତ୍ ସେମାନଙ୍କୁ ଅମୃତ ସମ ଭୋଜନ ଦେଲେ । ସେମାନେ ଦେବତାଙ୍କ ପରି ସନ୍ତୋଷ ମନରେ ତାହା ଭୁଞ୍ଜିଲେ ।

୨୮ଶ ପଦ :- ଭୋଗ-ସ୍ୱର୍ଗଭୋଗ । ଦିବ୍ୟଭୀରୁ-ସ୍ୱର୍ଗର ରମଣୀ । ବିତାନ-ଚାନ୍ଦୁଆ ।

୨୮ଶ ପଦ :- ଜ୍ଞାନୀଶ୍ରେଷ୍ଠ ଋଷି ସେମାନଙ୍କୁ ସ୍ୱର୍ଗ ସୁଖ ପ୍ରଦାନ କଲେ । ଦିବ୍ୟ ସ୍ତ୍ରୀମାନେ ଫୁଲ ଚନ୍ଦନରେ ଶୋଭିତ ହୋଇ ଆସି ସେମାନଙ୍କୁ ପୂଜା କଲେ । ଚାନ୍ଦୁଆ ତଳେ ମହାସୁଖରେ ବିହାର କରି ସେମାନଙ୍କର ରାତ୍ର ପାହିଗଲା । ପ୍ରଭାତରେ ସେମାନେ ଦେଖିଲେ ଯେ ଆଉ କିଛି ନାହିଁ । ଋଷିଙ୍କର ତପ ପ୍ରଭାବରେ ରାତ୍ରରେ ସବୁ ସୁଖ ମିଳିଲା, ମାତ୍ର ପ୍ରଭାତରେ ବିଲୀନ ହୋଇଗଲା) ।

୨୯ଶ ପଦ :- ମୁନି ଭାରଦ୍ୱାଜ ବିରୋଧ ବାକ୍ୟରେ କହିଲେ, ‘‘ରାମଚନ୍ଦ୍ର, ‘ସୁବାହୁ’ ଉତ୍ତମ ବାହୁବଳରେ ସୁବାହୁ ଦୈତ୍ୟକୁ ମାରି ‘ଭୂତି’ ସମ୍ପତ୍ତି ତ୍ୟାଗ କରି ‘ଭୂତି’ ଭସ୍ମ ବିଭୁଷିତ ହୋଇଅଛନ୍ତି । ‘ଲକ୍ଷଣେ’ ଛତ୍ର ଚାମରାଦି ରାଜଚିହ୍ନ ଶୂନ୍ୟ ହୋଇ ଲକ୍ଷ୍ମଣଙ୍କ ସହିତ ଏବଂ ‘ଜାନକୀ’ ରଥ ସୁଖ ପରିହାର ପୂର୍ବକ ‘ଜାନକୀ’ ସୀତାଙ୍କ ସଙ୍ଗରେ ବନରେ ବୁଲୁଅଛନ୍ତି ।’’

୩୦ଶ ପଦ :- ‘‘ଅଯୋଧ୍ୟାର ଅପୂର୍ବ କପଟରେ ବିରକ୍ତ ହୋଇ ସେ ରାମ ଚିତ୍ରକୂଟ ପର୍ବତ ତଳଦେଶରେ ବିହାର କରୁଅଛନ୍ତି ।’’ ଭରତ ଭରଦ୍ୱାଜ ଋଷିଙ୍କଠାରୁ ଏହିପରି ବିରୋଧାଭାଷ ଶୁଣି ସେଠାରୁ ବେଗରେ ଗମନ କଲେ ଓ ଚିତ୍ରକୁଟ ପର୍ବତ ନିକଟରେ ପ୍ରବେଶ ହେଲେ।’’

 

ବ୍ୟାଳସମୂହକୁ ତ୍ରାସି      ସିଂହ କି ଘଉଡ଼ି ଆସି

ଘୋଷି ଦନ୍ତେ ଉଠି ସୌମିତ୍ରେୟ ଯେ।

ବିଲୋକିଲେ ପ୍ରଜାପତ୍ତି      ବାଜୀ ହସ୍ତେ ଧରିଛନ୍ତି

ହରି ଚଢ଼ି ଆସେ ଚୟ ଚୟ ଯେ । ୩୧।

 

ବାହନ କରି ସୁଦନ୍ତୀ            କେତେ ବିହେ ରଥେ ଗତି

କନ୍ଦଳୀ ଚଳିଅଛନ୍ତି ଶୂନ୍ୟେ ଯେ।

ବିଷ୍ଣୁପଦ ଦିଏ ଗିଳି            ରଜନୀକରହିଁ ମିଳି

ଲକ୍ଷ୍ମଣ ଚିହ୍ନି କହେ ବହନ ଯେ । ୩୨।

 

ବୈମାତ୍ରେୟ ଗୁଣ ଭାଳି      ଗରୁଡେ଼ ଯେମନ୍ତ କାଳୀ

ବିଭୋଗ ଖଣ୍ଡନେ ସାଜି ରଣେ ଯେ।

ବିବାଦ ରଚି ତେମନ୍ତ      ସସୈନ୍ୟ ହୋଇ ଭରତ

ଗମନ କରିବା ପ୍ରାୟ ମଣେ ଯେ । ୩୩।

 

ବୋଧେ ରାମ ନଦୀ ସର            ତଡ଼ାଗ କୂପ ଆବର

ମୂର୍ତ୍ତି ଭିନ୍ନ ସେ ଏକ ଜୀବନ ଯେ।

ବରଷା କରେ ଆବିଳ      ତା ନିଜ ଗୁଣ ନିର୍ମଳ

ଶୀତଳକୁ ନ ଛାଡ଼ନ୍ତି ଘେନ ଯେ । ୩୪।

 

ବିନତି ଯୋଡ଼ିଣ କର      ବିନତାସୁତ ପ୍ରକାର

ଦଣ୍ଡ ପ୍ରାୟ ଦଣ୍ଡେ ମହୀ ଭଜି ଯେ।

ବେଗେ ସରାଗେ ତୋଳିଲେ            ଶିଷ୍ୟେ ଗୁରୁପ୍ରାୟ ହେଲେ

ବେନିଭ୍ରାତ ମନ ରଞ୍ଜାରଞ୍ଜି ଯେ । ୩୫।

 

୩୧ଶ ପଦ :- ଭରତ ସୈନ୍ୟମାନଙ୍କ ସହିତ ଶୀଘ୍ର ଗତିରେ ଆସନ୍ତେ ବନଜନ୍ତୁମାନେ ପଳାଇ ଯିବାରୁ ‘ବାଘ, ଭାଲୁ, ଗଣ୍ଡା ପ୍ରଭୃତି ହିଂସ୍ରପଶୁଙ୍କୁ ତ୍ରାସ ଦେଇ ସିଂହ ଘଉଡ଼ି ଆସୁଛି କି ?’ ଏହା ବିଚାରି ଲକ୍ଷ୍ମଣ ପର୍ବତ ଉପରେ ଉଠି ଦେଖିଲେ ଯେ, ପଦାତି ଅଶ୍ୱାରୋହୀ ସୈନ୍ୟମାନେ ହସ୍ତରେ ଧନୁଶର ଧରି ଶ୍ରେଣୀବଦ୍ଧ ଭାବରେ ଆସୁଅଛନ୍ତି ।

୩୨ଶ ପଦ :- କେତେକ ସୈନ୍ୟ ଉତ୍ତମ ହସ୍ତୀ ଉପରେ ବସି କେତେକ ରଥରେ ବସି ଆସୁଅଛନ୍ତି । ପତାକା ସମୂହ ଶୂନ୍ୟରେ ଉଡ଼ୁଅଛି (ଏହାଦ୍ୱାରା ଚତୁରଙ୍ଗ ବଳ ଥିବାର ସୂଚିତ ହେଲା) । ଧୂଳିରାଶି ଉଡ଼ି ଆକାଶକୁ ଆଚ୍ଛାଦନ କରି ପକାଉଅଛି। (ବିରୋଧାଭାଷ-‘ରଜନୀ କର’ ଚନ୍ଦ୍ର ବିଷ୍ଣୁଙ୍କ ପାଦକୁ ଗିଳୁଅଛି) । ଭରତଙ୍କର ସୈନ୍ୟ ବୋଲି ଲକ୍ଷ୍ମଣ ଚିହ୍ନିପାରି ରାମଙ୍କ ଆଗରେ ଆସି କହିଲେ-

୩୩ଶ ପଦ :- ‘‘କାଳୀସର୍ପ ବୈମାତ୍ରେୟ ଗୁଣ ବହନ କରି ଗରୁଡ଼ ସହିତ ଯେପରି ଯୁଦ୍ଧ କରିଥିଲା (କାଳୀ ସର୍ପ କଦ୍ରୁପୁତ୍ର ଓ ଗରୁଡ଼ ବିନତା ସୁତ କଦ୍ରୁବିନତାର ସପତଣୀ), ସେହିପରି ଭରତ ବୈମାତ୍ରେୟ ଗୁଣଘେନି ସୈନ୍ୟ ସହିତରେ ଆମ୍ଭମାନଙ୍କ ସହିତ ବିବାଦ କରିବାକୁ ଆସିଲାପରି ମୁଁ ମନେକରୁଛି ।’’

୩୪ଶ ପଦ :- ଲକ୍ଷ୍ମଣଙ୍କର ଏପରି କଥା ଶୁଣି ରାମ ବୋଧଦେଇ କହିଲେ, ‘‘ନଦୀ, ହ୍ରଦ, ପୁଷ୍କରିଣୀ ଓ କୂଅର ମୂର୍ତ୍ତି ଭିନ୍ନ, ମାତ୍ର ସେମାନଙ୍କର ଜୀବନ ଏକ ଅର୍ଥାତ୍ ସେ ସବୁଥିରେ ଯେ ପାଣି ରହିଥାଏ ସେ ଅଭିନ୍ନ; ସେହିପରି ଆମ୍ଭ ଚାରିଭାଇଙ୍କର ମୂର୍ତ୍ତି ଭିନ୍ନ ମାତ୍ର ଜୀବନ ଏକ । ବୃଷ୍ଟି ଜଳ ସେ ନଦୀ, ହ୍ରଦ, ପୁଷ୍କରିଣୀ ଓ କୂପର ଜଳକୁ ଗୋଳିଆ କରିଥାଏ, କିନ୍ତୁ ତାଙ୍କର ନିଜ ଗୁଣ ନିର୍ମଳତା ଓ ଶୀତଳତାକୁ ସେ ଛାଡ଼ନ୍ତି ନାହିଁ; ଏହା ମନରେ ହେଜ । (କୈକେୟୀଦ୍ୱାରା କଳୁଷିତ ହେଲେ ମଧ୍ୟ ଭରତ ନିଜର ନିର୍ମଳ ଗୁଣ ଛାଡ଼ିପାରିବ ନାହିଁ) ।’’

୩୫ଶ ପଦ :- ଏହି ସମୟରେ ଭରତ ଆସି ଗରୁଡ଼ ପ୍ରକାର ବିନୟରେ କରଦ୍ୱୟ ଯୋଡ଼ିଲେ (ଜଗନ୍ନାଥଙ୍କ ଆଗରେ ଗରୁଡ଼ ଯେପରି ବସିଥାଏ) ଏବଂ ଦଣ୍ଡେ ପର୍ଯ୍ୟନ୍ତ ଦଣ୍ଡ ପ୍ରାୟ ମହୀକ ଭଜିଲେ ଅର୍ଥାତ୍ ଦଣ୍ଡେ ପର୍ଯ୍ୟନ୍ତ ଭୂମିରେ ଶୋଇ ସାଷ୍ଟାଙ୍ଗ ପ୍ରଣିପାତ କଲେ । ରାମଚନ୍ଦ୍ର ସ୍ନେହର ସହିତ ଗୁରୁ ଶିଷ୍ୟକୁ ତୋଳି ଧଇଲା ପ୍ରାୟ ତତ୍‌କ୍ଷଣାତ୍ ତୋଳି ଧଇଲେ । ତାହା ପରେ ଦୁଇ ଭାଇ ମନ ଘେନା ଘେନି ହେଲେ ।

 

ବେଢ଼ିଲେ ଜନ ଜନନୀ      ଗୁରୁ ଚତୁରଙ୍ଗ ଘେନି

ଦରିଦ୍ର ଧନ ଲଭିଲା ପରି ସେ।

ବିଶିଷ୍ଠ ସର୍ବ କହିଲେ,      ଭରତ ପଦ ଧଇଲେ

ଗମନ କରିବା ପାଇଁ ପୁରୀ ଯେ । ୩୬।

 

ବୋଲେ ରାମ ସତ୍ୟବାଦୀ            ପଦେଅନ୍ୟାର୍ଥ ସମ୍ପାଦି

ସମସ୍ତେ ପଣ୍ଡିତ ଗୁଣେ ଆସି ହେ।

ବଚ ଯେହୁ ଜନକର            ନ ପାଳେ ସେ କି କୁମର ?

ପର୍ଶୁଧର ରେଣୁକାକୁ ନାଶି ହେ । ୩୭।

 

ବୋଇଲେ କୈକେୟୀସୁତ      ଦୈତ୍ୟମାତାଠାରୁ ଜାତ

ହେଉଁ ବାତ ଇନ୍ଦ୍ର ଘାତ କରି ହେ।

ବିଶ୍ଵାସୀ ତାଙ୍କର ହେଲା      ଦେବ ହୋଇ ନ ଧଇଲା

ମନ୍ଦଗୁଣ, ମୁହିଁ ସେହିପରି ହେ । ୩୮।

 

ବିହରିବା ମାନସର            ମଧ୍ୟେ ହଂସକୁ ସୁନ୍ଦର

ଆନ ପକ୍ଷିରେକିସେ ବାଞ୍ଛିତ ଯେ ?

ବିଷମ ବୁଦ୍ଧି ପ୍ରକାଶ            କେବେ ନୋହିବ ନହୁଷ

ପ୍ରାୟ ନାଶ ଯିବାକୁ ମୋ ଚିତ୍ତ ଯେ । ୩୯।

 

ବାହୁଡ଼ିବାକୁ ସମ୍ମତି            ନ କରୁଁ ଜାନକୀପତି

କୁଶେଶୟ ହେଲେ ସଭ୍ରମରେ ଯେ।

ବିହାୟସୁଁ ବେଦବାଣୀ      ତୋ ପ୍ରସୂ ପୃଥ୍ଵୀରକ୍ଷିଣୀ

ନିଶା ଦୋଷା ହୋଇଲା ପ୍ରକାରେ ଯେ । ୪୦।

 

୩୬ଶ ପଦ :- ତଦନନ୍ତର ପ୍ରଜାଲୋକେ ଓ ମାତାମାନେ ବିଶିଷ୍ଠ, କଶ୍ୟପ, ଜାବାଳି, ବାମଦେବ-ଏହି ଚାରି ଗୁରୁଙ୍କ ସହିତ ଦରିଦ୍ର ଧନ ଲାଭ କଲା ପରି ରାମଚନ୍ଦ୍ରଙ୍କୁ ପାଇ ଆନନ୍ଦରେ ବେଢ଼ିଗଲେ । ବଶିଷ୍ଠ ସବୁ କଥା କହିଲେ । ଅଯୋଧ୍ୟାକୁ ଫେରିଯିବା ପାଇଁ ଭରତ ରାମଚନ୍ଦ୍ରଙ୍କ ପାଦ ଧରି ଅନୁନୟ କଲେ ।

୩୭ଶ ପଦ :- ଅନନ୍ତର ରାମଚନ୍ଦ୍ର କହିଲେ, ‘‘ତୁମ୍ଭେ ସମସ୍ତେ ପଣ୍ଡିତ ହୋଇ ସୁଦ୍ଧା ମୋର ପିତୃସତ୍ୟକୁ ଅନ୍ୟଥା କରିବାକୁ ଆସିଅଛ । ଯେଉଁ ପୁତ୍ର ପିତାଙ୍କର ବାକ୍ୟ ନ ପାଳେ ସେ କ’ଣ ପୁତ୍ରରୂପେ ଗଣ୍ୟ ? (ସେ ପୁତ୍ର ହୋଇ ସୁଦ୍ଧା ପୁତ୍ର ନୁହେଁ)। ପର୍ଶୁରାମ ପିତାଙ୍କ କଥା ପାଳି ନିଜ ମାତା ରେଣୁକାକୁ ନାଶ କରିଥିଲେ ।’’

୩୮ଶ ପଦ :- ତତ୍ପରେ ଭରତ କହିଲେ, ‘‘ଦୈତ୍ୟମାତା ଦିତିଠାରୁ ଜାତ ହୋଇଥିବା ପବନକୁ ଇନ୍ଦ୍ର ଅଣଚାଶ ଖଣ୍ଡ କରି ହାଣିଥିଲେ ସୁଦ୍ଧା ସେ ଦେବତା ହୋଇ ଇନ୍ଦ୍ରଙ୍କର ବିଶ୍ୱାସୀ ହେଲା; ବୈମାତ୍ରେୟ ମନ୍ଦଗୁଣ ଧଇଲା ନାହିଁ । ମୁଁ ସେହିପରି ମାତା ଦୋଷରେ ଦୋଷୀ ସିନା ! (ମୋତେ ସେହିପରି ବିଶ୍ୱାସ କରନ୍ତୁ) ।

୩୯ଶ ପଦ :- ‘‘ହଂସ ସିନା ମାନସରୋବରେ ବିହାର କଲେ ସୁନ୍ଦର ଦିଶିବ, ଅନ୍ୟ ପକ୍ଷୀ ତାହା ଇଚ୍ଛା କରିବା କି ? (ଅନ୍ୟ ପକ୍ଷୀ ବିହାର କଲେ କ’ଣ ସୁନ୍ଦର ଦିଶିବ ? ସେହିପରି ଅଯୋଧ୍ୟାରେ ଆପଣ ରାଜା ହେଲେ ଯେପରି ସୁନ୍ଦର ଦିଶିବ; ମୁଁ ରାଜା ହେଲେ ସେପରି ଦିଶିବ କି ?) ନହୁଷ ପ୍ରାୟ ନାଶଯିବ ପାଇଁ ମୋ ମନରେ ରାଜା ହେବା ରୂପକ ବିଷମ ବୃଦ୍ଧି କେବେ ହେଲେ ପ୍ରକାଶିତ ହେବ ନାହିଁ ।’’ (ନହୁଷ ସ୍ୱର୍ଗର ଇନ୍ଦ୍ର ହେବାକୁ ଇଚ୍ଛା କରି ବିନାଶ ହୋଇଥିଲେ, ମୁଁ ସେହିପରି ଅଯୋଧ୍ୟାର ରାଜା ହେବାକୁ ଇଚ୍ଛା କଲେ ବିନାଶ ହେବି) ।

୪୦ଶ ପଦ :- ସୀତାପତି ରାମଚନ୍ଦ୍ର ଅଯୋଧ୍ୟାକୁ ଫେରି ଯିବାକୁ ସମ୍ମତି ନ ଦେବାରୁ ଭରତ ପଦ୍ମ ଭ୍ରମରଯୁକ୍ତ ହେଲା ପ୍ରାୟ ଭ୍ରମବଶତଃ ଅନଶନ ବ୍ରତ ସହିତ କୁଶଶଯ୍ୟା କଲେ । ସେହି ସମୟରେ ଆକାଶରୁ ଦୈବ ବାଣୀ ହେଲା, ‘‘ହେ ଭରତ ! ତୋହର ମାତା ପୃଥିବୀ ରକ୍ଷାକାରିଣୀ ଅଟନ୍ତି । ବିନା ଦୋଷରେ ରାତ୍ରିକୁ ଦୋଷ ନାମ ଦେଲାପ୍ରାୟ ସେ ନିର୍ଦ୍ଦୋଷରେ ଦୋଷୀ ବୋଲି କଳଙ୍କ ବହିଲେ ।’’

 

ବାହୁଡ଼ାଇଲେ ରାଘବ      ସୂର୍ଯ୍ୟବଂଶ ବୁଡ଼ିଯିବ

ଶୁଣି ଉଠି ଯତିବେଶ ବହି ଯେ।

ବନ୍ଦିଲେ ପାଦୁକା ରାଜା      ସମ୍ପଦେ କରିଣ ପୂଜା

ନନ୍ଦୀଗ୍ରାମେ ପୁରୀ କରି ରହି ସେ । ୪୧।

 

ବିଶେଷ କାରୁଣି ହୋଇ      କରୁଣାସାଗର ତହିଁ

ତାତବାର୍ତ୍ତା ବଶୁଁ କ୍ରିୟା ସାରି ଯେ।

ବୟାଳିଶ ପଦେ ଛାନ୍ଦ      କହେ ଭଞ୍ଜ ଉପଇନ୍ଦ୍ର

ସୀତାରାମ କାନନବିହାରୀ ଯେ। ୪୨।

 

୪୧ଶ ପଦ :- ‘‘ତୁମ୍ଭେ ଏପରି କଠୋର ଅନଶନ ବ୍ରତ କରି ନାଶ ହେଲେ ଆମ୍ଭେ ସବୁ ମରିବୁ; ତେଣୁ ସୂର୍ଯ୍ୟବଂଶ ବୁଡ଼ିଯିବ’’- ରାମ ଏହା ବୋଧ ଦେଇ କହି ଭରତଙ୍କୁ ଅଯୋଧ୍ୟା ଫେରିଯିବା ପାଇଁ ବୁଝାଇଲେ । ରାମଙ୍କ କଥା ଶୁଣି କୁଶଶଯ୍ୟାରୁ ଉଠି ଭରତ ଯତି ବେଶ ଧରି ଫେରିଲେ । ରାମଙ୍କ କଠାଉକୁ ଆଡ଼ମ୍ବର ସହିତ ପୂଜା କରି ରାଜା କଲେ, ନିଜେ ପାତ୍ର ପ୍ରାୟ ବନ୍ଦନା କଲେ । ନନ୍ଦୀଗ୍ରାମରେ ପୂର ନିର୍ମାଣ କରି ରହିଲେ, (ଅଯୋଧ୍ୟାକୁ ଫେରି ଗଲେ ନାହିଁ )।

 

୪୨ଶ ପଦ :- ଭରତ ବାହୁଡ଼ି ଯିବା ପରେ କରୁଣାସାଗର ରାମ ପିତାଙ୍କର ବିନାଶ ବାର୍ତ୍ତା ପାଇଥିବା ହେତୁ ବିଶେଷ ଭାବରେ ରୋଦନ କଲେ । ପ୍ରେତକ୍ରିୟାମାନ ସମାପ୍ତ କରି ସୀତା ରାମ ବନବିହାରୀ ହେଲେ । ଏ ଛାନ୍ଦକୁ ବୟାଳିଶ ପଦରେ ଉପେନ୍ଦ୍ର ଭଞ୍ଜ କହିଲେ ।

 

ଊନବିଂଶ ଛାନ୍ଦ

(ରାଗ-ପଞ୍ଚମବରାଡ଼ି)

 

ବିଚାରଇ ମାଳଯମକରେ କବି ମନେ।

ବୁଲେ ରାମ-ରାମ ରାମନେତ୍ରୀ ଘେନି ବନେ ଯେ।

ବୃହଦ୍ଭାନୁ ଭାନୁ ଭାନୁ ପ୍ରଭା ତାପ ନାହିଁ।

ବୃତ ତମତମାଳ ମାଳତୀଲତା ଯହିଁ ଯେ । ୧।

 

ବହଇ ନିର୍ଝର ଝରଝର ଅବିରତ।

ବିଶେଷ ତରଙ୍ଗ ରଙ୍ଗ ରଙ୍ଗଣୀ ଶୋଭିତ ଯେ।

ବହି ଚନ୍ଦ୍ର ଚନ୍ଦ୍ର ଚନ୍ଦ୍ର ଶୀତକୁଳ ବାତ।

ବହେ ମନ୍ଦ ମନ୍ଦ ମନ୍ଦସୁତ କରେ ରୁତ ଯେ । ୨।

 

ବିଞ୍ଚେ ଘନଘନ ଘନ କୁଶକ’ଣ ଯଥା।

ବୃଷ୍ଟି ମଧୁର ମଧୁର ମଧୁରଜେ ତଥା ଯେ।

ବିଭାଜିତ ଭୃଙ୍ଗ ଭୃଙ୍ଗ ଭୃଙ୍ଗ କରେ କେଳି।

ବନୀ ବନୀ ବନିତା କି ପୁଷ୍ପହାସେ ଝଳି ଯେ । ୩।

 

ବୋଧେ ଶୃଙ୍ଖଳାରେ ରଘୁନାଥ ସୀତା ମତି।

ବିଚିତ୍ର ଚିତ୍ରକୂଟ ଯେ କୂଟଜେ ବ୍ରତିତ ଯେ।

ବୃତତୀତତି ଜୟନ୍ତୀ ଅତିଭା ବାସନ୍ତୀ।

ବାସନ୍ତୀ ସତିରେ ଫୁଲ୍ଲ ଫୁଲରେ ପ୍ରବର୍ତ୍ତି ଯେ । ୪।

 

ବର୍ତ୍ତିକ ତିକ ଆଳି କଳି ଯେ ବିହରିତ।

ବିହରିତ ମାନ ମାନ ଶୁକ ସୁକବିତ ଯେ।

ବିତର ତରଳ ନେତ୍ର ନେତ୍ର ସୁବାସିନୀ ।

ବାସିନୀ ସୁଜାତି ଜାତୀ ସ୍ଵଭାବ ଭାବିନି ଯେ । ୫।

 

୧ମ ପଦ :- ରାମ-ରମଣୀୟ, ସୁନ୍ଦର । ରାମ-ରାମଚନ୍ଦ୍ର । ରାମନେତ୍ରୀ-ମୃଗନେତ୍ରୀ । ବୃହଭାନୁ-ଅଗ୍ନି । ଭାନୁ-ସୂର୍ଯ୍ୟ । ଭାନୁ-କିରଣ । ତମାଳମାଳ-ତମାଳ ବୃକ୍ଷ ସମୂହ ।

୧ମ ପଦ :- କବି ‘ମାଳଯମକରେ’ କବିତା କରିବାକୁ ମନରେ ବିଚାର କରେ । (ମାଳଯମକ ଲକ୍ଷ୍ମଣ,-ଏକମାତ୍ର ଶବ୍ଦ ଭିନ୍ନାର୍ଥକରେ ଦୁଇରୁ ଅଧିକ ଥର ପ୍ରୟୋଗ ହେଲେ ମାଳ ଯମକ ହୁଏ । ଯଥା,-‘ରାମ ରାମରାମ ନେତ୍ରୀ’) ।

ସୁନ୍ଦର ରାମଚନ୍ଦ୍ର ମୃଗନେତ୍ରୀ ସୀତାଙ୍କୁ ସଙ୍ଗରେ ଘେନି କାନନରେ ଭ୍ରମଣ କରନ୍ତି । ସେହି ବନରେ ତମାଳ ବୃକ୍ଷମାନଙ୍କ ଦେହରେ ମାଳତୀ ଲତା ଘନ ଭାବରେ ମାଡ଼ିବାରୁ ଅଗ୍ନି ଓ ସୂର୍ଯ୍ୟ କିରଣର ଉତ୍ତାପ ବାଧେ ନାହିଁ ।

୨ୟ ପଦ :- ନିର୍ଝର-ଝରଣା । ଚନ୍ଦ୍ର-ଚନ୍ଦନ । ଚନ୍ଦ୍ର-କର୍ପୁର । ଚନ୍ଦ୍ର-ଜଳ । ମନ୍ଦସୁତ-କୋକିଳ । ରୁତ-ଧ୍ୱନି ।

୨ୟ ପଦ :- ଝରଣା ସବୁବେଳେ ଝର ଝର ହୋଇ ବହୁଅଛି । ସେହି ଝରଣା ସ୍ରୋତର ଦୁଇ ପାର୍ଶ୍ୱରେ ବିଭିନ୍ନ ରଙ୍ଗର ରଙ୍ଗଣୀ ପୁଷ୍ପ ଫୁଟି ଶୋଭା ପାଉଅଛି । ପବନ ଜଳ, କର୍ପୂର ଓ ଚନ୍ଦ୍ରର ଶୈତ୍ୟଗୁଣକୁ ଧାରଣ କରି ଧୀରେ ଧୀରେ ବହୁଅଛି। କୋକିଳ ଅନବରତ ଧ୍ୱନି କରୁଅଛି ।

୩ୟ ପଦ :- ଘନ-ମେଘ । କୁଶକ’ଣ-ଜଳକଣା । ମଧୁର-ମହୁଲ ଗଛ । ମଧୁର-ମନୋହର । ମଧୁରଜ-ଫୁଲରେଣୁ । ଭୃଙ୍ଗ-ଗୁଡ଼ତ୍ୱକ୍‌ଗଛ । ଭୃଙ୍ଗ-ଭୃଙ୍ଗରାଜ ଗଛ । ଭୃଙ୍ଗ-ଭ୍ରମର । ବନିତା-ସ୍ତ୍ରୀ ।

୩ୟ ପଦ :- ଯେପରି ମେଘ ଖୁବ୍ ଘନଭାବରେ ଜଳକଣାସବୁ ବିଞ୍ଚେ (ମେଘ କୁଣ୍ଡା ଝାଡ଼େ), ସେହିପରି ମହୁଲ ଗଛ ମାଧୁର୍ଯ୍ୟ ଗୁଣ ବା ମହୁ ଓ ଫୁଲର ରେଣୁ ବିଞ୍ଚୁଅଛି । ଶୋଭା ପାଉଥିବା ଭୃଙ୍ଗରାଜ ଓ ଗୁଡ଼ତ୍ୱକ ବୃକ୍ଷରେ ଭ୍ରମରମାନେ କେଳି କରୁଅଛନ୍ତି । ସେ ‘ବନୀ’ କାନନ ‘ବନୀ’ ସୁନ୍ଦର ସ୍ତ୍ରୀ ପ୍ରାୟ ପୁଷ୍ପବିକାଶ ଛଳରେ ହାସ ପ୍ରକାଶ କରୁଅଛି । (ସୁନ୍ଦରୀ ସ୍ତ୍ରୀ ହସିଲେ ଯେପରି ଅତ୍ୟନ୍ତ ସୁନ୍ଦର ଦିଶେ, ସେହିପରି କାନନରେ ଫୁଲ ଫୁଟିଥିବାରୁ ବେଶୀ ମନୋହର ହୋଇଅଛି) ।

୪ର୍ଥ ପଦ :- ବ୍ରତତୀତତି-ଲତାସମୂହ । ଅତିଭା-ଅତ୍ୟନ୍ତ ଶୋଭା । ବାସନ୍ତୀ-ମାଧବୀଲତା । ବିଚିତ୍ର-ସୁଶୋଭିତ । କୁଟଜ-ଗରିମଲ୍ଲିକା । ବୁତତି-ମଣ୍ଡିତ ।

୪ର୍ଥ ପଦ :- ରାମଚନ୍ଦ୍ର ସୀତାଙ୍କର ମନ ବୋଧ କରିବା ନିମିତ୍ତ ଶୃଙ୍ଖଳାବଦ୍ଧ ନିୟମରେ କହିଲେ, ‘‘ଦେଖ, ନାନା ଶେଭାରେ ଚିତ୍ରିତ ଚିତ୍ରକୂଟ ପର୍ବତ ଗିରିମଲ୍ଲିକାରେ ମଣ୍ଡିତ ହୋଇଅଛି, ଲତାସମୂହ ବେଷ୍ଟିତ ଜୟନ୍ତୀ ବୃକ୍ଷସବୁ ଅତି ଶୋଭା ପାଉଅଛନ୍ତି: ରେ ସତି ! ମାଧବୀ ଓ ଯୁଥିକା ଲତା ପ୍ରସ୍ଫୁଟିତ କୁସୁମରେ ଭୂଷିତ ହୋଇଅଛନ୍ତି ।’’

୫ମ ପଦ :- ବର୍ତ୍ତିକ-ବଣିଚଢ଼ାଇ । ତିକ-ବାୟା ଚଢ଼ାଇ । ଆଳି ଆଳି-ଦଳ ଦଳ । ବାସିନୀ-ସୁଗନ୍ଧଯୁକ୍ତ । ସ୍ୱଭାବ-ସ୍ୱଭାବତଃ । ଭାବିନି-ଭାବବତୀ ।

୫ମ ପଦ :- ‘‘ବଣି ଓ ବାୟାଚଢ଼େଇ ଦଳ ଦଳ ହୋଇ ବିହାର କରୁଅଛନ୍ତି । (ଅନ୍ୟାର୍ଥ ’କତି’ ସମୀପରେ ‘ବର୍ତ୍ତି’ ପ୍ରବର୍ତ୍ତି ‘କ’ ମୟୁରମାନେ ଦଳ ଦଳ ହୋଇ ନୃତ୍ୟ କରୁଅଛନ୍ତି ) । ଉତ୍ତମ କବିର ଗାନପରି ଶୁକପକ୍ଷୀର ମନୋହର ଗାନ ମନରୁ ଅଭିମାନକୁ ହରଣ କରୁଅଛି । ରେ ମୃଗମଦ ସୁଗନ୍ଧନି (କସ୍ତୁରୀ ବାସନାପରି ଯାହାର ଦେହର ବାସନା) ସୀତେ ! ହେ ପ୍ରିୟେ ! ତୁମ୍ଭର ତରଳ ନେତ୍ର ପକାଇ ଦେଖ, ସୁଗନ୍ଧନୀ ଓ ଉତ୍ତମ ଜାତୀୟ ମାଳତୀ ଲତା କିପରି କୁସୁମବତୀ ହୋଇଅଛି ।’’

 

ବିନିସ୍ଵତ ସ୍ଵତ ଶୋଭିତ ଭୀତ ବୈଭ୍ରାଜ।

ବୈଭ୍ରାଜ ସୁରସା ରସା କରକର ବୀଜ ଯେ।

ବିଜନମିତ ମିତ ହରଷ ରସବାର ।

ବାରଣବୃଷା ବୃଷାଳସାଳ ପୁର ପୁର ଯେ । ୬।

 

ବୋଧନ୍ତି ରାମ ସିଂହାବଲୋକନେ ଅବଳା।

ବଳାକାପନ୍ତି କରିଛି ଧ୍ରୁବକୁ ଧବଳା ଯେ।

ବଳାଇ ମାନସ ମାନ ଅନା ପ୍ରାଣବନ୍ଧୁ ।

ବନ୍ଧୁକ ରଞ୍ଜନ ଅତି ରଙ୍ଗ ନିରବନ୍ଧୁ ଯେ। ୭।

 

ବନ୍ଧୁରପଥଟି ହେଜି ହେଜି ପଦ ବଳା।

ବଳାଧ୍ଵନି ପ୍ରାୟେ ଝିଲ୍ଲୀ ଶବଦ ପ୍ରବଳା ଯେ।

ବଳାପନ୍ତି ଫଳବତୀ ପ୍ରଫୁଲ ସେବତୀ।

ବତିଶଲକ୍ଷଣା ଦେଖ ବିହରେ ପାର୍ବତୀ ଯେ । ୮।

 

ବତୀର୍ଣ୍ଣ ଅପୂର୍ବ ହୋଇ କେତେ ନାଗବଲ୍ଲୀ।

ବଲ୍ଲିକା ତଳେ ଶୟନ ଚାମରୀ ଆବଳୀ ଯେ।

ବଳିବ ଚଇତ୍ର ରଥୁଁ ଏମନ୍ତ ଭାବନା।

ବନାଳୀ ପ୍ରଭୁ କରିଣ କର ସମ୍ଭାବନା ଯେ । ୯।

 

ବ୍ୟାଘ୍ର ଗତିରେ ସଧୀରେ କହନ୍ତି ବୀର ସେ।

ବୀରତରୁରେ ତରୁଣି କୁସୁମ ବରଷେ ଯେ।

ବର ଉନ୍ନତି ଉନ୍ନତ ଉପମା-ବିହୀନ।

ବିହିତ କରିଛି ବିହି କକୁଭ ବଚନ ଯେ । ୧୦।

 

୬ଷ୍ଠ ପଦ :- ବୈଭ୍ରାଜ-ସ୍ୱର୍ଗଉଦ୍ୟାନ । ବୈଭ୍ରାଜ-ଦେଦୀପ୍ୟମାନ । ରସା-ପୃଥିବୀ । କରକର-ଡାଳିମ୍ବର । ରସବାର-ଅନୁରାଗସମୂହ । ବାରଣବୃଷା-କଦଳୀଗଛ । ପୁର-ଗୁଳ୍ମଗଛ । ପୁର-ଆଗରେ ।

୬ଷ୍ଠ ପଦ :- ‘‘ଏହା ସ୍ୱତଃସିଦ୍ଧ ଯେ, ସ୍ୱର୍ଗଉଦ୍ୟାନର ଶୋଭା ଏ ବନର ଶୋଭାଠାରେ ଭୀତ ହୋଇଅଛି, । (ଏ ବନର ଶୋଭା ବୈଭ୍ରାଜ ନାମକ ଦେବ ଉଦ୍ୟାନର ଶୋଭାଠାରୁ ବେଶୀ ମନୋହର) । ହେ ସୁରସା ! ପୃଥିବୀ ଦାଡ଼ିମ ଫଳର ମଞ୍ଜିରେ ଦେଦୀପ୍ୟମାନ ହୋଇଅଛି (ଦାଡ଼ିମ ଫଳ ବୃକ୍ଷରେ ପାଚି ଫାଟି ମଞ୍ଜିସବୁ ତଳେ ପଡ଼ି ସୁନ୍ଦର ଦିଶୁଅଛି) । ହେ ସଖି ! କଦଳୀଗଛ, ବଡ଼ବଡ଼ ଶାଳ ଗଛ, ଗୁଗ୍‌ଗୁଳ ପ୍ରଭୃତି ବୃକ୍ଷମାନେ ଆଗରେ ରହି ହର୍ଷ ଓ ଅନୁରାଗ ସମୂହକୁ ଜାତ କରୁଅଛନ୍ତି । (ଏମାନଙ୍କୁ ଦେଖିଲେ ହର୍ଷ ଓ ଅନୁରାଗ ହୃଦୟରେ ଜନ୍ମୁଅଛି) ।’’

୭ମ ପଦ :- ବଳାକାପନ୍ତି-ବଗପକ୍ଷିସମୂହ । ଧ୍ରୂବକୁ -ଲଣ୍ଡା ଗଛକୁ ।

୭ମ ପଦ :- ପୁଣି ରାମଚନ୍ଦ୍ର ସିଂହାବଲୋକନ ଲକ୍ଷଣରେ ସୀତାଙ୍କୁ ବୋଧ ଦେଇ କହୁଅଛନ୍ତି, ‘‘ରେ ପ୍ରାଣବନ୍ଧୁ ! ମୋ କଥା ମାନି ଥରେ ଚାହିଁ ଦେଖ, ବଗସବୁ ଥୁଣ୍ଟା ଗଛମାନଙ୍କୁ ଧବଳିତ କରିଅଛନ୍ତି । (ଥୁଣ୍ଟା ଗଛରେ ବହୁତ ବଗ ବସିଥିବାରୁ ତାହା ଧବଳିତ ହୋଇଅଛି)। ବଧୂଲୀ ପୁଷ୍ପ ଗାଢ଼ ଲାଲରଙ୍ଗ ହେତୁ ଅନୁରାଗଜନକ ହୋଇଅଛି ।’’

୮ମ ପଦ :- ବନ୍ଧୁରପଥ-ଖାଲଢ଼ିପ ସ୍ଥାନ । ଝିଲ୍ଲୀ-ଝିଙ୍କାରୀ । ବଳାପନ୍ତି-ବାଡ଼ିଅଁଳା । ପାର୍ବତୀ-ପ୍ରଜାପତି ।

୮ମ ପଦ :- ‘‘ରେ ବନ୍ଧୁ ! ଏ ଖାଲି ଢିପ ବାଟ, ଏହା ମନେକରି (ସାବଧାନ ହୋଇ) ପାଦ ପକାଇ ଚାଲ । ତୋର ବଳା ଧ୍ୱନି ପ୍ରାୟ ଝିଙ୍କାରୀ ଶବ୍ଦ ପ୍ରବଳା ହୋଇଅଛି । ବାଡ଼ିଅଁଳା ଗଛସବୁ ଫଳବତୀ ହୋଇଅଛନ୍ତି । ସେବତୀ ଲତାରେ ଫୁଲ ଫୁଟିଅଛି । ରେ ଲକ୍ଷଣବତୀଶ ସୀତେ ! ପ୍ରଜାପତି କୀଟ ତହିଁରେ କିପରି ବିହାର କରୁଛି ଦେଖ ।’’

୯ମ ପଦ :- ନାଗବଲ୍ଲୀ-ପାନଲତା । ବଲ୍ଲିକା-ଲତା । ଚୈତ୍ରରଥ-କୁବେରଙ୍କ ଉଦ୍ୟାନ । ବନାଳି-ବନସମୂହ ।

୯ମ ପଦ :- ‘‘କେତେ ପାନ ଲତା ‘ଅପୂର୍ବ ବତୀର୍ଣ୍ଣ’ ଅବତୀର୍ଣ୍ଣ ହୋଇଅଛି । ଲତାମାନଙ୍କ ତଳରେ ଚାମରୀ ମୃଗସବୁ ଶୟନ କରିଅଛନ୍ତି । ତାହା ଦେଖି ମନରେ ଭାବନା ହେଉଛି, ଏ ବନ କୁବେର ଉଦ୍ୟାନଠାରୁ ମଧ୍ୟ ଅଧିକ ମନୋହର ଅଟେ । ଏ ବନ ବନମାନଙ୍କର ପ୍ରଭୁ-ଏହା ସମ୍ଭାବନା କର ।’’

୧୦ମ ପଦ :- ବୀରତରୁ-ଅର୍ଜୁନ ଗଛ। ବରଉନ୍ନତ-ଅତି ଉଚ୍ଚ । କକୁଭ-ଦିଗ, ଅର୍ଜ୍ଜନୁବୃକ୍ଷ ।

୧୦ମ ପଦ :- ବୀର ରାମଚନ୍ଦ୍ର ତତ୍‌ପରେ ବ୍ୟାଘ୍ରଗତି ଲକ୍ଷଣରେ ଧୀରଭାବରେ କହୁଅଛନ୍ତି, ‘‘ରେ ତରୁଣୀ ! ଅର୍ଜ୍ଜୁନବୃକ୍ଷ ପୁଷ୍ପମାନଙ୍କୁ ବର୍ଷଣ କରୁଅଛି । ସେ ବୃକ୍ଷ ଖୁବ୍ ଉଚ୍ଚ ଓ ଉପମାବିହୀନ ଅଟେ । ବିଧାତା ଏହାକୁ ଯେଉଁ କକୁଭ ନାମ ଦେଇଅଛି, ତାହା ଉଚିତ ହୋଇଅଛି ।’’

 

ବଚ ସହିତରେ ସହି ପ୍ରକାଶେ ବିଭୁତି।

ବିଭୂଷଣ ଚମ୍ପା ଷଣପୁଷ୍ପ ଅବିରତି ଯେ।

ବିରଳ ଭାରତୀ କରି ଭାରତୀ ବିହାରେ।

ବିହୟସେ ଲାସ୍ୟ ଉଲ୍ଲାସକୁ ନ ବିସରେ ଯେ । ୧୧।

 

ବିଶଦ ମଲ୍ଲିକାକୁଳ ବକୁଳ ବସତି।

ବଶରେ ବସନ୍ତି ମଧୁକରେ ବିଳସନ୍ତି ଯେ।

ବିଳଶଯ୍ୟା ଗନ୍ଧସାର ଗନ୍ଧରେ ବିଦିତ।

ବିଦିଗ ଦିଗ ଜବନେ ପବନେ ବାସିତ ଯେ । ୧୨।

 

ବସନ୍ତବସନ ବଶ ମହାଯମକରେ।

ବସନ୍ତ ବସନ୍ତପକ୍ଷୀ ବସନ୍ତଦ୍ରୁମରେ ଯେ।

ବିଥୀବିଥୀ ଶୋଭା ଦିଶି କୁମୁଦ କୁମୁଦ ।

ବିଲୋକ ହାସ ପ୍ରକାଶି କୁମୁଦ କୁମୁଦ ଯେ । ୧୩।

 

ବିକଶିତ ହୋଇଛନ୍ତି କେଶରୀ କେଶରୀ ।

ବିଳସେ ଶାଖାରେ ଦେଖ କେଶରୀ କେ ସରି ଯେ।

ବିଦାରି ଯାଇଛି କରିକେଶରୀ କେଶରୀ।

ବିହୀନ ହୋଇଛି ମାତ୍ର କେଶରୀ କେଶରୀ ଯେ । ୧୪।

 

ବାଳାକୁ ହସ୍ତ ଦେଖାଇ ପୁଣି ରଘୁବର ।

କାକ୍ୟ ସମ୍ବୋଧନ ଭାଷି ସର୍ବ ଯମକର ଯେ।

ବଇଦେହୀ ସୁମନା ସୁମନା ଏ ସୁରଭି।

ବଇଦେହୀ ସୁମନା ସୁମନା ଏ ସୁରଭି ଯେ । ୧୫।

 

୧୧ଶ ପଦ :- ବଚ-କୋକିଳ । ଭାରତୀ-ଭରତିଆ ପକ୍ଷୀ । ବିହାୟସେ-ଆକାଶରେ । ଲାସ୍ୟ-ସ୍ତ୍ରୀମାନଙ୍କର ମଣ୍ଡଳାକୃତି ନୃତ୍ୟ ।

୧୧ଶ ପଦ :- ‘‘ରେ ସହି ! ଏହି ଅର୍ଜ୍ଜୁନ ବୃକ୍ଷ ଶୁକପକ୍ଷୀଙ୍କ ସହିତ ‘ବି-ଭୂତି’ ପକ୍ଷୀରୂପେ ଐଶ୍ୱର୍ଯ୍ୟ ପ୍ରକାଶ କରୁଅଛି (ବୃକ୍ଷରେ ବହୁତ ପକ୍ଷୀ ବସିଥିବାରୁ ବୃକ୍ଷ ତାଙ୍କଦ୍ୱାରା ଆଚ୍ଛାଦିତ ହୋଇଅଛି ) ଏବଂ ସର୍ବଦା ଚମ୍ପା ଓ ଷଣପୁଷ୍ପ ଗଛର ଫୁଲ ଦ୍ୱାରା ଏ ବୃକ୍ଷ ଭୂଷିତ ହୋଇଅଛି । (ବୃକ୍ଷ ଉପରେ ଶୁକପକ୍ଷୀ ଏବଂ ତଳେ ଘେରି ରହିଥିବା ଚମ୍ପା ଓ ଷଣପୁଷ୍ପ ଗଛର ଫୁଲ ଯୋଗେ ଶୋଭିତ ହୋଇଅଛି) । ଭରତିଆ ପକ୍ଷୀ ସୁନ୍ଦର ଶବ୍ଦ କରି ବିହାର କରୁଅଛି । ଉଲ୍ଲାସ ମନରେ ନୃତ୍ୟଛଳରେ ଆକାଶକୁ ଉଡ଼ିଯାଇ ପୁଣି ଆସି ବସୁଛି । (ଭରତିଆ ପକ୍ଷୀ କୌଣସିଠାରେ ସ୍ଥିର ହୋଇ ବସେ ନାହିଁ । ସେ ଆନନ୍ଦ ମନରେ ଆକାଶରେ ଉଡ଼ୁଛି ପୁଣି ସେ ବୃକ୍ଷରେ ବସୁଛି)।     

୧୨ଶ ପଦ :- ବିଶଦ-ଶୁକ୍ଳ । ମଧୁକର-ଭ୍ରମର । ଗନ୍ଧସାର-ଚନ୍ଦନ । ଜବନେ-ଶୀଘ୍ର ।

୧୨ଶ ପଦ :- ‘‘ମଲ୍ଲିବୁଦା ବହୁତ ଫୁଲ ଫୁଟିଥିବା ଯୋଗୁ ଶୁକ୍ଳବର୍ଣ୍ଣ ହୋଅଛି । ଏ ବନ ବକୁଳ ବୃକ୍ଷରେ ପୂର୍ଣ୍ଣ ହୋଇଅଛି । (ଅନ୍ୟାର୍ଥ :- ଏ ବନ ଶୁକ୍ଳ ମଲ୍ଲି ଓ ବକୁଳ ଗଛର ବାସସ୍ଥାନ ହୋଇଅଛି) । ଭ୍ରମରମାନେ ବଶୀଭୂତ ହୋଇ ଫୁଲମାନଙ୍କରେ ବସୁ ଅଛନ୍ତି । ସୁଗନ୍ଧରେ ମୋହିତ କରୁଥିବା ଚନ୍ଦନ ବୃକ୍ଷମାନଙ୍କରେ ସର୍ପମାନେ ବିହାର କରନ୍ତି । ଦିଗ ବିଦିଗ ସବୁ ପବନ ଯୋଗେ ଅହରହ ସୁବାସିତ ହେଉଅଛନ୍ତି ।’’

୧୩ଶ ପଦ :- ବସନ୍ତବସନ-ପୀତାମ୍ୱର (ରାମଚନ୍ଦ୍ର) । ବସନ୍ତ-ଆସୀନ ବା ଉପବିଷ୍ଟ। ବସନ୍ତପକ୍ଷୀ-ହଳଦୀବସନ୍ତ । ବସନ୍ତଦ୍ରୁମରେ-ଆମ୍ବଗଛରେ । ବିଥୀ-ବିଥୀ-ଶ୍ରେଣୀ ଶ୍ରେଣୀ । କୁମୁଦ-ରକ୍ତପଦ୍ମ । କୁମୁଦ-କଇଁ । କୁମୁଦ-ବୃଥା ଆନନ୍ଦ ।

୧୩ଶ ପଦ :- ବସନ୍ତବସନ ରାମଚନ୍ଦ୍ର ମହାଯମକରେ ବଶ ହୋଇ କହୁଅଛନ୍ତି, (ମହାଯମକ ଲକ୍ଷ୍ମଣ-ପ୍ରତ୍ୟେକ ପାଦରେ ଏକଶବ୍ଦ ଯମକ ନିୟମରେ ରହିଥାଏ) ‘ହେ ସଖୀ ! ହଳଦୀବସନ୍ତ ପକ୍ଷୀ ଆମ୍ବଗଛରେ ବସି ଅଛନ୍ତି । ପୁଷ୍କରିଣୀରେ ରକ୍ତପଦ୍ମ ଓ କଇଁଫୁଲସବୁ ଧାଡ଼ି ଧାଡ଼ି ହୋଇ ଫୁଟି ଶୋଭା ପାଉଅଛି । ତୁମ୍ଭେ ସେମାନଙ୍କୁ ହାସ ପ୍ରକାଶ କରି ଦେଖ ଏବଂ ସେମାନଙ୍କ କୁତ୍ସିତ ପ୍ରକାଶକୁ ମୁଦ୍ରିତ କରିଦିଅ । (ତୁମ୍ଭର ହାସ ଦେଖି କଇଁ ଓ ନେତ୍ରର ଶୋଭା ଦେଖି ପଦ୍ମ ଲଜ୍ଜାରେ ମୁଦ୍ରିତ ହୋଇଯିବେ । )

୧୪ଶ ପଦ :- କେଶରୀ-ନାଗେଶ୍ୱର । କେଶରୀ-ପୁନ୍ନାଗ । କେଶରୀ-ମର୍କଟ ବିଶେଷ । କରିକେଶରୀ-ଶ୍ରେଷ୍ଠ ହସ୍ତୀ । କେଶରୀ-ସିଂହ । କେଶରୀ-ଘୋଟକ ।

୧୪ଶ ପଦ :- ‘ପୁଣି ଏ ବନରେ ପୁନାଙ୍ଗ, ନାଗେଶ୍ୱର ବୃକ୍ଷମାନେ ପୁଷ୍ପିତ ହୋଇଅଛନ୍ତି । ତାଙ୍କ ଡାଳରେ ବାନରମାନେ ରତିକ୍ରୀଡ଼ା କରୁଅଛନ୍ତି । ତାଙ୍କ ରତିକ୍ରୀଡ଼ା ସହିତ ଆଉ କିଏ ସମାନ ହେବ ? (ଆଉ କେହି ସମାନ ନୁହଁନ୍ତି । ଦେଖ, ଏଠାରେ ସିଂହ ଶ୍ରେଷ୍ଠହସ୍ତୀକୁ ବିଦାରଣ କରି ଯାଇଅଛି ।) (ତୁ ମନେ କରିବୁ, ମୁଁ ତ କରୀଗମନା ଓ କରୀକୁମ୍ଭସ୍ତନା, ସିଂହ ମୋତେ କାଳେ ବିଦାରିବ । ମାତ୍ର ସେ ଭୟ କର ନାହିଁ । କାରଣ, ସେ ହସ୍ତୀକୁ ବିଦାରଣ କରି ଚାଲି ଯାଇଅଛି-ଏଠାରେ ନାହିଁ) । ଏ ବନ ସହିତ କେହି ସମାନ ହେବେ ନାହିଁ । କିମ୍ବା ଏ ବନ କେବଳ ଶ୍ରେଷ୍ଠ ଘୋଟକ ବିହୀନ ହୋଇଅଛି । (ଏ ବନରୁ ସବୁ ଅଛି ମାତ୍ର ଉତ୍ତମ ଜାତୀୟ ଅଶ୍ୱ ନାହାନ୍ତି) ।’’

୧୫ଶ ପଦ :- ସୁମନା-ଦେବପୁଷ୍ପ ବା ଲବଙ୍ଗ ବୃକ୍ଷ । ସୁରଭି-ସୁନ୍ଦର । ବଇଦେହୀ-ପିପ୍‌ପଳୀ ଗଛ । ସୁମନା-ମନୋରମା । ସୁମନା-ଧୀର । ସୁରଭି-ଜାଇଫଳ ଗଛ ।

୧୫ଶ ପଦ :- ତତ୍‌ପରେ ରଘୁବର ସୀତାଙ୍କୁ ସମ୍ବୋଧନ କରି ହସ୍ତଦ୍ୱାରା ଦେଖାଇ ଦେଇ ସର୍ବଯମକରେ କହିଲେ, (ସର୍ବଯମକ ଲକ୍ଷଣ:- ସମସ୍ତ ପାଦ ଭିନ୍ନାର୍ଥରେ ଏକ ଶବ୍ଦ ବିଶିଷ୍ଟ ହେଲେ ସର୍ବଯମକ ହୁଏ) ‘‘ହେ ବୈଦେହୀ ! ହେ ମନୋରମେ ! ହେ ଧୀରେ ! ଦେଖ, ଏ ମାଳତୀ ପୁଷ୍ପ, ଏ ଚମ୍ପାପୁଷ୍ପ, ଏ ପିପ୍‌ଳୀ ବୃକ୍ଷ, ଏ ଲବଙ୍ଗ ବୃକ୍ଷ, ଏ ଜାଇଫୁଲ ବୃକ୍ଷ ।’’

 

ବିଦ୍ୟଲୋକରେ ପ୍ରିୟକ ମାଧବୀ ସଂଘାତ ।

ବିଦ୍ୟ ଲୋକରେ ପ୍ରିୟକ ମାଧବୀ ସଂଘାତ ଯେ।

ବାଳିକା କନକକାନ୍ତି କନକ କନକ ।

ବାଳିକା କନକକାନ୍ତି କନକ କନକ ଯେ । ୧୬।

 

ବିଳାସିନିଏ ସାରଙ୍ଗ ସାରସ ଚକ୍ରରେ ।

ବିଳାସିନୀଏ ସାରଙ୍ଗ ସାରସ ଚକ୍ରରେ ଯେ।

ବରାହ ବରେ ପ୍ରକାଶ ମାନ ଯେ ଦନ୍ତରେ।

ବରାହବରେ ପ୍ରକାଶମାନ ଯେ ଦନ୍ତରେ ଯେ । ୧୭।

 

ବୋଲନ୍ତି ଗୋମୂତ୍ର ଛନ୍ଦେ ହସ ହସ ହୋଇ।

ବୀଣାପ୍ରତିଭାରେ ଅନା ଡୋଳାକୁ ଖେଳାଇ ଯେ।

ବାରବାର ତାରତର ମଣିଗଣ ଜ୍ୟୋତି।

ବିରତର ସୁରତର ଏଣୀ ଏଣ ପ୍ରୀତି ଯେ । ୧୮।

 

ବଶ ରତ୍ନନିଧି ଗୁଞ୍ଜ ସଙ୍ଗ ଆସନରେ।

ବଶ ଯତ୍ନ ବିଧି କୁଞ୍ଜଭୃଙ୍ଗ ପ୍ରସନ୍ନରେ ଯେ।

ବାଦୀବାତ ବେଣୁ ଥାଇ ଥାଇ ପ୍ରେମଶୀଳା ।

ବେଦିବତ ମଣୁଥାଇ ପାଇ ରାମ ଶିଳା ଯେ । ୧୯।

 

ବ୍ୟଥା କରିବନି ପାଦ ପ୍ରକାଶି ବସିଲେ।

ବସାଇ ଜାନୁରେ ଅନ୍ତର୍ଲିପିଏ ଭାଷିଲେ ଯେ।

ବିହାରସ୍ଥାନକେ ମୀନମାନଙ୍କ ଅଟଇ । (ବନ)

ବାୟସରେ କେହୁପ୍ରତିପାଳିତ ହୁଅଇ ଯେ । ୨୦ । (ପିକ)

 

୧୬ଶ ପଦ :- ଲୋକରେ-ସଂସାରରେ । ଲୋକ-ଦେଖ । ପ୍ରିୟକ-କଦମ୍ବ ଗଛ । ମାଧବୀ-ତୁଳସୀଗଛ । ସଂଘାତ-ସମୂହ । ବାଳିକା-ବାଳିକେ ବା ବାଳେ ବୋଲି ସମ୍ବୋଧନ । ବାଳିକା-ଲଟିପଲାଶ । କନକକାନ୍ତି-ସୁବର୍ଣ୍ଣ ଓ ଚମ୍ପକ ପରି କାନ୍ତିବିଶିଷ୍ଟାସ୍ତ୍ରୀ ।

୧୬ଶ ପଦ :- ‘‘ହେ ସଙ୍ଗାତ ! ହେ ବାଳେ ! ହେ ଚମ୍ପକବର୍ଣ୍ଣେ ! ଦେଖ, ଏ ଧାର୍ମିକ ଲୋକଙ୍କର ପ୍ରିୟ ତୁଳସୀ ବୃକ୍ଷ । କଦମ୍ବ ବୃକ୍ଷ ମାଧବୀ ଲତା ସମୂହରେ ବେଷ୍ଟିତ ହୋଇ ଶୋଭା ପାଉଅଛି । ପୁଣି ନାଗେଶ୍ୱର, ସୁନାରୀ, କିଂଶୁକ ଓ ଚମ୍ପା ବୃକ୍ଷ କିପରି ଶୋଭା ବିସ୍ତାର କରିଅଛନ୍ତି ।’’

୧୭ଶ ପଦ :- ବିଳାସିନୀ-ବିଳାସବତୀ ସ୍ତ୍ରୀ । ସାରଙ୍ଗ-ଚନ୍ଦ୍ର, ଭଦଭଦଳିଆ, ପଦ୍ମ, ଚକ୍ରବାକ, ମତ୍ତହସ୍ତୀ । ସାର-ଶ୍ରେଷ୍ଠ । ସଚକ୍ରରେ-ସମୂହରେ । ସାରଙ୍ଗ-ହଂସ । ସାରସ-ସାରସ ପକ୍ଷୀ । ଚକ୍ରରେ-ଚକ୍ରବାକପକ୍ଷୀ । ବରାହବରେ-ଶ୍ରେଷ୍ଠ ବରାହମାନେ । ମାନ-ଗର୍ବ । ବରାହବରେ-ପ୍ରଧାନ ଯୁଦ୍ଧରେ । ଦନ୍ତରେ-ପର୍ବତ ଶୃଙ୍ଗରେ ବା ଲତା କୁଞ୍ଜରେ ।

୧୭ଶ ପଦ :- ‘‘ହେ ବିଳାସିନି ! ଏ ପୁଷ୍କରିଣୀର ଜଳ ଚକ୍ରବାକ ସହିତରେ ଶୋଭମାନ ହୋଇଅଛି । ଏ ଭ୍ରମର ପଦ୍ମ ସମୂହରେ ବିଳାସବତୀ ହୋଇଅଛି । ହେ ବରେ ! ଦେଖ, କିପରି ଘୋରତର ଯୁଦ୍ଧରେ ମତ୍ତ ହେଲା ପ୍ରାୟ ଦନ୍ତ ଦେଖାଇ ପର୍ବଭରେ ଶୁକରମାନେ ବୁଲୁଅଛନ୍ତି ।’’

୧୮ଶ ପଦ :- ବୀଣାପ୍ରତିଭା-ବିଦ୍ୟୁତ୍‌ପରି ଗୌରାଙ୍ଗୀ । ବାର ବାର-ପୁନଃପୁନ । ତାରତର-ଅତ୍ୟୁଜ୍ଜ୍ୱଳ । ବିରତର-ରତିକ୍ରୀଡ଼ାରେ ବିଶେଷରେ ଆସକ୍ତ । ଏଣୀ ଏଣ-ମୃଗୀ ମୃଗ ।

୧୮ଶ ପଦ :- ପୁଣି ରାମଚନ୍ଦ୍ର ହସ ହସ ହୋଇ ଗୋମୂତ୍ର ଛନ୍ଦରେ କହନ୍ତି, ‘‘ହେ ବିଦ୍ୟୁତ୍‌ ଗୋରୀ ! ମଣି ପୁଞ୍ଜପରି ସମୁଜ୍ଜ୍ୱଳ ତୋର ଚକ୍ଷୁଦ୍ୱୟର ଡୋଳାକୁ ବାରମ୍ବାର ଖେଳାଇ ନିରୀକ୍ଷଣ କର, ମୃଗୀ ଓ ମୃଗମାନେ କିପରି ସୁରତରେ ବିଶେଷଭାବରେ ରତ ହୋଇ କ୍ରୀଡ଼ା କରୁଅଛନ୍ତି ।’’

୧୯ଶ ପଦ :- ଗୁଞ୍ଜ-କାଇଞ୍ଚ । ରାମଶିଳା-ସୁନ୍ଦର ପ୍ରସ୍ତର । ରତ୍ନନିଧି-ରତ୍ନସମୂହ ।

୧୯ଶ ପଦ :- ‘‘ଅସନ ବୃକ୍ଷରେ ମାଡ଼ିଥିବା କାଇଞ୍ଚ ଲତାର ଫଳସବୁ ରତ୍ନମାନଙ୍କୁ ସୁଦ୍ଧା ଧିକ୍‌କାର କରୁଅଛି । ବିଧାତା ନିର୍ମିତ କୁଞ୍ଜମାନଙ୍କରେ ଭ୍ରମରସବୁ ବସି ଅଛନ୍ତି । ହେ ପ୍ରେମଶୀଳେ ! ବାଉଁଶ ଗଛରେ ପବନ ପଶି ତାକୁ କିପରି ବାଦନଶୀଳ କରିଅଛି, ଶୁଣ ।’’ ତତ୍ପରେ ରାମଚନ୍ଦ୍ର, ଖଣ୍ଡିଏ ସୁନ୍ଦର ପଥର ପଡ଼ିଥିବାର ଦେଖି ତାକୁ ବେଦୀ ପ୍ରାୟ ମନେକଲେ ।

୨୦ଶ ପଦ :- ‘‘ହେ ସୀତା ! ତୋର ପାଦ ବ୍ୟଥା କରିବଣି ।’’ ଏପରି କହି ସେ ଶିଳା ଉପରେ ବସିଲେ । ସୀତାଙ୍କୁ ଜାନୁ ଉପରେ ବସାଇ ଅନ୍ତଲପିରେ କହିଲେ, ‘‘ମୀନମାନଙ୍କର ବିହାର ସ୍ଥାନ କିଏ ? ‘ବାୟସ’ କାକଦ୍ୱାରା କିଏ ପ୍ରତିପାଳିତ ହୁଏ ?’’

 

ବିଭାବରୀ ପ୍ରକାଶେ କି କଲେ ପକ୍ଷୀଆଳି । (ରୁତ)

ବିରୁପାକ୍ଷ ନେତ୍ରାନଳେ କେହୁ ଗଲା ଜଳି ଯେ । (ମାର)

ବିଷ୍ଣୁ କୋଳେ ସର୍ବକାଳେ କେହୁ ମନୋହର । (ରମା)

ବିଶ୍ଵରେ କରୁଛି କେହୁ ପର ଉପକାର ଯେ । ୨୧ । (ତରୁ)

ବାନରଙ୍କର ପ୍ରସିଦ୍ଧ ନାମ କେ ଜଗତେ । (କପି)

ବିଚାର ଗ୍ରହଗଣନା ସଂଖ୍ୟା ପୁନଃ କେତେ ଯେ । (ନବ)

ବୟସୀ ସ୍ଵୟମ୍ବରେ କନ୍ୟାକୁ କିସ କହି । (ବର)

ବୋଲାଇ ଜୀବ ମଧ୍ୟରେ ସାରସ୍ଵତ କେହି ଯେ । ୨୨ । (ନର)

ବୋଲନ୍ତି ଯବନେ ଇଷ୍ଟଦେବରେ କି ଭାଷ । (ପିର)

ବସୁଧାପତି ପ୍ରଜାଙ୍କଠାରୁ ଘେନେ କିସ ଯେ । (କର)

ବାମନମୂର୍ତ୍ତି ନନ୍ଦନ ବୋଲାନ୍ତି କାହାର । (ରୁର)

ବାଞ୍ଛସଂସାରୁ କି ହୋଏ ଗୁରୁଶିଷ୍ୟଠାରେ ଯେ । ୨୩ । (ରବ)

ବିଧିରେ ଯୁଦ୍ଧରେ କେହୁ ବଚନ ଚହଳ । (ମାର)

ବସନ୍ତ ହୋଇଲେ କିସ କରଇ କୋକିଳ ଯେ । (ରବ)

ବିପ୍ରଲବ୍ଧା ପ୍ରଭାତେ କି କରେ ଉପକାନ୍ତେ । (ମାନ)

ବ୍ରହ୍ମାଣ୍ଡେ ଜୀବନମୁକ୍ତଅଟଇ କେ ସତେ ଯେ । ୨୪ । (ତପୀ)

ବେଦେ କେ ଆଉ ଅଥର୍ବ ଯଜୁଃ ସାମ ତେଜି । (ରୁକ)

ବସନ୍ତେ କେ କେ ବିଯୋଗୀ ଶତ୍ରୁ କହ ହେଜି ଯେ।

ବନ ପିକ ରୁତ ମାର ବୋଲେ ବଇଦେହୀ ।

ବିଶେଷ ତୋଷ ଚୁମ୍ବନ ଆଲିଙ୍ଗନ ବିହି ଯେ । ୨୫।

 

୨୧ଶ ପଦ :- ବିଭାବରୀ-ରାତ୍ରି । ପକ୍ଷିଆଳି-ପକ୍ଷୀସମୂହ । ବିରୁପାକ୍ଷ-ମହାଦେବ ।

୨୧ଶ ପଦ :- ‘‘ରାତ୍ର ପ୍ରକାଶ ହୁଅନ୍ତେ ପକ୍ଷୀ ସମୂହ କ’ଣ କରନ୍ତି ? ମହାଦେବଙ୍କ ନେତ୍ରାନଳରେ କିଏ ଜଳିଗଲା ? ସବୁ ସମୟରେ ବିଷ୍ଣୁଙ୍କ କୋଳରେ କିଏ ଶୋଭାପାନ୍ତି ? ସଂସାରରେ ପରର ଉପକାର କିଏ କରୁଛି ?’’

୨୨ଶ ପଦ :- ‘‘ଜଗତରେ ବାନରମାନଙ୍କର କେଉଁ ନାମ ପ୍ରସିଦ୍ଧ ? ପୁଣି ଗଣନା କଲେ ଗ୍ରହସଂଖ୍ୟା କେତେ ହେବ ? ବିଚାର କର, ସ୍ୱୟମ୍ୱର କାଳରେ ସଖୀ କନ୍ୟାକୁ କ’ଣ କହେ ? ଜୀବମାନଙ୍କ ମଧ୍ୟରେ ଶ୍ରଷ୍ଠ କିଏ ?’’

୨୩ଶ ପଦ :- ‘‘ଯବନମାନେ ଇଷ୍ଟଦେବଙ୍କୁ କ’ଣ ବୋଲି କହନ୍ତି ? ରାଜା ପ୍ରଜାଙ୍କଠାରୁ କ’ଣ ନିଅନ୍ତି ? ବାମନମୂର୍ତ୍ତି ବିଷ୍ଣୁ କାହାର ପୁତ୍ର ଅଟନ୍ତି ? ଏ ସଂସାରରେ ଗୁରୁ ଶିଷ୍ୟଠାରେ କ’ଣ ହେବାକୁ ଇଚ୍ଛା କରନ୍ତି ?’’

୨୪ଶ ପଦ :- ‘‘ଘୋର ଯୁଦ୍ଧରେ କି ଚହଳ ବାକ୍ୟ ଶୁଣାଯାଏ ? ବସନ୍ତ ସମୟରେ କୋକିଳ କ’ଣ କରେ ? ବିପ୍ରଲବ୍ଧା କାମିନୀ ଜାରପୁରୁଷଠାରେ ପ୍ରଭାତରେ କ’ଣ କରେ ? ସଂସାରରେ ପ୍ରକୃତରେ କିଏ ଜୀବନ ମୁକ୍ତ ଅଟେ ?

୨୫ଶ ପଦ :- ‘‘ଅଥର୍ବ, ଯଜୁ, ସାମବେଦକୁ ଛାଡ଼ି ଆଉ କି ବେଦ ରହିଲା ? ବସନ୍ତକାଳରେ ବିରହିମାନଙ୍କର ଶତ୍ରୁ କେଉଁମାନେ ? ଏହା ହେଜି କହ । (୧୯ଶ ପଦଠାରୁ ୨୫ଶ ପଦ ପର୍ଯ୍ୟନ୍ତ ରାମଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ‘ବନ ପିକ ରୁତ ମାର’ ‘ରମା ତରୁ କପି ନବ’ ‘ବର ନର ପିର କର’ ‘ରୁର ତର ମାର ରବ’ ‘ମାନ ତପୀ ରୁକ’ ହେଲା) ଶେଷରେ ରାମଚନ୍ଦ୍ର ପଚାରିଲେ ବନସ୍ତରେ ବିରହୀର ଶତ୍ରୁ କିଏ ? ବିରହୀକୁ କେଉଁମାନେ କଷ୍ଟ ଦିଅନ୍ତି ? ରାମଙ୍କ ପ୍ରଶ୍ନ ଶୁଣି ବୈଦେହୀ କହିଲେ, ‘‘ବନ, ପିକ, ରୁତ ମାର ।’’ ଏହା ଶୁଣି ରାମ ଖୁବ୍‌ ଆନନ୍ଦିତ ହୋଇ ତାଙ୍କୁ ଚମ୍ବନ ଓ ଆଲିଙ୍ଗନ କଲେ ।

 

ବହିର୍ଲିପି କହି ବେନି ବେନି ବର୍ଣ୍ଣ ଲେଖି।

ବାମ ନାଶି ଦକ୍ଷିଣବର୍ଣ୍ଣକୁ ଭଜ ସଖିଗୋ ।

(ଶିବ) ବନ୍ଦ୍ୟ କେ ଜଗତେ, କେହୁ ତିଳକର ସ୍ଥାନ । (ଭାଲ)

(ସଭା) ବସି ରାଜ କି କରି ବେଶ୍ୟାର କି ରଞ୍ଜନ ଯେ । ୨୬ । (ରୂପ)

(ଚଣ୍ଡୀ) ବ୍ୟୋମକେଶମୋହିନୀ କେ, ଶିଶୁ କେ ପାଳଇ । (ମାତା)

(ପଶା) ବଡ଼ ଖେଳରେ କେ ଘେନ, ଘନ କି ମୁଞ୍ଚଇ ଯେ? (ନୀର)

(କବି) ବିରଚେ କେହୁ ପ୍ରବନ୍ଧ, ଋଷି କି କରନ୍ତି । (ତପ)

(ଗିରି) ବହେ ଉତ୍ତୁଙ୍ଗ ଶୃଙ୍ଗ କେ, ବିପ୍ରେ କି ହୁଅନ୍ତି ଯେ । ୨୭ । (ବ୍ରତ)

(ଗଦା) ବିଷ୍ଣୁ ଆୟୁଧ କେ ଚକ୍ର ବିନା, କେ ଅଗମ୍ୟ ? (ବନ)

(ଲୋକ) ବ୍ରହ୍ମା କି ପାଳନ୍ତି, କେହୁ ରଚନ୍ତି ସଂଗ୍ରାମ ଯେ ? (ବୀର)

ବୁଝି ମୈଥିଳୀ ଭାଷିତ ଗୁରୁ କରି ନାହିଁ।

ବୋଲେ ରାଘବ ଅଗୁରୁବିଦ୍ୟା ସିନା ସେହି ଯେ । ୨୮।

ବିକାଶି ମୁଗ୍ଧା ପ୍ରକାଶି ଚନ୍ଦନ ବିଶେଷ।

ବିଲେପିତେ ଧୂପିତେ କି ବଳିଛି ମାନସ ହେ।

ବୋଲି ନୁଛିଯାଇ ତୋର ଉଦାରପଣକୁ ।

ବିହିଲେ ଲଲାଟେ ଗଇରିକରେ ଚିତ୍ରକୁ ଯେ । ୨୯।

ବଳିମୁଖ ମୁଖର ନାଦରେ ଯାଉଁ ପାଶେ।

ବେଗେ କରେ କରେ କୋଳ ଭୀରୁମଣି ତ୍ରାସେ ଯେ।

ବତ୍ସେ ସେ ବିଚିତ୍ର ଚିତ୍ର ଲାଗି ଶୋଭା ପାଇ।

ବାରିଦେ କି ଅରୁଣ ଅରୁଣ ଗଲା ଉଇଁ ଯେ । ୩୦।

 

୨୬ଶ ପଦ :- ପୁଣି ବହିର୍ଲିପିରେ ବାକ୍ୟ ପ୍ରକାଶ କରି କହିଲେ, ‘‘ଗୋ ସଖି ! ଦୁଇ ଦୁଇ ଅକ୍ଷର ଲେଖି ବାମ ଅକ୍ଷର ନାଶି ଦକ୍ଷିଣ ଅକ୍ଷରକୁ ହେତୁ କର । ଜଗତରେ ପୂଜ୍ୟ କିଏ ? ତିଳକରେ ସ୍ଥାନ କିଏ ? ରାଜା କ’ଣ କରି ବସନ୍ତି ? ବେଶ୍ୟାର ରଞ୍ଜନ କଅଣ ?’’

୨୭ଶ ପଦ :- ବ୍ୟୋମକେଶ-ମହାଦେବ । ଘନ-ମେଘ । ଉତ୍ତୁଙ୍ଗ-ଅତି ଉଚ୍ଚ । ବିପ୍ରେ-ବ୍ରାହ୍ମଣମାନେ ।

୨୭ଶ ପଦ :- ‘‘ଶିବଙ୍କର ମୋହିନୀ କିଏ ? ପିଲାଙ୍କୁ କିଏ ପାଳେ ? ଖେଳ ମଧ୍ୟରେ ବଡ଼ କିଏ ? ମେଘ କ’ଣ ତ୍ୟାଗ କରେ ? କିଏ ପ୍ରବନ୍ଧ ରଚନା କରନ୍ତି ? ଉଚ୍ଚ ଶୃଙ୍ଗ କିଏ ବହେ ? ବ୍ରାହ୍ମଣମାନେ କ’ଣ ହୁଅନ୍ତି ?’’

୨୮ଶ ପଦ :- ସଂଗ୍ରାମ-ଯୁଦ୍ଧ ।

୨୮ଶ ପଦ :- ‘‘ଚକ୍ର ବିନା ବିଷ୍ଣୁଙ୍କର ଆୟୁଧ କ’ଣ ? ଅଗମ୍ୟ କିଏ ? ବ୍ରହ୍ମା କାହାକୁ ପାଳନ୍ତି ? କିଏ ସଂଗ୍ରାମ କରନ୍ତି ? (ରାମଙ୍କର ଏହି ପ୍ରଶ୍ନର ଉତ୍ତର ଷୋଳଗୋଟି ଶବ୍ଦ ଲେଖି ପ୍ରତ୍ୟେକ ପଦର ବାମ ଅକ୍ଷର ଲିଭାଇ ଦେଇ ଡାହାଣ ଅକ୍ଷରମାନ ପଢ଼ିଲେ ହେଲା, ବଲଭା ପଣ୍ଡିତା ସାର, ବିପରୀତ ଦାନ କର ।) ଏହା ବୁଝିପାରି ସୀତା କହିଲେ, ‘‘ମୁଁ ତ ଗୁରୁ କରିନାହିଁ । (ମୁଁ ତାହା ଜାଣେ ନାହିଁ) ।’’ ରାମଚନ୍ଦ୍ର ଉତ୍ତର ଦେଲେ, ତାହା ଅଗୁରୁ ବିଦ୍ୟା ସିନା ।’’ ସେ ବିଦ୍ୟା ଶିଖିବା ପାଇଁ ଗୁରୁର ଦରକାର ନାହିଁ ।

୨୯ଶ ପଦ :- ରାମଙ୍କ କଥା ଶୁଣି ସୀତା ମୁଗ୍‌ଧାକନ୍ୟା ପ୍ରାୟ ସବୁ ଜାଣି କିଛି ନ ଜାଣିଲା ପରି ହୋଇ କହିଲେ, ‘‘ଅଗୁରୁ ତ ଚନ୍ଦନ ବିଶେଷ, ତାହା ବୋଳି ହେବାପାଇଁ ବା ଧୂପ ଦେବାରେ ତୁମ୍ଭର ମନ ବଳିଛି କି ?’’ ‘‘ଏହା କହିବାଦ୍ୱାରା କ’ଣ ତୋର ଉଦାରପଣ ଲୁଚିଯିବ ?’’ [ଆହା କିଛି ଯେପରି ଜାଣେ ନାହିଁ; ଉଦାରପଣକୁ ନୁଚିଯାଏ କିନା],- ଏହା କହି ରାମ ସୀତାଙ୍କ ଲଲାଟରେ ଗେରୁର ତିଳକ ଦେଲେ ।     

୩୦ଶ ପଦ :- ବଳୀମୁଖ-ବାନର । କରେ-ହସ୍ତରେ ।

୩୦ଶ ପଦ :- ଏହି ସମୟରେ ଗୋଟିଏ ମାଙ୍କଡ଼ ଖିଁ ଖିଁ ଶବ୍ଦ କରି ତାଙ୍କ ପାଖକୁ ଯାଆନ୍ତେ, ଭୟାଳୁଶ୍ରେଷ୍ଠା ସୀତା ଭୟ ପାଇ ରାମଙ୍କୁ ଅତି ଖରେ ହସ୍ତ ଦ୍ୱୟରେ କୁଣ୍ଡାଇ ପକାଇଲେ । ସେ ଗେରୁ ଚିତା ରାମଙ୍କ ଛାତିରେ ଲାଗି ମେଘରେ ଅରୁଣ ବର୍ଣ୍ଣର ସୂର୍ଯ୍ୟ [ବାଳସୂର୍ଯ୍ୟ] ଉଇଁଲା ପ୍ରାୟ ବିଚିତ୍ର ଶୋଭା ଦିଶିଲା ।

 

ବିଚକ୍ଷଣ କାନ୍ତକାନ୍ତ ବଚନ ପ୍ରକାଶି।

ବାଳା ପୁଂସ ରୀତି ରାଗ ରାଗ ଛଳେ ଦିଶି ଯେ।

ବାରେ ହସି ମଉନ ଉନ୍ନତସ୍ତନୀ ବାଳା।

ବିସ୍ତୀର୍ଣ୍ଣ ମଧ୍ୟଯମକ ଏ ଭାଗେ ହୋଇଲା ଯେ । ୩୧।

 

ବାରଣକେଶର ପୁଷ୍ପ ତୋଳୁଁ ପଡ଼ି ରଜ।

ବାରି ଜନ୍ମାଉଁ ଅଦ୍ଭୁତେ ନେତ୍ର ସରସିଜ ଯେ।

ବିଚାରିଣ ପ୍ରିୟା ମାନ ପ୍ରିୟ ଚଞ୍ଚଳିତ ।

ବିଲୋମଲୋମ ମେଷଯୁଦ୍ଧରେ ଚାଟୁ କୃତ ଯେ । ୩୨।

 

ବରଦ ବିରସାନନ ସାର ବିଦରବ।

ବଧ ମାନ ଜରତ ତରଜନ ମାଧବ ଯେ।

ବିଦ୍ଧ ମାର ତ ହେବ ବହେ ତର ମାଧବି ।

ବିହେ ସଦା ତରସ ଶରତ ଦାସ ହେବି ଯେ । ୩୩।

 

ବକ୍ରୋକ୍ତି ପ୍ରକାଶ କରି ଚତୁରୀରତନ ।

ବିସ୍ତାରିଛି ନୃତ୍ୟ ଶେଷ କେ କି କହ ମାନ ଯେ।

ବଲ୍ଲଭ ତହିଁ ମଧୁର ଧ୍ଵନିକି ରଚନା।

ବିଣୀ ନାଚିଲେ ନାଚନ୍ତା ଉତ୍‌ଫୁଲ୍ଲ ସୁମନା ଯେ । ୩୪।

 

ବଦନକୁ ନୁଆଇଁ କହିଲେ ରସବତୀ।

ବିସୋରିବ ନାହିଁ ପରା ସେ ସୁରସପତି ଯେ।

ବିଳସି ବିଳସି ବନେ ପର୍ଣ୍ଣବାସେ ଯାଇ।

ବିଦ୍ୟ ଆଦ୍ୟଯମକ ପିଶିତ ଶୁଷ୍କେ ତହିଁ ଯେ । ୩୫।

 

୩୧ଶ ପଦ :- ରାଗ-ଅନୁରାଗ ବା ସ୍ନେହ । ରାଗ-ରଙ୍ଗ।

୩୧ଶ ପଦ :- ତାହା ଦେଖି ଚତୁର ରାମ ମନୋହର ବଚନ ପ୍ରକାଶ କରି କହିଲେ, ‘‘ହେ ପ୍ରିୟେ ! ବାଳାର ବିପରୀତରତିର ସ୍ନେହ ରଙ୍ଗ ଛଳରେ ଦିଶିଲା। [ବିପରୀତ ରତିବେଳେ ପୁରୁଷ ସ୍ତ୍ରୀ ଓ ସ୍ତ୍ରୀ ପୁରୁଷରୂପେ ବିବେଚିତ ହୋଇଥିବାରୁ ପୁରୁଷଠାରେ ସ୍ତ୍ରୀର ପୁଷ୍ପବତୀର ଗୁଣ ଦେଖାଗଲା ।] ଏହା ଶୁଣି ଉନ୍ନତସ୍ତନା ବଳା ସୀତା ଥରେ ହସି ମୌନ ହେଲେ । ଏହି ଭାବରେ ମଧ୍ୟଯମକ ଲକ୍ଷଣ ବିସ୍ତିରିତ ହେଲା । [୨୯ଶ ପଦଠାରୁ ୩୧ଶ ପଦ ପର୍ଯ୍ୟନ୍ତ ମଧ୍ୟ ଯମକ। ମଧ୍ୟଯମକର ଲକ୍ଷଣ :- ପାଦର ମଧ୍ୟ ଭାଗରେ ଯମକ ନିୟମ ଅନୁସୃତ ହୋଇଥିଲେ ମଧ୍ୟ ଯମକ ହୁଏ] ।

୩୨ଶ ପଦ :- ବାରଣକେଶର-ନାଗକେଶର । ସରସିଜ-ପଦ୍ମ ।

୩୨ଶ ପଦ :- ତାହାପରେ ରାମଚନ୍ଦ୍ର ନାଗେଶ୍ୱରଫୁଲ ତୋଳିବାବେଳେ ଫୁଲର ପରାଗ ସୀତାଙ୍କ ନେତ୍ର ପଦ୍ମରେ ପଡ଼ିବାରୁ ଜଳ ଜନ୍ମି ଅଦ୍ଭୁତ ଦେଖାଗଲା । [ଜଳରୁ ପଦ୍ମ ଜାତ ହୁଏ, ମାତ୍ର ଏ ନେତ୍ରପଦ୍ମରୁ ଜଳ ଜାତ ହେଉଅଛି, ତେଣୁ ଅଦ୍ଭୁତ] ତାହା ଦେଖି ‘ପ୍ରିୟା ମାନ କଲା କି ?’ ଏପରି ବିଚାରି ରାମଚନ୍ଦ୍ର ଚଞ୍ଚଳ ଲୋମବିଲୋମ ମେଷଯୁଦ୍ଧ ଛନ୍ଦରେ ଚାଟୁକ୍ତିକଲେ । [ଲୋମବିଲୋମ ମେଷଯୁଦ୍ଧ ଲକ୍ଷଣ :- ଗୀତର ପ୍ରତ୍ୟେକ ପାଦକୁ ମୂଳରୁ ଶେଷକୁ ପାଠ କଲେ ଯାହା ଶେଷରୁ ମୂଳକୁ ପାଠ କଲେ ତାହା] ।

୩୩ଶ ପଦ :- ବରଦ-ପ୍ରସନ୍ନ । ବିରସାନନ-ବିମର୍ଷ ମୁଖ । ବିଦରିବ- ବିଶେଷରେ ଦ୍ରବୀଭୂତ । ବଧ-ନାଶ । ଜରତ-ବୃଦ୍ଧ । ତର୍ଜନ-ଭୟ । ମାଧବି-ବସନ୍ତକାଳ । ବିଦ୍ଧ-ଭେଦନ । ମାର-କନ୍ଦର୍ପ ।

୩୩ଶ ପଦ :- ‘‘ହେ ପ୍ରିୟେ ! ପ୍ରସନ୍ନା ହୁଅ । ତୁମ୍ଭର ଶ୍ରେଷ୍ଠ ମୁଖରେ ଫୁଟିଥିବା ବିରସ ଭାବକୁ ନାଶ କର, ବିଶେଷରେ ଦ୍ରବୀଭୂତ ହୁଅ [ମାନ ତ୍ୟାଗ କରି ] ବସନ୍ତ ତର୍ଜନ କରି ଆସୁଅଛି-। ସେ ତାର ଶର ବିନ୍ଧିବ ଓ ମାରିବ । ବାସନ୍ତୀଲତା ଉଦ୍‌ବେଳିତ ହେଉଅଛି । ଏହା ଦେଖି ମୋ ମନରେ ତ୍ରାସ ଜାତ ହେଉଛି । ତୁ ତୋର ବିଶେଷ ଭାବରେ ବଢ଼ିଥିବା ଏ ମାନ୍ୟକୁ ତ୍ୟାଗ କର । ମୁଁ ସାନୁରକ୍ତ ହୋଇ ତୋର ଦାସ ହେବି । (ବସନ୍ତର ଶୋଭା ଦେଖି ମୋ ମନରେ କନ୍ଦର୍ପର ଭୟ ଜାତ ହେଉଛି । ତୁ ଏତେବେଳେ ମାନ କଲେ କନ୍ଦର୍ପ ମୋତେ ବହୁତ ଦୁଃଖ ଦେବ । ତୁ ମୁଖ ନ ଶୁଖାଇ ପ୍ରସନ୍ନା ହୁଅ, ମୁଁ ତୋର ଦାସ ହେବି ।’’

୩୪ଶ ପଦ :- ଏହା ଶୁଣି ଚତୁରୀ ରତନ ସୀତା ବକ୍ରୋକ୍ତି ପ୍ରକାଶ କରି କହିଲେ, ‘‘କିଏ ନୃତ୍ୟ ବିସ୍ତାର କରୁଥିଲା, ଶେଷ ହେଲା କି ? ମାନ ବୋଲି କ’ଣ କହୁଛ ? (ନୃତ୍ୟ ଶେଷରେ ମାନ ହୁଏ, ଏଠାରେ କେହି ନୃତ୍ୟ କରୁ ନ ଥିଲା; ମନ ବୋଲି କ’ଣ କହୁଛ ?)’’ । ତାହା ଶୁଣି ରାମଚନ୍ଦ୍ର ମଧୁର ସ୍ୱରରେ ଧନ୍ୟର୍ଥକୁ ରଚନା କରି କହିଲେ, ‘‘କେକୀ ଅର୍ଥାତ୍‌ ମୟୁର ‘ସୁମନା’ ମାଳତୀ ଫୁଲ ‘ଉତ୍‌ଫୁଲ’ ଫୁଟିବା ସମୟରେ ନୃତ୍ୟ ବିସ୍ତାର କରେ । ବର୍ଷାଦିନେ ମାଳତୀ ଫୁଲ ଫୁଟେ ଓ ମୟୁର ନୃତ୍ୟ କରେ) । ତୁ ତ ସୁମନା, ‘ଉତ୍‌ଫୁଲ’ ଉଲ୍ଲସିତ ହେଲେ ତୋ ବେଣୀ ନାଚନ୍ତା ।’’ ( ଅର୍ଥାତ୍‌ ତୁ ବିପରୀତ ରତି କଲେ ତୋର ବେଣୀ ନାଚନ୍ତା ସିନା) ।

୩୫ଶ ପଦ :- ରସବତୀ ସୀତା କାନ୍ତଙ୍କର ବିପରୀତ ରତି ମାଗିବାର ଅଭିପ୍ରାୟ ବୁଝି ଲଜ୍ଜାରେ ମୁହଁ ତଳକୁ ପୋତି କହିଲେ, ‘‘ସେ ରସସାରକୁ ମନରୁ ପାସୋରିବ ନାହିଁ ପରା ? (ଅନ୍ୟର୍ଥ-ସେ ସୁରସମ୍ପତ୍ତିକୁ ପାସୋରିବ ନାହିଁ ପରା) ?’’ ଏହିପରି ସେ ଦୁହେଁ ବନରେ ବିହାର କରି କରି ପର୍ଣ୍ଣକଟୀରରେ ପହଞ୍ଚିଲେ । ସେଠାରେ ମାଂସ ଶୁଖାଇବାରେ ଆଦ୍ୟଯମକ ପ୍ରକାଶ ହେଲା । (ଆଦ୍ୟଯମକ ଲକ୍ଷଣ-ପ୍ରତ୍ୟେକ ପାଦର ପ୍ରଥମରେ ଯମକ ଶୃଙ୍ଖଳା ଅନୁସୃତ ହେଲେ ଆଦ୍ୟଯମକ ହୁଏ) ।

 

ବଳି ବଳିପୁଷ୍ଟ ଝାମ୍ପେ ଆହାର ଲୋଭିତେ ।

ବଳି ବଳିଶୋଭିନୀ ତାହାର ନିବାରିତେ ଯେ।

ବାସ ବାସଅଙ୍ଗୀର ଖସିଲା ଦୀପ୍ତ ସ୍ତନ।

ବିମ୍ବ ବିମ୍ବଅରୁଣର ଯେ ଓଷ୍ଠ ନିନ୍ଦନ ଯେ । ୩୬।

ବିପଦ ବି-ପଦ ଚଞ୍ଚୁ ଘାତରେ ବିହନ୍ତେ ।

ବିରସ ବୀରସତ୍ତମ କାଶଶର କୃତେ ଯେ।

ବୃନ୍ଦ ବୃନ୍ଦ ମନ୍ଦର ତାଡ଼ିଲା ନେତ୍ର ଦିବେ ।

ବିଧିରେ ବିଧୀରେ ମଜ୍ଜି ଏକଦୋଷେ ସର୍ବେ ଯେ । ୩୭।

ବିନୟ ବିନୟ ରଖି ଲୋଟନ୍ତେ ସେ ଆଗେ।

ବିହଙ୍ଗମେ ବିହି ଗମେ ତ୍ରାହି ସୀତା ମାଗେ ଯେ।

ବାରେ ବାରେ ଖେଦ ଦେବ ବାଣୀ ଏ ତେମନ୍ତ।

ବିଷ ବିଷମ ଯେମନ୍ତ ସନ୍ନିପାତେ ହିତ ହେ । ୩୮।

ବିଦ୍ୟ ପ୍ରାନ୍ତ ଯମକେ କହିବା ନେତ୍ରଦାନ ।

ବକ୍ର ଚିହ୍ନ ରଖି ମାତ୍ର କଲେ ନେତ୍ର ଦାନ ଯେ।

ବଢ଼ିଲା ତୋଷ ଅଶେଷ ଲଭି ଖରେ ଗତି।

ବୃଷା-ସୁତ ଖଗବର୍ଗ କଲେ ଖ-ରେ ଗତି ଯେ । ୩୯।

ବିଶିଷ୍ଟରେ ଅନୁକଳ ପୁଂସ ଦୀନବନ୍ଧୁ।

ବିନୋଦରେ ସଙ୍ଗେ ଘେନି ହରେ ଦିନବନ୍ଧୁ ଯେ।

ବଶ ଧ୍ୟାନମାନସେ ବୀର ସେ ସତୀ ପଦେ।

ବୋଲେ ଭଞ୍ଜ ଉପଇନ୍ଦ୍ର ବେନି ବିଂଶ ପଦେ ଯେ । ୪୦।

 

୩୬ଶ ପଦ :- ବଳି-ବାରଣ ନ ମାନି । ବଳିପୃଷ୍ଟ-କାକ । ବଳିଶୋଭନୀ-ତ୍ରିବଳୀ ଶୋଭିତା-। ବାସ-ବସ୍ତ୍ର । ବାସଅଙ୍ଗୀ-ସୌରଭାଙ୍ଗୀ । ବିମ୍ବ-କଇଞ୍ଚିକାକୁଡ଼ି ।

୩୬ଶ ପଦ :- ବଳବାନ୍‌ କାକ ଆହାର ଲୋଭରେ ଶୁଖୁଥିବା ମାଂସକୁ ଝାମ୍ପନ୍ତେ ସୀତା ତାହା ନିବାରଣ କରିବାକୁ ଗଲାବେଳେ ଯେଉଁ ସୀତାଙ୍କ ଓଷ୍ଠ ବିମ୍ବଫଳକୁ ଓ ସୂର୍ଯ୍ୟମଣ୍ଡଳକୁ ନିନ୍ଦା କରେ, ସେହି ସୌରଭଙ୍ଗୀ ତ୍ରିବଳୀଶୋଭିନୀ ସୀତାଙ୍କ ଦେହରୁ ଲୁଗା ଖସି ପଡ଼ିଲା । ତେଣୁ ସ୍ତନ ଦେଖାଗଲା ।

୩୭ଶ ପଦ :- ବିମ୍ବ-ମଣ୍ଡଳ । ବି-ପକ୍ଷୀ । ଚଞ୍ଚୁ-ଥଣ୍ଟ । ତମ-କ୍ରୋଧ । ମନ୍ଦ-କାକ । ଦିବ-ସ୍ୱର୍ଗ ବା ଆକାଶ । ବିଧିରେ-ଦୈବଯୋଗରେ । ବିଧୀରେ-ଧୀରତା ବିହୀନରେ ବା ମୁର୍ଖତାରେ ।

୩୭ଶ ପଦ :- କାକାପକ୍ଷୀ ପାଦ ଓ ଥଣ୍ଟ ଘାତରେ ସୀତାଙ୍କର ଓଷ୍ଠ ଓ ସ୍ତନକୁ ଆଘାତ କରନ୍ତେ ବୀରଶ୍ରେଷ୍ଠ ରାମଚନ୍ଦ୍ର କାଇଁଶିକାର ପ୍ରୟୋଗ କରି ଶୁନ୍ୟରେ ଥିବା ଅସଂଖ୍ୟ କାକଙ୍କର ନେତ୍ର ଉପାଡ଼ି ପକାଇଲେ । ଦୈବ ଯୋଗରେ ଓ ବିଧାନୁନୁସାରେ ଗୋଟିକ ଦୋଷରେ ସମସ୍ତେ ମଜ୍ଜିଲେ ।

୩୮ଶ ପଦ :- ବି-ପକ୍ଷୀ । ନୟ-ନିତି । ବିନୟ-ନମ୍ରତା । ବିହଙ୍ଗମେ-ପକ୍ଷୀମାନେ ।

୩୮ଶ ପଦ :- ଆଖି ଫୁଟି ଯିବାରୁ ସେ କାକପକ୍ଷୀମାନେ ବିନୟରେ ଓ ଶିଷ୍ଟାଚାର ପୂର୍ବକ ସୀତାଙ୍କ ଆଗରେ ଗଡ଼ିଲେ। ତାହା ଦେଖି ସୀତା ପ୍ରାର୍ଥନା କଲେ,‘‘ଏ ପକ୍ଷୀମାନଙ୍କୁ ତ୍ରାଣ କର । ଏମାନଙ୍କ ଚକ୍ଷୁ ପୁଣି ପ୍ରଦାନ କର ।’’ ରାମଚନ୍ଦ୍ର କହିଲେ, ଏ ଓଷ୍ଠ ଓ ସ୍ତନର କ୍ଷତଚିହ୍ନ ବାରମ୍ବାର ମୋ ମନରେ ଦୁଃଖ ଦେବ । ତେଣୁ ତାଙ୍କୁ ନିଷ୍କୃତି ଦେବା ଉଚିତ ନୁହେ ।’’ ସୀତା ପ୍ରତ୍ୟୁତ୍ତରରେ କହିଲେ,‘‘ ଗରଳ ବିଷମ ସନ୍ନିପାତରେ ହିତ, ଏ କ୍ଷତ ଚିହ୍ନ ସେହିପରି ଦିନେ ହେଲେ ହିତପ୍ରଦ ହେବ ।’’

୩୯ଶ ପଦ :- ଖରେ-ବେଗରେ । ଗତି-ଗମନ । ଖରେ-ଆକାଶରେ ।

୩୯ଶ ପଦ :- ବର୍ତ୍ତମାନ ପ୍ରାନ୍ତଯମକରେ କହିବା । ନେତ୍ର ଖଣ୍ଡନକାରୀ ରାମ ଦୟାପୂର୍ବକ କେବଳ ମାତ୍ର ବକ୍ର ଚିହ୍ନ ରଖି କାକମାନଙ୍କୁ ନେତ୍ର ଦାନ କଲେ । (କାକମାନେ ନେତ୍ର ପାଇ ଅତ୍ୟନ୍ତ ତୋଷ ହେଲେ ଓ ଶୀଘ୍ର ଉଡ଼ି ଆକାଶରେ ଗତି କରି ଗଲେ ।

୪୦ଶ ପଦ :- ବିଶେଷ ଭାବରେ ସ୍ତ୍ରୀର ଅନୁଗତ ଦୀନବନ୍ଧୁ ରାମଚନ୍ଦ୍ର ପ୍ରିୟା ସୀତାଙ୍କୁ ସଙ୍ଗରେ ଘେନି କେଳି ବିନୋଦରେ ଦିନ କାଟିଲେ । ସେ ବୀର ରାମଚନ୍ଦ୍ର ଓ ସୀତାଙ୍କ ପାଦରେ ଧ୍ୟାନ ମନାହୋଇ ଉପେନ୍ଦ୍ର ଭଞ୍ଜ ଏ ଛାନ୍ଦକୁ ଚାଳିଶ ପଦରେ କହିଲେ ।

 

Unknown

ବିଂଶ ଛାନ୍ଦ

ରାଗ ବଙ୍ଗଳାଶ୍ରୀ

 

ବୋଇଲେ ସୀତା ଶୀତାଂଶୁମୁଖୀ ଏକଦିନେ ଅତି ଦୀନ ହୋଇ ।

ବିହି ବିହିଲା ବନବାସ ବାସରେ ନୃପତି ହେବାର ଯାଇ।

ବିଳସାଇ ଯଥା ଅଳକା ତେଜାଇ ଇଶ୍ୱରଙ୍କୁ ଶମଶାନେ ।

ବିଷ୍ଣୁଙ୍କୁ ରତନପଲଙ୍କ ଛଡାଇ ଜଡ଼ାଇ ସର୍ପ-ଶୟନେ। ୧ । 

 

ବିସୋରି ନ ପାରି ଅବିଧି ବିଧିକି କିପାଇ ବୋଲାଇ ବିଧି।

ବସାଇ କୋଳେ ଶ୍ରୀରାମ କହେ ଭୋଳେ ରସାଇ ଲାବଣ୍ୟନିଧି।

ବିରଞ୍ଚି ଏକାନ୍ତେ କେଳିକି ବିରଚି ଗଉରୀ କମଳା ସଙ୍ଗେ।

ବିଜନ ସ୍ଥାନ ବୋଲିଟି ତୋତେ ମୋତେ ବନେ ବିହାରଇ ରଙ୍ଗେ। ୨ । 

 

ବିବେକ କର ରସିକ ରସିକାର ଏଥୁ ଅଛି କି ଉତ୍ସବ।

ବୃଷଭାସ୍ୟା ତେଜି ମଳୟପର୍ବତେ ବସନ୍ତେ ଆସେ ବାସବ ।

ବ୍ରହ୍ମଲୋକ ଛାଡ଼ି ସେହି ପୁଣି ଲୋଡ଼ି ଗନ୍ଧମାର୍ଦନ ଶିଖରୀ।

ବିଭବୁଁ ଆମ୍ଭର ସୁରସପ୍ରବୀଣା କି ଊଣା ଅଛି କି କରି ?। ୩ ।

 

ବିହରି ସଉଧ ସଦନେ ବିହରି ସଉଦ୍ଧସଦନେ ଧନ।

ବେଢ଼ି ଡାକୁଥାନ୍ତି କଞ୍ଚୁକିନ ବେଢ଼ି ଡାକୁଛନ୍ତି କିଞ୍ଚୁକିନ

ବସିଥାଇ ଚନ୍ଦ୍ରାତପ ତଳେ ବସିଥାଇ ଚନ୍ଦ୍ରାତପ ତଳେ।

ବେଷ୍ଟିତ ଯେ ସହଚରୀକୁଳେ ବେଷ୍ଟିତ ଯେ ସହଚରୀକୁଳେ । ୪ ।

 

ବୁଲିବା ଥିଲା ଜଗତୀରେ ବୁଲିବା ଜଗତୀରେ ହେଲା ଘେନ ।

ବିଲୋକୁ ଥାଇଁ ଚିତ୍ରଲେଖା ବିଲୋକୁ ଥାଇଁ ଚିତ୍ରଲେଖା ପୁନ ।

ବିକ୍ଷିପ୍ତ ଶେଯେ ରଜନୀକର ଶେଯେ ବିକ୍ଷିପ୍ତ ରଜନୀକର ।

ବୋଧକ ସୁକବି ଗିର ହେଉଥିଲା ବେଧକ ଶୁକ-ବି ଗିର। ୫ ।

 

୧ମ ପାଦ :- ଶୀତାଂଶୁମୁଖୀ-ଚନ୍ଦ୍ରବଦନା । ଅତି ଦୀନ-ଅତି ଦୁଃଖିତ । ବାସରେ-ଦିନରେ ଅର୍ଥାତ୍‌ ଅଭିଷେକ ଦିନରେ ।

୧ମ ପଦ :- ଦିନେ ଚନ୍ଦ୍ରମୁଖୀ ସୀତା ଅତି ଦୁଃଖଭାବରେ କହିଲେ, ‘‘ରାତ୍ର ପାହିଲେ ରାଜା ହେବାର କଥା ଗଲା । ବିଧାତା ଯେପରି ଶିବଙ୍କୁ ଅଳକା ଭୁବନ ଛଡ଼ାଇ ଶ୍ମଶାନରେ ବୁଲାଇଲା, ବିଷ୍ଣୁଙ୍କୁ ରତ୍ନପଲଙ୍କ ଛଡ଼ାଇ ସର୍ପ ଶଯ୍ୟାରେ ଶୁଆଇଲା, ସେହିପରି ଆମ୍ଭ କପାଳରେ ରାଜ ସୁଖ ଛଡ଼ାଇ ବନବାସ ବିଧାନ କଲା ।’’

୨ୟ ପଦ :- ‘‘ ‘ଅବିଧି’ ଅନୁଚିତ ବିଧାନକୁ ଯେ ପାଶୋରି ନ ପାରେ ସେ କାହିଁକିବିଧି ନାମ ବହିଛି ?’’ ଏହା ଶୁଣି ଶ୍ରୀରାମ ଲାବଣ୍ୟନିଧି ସୀତାଙ୍କୁ କୋଳରେ ବସାଇ ପ୍ରେମଭୋଳରେ ତାଙ୍କ ମନକୁ ରସାଇ କହିଲେ, ‘‘ବିରଞ୍ଚି (ଯେ ବିହିତ ଆଚରଣ କରନ୍ତି) ପାର୍ବତୀଙ୍କ ସଙ୍ଗତରେ ଏକାନ୍ତରେ କେଳି କରିବା ପାଇଁ ଈଶ୍ୱରଙ୍କୁ ଶ୍ମଶାନରେ ବୁଲାଇଲା, ଲକ୍ଷ୍ମୀଙ୍କ ସଙ୍ଗେ ଏକାନ୍ତରେ ବିହରିବା ପାଇଁ ବିଷ୍ଣୁଙ୍କୁ ସାଗର ମଧ୍ୟରେ ସର୍ପ ଶୟନରେ ବିଳସାଇଲା । ଏ ବନ ନିର୍ଜନ ସ୍ଥାନ ବୋଲି ସେ ବିଧାତା ତୋତେ ଓ ମୋତେ ଏକାନ୍ତରେ ନାନାରଙ୍ଗରେ କେଳି କରିବା ପାଇଁ ପଠାଇଅଛି।’’ (ବିଧାତା ଯାହା କରିଛି ତା ଅବିଧି ନୁହେଁ, ଉଚିତ କାର୍ଯ୍ୟ କରିଛି । ଏହାଦ୍ୱାରା ରାମଙ୍କର ସୁଖ ଦୁଃଖରେ ସମୀରତା ଗୁଣ ସୁଚିତ ହେଲା) ।

୩ୟ ପଦ :- ବାସବ-ଇନ୍ଦ୍ର । ସୁରସପ୍ରବୀଣା-ରତିପଣ୍ଡିତା ।

୩ୟ ପଦ :- ‘‘ହେ ପ୍ରିୟେ ! ମନରେ ବିଚାର କର, ରସିକ ରସିକାର ଏଥୁଁ ବଳି ଆଉ ଆନନ୍ଦ ଅଛି କି ? ଇନ୍ଦ୍ର ଏକାନ୍ତରେ ବିହାର କରିବା ନିମିତ୍ତ ସୁରପୁରୀ ଛାଡ଼ି ବସନ୍ତ କାଳରେ ମଳୟ ପର୍ବତକୁ ଆସନ୍ତି । ସେହି ବିଧତା ପୁଣି ବ୍ରହ୍ମଲୋକ ଛାଡ଼ି ବିହାର ନିମିତ୍ତ ଗନ୍ଧମାର୍ଦନ ପର୍ବତ ଖୋଜି ଆସନ୍ତି । ହେ ରତନିପୁଣା ! ଆମ୍ଭର ଏଠାରେ ଐଶ୍ଚର୍ଯ୍ୟର କିଛି ଊଣାଅଛି କି ?’’

୪ର୍ଥ ପଦ :- ସଉଧ ସଦନେ-କୋଠାଘରେ । ସଉଦ୍ଧ ସଦନେ-ଋଷିଗୃହରେ । କଞ୍ଚୁକିନ-ଯୋଦ୍ଧା ବା ଅନ୍ତପୁରସ୍ଥ ନପୁଂସରକ୍ଷକ । କଞ୍ଚୁକିନ-ସର୍ପ । ଚନ୍ଦ୍ରାତପ-ଚାନ୍ଦୁଆ । ଚନ୍ଦ୍ରାତପ-ଚନ୍ଦ୍ର,କିରଣ । ସହଚରୀ-ସଖୀ । ସହଚରୀ-ଝିଣ୍ଟିବୃକ୍ଷ ।

୪ର୍ଥ ପଦ :- ‘‘ହେ ଧନ ! ଆମ୍ଭେ ଆଯୋଧ୍ୟାର ରାଜଭବନରେ ବିହରୁଥିଲେ, ଏଠାରେ ଋଷିମାନଙ୍କ ଗୃହରେ ବିହରୁ ଥାଇଁ; ସାଠାରେ ‘କଞ୍ଚୁକୀ’ ପ୍ରତହାରୀମାନେ ବେଢ଼ି ରହି ଡାକୁଥିଲେ, ଏଠାରେ ‘କଞ୍ଚୁକିନ’ ସର୍ପମାନେ ଚାରିଆଡ଼େ ବେଢ଼ି ରହି ଶବ୍ଦ କରୁଅଛନ୍ତି । ସେଠାରେ ଚାନ୍ଦୁଆ ତଳେ ବସୁଥିଲେ, ଏଠାରେ ଚାନ୍ଦ କିରଣ ତଳେ ବସୁଥାଇଁ । ସେଠାରେ ସଖୀ ସମୂହରେ ବେଷ୍ଟିତ ହୋଇଥିଲେ, ଏଠାରେ ଝିଣ୍ଟିଗଛ ସମୂହରେ ବେଷ୍ଟିତ ହୋଇ ରହିଛେ ।’’

୫ମ ପଦ :- ଜଗତୀ-ଅଟ୍ଟାଳିକା । ଜଗତୀରେ-ପୃଥିବୀରେ । ଚିତ୍ରଲେଖା -ସାରୀପକ୍ଷୀ । ରଜନୀକର -କର୍ପୂରଚୁର୍ଣ୍ଣ। ରଜନୀକର-ଧୂଳିରାଶି । ସୁକବି-ଉତ୍ତମ କବି। ଶୁକବି- ଶୁକପକ୍ଷୀ ।

୫ମ ପଦ :- ‘‘ସେଠାରେ ‘ଜଗତୀରେ’ ଅଟ୍ଟାଳିକାରେ ବୁଲୁଥିଲେ, ଏଠାରେ ‘ଜଗତୀ’ରେ ମହୀରେ ବୁଲିବାର ହେଲା । ସେଠାରେ କାନ୍ଥମାନଙ୍କରେ ଲିଖିତ ହୋଇଥିବା ଚିତ୍ର ସବୁ ଦେଖୁଥିଲେଇଁ, ଏଠାରେ ଭାଲ ପଟରେ ଲେଖା ଯାଉଥିବା ତିଳକକୁ ପରସ୍ପର ପରସ୍ପରର ଦେଖୁଛେଁ । ସେଠାରେ ଶଯ୍ୟାରେ ‘ରଜନୀକର’ କର୍ପୂରଚୂର୍ଣ୍ଣ ବିଞ୍ଛା ଯାଉଥିଲା, ଏଠାରେ ଶଯ୍ୟାରେ ‘ରଜନୀକର’ ଧୂଳି ସମୂହ ବିଞ୍ଛା ଯାଉଅଛି । ସେଠାରେ ଉତ୍ତମ କବିଙ୍କର ବାଣୀ ଅର୍ଥାତ୍‍ କବିତା ଶୁଣି ଚିତ୍ତ ବୋଧ ହେଉଥିଲା, ଏଠାରେ ଶୁକ ପକ୍ଷୀର ଗାନ ଚିତ୍ତ ବୋଧ କରୁଅଛି ।’’

 

ବାରେ ବାରେ ଦେଖି ଭଦ୍ର ଉତ୍ସବକୁ ଭଦ୍ର ଉତ୍ସବକୁ ଦେଖି।

ବିଶେଷ ଖଦୀର ଚଳିତ ବିଶେଷ ଖଦିର ଚଳିତ ସଖି ।

ବିଘ୍ନ ନୋହେ ତଥି ଅକ୍ଷଲୀଳା ଏଥି ବିଘ୍ନ ନୋହେ ଅଲୀଳା ।

ବସିଥାନ୍ତି ସାକ୍ଷୀସୁଶୀଳା ଅଛନ୍ତି ଏବେ ତ ଶାଖୀ ସୁଶିଳା । ୬ । 

 

ବଶ କରୁଥିଲା ଚିତ୍ତ କ୍ଷୀରପାନ ବଶ କରେ କ୍ଷୀରପାନ ।

ବାଳା ଶୁଣୁଥାଇ ଆନକ ସ୍ୱନକୁ ଶୁଣିମା ଆନକ ସ୍ୱନ ।

ବିଧିରେ ଗନ୍ଧର୍ବେ ଗାୟନ କରନ୍ତି ବୋଧନ୍ତି ସୁମନାବାସେ ।

ବିଧିରେ ଗନ୍ଧର୍ବେ ଗାୟନ କରନ୍ତି ବୋଧନ୍ତି ସୁମନାବାସେ । ୭ । 

 

ବାନ୍ଧବି ଏଥିରେ ଦେଖାଯାଉ ନାହିଁ ନାଚିବାର ନୃତ୍ୟକାରୀ।

ବେଣୀ ନାସ ମଣି ରମଣୀମଣିରେ ନଚା ଅନୁଗ୍ରହ କରି।

ବିହନ୍ତି ନର୍ତ୍ତନ ନର୍ତ୍ତକବରହିଁ ଅଛି ନର୍ତ୍ତକବରହୀ ।

ବୋଲି ଚତୁରୀ ନାସାପୁଡ଼ା ଫୁଲାଇ ଶିରଶ୍ଚାଳି ଦେଇ ରହି। ୮ । 

 

ବ୍ୟାଜ ପାଳନା ଏତିକି ବୋଲୁଁ ଇଶ ମୁଗ୍‌ଧାଭାବେ ଭାଷେ କିସ।

ବିହୁ ଯାହା ତାହା ସୁଦେହା ସୁତ୍ସ୍ନେହା ଜାଣି ତ ଥିବୁ ଅବଶ୍ୟ।

ବିମଳ ଆଦରଶ ପରା ତୋ ହୃଦ ମୋ ବାଞ୍ଛିବା ବିମ୍ବ ଥିବ।

ବରୁଣ ଦିଗ ତରୁ ଲତା ତରଣୀ ଅନାଇଁ ଅନାଇଁ ଧବ। ୯ । 

 

ବାଞ୍ଛିଲା ସମ୍ପତ୍ତି ଦରିଦ୍ରରେ ପରାପତି ପରା ପତି ଭଣି।

ବଳି ଉଦରେ ଶରଣ ଦାନୀପଣେ ହୁଡ଼ିଥିଲି ସୁଲକ୍ଷଣି ।

ବୀଣା-କଳକଣ୍ଠ ଜିଣାକଣ୍ଠ ! ଗଣ୍ଠିରତ୍ନ ମନ-କୃପଣର।

ବିଦେହ-ନରରାଣ-ଜେମା ତୁ ମୋର ପରାଣ ଯେ ପରାଣର । ୧୦ ।

 

୬ଷ୍ଠ ପଦ :- ଭଦ୍ରଉତ୍ସବ-ମଙ୍ଗଳ ଉତ୍ସବ । ଭଦ୍ରଉତ୍ସବ-ଭଦଭଦଳିଆ ପକ୍ଷୀ । ଖଦିର-ଖଇର। ଖଦୀର -ବସ୍ତ୍ରନିର୍ମିତ । ଅକ୍ଷଲୀଳା-ପଶାଖେଳ । ଅକ୍ଷଲୀଳା-ଚକ୍ଷୁର ବିଳାସ । ଶାଖୀ -ବୃକ୍ଷ। ସୁଶିଳା-ଭଲ ପଥର ।

୬ଷ୍ଠ ପଦ :- ‘‘ସେଠାରେ ଥରେ ଥରେ ମଙ୍ଗଳ ଉତ୍ସବକୁ ଦେଖୁ ଥିଲାଇଁ, ଏଠାରେ ‘ଭଦ୍ର’ ଭଦଭଦଳିଆ ପକ୍ଷୀଙ୍କ ଲୀଳା ଖେଳା ଦେଖୁଛେଁ । ହେ ସଖୀ ! ସେଠାରେ ବହୁତ ଖଦି ଚାମରମାନଙ୍କର ଚାଳନ ହେଉଥିଲା, ଏଠାରେ ବହୁତ ଖଇରଗଛ ପବନଦ୍ୱାରା ଚାଳିତ ହେଉଅଛି । ସେଠାରେ ପଶାଖେଳ ନିର୍ବିଘ୍ନରେ ହେଉଥିଲା, ଏଠାରେ ‘ଅକ୍ଷଲୀଳା’ ନେତ୍ରରେ ବିଳାସ ନିର୍ବିଘ୍ନରେ ହେଉଅଛି । ସେଠାରେ ସାକ୍ଷୀ ହୋଇସୁଶୀଳା ସଖୀମାନେ ବସିଥାନ୍ତି, ଏଠାରେ ‘ଶାଖୀ’ ବୃକ୍ଷସବୁ ଓ ‘ସୁଶୀଳା’ ଉତ୍ତମ ପଥର ଖଣ୍ଡମାନ ରହିଅଛି ।’’

୭ମ ପଦ :- କ୍ଷୀରପାନ-ଦୁଗ୍‌ଧପାନ । କ୍ଷୀରପାନ-ଜଳପାନ । ଆନକ-ପଟ୍ଟହବାଦ୍ୟ । ଆନକସ୍ୱନ-ସଶବ୍ଦ ମେଘ । ସୁମନା-ପଣ୍ଡିତମାନେ । ବାସେ-ଗୃହରେ । ଗନ୍ଧର୍ବେ-କୋଇଲିମାନେ । ସୁମନା-ଫୁଲ ।

୭ମ ପଦ :- ‘‘ସେଠାରେ ‘କ୍ଷୀରପାନ’ ଦୁଗ୍‌ଧପାନ ଚିତ୍ତବଶ କରୁଥିଲା, ଏଠାରେ ‘କ୍ଷୀର’ କ୍ଷୀରଗଛ ‘ପାନ’ ପାନ ଲତା- ଏମାନେ ଅଥବା ପବିତ୍ର ଜଳ ପାନ ଚିତ୍ତବଶ କରୁଅଛି । ହେ ବାଳା ! ସେଠାରେ, ‘ଆନକସ୍ୱନକୁ’ ପଟ୍ଟହବାଦ୍ୟ ନାଦକୁ ଶୁଣୁଥିଲେ, ଏଠାରେ ‘ଆନକସ୍ୱନ’ ମେଘ ଧନିକୁ ଶୁଣିବା । ସେଠାରେ ‘ଗନ୍ଧର୍ବମାନେ’ ଗାୟକମାନେ ଉଚ୍ଚରେ ଗାନ କରୁଥିଲେ, ଗୃହରେ ସ୍ତ୍ରୀମାନେ ବୋଧ କରୁଥିଲେ (ଅଥବା ପଣ୍ଡିତମାନେ ବୋଧ କରୁଥିଲେ), ଏଠାରେ ‘ଗନ୍ଧେବ’ କୋକିଳମାନେ ବିଧିବଶରେ ଗାୟନ କରୁଛନ୍ତି ଓ ପୁଷ୍ପମାନେ ବାସନାଭେ ମନକୁ ତୋଷ କରୁଛନ୍ତି ।’’

୮ମ ପଦ :- ‘‘ହେ ବାନ୍ଧବି ! ସେଠାରେ ଯାହା ଥିଲା, ତା’ର ଅନୁରୁପ ସବୁ ଏଠାରେ ଅଛି; କିନ୍ତୁ ସେଠାରେ ନୃତ୍ୟକାରୀମାନେ ଥିଲେ, ମାତ୍ର ଏଠାରେ ନୃତ୍ୟକାରୀମାନେ ନାଚିବାର ଦେଖାଯାଉ ନାହିଁ । ହେ ରମଣୀମଣି ! ଅନୁଗ୍ରହ କରି ବେଣୀ ଓ ନାସାମଣିକି ଥରେ ନଚା ।’’ (ଏହାଦ୍ୱାରା ବିପରୀତ ରତି ମାଗିବାର ଜଣାଗଲା) ଏହା ଶୁଣି ସୀତା କହିଲେ, ‘‘ସେଠାରେ ଶ୍ରେଷ୍ଠ ନାଟୁଆମାନେ ନୃତ୍ୟ କରୁଥିଲେ, ଏଠାରେ ନାଟୁଆ ମୟୁରସବୁ ଅଛନ୍ତି’’-ଏହା କହି ଚତୁରୀ ସୀତା ନାସା ପୁଡ଼ା ଫୁଲାଇ ମୁଣ୍ଡ ହଲାଇ ରହିଗଲେ । (ଏହାଦ୍ୱାରା ନାସାମଣି ଓ ବେଣୀଦୁହେଁ ନାଚିଲେ) ।

୯ମ ପଦ :- ଆଦରଣ-ଦର୍ପଣ । ବରୁଣଦିଗ-ପଶ୍ଚିମଦିଗ । ତରଣୀ-ସୁର୍ଯ୍ୟ । ଧବ-ସ୍ୱାମୀ ।

୯ମ ପଦ :- ଏହା ଦେଖି ରାମ କହିଲେ, ‘‘ଏ ଛଳ ପାଳନା ସିନା, [ମୁଁ ଯାହା କହିଲି-ଏ ସେପରି ନୁହେ] ।’’ ଏତିକି କହନ୍ତେ ଚତୁରୀ ସୀତା ପ୍ରେମ ଭୋଳରେ ଜାଣି ସୁଦ୍ଧା ନ ଜାଣିଲାପରି କହିଲେ, ‘‘କି କଥା ? [ତୁମ୍ଭେ ଆଉ କ’ଣ କହିଥିଲ କି] ?’’ ରାମ ଉତ୍ତର ଦେଲେ, ‘‘ହେ ସୁଦେହା ! ହେ ସୁସ୍ନେହା ! ତୁ ଯାହା କହୁ ଓ କରୁ, ତାହା ତ ଅବଶ୍ୟ ଜାଣିଥିବୁ । ତୋହର ହୃଦୟ ଦର୍ପଣପରି ନିର୍ମଳ, ତେଣୁ ମୋର ମନକଥା ସେଥିରେ ପ୍ରତିବିମ୍ବିତ ହୋଇଥିବ ନିଶ୍ଚୟ, [ତୁ ହୃଦୟରେ ମୋ କଥା ନିଶ୍ଚୟ ବୁଝିପାରୁଅଛୁ] ।’’ ରାମଙ୍କ ଏହି କଥାରେ ତରୁଣୀ ସୀତା ପଶ୍ଚିମଦିଗ ଓ ତରୁଲତାଙ୍କୁ ଅନାଇଁ ପତିଙ୍କୁ ବୋଧ କଲେ । ସୂର୍ଯ୍ୟ ପଶ୍ଚିମରେ ଅସ୍ତ ଗଲେ ବୃକ୍ଷରେ ଲତା ବେଷ୍ଟିତ ହେଲା ପ୍ରାୟ ମୁଁ ତୁମ୍ଭ ଅଙ୍ଗରେ ବେଷ୍ଟିତ ହେବି, ତୁମ୍ଭ କାମନା ପୂର୍ଣ୍ଣ ହେବ ।’’

୧୦ମ ପଦ :- ସୀତାଙ୍କ ସମ୍ମତି ପାଇବାରୁ ରାମଚନ୍ଦ୍ର ଦରିଦ୍ର ଲୋକ ବାଞ୍ଛିଲା ବିତ୍ତ ପ୍ରାପ୍ତ ହେଲା ପ୍ରାୟ ଆନନ୍ଦିତ ହୋଇ କହିଲେ, ‘‘ହେ ସୁଲକ୍ଷଣି ! ଦାତାପଣରେ ବଳି ତୋହଠାରେ ହାର ମାନି ତ୍ରିବଳୀ ଆକାରରେ ତୋ ଉଦରରେ ଶରଣ ପଶିଅଛି; ମାତ୍ର ମୁଁ ସେ କଥା ହୁଡ଼ି ଯାଇଥିଲି । ହେ ବୀଣାଜିଣା କଣ୍ଠି ! ହେ କୋକିଳକଣ୍ଠି ! ମୋ ମନରୂପ କୃପଣର ତୁ ଗଣ୍ଠିରତ୍ନ । ହେ ବୈଦେହୀ-! ତୁ ଯେ ମୋର ପ୍ରାଣର ପ୍ରାଣ ।’’

 

ବନ୍ଧୁକ ଅଧରକାରି ଅଧରିରେ ବନ୍ଧୁ ତୁ ମୋ ରକ୍ଷଣରେ।

ବର୍ତ୍ତୂଳ ଉରୁ ତୁଳା କୋଟିବାଦିନି ପିତୁଳା ମୋ ଲଷଣରେ ।

ବିଦେହପ୍ରେତ ଝାଡ଼ିବାକୁ ଅନ୍ତରଗତୁଁ ତୋ ବାଣୀ ମନ୍ତର ।

ବୈଦ୍ୟ ହୋଇ ବିହୁ ରସ ଦାନ ହତକରଣେ ବିରହଜ୍ୱର । ୧୧ ।

 

ବାହୁବଲ୍ଲୀ ଗଳାମାଳା କରି ପୁଷ୍ପ ହାସରେ ମଣ୍ଡନ ବିହୁ ।

ବଡ଼ ଘେନାଘେନି ଘେନା ମନୋରମ ଚରମ ଦେଖାଇ ନାହୁଁ ।

ବକ୍ଷୋଜ ସ୍ୱୟମ୍ଭୁ ଶମ୍ଭୁ କରପଦ୍ମେ ପୂଜି କାଳ ଭୟ ନାହିଁ।

ବିଭୁ ତୁ ମୁଁ ଦାସ ଏହି ରୂପେ ଏକା ହୋଇଥିବୁ ଅନୁଗ୍ରହୀ । ୧୨ ।

 

ବୋଇଲେ ସୁମତି ଏ ସର୍ବ ସମ୍ମତି ପୁଂସ ପ୍ରଭୁ ନାରୀ ଦାସୀ।

ବୋଲାଇ କେ ଇଶ ବିଚାର ମାନସ ନ ଘେନିମ ହେଲେ ଦୋଷୀ।

ବେଗେ ଓଳଗି ସରାଗେ ଏତେ କହି ଉପୁଜାଇ କେତେ ଭାବ ।

ବିବାହନିର୍ବାହେ କେ ଚରଣ ଛୁଏଁ ଉତ୍ତର କଲେ ରାଘବ। ୧୩ । 

 

ବରବର୍ଣ୍ଣିନି ଅନୁପମା ସୁଷମା ସକଳ ଗୁଣରେ ଝଳି।

ବାଳ ଅଧର ହାସ ବାସ କୋମଳ ପକାଇଲେ ଗର୍ବ ଦଳି।

ବିଶୁଦ୍ଧ ଅଞ୍ଜନ ସିନ୍ଦୁର କର୍ପୁର କସ୍ତୁରୀ ଲବଣୀ ଆସି।

ବୋଧନ୍ତି ତୋ ଚିତ୍ତ ଚିତ୍ରକ ଲେପନ ହୋଇ କେ କାହିଁରେ ମିଶି। ୧୪।

 

ବାରିଜ ଲକ୍ଷ୍ମୀ ନିଳୟ ତୁ ଲାବଣ୍ୟଲକ୍ଷ୍ମୀ ବୋଲାଉଛୁ ଯେଣୁ।

ବଦନ ସୁଷମା ସମ ନୋହି ପଦତଳରେ ଶରଣ ତେଣୁ।

ବନ୍ଦନ ବାଣୀ ଆନ ନାରୀମାନଙ୍କେ ରମ୍ଭା ରତି ପରା କହି।

ବଲ୍ଲଭି ନଖକୋଣ କ’ଣ ଶୋଭାକୁ ଲଭିବା ଭାବନ୍ତି ସେହି। ୧୫ ।

 

୧୧ଶ ପଦ :- ଉରୁ- ଜଘନ। ତୁଳାକେଟି-ନୂପୁର । ଈକ୍ଷଣ-ଚକ୍ଷୁ । ବିଦେହପ୍ରେତ-କାମଭୁତ ।

୧୧ଶ ପଦ :- ‘‘ହେ ବନ୍ଧୁକ ବିନିନ୍ଦିତ ଅଧରି ! [ବଧୁଲୀ ଫୁଲକୁ ରଙ୍ଗିମାରେ ହରାଇ ଦେଇଛି ଯାହାର ଅଧର] ହେ ପ୍ରିୟେ! ମୋତେ ରକ୍ଷା କରିବାରେ ତୁ ଏକମାତ୍ର ମୋର ବନ୍ଧୁ । ( କନ୍ଦର୍ପ ଭୟରୁ ରଖିବାରେ ତୁ ଏକମାତ୍ର ବନ୍ଧୁ) । ହେ ବର୍ତ୍ତୁଳଉରୁ ! ହେ ନୂପୁରବାଦିନି ! ତୁ ମୋର ନେତ୍ର ପିତ୍ତୁଳିକା ଅଟୁ । ମୋର ଅନ୍ତର୍ଗତରୁ କାମ ଭୂତକୁ ଝାଡ଼ିବା ପାଇଁ ତୋର ବାଣୀ ମନ୍ତ୍ରପ୍ରାୟ ଅଟେ । ମୋର ବିରହଜ୍ୱରକୁ ନାଶ କରିବାରେ ତୁ ବୈଦ୍ୟ ପ୍ରାୟ ହୋଇ ଶୃଙ୍ଗାର ରସରୂପେ ରସାୟନ (ଜ୍ୱର ନାଶକ ଔଷଧ) ଦାନ କରୁ ।’’

୧୨ଶ ପଦ :- ବାହୁବଲ୍ଲୀ -ବାହୁଳତା । ଚରମ-ପୃଷ୍ଠଦେଶ ବା ପିଠି । ସ୍ୱୟମ୍ଭୁ ଶମ୍ଭୁ-ସ୍ତନରୂପ ସ୍ୱୟମ୍ଭୁ ଶିବ ।

୧୨ଶ ପଦ :- ‘‘ତୁ ତୋ ବାହୁଲତାକୁ ଗଳାର ମାଳାସ୍ୱରୂପ କରି ପୁଷ୍ପ ସମ ହାସ ପ୍ରକାଶ ପୂର୍ବକ ମୋ ଗଳାରେ ମଣ୍ଡନ କରୁ । ହେ ପ୍ରିୟେ ! ମୋଠାରେ ତୋର ବଡ଼ ସ୍ନେହ ଥିବାରୁ, ତୁ ଆଜିଯାଏ ମୋତେ ତୋର ସୁନ୍ଦର ପୃଷ୍ଠଭାଗ ଦେଖାଇ ନାହୁଁ । (ଏ ପର୍ଯ୍ୟନ୍ତ ଦିନେ ହେଲେ ସୁଦ୍ଧା ଅଭିମାନରେ ମୋ ଆଡ଼କୁ ପିଠି କରି ଶୋଇନାହୁଁ) । ତୋହର ବକ୍ଷରେ ଥିବା ସ୍ୱୟଂଜାତ ମହାଦେବଙ୍କୁ [ସ୍ତନସ୍ତମ୍ଭୁଙ୍କୁ] କରପଦ୍ମରେ ପୂଜିବାରୁ ମୋହର ଯମ ରୂପ କାମର ଭୟ ଆଉ ନାହିଁ । ମୁଁ ତୋର ସ୍ତନଶମ୍ଭୁକୁ ପୂଜିବାରୁ ତୁ ପ୍ରଭୁ ଓ ମୁଁ ଦାସ । ଏହିପରି ସବୁଦିନେ ଅନୁଗ୍ରହ ରଖିଥିବୁ । (ତୁ ସେବ୍ୟ, ମୁଁ ସେବକ ଏହି ଦୟା ଯେପରି ସବୁଦିନ ଥିବ-ଅର୍ଥାତ ତୋର ସ୍ତନ ଶମ୍ଭୁଙ୍କୁ ମୁଁ ଯେପରି ସବୁଦିନ କରପଦ୍ମରେ ପୂଜୁଥିବି ) ।’’

୧୩ଶ ପଦ :- ଏହା ଶୁଣି ବୁଦ୍ଧିମତୀ ସୀତା କହିଲେ, ‘‘ଏହା ସର୍ବ ସମ୍ମତ ଅଟେ ଯେ, ପୁରୁଷ ପ୍ରଭୁ ଓ ନାରୀ ଦାସୀ । କିଏ ସେବ୍ୟ ଓ କିଏ ସେବକ ଏ କଥା ମନରେ ବିଚାର କର । ମୁଁ ଦୋଷୀ ହେଲେ ମୋ ଦୋଷ ମନରେ ଧରିବ ନାହିଁ ।’’ ଏହା କହି ସୀତା ନାନା ରହସ୍ୟ କରି ସ୍ନେହ ଉପୁଜାଇ ଶୀଘ୍ର ଯାଇ ରାମଙ୍କ ଚରଣରେ ପ୍ରଣାମ କଲେ । (ଏହାଦ୍ୱାରା ରାମ ସେବ୍ୟ ଓ ସୀତା ସେବିକା-ଏହି ସୂଚିତ ହେଲା) । ତାହା ଦେଖି ରାମ ଉତ୍ତର କଲେ, ‘‘ବିବାହ କାଳରେ କିଏ ଚରଣ ଛୁଏଁ ? (ବିବାହ କାଳରେ ପୁରୁଷ ସ୍ତ୍ରୀର ପାଦ ଛୁଏ । ତେଣୁ ପୁରୁଷ ସେବକ ଓ ସ୍ତ୍ରୀ ସେବ୍ୟା) ।

୧୪ଶ ପଦ :- ରାମଚନ୍ଦ୍ର ପୁଣି ପ୍ରଶଂସା କରି କହିଲେ, ‘‘ହେ ବରବର୍ଣ୍ଣିନି ! ତୋର ଶୋଭା ସର୍ବପ୍ରକାର ଗୁଣରେ ଝଳି ଅନୁପମ ହୋଇଅଛି । ତୋର କେଶ ବିଶୁଦ୍ଧ ଅଞ୍ଜନର ଗର୍ବକୁ ଦଳି ପକାଉଛି, ତୋର ଓଷ୍ଠ ସିନ୍ଦୁର ଗର୍ବକୁ ଦଳୁଅଛି, ତୋର ହାସ କର୍ପୂରର ଗର୍ବକୁ ଦଳୁଅଛି, ତୋର ଦେହର ବାସନା କସ୍ତୁରୀ ଗନ୍ଧକୁ ଦଳୁଅଛି, ତୋର କୋମଳତା ଲହୁଣୀର ଗର୍ବକୁ ଦଳୁ ଅଛି । ତେଣୁ ବିଶୁଦ୍ଧ ଅଞ୍ଜନ, ସିନ୍ଦୁର, କର୍ପୂର, କସ୍ତୁରୀ, ଲହୁଣୀ ଆସି ଏକ ଅନ୍ୟ ସହିତ ମିଶି ତିଳକ ଓ ଅଙ୍ଗର ଲେପନ ହୋଇ ତୋର ସେବା କରିବାଦ୍ୱାରା ମନକୁ ବୋଧ କରନ୍ତି । (ଅଞ୍ଜନ ଓ ସିନ୍ଦୁର ଲହୁଣୀରେ ମିଶି ତିଳକ ହୁଅନ୍ତି, କସ୍ତୁରୀ ଓ କର୍ପୂର ମିଶି ଅଙ୍ଗଲେପ ହୁଅନ୍ତି ) ।’’

୧୫ଶ ପଦ :- ବାରିକ-ପଦ୍ମ । ନିଳୟ-ଘର । ସୁଷମା-ଶୋଭା ।

୧୫ଶ ପଦ :- ‘‘ପଦ୍ମ ଲକ୍ଷ୍ମୀଙ୍କର ବାସସ୍ଥାନ ଅଟେ । ଯେ ହେତୁରୁ ତୁ ଶୋଭାଲକ୍ଷ୍ମୀ ବୋଲାଉଛୁ, ତେଣୁ ପଦ୍ମ ତୋର ବଦନ ଶୋଭାକୁ ସମ ନ ହୋଇ ତୋର ପଦତଳରେ ଶରଣ ପଶିଅଛି । ଅନ୍ୟ ନାରୀମାନଙ୍କୁ ପ୍ରଶଂସା କଲାବେଳେ ତାଙ୍କୁ ରମ୍ଭା ରତି ପ୍ରାୟ ବୋଲି ଉପମା ଦେଇଥାନ୍ତି । (ଏ ନାରୀ ରମ୍ଭା ପ୍ରାୟ ସୁନ୍ଦରୀ ବା ରତି ପରି ସୁନ୍ଦରୀ ବୋଲି କହିଥାନ୍ତି) । ହେ ବଲ୍ଲଭି ! ସେହି ରମ୍ଭା ଓ ରତି ଦୁହେଁ ତୋର ନଖକୋଣରେ ଶୋଭାରୁ ସାମାନ୍ୟ ମାତ୍ର ଲଭିବା ପାଇଁ ଭାବି ହେଉଛନ୍ତି ।’’

 

ବାରାଣସୀରେ ଶମ୍ଭୁ ସେବି ଲଭିଛ ବୋଲନ୍ତି ନୁହଇ କିଛି।

ବିପୁଳସ୍ତନ ସ୍ୱୟମ୍ଭୁ ଶମ୍ଭୁ ପ୍ରଭୁ ସେ ଶୋଭା ପରେ ହୋଇଛି।

ବୋଲନ୍ତି ତୋ ସଙ୍ଗ ମନାସି ବିନାଶିଥିଲି ଅଙ୍ଗ ଗଙ୍ଗାନୀରେ ।

ବତ୍ସରେ ସ୍ୱଚ୍ଛରେ ବିଳସିବା ହାରେ ସକଳରୂପେ ସେ ହାରେ। ୧୬ ।

 

ବଜ୍ରସିଂହକୁ ଜିଣିଛି ଅଛି ନାହିଁ ଦୁର୍ବଳକଟୀ ବାଦୀରେ।

ବହୁତ ପ୍ରଶଂସାକୁ ମନ୍ଦ ଉଦରେ ପାଏ ଯାହା ପ୍ରସାଦରେ।

ବହି କୃପା ତଥା ଅଜଗବ ଗର୍ବ ଭାଙ୍ଗିଥିଲୁଁ ଭ୍ରୁଭଙ୍ଗୀରେ ।

ବାମେ ଟେକି ତେଣୁ ସେ ଧନୁ ଭାଙ୍ଗିଲି ମୁଁ ଧନ୍ୟ ତୋର ସଙ୍ଗରେ। ୧୭ ।

 

ବିନତିଗର୍ଭ ଭାରତୀ ଶୁଣି ଭଣି ପ୍ରୀତିମତି ମନୋହାରୀ।

ବୃନ୍ଦାଅସୁରୀ ତୁଳସୀ କରି ହରି ଶିରେ ଘେନିଲାର ପରି।

ବିଧୁ ମହେଶରୁ ବଡ଼ ତ ନୁହଇ ସେ ମୁକୁଟ କଲା ପ୍ରାୟେ।

ବସୁଧାପରେ ଜନ୍ୟ ଧନ ! ସେ ରୂପେ ମୋଠାରେ ପ୍ରଭୁ ସଦୟେ। ୧୮ ।

 

ବୋଲାବୋଲି ହେଉଁ ସ୍ନେହ ବଚନ ସେ ବିଚିତ୍ର ରଜନୀ ମିଳି ।

ବିରଚାଇଲା ଯେ ରମଣୀରତନେ ଯତନେ ପୁରୁଷ କେଳି।

ବାଜିଲା ରସନା ବାଦ୍ୟ ମରଦଳ ମଧ୍ୟେ ବ୍ରହ୍ମଶିରୀ ଦେଇ।

ବୀଣାନାଦ ହୁଁ ହୁଁ କୃତ ଜାତ ବଶେ କଣ୍ଠ ନାରକ କରାଇ। ୧୯ ।

 

ବିଚଳିତ ରମ୍ଭା ଉରୁବଶୀ ରାମା ଚଞ୍ଚଳ ଶେଷ ଅଂଶୁକ ।

ବୃତ୍ର ଅନ୍ତକପରେ ତହିଁ ସନ୍ତକ କାଟିଲେ ଭୋଳ ରସିକ।

ବିଭାବରୀ ଅନ୍ତ କଲେ ନିତ୍ୟକୃତ୍ୟ ଚିତ୍ରକୂଟ କେଳି ଶେଷ।

ବିଂଶପଦେ ଛାନ୍ଦ ଉପଇନ୍ଦ୍ର ବୀରବର ରଚିବାରେ ତୋଷ। ୨୦ ।

 

୧୬ଶ ପଦ :- ‘‘ବାରଣାସୀରେ ମହାଦେବଙ୍କୁ ସେବି ତୋତେ ଲାଭ କରିଛି,- ମୁଁ ଏହା ବା କହନ୍ତି, ମାତ୍ର ତାହା ଠିକ୍‌ ନୁହେଁ । କାରଣ, ତୋର ସ୍ୱୟମ୍ଭୁ ଶମ୍ଭୁ ରୂପ ସ୍ତନର ଶୋଭା ସେ କାଶୀଶ୍ୱରଙ୍କ ଶୋଭା ଉପରେ ପ୍ରଭୁ ହୋଇଛି । [ସ୍ୱୟଂ କାଶୀଶ୍ୱର ତ ତୋ ସ୍ତନ ନିକଟରେ ତୁଚ୍ଛ, ତେଣୁ ତାଙ୍କୁ ସେବି ତେତେ ପାଇଛି-ଏକଥା କିପରି କହିବି ?] ତୋ ସଙ୍ଗ ପାଇବା ମାନସ କରି ଗଙ୍ଗା ଜଳରେ ମୋ ଦେହ ବିନାଶିଥିଲି-ଏହା ବା କହନ୍ତି; ମାତ୍ର ତାହା ମଧ୍ୟ ଭୁଲ । କାରଣ ତୋ ବକ୍ଷରେ ନିର୍ମଳ ଭାବରେ ବିହରୁ ଥିବା ହାର ଶୀତଳ, ନିର୍ମଳ ଓ ଶୁଭ୍ର ଗୁଣରେ ଗଙ୍ଗାକୁ ହରାଇଅଛି। [ନିକୃଷ୍ଟକୁ ସେବା କରି ଉତ୍କୃଷ୍ଟ ବସ୍ତୁପ୍ରାପ୍ତ ହେବା ଅସମ୍ଭବ] ।’’

୧୭ଶ ପଦ :- ‘‘ତୋହର କ୍ଷୀଣକଟୀ ବଜ୍ରକୁ କଠିନତାରେ ଓ ସିଂହକୁ କୃଶତାରେ ଜିଣିଅଛି । ତେଣୁ ତା ସହିତ ବିବାଦୀ ହେବାକୁ ଆଉକିଛି ଅଛି କି ? ଯେଉଁ କଟୀ ପ୍ରସାଦରୁ ଜଠରରେ ମନ୍ଦ ଶବ୍ଦ ମଧ୍ୟ ପ୍ରଶଂସା ପାଇଥାଏ, [ଯେଉଁ କ୍ଷୀଣକଟୀ ଯୋଗୁ ଉଦରର ପ୍ରଶଂସା କରି ମନ୍ଦୋଦରୀ ବା କ୍ଷୀଣୋଦରୀ କହିଥାନ୍ତି] ତା ପ୍ରସାନରୁ ଭଲ ଗୁଣ ବା କି ପ୍ରଶଂସା ନ ପାଇବ ? ମୋଠାରେ ଦୟା ପୂର୍ବକ କଟାକ୍ଷପାତ କରି ମୋର ବାମହସ୍ତରେ ହରଧନୁର ଗର୍ବ ତୁ ଭଗ୍ନ କରିଥିଲୁ (ମୁଁ ତୋର କଟାକ୍ଷପାତରେ ବଳୀ ହୋଇଥିବାରୁ ହରଧନୁ ବାମ ହସ୍ତରେ ଧରି ଭାଙ୍ଗିବାକୁ କ୍ଷମ ହୋଇଥିଲି) । ତେଣୁ ତୋ ସକାଶେ ମୁଁ ଧନ୍ୟ ହୋଇଅଛି ।’’

୧୮ଶ ପଦ :- ରାମଙ୍କର ବିନୟ ବଚନମାନ ଶୁଣି ଚିତ୍ତହାରିଣୀପ୍ରିୟା ସୀତା କହିଲେ, ‘‘ବିଷ୍ଣୁ ବୃନ୍ଦାବତୀ ଅସୁରୀକୁ (ବୃନ୍ଦାବତୀ ପ୍ରଥମେ ଜଳନ୍ଧର ଅସୁରର ସ୍ତ୍ରୀ ଥିଲେ) ତୁଳସୀ କରି ଶିରରେ ଘେନିଲା ପରି ଏ ହୋଇଛି । ମୁଁ ତୁମ୍ଭ ଅନୁଗ୍ରହରୁ ବଡ଼ ହୋଇ ତୁମ୍ଭ କହିବା ମୁତାବକ ଗୁଣମାନ ବହିଅଛି) । ଶିବଙ୍କଠାରୁ ଚନ୍ଦ୍ର ତ ବଡ଼ ନୁହେଁ, ସେ ଶିବ ଚନ୍ଦ୍ରଙ୍କୁ ମୁକୁଟ ପ୍ରାୟ ମସ୍ତକରେ ବହି ଅଛନ୍ତି । ସେହିପରି ମୁଁ ବସୁଧାରୁ ଜାତ ହୋଇଥିଲେ ସୁଦ୍ଧା ତୁମ୍ଭ ଯୋଗେ ଧନ୍ୟ ହୋଇଅଛି । (ଶିବ ଦୟାପୂର୍ବକ ଚନ୍ଦ୍ରଙ୍କୁ ଶରରେ ବହନ କରି ତାଙ୍କୁ ଧନ୍ୟ କଲା ପ୍ରାୟ ତୁମ୍ଭେ ଦୟାକରି ମୋତେ ଏପରି ବଡ଼ପଣ ଦେଇ ଧନ୍ୟ କରିଅଛ । ପ୍ରକୃତରେ ମୁଁ ଉପଯୁକ୍ତ ନୁହେଁ) ।

୧୯ଶ ପଦ :- ସେହି ରାମ ସୀତା ଦୁହେଁ ଏହିପରି ଅନୁରାଗ ମିଶା ବାଣୀ କଥାବାର୍ତ୍ତା ହେଉଁ ହେଉଁ ବିଚିତ୍ର ରାତ୍ରି ଆସି ପ୍ରବେଶିଲା । (ରାତ୍ରି ବିଚିତ୍ର କାହିଁକି ?) ସେ ରାତ୍ରି ରମଣରତ୍ନ ସୀତାଙ୍କଦ୍ୱାରା ଯତ୍ନ ପୂର୍ବକ ‘ପୁରୁଷ କେଳି’ ବିପରୀତ ରତି ବିରଚନ କଲା (ସ୍ତ୍ରୀ ପୁରୁଷୁର ନ୍ୟାୟ କେଳି କରିବାରୁ ରାତ୍ରି ବିଚିତ୍ର ହେଲା) । ପୁଣି କେଳିର ମଧ୍ୟଭାଗରେ ‘ବ୍ରହ୍ମଶିରୀ’ ହର ସମ୍ପତ୍ତି ପ୍ରଦାନ କଲା ଅର୍ଥାତ୍‌ ଦିଗମ୍ବର କରାଇଲା । ଦିଗମ୍ବର ମହାଦେବ ତାଣ୍ଡବ ନୃତ୍ୟ କଲାବେଳେ ସ୍ୱର୍ଗରେ ମର୍ଦ୍ଦଳ ବାଜେ ଓ ନାରଦ ବୀଣା ବାଦନ କରନ୍ତି, ସେହିପରି ବିପରୀତ ରତି ସମୟରେ ସୀତାଙ୍କର ରସନା (ଅଳଙ୍କାର ବିଶେଷ) ବାଦ୍ୟ ବାଜିବାରୁ ଓ ହୁଁ ହୁଁ କୃତ ବୀଣାଦାନ ଶୁଭିବାରୁ ସେ ରାତ୍ରି ‘ବ୍ରହ୍ମଶିରୀ’ ସ୍ୱର୍ଗ ସୁଖ ଦାନ କଲା ।

୨୦ଶ ପଦ :- ସ୍ୱର୍ଗରେ ରମ୍ଭା ଓ ଉର୍ବଶୀ ସ୍ୱର୍ଗବେଶ୍ୟା ଦୁହେଁ ନୃତ୍ୟକାଳରେ ବିଚଳିତ ହେବାରୁ ତାଙ୍କ ଲୁଗାର ପଣତ ଚଞ୍ଚଳ ହୋଇଥାଏ । ସେହିପରି ଏ ବିପରୀତ ରତି କାଳରେ ରମ୍ଭୋରୁ ସୀତା ନୃତ୍ୟ କଲା ପ୍ରାୟ ବିଚଳିତ ହେବାରୁ ବସନର ଶେଷ ମଧ୍ୟ ରହିଲା ନାହିଁ । ସେ ସମୟରେ ରସିକ ରାମଚନ୍ଦ୍ର ବିହ୍ୱଳରେ ଶମ୍ଭୁ ରୂପ ସୀତାଙ୍କ ବର୍ତ୍ତୁଳ ସ୍ତନଯୁଗଳରେ ଯେ ନଖକ୍ଷତ କାଟି ସନ୍ତକ ରଖିଲେ, ତାହା ଇନ୍ଦ୍ରଙ୍କ ଉପରେ ସନ୍ତକ କାଟିଲା ପ୍ରାୟ ହେଲା । (ରତି ସୁଖ ଯେ ଇନ୍ଦ୍ର ସୁଖରୁ ଉତ୍କୃଷ୍ଟତର, ତାହାର ସୂଚନା ରଖିବା ପାଇଁ ଏ ସନ୍ତକ କାଟିଲେ । ) ରାତ୍ରି ଶେଷରେ ନିତ୍ୟକର୍ମମାନ ଶେଷ କଲେ । ଏଠାରେ ଚିତ୍ରକୂଟ କେଳି ସମାପ୍ତ ହେଲା । କୋଡ଼ିଏ ପଦରେ ଏ ଛାନ୍ଦ ବୀରବର ଉପେନ୍ଦ୍ର ରଚନା କରି ତୋଷ ଲଭିଲେ ।

 

ଏକବିଂଶ ଛାନ୍ଦ

ରାଗ -ଦେଶାକ୍ଷ

 

ବିଦୂଷଣ ଗୀତ ସୁଜନେ ଶୁଣ

ବିଜ୍ଞାନୀ ଚିତ୍ରକୂଟ ଋଷିଗଣ।

ବିଷ୍ଣୁ କରି ଶ୍ରୀରାମଙ୍କୁ ନ ଚିହ୍ନି

ବିଚାରି ଏ ଭୟ ରାକ୍ଷସ ଘେନି।

ବିନାଶେ ଆମ୍ଭ ଧନ୍ୱୀ ପୋଷିତ

ବୋଲାବୋଲି ହୋଇ ଛାଡ଼ୁଁ ପର୍ବତ। ୧।

ବିବେକୀବର ଶୁଣି ଥାଅ ଭାଷି

ବାଳୀ ଭ୍ରାତ ଘେନି ଦଣ୍ଡକେ ପଶି।

ବରଷାରେ ରସା ତେଜି ମାନସ

ବରଟା ସଖା ସଙ୍ଗେ ଘେନି ହଂସ।

ବନଜନାଳ ସମ୍ବଳ କରି

ବାଣ ଶରାସନ ତେସନ ପରି। ୨ ।

ବୀରାଧିବୀର କେତେ ଦୂର ଚଳେ

ବିରାଧ ଆସୁଛି ଧରିଣ ଶୂଳେ।

ବରାହ ହରିଣ ଗୁନ୍ଥିଛି ତହିଁ

ବହିବା ରକତ ଦେଉଛି ଲେହି ।

ବିସ୍ତାରୁଁ ତୁଣ୍ଡ ଏମନ୍ତ ଦିଶି

ବିଳେ କି କର ଯାଏ ପଶି। ୩ ।

ବିଧିରେ ପଲାଶ ରୁଧିର ସଞ୍ଚା

ବିକଶିଲା ପୁଷ୍ପ ପରାୟେ ପଞ୍ଚା।

ବାହୁ ଶଖାରେ ହୋଇଛି ଦୀପିତ

ବିଗଳିତ ଝାଳ ମଧୁ ସଂଜାତ।

ବୁଲାଇ ଡ଼ୋଳା ଦେଉଛି ଚାହିଁ

ବିଶେଷ ଭୃଙ୍ଗ ଚକ୍ରଗତି ବିହି । ୪ ।

ବିଲୋକିଲା ସେହି ତିନିଜଣଙ୍କୁ

ବିଚାରମାନ ଆଣିଲା ମନକୁ।

ବେନିତୀରେ ଚମ୍ପା ତମାଳ ତରୁ

ବିକଚପୁଷ୍ପେ କେ ପତ୍ରେ କେ ଚାରୁ।

ବହୁଛି ମଧ୍ୟେ ଲାବଣ୍ୟ ସର

ବାରିଜ କୁମୁଦ କହ୍ଲାରେ ସାର। ୫ ।

 

୧ମ ପଦ :- ଧନୀ-ଧନୁର୍ଦ୍ଧର ।

୧ମ ଓ ୨ୟ ପଦ :- ହେ ସାଧୁଜନମାନେ ! ଦୋଷଶୂନ୍ୟ ଏ ଗୀତକୁ ଶ୍ରବଣ କର। ଚିତ୍ରକୂଟ ପର୍ବତରେ ଥିବା ଅଜ୍ଞାନୀ ଋଷିମାନେ ଶ୍ରୀରାମଙ୍କୁ ବିଷ୍ଣୁ ବୋଲି ଚିହ୍ନି ପାରିଲେ ନାହିଁ । ସେ ଭୟ ପାଇ ବିଚାର କଲେ, ‘‘ରାକ୍ଷସମାନେ ମନେ କରିବେ, ଆମ୍ଭର ବିନାଶ ପାଇଁ ଋଷିମାନେ ଆଣି ଏ ଧନୁର୍ଦ୍ଧାରୀ ଦୁଇ ବୀରଙ୍କୁ ପୋଷିଅଛନ୍ତି (ରାକ୍ଷସମାନେ ଏହା ବିଚାରି ଆମ୍ଭଙ୍କୁ ମାରିବେ) । ଏହି ପରି ପରସ୍ପର କୁହାକୋହି ହୋଇ ଚିତ୍ରକୂଟ ପର୍ବତ ଛାଡ଼ି ଯିବାକୁ ବାହାରନ୍ତେ, ବିବେକୀବର ରାମଚନ୍ଦ୍ର ତାହା ଜାଣିପାରି କହିଲେ, ‘‘ତୁମ୍ଭେ ଥାଅ (ଚିତ୍ରକୁଟ ଛାଡ଼ି ତୁମ୍ଭେ ଯାଅ ନାହିଁ । ) ତତ୍ପରେ ସୀତାଓ ଭାଇ ଲକ୍ଷ୍ମଣଙ୍କୁ ସଙ୍ଗରେ ନେଇ ଚିତ୍ରକୂଟ ଛାଡ଼ି ଯାଇ ଦଣ୍ଡକାରଣ୍ୟରେ ପ୍ରବେଶ କଲେ । ଯେପରି ବର୍ଷାକଳାରେ ହଂସ ଓ ହଂସୀ ପୃଥୀବୀକୁ ଛାଡ଼ି ସାଙ୍ଗ ସାଥୀମାନଙ୍କୁ ସଙ୍ଗରେ ଧରି ପଦ୍ମନାଡ଼କୁ ପାଥେୟ ସ୍ୱରୂପ ନେଇ ମାନସରୋବରରେ ପଶେ, ସେହିପରି ରାମ ଓ ସୀତା ଚିତ୍ରକୂଟ ତ୍ୟାଗକରି ଲକ୍ଷ୍ମଣକୁ ସାଙ୍ଗରେ ନେଇ ଧନୁବାଣକୁ ସମ୍ବଳ କରି ଦଣ୍ଡକାରଣ୍ୟରେ ପହଞ୍ଚିଲେ। ପଥରେ ବଳ ଦେଇ ସବୁ ବିପଦରୁ ରକ୍ଷା କରିବ ବୋଲି ଧନୁବାଣ ସମ୍ବଳ ହୋଇଅଛି) ।

୩ୟ ପଦ :- ବୀରାଧିବୀର-ବୀରଶ୍ରେଷ୍ଠ । ଲେହି-ଚାଟି । ଭାନୁ-ସୁର୍ଯ୍ୟ । କର-କିରଣ ।

୩ୟ ପଦ :- ବୀରଶ୍ରେଷ୍ଠ ରାମଚନ୍ଦ୍ର ସେଠାରୁ କିଛି ଦୂର ଚଳିଯାନ୍ତେ ଦେଖିଲେ, ବିରାଧ ନାମକ ରାକ୍ଷସ ଗୋଟାଏ ଶୂଳ ଧରି ଆସୁଅଛି । ସେ ଶୂଳରେ ସେ ରାକ୍ଷସ ବରାହ ମୃଗ ପ୍ରଭୃତି ପଶୁମାନଙ୍କୁ ଗୁନ୍ଥିଛି ଓ ପଶୁମାନଠାରୁ ବୋହି ପଡ଼ୁଥିବା ରକ୍ତକୁ ଚାଟି ପକାଉଛି । ସେ ରକ୍ଷାସ ପାଟି ବିସ୍ତାର କଲାବେଳେ ଗୁହାରେ ସୂର୍ଯ୍ୟକିରଣ ପଶିଗଲା ପ୍ରାୟ ଦେଖାଉଛି ।

୪ର୍ଥ ପଦ :- ପଲାଶ-ରାକ୍ଷସ, ପଲାସଗଛ । ଭୃଙ୍ଗ-ଭ୍ରମର ।

୪ର୍ଥ ପଦ :- ସେ ରାକ୍ଷସ ପ୍ରକୃତରେ ଗୋଟାଏ ପଲାଶ ବୃକ୍ଷପରି ହୋଇଅଛି । ତା ଦେହରେ ଲାଗିଥିବା ରକ୍ତଚିହ୍ନସବୁ ପଲାଶ ବୃକ୍ଷରେ ଫୁଲ ଫୁଟିଲା ପ୍ରାୟ ଦେଖାଯାଉଅଛି । ତାହାର ବାହୁଦ୍ୱୟ ଡାଳରୂପେ ଶୋଭା ପାଉଅଛି ଓ ଦେହରୁ ବହୁଥିବା ଝାଳ ମହୁ ପରି ବୋଧ ହେଉଅଛି । ସେ ରାକ୍ଷସ ଡୋଳା ବୁଲାଇ ଚାହିଁ ଦେଲାବେଳେ, ଭ୍ରମର ଚକ୍ରାକାର ଗତିକଲା ପରି ଜଣାଯାଉଅଛି । (ରାକ୍ଷସ ରୂପ ପଲାଶ ବୃକ୍ଷର ରକ୍ତ ଚିହ୍ନ ରୂପ ପୁଷ୍ପରୁ ସ୍ରବୁଥିବା ଝାଳ ରୁପ ମହୁ ପାନ ନିମନ୍ତେ ଡୋଳାରୂପ ଭ୍ରମର ଚକ୍ରାକାରରେ ଭ୍ରମୁ ଅଛି କି ?

୫ମ ପଦ :- ବିକଚ-ପ୍ରଷ୍ଫୁଟିତ । ସର-ଜଳ । ବାରିଜ-ପଦ୍ମ । କହ୍ଲାର-ଶ୍ୱେତପଦ୍ମ ।

୫ମ ପଦ :- ସେ ବିରାଧ ରାକ୍ଷସ ରାମ, ଲକ୍ଷ୍ମଣ ଓ ସୀତା, ଏ ତିନିଜଣଙ୍କୁ ଦେଖି ମନରେ ବିଚାର କଲା, ଏକ ପାଖରେ ପ୍ରଷ୍ଫୁଟିତ ପୁଷ୍ପ ଶୋଭିତ ଚମ୍ପା ବୃକ୍ଷ ଓ ଅନ୍ୟ ପାଖରେ ମନୋହର ପତ୍ର ଶୋଭିତ ତମାଳ ବୃକ୍ଷ ବିରଜୁ ଅଛି ଏବଂ ମଧ୍ୟ ଭାଗରେ ମନୋରମ ଜଳପ୍ରବାହ ବହୁଅଛି । ସେହି ମନୋରମ ଜଳ ପ୍ରବାହ ଫୁଟିଥିବା ପଦ୍ମ, ନୀଳ କଇଁ ଓ କହ୍ଲାର ପୁଷ୍ପ ଯୋଗେ ଶ୍ରେଶ୍ଠତ୍ୱ ଲାଭ କରିଅଛି । (ଏଠାରେ ରାମଚନ୍ଦ୍ର ମନୋହର ତମାଳ ବୃକ୍ଷ ଓ ଲକ୍ଷ୍ମଣ ପୁଷ୍ପିତ ଚମ୍ପକ ବୃକ୍ଷରୂପେ କଳ୍ପିତ ହୋଇଅଛନ୍ତି । ଦୁହେଁ ଦୁଇ କଡ଼ରେ ଓ ସୀତା ମଧ୍ୟରେ ଥିବାରୁ ସୀତା ବୃକ୍ଷ ଶୋଭିତ ଦୁଇ ତଟରେ ମଧ୍ୟରେ ଥିବା ଲାବଣ୍ୟ ଜଳପ୍ରବାହରୂପେ ଗତି କରୁଅଛନ୍ତି । ଜଳପ୍ରବାହରେ ପଦ୍ମ ଫୁଟିଲା ପରି ସୀତାଙ୍କର ମୁଖପଦ୍ମ ଫୁଟିଲା ପରି ସୀତାଙ୍କର ମୁଖପଦ୍ମ ମନୋହର, ନୀଳୋତ୍ପନ ପ୍ରାୟ ସୀତାଙ୍କ ନୟନଯୁଗଳେ ଢଳଢ଼ଳ ଓ କହ୍ଲାର ପରି ନଖପନ୍ତି ସବୁ ଶୁଭ୍ର ହୋଇଅଛି) ।

 

ବାତେ ଚଳୁଅଛି ନୀଳଉତ୍ପଳ

ବୀଚି ଭୃଙ୍ଗାଳିରେ କି ମହୋଜ୍ଜ୍ୱଳ ।

ବିହାର କରୁଛି ମତ୍ତମରାଳୀ

ବୃତ ଶଇବାଳେ କମଳକଳି ।

ବିଲୋଳ ଘନରସ ପୂରିତ

ବିତର୍କ ସର୍ବ ଶ୍ଳେଷ ଏତେ ମାତ୍ର। ୬ ।

ବିକ୍ରମି କରୁଁ ନିକଟକୁ ଗତି

ବିଗ୍ରହବନ୍ତ ଦରଶନେ ଚିନ୍ତି।

ବରାକ ନେତ୍ରେ କାମ ଜଳିଗଲା

ବୃଷ୍ଟିସୁଧା ଇନ୍ଦ୍ର ଅସ୍ଥିରେ କଲା ।

ବସନ୍ତ ସଙ୍ଗୀରହିସ୍ୱରୂପ

ବଂଶ ଲୋହ ପୁଷ୍ପ କମାଣ ରୋପ। ୭ ।

ବ୍ରହ୍ମାଣ୍ଡେ ଏକ ସୁନ୍ଦରୀ ଏ ରତି

ବିନା ଏଡ଼େ ଶୋଭା କେଉଁ ଯୁବତୀ ।

ବଳେ ନେଇଥିଲା ଶମ୍ବରପୁରୀ

ବିବାଦେ ଜିଣି କି କରିଛି ଚୋରୀ ।

ବିବେକ ଏହି ଚୋରୀ ପ୍ରମାଣ

ବନେ ପଶେ ଘେନି ଜଟାଧାରଣ । ୮ ।

ବେନି ପୁରୁଷ ଅସ୍ଥି ସହ କରି

ବଧି ଭକ୍ଷିବି ଅଗସ୍ତି ସୁମରି ।

ବିଜିର୍ଣ୍ଣ ହେଲେ ଜୀର୍ଣ୍ଣ କରିଦେବି

ବୃଷ୍ଟିସୁଧା ପିଇ ଅମର ହେବି।

ବନିତାମଣି ସ୍ଥିର ଯୌବନୀ

ବିପିନେ ବିହରିବି ଏହା ଘେନି। ୯ ।

ବାସାଙ୍ଗେ ଜିଣେ ପାରିଜାତକକୁ

ବୋଲିବି ଯୋଜନଗନ୍ଧା ଏହାକୁ।

ବିଲୋପ କରି ଦେବି ରତିନାମ

ବାଦେ ଜିଣିମାକୁ କେ ମୋତେ କ୍ଷମ।

ବିଚାରି ରାମ ଲକ୍ଷ୍ମଣ ଧରି

ବହି ବେନିସ୍କନ୍ଧେ ଗମନ କରି। ୧୦ ।

 

୬ଷ୍ଠ ପଦ :- ବୀଚି-ଲହରୀ । ଭୃଙ୍ଗାଳି-ଭ୍ରମରସମୂହ । ମରାଳୀ-ହଂସୀ। ବିଲୋଳ-ଚଞ୍ଚଳ । ଘନରସ-ବହୁଜଳ, ଶୃଙ୍ଗାର ରସ ।

୬ଷ୍ଠ ପଦ :- ପବନ ଯୋଗରେ ନୀଳୋତ୍ପଳ ଦୋହଲିବା ପ୍ରାୟ ସୀତାଙ୍କର ନୟନ ଯୁଗଳ ଢଳଢଳ ହେଉଅଛି । ତାହାଙ୍କର ବାହୁଯୁଗଳ ଲହରୀ ସଦୃଶ ଆନ୍ଦୋଳିତ ହେଉଅଛି ଓ ପଦ୍ମ ଉପରେ ଭ୍ରମରସବୁ ବସି ଶୋଭା ପାଇଲାପରି ସୀତାଙ୍କ ମୁଖପଦ୍ମ ଉପରେ ଥିବା କୁଞ୍ଚିତ କୁନ୍ତଳ ସବୁ ଦେଖାଯାଉଅଛି । ତାହାଙ୍କର ଗତି ମତ୍ତହଂସୀର ଗମନ ତୁଲ୍ୟ ହୋଇଅଛି । ପଦ୍ମକଢ଼ି ତୁଲ୍ୟ ସ୍ତନଦ୍ୱୟ ଶୈବାଳ ରୂପ ବସ୍ତ୍ରଦ୍ୱାରା ଆଚ୍ଛାଦିତ ହୋଇ ସୁନ୍ଦର ଦେଖାଯାଉଅଛି । ଚଞ୍ଚଳ ପ୍ରବାହ ଜଳରେ ପୂର୍ଣ୍ଣ ହେଲାପ୍ରାୟ ସୀତା ନିବିଡ଼ ଶୃଙ୍ଗାର ରସରେ ପୂର୍ଣ୍ଣ ହୋଇଅଛନ୍ତି । ବିରାଧ ରାକ୍ଷସ ତାଙ୍କୁ ଦେଖି ଏହିପରି ଶ୍ଲେଷଭାବରେ ମନରେ ବିଚାର କଲା ।

୭ମ ପଦ :- ବିଗ୍ରହବନ୍ତ-ଦେହବନ୍ତ । ବରାକ-ମହେଦେବ । ପୁଷ୍ପକମାଣ- ଫୁଲଧନୁ ।

୭ମ ପଦ :- ତତ୍ପରେ ସେ ରାକ୍ଷସ ପାଦ ନିକ୍ଷେପ କରି ତାଙ୍କ ନିକଟକୁ ଗଲା ଓ ଦେହଧାରୀ ତିନିମୂର୍ତ୍ତିଙ୍କୁ ଦେଖି ମନରେ ଚିନ୍ତା କଲା, ‘‘ଶଙ୍କରଙ୍କ ନେତ୍ରପାତ ଯୋଗେ କନ୍ଦର୍ପ ଜଳି ଯାଇଥିଲା । ତାହାର ଅସ୍ଥିରେ ଇନ୍ଦ୍ର ଅମୃତ ବୃଷ୍ଟି କରିବାରୁ ବୋଧହୁଏ ସେ କନ୍ଦର୍ପ ନିଜ ରୂପକୁ ଧରି ତାହାର ସଖା ବସନ୍ତକୁ ଓ ସ୍ତ୍ରୀ ସଙ୍ଗରେ ଘେନି ଆସୁଅଛି । ପୁଣି ସେ କୁସୁମଧନୁ ଓ ଫୁଲଶର ଛାଡ଼ି ବାଉଁଶଧନୁ ଓ ଲୁହାଶରକୁ ଧରିଅଛି ।’’

୮ମ ପଦ :- ‘‘ ଏ ସ୍ତ୍ରୀ ବ୍ରହ୍ମାଣ୍ଡରେ ମଧ୍ୟରେ ଏକମାତ୍ର ସୁନ୍ଦରୀ ରତିଦେବୀ । ତାହା ବିନା ଏଡ଼େ ସୁନ୍ଦରୀ ଆଉ କେଉଁ ସ୍ତ୍ରୀ ବା ହେବ ? ବଳାତ୍କାରରେ ଶମ୍ବରାସୁର ଏହାକୁ ନିଜ ପୁରମଧ୍ୟକୁ ନେଇଥିଲା । ଏ କନ୍ଦର୍ପ ତା ସହିତ ବିବାଦ କରି କିମ୍ବା ଚୋରାଇ ସୁନ୍ଦରୀକୁ ଆଣିଅଛି । ଏ ଯେତେବେଳେ ଜଟା ଧାରଣ କରି ବନ ମଧ୍ୟରେ ଲୁଚି ବୁଲୁଅଛି, ସେଥିରେ ମନେହେଉଛି ଯେ, ଏ ନିଶ୍ଚୟ ଚୋରି କରି ଆଣିଅଛି । [ଯୁଦ୍ଧରେ ଜୟ କରି ଆଣିଥିଲେ ବନରେ ଲୁଚି ଲୁଚି ବୁଲନ୍ତା କାହିଁକି] ?’’

୯ମ ପଦ :- ‘‘ଏ ଦୁଇ ପୁରୁଷଙ୍କୁ ମାରି ହାଡ଼ ସହିତ ଖାଇବି ଓ ଅଜୀର୍ଣ୍ଣ ହେଲେ ଅଗସ୍ତି ମୁନିଙ୍କୁ ସ୍ମରଣା କରି ଜୀର୍ଣ୍ଣ କରିଦେବି । ପୂର୍ବେ ବୃଷ୍ଟି ହୋଇଥିବା ଅମୃତ [କନ୍ଦର୍ପର ଅସ୍ଥିର ଇନ୍ଦ୍ର ଅମୃତ ବୃଷ୍ଟି କରିବାରୁ ଏ ପୁରୁଷ ଜୀବନ ପାଇଅଛି, ସେହି ଅସ୍ଥିରେ ପଡ଼ିଥିବା ଅମୃତ] ପାନ କରି ମୁଁ ଅମର ହେବି ଓ ଏହି ଚିରଯୌବନା ସ୍ତ୍ରୀରତ୍ନକୁ ନେଇ ବନରେ ବିହାର କରିବି ।’’

୧୦ମ ପଦ :- ବାସାଙ୍ଗେ-ଦେହ ସୌରଭରେ ।

୧୦ମ ପଦ :- ‘‘ଏ ସ୍ତ୍ରୀର ଅଙ୍ଗସୌରଭ ପାରିଜାତ ପୁଷ୍ପର ସୌରଭକୁ ଜିଣିଅଛି, ତେଣୁ ଏହାକୁ ଯୋଜନାଗନ୍ଧା କହି ଡାକିବି । ଏହାର ରତି ନାମକୁ ଲୁଚାଇ ଦେବି । ମୋତେ ବିବାଦରେ ଜିଣିବାକୁ ସମର୍ଥ କିଏ ଅଛି ? [ମୋତେ ବିବାଦରେ କେହି ଜିଣି ପାରିବେ ନାହିଁ ] ।’’ ଏହିପରି ବିଚାର କରି ସେ ରାମ ଲକ୍ଷ୍ମଣ ଦୁହିଁଙ୍କି ଦୁଇ କାନ୍ଧରେ ବସାଇ ନେଇଗଲା ।

 

ବତାସ ବୃକ୍ଷ ଉତ୍ପାଟି ଉଡ଼ାଇ

ବଲ୍ଲରୀକି ଯଥା ପ୍ରକମ୍ପ ଦେଇ।

ବର୍ଦ୍ଧମାନ ଏହି ଲକ୍ଷ ସେଠାରେ

ବାରି ପୁଣ ସୀତା ନୟନୁ ଝରେ।

ବମନ ମୋତିପନ୍ତି କି କରେ

ବିନିମିଷୁଁ ଝସ ଉପମା ଧରେ। ୧୧ ।

ବିଚିତ୍ର ହେଲା ବିଚିତ୍ର ହେବାରୁ

ରହିଲା ତୃଣାଙ୍କୁର ଯେଣୁ ମେରୁ।

ବାର ପଛେ ଯଥା ହଂସୀ ଗୋଡ଼ାଇ

ବିଧିରେ ଯଥା ମାଗଧ ବିନ୍ଧଇ।

ବିକଳ ଶୁଣି ସୋଦର ଦୁଇ

ବାଳ ଧରି ଡ଼େଇଁ ଲୋଟାଇମହୀ । ୧୨ ।

ବିଲୋମ ଲୋମ ଗତାଗତ ବଶେ

ବିରୋଧ ବଧ ଖ୍ୟତଖାତତ୍ରୋଶେ ।

ବିମାନେ ସ୍ୱର୍ଗ ସ୍ତୁତି ଦିବ୍ୟରୂପେ

ବନ୍ଦନା କଲେ ବିବୁଧକଳାପେ ।

ବୈଦେହୀ ମହାସନ୍ତୋଷ ହେଲେ

ବୃକ୍ଷକ ମୂଳେ ସେ ଦିନ ରହିଲେ। ୧୩ ।

ବିଧିରେ ପୂର୍ବରୁ ହରି ହରିଣୀ

ବିଭୀତେ ସେହି ଲକ୍ଷ୍ମଣାକୁ ଆଣି ।

ବନେ ସବୁଦିନେ ସିନା ଶୟନ

ବନେ ହରିଲେ ଦିନ ନୋହି ଦୀନ।

ବିଶ୍ୱରେ ଖ୍ୟାତ ସୁବର୍ଣ୍ଣରୂପେ

ବନ୍ଦେଗତିବଶେ ଦ୍ୱିଜେତପୁଷ୍ପେ। ୧୪ ।

ବିଭାତ ସହଜେ ଅତି ରଞ୍ଜନ

ବାୟୁସଖାରେ ହୁଅଇ ପୂଜନ ।

ବାଜଇ ସୀତାର ନୂପୁର ଘଣ୍ଟି

ବଶେ ମୃଗବର୍ଗ ପାଶେ ପ୍ରକଟି।

ବିଗତ ଭୟ ଦେଖି ସ୍ଥକିତ

ବର୍ଦ୍ଧକୀ ବନ୍ଧନେ ଗଢ଼ିଲା ବତ। ୧୫ ।

 

୧୧ଶ ପଦ :- ବଲ୍ଲରୀ-ଲତା । ବମନ-ବାନ୍ତି । ବିନିମିଷୁଁ-ପଲକ ନ ପଡ଼ିବାରୁ ।

୧୧ଶ ପଦ :- ପ୍ରବଳ ପବନ ବୃକ୍ଷକୁ ଉପାଡ଼ି ଉଡ଼ାଇ ନେଲାବେଳେ ବୃକ୍ଷର ଆଶ୍ରିତ ଲତାକୁ ପ୍ରକମ୍ପିତ କରିବା ଉପମା ଏଠାରେ ବର୍ଦ୍ଧମାନ ହେଲା । (ସେ ରାକ୍ଷସ ରାମଲକ୍ଷ୍ମଣଙ୍କୁ କନ୍ଧରେ ବହି ଉଡ଼ାଇ ନେଇଯିବାରୁ ସୀତା ଭୟରେ କମ୍ପିବାକୁ ଲାଗିଲେ) ପୁଣି ସୀତା ନିର୍ନିମେଷ ନେତ୍ରରୁ ଲୁହ ବିନ୍ଦୁ ଝରିଲା ତା ଦେଖି ମୀନ ମୋତିପନ୍ତି ବମନ କରୁଛି କି ?

୧୨ଶ ପଦ :- ବାର-ଘୋଡ଼ା । ମାଗଧ-ଭାଟ ।

୧୨ଶ ପଦ :- ଯେଣୁ ତୃଣାଙ୍କୁର ସଦୃଶ ବିରାଧ ରାକ୍ଷସ ମେରୁ ପର୍ବତ ତୁଲ୍ୟ ରାମ ଲକ୍ଷ୍ମଣଙ୍କୁ ବହନ କରି ବିଚିତ୍ର ଘଟଣା ଘଟାଇ ଦେଲା, ସେହି ହେତୁରୁ ମୀନ ମୋତି ବମନ କରିବା ରୂପ ବିଚିତ୍ର ଦୃଶ୍ୟ ଦେଖାଗଲା । ତତ୍ପରେ ସୀତା ଘୋଟକ ପଛରେ ହଂସୀ ଗୋଡ଼ାଇଲା ପ୍ରାୟ ରାକ୍ଷସ ପଛରେ ଗୋଡ଼ାଇଲେ ଓ ବଧିର ଆଗରେ ଭାଟ ସ୍ତୁତିପାଠ କଲା ପରି ରାକ୍ଷସକୁ ବହୁତ ଅନୁନୟ ବିନୟ କଲେ । (ଯେତେ ସ୍ତୁତି ପାଠକଲେ ସୁଦ୍ଧା ବଧିର ଯେପରି ନ ଶୁଣେ, ରାକ୍ଷସ ସେହିପରି ସୀତାଙ୍କ ଅନୁନୟ ବିନୟ ଶୁଣିଲା ନାହିଁ) । ରାମ ଲକ୍ଷ୍ମଣ ଦୁଇ ଭାଇ ସୀତାଙ୍କ ବିକଳ କ୍ରନ୍ଦନ ଶୁଣି ରାକ୍ଷସର କେଶ ଧରି କନ୍ଧରୁ ଡେଇଁପଡ଼ି ତାକୁ ଭୂମିରେ ଗଡ଼ାଇ ଦେଲେ ।

୧୩ଶ ପଦ :- ସେ ଦୁଇଭାଇ ବିରାଧକୁ ଏଣିକି ତେଣିକି ଘୋଷରା ଘୋଷରି କରିବାଦ୍ୱାରା ସେ ବଧ ହେଲା । ସେଠାରେ କ୍ରୋଶକ ପର୍ଯ୍ୟନ୍ତ ଖାଲ ହୋଇ ଯିବାରୁ ତାହା ବିରାଧ ଖ୍ୟାତ ନାମରେ ପ୍ରସିଦ୍ଧି ପାଇଲା । ରାକ୍ଷସ ଦିବ୍ୟରୂପ ଧରି ବିମାନରେ ବସି ରାମ ଲକ୍ଷ୍ମଣଙ୍କୁ ସ୍ତୁତିକରି ସ୍ୱର୍ଗପୁରକୁ ଗଲା । ଅନନ୍ତର ଦେବତାମାନେ ରାମ ଲକ୍ଷ୍ମଣଙ୍କୁ ବନ୍ଦନା କଲେ । ବିରାଧର ମୃତ୍ୟୁରେ ବୈଦେହୀ ଆନନ୍ଦିତା ହେଲେ । ସେ ଦିନ ଗୋଟିଏ ବୃକ୍ଷ ମୂଳରେ ସେ ତିନିଜଣ ରହିଲେ ।

୧୪ଶ ପଦ :- ହରି-ନାରାୟଣ, ସିଂହ । ହରିଣୀ-ସିଂହୀ, ଲକ୍ଷ୍ମୀ । ବନେ-ଜଳରେ, ଅରଣ୍ୟରେ । ଦ୍ୱିଜେ-ବ୍ରାହ୍ମଣମାନେ, ପକ୍ଷୀସମୂହ ।

୧୪ଶ ପଦ :- ରାମ ଓ ସୀତା ପୂର୍ବଜନ୍ମରେ ‘ହରି ହରିଣୀ’ ନାରାୟଣ ଲକ୍ଷ୍ମୀଙ୍କ ପରି (ଲକ୍ଷ୍ମୀ ନାରାୟଣ ନିର୍ଭୟରେ ସମୁଦ୍ର ଜଳରେ ଅନନ୍ତ ଶୟନ କଲା ପରି) ନିର୍ଭୟରେ ସେହି ଲକ୍ଷ୍ମଣକୁ କହିଲେ ଅର୍ଥାତ୍‌ ‘ହରି ହରିଣୀ’ ସିଂହ ସିଂହୀ ନିର୍ଭୟରେ ବନରେ ଭ୍ରମଣ କଲା ପ୍ରାୟ ରାମ ସୀତା ନିର୍ଭୀକ ଚିତ୍ତରେ ସେ ବନରେ ବିହାର କଲେ । ପୂର୍ବେ ସବୁଦିନେ ସିନା ଜଳରେ ଶୟନ କରୁଥିଲେ, ଏବେ ବନରେ ଦୁଃଖ ଅନୁଭବ ନ କରି ମଧ୍ୟ ଦିନ କଟାଇଲେ । ସଂସାରରେ ସୁବର୍ଣ୍ଣମୟୀ ପ୍ରତିମାଙ୍କୁ ବ୍ରାହ୍ମଣମାନେ ଗତି ମୁକ୍ତି ପାଇବାପାଇଁ ପୁଷ୍ପ ପ୍ରଦାନ କରି ପୂଜା କରିଥାନ୍ତି । ସେହିପରି ହଂସପକ୍ଷୀମାନେ ମନ୍ଦଗମନ ହେତୁ ସ୍ୱର୍ଣ୍ଣ ପ୍ରତିମା ସୀତାଙ୍କୁ ପୂଜା କରୁଅଛନ୍ତି । ଅନ୍ୟାର୍ଥ-ସୀତା ଗମନ ହେତୁ ପାଦ ପକେଇଲାବେଳେ ହଂସମାନେ ଓ ପଦ୍ମପୁଷ୍ପମାନେ ସେ ଗମନକୁ ଓ ପାଦକୁ ସମାନ ନ ହେବାରୁ ବନ୍ଦନା କରୁଅଛନ୍ତି ।

୧୫ଶ ପଦ :- ବାୟୁସଖା-ଅଗ୍ନି ।

୧୫ଶ ପଦ :- ରାମ ଲକ୍ଷ୍ମଣଙ୍କର ତେଜ ଅତି ଉଜ୍ଜ୍ୱଳ ହୋଇଥିବାରୁ ଅଗ୍ନିଦ୍ୱାରା ପୂଜିତ ହୁଏ । (ଅଗ୍ନିଠାରୁ ଅଧିକ ତେଜ ହେତୁରୁ ଅଗ୍ନି ପୂଜା କରେ) । ସୀତାଙ୍କର ନୂପୁର ଘଣ୍ଟି ପ୍ରାୟ ଶବ୍ଦ କରେ । ରାମଲକ୍ଷ୍ମଣଙ୍କ ତେଜ ରୂପ ଅଗ୍ନି ଦେଖି ଓ ସୀତାଙ୍କ ନୂପୁର ଘଣ୍ଟି ଶବ୍ଦ ଶୁଣି ମୃଗମାନେ ବଶ ହୋଇ ଆସି ନିର୍ଭୟ ଚିତ୍ତରେ ପାଖରେ ମିଳିଲେ ଓ ରାମ ପ୍ରଭୃତିଙ୍କୁ ଦେଖି ବଢ଼ାଇ ନିର୍ମିତ କାଷ୍ଠ ପିତୁକା ପ୍ରାୟ ସ୍ଥିର ଭାବରେ ଠିଆ ହେଲେ ।

 

ବକୁଳ ଅଶୋକ କଦମ୍ବ ଝିଣ୍ଟି

ବିକଶି କୁସୁମ ଗନ୍ଧ ଚହଟି।

ବାମା ବାମପାଦ ଲାଗି ଗମନେ

ବିଟିକାଶେଷ ପାନର ପତନେ ।

ବିଷୋଉଁ ପଥେ କୋଳ ରଚନେ

ବହୁ ସଖୀ ନାମ ସ୍ନେହ ଚୁମ୍ବନେ। ୧୬ ।

ବିଳସେ ଅଳିଆବ କାଳିନନେ

ବୋଧ ତ୍ରିକାଳଫୁଲ ମଧୁପାନେ ।

ବାଞ୍ଛାକଳ୍ପତରୁ ବାନ୍ଧବୀ ନିଶ୍ଚେ

ବିବିଧ ଫଳଗର୍ଭ ଦାନ ସଞ୍ଚେ।

ବେଭାରେ ମଧୁସୂଦନ ସେହି

ବଞ୍ଚନ୍ତି କାଳକୁ ବିନୋଦ ବିହି । ୧୭ ।

ବିଖ୍ୟାତ ଅନନ୍ତ କୀରତିମାନ

ବିନାଶନରେ ଅନୁଜ ସୁମନ।

ବିନିଦ୍ରବିଯୋଗୀ ଦୀକ୍ଷାରୁ କରି

ବାସର ନିଶା ନିତି ନିତି ହରି।

ବସୁଧା ନ କଲେ ପିଶାଚୀହୀନ

ବୋଲନ୍ତି ଯେଣୁ ପତିତ ପାବନ। ୧୮ ।

ବାଳା ସ୍ନେହ ସରସ୍ୱତୀକି ପାଳି

ବହନ ସରସ୍ୱତୀରେ ସେ ମିଳି।

ବାଶିଷ୍ଠୀ ବାସୀସୁବାସୀ ସଙ୍ଗେ

ବିଧୌତକବରୀ କାବେରୀ ଭଙ୍ଗେ। ୧୯ ।

ବିହରି ନର୍ମଦା ଘେନି ନର୍ମଦା

ବାହୁଦା ପ୍ଲବନେ କାନ୍ତ ବାହୁଦା।

ବୁଡ଼ି ହଂସପରି ହଂସଜାନୀରେ

ବାରେ ଗମନ ପ୍ରଚାରି ରେବାରେ।

ବିକାଶୀ କାଶୀ-ସରିତେ ସ୍ନାୟୀ

ବିନ୍ଧ କନ୍ୟାରେ କନ୍ୟା ଘେନିଯାଇ। ୨୦ ।

 

୧୬ଶ ପଦ :- ସୀତାଙ୍କର ଗମନ ସମୟରେ ତାଙ୍କର ବାମପାଦ ଲାଗି ଅଶୋକ ବୃକ୍ଷରେ, ଚର୍ବଣ ଶେଷ ପାନର ପତନରେ ବଉଳ ଗଛରେ, ପଥ ମଧ୍ୟରେ ଯାଉଁ ଯାଉଁ ଚଢ଼ିବା ମାନସରେ କୋଳ କରିବା ହେତୁ କଦମ୍ବ ଗଛରେ ସହଚରୀ ବୋଲି କହି ସ୍ନେହରେ ଚୁମ୍ବନ ଦେବାଦ୍ୱାରା ଅଁଳା ଗଛରେ ଫୁଲ ଫୁଟି ସୁଗନ୍ଧ ଚହଟି ଗଲା । (ଏହା ଦ୍ୱାରା ଦୋହଦ ଲକ୍ଷଣ ସୂଚିତ ହେଲା) ।

୧୭ଶ ପଦ :- ଅଳିଆବଳୀ-ଭ୍ରମରସମୂହ । ମଧୁସୂଧନ-ମଧୂଦୈତ୍ୟ ହନ୍ତା ବା ରାମଚନ୍ଦ୍ର, ମଧୁପ୍ରିୟ ବା ଭ୍ରମର ।

୧୭ଶ ପଦ :- ଅସମୟରେ ବକୁଳାଦି ବୃକ୍ଷମାନେ ପୁଷ୍ପିତ ହୁଅନ୍ତେ ଭ୍ରମରମାନେ ସେ ବନରେ ବିଳସିଲେ । ତ୍ରିକାଳ ଫୁଲ ଅର୍ଥାତ୍‌ ବର୍ଷା, ବସନ୍ତ ଓ ହେମନ୍ତ ୠତୁର ଫୁଲସବୁ ଏକ ସମୟରେ ଫୁଟିବାରୁ ସେମାନେ ମଧୂପାନ କରି ତୃପ୍ତ ହେଲେ । ଲୋକମାନଙ୍କୁ ବାଞ୍ଛିତ ଫଳ ପ୍ରଦାନକରି ବାଞ୍ଛାକଳ୍ପତରୁ ବୋଲାଉଥିବା ମଧୂଦୈତ୍ୟହନ୍ତା ରାମଚନ୍ଦ୍ର ଭ୍ରମର ପ୍ରାୟ ତ୍ରିକାଳ ପୁଷ୍ପୋପମା ସୀତାଙ୍କ ସହିତ ବିହାର କରି ତ୍ରିକାଳ କଟାଇଲେ ।

୧୮ଶ ପଦ :- ବିନାଶନରେ-ଅନାହାରରେ । ଅନୁଜ-ସାନଭାଇ । ବସୁଧା-ପୃଥିବୀ ।

୧୮ଶ ପଦ :- ପ୍ରସିଦ୍ଧ ଓ ଅପରିମିତ କୀର୍ତ୍ତିମନ୍ତ ଅନୁଜ ଲକ୍ଷ୍ମଣ ଅଭୋଜନରେ ବିନିଦ୍ର ରହି ସୁଦ୍ଧା ଆନନ୍ଦ ମନରେ ଦିନ ଓ ରାତି କଟାଇଲେ । ସେ ଯେଣୁ ପତିତର ପବିତ୍ରକାରକ ଆଖ୍ୟା ପାଇଛନ୍ତି, ତେଣୁ ‘ପିଶାଚ’ ରାକ୍ଷସମାନଙ୍କୁ ନାଶ କରି ସ୍ୱର୍ଗଗତି ଦେବାଦ୍ୱାରା ପବିତ୍ର କଲେ ।

୧୯ଶ ପଦ :- ତୀର୍ଥରାଜ-ସମୁଦ୍ର । ସରସ୍ୱତୀ-ବାଣୀ ବା ବଚନ । ବାଶିଷ୍ଠୀ-ଗୋମତୀ ନଦୀ । ବାସୀସୁବାସୀ-ସୌରଭ ମୟୀ । କବରୀ-ଖୋଷା । ଭଙ୍ଗେ-ତରଙ୍ଗରେ ।

୧୯ଶ ପଦ :- ଯେଉଁ ରାମଚନ୍ଦ୍ର ବର୍ତ୍ତମାନ ସମୁଦ୍ର ତୀରରେ ବାସ କରୁଅଛନ୍ତି (ଶୀକ୍ଷ୍ରତ୍ରରେ ଦାରୁବ୍ରହ୍ମରୂପେ ଅବସ୍ଥାନ କରି ଶୀକ୍ଷେତ୍ରକୁ ପବିତ୍ର ତୀର୍ଥ କରିଅଛନ୍ତି) ସେହି ରାମଚନ୍ଦ୍ର ସେତେବେଳେ ନାନାତୀର୍ଥରେ ଭ୍ରମଣ କଲେ । ପ୍ରିୟା ସୀତାର ସ୍ନେହପୂର୍ଣ୍ଣ ବାଣୀକୁ ପାଳନ କରି ଶୀଘ୍ର ସରସ୍ୱତୀ ନଦୀ ତୀରରେ ମିଳିଲେ । ତତ୍ପରେ ସୌରଭମୟୀ ଓ ସୁବସନ ପରିହୀତା ସୀତା ରାମଙ୍କ ସଙ୍ଗରେ ଯାଇ କାବେରୀ ନଦୀର ତରଙ୍ଗ ‘କବରୀ’ କେଶକୁ କ୍ଷାଳିତ କଲେ ।

୨୦ଶ ପଦ :- ନର୍ମଦା-ଲୀଳାଦାୟିନୀ । ହଂସଜା-ଯମୁନା । ବିନ୍ଧ୍ୟକନ୍ୟା-ମହାନଦୀ ।

୨୦ଶ ପଦ :- ‘ନର୍ମଦା’ ଲୀଳାଦାୟିନୀ ସୀତାଙ୍କୁ ସଙ୍ଗରେ ନେଇ ରାମଚନ୍ଦ୍ର ନର୍ମଦା ନଦୀରେ କ୍ରୀଡ଼ା କଲେ । ବାହୁଦା ନଦୀ ପାର ହେଲାବେଳେ ସୀତା ରାମଚନ୍ଦ୍ରଙ୍କୁ ବାହୁ ଦାନ କଲେ (ଅର୍ଥାତ୍‌ରାମ ସୀତାଙ୍କ ବାହୁ ଧରି ନଦୀ ପହଁରାଇ ନେଲେ) । ଯମୁନା ଜଳରେ ହଂସ ହଂସୀପରି ବୁଡ଼ି ରେବାନଦୀକୁ ସ୍ନାନ ପାଇଁ ଗମନ କଲେ । କାଶୀକ୍ଷେତ୍ର ସମୀପବର୍ତ୍ତୀ ଗଙ୍ଗା ନଦୀରେ ସ୍ନାନ କରି ବିନ୍ଧ୍ୟକନ୍ୟା ମହାନଦୀକୁ ସୀତା ସହ ଗମନ କଲେ ।

 

ବେତ୍ରବତୀ ଗତି ଯୁବତୀ ତୋଷି

ବ୍ରାହ୍ମୀ କଲୋଳ-କଲ୍ଲୋଳରେ ପଶି।

ବେଣୀଶୋଭୀ ନେଇ କୃଷ୍ଣ ବେଣୀକି

ନିକ୍ଷେପି ପାଣିରେ ଶିରେ ପାଣିକି ।

ବେଗରେ ଗୟା ପ୍ରୟାଣ କରି

ବିକଶିତା ପୁଷ୍ପେ ସୀତା ମଞ୍ଜରୀ। ୨୧

ବସିଣ ଫଲ୍‌ଗୁରେ ଫଲ୍‌ଗୁ କାମରେ

ବାଲିଗୋତ୍ର ପିଣ୍ଡେ ଗୋତ୍ର ଉଚ୍ଚାରେ।

ବିସ୍ତାରି କର ଦଶରଥ ତରି

ବିଦାରି ଶାପରେ ବାରି ତା ବାରି ।

ବାହାର ହାରଶୋଭିନୀ ଘେନି

ବିପ୍ରେ କରନ୍ତି ବିପ୍ରଳାପ ଧ୍ୱନି । ୨୨ ।

ବର ବେନି ଏକ ବରବରନୀ

ବିଟ ଏ ବିଟପୀ ପଳାନ୍ତି ଘେନି।

ବଜ୍ର ପଡ଼ି ଯାଉ ମସ୍ତକ ଫାଟି

ବଜ୍ର ଆଦି ରତ୍ନ କରିବା ଲୁଟି।

ବାମାକ୍ଷୀ ବାମା ବସନାଞ୍ଚଳ

ବଳେ ଧରୁଁ ଧରିତ୍ରୀଜା ଆକୁଳ। ୨୩ ।

ବୋଲନ୍ତି କହି ଦଣ୍ଡଧର ପାଶେ

ବିହାଇ ଦଣ୍ଡ ବନ୍ଧାଇବା ପାଶେ ।

ବିଛେଦି ରାମା ବସ୍ତ୍ର ଖଡ଼୍‌ଗେ

ବେଗ ବେଗ ଯାଉ ଗୋଡ଼ାଇ ସଙ୍ଗେ।

ବସାଉଁ ଚାପେ ତିକ୍ଷ୍‌ଣମାର୍ଗଣେ

ବୀର ଲକ୍ଷ୍ମଣ ପଳାନ୍ତି ମାର୍ଗଣେ। ୨୪ ।

ବ୍ୟାକୁଳ ବିନାଶେ ନବୀନାମଣି

ବିଭାଜ ଚନ୍ଦ୍ରଭାଗାଳିକା ପୁଣି।

ବିପଥେ ଚନ୍ଦ୍ରଭାଗାରେ ସଞ୍ଚରି

ବାଲୁକାରେ ଶିବ ଶିବଦ କରି।

ବିହୀନ ଋଷିଜା ରୁଷିବାରେ

ବିନୋଦ ଋଷିବାରକୁଲ୍ୟାତୀରେ । ୨୫

 

୨୧ଶ ପଦ :- ପାଣିରେ-ହସ୍ତରେ । ପ୍ରୟାଣ-ଗମନ । ମଞ୍ଜରୀ- ଲତା ।

୨୧ ପଦ :- ତତ୍‌ପରେ ବେତ୍ରବତୀ ନଦୀକୁ ଯାଇ ଯୁବତି ସୀତାଙ୍କୁ ତୋଷ ପ୍ରଦାନ କଲେ । ବ୍ରାହ୍ମୀ ନଦୀର ଚଞ୍ଚଳ ଲହରୀଯୁକ୍ତ ଜଳରେ (ଅର୍ଥାତ୍‌ ଖରସ୍ରୋତା ବ୍ରାହ୍ମୀ ନଦୀର ଜଳରେ ) ପଶି ସ୍ନାନ କଲେ । ବେଣୀଶୋଭୀ ସୀତାଙ୍କୁ କୃଷ୍ଣବେଣୀ ନଦୀକୁ ନେଇ ତାହା ଜଳକୁ ହସ୍ତରେ ଧରି ମସ୍ତକରେ ଛିଞ୍ଚି ହେଲେ । ସେଠାରୁ ଶୀଘ୍ର ଗୟା ତୀର୍ଥକୁ ଗଲେ । ସେଠାରେ ପୁଷ୍ପିତା ହେଲା ପ୍ରାୟ ସୀତା ପୁଷ୍ପବତୀ ହେଲେ ।

୨୨ଶ ପଦ :- କାମରେ-ଅସାର କାମନାରେ ବା କୌତୁକରେ । ବାଲିଗୋତ୍ର-ବାଲିରାଶି ।

୨୨ଶ ପଦ :- ତାହାପରେ ସୀତା ଫଲ୍‌ଗୁ ନଦୀରେ ବସି ଖେଳ କୌତୁକରେ ବାଲି ସବୁକୁ ପିଣ୍ଡ କରି ଗୋତ୍ର ଉଚ୍ଚାରଣ ପୂର୍ବକ ପ୍ରଦାନ କରନ୍ତେ, ଦଶରଥ ହସ୍ତ ବଢ଼ାଇ ପିଣ୍ଡ ନେଲେ ଓ ମୋକ୍ଷ ହୋଇଗଲେ । [ତତ୍ପରେ ରାମ ଆସି ପିଣ୍ଡ ଦେଲାବେଳେ ଦଶରଥ ପିଣ୍ଡ ନେଲେ ନାହିଁ । ରାମଚନ୍ଦ୍ର ଫଲ୍‌ଗୁନଦୀକୁ ଏହାର କାରଣ ପଚାରନ୍ତେ ନଦୀ କିଛି ଉତ୍ତର ନ ଦେବାରୁ] ରାମଚନ୍ଦ୍ର ଅଭିଶାପଦ୍ୱାରା ତା ଜଳକୁ ନିବାରଣ କଲେ । (ତୁ ନିର୍ଜଳା ହୋଇଯିବୁ କହିବାରୁ ନଦୀର ଜଳ ଶୁଷ୍କ ହୋଇଗଲା) । ପୁନର୍ବାର ଫଲଗୁ ବିନୟ ପ୍ରକାଶ କରନ୍ତେ ବର ଦେଲେ, -’ତୋ ବାଲିକୁ ବିଦାରଣ କଲେ ଜଳ ଦେଖାଯିବ ।’ ସେଠାରୁ ହାରଶୋଭିନୀ ସୀତାଙ୍କୁ ନେଇ ବାହାର ହୋଇ ଯିବାବେଳେ ତୀର୍ଥର ପୂଜକ ବ୍ରାହ୍ମଣମାନେ ବିରୋଧ ବଚନ ପ୍ରକାଶ କରି କହିଲେ ।

୨୩ଶ ପଦ :- ବଜ୍ର-ହୀରା । ବସନାଞ୍ଚଳ- କାନିପଣନ୍ତ । ଧରିତ୍ରୀକା-ସୀତା ।

୨୩ଶ ପଦ :- ‘‘ଗୋଟିଏ ବରବର୍ଣ୍ଣିନୀ ସ୍ତ୍ରୀ ସହିତ ଦୁଇଗୋଟି ପୁରୁଷ ଅଛନ୍ତି, ଜଣାଯାଏ ବିଟପୁରୁଷ ଦୁହେଁ ବିଟପୀ ସ୍ତ୍ରୀକୁ ଘେନି ପଳାଇ ଯାଉଛନ୍ତି । ବଜ୍ର ପଡ଼ି ଏମାନଙ୍କର ମସ୍ତକ ଫାଟିଗଲେ, ଏ ସ୍ତ୍ରୀ ପାଖରେ ଥିବା ହୀରା ଆଦି ରତ୍ନ ସବୁ ଆମେ ଲୁଟିକରି ନିଅନ୍ତେ ।’’ ଏହା କହି ସେ ବ୍ରାହ୍ମଣମାନେ ବାମଲୋଚନା ସୀତାଙ୍କ ଲୁଗା ପଣନ୍ତ ବଳେ ଧରି ଟାଣିବାରୁ ସୀତା ଆକୁଳ ହେଲେ ।

୨୪ଶ ପଦ :- ଦଣ୍ଡଧର-ରାଜା । ଚାପ-ଧନୁ । ତୀକ୍ଷ୍‌ଣମାର୍ଗଣେ-ତୀକ୍ଷ୍‌ଣ ଶରଦ୍ୱାରା ।

୨୪ଶ ପଦ :- ବ୍ରାହ୍ମଣମାନେ ସୀତାଙ୍କ ପଣନ୍ତ ଟାଣି କହିଲେ, ‘‘ରାଜା ଆଗରେ କହି ତୁମ୍ଭଙ୍କୁ ଦଣ୍ଡ ଦିଆଇ ଦଉଡ଼ିରେ ବନ୍ଧାଇବୁ ।’’ ବ୍ରାହ୍ମଣମାନଙ୍କର ଏ ଆଚରଣ ଦେଖି ରାମଚନ୍ଦ୍ର ପ୍ରିୟାର ବସ୍ତ୍ର ଖଡ଼୍‌ଗରେ କାଟି ତରତରରେ ସେଠାରୁ ଚାଲିଯାନ୍ତେ, ବିପ୍ରମାନେ ତାଙ୍କ ପଛରେ ଗୋଡ଼ାଇଲେ । ବୀର ଲକ୍ଷ୍ମଣ ଧନୁରେ ତୀକ୍ଷ୍‌ଣ ଶରକୁ ବସାଇ ଲକ୍ଷ୍ୟ କରନ୍ତେ, ଯାଚକ ବିପ୍ରମାନେ ଭୟରେ ପଳାଇ ଗଲେ ।

୨୫ଶ ପଦ :- ନବୀନାମଣି-କାମିନୀଶ୍ରେଷ୍ଠା, (ସୀତା) । ବିଭ୍ରାଜ-ଶୋଭମାନ । ଚନ୍ଦ୍ରଭାଗାଳିକା-ଅର୍ଦ୍ଧଚନ୍ଦ୍ର ସଦୃଶ । ଶିବଦ-ମଙ୍ଗଳପ୍ରଦ । ୠଷିଜା-ୠଷିକନ୍ୟା ।

୨୫ଶ ପଦ :- ବ୍ରାହ୍ମଣମାନେ ପଳାଇଯିବାରୁ ସୀତାଙ୍କର ବ୍ୟାକୁଳତା ଦୂର ହେଲା । ଅନନ୍ତର ରାମଚନ୍ଦ୍ର ଅର୍ଦ୍ଧଚନ୍ଦ୍ରପରି ଶୋଭମାନ ଲଲାଟ ଯାହାର ଏପରି ଯେ ସୀତା, ତାଙ୍କୁ ସଙ୍ଗରେ ଘେନି ଅବାଟରେ ଯାଇ ଚନ୍ଦ୍ରଭାଗା ନଦୀ ତଟରେ ପ୍ରବେଶ ହେଲେ । ମଙ୍ଗଳ କାମନା ପାଇଁ ସେଠାରେ ବାଲୁକାରେ ଶିବମୂର୍ତ୍ତି ବସାଇ ପୂଜା କଲେ । ତତ୍ପରେ ରୋଷବିହୀନା ୠଷିକନ୍ୟା ସୀତାଙ୍କ ସହ ୠଷିକୁଲ୍ୟା ନଦୀତଟକୁ ଯାଇ ରାମଚନ୍ଦ୍ର କେଳି କଲେ ।

 

ବିହି ଇଶ୍ୱର ପଦ ଇକ୍ଷ୍ୱାକୁରେ

ବିଭୁ ଅଟନ୍ତି ସଦା ଇକ୍ଷ୍ୱାକୁରେ ।

ବହନ୍ତେ ପଥ ଅତ୍ରିମଠେ ମିଳେ

ବିଧୁହେଲା ଯାହା ଲୋଚନ ମିଳେ ।

ବଞ୍ଛିଲେ ସୁକଲ୍ୟାଣ ସୁଦୟା

ବନ୍ଦିଲେ ସୀତା ଦେଖି ଅନସୂୟା। ୨୬ ।

ବିଳୋହି ଅମ୍ଳାନଶାଢ଼ି କି ଶୋଭା

ବିଦ୍ୟୁତପ୍ରଭା ଦୂର କରେ ପ୍ରଭା।

ବୋଇଲେ ବନେ ତ ରଜକ ନାହିଁ

ବହ୍ନିରେ ଧୌତ ଯେବେ ମ୍ଳାନ ହୋଇ।

ବୈଦେହୀ ଚିତ୍ତ ହରଷେ ସାନ୍ଦ୍ର

ବଡ଼ ଆନନ୍ଦ ଶୁଣି ରାମଚନ୍ଦ୍ର। ୨୭ ।

ବିହରୁ ବିହରୁ ଦଣ୍ଡକାରଣ୍ୟେ

ବୃନ୍ଦ ବୃନ୍ଦ ଋଷି ଦେଖି ସୁପୁଣ୍ୟେ ।

ବିଦେହ କୋଟି ଏକଦେହ ବହି

ବୋଲନ୍ତାଇ ଏ ଲକ୍ଷ କିଛି ନୋହି।

ବନଦ-ଶ୍ୟାମ କାହିଁ ଏ ଥିଲା

ବରିଲା ଏ ରାମା କି ତପ କଲା। ୨୮ ।

ବିଧାତା ଆମ୍ଭଙ୍କୁ କରନ୍ତା ନାରୀ

ବର ହୁଅନ୍ତେ ଏ କୋଦଣ୍ଡଧାରୀ।

ବ୍ରହ୍ମପଦବୀ ପାଇ ହେବ କିସ

ବହିବା କି କରି କାମିନୀବେଶ ?

ବିଚାରୁ ପୁଲକିତ ଶରୀରେ

ବେପଥୁ ଜନ୍ମି ଆଉଜି ବୃକ୍ଷରେ। ୨୯ ।

ବିଭ୍ରମ ଉପୁଜିଗଲା ମାନସ

ବୋଇଲେ ସଖାଙ୍କୁ ସଖିଗୋ ଆସ।

ବହିବା ତୁମ୍ବୀକି ଉରରେ ରଖି

ବକ୍ଷୋରୁହ ହେଲା ଭାବରେ ସୁଖୀ।

ବେଣୀ ଏ ଭାବି ଜଟା ଲମ୍ବାଇ

ବିବିଧ କୁସୁମ ମଣ୍ଡିଲେ ନେଇ। ୩୦ ।

 

୨୬ଶ ପଦ :- ଇକ୍ଷ୍ୱାକୁରେ-ସୂର୍ଯ୍ୟବଂଶରେ । ଇକ୍ଷ୍ୱାକୁରେ-ଲାଉତୁମ୍ବୀରେ ।

୨୬ଶ ପଦ :- ଇକ୍ଷ୍ୱାକୁ ବଂଶର ପ୍ରଭୁ ରାମଚନ୍ଦ୍ର ‘ଇକ୍ଷ୍ୱାକୁରେ’ ଲାଉ ତୁମ୍ବୀରେ ଈଶ୍ୱର ମୂର୍ତ୍ତି ଦେଖି ତାଙ୍କୁ ପୂଜା କରି, ପଥରେ ଯାଉ ଯାଉ ଯାହାଙ୍କ ନେତ୍ର ମଳରୁ ଚନ୍ଦ୍ର ଜନ୍ମ ହୋଇଥିଲେ, ସେହି ଅତ୍ରି ୠଷିଙ୍କ ମଠରେ ପ୍ରବେଶ ହେଲେ । ସେ ୠଷି ଦୟା ସହିତ କଲ୍ୟାଣ ବାଞ୍ଛିଲେ । (ରାମ ଲକ୍ଷ୍ମଣ ନମସ୍କାର କରିବାରୁ ୠଷି କଲ୍ୟାଣ କଲେ)। ଅତ୍ରି ୠଷିଙ୍କ ପତ୍ନୀ ଅନସୂୟାଙ୍କୁ ଦେଖି ସୀତା ତାଙ୍କର ପଦ ବନ୍ଦନା କଲେ (ନମସ୍କାର କହିଲେ) ।

୨୭ଶ ପଦ :- ସେ ଅନସୂୟା ସୀତାଙ୍କ ଖୁବ୍‌ ସୁନ୍ଦର ଓ ବିଦ୍ୟୁତ୍‌ପ୍ରଭା ନିନ୍ଦି ଦୀପ୍ତିମାନ୍‌ ଅମ୍ଲାନ ଶାଢ଼ିକୁ ଦେଇ କହିଲେ, ‘‘ବନରେ ତ ଧୋବା ନାହାନ୍ତି । ଯେବେ ଏହା ମଳାଇ ହେବ, ତେବେ ଏହାକୁ ଅଗ୍ନିରେ ଧୌତ କରିନେବ । (ଅମ୍ଳାନ ବସ୍ତ୍ର ଅଗ୍ନିରେ ଧୌତ ହେଲେ, ତାହାର ମଳିନତା ଦୂରହୁଏ ଓ ଶୋଭାବଢ଼େ) । ଏହା ଶୁଣି ସୀତାଙ୍କ ମନ ହର୍ଷପୂର୍ଣ୍ଣ ହେଲା ଓ ରାମଚନ୍ଦ୍ର ଆନନ୍ଦିତ ହେଲେ ।

୨୮ଶ ପଦ :- ବିଦେହ କୋଟି-କୋଟି କନ୍ଦର୍ପ । ବନଦଶ୍ୟାମ- ଘନଶ୍ୟାମ ।

୨୮ଶ ପଦ :- ରାମ, ଲକ୍ଷ୍ମଣ ଓ ସୀତା ଏହିପରି ଦଣ୍ଡକାରଣ୍ୟରେ ବୁଲୁବୁଲୁ ଅସଂଖ୍ୟ ୠଷି ଉତ୍ତମ ପୁଣ୍ୟବଳରେ ତାଙ୍କୁ ଦର୍ଶନ କରି ମନରେ ବିଚାରିଲେ, ‘କୋଟିଏ କନ୍ଦର୍ପ ଗୋଟିଏ ଦେହ ବହିଅଛନ୍ତି, ଏ ଲକ୍ଷ୍ୟ ଏହାଙ୍କୁ ଦେଲେ ସୁଦ୍ଧା ସମାନ ହେବ ନାହିଁ । [କୋଟି କନ୍ଦର୍ପର ଶୋଭା ମଧ୍ୟ ଏ ଶୋଭାଠାରୁ ନ୍ୟୁନ ହେବ] । ଏ ଘନଶ୍ୟାମ ମୂର୍ତ୍ତି କେଉଁଠାରେ ଥିଲେ ? ପୂର୍ବେ କି ତପ କରିଥିବାରୁ ଏ ସ୍ତ୍ରୀ ତାଙ୍କୁ ପତିରୂପେ ବରଣ କଲେ ?

୨୯ଶ ପଦ :- ବେପଥୁ-କମ୍ପନ ।

୨୯ଶ ପଦ :- ‘ଯଦି ବିଧାତା ଆମ୍ଭମାନଙ୍କୁ ନାରୀ କରିଥାନ୍ତେ ଓ ଏହି କୋଦଣ୍ଡଧାରୀ ଆମର ବର ହୋଇଥାନ୍ତେ, ତେବେ ବ୍ରହ୍ମପଦବୀରେ ଆମର ଦରକାର କ’ଣ ? ଏବେ ଆମେ କିପରି ନାରୀ ବେଶ ଧାରଣ କରିବା ?’ ଏହା ବିଚାରନ୍ତେ ତାଙ୍କ ଶରୀର ରୋମାଞ୍ଚିତ ହେଲା । ବେପଥୁ ଆଦି ଭାବମାନ ଜନ୍ମିବାରୁ ସେମାନେ ବୃକ୍ଷକୁ ଆଉଜି ଠିଆହେଲେ ।

୩୦ଶ ପଦ :- ତାଙ୍କମନରେ ଭ୍ରମ ଜାତ ହେବାରୁ ସେମାନେ ସଖାଙ୍କୁ ‘ଗୋ ସଖି ଆସ’ ଏହା କହିଲେ । ତାଙ୍କ ହାତରେ ଥିବା ଲାଉ ତୁମ୍ବୀକି ଛାତିରେ ରଖି ଏ ଆମ୍ଭର ସ୍ତନ ବୋଲି ଭାବୀ ସୁଖୀ ହେଲେ । ନିଜ ନିଜର ଜଟା ପିଠିକି ପକାଇ ଦେଇ ‘ଏ ଆମର ବେଣୀ’ ଏପରି ଭାବି ତହିଁରେ ନାନାପ୍ରକାର ଫୁଲ ମଣ୍ଡିଲେ ।

 

ବିହୁଥିଲେ ଯେ ଆହୁତି ଅଗ୍ନିର

ବିସୋରିଲେ ସ୍ୱାହା ଆଦ୍ୟ ଅକ୍ଷର।

ବକ୍ରେ ଚାହିଁ ତା ପୁନଃ ପୁନଃ କହି

ବିଚେଷ୍ଟା ତାଙ୍କର ରାଘବ ଚାହିଁ।

ବୈଦେହୀ ଲକ୍ଷ୍ମଣରୁ ଅନ୍ତର

ବାଞ୍ଛା ବରଦାନେ ରଚନ ଗିର। ୩୧ ।

ବଲ୍ଲବୀ ତୁମ୍ଭେ ହୋଇବ ଦ୍ୱାପରେ

ବ୍ରଜେ ରହିବୁଁ ଆମ୍ଭେ କଂସ ଡରେ।

ବୃନ୍ଦାବନରେ ହେବ ରାସକେଳି

ବଲ୍ଲଭୀ ଏକା ଏ ଦେହେଁ ମୈଥିଳୀ।

ବହିବୁଁ ଗୋପୀନାଥ ନାମକୁ

ବୋଲେ ଉପେନ୍ଦ୍ର ବୋଧିଗଲେ ତାଙ୍କୁ। ୩୨ ।

 

୩୧ଶ ପଦ :- ଯେଉଁ ୠଷିମାନେ ଅଗ୍ନିରେ ଆହୁତି ଦେଉଥିଲେ, ସେମାନେ ସ୍ୱାହାର ଆଦ୍ୟ ଅକ୍ଷର ଅର୍ଥାତ୍‌ ସ୍ୱା ଭୁଲିଯାଇ କେବଳ ହା ହା ବାରମ୍ବାର କହି ରାମଚନ୍ଦ୍ରଙ୍କୁ ବକ୍ରଭାବରେ ଚାହିଁଲେ । ତାଙ୍କର ଏପରି ବିରହ ଭାବମାନ ଦେଖି ରାଘବ ସୀତା ଓ ଲକ୍ଷ୍ମଣଠାରୁ ଅନ୍ତର ହୋଇ ଯାଇ ସେମାନଙ୍କୁ ମନଇଚ୍ଛା ବରପ୍ରାପ୍ତି ହେବାପାଇଁ ଏହି ବାକ୍ୟ କହିଲେ; -

୩୨ଶ ପଦ :- ବଲ୍ଲବୀ-ଗୋପାଳୁଣୀ । ବଲ୍ଲଭୀ-ପତ୍ନୀ ।

୩୨ଶ ପଦ :- ‘‘ହେ ମୁନିମାନେ ! ଦ୍ୱାପର ଯୁଗରେ ତୁମ୍ଭେମାନେ ଗୋପୀ ହେବ । ମୁଁ କୃଷ୍ଣରୂପେ ଜାତ ହୋଇ କଂସ ଭୟରେ ବ୍ରଜପୁରରେ ରହିବି । ବୃନ୍ଦାବନରେ ତୁମ୍ଭର ଓ ମୋର ରାସକେଳି ହେବ । ତେଣୁ ମୁଁ ଗୋପୀନାଥ ନାମକୁ ବହିବି । ଏ ଅବତାରରେ ସୀତା ଏକମାତ୍ର ମୋର ପ୍ରିୟା ।’’ ଉପେନ୍ଦ୍ର କହେ, ରାମଚନ୍ଦ୍ର ଏହିପରି ୠଷିମାନଙ୍କୁ ବୋଧ ଦେଇ ଗଲେ ।

 

Unknown

ଦ୍ୱାବିଂଶ ଛାନ୍ଦ

(ଭାଗବତ ବୃତ୍ତେ)

 

ବାତାପି ସୂଦନ ଆଶ୍ରମ

ବିପିନେ ପ୍ରବେଶ ଶ୍ରୀରାମ। ୧ ।

ବଇରୀ ହିଂସା ତହିଁ ହତ

ବଇରୀ ସନ୍ନିଧି କପୋତ। ୨ ।

ବାୟସ କଉଶିକ ମେଳ

ବସି ଅଛନ୍ତି ଏକ ଡାଳ । ୩ ।

ବ୍ୟାଳ ଫଣାକୁ ଟେକି ଖେଳି

ବରହୀ ପାଶେ ନୃତ୍ୟଶାଳୀ । ୪ ।

ବାରଣ ସିଂହ ଏକ ସ୍ଥାନ

ବିରଚି ଅଛନ୍ତି ଶୟନ। ୫ ।

ବ୍ୟାଘ୍ର କୁରଙ୍ଗ ରଙ୍ଗ ବହି

ବୃକାଳି ମିଳୁଛନ୍ତି ତହିଁ। ୬ ।

ବତ୍ସା ଧେନୁଙ୍କ ମହିଷିର

ବିଭୀତେ ପାନ କରେ କ୍ଷୀର। ୭ ।

ବକ ପାଶରେ ଜଳଘାଟେ

ବିଶାରକୁଳହିଁ ଚହଟେ। ୮ ।

ବ୍ରାହ୍ମଣ ତପୋବଳ ସାର୍ଥ

ବିଚାର କଲେ ରଘୁନାଥ। ୯ ।

ବିଲୋକି ସୀତା ଋଷିଶିଷେ

ବିତର୍କି ଏମନ୍ତ ମାନସେ। ୧୦ ।

 

୧ମ ପଦ :- ଅନନ୍ତର ଶ୍ରୀରାମ ‘ବିତାପିସୂଦନ’ ଅଗସ୍ତ୍ୟୠଷିଙ୍କ ଆଶ୍ରମବନରେ ପ୍ରବେଶ କଲେ । (ଅଗସ୍ତ୍ୟୠଷି ବାତାପି ନାମକ ଅସୁରକୁ ଖାଇ ଜୀର୍ଣ୍ଣ କରି ଦେଇଥିଲେ) ।

୨ୟ ପଦ :- ସେ ବନରେ ଶତ୍ରୁ ପ୍ରତି ହିଂସାଭାବ ନାହିଁ । ତେଣୁ ସଞ୍ଚାଣପକ୍ଷୀ ପାଖରେ କପୋତ ରହିଅଛି ।

୩ୟ ପଦ :- ବାୟସ-କାକ । କଉଶକ-ପେଚା ।

୩ୟ ପଦ :- କାକ ଓ ପେଚା ଏକାଠି ଗୋଟିଏ ଡାଳରେ ବସି ଅଛନ୍ତି ।

୪ର୍ଥ ପଦ :- ବର୍ହୀ- ମୟୂର । ବ୍ୟାଳ-ସର୍ପ ।

୪ର୍ଥ ପଦ :- ସର୍ପ ଫଣାକୁ ଟେକି ଖେଳୁଅଛି ଓ ମୟୂର ତାହା ପାଖରେ ନୃତ୍ୟ କରିବାରେ ରତ ହୋଇଅଛି ।

୫ମ ପଦ :- ବାରଣ-ହସ୍ତୀ ।

୫ମ ପଦ :- ହସ୍ତୀ ଓ ସିଂହ ଏକସ୍ଥାନରେ ଶୟନ କରିଅଛନ୍ତି ।

୬ଷ୍ଠ ପଦ :- କୁରଙ୍ଗ-ହରିଣ। ବୃକାଳୀ-ବଳିଆ କୁକୁରସମୂହ ।

୬ଷ୍ଠ ପଦ :- ବ୍ୟାଘ୍ର ଓ ମୃଗ ମିଶି କ୍ରୀଡ଼ା କଲାବେଳେ ବଳିଆକୁକୁର ଆସି ତାଙ୍କ ସହିତ ମିଳିତ ହେଉଅଛି ।

୭ମ ପଦ :- ଗାଈମାନଙ୍କର ଛୁଆ ସବୁ ଅର୍ଥାତ ବାଛୁରୀମାନେ ନିର୍ଭୟରେ ମଈଁଷୀଠାରୁ ଦୁଧ ଖାଉଅଛନ୍ତି ।

୮ମ ପଦ :- ବିଶାରକୁଳ-ମୀନ ସମୂହ ।

୮ମ ପଦ :- ଜଳଘାଟରେ ବଗ ପାଖରେ ମତ୍ସ୍ୟମାନେ ଓଲଟି ପାଲଟି ଖେଳା କରୁଅଛନ୍ତି ।

୯ମ ପଦ :- ଏହା ଦେଖି ରଘୁନାଥ ବିଚାର କଲେ, ‘ଅଗସ୍ତ୍ୟ ୠଷିଙ୍କ ତପୋବଳ ସାର୍ଥକ ଅଟେ । ’

୧୦ମ ପଦ :- ବୃଦ୍ଧାଶ୍ରବା-ଇନ୍ଦ୍ର । ଚାରୁଧାରା-ଶଚୀ ।

୧୦ମ ପଦ :- ଅଗସ୍ତ୍ୟଙ୍କ ଶିଷ୍ୟମାନେ ସୀତାଙ୍କୁ ଦେଖି ମନରେ ବିଚାର କଲେ -

 

ବୃଦ୍ଧଶ୍ରବାରେ କୋପୀ ପରା

ବନେ ଆସିଲା ଚାରୁଧାର । ୧୧ ।

ବୋଧୁଛନ୍ତି ଗୋଡ଼ାଇ ସଙ୍ଗେ

ବିଦ୍ୟାଧର ଯୁଗଳ ରଙ୍ଗେ। ୧୨ ।

ବୋଧ ନ ଘେନୁ କି ଅଦମ୍ଭା

ବଳେ ଜାନୁରେ ଯେଉଁ ରମ୍ଭା । ୧୩ ।

ବନଜପାଦେ ଦେଇ ଦେଖା

ବିନିତି ଧରି ଚିତ୍ରରେଖା । ୧୪ ।

ବିମଳ ଚିବୁକକୁ ଛୁଇଁ

ବିନୟୀ ଚନ୍ଦ୍ରକଳା ହୋଇ। ୧୫ ।

ବାସଅଙ୍ଗୀରେ ଆଲୀଙ୍ଗନ

ବିଚିତ୍ର କାଳବତୀ ଘେନ। ୧୬ ।

ବିଶିଷ୍ଠ ଯେ ସୁନ୍ଦରୀବୃନ୍ଦ

ବହେ ଏ ପୁରନ୍ଦରୀ ପଦ। ୧୭ ।

ବାଦୀ ତହିଁରେ କେହି ହୋଇ

ବିରୋଧୀ କାନ୍ତେ କାହିଁପାଇଁ। ୧୮ ।

ବୋଲେ ସେ ଗୌତମ ଅବଳା

ବୃକ୍ଷାସଙ୍ଗମୁଁ ଶାପେ ଶିଳା। ୧୯ ।

ବିକୁକ୍ଷିବଂଶୀ ରାମପଦ

ବାଜି ତା ପୂରୁବ ସମ୍ପଦ। ୨୦ ।

 

୧୧ଶ ପଦ :- ‘ଇନ୍ଦ୍ରଙ୍କଠାରେ କୋପ କରି ଶଚୀ ବନକୁ ଅଇଲା କି ?’

୧୨ଶ ପଦ :- ‘ଦୁଇଟି ବିଦ୍ୟାଧର ସଙ୍ଗରେ ଗୋଡ଼ାଇ ନାନା ରଙ୍ଗରେ ବୋଧ ଦେଉଅଛନ୍ତି ।’

୧୩ଶ ପଦ :- ଅଦୟା-ଅଧୈର୍ଯ୍ୟ ।

୧୩ଶ ପଦ :- ‘ଶଚୀ ରୁଷି ଚାଲି ଯାଉଥିବାରୁ ସ୍ୱର୍ଗବେଶ୍ୟା ରମ୍ଭା କଦଳୀଗଛ ରୂପ ଧରି ବଳାତ୍କାରରେ ଏହାଙ୍କ ଜାନୁ ସଙ୍ଗେ ଜଡ଼ିତ ହୋଇଅଛି କି ?’ (ପାଦ ଧରି ଅନୁନୟ କରୁଅଛି)।

୧୪ଶ ପଦ :- ବନଜପାଦେ-ପଦ୍ମପାଦରେ । ଚିତ୍ରରେଖା-ଅଳତା ରେଖ ।

୧୪ଶ ପଦ :- ‘ପଦ୍ମପାଦରେ ଦେଖା ଯାଉଥିବା ‘ଚିତ୍ରରେଖା’ ଅଳତା ରେଖା ଦେଖି ମନେହୁଏ ସ୍ୱର୍ଗବେଶ୍ୟା ଚିତ୍ରରେଖା ଦୁଇପାଦ ଧରି ବିନତି କରୁଅଛି କି ?’

୧୫ଶ ପଦ :- ‘ଚନ୍ଦ୍ରକଳା’ ଚନ୍ଦ୍ରରେଖା ସଦୃଶ ନିର୍ମଳ ଓଷ୍ଠକୁ ଦେଖି ମନେହୁଏ ଚନ୍ଦ୍ରଲେଖା ନାମକ ସ୍ୱର୍ଗବେଶ୍ୟା ବିନୟ ପ୍ରକାଶ କରୁଅଛି କି ?

୧୬ଶ ପଦ :- ବିଚିତ୍ର କଳାବତୀ ଶାଢ଼ି ଦେହରେ ଜଡ଼ିତ ଥିବାରୁ ଜଣାଯାଉଛି, କଳାବତୀ ନାମ୍ନୀସ୍ୱର୍ଗ ବେଶ୍ୟା ଆଲିଙ୍ଗନ କରିଅଛି ।

୧୭ଶ ପଦ :- ପୁରନ୍ଦରୀ-ଇନ୍ଦ୍ରାଣୀ ।

୧୭ଶ ପଦ :- ସୁନ୍ଦରୀ ସମୂହରେ ବେଷ୍ଟିତା ହେବାରୁ ଏ ଇନ୍ଦ୍ରାଣୀ ପଦକୁ ବହିଅଛନ୍ତି ।

୧୮ଶ ପଦ :- ଶିଷ୍ୟମାନଙ୍କ ମଧ୍ୟରୁ କେହି ପ୍ରତିବାଦ କରି କହିଲା, ‘‘ଶଚୀ କାନ୍ତଠାରେ ବିରୋଧୀ ହେବେ କାହିଁକି ?’’

୧୯ଶ ପଦ :- ବୃଷା-ଇନ୍ଦ୍ର । ଶିଳା-ପଥର ।

୧୯ଶ ପଦ :- ପ୍ରଥମ ଶିଷ୍ୟ କହିଲା, ‘‘ଇନ୍ଦ୍ର ଗୌତମପତ୍ନୀ ଅହଲ୍ୟାଙ୍କ ସହିତ ପ୍ରୀତି କରିବାରୁ ଗୌତମଙ୍କ ଶାପରେ ଅହଲ୍ୟା ପାଷାଣ ହୋଇଥିଲେ ।’’

୨୦ଶ ପଦ :- ବିକୁକ୍ଷିବଂଶୀ- ସୂର୍ଯ୍ୟବଂଶୀୟ ।

୨୦ଶ ପଦ :- ସୂର୍ଯ୍ୟ ବଂଶରେ ଜନ୍ମ ହୋଇଥିବା ରାମଚନ୍ଦ୍ରଙ୍କ ପଦ ବାଜିବାରୁ ସେ ଅହଲ୍ୟା ପାଷାଣରୁ ମୁକ୍ତ ହେଇ ପୂର୍ବରୂପ ପାଇଅଛନ୍ତି ।

 

ବଜ୍ରୀର ରସେ ବଡ଼ ପ୍ରୀତି

ବଳାଉଥିବ ପୁଣି ମତି। ୨୧ ।

ବିଜ୍ଞ ସର୍ବଜ୍ଞ ସୁଦକ୍ଷିଣ

ବୋଇଲେ ଶୁଣି ତତକ୍ଷଣ । ୨୨ ।

ବିଦ୍ୟାଧର ନୋହ ଏ ବେନି

ବିଜେ ରାମ ଲକ୍ଷ୍ମଣ ଘେନି। ୨୩ ।

ବିଶ୍ୱେ ମୋହନରୂପ ଦୁଇ

ବିଧୁ ମଦନ ନ ଘଟଇ। ୨୪ ।

ବହେ କଳଙ୍କ ଏକ ଅଙ୍କେ

ବିଦେହ ଏକ ଶୋଭା ଅଙ୍କେ। ୨୫ ।

ବିଦେହ ରାଜସୁତା ସଙ୍ଗେ

ବିହିଲ ଲକ୍ଷକୁ କି ରଙ୍ଗେ। ୨୬ ।

ବପୁଏ ହେଲେ ଲକ୍ଷ ଶଚୀ

ବହନ୍ତା କାହୁଁ ଏତେ ରୁଚି। ୨୭ ।

ବର୍ଣ୍ଣନା କବିମାନଙ୍କର

ବିହିବା ସୀତାଠାରେ ସାର । ୨୮ ।

ବ୍ୟର୍ଥ ଅନ୍ୟ ସ୍ତିରୀଙ୍କ ଠାବ

ବୋଲିବା ନ ଥିଲା ନୋହିବ। ୨୯ ।

ବର୍ତ୍ତମାନରେ ଅଛି ଏହି

ବିଶ୍ୱେ ଖୋଜିଲେ ଆଉ ନାହିଁ। ୩୦

 

୨୧ଶ ପଦ :- ବଜ୍ରୀର-ଇନ୍ଦ୍ରଙ୍କର।

୨୧ଶ ପଦ :- ‘‘ଇନ୍ଦ୍ରଙ୍କର ଅହଲ୍ୟାଠାରେ ବଡ଼ ସ୍ନେହ ଥାଏ । ପୁଣି ସେ ଅହଲ୍ୟାଙ୍କୁ ମନ ବଳାଇଥିବେ; ତେଣୁ ଶଚୀ ରୁଷି ଚାଲି ଆସିଛନ୍ତି ।’’

୨୨ଶ ପଦ :- ଏହା ଶୁଣି ତ୍ରିକାଳଜ୍ଞ ପଣ୍ଡିତ ସୁଦକ୍ଷିଣ (ଅଗସ୍ତ୍ୟ ୠଷିଙ୍କ ପୁତ୍ର) ତତ୍‌କ୍ଷଣାତ୍‌ କହିଲେ -

୨୩ଶ ପଦ :- ‘‘ଏ ପୁରୁଷ ଦୁହେଁ ବିଦ୍ୟାଧର ନୁହଁନ୍ତି, ଲକ୍ଷ୍ମଣଙ୍କୁ ସଙ୍ଗରେ ଧରି ରାମଚନ୍ଦ୍ର ବିଜେ କରିଅଛନ୍ତି ।’’

୨୪ଶ ପଦ :- ବିଧୁ-ଚନ୍ଦ୍ର । ମଦନ-କନ୍ଦର୍ପ ।

୨୪ଶ ପଦ :- ‘‘ଏ ଦୁହିଁଙ୍କ ରୂପ ଜଗତକୁ ମୋହିତ କରୁଛି । ଚନ୍ଦ୍ର ଓ କନ୍ଦର୍ପ ଶୋଭା ଏହାଙ୍କ ସହିତ ତୁଳନୀୟ ହୋଇ ନ ପାରେ ।’’

୨୫ଶ ପଦ :- ବିଦେହ-ଦେହହୀନ ।

୨୫ଶ ପଦ :- ‘‘ଏହାଙ୍କ ଶୋଭା ଦେଖି ଭୀତହୋଇ ଚନ୍ଦ୍ର ଦେହରେ କଳଙ୍କ ବହିଅଛି ଓ କନ୍ଦର୍ପ ଅଦେହ ହୋଇଅଛି ।’’

୨୬ଶ ପଦ :- ‘‘ବିଦେହ ରାଜସୁତା ସୀତା ଏହାଙ୍କ ସଙ୍ଗରେ ଅଛନ୍ତି । ତୁମ୍ଭେ କୌତୁକରେ କି ଉପମା ବା ଦେଲ ? (ତୁମ୍ଭେ ଶଚୀ ସହିତ ଯେ ଉପମା ଦେଲ, ସେ କିଛି ନୁହେଁ । ଶଚୀ ଏହାଙ୍କୁ ଲକ୍ଷ୍ୟ ନୁହଁନ୍ତି)।’’

୨୭ଶ ପଦ :- ରୁଚି- ଶୋଭା ।

୨୭ଶ ପଦ :- ‘‘ଲକ୍ଷସଂଖ୍ୟକ ଶଚୀ ଗୋଟିଏ ଶରୀର ବହିଲେ ସୁଦ୍ଧା ଏପରି ଶୋଭା ପାଇବେ କି ?’’

୨୮ଶ ପଦ :- ‘‘କବିମାନଙ୍କର ବର୍ଣ୍ଣନା (ସୌନ୍ଦର୍ଯ୍ୟ ବର୍ଣ୍ଣନ) କେବଳ ସୀତାଙ୍କଠାରେ ସାର୍ଥକ ହୋଇଅଛି ।’’

୨୯ଶ ପଦ :- ‘‘ଅନ୍ୟ ସ୍ତ୍ରୀମାନଙ୍କଠାରେ ସେ ବର୍ଣ୍ଣନାସବୁ ବୃଥା ଅଟେ । ଅତୀତରେ ନ ଥିଲା କି ଭବିଷ୍ୟତରେ ନ ହେବ ।’’

୩୦ଶ ପଦ :- ‘‘ବର୍ତ୍ତମାନ କେବଳ ଏହି ଏକା ଅଛନ୍ତି ବିଶ୍ୱଯାକ ଖୋଜି ଆସିଲେ ବି ଆଉ ଗୋଟିଏ ମିଳିବ ନାହିଁ ।’’

 

ବନଜାସନୀ ଯହିଁ ଯେତେ

ବାର ବାର ଜନ୍ମିବ ମର୍ତ୍ତ୍ୟେ। ୩୧ ।

ବହି ନ ଥିବ ନ ବହିବ

ବିଗ୍ରହେ ଏପରି ସ୍ୱଭାବ । ୩୨ ।

ବୋଲୁଁ ସେ ଆଶ୍ରମେ ପ୍ରକଟି

ବାରିଧିଚଳୁକଙ୍କୁ ଭେଟି। ୩୩ ।

ବସାଇ ପ୍ରଣିପତ୍ୟ କ୍ଷଣେ

ବିଧିସମ ସେ ସବୁ ଜାଣେ। ୩୪ ।

ବିରଚି ମାନସିକ ପୂଜା

ବୈଦର୍ଭୀ ପାଶେ ଜନକଜା । ୩୫ ।

ବିରାଜି କହ୍ଲାର ପାଶରେ

ବିକଚ ପଦ୍ମ ଯେ ପ୍ରକାରେ। ୩୬ ।

ବିଦୁଷେ ପ୍ରଶଂସିତ ସଦା

ବଡ଼ ସୁନ୍ଦରୀ ଲୋପାମୁଦ୍ରା । ୩୭ ।

ବୈଦେହୀ ତା ଲୋପ କରାଏ

ବାଛି ଅମୁଦ୍ରା ମୁଦ୍ରା ପ୍ରାୟେ। ୩୮ ।

ବିଧାତା ହୃଦ ସଂପୁଟକୁ

ବୋଲିବା ଲୋପାମୁଦ୍ରା ତାକୁ। ୩୯ ।

ବପୁକୁ ଚାହେଁ ଆପଣାର

ବିଲୋକେ ସୀତା ମନୋହର। ୪୦ ।

 

୩୧ ଓ ୩୨ଶ ପଦ :- ‘‘ପଦ୍ମାସନୀ ଲକ୍ଷ୍ମୀ ମର୍ତ୍ତରେ ବାରମ୍ବାର ଯେଉଁ ସ୍ଥାନରେ ଯେତେଥର ଜନ୍ମିଛନ୍ତି ସେ ଏପରି ଶୋଭା ଧରି ନାହାଁନ୍ତି କି ଧରିବେ ନାହିଁ । (ଲକ୍ଷ୍ମୀ ମଧ୍ୟ ଏପରି ସର୍ବାଙ୍ଗସୁନ୍ଦରୀ ରୂପ ଧରି ନ ପାରନ୍ତି । )’’

୩୩ଶ ପଦ :- ସୁଦକ୍ଷିଣ ୠଷି ଏହା କହିବା ସମୟରେ ରାମ, ଲକ୍ଷ୍ମଣ ଓ ସୀତା ଆଶ୍ରମରେ ପ୍ରବେଶ ହୋଇ, ‘ବାରିଧି ଚଳୁକଙ୍କୁ’ ଅଗସ୍ତ୍ୟ ୠଷିଙ୍କୁ ଭେଟିଲେ । (ଅଗସ୍ତ୍ୟ କମଣ୍ଡଳୁ ମଧ୍ୟସ୍ଥ ପାଣିରୁ ଜନ୍ମି ହୋଇଥିଲେ, ମାତ୍ର ସମୁଦ୍ରକୁ ଗଣ୍ଡୂଷରେ ଚଳୁରୂପେ ପାନ କରି ଦେଇଥିଲେ )।

୩୪ଶ ପଦ :- ଅଗସ୍ତ୍ୟଙ୍କୁ ନମସ୍କାର କରିବା ସମୟରେ ମୁନି ତାଙ୍କୁ ଆସନରେ ବସାଇଲେ । ସେ ମୁନି ବିଧାତା ପରି ସବୁ କଥା ଜାଣିପାରନ୍ତି । [ବିଷ୍ଣୁ ରାମ ଅବତାରରେ ରାବଣ ବଧ ନିମିତ୍ତ ବନରେ ବୁଲୁଅଛନ୍ତି, -ଏ କଥା ସେ ଜାଣିପାରିଲେ ।]

୩୫ଶ ପଦ :- ବୈଦର୍ଭୀ-ଅଗସ୍ତ୍ୟପତ୍ନୀ । ଜନକଜା-ସୀତା ।

୩୫ଶ ପଦ :- ତେଣୁ ଅଗସ୍ତ୍ୟ ମନ ମଧ୍ୟରେ ରାମଚନ୍ଦ୍ରଙ୍କୁ ପୂଜା କଲେ । ଅଗସ୍ତ୍ୟ ୠଷିଙ୍କ ପତ୍ନୀ ବୈଦର୍ଭୀଙ୍କ ପାଖରେ ଜାନକୀ ପ୍ରବେଶ ହେଲେ ।

୩୬ଶ ପଦ :- କହ୍ଲାର-କଇଁ । ବିକଚ-ପ୍ରଷ୍ଫୁଟିତ ।

୩୬ଶ ପଦ :- କହ୍ଲାର ପୁଷ୍ପ ପାଖରେ ପ୍ରଷ୍ଫୁଟିତ ପଦ୍ମ ଯେପରି ଶୋଭାପାଏ, ଏ ସେହିପରି ଶୋଭା ପାଇଲେ । (ବୈଦର୍ଭୀ କହ୍ଲାର ଓ ସୀତା ପ୍ରଷ୍ଫୁଟିତ ପଦ୍ମ ) ।

୩୭ଶ ପଦ :- ସବୁକାଳରେ ଲୋପାମୁଦ୍ର [ବୈଦର୍ଭୀଙ୍କ ଅନ୍ୟ ନାମ] ବଡ଼ ସୁନ୍ଦରୀ ବୋଲି ପଣ୍ଡିତମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥାନ୍ତି ।

୩୮ଶ ପଦ :- ‘ଲୋପାମୁଦ୍ରାବଡ଼ ସୁନ୍ଦରୀ’ ଏହି କଥାକୁ ସୀତା ମୁଦ୍ରା ନ ଥିବା ଅର୍ଥାତ୍‌ ସନ ନ ଥିବା ଟଙ୍କାକୁ ବାଛି ଦେଲା ପ୍ରାୟ ଲୋପ କରିଦେଲେ । (ସୀତାଙ୍କ ସୌନ୍ଦର୍ଯ୍ୟ ନିକଟରେ ଲୋପାମୁଦ୍ରାଙ୍କ ସୌନ୍ଦର୍ଯ୍ୟ ହୀନପ୍ରଭ ହୋଇଗଲା) ।

୩୯ଶ ପଦ :- ବିଧାତାଙ୍କ ହୃଦୟ ରୂପ ଫରୁଆରେ ଯେତେ ସୌନ୍ଦର୍ଯ୍ୟ ଥିଲା, ବୈଦର୍ଭୀ ସେ ସବୁ ଲୋପ କରିଦେଲେ । ତେଣୁ ତାଙ୍କୁ ଲୋପାମୁଦ୍ରା କୁହାଯାଏ । (ବିଧାତାର ଯେତେ ଶୋଭାଲାବଣ୍ୟ ଥିଲା, ସେ ସମସ୍ତ ଦେଇ ବିଧାତା ଲୋପମୁଦ୍ରାଙ୍କୁ ନିର୍ମାଣ କରିଥିଲା)।

୪୦ଶ ପଦ :- ସେ ଲୋପାମୁଦ୍ରା ନିଜ ଦେହକୁ ଚାହିଁ ପୁଣି ସୀତାଙ୍କ ସୌନ୍ଦର୍ଯ୍ୟକୁ ନିରୀକ୍ଷଣ କଲେ ।

 

ବିନାଶନ ରୂପଗର୍ବିତା

ବଢ଼ାଇ ଚିତ୍ତୁଁ ହୋଇଲା ତା। ୪୧ ।

ବାର ବାର ସେ ଡୋଳାଅଳି

ବିଚିତ୍ରବଲ୍ଲୀ ପରେ ଢାଳି । ୪୨ ।

ବିମଳ ଜଳ ସ୍ଥଳ ଫୁଲ

ବିଦିତ ଚାରି ଷଟ ମେଳ। ୪୩ ।

ବିଚାରେ ଏହାର ରଞ୍ଜିତା

ବାଣୀ ପଦ୍ମିନୀ ରସଲତା । ୪୪ ।

ବିନ୍ଧ୍ୟଭୁଲୋକ ରାମେ ତହିଁ

ବ୍ରହ୍ମାସ୍ତ୍ର ଚାପ ତୂଣ ଦେଇ। ୪୫ ।

ବୋଲେ ଏ ଶରେ ରାବଣର

ବଧ ବିଚାର ରଘୁବୀର। ୪୬ ।

ବଡ଼ବାନଳୁଁ ବଳି ତେଜେ

ବଡ଼ ଏ ନାରାଚସମାଜେ । ୪୭ ।

ବିନ୍ଧିବା ତ୍ରିପୁରେ କଳ୍ପିଲା

ବୃଷାଙ୍କ ଧନୁ ଜଳିଥିବା । ୪୮ ।

ବାଣାସନକୁ ତଥା ଘେନ

ବଜ୍ରାଗ୍ନି ଦହଇ କି ଘନ। ୪୯ ।

ବିଜୟ ତୂଣ ଝର ପରି

ବାଣ ବିନ୍ଧୁଥିଲେ ନ ସରି। ୫୦ ।

 

୪୧ଶ ପଦ :- ସୀତାଙ୍କ ଶୋଭା ଦେଖି ଲୋପାମୁଦ୍ରାଙ୍କର ସୌନ୍ଦର୍ଯ୍ୟ ବଡ଼ିମା ମନରୁ ବିନାଶ ହେଲା ।

୪୨ଶ ପଦ :- ଡୋଳାଅଳି-ଡୋଳାରୂପ ଭ୍ରମର ।

୪୨ଶ ପଦ :- ସେ ଲୋପାମୁଦ୍ରା ବାରମ୍ବାର ନିଜର ନେତ୍ର ଡୋଳା ରୂପ ଭ୍ରମରକୁ ସୀତା ରୂପ ଆଶ୍ଚର୍ଯ୍ୟ ଲତିକା ଉପରେ ଢାଳିଲେ । (ସୀତାଙ୍କୁ ବାରମ୍ବାର ଚାହିଁଲେ)।

୪୩ଶ ପଦ :- (ସୀତା ଆଶ୍ଚର୍ଯ୍ୟ ଲତା କିପରି ହେଲେ ?) ନିର୍ମଳ ଜଳ ସମ୍ବନ୍ଧୀୟ ଚାରିଗୋଟି ଓ ସ୍ଥଳ ସମ୍ପର୍କୀୟ ଛଅଗୋଟି ଫୁଲ ଏକତ୍ରିତ ହୋଇ ସେ ବିଚିତ୍ର ଲତାରେ ଅର୍ଥାତ୍‌ ସୀତାଙ୍କ ଦେହରେ ବିକଶିତ ହୋଇଅଛି । (ଜଳ ସମ୍ବନ୍ଧୀୟ ଚାରିଗୋଟି ଫୁଲ, ଯଥା-ମୁଖ- ଶ୍ୱେତପଦ୍ମ । ନେତ୍ର-ନୀଳୋତ୍ପଳ, କରତଳ-ରକ୍ତପଦ୍ମ, ହାସ୍ୟ-କହ୍ଲାର । ସ୍ଥଳ ସମ୍ପର୍କୀୟ ଛଅଗୋଟି ଫୁଲ; ଯଥା-ଅଧର-ବଧୁଲୀ, ନାସା-ତୀଳ ଫୁଲ, ଅଙ୍ଗୁଳି-ଚମ୍ପକ କଳିକା, କାନ୍ତି-କେତକୀ, ଦନ୍ତ-କୁନ୍ଦ କଳିକା, ନଖ- ଜାଈକଳିକା) ।

୪୪ଶ ପଦ :- ଲୋପାମୁଦ୍ରା ସୀତାଙ୍କୁ ଦେଖି ବିଚାର କଲେ, ‘‘ମୁଁ ଭାବୁଛି, ଏହି ପଦ୍ମିନୀ ନାୟିକାକୁ ରସଲତା ନାମରେ ରଞ୍ଜିତ କରିବା ଉଚିତ ।’’

୪୫ଶ ପଦ :- ବିନ୍ଧ୍ୟଭୁଲୋକ-ଅଗସ୍ତ୍ୟ । ଚାପ-ଧନୁ । ତୂଣ-ଶରମୁଣା ।

୪୫ଶ ପଦ :- ‘ବିନ୍ଧ୍ୟଭୁଲୋକ’ ଅଗସ୍ତ୍ୟୠଷି (ବିନ୍ଧ୍ୟ ପର୍ବତ ଦିନକୁ ଦିନ ବଢ଼ୁଥିବାରୁ ଅଗସ୍ତ୍ୟ ତାକୁ ଭୁଲାଇ ନମ୍ର ଅବସ୍ଥାରେ ରଖି ଦାକ୍ଷିଣ୍ୟତାକୁ ଯାଇଥିଲେ । ସେ ଫେରିଆସିଲେ ବିନ୍ଧ୍ୟ ପୁଣି ବଢ଼ିବାର କଥା ଥିଲା । ମାତ୍ର ସେ ଆଉ ନ ଫେରିବାରୁ ବିନ୍ଧ୍ୟବଢ଼ି ନ ପାରି ସେହିପରି ରହିଲା ।) ରାମଚନ୍ଦ୍ରଙ୍କୁ ତାଙ୍କ ଆଶ୍ରମରେ ରଖାଇଲେ ଓ ବ୍ରହ୍ମଶର, ଧନୁ, ତୂଣୀର ଦେଇ କହିଲେ; -

୪୬ଶ ପଦ :- ‘‘ହେ ରଘୁବୀର ! ଏ ଶରଦ୍ୱାରା ରାବଣର ବିନାଶ ସାଧନ କର ।’’

୪୭ଶ ପଦ :- ‘‘ଏ ଶରର ତେଜ ବଡ଼ବାଗ୍ନିର ତେଜଠାରୁ ଅଧିକ ଓ ଏହା ଶରସମୂହରେ ଶେଷ୍ଠ ଅଟେ ।

୪୮ଶ ପଦ :- ‘‘ମହାଦେବ ତ୍ରିପୁରାସୁର ବଧ କରିବା ମାନସରେ ଏ ଶରକୁ ଅଜଗବ ଧନୁରେ ବସାନ୍ତେ, ତାହା ଜଳିଗଲା । ତେଣୁ ଶିବ ତାହା ବ୍ରହ୍ମାଙ୍କୁ ଦେବାରୁ ବ୍ରହ୍ମା ତୁମ୍ଭଙ୍କୁ ଦେବା ନିମିତ୍ତ ମୋ ପାଖରେ ରଖାଇଥିଲେ ।’’

୪୯ଶ ପଦ :- କାଳେ ରାମ କହିବେ, ‘‘ଏ ଶର ମହାଦେବଙ୍କ ଧନୁକୁ ଜାଳି ଦେଇଛି, ମୋର ଏ ଧନୁକୁ ଜାଳି ନ ଦେବ କିଆଁ ?’ ସେଥିପାଇଁ ଅଗସ୍ତ୍ୟ କହୁଛନ୍ତି, ‘‘ଯେପରି ବଜ୍ରାଗ୍ନି ମେଘରେ ଥାଇ ମେଘକୁ ଦହ୍ୟ କରିପାରେ ନାହିଁ, ସେହିପରି ଏ ଶର ଏ ଧନୁକୁ ପୋଡ଼ିଦେଇ ନ ପାରେ ।’’

୫୦ଶ ପଦ :- ‘‘ଏ ବିଜୟ ତୂଣୀରୁ ଯେତେ ଶର ବାହାର କରି ବିନ୍ଧିଲେ ସୁଦ୍ଧା ତା’ ଝରର ପାଣି ପରି ଶେଷ ହେବ ନାହିଁ ।’’

 

ବନରେ ପଞ୍ଚବଟୀ ସାର

ବେଶ୍ମ ଥହିଁରେ ଯାଇ କର। ୫୧ ।

ବାଟଦେଖାକୁ ଶିଷ୍ୟେ ଦେଲେ

ବିଜୟ ସେ ସ୍ଥାନରେ କଲେ। ୫୨ ।

ବିଲୋକି ନଦୀ ଗୋଦାବରୀ

ବାମା କି ଶୁକୁ ଅଭିସାରୀ। ୫୩ ।

ବିଷଦ ଫେନ ପାଟ ଶାଢ଼ି

ବାନ୍ଧି ହୋଇଛି ଫୁଲ ପଡ଼ି । ୫୪ ।

ବିଶୁଦ୍ଧ ଦଶା ସ୍ଥିତ ହୋଇ

ବୀଚି କରକୁ ଟେକି ଦେଇ। ୫୫ ।

ବିଶେଷ କୁମୁଦ ଛଟକ

ବିରାଜେ ରଜତ କଟକ। ୫୬ ।

ବୁଡ଼ି ଉଠଇ ଚକ୍ର ବସି

ବାସ ଖସି କି ସ୍ତନ ଦିଶି। ୫୭ ।

ବିଥିର ପବନେ ପୁଳୀନ

ବିପୁଳ ଉରୁ ଦରଶନ । ୫୮ ।

ବିସ୍ୱରେ କ୍ରିଡ଼େ ହଂସଶ୍ରେଣୀ

ବାନ୍ଧିଛି ନିଃସ୍ୱନ କିଙ୍କଣୀ । ୫୯ ।

ବାରିଜନେତ୍ରେ ଭୃଙ୍ଗ ଖେଳା

ବିଳସେ କି ଚଞ୍ଚଳ ଡୋଳା। ୬୦ ।

 

୫୧ଶ ପଦ :- ବେଶ୍ମ- ଗୃହ ।

୫୧ଶ ପଦ :- ‘‘ ବନମାନଙ୍କ ମଧ୍ୟରେ ପଞ୍ଚବଟୀ ବନ ଶ୍ରେଷ୍ଠ ଅଟେ । ତୁମ୍ଭେ ଯାଇ ସେହି ବନରେ ଗୃହ କରି ରହ ।’’

୫୨ଶ ପଦ :- ଅଗସ୍ତ୍ୟ ଏହା କହିସାରି ବାଟ ଦେଖାଇ ଦେବାପାଇଁ ଶିଷ୍ୟମାନଙ୍କୁ ତାଙ୍କ ସହିତ ପଠାଇଲେ । ରାମ, ଲକ୍ଷ୍ମଣ, ସୀତା ପଞ୍ଚବଟୀରେ ପହଞ୍ଚିଲେ ।

୫୩ଶ ପଦ :- ସେଠାରେ ଗୋଦାବରୀ ନଦୀକୁ ଦେଖି; ‘ଏ ଶୁକ୍ଳାଭିସାରିଣୀ ନାୟିକା କି ?’ ଏପରି ମନେକଲେ [ଗୋଦାବରୀର ଜଳ ଶୁଭ୍ର ଓ ସ୍ୱଚ୍ଛ] ।

୫୪ଶ ପଦ :- ଶୁକ୍ଳଭିସାରିଣୀ ନାୟିକା ଫୁଲଧଡ଼ି ଯୁକ୍ତ ଶୁକ୍ଳ ପାଟଶାଢ଼ି ପିନ୍ଧିଥାଏ, ଏ ନଦୀ ତୀରରେ ଥିବା ବୃକ୍ଷମାନଙ୍କର ଫୁଲରୂପ ଧଡ଼ି ପଡ଼ିଥିବା ଶୁକ୍ଲ ଫେନ ରୂପ ପାଟଶାଢ଼ୀ ପିନ୍ଧିଅଛି ।

୫୫ଶ ପଦ :- ଅଭିସାରିଣୀ ନାୟିକା କାମପୀଡ଼ାରେ ଦୁର୍ବଳା ହୋଇଥିବା ହେତୁ ଭୂଷଣ ଭାର ସହି ନ ପାରି ହସ୍ତ ଏପାଖ ସେପାଖ ଦୋହଲାଇଲା ପରି ଗୋଦାବରୀ ଭଉଁରୀ ଖେଳରେ ମାତି ଲହରୀ ରୂପ କରକୁ ଦୋହଲାଉ ଅଛି ।

୫୬ଶ ପଦ :- ଶୁକ୍ଳାଭିସାରିଣୀର ରୂପା କଙ୍କଣ ସଦୃଶ ଗୋଦାବରୀର କଇଁଫୁଲ ସବୁ ବିରାଜୁ ଅଛନ୍ତି ।

୫୭ଶ ପଦ :- ଚକ୍ରବାକ ପକ୍ଷୀ ଜଳରେ ବୁଡ଼ି ଉଠି ପଡ଼ିଲାବେଳେ ବୋଧ ହେଉଛି, ଅଭିସାରିକା ଶୀଘ୍ର ଗତିରେ ଗମନ କରିବା ହେତୁ ଦେହରୁ ବସ୍ତ୍ର ଖସିଯିବାରୁ ସ୍ତନମଣ୍ଡଳ ଦେଖାଯାଉଅଛି କି ?

୫୮ଶ ପଦ :- ପୁଳୀନ-ନଦୀ ମଧ୍ୟସ୍ଥିତ ବାଲିକୁଦ ବା ତଟଦେଶ ।

୫୮ଶ ପଦ :- ଶୀଘ୍ର ଗମନ ହେତୁ ଅଭିସାରିକାର ପୃଥୁଳ ଜଙ୍ଘ ବେଳେ ବେଳେ ଦେଖାଗଲା ପରି ନଦୀ ମଧ୍ୟସ୍ଥ ବାଲିକୁଦ ପବନ ଯୋଗେ ହେଉଥିବା ଲହରୀଦ୍ୱାରା ବେଳେ ବେଳେ ଆଚ୍ଛନ୍ନ ହୋଇ ପୁଣି ଦେଖାଯାଉଥାଏ ।

୫୯ଶ ପଦ :- ବିସ୍ୱରେ-ନିଃଶବ୍ଦରେ । ନିଃସ୍ୱନ-ସ୍ୱନହୀନ ।

୫୯ଶ ପଦ :- ଅଭିସାରିକା ସ୍ୱନହୀନ କିଙ୍କିଣୀ କଟିରେ ବାନ୍ଧି ଗଗନ କଲାପରି ନଦୀର ଜଳରେ ହଂସମାନେ ନିଃଶବ୍ଦରେ କ୍ରୀଡ଼ା କରୁଅଛନ୍ତି ।

୬୦ଶ ପଦ :- ଅଭିସାରିକାର ନେତ୍ରରେ ଡୋଳା ଚଞ୍ଚଳଗତିରେ ଖେଳା କଲାପରି ନଦୀ ଜଳରେ ଫୁଟିଥିବା ପଦ୍ମଫୁଲର ଭ୍ରମରମାନେ ଚଞ୍ଚଳ ଗତିରେ କ୍ରୀଡ଼ା କରୁଅଛନ୍ତି ।

 

ବଶ ଘନରସରେ ଅତି

ବୁଡ଼ାଇ କୁ(କୂ)ଳ ସଦା ଗତି। ୬୧ ।

ବିଟପୀମାନେ ବେନୀ ପାଶେ

ବିରୋଧ କିପାଁ କରିବେ ସେ। ୬୨ ।

ବିବିଧ ଗୋତ୍ର ଦ୍ୱିଜେ କହି

ବୋଲାଉ ଗଉତୁମୀ ତୁହି । ୬୩ ।

ବହୁ ରସ ପୂର୍ଣ୍ଣେ ନ ଭୁଲୁ

ବାର୍ଦ୍ଧି ଲବଣୀୟା ନ ଭାଳୁ। ୬୪ ।

ବହିଲାକ୍ଷଣି ତାରେ ପ୍ରୀତି

ବିଧ୍ୱଂସ ହେବ ସ୍ୱାଦୁ ଜାତି। ୬୫ ।

ବର୍ଜ୍ଜନା କି ଘେନିବ ତାର

ବିଭେଦ୍ୟ କାମ ଶରାଳିର। ୬୬ ।

ବୁଧେ ରୂପକଶ୍ଳେଷ ମିଶା

ବୁଝ କବିରଚନା ଭାଷା। ୬୭ ।

ବଢ଼ାଇ ତୋଷ ବନ ପୁଣି

ବିଭର୍ତ୍ତି ତରୁ କି ତରୁଣୀ। ୬୮ ।

ବନ୍ଧ୍ୟା ନୁହଁନ୍ତି ଫଳବତୀ

ବୋଧ ସମସ୍ତେ କାନ୍ତ ପ୍ରୀତି। ୬୯ ।

ବ୍ୟଭିଚାରୀ ପରାୟ ଶୋହି

ବଲ୍ଲୀ ଧବ ସମୀପେ ରହି। ୭୦ ।

 

୬୧ଶ ପଦ :- ଘନରସ-ନିବିଡ଼ ଶୃଙ୍ଗାର ରସ, ବହୁଜଳ ।

୬୧ଶ ପଦ :- ଅଭିସାରିକା ନିବିଡ଼ ଶୃଙ୍ଗାର ରସରେ ଅତିଶୟ ବଶ ହୋଇଥିବାରୁ କୁଳ ମର୍ଯ୍ୟାଦା ଲଙ୍ଘନ କରି ନାୟକ ପାଖକୁ ଗମନ କଲା ପ୍ରାୟ, ଗୋଦାବରୀ ବହୁ ଜଳରେ ପୂର୍ଣ୍ଣ ହୋଇ ଉଭୟ କୂଳ ବୁଡ଼ାଇ ସର୍ବଦା ଗତି କରୁଅଛି ।

୬୨ଶ ପଦ :- ଅଭିସାରିକାକୁ ତା’ ପାଖରେ ଥିବା ଅସତୀ ସଖୀମାନେ ଯେପରି ବାରଣ କରନ୍ତି ନାହିଁ, ସେହିପରି ନଦୀର ଦୁଇ ତୀରରେ ଥିବା ‘ବିଟପି’ ବନ୍ଧୁମାନେ ନଦୀର ଗତିକୁ ବାଧା ଦେଉନାହାଁନ୍ତି ।

୬୩ଶ ପଦ :- ବିବିଧଗୋତ୍ର-ନାନାଜାତି ବା ନାନାପ୍ରକାର । ଦ୍ୱିଜ-ପକ୍ଷୀ, ବ୍ରାହ୍ମଣ ।

୬୩ଶ ପଦ :- ନଦୀ ତୀରସ୍ଥ ବୃକ୍ଷମାନଙ୍କରେ ଥିବା ‘ବିବିଧଗୋତ୍ର’ ବ୍ରାହ୍ମଣ ରୂପ ନାନାପ୍ରକାର ପକ୍ଷୀମାନେ କହୁଅଛନ୍ତି, ‘‘ତୁ ଗୌତମୀ-ଗୌତମୀ ୠଷିଙ୍କର କନ୍ୟା ପରା ?’’ (ଅର୍ଥାତ୍‌ ବ୍ରାହ୍ମଣ କନ୍ୟା ହୋଇ ଅସତ୍‌ ପଥରେ ଯାଉଅଛୁ) ।

୬୪ଶ ପଦ :- ବାର୍ଦ୍ଧି-ସମୁଦ୍ର ।

୬୪ଶ ପଦ :- ‘‘ବହୁଜଳରୂପ ଶୃଙ୍ଗାର ରସରେ ପୂର୍ଣ୍ଣ ହୋଇ ବିଟ ପୁରୁଷରୂପୀ ସମୁଦ୍ରଠାରେ ଭୁଲି ଯାଉଅଛୁ ? ସମୁଦ୍ର ଲୁଣିଆ-ଏହା ବିଚାର କରୁନାହୁଁ ?’’ (ତୋର ମଧୁର ଜଳ ନେଇ ସମୁଦ୍ରର ଲବଣ ଜଳରେ ମିଶାଇ ଦେଉଅଛୁଁ କାହିଁକି ?)

୬୫ଶ ପଦ :- ‘‘ତାହା ସହିତ ପ୍ରୀତି କଲାକ୍ଷଣି ତୋହର ମଧୁର ଗୁଣ ରୂପ ଉତ୍ତମ ଜାତି ଅର୍ଥାତ୍‌ କୁଳ ମର୍ଯ୍ୟାଦର ବିନାଶ ହୋଇଯିବ । (ତୋର ମଧୁର ଜଳ ଲୁଣିଆ ହୋଇଯିବ ) ।’’

୬୬ଶ ପଦ :- କାମଶରାଳି-ହଂସପକ୍ଷୀ ।

୬୬ଶ ପଦ :- ଅଭିସାରିକାର ହୃଦୟ କାମଶରରେ ବିଦ୍ଧ ହୋଇଥାଏ, ତେଣୁ ସେ କାହାରି ନିଷେଧ ବାକ୍ୟ ମାନେନାହିଁ । ସେହିପରି କାମପକ୍ଷୀ, ହଂସରାଳି ପକ୍ଷୀ ଗୋଦାବରୀର ଜଳକୁ ବିଦ୍ଧ କରି ବିହରୁ ଅଛନ୍ତି ଏବଂ ନଦୀ ପ୍ରତିବନ୍ଧକ ରହିତ ହୋଇ ଗତି କରୁଅଛି ।

୬୭ଶ ପଦ :- ହେ ପଣ୍ଡିତମାନେ ! ରୂପକ ଓ ଶ୍ଲେଷ ମିଶା କବିଙ୍କ ରଚନା ଚାତୁରୀକୁ ବୁଝ ।

୬୮ଶ ପଦ :- ପଞ୍ଜବଟୀ ଦର୍ଶକର ସନ୍ତୋଷକୁ ବର୍ଦ୍ଧନ କରେ । ତହିଁରେ ପୂରି ରହିଥିବା ବୃକ୍ଷମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ତରୁଣୀ ସ୍ତ୍ରୀ ପରି ।

୬୯ଶ ପଦ :- ତରୁଣୀମାନେ ପୁଷ୍ପବତୀ ହେବା ସମୟରେ ପତିଙ୍କୁ ରତିଦାନ ପୂର୍ବକ ତାଙ୍କର ମନ ସନ୍ତୋଷ କଲେ ଯେପରି ବନ୍ଧ୍ୟା ନ ହୋଇ ପୁତ୍ରକନ୍ୟା ପ୍ରାପ୍ତ ହୁଅନ୍ତି, ସେହିପରି ତରୁମାନେ ପୁଷ୍ପିତା ହେବା କାଳରେ (ବସନ୍ତ ୠତୁରେ) ତାଙ୍କ ପତି ବସନ୍ତ ସମୟର ତୋଷଦାତା ହୋଇ ବନ୍ଧ୍ୟାତ୍ୱ ନ ପାଇ ଫଳବତୀ ହୋଇଅଛନ୍ତି । (ବସନ୍ତର ସମାଗମରେ ବୃକ୍ଷ ସବୁ ପୁଷ୍ପିତ ଓ ଫଳରେ ଭୂଷିତ ହୋଇଅଛନ୍ତି) ।

୭୦ଶ ପଦ :- ଦୋଚାରୁଣୀ ସ୍ତ୍ରୀ ନାୟକ ପାଖରେ ଶୋଭାପାଇଲା ପରି ଲତାସବୁ ଧବ ବୃକ୍ଷ ନିକଟରେ ଶୋଭା ପାଉଅଛନ୍ତି ।

 

ବଞ୍ଚାଇ କୁସୁମ ବିକାଶେ

ବିଳପେ ସେ ମଧୁପେ ରସେ। ୭୧ ।

ବାସ ପବନ ଦଣ୍ଡପାଶୀ

ବଳେ ହରଇ ବୋଲି ଦୋଷୀ। ୭୨ ।

ବିଦ୍ୟ ଚନ୍ଦନ ନଷ୍ଟଦୂତୀ

ବିହେ ସେ ଭୁଜଙ୍ଗରେ ପ୍ରୀତି। ୭୩ ।

ବିଦେଶୀ ପ୍ରାୟ ପଶୁପନ୍ତି

ବିଗତ ଆଗତ ହୁଅନ୍ତି। ୭୪ ।

ବିଦିତ ଗୁଳ୍ମ ସ୍ୱୟଂଦୂତୀ

ବିଶ୍ରାମ ଏଠାରେ କରନ୍ତି। ୭୫ ।

ବସି ଯା କପୋତ ସସ୍ୱନ

ବଚନ କରି ତାହା ଘେନ। ୭୬ ।

ବିହଙ୍ଗ ସ୍ତନ ତରୁ ଝଳି

ବିଘଞ୍ଚ ସଞ୍ଚ ପତ୍ରାବଳୀ । ୭୭ ।

ବିନିନ୍ଦ୍ୟ ଦୃଢ଼ କ୍ରୋଡ଼ ସ୍ପଦ

ବିକାଶେ ସୁମନ ପ୍ରମୋଦ। ୭୮ ।

ବିଧାନ କରିଣ ଆଶ୍ରମ

ବଞ୍ଚେ ଲକ୍ଷଣ ସୀତା ରାମ। ୭୯ ।

ବାସବରେ ଯେ ପ୍ରଶଂସିତା

ବିଖ୍ୟାତ ଜଟାୟୁ ନାମ ତା। ୮୦ ।

ବିବସ୍ୱାନ ବଂଶରେ ପ୍ରୀତି

ବୈଦେହୀ ରକ୍ଷଣେ ସମ୍ମତି। ୮୧ ।

ବୟାଶୀ ପଦେ ଛାନ୍ଦ ପ୍ରାନ୍ତ

ବୀରବର ଭଞ୍ଜର କୃତ। ୮୨ ।

 

୭୧ଶ ପଦ :- ଦୋଚାରୁଣୀ ସ୍ତ୍ରୀ ପୁଷ୍ପବତୀ ହୋଇଛି ବୋଲି କହି ନିଜ ସ୍ୱାମୀକୁ ଠକାଏ ଓ ବିଶେଷ ଆଳାପ କରୁଥିବା ମଦ୍ୟପ ପୁରୁଷଠାରେ ରସେ । ତଦ୍ରୁପ ଲତା ପୁଷ୍ପିତା ସମୟରେ ବସନ୍ତ କାନ୍ତକୁ ଠକାଇ ‘ମଧୁପ’ ଭୃଙ୍ଗର ଆଳାପରେ ରସି ତା ସଙ୍ଗେ କ୍ରୀଡ଼ା କରୁଅଛି ।

୭୨ଶ ପଦ :- ରାଜା ଯେପରି ଦୋଷୀ ବୋଲି ଦୋଚାରୁଣୀର ଗୃହ ଲୁଟିକରି ସମ୍ପତ୍ତିସବୁ ନେଇଯାଏ, ପବନ ସେହିପରି ବଳାତ୍କାରରେ ଲତାର ପୁଷ୍ପବାସନାକୁ ହରଣ କରି ନେଉଅଛି ।

୭୩ଶ ପଦ :- ଦଣ୍ଡପାଣୀ-ରାଜା ।

୭୩ଶ ପଦ :- ଅସତୀ ଦୂତୀ ସଖୀ କାର୍ଯ୍ୟରେ ପ୍ରେରିତ ହୋଇ ସୁଦ୍ଧା ନିଜେ ବିଟପୁରୁଷ ସହିତ ରତି କଲାପରି, ଚନ୍ଦନବୃକ୍ଷ ସର୍ପ ସହିତ ପ୍ରୀତି କରୁଅଛି ।

୭୪ଶ ପଦ :- ପଶୁସମୂହ ବିଦେଶୀ ଲୋକଙ୍କ ପରି ଗତାୟାତ କରୁଅଛନ୍ତି ।

୭୫ତମ ପଦ :- ଗୁଳ୍ମ-କ୍ଷୁଦ୍ର ବୃକ୍ଷ ।

୭୫ଶ-୭୬ଶ ପଦ :- ସ୍ୱୟଂଦୂତୀ (ଯେଉଁ ନାୟିକା ନିଜେ ଦୂତୀର କାର୍ଯ୍ୟ କରେ) ଯେପରି ନାୟକକୁ ‘ଏଠାରେ ବିଶ୍ରାମକର’ ବୋଲି କହନ୍ତି; ସେହିପରି ଗୁଳ୍ମମାନେ ତଦୁପରି ବସିଥିବା କପୋତର ସ୍ୱନ ଛଳରେ ବିଦେଶୀଙ୍କୁ କହୁଅଛନ୍ତି,-ଏଠାରେ ବସ ।

୭୭ଶ ପଦ :- ବିଘଞ୍ଚ-ସାନ୍ଦ୍ର, ନିବିଡ଼ । ପତ୍ରାବଳୀ-କସ୍ତୁରୀ, ଗୈରିକାଦିର ଚିତ୍ର ।

୭୭ଶ ପଦ :- ସେହି ଗୁଳ୍ମମାନଙ୍କ ଉପରେ ବସିଥିବା ପକ୍ଷୀମାନେ ସ୍ୱୟଂ ଦୂତୀ ନାୟିକାର ସ୍ତନ ଓ ଗୁଳ୍ମମାନଙ୍କର ନିବିଡ଼ ପତ୍ର ସମୂହ ସ୍ତନ ଉପରେ ଲିଖିତ ପତ୍ରାବଳି ପରି ଶୋଭା ପାଉଅଛି ।

୭୮ଶ ପଦ :- ବିନିନ୍ଦ୍ୟ-ପ୍ରଶଂସନୀୟ । ସୁମନ-ପୁଷ୍ପ, ଆନନ୍ଦ ।

୭୮ଶ ପଦ :- ଗୁଳ୍ମ ମଧ୍ୟସ୍ଥ ପତ୍ରାଚ୍ଛାଦିତ କୁଞ୍ଜ ସ୍ୱୟଂଦୂତୀର ପ୍ରଶଂସନୀୟ କ୍ରୋଡ଼ପରି ହୋଇଅଛି । ସ୍ୱୟଂଦୂତୀ ଆନନ୍ଦ ହେତୁ ପୁଲକିତ ହେଲାପରି ଗୁଳ୍ମ କିଶଳୟ ଓ କଳିକାରେ ରୋମାଞ୍ଚିତ ହୋଇଅଛି ।

୭୯ଶ ପଦ :- ସେ ବନରେ ଆଶ୍ରମ ନିର୍ମାଣ କରି ରାମ, ଲକ୍ଷ୍ମଣ ଓ ସୀତା ରହିଲେ ।

୮୦ଶ ପଦ :- ବାସବରେ-ଇନ୍ଦ୍ରଙ୍କଦ୍ୱାରା ।

୮୧ଶ ପଦ :- ବିବସ୍ୱାନବଂଶୀ-ସୂର୍ଯ୍ୟବଂଶୀୟ ।

୮୦ଶ ଓ ୮୧ଶ ପଦ :- ସେଠାରେ ବାସ କରୁଥିବା ଇନ୍ଦ୍ରଦ୍ୱାରା ପ୍ରଶଂସିତ ବିଖ୍ୟାତ ଜଟାୟୁ ପକ୍ଷୀ ସୂର୍ଯ୍ୟବଂଶୀୟ ରାମଙ୍କ ସହିତ ପ୍ରୀତି କଲା ଏବଂ ସୀତାଙ୍କୁ ଜଗି ରହିବା ପାଇଁ ସମ୍ମତ ହେଲା ।

୮୨ଶ ପଦ :- ବୀରବର ଭଞ୍ଜଙ୍କ କୃତ ଏ ଛାନ୍ଦ ବୟାଶୀ ପଦରେ ଶେଷ ହେଲା ।

 

ତ୍ରୟୋବିଂଶ ଛାନ୍ଦ

ରାଗ-ଚିନ୍ତାଦେଶାକ୍ଷ

 

ବୈଦେହୀ ଶ୍ରୀରାମ କି ସେ କରିଣୀ କରୀ ।

ବିନୋଦ ନଦୀରେ କୁଞ୍ଜକୁଟୀରେ କରି । ୧ ।

ବିହ୍ୱଳ ମାନସ ପ୍ରେମମଦଆଳସା ।

ବିରାଜିତ ପଦ୍ମ କରେ ପରାଗଭୂଷା । ୨ ।

ବିଭୀତେ ବନବିହାର ଲଙ୍କା ଭଞ୍ଜନେ ।

ବସତି ଶିଳାମାନରେ ଅତି ରଞ୍ଜନେ । ୩ ।

ବୁଲିଆସି ସୂର୍ପଣଖା ନାମେ ରାକ୍ଷସୀ ।

ବୃକ୍ଷାନ୍ତରେ ରହି ଚାହିଁ ହୋଇଲା ତୋଷୀ । ୪ ।

ବଣା ଧଇର୍ଯ୍ୟ ହୋଇ ସେ ରାମ ବଶରେ ।

ବିଚାରଇ ପୁନରୁକ୍ତି ବଦାଭାଷରେ । ୫ ।

 

୧ମ ପଦ :- କରୀ କରିଣୀ- ହସ୍ତୀ ହସ୍ତିନୀ । ବିନୋଦ-କ୍ରୀଡ଼ା ।

୧ମ ପଦ :- ହସ୍ତି ଓ ହସ୍ତିନୀ ଦୁହେଁ ଓ କୁଞ୍ଜମଧ୍ୟରେ କେଳି କଲାପରି ରାମ ଓ ସୀତା କେତେବେଳେ ଗୋଦାବରୀ ନଦୀରେ ଓ କେତେବେଳେ ବନର କୁଞ୍ଜ ମଧ୍ୟରେ କ୍ରୀଡ଼ା କଲେ ।

୨ୟ ପଦ :- ହସ୍ତୀ ଓ ହସ୍ତିନୀ ଯେପରି କେତେବେଳେ ପ୍ରେମ ରସରେ ଲୋଲୁପଚିତ୍ତ ହେତୁରୁ ବହ୍ୱଳ ହୋଇ ଜଳରେ ବୁଡ଼ିବାଦ୍ୱାରା ଜଳ ବିନ୍ଦୁରେ ଶୋଭିତ ଓ କେତେବେଳେ ଧୂଳିରେ ଗଡ଼ି ଧୂଳି ଭୂଷିତ ହୁଅନ୍ତି, ସେହିପରି ରାମ ଓ ସୀତା ଶୃଙ୍ଗାର ରସ ଲୋଲୁପ ହେତୁରୁ ସମାନ ଭାବରେ ବିହ୍ୱଳ ହୋଇଥାନ୍ତି । ସେମାନଙ୍କ ହସ୍ତରେ ପଦ୍ମ ଚିହ୍ନ ଥିବା ହେତୁ ଶୋଭା ପାଉଥାନ୍ତି ଓ କ୍ରୀଡ଼ା କାଳରେ ପୁଷ୍ପ ରେଣୁରେ ଭୂଷିତ ହେଉଥାନ୍ତି ।

୩ୟ ପଦ :- ଲଙ୍କା-ବୃକ୍ଷଶାଖା ।

୩ୟ ପଦ :- ହସ୍ତୀ ଓ ହସ୍ତିନୀ ନିର୍ଭୟରେ ବୃକ୍ଷ ଶାଖାମାନ ଭାଙ୍ଗି ଅରଣ୍ୟରେ ବିହାର କରନ୍ତି । ସେହିପରି ରାମ ସୀତା ନିର୍ଭୀକ ଚିତ୍ତରେ ଲଙ୍କାପୁରୀ ଭାଙ୍ଗିବାପାଇଁ ବନବିହାର କଲେ । ହସ୍ତୀ ହସ୍ତିନୀ ଅତି ସ୍ନେହରେ ଶିଳା ପ୍ରମାଣରେ ବସନ୍ତି । ତଦ୍ରୁପ ରାମ ସୀତା ଅତ୍ୟନ୍ତ ଅନୁରାଗର ସହିତ ପ୍ରସ୍ତରଖଣ୍ଡମାନଙ୍କ ଉପରେ ବସୁଥାନ୍ତି ।

୪ର୍ଥ ପଦ :- ବୃକ୍ଷାନ୍ତରେ-ଗଛ ଉହାଡ଼ରେ ।

୪ର୍ଥ ପଦ :- ସୂର୍ପଣଖା ନାମକ ରାକ୍ଷସୀ ବୁଲି ଆସିଥିଲା । ବୃକ୍ଷ ଉହାଡ଼ରେ ରହି ରାମ ସୀତାଙ୍କୁ ଦେଖି ସେ ଆନନ୍ଦିତ ହେଲା ।

୫ମ ପଦ :- ପୁନରୁକ୍ତି ବଦାଭାଷ-ଏକ ଶବ୍ଦକୁ ପୁନଃ ପୁନଃ କହିଲା ପରି ପ୍ରସ୍ତାବନା ।

୫ମ ପଦ :- ସେ ସୂର୍ପଣଖା ରାମଙ୍କ ପ୍ରୀତିବଶରେ ଅଧୈର୍ଯ୍ୟ ହୋଇ ପୁନରୁକ୍ତି ବଦାଭାଷ ଅଳଙ୍କାରରେ ବିଚାର କଲା ।

 

ବିହି ବିଧି ମଦନ କନ୍ଦର୍ପ କରିଣ ।

ବର କାନ୍ତ ପତି ମୋର ହୁଅନ୍ତେ ପୁଣ । ୬ ।

ବାସର ଦିବସ ନିଶି ଲବ କରନ୍ତି ।

ବିଧୂନନ ରତି କରି ମତି ତୋଷନ୍ତି । ୭ ।

ବାଳୀକି ନାହିଁ ଭୁବନେ ଲୋକରେ ବଳି ।

ବର୍ଣ୍ଣେ କାଞ୍ଚନ କନକ ସୁବର୍ଣ୍ଣ ଦଳି । ୮ ।

ବିଧୁ ଅବ୍‌ଜ ଚନ୍ଦ୍ର ଆଦରଶ ନିନ୍ଦନ ।

ବଦନ ଆନନ୍ଦ ଲକ୍ଷ୍ୟ ଶୋଭାସଦନ । ୯ ।

ବଡ଼ ଶୋଭା ରତି ଅଛି ଶମ୍ବରପୁରେ ।

ବ୍ୟୟ କରିଦେବା ଏହା ଊଣା ତା ଶିରେ । ୧୦ ।

 

୬ଷ୍ଠ ପଦ :- ବହି-ବିଧାନ କରି । ବର-ଅତିଶୟ । କାନ୍ତ-ସୁନ୍ଦର । ପତି-ସ୍ୱାମୀ ।

୭ମ ପଦ :- ବାସରେ-ଗୃହ ମଧ୍ୟରେ । ବିଧୂନନ-କମ୍ପନ ।

୬ଷ୍ଠ ଓ ୭ମ ପଦ :- ବିଧାତା କାମକୁ ଗର୍ବହୀନ କରିବାପାଇଁ ଏହାକୁ ବିହିଲା କି ? ଏପରି ଶ୍ରେଷ୍ଠ ମନୋହର ପୁରୁଷ ମୋର ପତି ହେଲେ, ମୁଁ ଗୃହ ମଧ୍ୟରେ ସୁରତରେ ପ୍ରୀତି କରି ମନତୋଷ କରନ୍ତି ଓ ରାତିଦିନକୁ ଲବେ ମାତ୍ର ସମୟ କରିଦିଅନ୍ତି ।

୮ମ ପଦ :- ବାଳୀକି-ସ୍ତ୍ରୀକି । କାଞ୍ଚନ-ଚମ୍ପାଫୁଲ । କନକ-ସୁନା । ସୁବର୍ଣ୍ଣ-ଉତ୍ତମ ବର୍ଣ୍ଣ ।

୮ମ ପଦ :- ସଂସାର ଲୋକଙ୍କ ମଧ୍ୟରେ ଏ ବାଳାକୁ ବଳି ଅଧିକ ସୁନ୍ଦରୀ ଆଉନାହିଁ । ଏହାର ଦେହରେ କନକଚମ୍ପା କାନ୍ତି ଉତ୍ତମ ସୁବର୍ଣ୍ଣକୁ ନିନ୍ଦା କରୁଅଛି ।

୯ମ ପଦ :- ବିଧୁ-ଚନ୍ଦ୍ର । ଅବ୍‌ଜ-ପଦ୍ମ । ଚନ୍ଦ୍ର ଆଦରଣ-ନିର୍ମଳ ଦର୍ପଣ । ବଦନ-ମୁଖ । ଶୋଭା ସଦନ-ସୌନ୍ଦର୍ଯ୍ୟପୂର୍ଣ୍ଣ ଗୃହ ।

୯ମ ପଦ :- ଚନ୍ଦ୍ର, ପଦ୍ମ ଓ ସୁବର୍ଣ୍ଣ ନିର୍ମିତ ଦର୍ପଣକୁ ନିନ୍ଦା କରୁଥିବା ପୁଣି ଶୋଭାର ଗୃହପରି ହୋଇଥିବା ଏହାର ମୁଖକୁ ଆଉ ଲକ୍ଷ୍ୟ ନାହିଁ ।

୧୦ମ ପଦ :- ଶ୍ରେଷ୍ଠ ସୁନ୍ଦରୀ ରତିଦେବୀ ଶମ୍ୱରାସୁରର ଗୃହରେ ଅଛି, ଏହାର ଊଣା ଅଙ୍ଗ ଅର୍ଥାତ୍‌ ପାଦ ପ୍ରଭୃତି ନିକୃଷ୍ଟ ଅଙ୍ଗ ତାହାର ମସ୍ତକ ସହିତ ତୁଳନା କରିବା ଉଚିତ । (ରତିର ବଦନ ଶୋଭା ଏହାର ପାଦ ଶୋଭା ସହିତ ସମାନ ହୋଇପାରେ) ।

 

ବିଭୋଗୀ ଏହାର ଯେଉଁ ଦିବ୍ୟ ପୁରୁଷ।

ବିହ୍ୱଳିବ ନାହିଁ ପରା ମୋରେ ମାନସ। ୧୧ ।

ବିଚାରିଲା ଭୃଙ୍ଗ ପୁଣି ମାଳତୀ ସ୍ନେହୀ।

ବାସଙ୍ଗେ ସଙ୍ଗ ହୁଅଇ ସରାଗ ବହି। ୧୨ ।

ବିଧାତାକୁ ସ୍ତୁତି କଲା କର ସୁଦଶା।

ବସାଇଲା ପ୍ରାୟ ଚନ୍ଦ୍ର କୋଳରେ ଶଶା । ୧୩ ।

ବନ୍ଧସଂଯୋଗ ଏହାର ମୋର ହୋଇଲେ ।

ବଶ ହୋଇ ଗୋଡ଼ାଇବ ମୋହର ତୁଲେ । ୧୪

ବେଶ୍ୟା ସଙ୍ଗତି ହୋଇଲେ ରସିକ ପୁଂସ।

ବଳାଇ କି ସ୍ୱକୀୟାରେ ସେ ଅଭିଳାଷ ? । ୧୫

 

୧୧ଶ ପଦ :- ଏ ଯେଉଁ ଦିବ୍ୟ ପୁରୁଷ ଏହାକୁ ଉପଭୋଗ କରୁଅଛି, ମୋ ସହିତ ବିହାର କରିବାକୁ ମନ କରିବ ନାହିଁ ପରା ! (ସନ୍ଦେହୋକ୍ତି) ।

୧୨ଶ ପଦ :- ସୂର୍ପଣଖା ପୁଣି ବିଚାରିଲା, ଭ୍ରମର ମାଳତୀ ପୁଷ୍ପରେ ସ୍ନେହୀ ହୋଇଥାଏ; ସେ ପୁଣି ବାସଙ୍ଗ ପୁଷ୍ପରେ ଅନୁରାଗ ବହି ସଙ୍ଗ ହୁଏ । (ଏ ସୁନ୍ଦରୀକୁ ଉପଭୋଗ କରୁଥିଲେ ସୁଦ୍ଧା ସେ ପୁରୁଷ ମୋ ପ୍ରତି ଅବା ଅନୁରକ୍ତ ହେବେ) ।

୧୩ଶ ପଦ :- ସୂର୍ପଣଖା ବିଧାତାକୁ ସ୍ତୁତି କରି କହିଲା, ‘‘ମୋର ଉତ୍ତମ ଦଶା ହେଉ । ଚନ୍ଦ୍ର କୋଳରେ ଶଶୀକୁ ବସାଇଲା ପ୍ରାୟ ଏ ପୁରୁଷ ମୋତେକୋଳରେ ଯେପରି ବସାଇବ ।’’

୧୪ଶ ପଦ :- ବନ୍ଧ ଚଉଷଠୀ-ପ୍ରକାର ସୁରତି ବନ୍ଧ ।

୧୪ଶ ପଦ :- ଏହାର ମୋହର ରତି ବନ୍ଧ ଯୋଗେ ସଂଯୋଗ ହେଲେ, ଏ ବଶ ହୋଇ ମୋ ସହିତ ଗୋଡ଼ାଇବ ।

୧୫ଶ ପଦ :- ଭୀରୁ-ସ୍ତ୍ରୀକୁ ।

୧୫ଶ ପଦ :- ରସିକ ପୁରୁଷ ବେଶ୍ୟା ସଙ୍ଗମ ପାଇଲେ ଆପଣା ଭାର୍ଯ୍ୟାଠାରେ ଆଉ ମାନସ ବଳାଏ କି ?

 

ବଶ କରି ପ୍ରେମେ ଚିତ୍ତ ନାଶିବି ଭୀରୁ

ବିରୋଧୋକ୍ତି ନ ଭାଷିବେ ଅନୁରୋଧରୁ। ୧୬ ।

ବିହିଲା ସୁନ୍ଦର ରୂପ ଏମନ୍ତ ଭାଳି

ବିନାଶିବ ଯୋଗୀଯୋଗ ଚାହିଁଲେ ଢ଼ାଳି । ୧୭ ।

ବୈରବୁଦ୍ଧି ଲୋକଜନନୀରେ ଉଦ୍ଧବ

ବିଷ୍ଟି ଅନୁକୂଳେ ଯୁକ୍ତ ଅଶୁଭ ହେବ । ୧୮ ।

ବାହାର ତରୁ ଅନ୍ତରୁଁ ଗେଲାଇ ହୋଇ

ବାଡ଼େ ନାସିକାର ଦେଉଅଛି ଫୁଲାଇ । ୧୯ ।

ବସଣୀ ଟେକି ହେବାର କି ମନୋରମ

ବସଣି କରିବ ଯୁବା ଚିତ୍ତରେ ପ୍ରେମ । ୨୦ ।

 

୧୬ଶ ପଦ :- ବିରୋଧୋକ୍ତି-ବିପରୀତ କଥା ।

୧୬ଶ ପଦ :- ପ୍ରେମରେ ଏହା ଚିତ୍ତ ବଶ କରି ଏହାର ଭାର୍ଯ୍ୟାକୁ ବିନାଶ କରିବ । ଉପରୋଧ ହେତୁ ସେ ବିରୋଧ ବଚନ କହିବି ନାହିଁ । (ମୋ ପ୍ରତି ସ୍ନେହ ପ୍ରଗାଢ଼ ହୋଇଗଲେ ଭାର୍ଯ୍ୟାକୁ ମାଇଲେ ସୁଦ୍ଧା ସେ ବିରକ୍ତ ହେବ ନାହିଁ) ।

୧୭ଶ ପଦ :- ଏହା ବିଚାରି ସେ ସୂର୍ପଣଖା ସୁନ୍ଦର ମୂର୍ତ୍ତି ଧଇଲା । ସେ ନେତ୍ର ଢାଳି ଚାହିଁଲେ ଯୋଗୀର ଯୋଗ ଭଗ୍ନ ହୋଇଯିବ ।

୧୮ଶ ପଦ :- ଯେଉଁଲୋକ ମାତାଠାରେ ଶତ୍ରୁଜ୍ଞାନ ଜାତ କରେ, ତାହାର ଅନୁକୂଳରେ ବିଷ୍ଟିଯୋଗ ହେତୁ ଅଶୁଭ ହୁଏ । ସୂର୍ପଣଖା ଲକ୍ଷ୍ମୀରୂପା ସୀତାଙ୍କଠାରେ ଶତ୍ରୁ ବୁଦ୍ଧି ଜାତ କଲା, ତେଣୁ ତାହାର ଅନୁକୂଳ ବିଷ୍ଟିଯୁକ୍ତ ହେଲା, ଅମଙ୍ଗଳ ନିଶ୍ଚୟ ହେବ ।

୧୯ଶ ପଦ :- ତରୁ ଅନ୍ତରୁ-ଗଛ ଉହାଡ଼ରୁ ।

୧୯ଶ ପଦ :- ସେ ସୂର୍ପଣଖା ବୃକ୍ଷ ଉହାଡ଼ରୁ ଗେହ୍ଲାଇ ହୋଇ ନାସିକାରୁ ଗୋଟିଏ ପୁଡ଼ା ଫୁଲାଇ ଦେଇ ବାହାର ହେଲା ।

୨୦ଶ ପଦ :- ବସଣୀ-ନାସିକାର ଅଳଙ୍କାର ବିଶେଷ । ବସଣି-ବସିବା ।

୨୦ଶ ପଦ :- ତା ନାକପୁଡ଼ା ଫୁଲିବାରୁ ବସଣୀ ଟେକି ହୋଇଯାଇ କି ସୁନ୍ଦର ଦିଶୁଅଛି ! ତାହା ଦେଖି ଯୁବକଙ୍କ ଚିତ୍ତରେ ପ୍ରେମ ବସତି ସ୍ଥାପନ କରିବ ।

 

ବାହି ଖଡ଼ୁଝାଡ଼ି ମନ-ମୀନକୁ ନେଇ

ବାହି କୁଚ-କୁବେଣୀରେ ଥୋଇ ଲୋଡ଼ଇ । ୨୧ ।

ବନ୍ଧକୀ ଜଙ୍ଘରୁ ଚେଳ ଚାଳିବା ରଙ୍ଗ

ବନ୍ଧନ ସେ ସ୍ତମ୍ଭେ ଇଚ୍ଛେ ମନ-ମାତଙ୍ଗ। ୨୨ ।

ବିଶିଷ୍ଟେ ଭୁରୁ କମ୍ପାଇ ଡୋଳା ଖେଳାଇ

ବିଶିଖକମାଣେ ସନ୍ଧି ବିନ୍ଧି ନ ଦେଇ। ୨୩ ।

ବଦାଉଛି ମଦନସମରେ ମୁଁ ଏକ

ବଦାଉ ଭାଲେ ଟେକିଛି ଖଡ୍ଗ ତିଳକ। ୨୪ ।

ବଳା ଡେଙ୍ଗୁରା ଦେଇ କି ଅପସରସା

ବଳାତ୍କାରେ ଶୋଭାଗୁଣେ ଛଡ଼ାଇ ରସା। ୨୫

 

୨୧ଶ ପଦ :- ଯେପରି ମତ୍ସ୍ୟଜୀବୀ ଜାଲ କାନିକି ଝାଡ଼ି ଦେଇ ମୀନକୁ ନେଇ ଖାଳୋଇରେ ପୁରାଏ, ସେହିପରି ସୂର୍ପଣଖା ଖଡ଼ୁ ବାହିକୁ ଝାଡ଼ି ଦେବାରେ ଯୁବା ପୁରୁଷର ମନ-ମୀନକୁ ନେଇ କୁଚ ରୂପ ଖାଳୋଇରେ ରଖି ଦେବ । (ତାର ହାତ ଛଟା ଦେଖି ଯୁବା ତାକୁ ଚାହିଁଲାମାତ୍ରକେ ଯୁବାର ମନ ତା’ର ସ୍ତନଠାରେ ଲାଖି ରହିବ) ।

୨୨ଶ ପଦ :- ବନ୍ଧକୀ-ଅସତୀ । ଚେଳ-ବସ୍ତ୍ର । ମନମାତଙ୍ଗ-ମନରୂପ ମତ୍ତହସ୍ତୀ ।

୨୨ଶ ପଦ :- ଅସତୀ ସୂର୍ପଣଖା ତା’ର ଜଙ୍ଘରୁ ଥରେ ଥରେ ଲଗା କାଢ଼ି ଦେଉଅଛି । ତଦ୍ୱାରା ଜଣାଯାଉଛି, ସେ ତା’ର ଦର୍ପ ରୂପ ସ୍ତମ୍ଭରେ ଯୁବା ପୁରୁଷର ମନରୂପ ହସ୍ତୀକୁ ବନ୍ଧନ କରିବାକୁ ଇଚ୍ଛାକରୁଛି କି ?

୨୩ଶ ପଦ :- କମାଣ-ଧନୁ । ବିଶିଖ-ଶର ।

୨୩ଶ ପଦ :- ସେ ସୂର୍ପଣଖା ଭ୍ରୁଲତାକୁ ଖୁବ୍‌ଶୀଘ୍ର ଗତିରେ ଚଳାଇ ଡୋଳା ଖେଳାଉଅଛି । ତାହା ଦେଖି ମନହୁଏ, ସେ ଭ୍ରୁଲତା ଧନୁରେ ନେତ୍ରଶର ସନ୍ଧାନ କରି ମାତ୍ର ବିନ୍ଧି ନ ଦେଇ ରଖିଅଛି ।

୨୪ଶ ପଦ :- ମଦନ ସମରେ-କାମଯୁଦ୍ଧରେ ।

୨୪ଶ ପଦ :- ସେ ଭାଲପଟରେ ତିଳକ ରୂପ ଖଡ଼୍‌ଗକୁ ଡେରି ରଖିବାଦ୍ୱାରା କୁହାଉଛି ଯେ, କାମ ଯୁଦ୍ଧରେ ମୋ ବ୍ୟତୀତ ଆଉ କେହି ନାହିଁ । (ତା’ ଭାଲ ପଟରେ ଥିବା ତିଳକ ଖଣ୍ଡାଧାର ପରି ଦେଖାଯାଉଛି।)

୨୫ଶ ପଦ :- ଅପସରସା-ଅପ୍‌ସରାମାନେ । ରସା-ପୃଥିବୀ ।

୨୫ଶ ପଦ :- ସେ ବଳା ପିନ୍ଧିଅଛି । ଚାଲିଗଲାବେଳେ ସେ ବଳା ଶବ୍ଦରୂପ ଡେଙ୍ଗୁରା ବାଦ୍ୟ ବଜାଇ ଜଣାଇ ଦେଉଛି ଯେ, ଶୋଭାଗୁଣରେ ମୁଁ ଅପ୍‌ସରାମାନଙ୍କୁ ଜୟ କରି ବଳାତ୍କାରରେ ତାଙ୍କୁ ପୃଥିବୀରୁ ତଡ଼ି ଦେଇ ସ୍ୱର୍ଗରେ ରଖିଅଛି ।

 

ବହି ରଙ୍ଗ ତାମ୍ବୁଳ ପଡ଼ଇ ଅଧରେ।

ବହିରଙ୍ଗରୂପୀ ମିଳେ ରାମ ପାଶରେ। ୨୬ ।

ବୋଲଇ ଅରଣ୍ୟବାସୀ କିପାଁ ସୁନ୍ଦର?

ବୋଳ ଭସ୍ମ ଅଙ୍ଗେ ଶିରେ ଜଟା ତ ଧର। ୨୭ ।

ବହ କାଣ୍ଡ କୋଦଣ୍ଡ କ୍ଷତ୍ରିୟ ପରାୟ ।

ବହନ କଥନ କରି ଛେଦ ସଂଶୟ। ୨୮ ।

ବଧୂଏ ସଙ୍ଗେ ଘେନିଛ ରସିକପଣେ ।

ବଧୁଛ ମୃଗ ଗଣ୍ଡକ ପିତୃ ତୋଷଣେ। ୨୯ ।

ବୀର ସକଳ ପ୍ରକାଶି ବନେ ଆସିବା।

ବିରସଭାବେ ଭାଷିତ ଶୁଣ ହେ ଯୁବା। ୩୦ ।

 

୨୬ଶ ପଦ :- ବହିରଙ୍ଗରୂପା-ବାହ୍ୟରେ ସୁନ୍ଦର ରୂପ ।

୨୬ଶ ପଦ :- ତାହାର ଓଷ୍ଠରେ ପାନ ପିକ ବୋହିପଡ଼ିଛି । ବାହାରେ ସୁନ୍ଦରୀ ରୂପ ସାଜିଥିବା ସେହି ରାକ୍ଷସୀ ରାମଙ୍କ ନିକଟରେ ପ୍ରବେଶ କଲା ।

୨୭ଶ ପଦ :- ସୂର୍ପଣଖା ରାମଙ୍କୁ କହିଲା, ‘‘ହେ ସୁନ୍ଦର ! ତୁମ୍ଭେ ବନଚାରୀ କାହିଁକି ହେଲ ? ଦେହରେ ଭସ୍ମ କିପାଁ ବୋଳି ହୋଇଅଛି ? ମସ୍ତକରେ ଜଟା କାହିଁକି ବାନ୍ଧିଅଛ ?’’

୨୮ଶ ପଦ :- କୋଦଣ୍ଡ-ଧନୁ ।

୨୮ଶ ପଦ :- ‘‘ପୁଣି କ୍ଷତ୍ରିୟ ପ୍ରାୟ ଧନୁଶର ଧରିଅଛ । ଏ କାରଣମାନ ଶୀଘ୍ର କହି ମୋର ସନ୍ଦେହ ନିବାରଣ କର ।’’

୨୯ଶ ପଦ :- ‘‘ପୁଣି ରସିକ ପରି ଗୋଟିଏ ସ୍ତ୍ରୀ ସଙ୍ଗରେ ଘେନି ଅଛ ଓ ପିତୃ ପୁରୁଷଙ୍କ ସନ୍ତୋଷ ପାଇଁ ମୃଗ ଗଣ୍ଡା ଆଦି ପଶୁଙ୍କୁ ବଧ କରୁଅଛ ।’’

୩୦ଶ ପଦ :- ସୂର୍ପଣଖାର ପ୍ରଶ୍ନ ଶୁଣି ବୀର ରାମଚନ୍ଦ୍ର ବନକୁ ଆସିବା ଚରିତମାନ ପ୍ରକାଶ କଲେ । ତାହା ଶୁଣି ସୂର୍ପଣଖା ବିରସ ଭାବରେ କହିଲା, ‘‘ହେ ଯୁବା ! ଶୁଣ’’-

 

ବଶୀଭୁତ ହୋଇ ତବ ଶୋଭାକୁ ଚାହିଁ।

ବସିବାକୁ ତୁମ୍ଭ କୋଳେ ଆସିଛି ମୁହିଁ। ୩୧ ।

ବନ୍ଧନ କରି ଭୁଜରେ ଜାଣଇ ସତ।

ବନ୍ଧରେ ଯେ ସୁଖଚକ୍ର ପୁରୁଷାୟିତ । ୩୨ ।

ବିଶ୍ରବାନନ୍ଦିନୀ ମୁଁ ଯେ କୁଳରେ ସାଧୁ।

ବିସ୍ରବାଇ ଓଷ୍ଠୁ ପିଅ ମଧୁରମଧୁ । ୩୩ ।

ବତ୍ସଜାତ ହରେ ଦେଲେ କମଳକର ।

ବତ୍ସଳେ ସେ ଫଳେ ହେବ ରାଜା ସ୍ୱର୍ଗର । ୩୪ ।

ବାରବେନିପୁରେ ରାଜ ମୋର ସୋଦର ।

ବାରତା ପାଇ ହୋଇବେ ହରଷଭର । ୩୫ ।

 

୩୧ଶ ପଦ :- ‘‘ମୁଁ ତୁମ୍ଭ ସୌନ୍ଦର୍ଯ୍ୟ ଦେଖି ବଶିଭୂତ ହୋଇ ତୁମ୍ଭ କୋଳରେ ବସିବା ପାଇଁ ଆସିଅଛି ।’’

୩୨ଶ ପଦ :- ପୁରୁଷାୟିତ-ବିପରୀତ ରତି।

୩୨ଶ ପଦ :- ‘‘ଭୂଜ ବନ୍ଧନ ରୂପ ବହୁତ ପ୍ରକାର ଆଲିଙ୍ଗନ ଏବଂ ଚଉଷଠୀ ବନ୍ଧ ମଧ୍ୟରେ ସୁଖଦାୟକ ଚନ୍ଦ୍ର ବନ୍ଧ ଓ ବିପରୀତ ବନ୍ଧ ମୁଁ ଜାଣେ ।’’

୩୩ଶ ପଦ :- ବିସ୍ରବାଇ-ତରଳାଇ ।

୩୩ଶ ପଦ :- ‘‘ମୁଁ ବିଶ୍ରବା ଋଷିଙ୍କ କନ୍ୟା, ତେଣୁ ମୋର ଜାତି ଉତ୍ତମ ଅଟେ । ମୋ ଓଷ୍ଠରୁ ସୁମିଷ୍ଟ ମଧୁ ଝରାଇ ପାନ କର ।’’

୩୪ଶ ପଦ :- ବତ୍ସଳେ-ସ୍ନେହ ଯୁକ୍ତ ହୋଇ ।

୩୪ଶ ପଦ :- ‘‘ମୋର ବକ୍ଷଜାତ ଶମ୍ଭୁରେ ସ୍ନେହଯୁକ୍ତ ହୋଇ (ସ୍ତନରେ) ହସ୍ତପଦ୍ମ ଦେଲେ, ତାହାର ଫଳରେ ତୁମ୍ଭେ ସ୍ୱର୍ଗର ରାଜା ହେବ । (ମୋର ସ୍ତନରେ ହସ୍ତ ଦେଲେ ତୁମ୍ଭେ ସ୍ୱର୍ଗସୁଖ ଅନୁଭବ କରିବ) ।’’

୩୫ଶ ପଦ :- ବାରବେନିପୁର-ଚତୁର୍ଦ୍ଦଶ ପୁର । ସୋଦର-ଭାଇ ।

୩୫ଶ ପଦ :- ‘‘ମୋର ଭାଇ ଚଉଦ ଭୁବନରେ ରାଜା ଅଟେ । ସେ ଏ କଥା ଶୁଣି ପାରିଲେ ଅତିଶୟ ହର୍ଷ ହେବ, ତା ଫଳରେ ତୁମ୍ଭର ମଙ୍ଗଳ ହେବ ।’’

 

ବିରଞ୍ଚି ଲେଖିଛି ଭାଲପଟେ ତୁମ୍ଭର ।

ବିରଚିବ ନନ୍ଦନବନରେ ବିହାର । ୩୬ ।

ବିନୋଦ ଯେଉଁ ରାମାରେ କରିବ ମତି।

ବିନୋୟ ନୋହୁଁ ଧରିବି ମୁଁ ସେହି ମୂର୍ତ୍ତି। ୩୭ ।

ବୋଇଲେ ରଘୁନନ୍ଦନରେ ରାମାବର ।

ବ୍ରତ ଆଚରଣେ ଏକପତ୍ନୀ ମୋହର । ୩୮ ।

ବଡ଼କୁଳେ ଜାତ ଭୁପଭଗନୀ ତୁହି ।

ବୃଷସ୍ୟନ୍ତୀ ଆଚରଣ ଭଲ ତ ନୋହି । ୩୯ ।

ବାସ୍ତୋଷ୍ପତି ଅଧିକାରେ କି କାର୍ଯ୍ୟ ମୋର?

ବହି ନ ପାରେ ଅଧିକ ନେତ୍ର ଶରୀର। ୪୦ ।

 

୩୬ଶ ପଦ :- ବିରଞ୍ଚି-ବିଧାତା ।

୩୬ଶ ପଦ :- ‘‘ବିଧାତା ତୁମ୍ଭ କପାଳରେ ଲେଖିଛି ଯେ, ତୁମ୍ଭେ ସ୍ୱର୍ଗର ଚନ୍ଦନ ବନରେ ବିହାର କରିବ । ଏହା ଅନ୍ୟଥା ହୋଇ ନ ପାରେ ।’’

୩୭ଶ ପଦ :- ‘‘ତୁମ୍ଭେ ଯେଉଁ କାମିନୀ ସଙ୍ଗେ କେଳି କରିବାକୁ ମନ କରିବ, ମୋତେ ବିନୟ ନ ହେଉଣୁ ମୁଁ ସେହି ମୂର୍ତ୍ତି ଧାରଣ କରିବି ।’’

୩୮ଶ ପଦ :- ସୂର୍ପଣଖାର ଉତ୍ତରରେ ରାମଚନ୍ଦ୍ର କହିଲେ, ‘‘ରେ ରାମାବର, ମୁଁ ଏକପତ୍ନୀ ବ୍ରତ ଗ୍ରହଣ କରିଅଛି । (ଅନ୍ୟ ସ୍ତ୍ରୀ ମୋହର ଦରକାର ନାହିଁ) ।’’

୩୯ଶ ପଦ :- ଭୂପ-ରାଜା । ବୃଷସ୍ୟନ୍ତୀ-କାମୁକୀ ।

୩୯ଶ ପଦ :- ‘‘ତୁ ଉଚ୍ଚବଂଶରେ ଜାତ, ପୁଣି ରାଜାର ଭଉଣୀ ଅଟୁ । ତୋହର ଏ କାମୁକୀ ପରି ଆଚରଣ କରିବା ତ ଭଲ ନୁହେଁ ।’’

୪୦ଶ ପଦ :- ବାସ୍ତୋଷ୍ପତି-ଇନ୍ଦ୍ର ।

୪୦ଶ ପଦ :- ‘‘ଇନ୍ଦ୍ରର ସମ୍ପତ୍ତିରେ ମୋର କାର୍ଯ୍ୟ ନାହିଁ । କାରଣ, ମୁଁ ଦେହରେ ବହୁତ ଆଖି ବହି ପାରିବି ନାହିଁ । (ଇନ୍ଦ୍ର ପର ସ୍ତ୍ରୀ ହରଣ କରି ବହୁ ନେତ୍ର ବହି ଅଛନ୍ତି, ମୁଁ ପର ସ୍ତ୍ରୀ ହରଣ କଲେ ତ ସେହି ଫଳ ପାଇବି) ।’’

 

ବିଟଭାବ ଲମ୍ପଟରେ ତେମନ୍ତ ସେହି।

ବିଅର୍ଥେ ଶିଳାସ୍ୱରୁପ ନ ବହ ତୁହି । ୪୧ ।

ବିନାଶନ ମୋ ବଲ୍ଲଭ ଭାଷେ ଚପଳ।

ବିନାଶନରେ ଅମୃତ କରୁଁ ତ ଢାଳ । ୪୨ ।

ବଡ଼ ମାନବୀରୁ ଘେନ ଦାନବୀ ବାଳୀ।

ବସାଇ ହୃଦୟ ତୁଳପାତ୍ରରେ ତୁଳି । ୪୩ ।

ବିଶେଷେ ରତିରେ କେ ହୋଇବ ବିଚାର।

ବଣିକ ଭାବରେ ତହିଁ ବଣିଜ କର। ୪୪ ।

ବିଷ୍ଣୁ ପଦୀଜଳା କେଡ଼େ ନିର୍ମଳ ଯୋଷା ।

ବାରିଦ ଆବିଳ ଜଳେ ଚାତକ ଆଶା। ୪୫ ।

 

୪୧ଶ ପଦ :- ‘‘ଇନ୍ଦ୍ର ବିଟଭାବରେ ଲମ୍ପଟୀ ହୋଇ ପର ସ୍ତ୍ରୀ ଅହଲ୍ୟାଠାରେ ଆସକ୍ତ ହେବାରୁ ଏପରି ସହସ୍ର ନେତ୍ର ଧାରଣ କଲେ । ତୁ ବିନା କାରଣରେ ଅହଲ୍ୟା ପରି ପାଷାଣ ରୂପ ହୁଅ ନାହିଁ ।’’

୪୨ଶ ପଦ :- ବିନାଶନ-ବିନିଷ୍ଟ ଅର୍ଥାତ୍‌ ମୃତ । ବଲ୍ଲଭ-ସ୍ୱାମୀ । ଚପଳ-ଶୀଘ୍ର । ବିନାଶନରେ-ନ ଖାଇ ।

୪୨ଶ ପଦ :- ସୂର୍ପଣଖା ଶୀଘ୍ର କହିଲା, ‘‘ମୋର ସ୍ୱାମୀ ମୃତ ହୋଇଅଛି । ଆଉ କିଏ ଶାପ ଦେଇ ମୋତେ ପାଷାଣ କରିବ ? ତୁମ୍ଭେ ଭୋଜନ ନ କରି (ଉପଭୋଗ ନ କରି) ମୋ ପରି ଅମୃତକୁ ହସ୍ତରୁ ଫିଙ୍ଗି ଦେଉଛ କାହିଁକି ?’’

୪୩ଶ ପଦ :- ‘‘ରାକ୍ଷସୀ ସ୍ତ୍ରୀ ମନୁଷ୍ୟ ସ୍ତ୍ରୀଠାରୁ ବଡ଼ ଅଟେ । ଏହା ତୁମ୍ଭ ହୃଦୟ ରୂପ ନିକିତିରେ ବସାଇ ଓଜନ କର ।’’

୪୪ଶ ପଦ :- ‘‘ରତିରେ କିଏ ଅଧିକ ହେବ ତାହା ବିଚାର କରି ବଣିକ ଭାବରେ ତାହାଠାରେ ବେପାର କର । (ବଣିଆ ରତି ପକାଇ ସୁନା ଓଜନ କରେ ଓ ଯେ ଅଧିକ ହୁଏ ତାକୁ କିଣି ବେପାର କରେ । ସେହିପରି ତୁମ୍ଭେ ଯାହାକୁ ଅଧିକ ରତିନିପୁଣା ବିଚାରିବ, ତାହା ସହିତ ପ୍ରୀତି କରିବ) ।’’

୪୫ଶ ପଦ :- ବିଷ୍ଣୁ ପଦୀ-ଗଙ୍ଗା। ଯୋଷା-ସ୍ତ୍ରୀ । ବାରିଦ-ମେଘ । ଆବିଳ ଜଳ-ଗୋଳିଆ ପାଣି ।

୪୫ଶ ପଦ :- ରାମଚନ୍ଦ୍ର ଉତ୍ତର କଲେ, ‘‘ରେ ରମଣୀ ! ଗଙ୍ଗାର ଜଳ ଯେତେ ନିର୍ମଳ ହେଲେ ସୁଦ୍ଧା ଚାତକ ପକ୍ଷୀର ଆଶା ତହିଁରେ ନ ଥାଏ । ମେଘର ଗୋଳିଆ ପାଣିକୁ ତାହାର ଆଶା ଥାଏ । (ସେହିପରି ତୁ ରତିନିପୁଣା ହେଲେ ମଧ୍ୟ ତୋ ପ୍ରତି ମନ ନ ଯାଇ ସୀତା ପ୍ରତି ଆକୃଷ୍ଟ ହେଉଅଛି) ।’’

 

ବହ୍ନିକଣା ଗିଳା ଚକୋର ହେ ନାଗର।

ବିଧୁକର ସ୍ୱାଦୁ ଘେନି ଲୋଭୀ ତହିଁର। ୪୬ ।

ବିଭୋଗୀ ଅସୁରୀ ଏ ବିଜ୍ଞାନ ନ କର।

ବିଷ୍ଣୁ ବଶ ଜଳନ୍ଧର ମନୋହାରୀର । ୪୭ ।

ବିଜେ କର ଉଠି କୁଞ୍ଜେ କରିବା କେଳି।

ବକ୍ତା ହେଲେ ରାମ ଚାଳ ଘଞ୍ଚାଳ ବାଳୀ। ୪୮ ।

ବତ୍ରାକ୍ଷି ମନୁଜେ ନାହିଁ ଅନୁଜେ ଚାହାଁ।

ବୁଧସେ ମୋ ଆଜ୍ଞା କହ ହୋଇବ ନହା । ୪୯ ।

ବାମଲୋଚନା ସଙ୍ଗତି ନାହିଁ ତାହାର।

ବାମ ନୋହି ତତ୍କାଳ କରିବ ସ୍ୱୀକାର । ୫୦ ।

 

୪୬ଶ ପଦ :- ବହ୍ନିକଣା-ନିଆଁ ଝୁଲ। ବିଧୂକର-ଚନ୍ଦ୍ରକିରଣ।

୪୬ଶ ପଦ :- ସୂର୍ପଣଖା କହିଲା, ‘‘ହେ ନାଗର ! ଅଗ୍ନିକଣା ଗିଳୁଥିବା ଚକୋର ପକ୍ଷୀ ଚନ୍ଦ୍ର କିରଣର ସ୍ୱାଦୁ ପାଇଲେ ତହିଁରେ ଲୋଭୀ ହୋଇଥାଏ । (ତୁମ୍ଭେ ମୋ ସହତି ରତି କଲେ, ବଳେ ବଳେ ମୋ ପ୍ରତି ଆକୃଷ୍ଟ ହେବ) ।’’

୪୭ଶ ପଦ :- ‘‘ମୁଁ ଅସୁରୀ, ତେଣୁ ଭୋଗଯୋଗ୍ୟା ନୁହେଁ, -ଏହା ଭାବି ମୋତେ ତୁଚ୍ଛାଜ୍ଞାନ କାର ନାହିଁ । ଦେଖ, ଜଳନ୍ଧର ଅସୁରର ଭାର୍ଯ୍ୟା ବୃନ୍ଦାବତୀଠାରେ ବିଷ୍ଣୁ ବଶ ହୋଇଥିଲେ ।’’

୪୮ଶ ପଦ :- ‘‘ଉଠି କୁଞ୍ଜ ଭିତରକୁ ବିଜେ କର । ସେଠାରେ କେଳି କରିବା ।’’ ସୂର୍ପଣଖାର ଏ ବଚନ ଶୁଣି ରାମଚନ୍ଦ୍ର କହିଲେ, ‘‘ହେ ବାଳି ! କଟାଳ କର ନାହିଁ ।’’

୪୯ଶ ପଦ :- ବକ୍ରାକ୍ଷ-କୁଟିଳ ନୟନା । ମନୁଜେ-ମନୁଷ୍ୟମାନଙ୍କ ମଧ୍ୟରେ । ଅନୁଜ-ସାନଭାଇ । ବୁଧ-ପଣ୍ଡିତ ।

୪୯ଶ ପଦ :- ‘‘ମୋ ଅନୁଜ ଲକ୍ଷ୍ମଣ ପରି ସୁନ୍ଦର ମନୁଷ୍ୟମାନଙ୍କ ଭିତରେ ଆଉ କେହି ନାହାନ୍ତି । ତାକୁ ବକ୍ର ଦୃଷ୍ଟିରେ ଚାହଁ । ସେ ପଣ୍ଡିତ ଲୋକ, ମୋର ଆଜ୍ଞା ଦେବା କଥା କହିଲେ, ସେ ତୋର ପତି ହେବ ।’’

୫୦ଶ ପଦ :- ବାମଲୋଚନା-ସ୍ତ୍ରୀ ।

୫୦ଶ ପଦ :- ‘‘ସେ ଭାଇର ସ୍ତ୍ରୀସଙ୍ଗମ ନାହିଁ । ତେଣୁ ସେ ତୋଠାରେ ପ୍ରତିକୂଳ ନ ହୋଇ ତୋ କଥା ଶୁଣିବା ମାତ୍ରକେ ରାଜି ହୋଇଯିବ ।’’

 

ବିଲୋକି ସେ ଆଲୋକିତ ସୁନ୍ଦର ରୂପ ।

ବେଗେ ଯାଇ କାମୁକୀ ଲକ୍ଷ୍ମଣ ସମୀପ। ୫୧ ।

ବିନୟୀ ହୋଇ ନିକଷାତନୟୀ କହି।

ବକ୍ତବ୍ୟ ତରୁଣ ରାମ ସେବକ ମୁହିଁ। ୫୨ ।

ବ୍ରହ୍ମାଣ୍ଡେ ଏକ ରାଜନଭଗ୍ନୀ ହେବ କି ?

ବିହୁଁ ଭୂମି-ଚାଷ ଜାତ-କନ୍ୟା ସେବକୀ । ୫୩ ।

ବାସେ ରାତ୍ର ଯୋଗୀ ପ୍ରାୟ ନିଦ୍ରାକୁ ତେଜି।

ବାହୁଡ଼ରେ ବରାଙ୍ଗନା ମୋତେ ନ ଭଜି। ୫୪ ।

ବାହୁଡ଼ିଲା ରୋଷେ କାମବଶେ ଭାଷିତା ।

ବିଳୋହୁ ମୋତେ ଯେମନ୍ତ ନଟଯୋଷିତା । ୫୫ ।

 

୫୧ଶ ପଦ :- ରାମଚନ୍ଦ୍ରଙ୍କଠାରୁ ଶୁଣି କାମୁକୀ ସୂର୍ପଣଖା ଲକ୍ଷ୍ମଣଙ୍କର ଅଦୃଷ୍ଟପୂର୍ବ ସୁନ୍ଦର ରୂପ ଦେଖି ଶୀଘ୍ର ତାଙ୍କ ପାଖକୁ ଗଲା ।

୫୨ଶ ପଦ :- ନିକଷାତନୟୀ-ସୂର୍ପଣଖା । ତରୁଣ-ଯୁବକ ।

୫୨ଶ ପଦ :- ନିକଷା ତନୟା ସୂର୍ପଣଖା ଲକ୍ଷ୍ମଣଙ୍କ ପାଖକୁ ଯାଇ ବିନୟ ଭାବରେ ନିଜ କଥା କହିଲା । ତା କଥା ଶୁଣି ତରୁଣ ଲକ୍ଷ୍ମଣ କହିଲେ, ‘‘ମୁଁ ରାମଙ୍କର ସେବକ ଅଟେ ।’’

୫୩ଶ ପଦ :- ‘‘ବ୍ରହ୍ମାଣ୍ଡମଧ୍ୟରେ ଯେ ସର୍ବଶ୍ରେଷ୍ଠ ରାଜାର ଭଗ୍ନୀ, ସେ ଭୂମି ଚଷୁ ଚଷୁ ଜାତ ହୋଇଥିବା କନ୍ୟାର ସେବକୀ ହେବ କି ? (ତୁମ୍ଭେ ମୋର ସ୍ତ୍ରୀ ହେଲେ ସୀତାଙ୍କର ଦାସୀ ହେବ, ମାତ୍ର ତା ଅନୁଚିତ । କାରଣ ତୁମ୍ଭେ ସର୍ବେଶ୍ରେଷ୍ଠ ରାଜାଙ୍କ ଭଗ୍ନୀ ଓ ସୀତା ମାଟିତଳୁ ଜାତ କୃଷକ କନ୍ୟା) ।’’

୫୪ଶ ପଦ :- ‘‘ରେ ବିରାଙ୍ଗନା ! ମୁଁ ନିଦ୍ରା ନ ଯାଇ ରାତ୍ରରେ ଯୋଗୀ ପ୍ରାୟ ଜଗି ବସେ । ଏପରି ଅବସ୍ଥାରେ ମୋତେ ମନ ନ ବଳାଇ ତୁ ଫେରିଯାଅ ।’’

୫୫ଶ ପଦ :- ନଟଯୋଷିତା-ନୃତ୍ୟକାରିଣୀ ବେଶ୍ୟା ।

୫୫ଶ ପଦ :- ଲକ୍ଷ୍ମଣଙ୍କର ନାସ୍ତିବାକ୍ୟ ଶୁଣି କାମାତୁରା ସୂର୍ପଣଖା ରାଗରେ ଫେରିଯାଇ ରାମଚନ୍ଦ୍ରଙ୍କ କହିଲା, ‘‘ମୋତେ ବେଶ୍ୟାପରି ତୁ ଅନ୍ୟପୁରୁଷ ପାଖକୁ ପଠାଉଅଛୁ ।’’

 

ବୀଭତ୍ସ ରସରେ ତବ ସ୍ୱାଧୀନ ଭର୍ତ୍ତା ।

ବିଯୋଗ କରିବି ରଖି ନ ପାରେ ଧାତା। ୫୬ ।

ବଢ଼ାଉଁ ହସ୍ତ ସୀତାର ନାଶ ଆଶରେ।

ବିହି ଲେଖ ଦେଲେ ତାକୁ ଭାଷା ଶ୍ଳେଷରେ । ୫୭ ।

ବାବୁ ନାକ ଶିରୀ ଦାନ ଯୋଗ୍ୟ ଯୋଷାକୁ ।

ବିହର କାନନ କର ଆଲିଙ୍ଗନକୁ। ୫୮ ।

ବଇଦେହୀଦାସୀ ଏ କି ଘେନି ହୋଇବ ?

ବିଧିରେ ଇନ୍ଦ୍ର ପ୍ରଶଂସା ତୁମ୍ଭେ ପାଇବ । ୫୯ ।

ବୋଧ ମତି କାମାନ୍ଧେ ନ ବୁଝି ହସିଲା ।

ବାହୁଡ଼ାଇବେ ନାହିଁ ତ ଆଉ ଭାଷିଲା। ୬୦ ।

 

୫୬ଶ ପଦ :- ‘‘ତୁମ୍ଭର ପ୍ରିୟାବତୀ ଭାର୍ଯ୍ୟାକୁ ବୀଭତ୍ସରସରେ ରକ୍ତ, ମାଂସ ହାଡ଼ ପିଞ୍ଜି ବିନାଶ କରିବି, ବିଧାତା ଏହା ଅନ୍ୟଥା କରି ନ ପାରେ ।’’

୫୭ଶ ପଦ :- ଏହା କହି ସୂର୍ପଣଖା ସୀତାଙ୍କ ବିନାଶ ପାଇଁ ହସ୍ତ ବଢ଼ାନ୍ତେ, ରାମଚନ୍ଦ୍ର ଶ୍ଳେଷୋକ୍ତିରେ ପତ୍ର ଲେଖି ସୂର୍ପଣଖାକୁ ଦେଲେ ।

୫୮ଶ ପଦ :- ନାକଶିରୀ-ସ୍ୱର୍ଗସୁଖ, ନାସିକା ଶୋଭା । ଦାନ-ଚ୍ଛେଦନ, ଦେବ ।

୫୮ଶ ପଦ :- ସୂର୍ପଣଖା ବୁଝିବା ଅର୍ଥ- ରେ ବାବୁ ଲକ୍ଷ୍ମଣ ! ସ୍ୱର୍ଗ ସମ୍ପତ୍ତିକୁ ଦେବାପାଇଁ ଯୋଗ୍ୟ ଏ ଯେଉଁ ରମଣୀ, ଏହାକୁ କୋଳ କରି ବନରେ ଏହା ସହିତ ବିହାର କର ।

ପ୍ରକୃତ ଅର୍ଥ :- ହେ ବାବୁ ! ଏ କାମିନୀର ନାସିକା ଶୋଭା ଛେଦନ ଯୋଗ୍ୟ ଅଟେ (ଏହାର ନାକକାନ କାଟିବା ଉଚିତ) । ଆଲିଙ୍ଗନ ନ କରି ଏହାର ନାକ କାନକୁ ବିଶେଷ ଭାବରେ ହରଣ କର ।

୫୯ଶ ପଦ :- ବିଧିରେ-ଦୈବ ଯୋଗରେ; ମୂର୍ଖଙ୍କ ମଧ୍ୟରେ ।

୫୯ଶ ପଦ :- ସୁର୍ପଣଖା ବୁଝିବା ଅର୍ଥ-ଏ ଜଣେ ପ୍ରଧାନ ରାଜାର ଭଉଣୀ, ତେଣୁ କାହିଁକି ଏ ସୀତାଙ୍କର ଦାସୀ ହେବ? ଦୈବବଳରେ ତୁମ୍ଭେ ଏହାକୁ ବିବାହ କଲେ ଇନ୍ଦ୍ର ତୁଲ୍ୟ ପ୍ରଶଂସା ଲାଭ କରିବା ।

ପ୍ରକୃତ ଅର୍ଥ :- ଏ ସ୍ତ୍ରୀ କି ଗୁଣ ଯୋଗୁ ସୀତାଙ୍କର ଦାସୀ ହେବ ? (ଦାସୀ ହେବାର ମଧ୍ୟ ଅନୁପଯୁକ୍ତ) । ଏହାକୁ ଗ୍ରହଣ କଲେ, ତୁମ୍ଭେ ମୂର୍ଖଙ୍କ ମଧ୍ୟରେ ଶ୍ରେଷ୍ଠ, ଏହି ପ୍ରଶଂସା ପାଇବ । (ମୂର୍ଖ ଶ୍ରେଷ୍ଠ ବୋଲି ନିନ୍ଦା ପାଇବ) ।

୬୦ଶ ପଦ :- ସୂର୍ପଣଖା କାମରେ ଅନ୍ଧ ହୋଇଥିବାରୁ ପତ୍ରର ପ୍ରକୃତ ଅର୍ଥ ବୁଝି ନ ପାରି ମନବୋଧ ହୋଇଯିବାରୁ ଆନନ୍ଦରେ ହସିଲା । ପୁଣି କହିଲା, ‘‘ଆଉ ବାହୁଡ଼ାଇବେ ନାହିଁ ତ ?’’

 

ବୋଲେ ଦାଶରଥି ନାହିଁ ନାହିଁ ତକ୍ଷଣ।

ବେନି ଉତ୍ତର ଦେବାରେ ପଢ଼ି ଲକ୍ଷଣ। ୬୧ ।

ବାହୁ ଟେକି ଉଠୁଁ ତର୍କି କାର୍ଯ୍ୟ ସଫଳ ।

ବାହେ ଯତି ଏହିକ୍ଷଣି କରିବ କୋଳ । ୬୨ ।

ବାଳ ଧରୁଁ ବିଚାରିଲା କର୍ଣ୍ଣାଟ ନାରୀ।

ବନ୍ଧ ସଂଯୋଗେ ନାୟକ କୁନ୍ତଳ ଧରି । ୬୩ ।

ବିଭୋଗୀ ଏହାଙ୍କ ଦେଶେ ଏରୂପେ ପୁଂସ ।

ବସୁଧାରେ ପାତୁଁ ଭାଳେ ରତି ପ୍ରକାଶେ । ୬୪ ।

ବିଛେଦୁଁ ନାସା ଶ୍ରବଣ ଦୀର୍ଘ ରଟିଲା।

ବିଘାତୁ ସିଂହ ହସ୍ତିନୀ ଲକ୍ଷ୍ୟ ଘଟିଲା । ୬୫ ।

 

୬୧ଶ ପଦ :- ରାମଚନ୍ଦ୍ର ଉତ୍ତର ଦେଲେ, ‘‘ନାହିଁ ନାହିଁ । (ପ୍ରକୃତ ଅର୍ଥ :- ତୁ ଯେ କହିଲୁ ବାହୁଡ଼ାଇବେ ନାହିଁ ? ତହିଁର ନାହିଁ ଶବ୍ଦ ନାହିଁ । ଅର୍ଥାତ୍‌ ବାହୁଡ଼ାଇବେ) ।’’ ରାମଚନ୍ଦ୍ର ଦୁଇ ଅର୍ଥବୋଧକ ପତ୍ର ଲେଖିଥିବାର ପଢ଼ି ଲକ୍ଷ୍ମଣ ପ୍ରକୃତ ଅର୍ଥ ବୁଝିଲେ ।

୬୨ଶ ପଦ :- ଲକ୍ଷ୍ମଣ ବାହୁଦ୍ୱୟ ଟେକି ଉଠିବାରୁ ସୂର୍ପଣଖା ମନରେ ବିଚାରିଲା, ‘‘କାର୍ଯ୍ୟ ସଫଳ ହେଲା । ଏ ଯଦି ଏହିକ୍ଷଣି ବାହୁଦ୍ୱୟରେ ମୋତେ କୋଳ କରିବ ।’’

୬୩ଶ ପଦ :- ଲକ୍ଷ୍ମଣ ସୂର୍ପଣଖାର କେଶ ଧରନ୍ତେ, ସେ ବିଚାରିଲା, ‘କର୍ଣ୍ଣାଟ ଦେଶୀୟ ନାରୀମାନେ ବନ୍ଧସଂଯୋଗ ସମୟରେ ପୁରୁଷର କେଶ ଧରିଥାନ୍ତି ।’

୬୪ଶ ପଦ :- ‘ଏହାଙ୍କ ଦେଶରେ କର୍ଣ୍ଣାଟ ଦେଶୀୟ ସଂଯୋଗ ପରି ପୁରୁଷମାନେ ନାରୀର କେଶ ଧରି ବୋଧ ହୁଏ ସମ୍ଭୋଗ କରନ୍ତି ।’ ଲକ୍ଷ୍ମଣ ତାକୁ ମାଟିତଳେ ପକାନ୍ତେ, ସେ ବିଚାର କଲା, ‘ବର୍ତ୍ତମାନ ଏ ରତି କରିବେ ।’

୬୫ଶ ପଦ :- ସିଂହ ହସ୍ତିନୀକିମାଡ଼ି ବସି ବିଦାରନ୍ତେ, ସେ ଯେପରି ରଡ଼ି ଦିଏ, ଲକ୍ଷ୍ମଣ ସୂର୍ପଣଖାର ନାସା କର୍ଣ୍ଣ ଛେଦନ କରନ୍ତେ ସୂର୍ପଣଖା ସେହିପରି ଶବ୍ଦ କଲା ।

 

ବିଦାରି ମୃଗୀ ଶାର୍ଦ୍ଧୁଳ ଫିଙ୍ଗିଲା ଭାବ।

ବିରୂପ କରି ପକାଇ ଦେଲେ ସେ ଜବ। ୬୬ ।

ବିଦ୍ରାବ ତ୍ରିଧାର ରକ୍ତ ବସନ ବୁଡ଼ି ।

ବାତେ ପୁଷ୍ପିତ ମନ୍ଦାର ବୃକ୍ଷ କି ଉଡ଼ି? । ୬୭ ।

ବାୟୁବେଗେ ଜନପଦେ ମିଳିତ ଯୋଷା ।

ବୋଲେ ଖର ଦେଈଙ୍କି କେ ଦେଲା ଏ ଦଶା ? । ୬୮ ।

ବିକାଳରେ କାଳ ହେବା ଶଙ୍କା ନ କରି ।

ବ୍ୟାଳମୁଖେ ଦେଲା କେହୁ କରକୁ ଭରି? । ୬୯ ।

ବ୍ୟାଳ ବୋଲି ଆନ କି ବାସୁକି ବଦନ ।

ବାଇ ସେ ଏମନ୍ତ ପ୍ରତେ କାହିଁ ତା ସ୍ଥାନ ? । ୭୦ ।

 

୬୬ଶ ପଦ :- ଶାର୍ଦ୍ଦୁଳ-ବ୍ୟାଘ୍ର ।

୬୬ଶ ପଦ :- ବ୍ୟାଘ୍ର ମୃଗୃଣୀକୁ ବିଦାରଣ କରି ଫିଙ୍ଗିଦେଲା ପରି ଲକ୍ଷ୍ମଣ ସୂର୍ପଣଖାକୁ ବିରୂପ କରି ବେଗରେ ପକାଇ ଦେଲେ ।

୬୭ଶ ପଦ :- ବିଦ୍ରାବ-ବହି ପଡ଼ୁଥିବା ।

୬୭ଶ ପଦ :- ସୂର୍ପଣଖାର ନାସା ଓ କର୍ଣ୍ଣ ଛେଦନ ହୁଅନ୍ତେ ତାହାର ମୁଖରୁ ତିନିଧାରରେ ରକ୍ତ ବହିଲା । ସେ ରକ୍ତରେ ପିନ୍ଧିଥିବା ଲୁଗା ତିନ୍ତି ଗଲା । ସେ ସେଠାରୁ ପଳାଇଲାବେଳେ ମନେହେଲା, ଫୁଲ ଫୁଟିଥିବା ମନ୍ଦାର ବୃକ୍ଷ ପବନରେ ଉଡ଼ିଯାଉଛି କି ?

୬୮ଶ ପଦ :- ପବନ ବେଗରେ ସୂର୍ପଣଖା ପଳାଇ ଯାଇ ‘ଜନପଦ’ ରାକ୍ଷସଙ୍କ ବାସସ୍ଥାନରେ ମିଳିଲା । ତାହାକୁ ଦେଖି ଖର ଦୈତ୍ୟ କହିଲା, ‘‘ରାଜ ଜେମାଙ୍କୁ ଏ ଅବସ୍ଥା କିଏ ଦେଲା ? ’’

୬୯ଶ ପଦ :- ବିକାଳରେ-ଅସମୟରେ । କାଳ-ମୃତ୍ୟୁ । ବ୍ୟାଳ-ସର୍ପ ।

୬୯ଶ ପଦ :- ‘‘ଅକାଳରେ ମୃତ୍ୟୁ ଲଭିବାର ଭୟ ନ କରି କିଏ ସର୍ପ ମୁଖରେ ହସ୍ତ ପୁରାଇଲା ?’’

୭୦ଶ ପଦ :- ‘‘ସର୍ପ କହିବାରେ ପୁଣି ସାଧାରଣ ସର୍ପ ନୁହେଁ । ସର୍ପରାଜ ବାସୁକି ମୁହଁରେ ଯେ ହସ୍ତ ପୂରାଇଲା, ସେ ନିଶ୍ଚୟ ପାଗଳ ବୋଲି ପ୍ରତୀତ ହେଉଛି । ସେ କେଉଁଠାରେ ରହିଅଛି ?’’

 

ବିଂଶାକ୍ଷଭଗନୀ କହେ ପଞ୍ଚବଟୀରେ ।

ବସା କରିଛନ୍ତି ଦଶରଥ କୁମରେ । ୭୧ ।

ବାମା ଘେନି ବାମ ହେଲେ ମୁହିଁ ଗ୍ରାସନ୍ତେ ।

ବିହି ଦଣ୍ଡ ଦଣ୍ଡକରେ ଦଣ୍ଡକେ ମୋତେ। ୭୨ ।

ବଳ ସାଜିଣ ଦୂଷଣ ତ୍ରିଶିର ଖର।

ବାହାର ବୀର ଡାକରେ ଉଚ୍ଛନ୍ନ ସୁର। ୭୩ ।

ବ୍ୟାକୁଳ ଭୟେ ତ୍ରିଦିବ ଲୁଟିବେ ପରା ।

ବେପଥୁବଶ ହୋଇଲା ସତ୍ୱରେ ଧରା । ୭୪ ।

ବସର୍ଜ୍ଜନେ ନଳୀ ଗୁଳି ସୂର ଭାବନ୍ତି ।

ବଂଶେ ମୋ ବାଦୀ ମୋତେ କି ଲାଖ କରନ୍ତି ? । ୭୫ ।

 

୭୧ଶ ପଦ :- ଖର ରାକ୍ଷସର ଏହି କଥା ଶୁଣି ରାବଣଭଉଣୀ ସୂର୍ପଣଖା କହିଲା, “ପଞ୍ଚବଟୀ ବନରେ ଦଶରଥ ରାଜାଙ୍କର ଦୁଇପୁଅ ବସା କରି ରହିଅଛନ୍ତି।’’

୭୨ଶ ପଦ :- ‘‘ସେ ତାଙ୍କ ସ୍ତ୍ରୀକୁ ସଙ୍ଗରେ ଘେନି ରହିଅଛନ୍ତି । ମୁଁ ସେ ସ୍ତ୍ରୀକୁ ଗ୍ରାସ କରିବାକୁ ଯାନ୍ତେ ସେ ପ୍ରତିକୂଳ ହେଲେ । ଦାଣ୍ଡକାରଣ୍ୟରେ ଦଣ୍ଡକ ମଧ୍ୟରେ ମୋତେ ଏ ଦଣ୍ଡ ଦେଲେ ।’’

୭୩ଶ ପଦ :- ଦୂଷଣ, ତ୍ରିଶିର, ଖର ଏହି ତିନି ଅସୁର ସୈନ୍ୟ ସଜ କରି ବାହାର ହେଲେ । ତାଙ୍କ ବୀର ଡାକରେ ଦେବତାମାନେ ଭୀତ ହେଲେ ।

୭୪ଶ ପଦ :- ତ୍ରିଦିବ-ଦେବତାମାନେ । ବେପଥୁ-କମ୍ପନ । ଧରା-ପୃଥିବୀ ।

୭୪ଶ ପଦ :- ‘ଏମାନେ ସ୍ୱର୍ଗ ଲୁଟିକରି ନେବେ ପରା ?’ -ଏହା ଭାବି ଦେବତାମାନେ ବ୍ୟାକୁଳ ହେଲେ । ତାଙ୍କ ପାଦଭାରରେ ପୃଥ୍ୱୀ ଦେବୀ ଶୀଘ୍ର କମ୍ପମାନ ହେଲା ।

୭୫ଶ ପଦ :- ସୂର-ସୂର୍ଯ୍ୟ ।

୭୫ଶ ପଦ :- ଖର ଦୂଷଣାଦିଙ୍କ ସୈନ୍ୟମାନେ ନଳୀରୁ ଗୁଳି ଛାଡ଼ନ୍ତେ ସୂର୍ଯ୍ୟ ଭାବନ୍ତି, ‘ମୋ ବଂଶ ରାମଚନ୍ଦ୍ର ବାଦୀ ହେବାରୁ ଏମାନେ ମୋତେ ଲାଖ କରୁଅଛନ୍ତି କି ?’

 

ବନଗିରି ପୂରି ଆସୁ ଧୂଳି ଉଡ଼ିଲା ।

ବିମ୍ବ ଆଛାଦନେ ଶଙ୍କା ଚିତ୍ତୁଁ ଛାଡ଼ିଲା । ୭୬ ।

ବସୁଧା ସୁତାଙ୍କୁ ସୌମିତ୍ରେୟ ରକ୍ଷିତ ।

ବିରାଧବଧ ପଣ୍ଡିତ ଯୁଦ୍ଧକୁ ଗତ । ୭୭ ।

ବର୍ଷୁକ ଘନ ପରାୟ ରକ୍ଷେ ଘୋଟିଲେ ।

ବାଣଗଣ ଜଳଧାରା ପତନ କରେ । ୭୮ ।

ବିଜୁଳି ସେନାନୀ ଖଡ଼୍‌ଗ ଝଲକ ପ୍ରଦା ।

ବଜ୍ରପାତ ଭୟଙ୍କର ତ୍ରିଶୂଳ ଗଦା । ୭୯ ।

ବିଜ୍ୱଳିତ ତହିଁରୁ ହୁଅଇ ପାବକ ।

ବିଜୟ ଦୁର୍ଗ ପରାୟେ ରଘୁ ନାୟକ । ୮୦ ।

 

୭୬ଶ ପଦ :- ସେହି ସୈନ୍ୟ ବନପର୍ବତ ପୂର୍ଣ୍ଣ କରି ଆସିବାରୁ ଧୂଳି ଉଡ଼ିଲା । ସେ ଧୂଳିରେ ସୂର୍ଯ୍ୟମଣ୍ଡଳ ଆଚ୍ଛାଦିତ ହୁଅନ୍ତେ ସୂର୍ଯ୍ୟଙ୍କ ଭୟ ଦୂର ହେଲା ।

୭୭ଶ ପଦ :- ଏହିପରି ରାକ୍ଷସ ସୈନ୍ୟ ଆସିବାର ଦେଖି ବିରାଧ ଅରି ରାମଚନ୍ଦ୍ର ସୀତାଙ୍କୁ ଲକ୍ଷ୍ମଣଙ୍କଦ୍ୱାରା ଜଗାଇ ଯୁଦ୍ଧକୁ ଗଲେ ।

୭୮ଶ ପଦ :- ବର୍ଷୁକ ଘନ-ବର୍ଷଣକାରୀ ମେଘ ।

୭୮ଶ ପଦ :- ରାକ୍ଷସ ସୈନ୍ୟମାନେ ବର୍ଷୁକ ମେଘ ପ୍ରାୟ ରାମଚନ୍ଦ୍ରଙ୍କୁ ବେଢ଼ି ଜଳଧାରା ସମାନ ଶରସମୂହ ବୃଷ୍ଟିକଲେ ।

୭୯ଶ ଓ ୮୦ଶ ପଦ :- ସୈନ୍ୟମାନଙ୍କର ଖଡ଼୍‌ଗର ଜ୍ୟୋତି ବିଜୁଳି ପ୍ରାୟ ଦେଖାଗଲା ଏବଂ ଗଦା ଓ ଶୂଳ ପ୍ରଭୃତିରେ ପତନ ଶବ୍ଦ ବଜ୍ର ଶବ୍ଦପରି ଶୁଣାଗଲା । ଅସ୍ତ୍ର ଶସ୍ତ୍ର ଘର୍ଷଣରେ ଅଗ୍ନି ଜାତ ହେଲା, ବିଜୟ ଦୁର୍ଗରେ ବିଦ୍ୟୁତ୍‌ ବଜ୍ରାଗ୍ନି ନିଷ୍ଫଳ ହେଲାପରି ରାମଙ୍କଠାରେ ଖଡ଼୍‌ଗ, ତ୍ରିଶୂଳ, ଗଦା ପ୍ରଭୃତି ଅସ୍ତ୍ର ଶସ୍ତ୍ର ନିଷ୍ଫଳ ହେଲା ।

 

ବରଣ ତନୁ କବାଟ ପୁଟ ହୃଦୟ ।

ବାହୁ ସ୍ତମ୍ଭ ଉରୁ ଅର୍ଗଳିରେ ଉଦୟ । ୮୧ ।

ବେଷ୍ଟନରେ ରହି ସହି ବହୁତ ଘାତ ।

ବିଧାୟକ ଶସ୍ତ୍ର କୋପନରେ ପୂରିତ । ୮୨ ।

ବଳ ସିନ୍ଧୁ କବଳକୁ ଅଗସ୍ତ୍ୟ ଶର ।

ବତାଶ ତ୍ରିଶିର ଶିର ତାଳଫଳର । ୮୩ ।

ବିଶୁଦ୍ଧ କବି ହୋଇ ସେ ବନ-କାବ୍ୟରୁ ।

ବିଶୋଧିଲେ ଦୂଷଣକୁ ଗୁଣ ପ୍ରଚାରୁଁ । ୮୪ ।

ବ୍ୟାଘ୍ର ନିଶ୍ଚେ ବିକ୍ରମିଣ ନାରାଚସାର ।

ବିଦାରି ତଳେ ପକାଇ ଇଷିତେ ଖର । ୮୫ ।

 

୮୧ଶ ପଦ :- ବରଣ-ପ୍ରାଚୀର । ତନୁ-ଦେହ ।

୮୧ଶ ଓ ୮୨ଶ ପଦ :- ଦୂର୍ଗରୂପ ରାମଚନ୍ଦ୍ରଙ୍କର ଦେହ ଗଡ଼ପ୍ରାଚୀର, ବକ୍ଷସ୍ଥଳ କବାଟ ପୁଡ଼ା, ଦୁଇ ଭୁଜ ଦ୍ୱାରବନ୍ଧ, ଊରୁ ଅର୍ଗଳି ପ୍ରାୟ ଅଟେ । ସେହି ରାମଚନ୍ଦ୍ର ସୈନ୍ୟ ଭିତରେ ରହି ବହୁତ ଘାତ ସହିବା ଯୋଗେ କ୍ରୋଧଯୁକ୍ତ ହୋଇ ଅସ୍ତ୍ର ପ୍ରହାର କଲେ ।

୮୩ଶ ପଦ :- କଳସିନ୍ଧୁ-ସୈନ୍ୟସମୁଦ୍ର ।

୮୩ଶ ପଦ :- ସୈନ୍ୟରୂପୀ ସମୁଦ୍ରକୁ ରାମଚନ୍ଦ୍ରଙ୍କ ଶର ରୂପ ଅଗସ୍ତ୍ୟ ଗ୍ରାସ କଲା । ତ୍ରିଶିର ରାକ୍ଷସର ଶିର ବତାସରେ ତାଳ ଝଡ଼ିଲା ପ୍ରାୟ ରାମଙ୍କ ଶରରେ ଝଡ଼ି ପଡ଼ିଲା ।

୮୪ଶ ପଦ :- ରାମଚନ୍ଦ୍ର ବିଜ୍ଞ କବି ପରି ଦଣ୍ଡକାରଣ୍ୟ ରୂପ କାବ୍ୟରୁ ଦୂଷଣ ରାକ୍ଷସ ରୂପ ଦୋଷକୁ ନିଜ ଶୌର୍ଯ୍ୟ ଗୁଣରେ ବିଶୋଧନ କରିଦେଲେ । (ଯେପରି ଦୋଷଜ୍ଞ ପଣ୍ଡିତ କାବ୍ୟରୁ ଦୋଷ କାଟି ଦେଇ କାବ୍ୟକୁ ବିଶୁଦ୍ଧ କରିଦିଏ, ସେହିପରି ରାମଚନ୍ଦ୍ର ଦୂଷଣକୁ ନାଶକରି ଦଣ୍ଡକାରଣ୍ୟକୁ ଭୟଶୂନ୍ୟ କରିଦେଲେ) ।

୮୫ଶ ପଦ :- ନାରାଚ ସାର-ଶ୍ରେଷ୍ଠ ଶର । ଖର-ଗଧ ।

୮୫ଶ ପଦ :- ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଶର ବ୍ୟାଘ୍ର ପରି ବିକ୍ରମି ଯାଇ ଗଧତୁଲ୍ୟ ଖର ଅସୁରକୁ କିଞ୍ଚିତ ମାତ୍ରକେ ବିଦାରି ତଳେ ପକାଇ ଦେଲା ।

 

ବେଭାରେ ମନ୍ତ୍ରରେ ଯୁକ୍ତ ଗୁଣିଆ ଘେନି ।

ବିଦୂର ହୋଇଲା ସୂର୍ପଣଖା ଡାକିନୀ । ୮୬ ।

ବାହୁଡ଼ାବିଜେ ରାଘବ ପତ୍ରସଦନେ ।

ବିନ୍ଦୁ ବିନ୍ଦୁ ଝାଳ ରହିଅଛି ବଦନେ । ୮୭ ।

ବନରୁହରୁ ଜନମ ହୋଇ ତୁଷାର ।

ବିରୋଧୀ ନାହିଁ ଅଧିକେ ଦିଶି ରୁଚିର । ୮୮ ।

ବର୍ଷୁ ସ୍ୱେଦେ ରକ୍ତପାତେ ପବନବଳେ ।

ବିଦ୍ରୁମ ଅଙ୍କୁର ଦେଇ ମର୍କତଶିଳେ । ୮୯ ।

ବିଚିତ୍ର କର୍ମକୃତରୁ ଅଦ୍ଭୁତ ହୋଇ ।

ବାହାରିଗହ୍ୱରୁ ରାମ ଅନୁଜ ଦୁଇ । ୯୦ ।

 

୮୬ଶ ପଦ :- ରାମଚନ୍ଦ୍ର ଅସ୍ତ୍ର ପ୍ରୟୋଗରେ ମନ୍ତ୍ରଯୁକ୍ତ ହୋଇଥିବାରୁ ଗୁଣିଆ ମନ୍ତ୍ର ପାଠକଲେ ଯେପରି ଡାକିନୀମାନେ ଆଁ କରି ପଳାଇଯାନ୍ତି, ସେହିପରି ସୂର୍ପଣଖା ପଳାଇଗଲା ।

୮୭ଶ ପଦ:- ପତ୍ରସଦନ-କୁଡ଼ିଆଘର । ବଦନ-ମୁଖ ।

୮୭ଶ ପଦ :- ତତ୍ପରେ ରାମଚନ୍ଦ୍ର ପତ୍ରକୁଡ଼ିଆକୁ ବିଜେ କରିଗଲେ । ସେତେବେଳେ ତାଙ୍କ ମୁଖରେ ବିନ୍ଦୁ ବିନ୍ଦୁ ଝାଳ ଲାଗିରହିଥାଏ ।

୮୮ଶ ପଦ :- ବନରୁହ-ପଦ୍ମ । ତୁଷାର-ହିମକଣା ।

୮୮ଶ ପଦ :- ପଦ୍ମରୁ କାକର ଜାତହୋଇ ତାହାର ଶତ୍ରୁ ହୋଇଥାଏ, ମାତ୍ର ସେ ସ୍ୱେଦବିନ୍ଦୁ ରୂପ କାକର ମୁଖପଦ୍ମରୁ ଜାତ ହୋଇସୁଦ୍ଧା ଶତ୍ରୁ ହୋଇନାହିଁ । ବରଂ ଅଧିକରେ ମନୋହରତା ବଢ଼ାଇଅଛି ।

୮୯ଶ ପଦ :- ବର୍ଷ୍ମା-ଦେହ । ସ୍ୱେଦ-ଝାଳ । ବିଦ୍ରୁମ-ପୋହଳା ।

୮୯ଶ ପଦ :- ଦେହ ଝାଳଯୁକ୍ତ ହୋଇଥିବାରୁ ଓ ତହିଁରେ ବାୟୁଯୋଗେ ଆସି ରକ୍ତବିନ୍ଦୁମାନ ଲାଗିଥିବାରୁ, ତାହା ମରକତ ଶିଳାରେ ପୋହଳା ଗଜୁରିଲା ପ୍ରାୟ ଶୋଭା ଦେଖାଯାଉଅଛି ।

୯୦ଶ ପଦ :- ରାମଚନ୍ଦ୍ର ଆଶ୍ଚର୍ଯ୍ୟ କର୍ମ କରିବାରୁ ସିନା ଏପରି ଆଶ୍ଚର୍ଯ୍ୟ ଘଟନା ଘଟିଲା ! (ମରକତ ଶିଳାରୁ ପୋହଳା ଗଜୁରିଲା)। ରାମଙ୍କୁ ଦେଖି ସୀତା ଓ ଲକ୍ଷ୍ମଣ ପର୍ବତ ଗହ୍ୱରରୁ ବାହାରିଲେ ।

୯୧ଶ ପଦ :- ରାମଙ୍କୁ ଦେଖି ସୀତା ଓ ଲକ୍ଷ୍ମଣ ଦୁହେଁ ମହାସନ୍ତୋଷ ହୋଇ ଓଳଗିଲେ । ରାମ ଗୋଦାବରୀ ନଦୀରେ ସର୍ବାଙ୍ଗ ଧୌତ କଲେ ।

୯୨ଶ ପଦ:- ଏହି ଛାନ୍ଦ ବୟାଣୋଇ ପଦରେ ବୀରବର ଉପନ୍ଦ୍ରଭଞ୍ଜ ଅତି ମାଧୁର୍ଯ୍ୟର ସହିତ ବିରଚନ କଲେ ।

 

Unknown

ଚତୁର୍ବିଂଶ ଛାନ୍ଦ

(ରାଗ-କୁମ୍ଭକାମୋଦୀ)

 

ବିନାଶ ନାସା ଶ୍ରବଣ ସୂର୍ପଣଖା ପ୍ରବେଶ ଲଙ୍କାର।

ବୃକ୍ଷ ପାଟଳୀରୁ ଫୁଲ ଝାଡ଼ି ଉଡ଼ି ଯାଉଛି କି କୀର ?

ବହେ ନେତ୍ରୁ ଅଶ୍ରୁ ପତ୍ରୁଁ କି ପଡୁଛି ପଡ଼ିଲା ତୁଷାର।

ବାରବାୟୁରେ ଧୈର୍ଯ୍ୟ ମୂଳ ଉପୁଡ଼ି ପଡ଼ିଲା ପ୍ରକାର । ୧ ।

 

ବିଂଶପାଣି ଆଗେ ପଡୁଁ ପୁଚ୍ଛି ବେଗେ ଏ ଦଣ୍ଡକେ ଇଚ୍ଛି ।

ବହିଣୀ ତୁ ମୋର ନ ଜାଣି ସଂସାରମଧ୍ୟରେ କେ ଅଛି ?

ବୃଷା ବୃଷାସନ ବାସୁକି ବିଧାନ ନୋହେ ଏ ଉଚିତେ।

ବନ୍ଧା ସୁତେ କଇଳାସ ଉପଡ଼ନ୍ତେ ଜାଣନ୍ତି ସେ ମୋତେ। ୨ ।

 

ବାଜୀଦଇବତ ଶିରୀ ଆଜି ହତ କରିବି ଅବଧି।

ବଢ଼ି କି ରୋଗ ଏ ଦଶା ହେଲା ଭୋଗ ନ ଦେଲେ ଔଷଧି ।

ବୋଇଲା ଅନୁଜା ନାଗଜାତି ରାଜା ଜଗତବଇରୀ ।

ବହି କି ହେବ ନେତ୍ର ମଦେ ମୁଦ୍ରିତ ପ୍ରତିଚକ୍ଷୁ ପରି । ୩।

 

ବାର୍ତ୍ତାବହ ହୀନ ବିଶ୍ଵ ପାଠମାନ ଗୋଚର ହେବାକୁ।

ବଧି ତ୍ରିଶିର ଦୂଷଣ ଖର ମୋତେ ଏ ଦଣ୍ଡ ହେବାକୁ।

ବନୌଜା ବେଶେ ନାମ ରାମ ଲକ୍ଷ୍ମଣ ଅଯୋଧ୍ୟା ନରେଶ।

ବେନିକୁମର ବାମା ତାଙ୍କ ସଙ୍ଗର ଦଣ୍ଡକେ ନିବାସ । ୪।

 

ବ୍ରହ୍ମା କୋଟି କନ୍ୟା ପରି ଗୋଟିଏ ଗଢି଼ବେ କି କରି।

ବ୍ରହ୍ମାଣ୍ଡ ଲକ୍ଷରେ ଖୋଜିଲେ ଲକ୍ଷ୍ୟରେ ନ ଥିବ ସୁନ୍ଦରୀ।

ବିହେ ନୃତ୍ୟେ ଆସି ରମ୍ଭା ଉରୁବଶୀ ତୋ ଆଗେ ଦେଖିଛି।

ବନିତାମଣିଦାସୀପଣେ ନ ଗଣି ମୋ ମନେ ରଖିଛି। ୫।

 

୧ମ ପଦ :- କୀର-ଶୁକପକ୍ଷୀ ।

୧ମ ପଦ :- ନାସା ଓ ଶ୍ରବଣ ଛେଦିତ ହୋଇଥିବା ସୂର୍ପଣଖା ଯାଇ ଲଙ୍କାପୁରରେ ପ୍ରବେଶ ହେଲା । ସେ ଶୀଘ୍ର ଗତିରେ ଗଲାବେଳେ ବୋଧହେଲା, ପାଟଳି ବୃକ୍ଷରୁ ଫୁଲସବୁକୁ ଝଡ଼ାଇ ଦେଇ ଶୁକପକ୍ଷୀ ଉଡ଼ିଯାଉଛି କି ? ରାତ୍ରରେ ପାଟଳିପତ୍ରରେ ପଡ଼ିଥିବା କାକର ପତ୍ରରୁ ଖସିପଡ଼ିଲା ପ୍ରାୟ ତା ନେତ୍ରରୁ ଲୋତକ ବହୁଅଛି, ବତାସ ପବନରେ ପାଟଳି ବୃକ୍ଷ ଉପୁଡ଼ି ପଡ଼ିଲା ପରି ସୂର୍ପଣଖାର ଧୈର୍ଯ୍ୟ ବୃକ୍ଷ ଉପୁଡ଼ି ପଡ଼ିଲା । (ସୂର୍ପଣଖାର ଦେହ ପାଟଳି ବୃକ୍ଷ, କର୍ଣ୍ଣ ଓ ନାସିକାରୁ ବିନ୍ଦୁ ବିନ୍ଦୁହୋଇ ଖସି ପଡ଼ୁଥିବା ରକ୍ତ ପାଟଳି ଫୁଲ ସହିତ ଉପମିତ) ।

୨ୟ ପଦ :- ବିଂଶପାଣି –ରାବଣ । ବୃଷା-ଇନ୍ଦ୍ର । ବୃଷାସନ-ମହାଦେବ ।

୨ୟ ପଦ :- ସୂର୍ପଣଖା ଯାଇ ରାବଣ ଅଗ୍ରତରେ ପଡ଼ିଯାନ୍ତେ, ସେ ଶୀଘ୍ର ପଚାରିଲା, ‘‘ତୋତେ ଏ ଦଣ୍ଡ କିଏ ଦେଲା ? ତୁ ମୋର ଭଉଣୀ, ଏହା ସଂସାର ମଧ୍ୟରେ କିଏ ନ ଜାଣିଛି ? ସ୍ୱର୍ଗର ଇନ୍ଦ୍ର, ମର୍ତ୍ତ୍ୟର ମହାଦେବ, ପାତାଳର ବାସୁକିଙ୍କଦ୍ୱାରା ଏହା ଘଟିବା ସମ୍ଭବ ନୁହେଁ । କାରଣ ମୋ ପୁତ୍ରଦ୍ୱାରା ବନ୍ଧା ହୋଇଥିବାରୁ ଏବଂ ମୁଁ କୈଳାସ ପର୍ବତ ଉପାଡ଼ନ୍ତେ ଇନ୍ଦ୍ର, ମହାଦେବ ଓ ବାସୁକି ମୋତେ ଜାଣିଛନ୍ତି ।’’

୩ୟ ପଦ :- ବାଜୀଦଇବତ-ଅଶ୍ୱିନୀକୁମାର(ସ୍ୱର୍ଗବୈଦ୍ୟ) । ଶିରୀ-ଦମ୍ପତ୍ତି । ଅନୁଜା-ସାନଭଉଣୀ । ମଦେ-ଗର୍ବରେ ।

୩ୟ ପଦ :- ‘‘ମୁଁ ଆଜି ସ୍ୱର୍ଗବୈଦ୍ୟ ଅଶ୍ୱିନୀକୁମାରଙ୍କ ସମ୍ପତ୍ତି ନଷ୍ଟ କରିଦେବି । କି ରୋଗ ହୋଇ ବଢ଼ି ବଢ଼ି ଯେ ଏ ଦଶା ଘଟିଲା; ନାକ କାନ ଛିଡ଼ିଗଲା,- ସେଥିପାଇଁ ସେ ଔଷଧ ନ ଦେଲେ କାହିଁକି ?’’ ଏହା ଶୁଣି ସାନ ଭଉଣୀ ସୂର୍ପଣଖା କହିଲା, ‘‘ରାଜାମାନେ ନାଗସର୍ପଙ୍କ ପରି ଜଗତର ଶତ୍ରୁ ଅଟନ୍ତି, ତୁମ୍ଭର ଚକ୍ଷୁ ଥାଇ ବା କ’ଣ ହେବ ? ଗର୍ବରେ ତା ମୁଦ୍ରିତ ହୋଇଯାଇଛି । ସେଥିପାଇଁ ତୁମ୍ଭର ପ୍ରତିଚକ୍ଷୁ (ଚଷମା) ଦେବା ଦରକାର ପଡ଼ୁଛି ।’’

୪ର୍ଥ ପଦ :- ବାର୍ତ୍ତାବହ-ଦୂତ । ବନୌକା-ବନବାସୀ, ଋଷି । ବାମା-ସ୍ତ୍ରୀ ।

୪ର୍ଥ ପଦ :- ଚାଳିଶା ହେଲେ ପ୍ରତିଚକ୍ଷୁ ଲଗାଇ ଯେପରି ଲୋକେ ପଢ଼ିପାରନ୍ତି, ସେହିପରି ରାଜାମାନେ ଦୂତରୂପ ପ୍ରତିଚକ୍ଷୁଦ୍ୱାରା ସଂସାରର କଥାମାନ ଜାଣିପାରନ୍ତି । ତୁମ୍ଭର ଦୂତରୂପ ପ୍ରତିଚକ୍ଷୁ ନ ଥିବାରୁ ତୁମ୍ଭେ କିଛି ଜାଣିପାରୁନାହଁ । ତ୍ରିଶିର, ଦୂଷଣ ଓ ଖର ଏ ତିନି ରାକ୍ଷସଙ୍କୁ ବିନାଶ କରି ମୋତେ ଏ ଦଣ୍ଡ ଦେବାପାଇଁ ଅଯୋଧ୍ୟା ଦେଶର ନରପତି ଦଶରଥଙ୍କ ପୁଅ ଗୋଟିଏ ସ୍ତ୍ରୀ ସଙ୍ଗରେ ଘେନି ବନବାସୀ ହୋଇ ଦଣ୍ଡକାରଣ୍ୟରେ ରହିଅଛନ୍ତି ।’’

୫ମ ପଦ :- ‘‘କୋଟିଏ ବ୍ରହ୍ମା ମିଳିତ ହୋଇ ସେ ସ୍ତ୍ରୀପରି ଆଉ ଗୋଟିଏ ସ୍ତ୍ରୀ ଗଢ଼ିପାରିବେ ନାହିଁ । ଲକ୍ଷ ସଂଖ୍ୟକ ବ୍ରହ୍ମାଣ୍ଡରେ ଖୋଜିଲେ ସେ ସ୍ତ୍ରୀ ସଦୃଶ ସୁନ୍ଦରୀ ଆଉ ମିଳିବେ ନାହିଁ । ମୁଁ ଦେଖିଛି,- ରମ୍ଭା ଉର୍ବଶୀ ତୋ ଆଗରେ ଆସି ନୃତ୍ୟ କରନ୍ତି । ମାତ୍ର ସେ ସ୍ତ୍ରୀ ରତ୍ନର ଦାସୀପଣକୁ ସୁଦ୍ଧା ଏମାନେ ଗଣନା ହୋଇ ପାରିବେ ନାହିଁ ।’’

 

ବଦନ ଓଷ୍ଠ ସୁଷମା କରି ପୁଷ୍ଟ ପୂର୍ଣ୍ଣମୀ ପ୍ରାଚୀକି ।

ବିଧୁ ବାଳାର୍କ ବ୍ୟାଜେ ରୌମ୍ୟ ମାଣିକ୍ୟ ସ୍ଥାଳୀକି ରଚିକି?

ବନ୍ଦାଣ ମାସକେ ରଚେ କେ ଉତ୍ସେବେ କେ ନିତ୍ୟ ବନ୍ଦାଇ।

ବିହଙ୍ଗ ଆଳୀ ଦ୍ଵିକାଳେ ହୁଳହୁଳୀ ତହିଁକି କି ଦେଇ । ୬। 

ବଜାଇ ଶଙ୍ଖ ନୋହିବା ହେବା ଯୋଖ ଏକାଳ ସୁରୁଚି।

ବାସରମୁଖେ ସନ୍ଧ୍ୟାରେ ଭ୍ରମି ଦୁଃଖେ ଦେଖନ୍ତି ସେ ଲୁଚି।

ବିଭୂଷା ସୁବର୍ଣ୍ଣ ଯେ ସହସ୍ରେବାନ ପିଞ୍ଜର ପରି ରେ ।

ବର୍ଣ୍ଣକୁ ନିଊନ ଦିଶେ ଏଡ଼େ ବାନ ଥାଇ ତା ଶରୀରେ । ୭। 

ବଲ୍ଲଭୀ ଯେ ତୋର ସଂସାରର ସାର ତହିଁର ମଧ୍ୟରେ।

ବଡ଼ ସୁନ୍ଦରୀ ହୋଲାଇ ମନ୍ଦୋଦରୀ କାହିଁକି ବିଚାରେ ?

ବିଧ୍ଵଂସି ହେଲା ସେ ସଂଶୟ ରଭସେ ତାହାର ଦର୍ଶନେ।

ବିଧାତା ଛନ୍ଦ ରଖିଛି ନାମେ ମନ୍ଦ ଏହାର ଯତନେ । ୮। 

ବର ଦେବଇଙ୍କୁ ମାରି ମୁଁ ତାହାକୁ ଆଣନ୍ତି ତୋ ପାଇଁ।

ବିକୃତରୁପେ ଯାଉଁ ତାଙ୍କ ସମୀପେ ଏ ଦଣ୍ଡ ସେ ଦେଇ।

ବିକ୍ରମି ଲୋକନେ ତ୍ରିଶିର ଦୂଷଣେ ସବଳେ ଖରହିଁ ।

ବିରଚି ସମର ଗଲେ ଯମପୁର ଅଇଲି ମୁଁ କହି । ୯। 

ବଳିଷ୍ଠଶ୍ରେଷ୍ଠ ଗରିଷ୍ଠ ମାନ ଯେବେ ଉଦ୍ଧରି ପାରିବ।

ବାରିଧି ଜୀବନେ ଜୀବନ ତେଜିବା ତେବେ ମୋ ନୋହିବ।

ବଇଶ୍ରବଣ ଶ୍ରବଣ କରି କହେ ହେବ ସେ ଜାନକୀ।

ବିଶ୍ଵ ପ୍ରପଞ୍ଚରେ ଏଡ଼େ ସୁସଞ୍ଚରେ ସୌନ୍ଦର୍ଯ୍ୟ ଆନ କି ? । ୧୦ ।

 

୬ଷ୍ଠ ପଦ :- ସୁଷମା-ପରମା ଶୋଭା ବା ଅତ୍ୟନ୍ତ ଶୋଭା । ପ୍ରାଚୀ-ପୂର୍ବଦିଗ । ବିଧୂ-ଚନ୍ଦ୍ର । ବାଳାର୍କ-ବାଳସୂର୍ଯ୍ୟ । ବିହଙ୍ଗଆଳୀ-ପକ୍ଷୀର ସଖୀ ।

୬ଷ୍ଠ ପଦ :- ‘‘ସେ ସ୍ତ୍ରୀର ମୁଖ ଓ ଓଷ୍ଠର ସୌନ୍ଦର୍ଯ୍ୟ ଦେଖି ମନେହୁଏ, ମାସକରେ ଥରେ ପୂର୍ଣ୍ଣିମା ପୂର୍ଣ୍ଣଚନ୍ଦ୍ରରୂପ ରୂପାଥାଳିରେ ଓ ପ୍ରତିଦିନ ସକାଳେ ପୂର୍ବଦିଗ ବାଳସୂର୍ଯ୍ୟରୂପ ମାଣିକ୍ୟଥାଳୀରେ ଉତ୍ସୁକମନରେ ତାଙ୍କ ମୁଖ ଓ ଓଷ୍ଠକୁ ବନ୍ଦାପନା କରନ୍ତି କି ? ପୁଣି ପୂର୍ବଦିଗ ବନ୍ଦାପନା କଲାବେଳେ ପକ୍ଷୀସମୂହ ଦିଗର ସଖୀରୂପେ ଦୁଇବେଳା ହୁଳହୁଳି ଦେଉଥାନ୍ତି କି ?’’

୭ମ ପଦ :- ସୂରୁଚି-ମନୋହର । ବାସରମୁଖେ-ସକାଳେ । ବିଭୂଷା-ଅଳଙ୍କାର । ପିଞ୍ଜର-ପିତ୍ତଳ । ବାନ-ତେଜ ।

୭ମ ପଦ :- ‘‘ପୂର୍ଣ୍ଣଚନ୍ଦ୍ର ଓ ବାଳସୂର୍ଯ୍ୟ ସକାଳେ ଓ ସନ୍ଧ୍ୟା ସମୟରେ ଅଧିକ ସୁନ୍ଦର ଦେଖା ଯିବାରୁ କାଳେ ମନେକରିବେ ଯେ, ଆମେ ସେ ସ୍ତ୍ରୀ ମୁଖ ସହିତ ସମାନ, ସେଥିପାଇଁ ପ୍ରାତଃକାଳରେ ଓ ସନ୍ଧ୍ୟା ସମୟରେ ଦେବାଳୟରେ ବାଜୁଥିବା ଶଙ୍ଖ କହି ଦିଏ,- ନା ତୁମ୍ଭେ ତାଙ୍କ ସହିତ ସମାନ ହେବ ନାହିଁ । ଶଙ୍ଖଶବ୍ଦ ବୁଝିପାରି ଚନ୍ଦ୍ର ଓ ସୂର୍ଯ୍ୟ ଦୁଃଖମନରେ ଯଥାକ୍ରମେ ରାତ୍ରିଯାକ ଓ ଦିନଯାକ ଘୁରି ପୁଣି ସକାଳେ ହେଲେ ଓ ସନ୍ଧ୍ୟା ହେଲେ ମୁହଁ ଲୁଚାନ୍ତି । ସେ ସ୍ତ୍ରୀର ଦେହପ୍ରଭା ଏପରି ତେଜୀୟାନ୍ ଯେ, ତାହା ଦେହରେ ଥିବା ସହସ୍ର ଗୁଣଯୁକ୍ତ ସ୍ୱର୍ଣ୍ଣର ଅଳଙ୍କାରମାନ ପିତ୍ତଳପ୍ରାୟ ହୀନପ୍ରଭ ଦେଖାଯାଉଅଛି ।’’

୮ମ ପଦ :- ‘‘ତୁମ୍ଭର ପ୍ରିୟତମାମାନେ ଏ ସଂସାରରେ ଶ୍ରେଷ୍ଠା, ପୁଣି ସେମାନଙ୍କ ମଧ୍ୟରେ ମନ୍ଦୋଦରୀ ବଡ଼ ସୁନ୍ଦରୀ । ମାତ୍ର ତା ନାମ ମନ୍ଦୋଦରୀ କାହିଁକି ହେଲା- ମୁଁ ସେ କଥା ବିଚାରୁଥିଲି । ସେ ସ୍ତ୍ରୀକୁ ଦେଖିବାରୁ ମୋର ପୂର୍ବର ସଂଶୟ ଶୀଘ୍ର ବିନାଶ ହେଲା । ମନ୍ଦୋଦରୀ ନାମରେ ବିଧାତା କପଟ କରି ମନ୍ଦ ଶବ୍ଦକୁ ଯତ୍ନ ସହିତ ରଖିଅଛି । (ମନ୍ଦୋଦରୀର ଶୋଭା ସେ ସ୍ତ୍ରୀର ସୌନ୍ଦର୍ଯ୍ୟଠାରୁ ‘ମନ୍ଦ’ ଅର୍ଥାତ୍ ନ୍ୟୂନ-ସେଥିପାଇଁ ବିଧାତା ତା ନାମ ମନ୍ଦୋଦରୀ ଦେଇଅଛି) ।’’

୯ମ ପଦ :- ‘‘ତା’ର ସ୍ୱାମୀ ଓ ଦିଅରକୁ ମାରି ମୁଁ ତୁମ୍ଭ ପାଇଁ ସେ ସ୍ତ୍ରୀକୁ ଆଣିବାକୁ ଭାବି ଭୟଙ୍କର ରୂପରେ ତାଙ୍କ ପାଶକୁ ଯିବାରୁ, ସେ ମୋତେ ଏ ଦଣ୍ଡ ଦେଲେ । ମୋର ଏ ଦଣ୍ଡ ଦେଖି ତ୍ରିଶିର, ଦୂଷଣ ଓ ଖର ସୈନ୍ୟ ଘେନି ବିକ୍ରମି ଯାଇ ଯୁଦ୍ଧ କରନ୍ତେ, ଯମପୁରକୁ ଗଲେ । ମୁଁ ତୁମ୍ଭଙ୍କୁ ସେ କଥା କହିବା ପାଇଁ ଆସିଲି ।’’

୧୦ମ ପଦ :- ବଳିଶ୍ରେଷ୍ଠ-ମହାପରାକ୍ରମୀ । ଗରିଷ୍ଠମାନ-ନାକ କାନ କାଟିବାରୂପ ଗୁରୁତର ଅପମାନ । ବାରିଧି-ସମୁଦ୍ର । ଜୀବନେ-ଜଳରେ । ଜୀବନ-ପ୍ରାଣ । ବଇଶ୍ରବଣ-ରାବଣ । ବିଶ୍ୱପ୍ରପଞ୍ଚରେ-ସମଗ୍ର ସଂସାରରେ ।

୧୦ମ ପଦ :- ‘‘ହେ ମହାପରାକ୍ରମି ! ଯେବେ ମୋର ଏ ଗୁରୁତର ଅଭିମାନରୁ ମୋତେ ଉଦ୍ଧାର କରିପାରିବ, ତେବେ ସମୁଦ୍ର ଜଳରେ ମୋର ପ୍ରାଣ ତେଜିବା ନ ହେବ । (ମୋର ଏ ଅପମାନ ନ ମେଣ୍ଟିଲେ, ମୁଁ ସମୁଦ୍ରରେ ବୁଡ଼ି ମରିବି) ।’’ ରାବଣ, ସୂର୍ପଣଖା କଥା ଯାକ ଶୁଣି କହିଲା, ‘‘ସେ ନିଶ୍ଚୟ ଜନକ କନ୍ୟା ହେବ । ସମଗ୍ର ସଂସାରରେ ଏପରି ସୁନ୍ଦର ସ୍ତ୍ରୀ ଆଉ କେଉଁଠାରେ ନାହିଁ ।’’

 

ବ୍ରହ୍ମର କର କର୍ଣ୍ଣ ନାସା ଚରଣ ନାହିଁ କି ଅବଜ୍ଞା ?

ବିଗତଶୋଚନା ହୁଅ ସୁଲୋଚନା ଦେଖ ମୋ ପ୍ରତିଜ୍ଞା।

ବଳେ ବା କିତବେ ତା ଅବଳା ଏବେ ଆଣିବି ମୁଁ ହର ।

ବନେ ବେନି ଭ୍ରାତ ଝୁରି, ହେବେ ହତ ଭକ୍ଷ ତୁ ବିହରି । ୧୧ ।

 

ବିରସ ଶୁଣି ସକଳ ରାଣୀଶ୍ରେଣୀ ଦୁର୍ଭାଗ୍ୟ ଶଙ୍କାରେ।

ବିଧବା ହେବାରେ ଦରି ମନ୍ଦୋଦରୀ ବଚନ ଉଚ୍ଚାରେ।

ବାଡେ଼ ସ୍ୱଲେଖନ ଶ୍ଳୋକେ ଅବଧାନ ନୋହୁଛି କାହିଁକି ?

ବାରି କି ବାରିଜାକ୍ଷି ଅନୁକୁଳରେ? ବୋଇଲା ତହିଁକି। ୧୨ ।

 

ବିମାନେ ଆରୋହି ଅଭିମାନେ ଯାଇ ବିଚାରୁ ମାନସେ।

ବୁଦ୍ଧି ସ୍ଫୁରିଲା ମାରୀଚ ପାଶେ ଗଲା ବିନାୟୀ ଚାହିଁ ସେ।

ବୋଇଲା ଚାତକ ପ୍ରାୟ ମୁଁ ଯାଚକ ଆସିଛି ତୃଷାର୍ତ୍ତେ ।

ବାରିଦ ତୁହି ଆଶାରେ ଉଦେ ହୋଇ ରସ ଦେ ତ୍ଵରିତେ । ୧୩।

 

ବୋଲେ ସୁନ୍ଦାତ୍ମଜ ତୁ ରାଜାଧିରାଜା କି ଦେବି ତୋତେ ମୁଁ ?

ବଧ ଜନନୀ ଭ୍ରାତା ମୋ ସୈନ୍ୟ ଘେନି ଜୀଇଛି କି ଧର୍ମୁ।

ବିଂଶଭୁଜ ଭଣି ବଇରୀ କେ ପୁଣି କହ ମୋରେ ତାକୁ।

ବାର୍ତ୍ତା ବନ୍ଧୁ ହୋଇ ନ ଦେଲୁ କିପାଇଁ ଶଉଚ ହେବାକୁ ? ୧୪।

 

ବୁଡ଼ି ପାରାବାର ବାରିରେ ସୋଦରଭାବକୁ ଦେଖାଇ।

ବୀରକେଶ ଧରି ମାରିବାକୁ ଅରି ବାହାରି ଡ଼ାକଇ ।

ବୋଇଲା ତାଡ଼କୀ ନନ୍ଦନ ତହିଁକି ବସ ହେ ଭୂପତି ।

ବହ୍ନି ରେ ଚାଲିବା ବିଷ ଜୀର୍ଣ୍ଣ ହେବା ଉପାୟେ ଅଛନ୍ତି । ୧୫।

 

୧୧ଶ ପଦ :- ଅବଜ୍ଞା-ଅନାଦର । ବିଗତଶୋଚନା-ଶୋକହୀନା । ସୁଲୋଚନା-ସୁନେତ୍ରୀ । କିତବେ-କପଟରେ ବା ଛଳରେ ।

୧୧ଶ ପଦ :- ରାବଣ ପୁଣି କହିଲା, ‘‘ବ୍ରହ୍ମପଦାର୍ଥର ନାକ, କାନ ଓ ହାତଗୋଡ଼ ନାହିଁ- ତଥାପି ସେ ଅବମାନନା ପାଏ କି ? (ସେହିପରି ତୋର ନାସା କର୍ଣ୍ଣ ନ ଥିଲେ ସୁଦ୍ଧା ତୋତେ ଅବମାନନା କରିବାକୁ କେହି ସାହାସ କରିବେ ନାହିଁ । କାରଣ ତୁ ମୋର ଭଉଣୀ) । ହେ ସୁଲୋଚନା ! ତୁ ଶୋକ କରନାହିଁ । ଏବେ ମୋର ପ୍ରତିଜ୍ଞା ଦେଖ । ବଳେ ନ ହେଲେ କପଟରେ ତାହାର ଭାର୍ଯ୍ୟାକୁ ମୁଁ ହରି ଆଣିବି । ତାହା ହେଲେ ବନରେ ସେ ଦୁଇ ଭାଇ ସ୍ତ୍ରୀକୁ ଝୁରି ଝୁରି ମରିବେ । ତୁ ସେ ବନକୁ ଯାଇ ତାଙ୍କୁ ଭକ୍ଷଣ କରିବୁ ।’’

୧୨ଶ ପଦ :- ରାବଣର ବଚନ ଶୁଣିପାରି (ବଳେ ବା କୌଶଳରେ ତାହା ଭାର୍ଯ୍ୟାକୁ ଧରି ଆଣିବ ଏହି ବଚନ) ରାଣୀମାନେ ‘‘ଆମେ ଏଣିକି ଆଉ ଆଦୃତା ହେବୁ ନାହିଁ’’- ଏହି ଆଶଙ୍କା କରି ବିରସ ହେଲେ । (ରାବଣ ସୀତାଙ୍କୁ ଆଣିଲେ ଆଉ ଆମ୍ଭଙ୍କୁ ପଚାରିବେ ନାହିଁ) । କିନ୍ତୁ ବୁଦ୍ଧିମତୀ ମନ୍ଦୋଦରୀ ବିଧବା ହେବା ଭୟରେ କହିଲା, କାନ୍ଥରେ ଆପଣା ହସ୍ତରେ ଲେଖିଥିବା ଶ୍ଳୋକକୁ ଦେଖୁନାହିଁ କାହିଁକି ? [ରାବଣ କାନ୍ଥରେ ଲେଖି ରଖିଥିଲା ଯେ, ସୀତାହରଣ ରାବଣ ମରଣ] ।’’ ତା ଶୁଣି ରାବଣ କହିଲା, ‘‘ହେ ପଦ୍ମଲୋଚନେ ! ଅନୁକୂଳ କଲା ସମୟରେ ନିଷେଧ କରିବା ଉଚିତ କି ? (ନିଷେଧ କର ନାହିଁ) ।’’

୧୩ଶ ପଦ :- ବାରିଦ-ମେଘ । ଆଶା-ଦିଗ । ରସ-ଜଳ, ଅନୁରାଗ ।

୧୩ଶ ପଦ :- ତତ୍ପରେ ରାବଣ ରଥରେ ବସି ଅଭିମାନଭରେ ମନରେ ବିଚାର କରି ଯାଉ ଯାଉ ଏକ ବୁଦ୍ଧି ଦେଖାଗଲା । (ମାରୀଚ ପାଖକୁ ଗଲେ କାର୍ଯ୍ୟ ସିଦ୍ଧି ହେବ- ଏହି ବୁଦ୍ଧି) ସେ ମାରୀଚ ପାଖକୁ ଯିବାରୁ ମାରୀଚ ତାକୁ ଦେଖି ବିନୟୀ ହେଲା । ରାବଣ କହିଲା, ‘‘ମୁଁ ତୃଷାତୁର ଚାତକ ପକ୍ଷୀ ପ୍ରାୟ ପ୍ରାର୍ଥୀ ହୋଇ ଆସିଅଛି । ତୁ ମେଘପରି ମୋର ପ୍ରାତ୍ୟାଶରୂପ ଦିଗରେ ଉଦେ ହୋଇ ଅନୁରାଗରୂପ ଜଳକୁ ଶୀଘ୍ର ଦାନ କର ।’’(ମୋର କାମନା ପୂର୍ଣ୍ଣ କରିବାକୁ ତତ୍ପର ହୁଅ) ।

୧୪ଶ ପଦ :- ସୁଦାତ୍ମଜ-ମାରୀଚ । ରାଜାଧିରାଜ-ମହାରାଜ ।

୧୪ଶ ପଦ :- ରାବଣର କଥା ଶୁଣି ମାରୀଚ ଉତ୍ତର ଦେଲା, ‘‘ତୁମ୍ଭେ ରାଜଧିରାଜ, ତୁମ୍ଭଙ୍କୁ ମୁଁ ବା କ’ଣ ଦେବି ? ମୋ ଜନନୀ ତାଡ଼କା ଓ ସୈନ୍ୟସହ ଭାଇ ସୁବାହୁ ମଲେ । କେଉଁ ଧର୍ମବଳରୁ ମୁଁ ବଞ୍ଚି ରହିଛି ସିନା !’’ ଏହା ଶୁଣି ରାବଣ କହିଲା, ‘‘ତୋର ପୁଣି ଶତ୍ରୁ କିଏ କହ; ମୁଁ ତାକୁ ବିନାଶ କରିବି । ତୁ ମୋର ବନ୍ଧୁ ହୋଇ ଶୁଦ୍ଧି ହେବା ପାଇଁ ମୋତେ ଖବର ନ ଦେଲୁ କାହିଁକି ?

୧୫ଶ ପଦ :- ପାରାବାର-ସମୁଦ୍ର । ବୀରକେଶ-ନିଶ । ତାଡ଼କୀ ନନ୍ଦନ-ମାରୀଚ ।

୧୫ଶ ପଦ :- ତତ୍ପରେ ରାବଣ ଭ୍ରାତୃଭାବ ଦେଖାଇବା ନିମିତ୍ତ ସମୁଦ୍ରରେ ସ୍ନାନ କରି ଆସି ନିଶରେ ହାତ ବୁଲାଇ ଶତ୍ରୁ ମାରିବା ପାଇଁ ଭାବି କହିଲ, ‘‘ଆ, ତୋର ଶତ୍ରକୁ ମାରିବା ।’’ ତାହା ଶୁଣି ତାଡ଼କୀନନ୍ଦନ ମାରୀଚ କହିଲା, ‘‘ହେ ରାଜା ବସ- କଥା ଶୁଣ । ଅଗ୍ନିରେ ଚାଲିଯିବାର, ବିଷ ଖାଇ ଜୀର୍ଣ୍ଣ କରିବାର ଉପାୟ ଅଛି ।’’

 

ବିନା ଉପାୟ ରାଘବ ଶରଚୟ ଯମର ସେ ଯମ।

ବିଷ୍ଣୁ ହେଲେ ହେବ ଆଉ ତ ନ ଥିବ ତାହାକୁ କେ ସମ ?

ବଡ଼ କହିଲୁ ତ ବୋଲେ ଲଙ୍କନାଥ ନ ଡ଼ର ତୁ କିଛି।

ବାଜି ବିଷ୍ଣୁଚକ୍ର ମୋ ହୃଦେ ପଦକ ପରାୟ ଲାଗିଛି । ୧୬।

 

ବୋଲୁ ଯେ ରାଘବ ତାହାର ପୂରୁବପୁରୁଷ ମାରିଛି।

ବିଧାତା ଘଟନ ତୋର ମୋର ପୁଣ ବଇରୀ ହୋଇଛି।

ବିଧି ତୋ ଜନନୀ ଛେଦିଛି ମୋ ଭଗ୍ନୀ ନାସିକା ଶ୍ରବଣ।

ବଳ ଭ୍ରାତା ହତ ହେଲା ଏକମତ ପାଞ୍ଚିବା ମାରଣ । ୧୭।

 

ବକ୍‌ତ୍ରମାଳୀକି ମାରୀଚ ଛଳିକି ତୋ ସାମର୍ଥ୍ୟ ବଡ଼ାଇ ।

ବାନ୍ଧିଲା ଅର୍ଜୁନ ତୋତେ ତା ଛେଦନ ଦର୍ପ ଯେ ଛଡ଼ାଇ ।

ବଂଶ ନ ମରା ଦାତ୍ୟୂହ ପରା ହୋଇ ବିରୋଧ କରନା।

ବିମ୍ବ କରି ଥୟ କୂପେ ସିଂହ ପ୍ରାୟ ବୁଡ଼ି ତୁ ମର ନା । ୧୮।

 

ବୋଲୁ ରମାମଣି ରାମାଙ୍କ କେ ଭଣି ବଧକୁ ବିଧକୁ ।

ବେଗେ ଆଗେ ଦୃଷ୍ଟି ରାମା ମଣି କଷ୍ଟି ହୁଅଇ ବଧକୁ।

ବିରାମ ଆରାମ କହୁଁ ହୋଇ ଭ୍ରମ ପଛକୁ ଅନାଇ।

ବିନ୍ଧିବାଠାଣି ପୂର୍ବରୁ ଦିଶି ପୁଣି କମ୍ପି ମୁଁ ପଳାଇ । ୧୯।

 

ବିଜନେ ବାସ ଦେଲାଟି ପୁଣ ତ୍ରାସ ଦେଖିଲି ସ୍ଵପନେ ।

ବିନିଦ୍ର ହୋଇ ତପସ୍ଵୀ ବେଶ ବହି ରହିଛି ଏ ସ୍ଥାନେ।

ବକ୍ତା ଦଶମୁର୍ଦ୍ଧାନ ଭାଙ୍ଗ ମୋ ଶ୍ରଦ୍ଧା ମାରିବା କପଟେ।

ବିହର ଚିତ୍ର ଚମରୀରୂପ ଧରି ତୁ ତାଙ୍କ ନିକଟେ । ୨୦।

 

୧୬ଶ ପଦ :- ମାତ୍ର ରାମଙ୍କ ବାଣ ସବୁକୁ ଉପାୟ ନାହିଁ । ସେ ରାମ ଯମର ଯମ । ମୁଁ ବିଚାରୁଛି, କେବଳ ବିଷ୍ଣୁ ସେ ରାମଙ୍କୁ ସମାନ ହୋଇପାରେ । [ମାତ୍ର ଆଉ କେହି ତା ସମାନ ନାହାଁନ୍ତି] ।’’ ମାରୀଚ ଏହା କହନ୍ତେ ରାବଣ ଉତ୍ତର ଦେଲା, ‘‘ତୁ ତ ବଡ଼ କଥାଟାଏ କହିଲୁ ? ସେ ବିଷ୍ଣୁ ସଙ୍ଗେ ସମାନ ହେବ ବୋଲି ଯାହା କହିଲୁ, ସେ ବିଷ୍ଣୁକୁ ତ ମୁଁ ଡରେ ନାହିଁ । କାରଣ ସେ ବିଷ୍ଣୁର ଚକ୍ର [ସୁଦର୍ଶନଚକ୍ର] ମୋ ବକ୍ଷ ସ୍ଥଳରେ ବାଜି ପଦକ ପରି ରହିଅଛି ।’’

୧୭ଶ ପଦ :- ‘ତୁ ଯେଉଁ ରାଘବକୁ ଏଡ଼େ ବଳିଷ୍ଠ ବୋଲି କହୁଛି, ମୁଁ ତା’ର ପୂର୍ବପୁରୁଷ ଅନରଣ୍ୟ ରାଜାକୁ ମାରିଛି । ଦୈବଯୋଗରେ ସେ ରାଘବ ପୁଣି ତୋର ଓ ମୋର ଶତ୍ରୁ ହୋଇଛି । ସେ ତୋର ମାତାକୁ ବଧ୍ୟ କରିଛି ଓ ମୋ ଭଗ୍ନୀ ସୂର୍ପଣଖାର ନାସା କର୍ଣ୍ଣ ଛେଦନ କରିଅଛି । ତୋହର ଭାଇକୁ ଓ ମୋର ଭାଇ ଖର ଦୂଷଣାଦିଙ୍କୁ ସୈନ୍ୟସହ ବିନାଶ କରିଅଛି । ତେଣୁ ଦୁହେଁ ଯାକ ମିଶି ତାର ମରଣ କଥା ବିଚାର କରିବା ।’’

୧୮ଶ ପଦ :- ବକ୍ତ୍ରମାଳୀ-ରାବଣ । ସମାର୍ଥ୍ୟ-ବଳ । ଦାତ୍ୟୁହ-ଡାହୁକ ।

୧୮ଶ ପଦ :- ରାବଣର କଥା ଶୁଣି ମାରୀଚ ଛଳ ପୂର୍ବକ କହିଲା, ‘‘ତୋର ସାମର୍ଥ୍ୟ କେତେ କି ? ତୋତେ ଯେଉଁ ସହସ୍ରାର୍ଜୁନ ବାନ୍ଧିଥିଲା, ସେହି ସହସ୍ରାର୍ଜୁନର ଛେଦନକାରୀ ପର୍ଶୁରାମଙ୍କ ଗର୍ବ ଯେଉଁ ରାମ ଖର୍ବ କରିଅଛନ୍ତି, ଏ ସେହି ରାମ (ଅର୍ଥାତ୍ ତୋ ଅପେକ୍ଷା ବହୁତ ଗୁଣରେ ବଳିଷ୍ଠ ଅଟନ୍ତି) । ତୁ ତାହାଙ୍କ ସହିତ ଶତ୍ରୁତା କରନାହିଁ, ଡାହୁକ ପ୍ରାୟ ବଂଶ ମରାଅ ନାହିଁ । (ଗୋଟିଏ ଡାହୁକ ଜାଲରେ ପଡ଼ିଲେ ସେ ପ୍ରଲୋଭନ ଦେଖାଇ ଅନ୍ୟ ଡାହୁକମାନକୁ ଆଣି ଜାଲରେ ବନ୍ଧନ କରାଏ, ତେଣୁ ଗୋଟିକ ଯୋଗୁଁ ବଂଶଯାକ ମରନ୍ତି) । କୂପ ଜଳରେ ନିଜର ପ୍ରତିବିମ୍ବ ଦେଖି ସିଂହ ଗର୍ବରେ ଡେଇଁପଡ଼ି ବୁଡ଼ିମଲା ପରି ତୁ ମର ନାହିଁ ।’’

୧୯ଶ ପଦ :- ବଧୂକୁ-ସ୍ତ୍ରୀକୁ । ବିଧୂକୁ-ଚନ୍ଦ୍ରକୁ । ବିରାମ-ବିଶ୍ରାମ । ଆରାମ-ଉପବନ ।

୧୯ଶ ପଦ :- ‘‘କେହି ଆପଣା ସ୍ତ୍ରୀକୁ ‘ରାମାମଣି’ ବୋଲି କିମ୍ବା କେହି ଚନ୍ଦ୍ରକୁ ‘ରାମାଙ୍କ’ ବୋଲି କହିବାର ଶୁଣିଲେ, ମୁଁ ଶୀଘ୍ର ଆଗର ଦୁଇ ଅକ୍ଷର ‘ରାମ’କୁ ମନରେ ଆଣି ରାମ ଆଗରୁ ଆସି ବିନାଶ କରିବେ କି ? ଏହି ଭୟରେ ଅସ୍ଥିର ହୋଇଉଠେ । (ରାମ ଶବ୍ଦ ଯେ କୌଣସି ପ୍ରକାରେ ହେଉ ନା କାହିଁକି, ମୋ କାନରେ ପଡ଼ିଲେ, ମୋ ପ୍ରାଣ ଥରିଉଠେ) । କେହି ବିରାମ କିମ୍ବା ଆରାମ କହିଲେ, ମୁଁ ଭ୍ରମବଶତଃ ପଛକୁ ଅନାଇଁ ଦିଏ ଏବଂ ପୂର୍ବେ ରାମଙ୍କର ଶର ବିନ୍ଧବା ଠାଣି ମନରେ ପଡ଼ିଯିବାରୁ ଭୟରେ ଥରି ମୁଁ ପଳାଇ ଯାଏ । (ବିରାମ ଓ ଆରାମର ପଛ ଦୁଇ ଅକ୍ଷର ରାମ ହୋଇଥିବାରୁ, ରାମ ପଛରୁ ଆସି ଶର ବିନ୍ଧିଲେ କି ? ଏହି ଭୟ ହୁଏ) ।’’

୨୦ଶ ପଦ :- ବିଜନ-ନିର୍ଜନ ସ୍ଥାନ । ତ୍ରାସ-ଭୟ । ବିନିଦ୍ର- ଉଜାଗର । ଦଶମୂର୍ଦ୍ଧା-ରାବଣ । ଚିତ୍ରଚମରୀ-ଚିତ୍ରମୃଗ ।

୨୦ଶ ପଦ :- ‘‘ରାମ ଶବ୍ଦ ଶୁଣିବା ହେତୁ ଯେ ଭୟ ଜାତହୁଏ, ସେହି ଭୟଯୋଗୁଁ ମୁଁ ନିର୍ଜନ ସ୍ଥାନରେ ବାସ କରୁଅଛି । (ନିର୍ଜନରେ ରହିଲେ ରାମ ଶବ୍ଦ ମୋ କାନକୁ ଆସିବ ନାହିଁ । ତେଣୁ ମନ ଭୀତ ହେବ ନାହିଁ) । ତଥାପି ସ୍ୱପ୍ନରେ ରାମଙ୍କୁ ଦେଖି ବ୍ୟାକୁଳିତ ହେଉଅଛି । ସେଥିପାଇଁ ଅନିଦ୍ରାରେ ରହି ତପସ୍ୱୀ ବେଶ ଧରି, ଏ ସ୍ଥାନରେ ରହିଅଛି । (ନିଦ୍ରାଗଲେ ସିନା ରାମଙ୍କୁ ସ୍ୱପ୍ନ ଦେଖି ଭୀତ ହେବି) ।’’ ଏହା ଶୁଣି ରାବଣ କହିଲା, ‘ତୁ ମୋ ଶ୍ରଦ୍ଧା ଭାଙ୍ଗ ନାହିଁ, ରାମକୁ କପଟରେ ମାରିବା । ତୁ ତାଙ୍କ ଆଗରେ ବିଚିତ୍ର ମୃଗ ହୋଇ ଖେଳା କର ।’’

 

ବିଦୁରେ ନେଇ ରାମ ତ୍ରାହି ଲକ୍ଷ୍ମଣ କହି ହୋ ଅନ୍ତର।

ବଟୁ ବେଶେ ଭିକ୍ଷା ମାଗି ପକ୍ଷ୍ମଳାକ୍ଷୀ ହରଇ ମୁଁ ତାର।

ବୋଲେ ମାରୀଚ ରାଜା ଏ ଲୋଭ ମୁଞ୍ଚ ତୁ ମଧୁ ସଦୃଶ।

ବଂଶ ପଦ୍ମବନ କରିଛୁ ବର୍ଦ୍ଧନ ସୁମନ ପ୍ରକାଶ । ୨୧। 

ବେଭାରେ ସୀତା ଶୀତ ହେଲେ ମିଳିତା ସେ ରାମ ଲକ୍ଷ୍ମଣ।

ବରଷି କରରୁ ତୁଷାର ଶରକୁ ନାଶିବେ ତତ୍‌କ୍ଷଣ ।

ବୈଦ୍ୟ ସୁବୁଦ୍ଧି ବାଣୀ ତାର ଔଷଧି ନ ରୁଚି ଭକ୍ଷଣେ।

ବ୍ୟାଧି ନାଶକାରୀ ଯେବେ ତା ନ କରି ପ୍ରବର୍ତ୍ତେ ମରଣେ । ୨୨।

 

ବୋଲିଛି ମଧୁ ଷକାର ଭେଦେ ପୁଣି ମହୀଶ ଆପଣ।

ବାର୍ଦ୍ଧିଜା ଦୂର୍ଗା ଲୋଭେ ଯାହା ହୋଇଲେ ତାହା କି ନ ଜାଣ?

ବଳେ ଯେ ଯାହାରେ ଊଣା ସେ ତାହାରେ ଆରମ୍ଭେ କି ଦ୍ଵନ୍ଦ୍ଵ ।

ବହି ଅହଂବୁଦ୍ଧି ମାନ କରୁ ସିଦ୍ଧି ଉପୁଜେ ଯେ ମନ୍ଦ । ୨୩।

 

ବିଶ୍ରବା ସୁତ କୋପରେ ପ୍ରଜ୍ଜ୍ଵଳିତ ଶୁଣି ତା ବଚନ।

ବିକୋଷ କରିଣ କରବାଳ କର ବାଳରେ ତା ମନ।

ବୋଇଲା ଅବଜ୍ଞା କରୁ ମୋର ଆଜ୍ଞା ମାନବ ଭୟାଳୁ !

ବାଳକ ମୁଁ ସତେ ତୁ ବୁଝାଉ ମୋତେ କେ ତୋତେ ସମ୍ଭାଳୁ ? ୨୪।

 

ବିଚାରିଲା ତାଡ଼କେୟ ଏ ମାଇଲେ ହୋଇବି ଅମୋକ୍ଷ।

ବୈକୁଣ୍ଠେ ଗମନ୍ତି ରାମ କରୁ ହତ ଦେଖିଛି ପ୍ରତ୍ୟକ୍ଷ।

ବଳିଆଇ କହି ଆଗ ମୁହିଁ ତୁହି ମରିବୁ ପଛରେ।

ବାରିତାତି ଝସ ଶୁଖି ଗ୍ରାହବଂଶ ଯେମନ୍ତ କାସାରେ । ୨୫ ।

 

୨୧ଶ ପଦ :- ‘‘ତୋର ବିଚିତ୍ର ରୂପ ଦେଖି ସେ ତୋତେ ମାରିବାକୁ ବାହାରିଲେ ତୁ ରାମଙ୍କୁ ବହୁତ ଦୂରକୁ ନେଇଯାଇ ‘ହେ ଲକ୍ଷ୍ମଣ ତ୍ରାହି’ ଏହା କହି ଅନ୍ତର ହୋଇଯିବୁ । ଲକ୍ଷ୍ମଣ ତୋ ଡାକ ଶୁଣି ଦୂରକୁ ଚାଲିଗଲେ, ପଦ୍ମନୟନା ସୀତାଙ୍କୁ ମୁଁ ବ୍ରହ୍ମଚାରୀ ବେଶରେ ଭିକ୍ଷା ମାଗି ହରଣ କରି ଘେନି ଆସିବି ।’’ ଏହା ଶୁଣି ମାରୀଚ କହିଲା, ‘‘ହେ ରାଜା ! ଏ ଲୋଭଛାଡ଼, ତୁ ବସନ୍ତକାଳ ପ୍ରାୟ ହୋଇ ତୋ ବଂଶକୁ ପଦ୍ମବନ ସଦୃଶ ବଢ଼ାଇଅଛୁ (ବସନ୍ତକାଳରେ ପଦ୍ମ ବନ ବିଶେଷ ବୃଦ୍ଧି ହୋଇଥାଏ) । ଏବେ ସେ ବଂଶପୁଷ୍ପ ପ୍ରତି ଉତ୍ତମ ମନ ଦେଇ ବିକାଶ କର । (ଅର୍ଥାତ୍ ନିଜ ବଂଶ ପ୍ରତି ସ୍ନେହ ଦୃଷ୍ଟି ରଖି ତାକୁ ବଢ଼ା- ନଷ୍ଟ କରିବାର ପଥ ଖୋଜ ନାହିଁ ।’’

୨୨ଶ ପଦ :- ‘‘ବିଧିରେ ସୀତା ଶୀତକାଳ ହୋଇ ଲଙ୍କାରେ ପ୍ରବେଶ କଲେ, ରାମ ଲକ୍ଷ୍ମଣରୂପ ଚନ୍ଦ୍ର ସ୍ୱୀୟ କର କିରଣରୁ ତୁଷାରରୂପ ଶର ବରଷି ତୋର ବଂଶ ପଦ୍ମବନକୁ ବିନାଶ କରିବେ । ପୁଣି ଯେଉଁ ରୋଗୀ ଉତ୍ତମ ବୈଦ୍ୟର ପଥ୍ୟ କଥା ନ ମାନେ ଓ ଔଷଧ ଗ୍ରହଣ ନ କରେ, ତାହାର ରୋଗ ଭଲ ହୁଏ ନାହିଁ, ସେ ବିନାଶ ହୁଏ । (ବୁଦ୍ଧିମାନ ଲୋକର ହିତକଥା ଯେ ଗ୍ରହଣ ନ କରେ ସେ ମରେ । ମୁଁ ତୋତେ ଯେଉଁ ହିତକଥା କହୁଛି, ତା ଅବହେଳା କରନାହିଁ) ।’’

୨୩ଶ ପଦ :- ବାର୍ଦ୍ଧିଜା-ଲକ୍ଷ୍ମୀ ।

୨୩ଶ ପଦ :- ‘‘ମୁଁ ପୂର୍ବରୁ ତୋତେ ମଧୁ କହିଅଛି, (ପୂର୍ବେ ‘ମଧୁ’ ବସନ୍ତକାଳ ହୋଇଥିଲା, ବର୍ତ୍ତମାନ ମଧୁଦୈତ୍ୟ ଅର୍ଥ ହେଲା) ପୁଣି ତୁ ତ ‘ମହୀଶ’ ରାଜା ଅଟୁ । ଷକାର ହେଦରେ ମହିଷ ଅର୍ଥାତ୍ ମହିଷାସୁର ହେଲା । ମଧୁଦୈତ୍ୟ ଲକ୍ଷ୍ମୀ ଲୋଭରେ ଓ ମହିଷାସୁର ଦୁର୍ଗାଙ୍କୁ ଲୋଭରେ ଯାହାହେଲେ, ତାହା ତୁ କ’ଣ ଜାଣୁ ନାହିଁ ? (ତୁ ସୀତାଙ୍କଠାରେ ଲୋଭ କଲେ ତାଙ୍କରି ପରି ନାଶ ଯିବୁ) । ଯେ ଯାହାଠାରୁ ବଳରେ ଊଣା, ସେ ତାହାଠାରେ ଶତ୍ରୁତା ଆରମ୍ଭ କରେ କି ? ତୁ ଅହଂଗୁଣରେ ଗର୍ବ ଓ ମର୍ଯ୍ୟାଦାକୁ ବଢ଼ାଉ ଅଛୁ । ସେଥିରୁ ଯେ ମନ୍ଦଫଳ ଜାତ ହୁଏ, ଏହା ବୁଝିବା ଉଚିତ ।’’

୨୪ଶ ପଦ :- ମାରୀଚ କଥା ଶୁଣି ରାବଣ କ୍ରୋଧରେ ଜଳିଉଠି ଖଡ଼୍‍ଗକୁ ଖାପରୁ ବାହାର କରି ମାରୀଚ ବାଳକୁ ବାମହସ୍ତରେ ଧରିବାକୁ ମନକଲା । ପୁଣି କହିଲା, ‘‘ରେ ମାନବ ଭୟାଳୁ ! [ଛାର ମନୁଷ୍ୟକୁ ଭୟ କରୁ ଅଥବା ମନୁଷ୍ୟ ପରି ଭୀରୁ) ମୋର ଆଦେଶ ଅବମାନନା କରୁଅଛୁ । ମୁଁ କ’ଣ ବାଳକ ହୋଇଛି ଯେ, ତୁ ମୋତେ ଶିକ୍ଷା ଦେଉଅଛୁ ? ଏବେ ତୋତେ କିଏ ଆସି ରଖିବ ?’’

୨୫ଶ ପଦ :- ରାବଣର ଏପରି ନିଷ୍ଠୁର ବଚନ ଶୁଣି ମାରୀଚ ବିଚାର କଲା, ‘ଏ ରାବଣ ମାଇଲେ, ମୁଁ ଅମୋକ୍ଷ ରହିବି । ମାତ୍ର ରାମ ଯାହାକୁ ବିନାଶ କରନ୍ତି ସେ ବୈକୁଣ୍ଠକୁ ଗମନ କରେ, ମୁଁ ଏହା ସାକ୍ଷାତ୍‍ରେ ଦେଖିଛି । (ମୋର ମରଣ ତ ନିଶ୍ଚୟ, ରାବଣ ହାତରେ ମଲେ ନରକପାପ୍ତି ଓ ରାମଙ୍କ ହାତରେ ମଲେ ବୈକୁଣ୍ଠପ୍ରାପ୍ତି, ତେବେ ରାମଙ୍କ ହାତରେ ନ ମରିବି କାହିଁକି) ?’’ ଅନନ୍ତର ରାବଣକୁ ଆଗଭର ହୋଇ କହିଲେ, ‘‘ଯେପରି ପୋଖରୀର ପାଣି ତାତିଗଲେ ଆଗ ମୀନସବୁ ଓ ପରେ ପାଣି ଶୁଖିଗଲେ କୁମ୍ଭୀରମାନେ ମରନ୍ତି, ସେହିପରି ଆଗ ମୁଁ ମରିବି, ପଛରେ ତୁ ବିନାଶ ହେବୁ ।’’

 

ବିଷାଣ ତୀକ୍ଷଣ କ୍ଷୁର ସୁଘଟନ ମାଣିକ୍ୟେ ନିର୍ମିତ।

ବିରାଜେ ସ୍ଵର୍ଣ୍ଣ ଅଜିନେ ଲୋମପନ୍ତି ମୁକୁତା ମର୍କତ ।

ବିମଳ କ୍ଷୁଦ୍ର ନୀଳେନ୍ଦ୍ରମଣି ବୃନ୍ଦ ପୂଚ୍ଛ କି ଚାମର ?

ବିଚିତ୍ର ମୃଗ ହୋଇ ବେଗେ ବିହରେ ରାବଣ ଆଗର। ୨୬ ।

 

ବସୁ ପ୍ରାପତ କୃପଣ ଦୀନବତ ହୋଇଲା ଅନାଇଁ।

ବାହିଲା ବିମାନ ପଞ୍ଚବଟୀବନ ବସାଇ ରସାଇ।

ବେଗେ ମାୟାମୃଗ ଯାନ କରି ତ୍ୟାଗ ଅରଣ୍ୟେ ପଶିଲା।

ବୈଦେହୀ ଚତ୍ଵରେ ଖେଳନ୍ତେ ସତ୍ଵରେ ଦେଖି ସେ ରସିଲା । ୨୭।

 

ବୀଣାଜିଣାଭାଷୀ ଶ୍ରୀରାମରେ ଭାଷି ଏ ମୃଗେ ମୋ ଶ୍ରଦ୍ଧା।

ବସନ୍ତି ଅଜିନେ ଅତି ସୁରଞ୍ଜନେ ଯିବ କି ଏ ବାଧା ?

ବନ୍ଧନେ କବରୀ କରନ୍ତି ଚଉଁରୀ ଏ ଚାରୁ ଚାମର।

ବାମେ ଧନୁ ଧରି ରାଘବ ଉଚ୍ଚାରି ଏ କେତେ ମାତର ? ୨୮।

 

ବଦତି ଲକ୍ଷ୍ମଣ ଏ କପଟୀ ଏତ ମାରୀଚ ନିଶ୍ଚୟ।

ବିଲୋକିବା ଥାଉ ଶୁଣିଛ ବାତାୟୁ ସ୍ଵର୍ଣ୍ଣ ରତ୍ନମୟ ।

ବିନୋଦ ଦେଖାଇ ଦୂର କରି ନେଇ ନୃପଜମାନଙ୍କୁ ।

ବଧ କରେ ତୁଙ୍ଗ ଶୃଙ୍ଗରେ ଏ ରଙ୍ଗ ଆସଇ ମନକୁ । ୨୯।

 

ବଧିବି ଅବଶ୍ୟ ମୃଗ ବା ରାକ୍ଷସ ଶ୍ରୀରାମ ବୋଇଲେ।

ବରାରୋହା ଭୀରୁ ନାସ୍ତି କରୁ କରୁ ତା ପଛେ ଧାଇଁଲେ।

ବୋଲିଣ ଲକ୍ଷ୍ମଣ ସୀତାର ରକ୍ଷଣ ଲାଗଇଟି ତୋତେ।

ବଡ଼ ମାୟାବୀ ଅସ୍ରପେ ଏ ଅଟବୀ ଭ୍ରମନ୍ତି ନିରତେ । ୩୦।

 

୨୬ଶ ପଦ :- (ଏହା କହି ମାରୀଚ, ମାୟାମୃଗ ରୂପ ଧାରଣ କଲା) । ମାଣିକ୍ୟ ନିର୍ମିତ ତୀକ୍ଷ୍‌ଣ ଶୃଙ୍ଗ ଦ୍ୱୟ ଓ ଚାରି ଖୁରା ସୁନ୍ଦର ଦିଶୁଅଛି । ସୁବର୍ଣ୍ଣ ନିର୍ମିତ ଚର୍ମରେ ମୁକ୍ତା ଓ ମରକତ ମଣିର ଲୋମସବୁ ବିରାଜୁ ଅଛି । ନିର୍ମଳ ଇନ୍ଦ୍ରନୀଳମଣି ସଦୃଶ କ୍ଷୁଦ୍ର ପୁଚ୍ଛ ଚାମର ପ୍ରାୟ ଶୋଭା ପାଉଅଛି । ଏହିପରି ଗୋଟିଏ ସୁନ୍ଦର ମୃଗ ହୋଇ ମାରୀଚ ରାବଣ ଆଗରେ ବିହାର କଲା ।

୨୭ଶ ପଦ :- ଚତ୍ୱର-ଅଗଣା ।

୨୭ଶ ପଦ :- ରାବଣ ସେ ବିଚିତ୍ର ମୃଗକୁ ଦେଖି କୃପଣ ଓ ଦରିଦ୍ର ଲୋକ ଧନ ପାଇଲା ପ୍ରାୟ ଆନନ୍ଦିତ ହେଲା । ତତ୍ପରେ ସେ ମୃଗକୁ ଶ୍ରଦ୍ଧାରେ ରଥରେ ବସାଇ ପଞ୍ଚବଟୀ ଅରଣ୍ୟକୁ ରଥ ଚଳାଇ ନେଲା । ସେଠାରେ ପହଞ୍ଚି ସେ ମାୟା ମୃଗ ଖରତରରେ ବିମାନ ତ୍ୟାଗ କରି ଯାଇ ବନ ମଧ୍ୟରେ ପ୍ରବେଶ କଲା । ସେ ମୃଗ ରାମଚନ୍ଦ୍ରଙ୍କ ପତ୍ର କୁଟୀରର ଅଗଣାରେ ଶୀଘ୍ର ବିହାର କରନ୍ତେ, ସୀତା ତାକୁ ଦେଖି ଶ୍ରଦ୍ଧା ପ୍ରକାଶ କଲେ ।

୨୮ଶ ପଦ :- ଅଜିନ-ମୃଗ ଚର୍ମ।

୨୮ଶ ପଦ :- ବୀଣାଜିଣାଭାଷୀ ସୀତା ଶ୍ରୀରାମଙ୍କୁ କହିଲେ, ‘‘ଏ ମୃଗଠାରେ ମୋହର ଶ୍ରଦ୍ଧା ହେଉଅଛି । ଏ ମୃଗର ଚର୍ମରେ ମୁଁ ଆନନ୍ଦର ସହିତ ବସନ୍ତି; ଏହାର ମନୋହର ପୁଛୁକୁ କେଶ ବନ୍ଧନ ପାଇଁ ଚଉଁରୀ କରନ୍ତି । ଏହାକୁ ବିଦ୍ଧ ପାରିବକି?’’ ସୀତାଙ୍କ କଥା ଶୁଣି ରାମଚନ୍ଦ୍ର ବାମହସ୍ତରେ ଧନୁ ଧରି କହିଲେ, ‘‘ଏ ବା କେତେମାତ୍ର ? (ଏହାକୁ ଅକ୍ଳେଶରେ ମାରିଦେବି) ।’’

୨୯ଶ ପଦ :- ଏଣ-ମୃଗ । ବିଲୋକିବା-ଦେଖିବା । ବାତାୟୁ-ମୃଗ । ନୃପଜମାନଙ୍କୁ-ରାଜପୁତ୍ରମାନଙ୍କୁ । ତୁଙ୍ଗ-ଉଚ୍ଚ ।

୨୯ଶ ପଦ :- ସେତେବେଳେ ଲକ୍ଷ୍ମଣ କହିଲେ, ‘‘ଏ ମାୟାମୃଗ ନିଶ୍ଚୟ ମାରୀଚ ରାକ୍ଷସ ଅଟେ । ସ୍ୱର୍ଣ୍ଣରତ୍ନମୟ ମୃଗ ଦେଖିବା ତ ଦୂରର କଥା- କେବେ ଶୁଣିଛ କି ? ମାରୀଚ ରାକ୍ଷସ ଏ କପଟରେ ମୃଗ ହୋଇ ରାଜପୁତ୍ରମାନଙ୍କୁ କ୍ରୀଡ଼ା ଛଳରେ ଅନ୍ତର କରିନିଏ ଏବଂ ପର୍ବତର ଉଚ୍ଚ ଶୃଙ୍ଗରେ ବଧ କରେ ଏ କଥା ମୋ ମନକୁ ଆସୁଛି ।’’

୩୦ଶ ପଦ :- ବରାରୋହା-ପରମାସୁନ୍ଦରୀ । ଭୀରୁ-ଭୟାଳୁ । ଅସ୍ରପେ-ରାକ୍ଷସମାନେ । ଅଟବା-ବନ ।

୩୦ଶ ପଦ :- ଲକ୍ଷ୍ମଣଙ୍କ କଥା ଶୁଣି ଶ୍ରୀରାମ କହିଲେ, ‘‘ଏ ମୃଗ ହେଉ ବା ରାକ୍ଷସ ହେଉ, ନିଶ୍ଚୟ ଏହାକୁ ବଧ କରିବି ।’’ ଲକ୍ଷ୍ମଣଙ୍କ କଥାରେ ଭୟ ପାଇ ସୀତା ମନା କରୁ କରୁ ରାମଚନ୍ଦ୍ର ମୃଗ ପଛରେ ଧାଇଁଲେ । ସେତେବେଳେ କହିଗଲେ, ‘‘ହେ ଲକ୍ଷ୍ମଣ ! ସୀତାଙ୍କୁ ରକ୍ଷା କରିବା ଭାର ତୋତେ ଲାଗିଲା । ବଡ଼ମାୟାବୀ ରାକ୍ଷାସମାନେ ନିରନ୍ତର ଏ ବନରେ ବୁଲୁଅଛନ୍ତି ।’’

 

ବିଦୁର ରକ୍ଷ ବିଦ୍ୟୁ ପ୍ରାୟ ପ୍ରତ୍ୟକ୍ଷ ହୁଅଇ ନୁହଇ ।

ବିଦୁରେ ନେଇ ଲକ୍ଷ୍ମଣ ତ୍ରାହି କହି ତ୍ରିବାର ଶୁଭାଇ।

ବଧିରବତ ଧୀର ସୀତା-ଦେବର ସେ ଶବ୍ଦ ଶ୍ରୋତାରେ।

ବସୁମତିପୁତ୍ରୀ ବୋଇଲେ ସୌମିତ୍ରି ଯାଅ ହେ ସତ୍ଵରେ । ୩୧। 

ବିପତ୍ତି ପତନ ପତି ତବ ନାମ ଧରି ଯେ ଡ଼ାକନ୍ତି ।

ବିଶ୍ଵେ ଏକ ବୀର ଏ ନିଷତ ଗିର ତାଙ୍କର କି ସତି !

ବୋଲନ୍ତେ ଲକ୍ଷ୍ମଣ ମୈଥିଳୀ ଭାଷଣ ଛଦ୍ମେ କି ଗମନ ?

ବଲ୍ଲଭୀ କରି ମୋତେ ଦେବୁ ବିଚାରି ଭରତ ସଦନ । ୩୨।

 

ବୈଶ୍ଵାନରେ ମୁଁ ଝାସିବି ବୋଲି ଖରେ ସେ ପାଶେ ଈଶିତ ।

ବାହ୍ୟ କର ଏକ ଆତ୍ମା ଦୂଷି ହେବ ଲକ୍ଷ୍ମଣ ଭାଷିତ।

ବ୍ୟାଘ୍ର ପରାୟେ ଗତିକି ବ୍ୟଗ୍ର କଲେ ହୋଇ ସେ କୁପିତ।

ବିଜନ ବନ ଶଙ୍କା ଘେନି ଜାନକୀ ହୁଅନ୍ତେ ଗୁପତ । ୩୩। 

ବହି ଯତିବେଶ ରାବଣ ଯେ ଆସ୍ୟ ଭୁଜକୁ ଲୁଚାଇ।

ବିଭୁତି ଅଙ୍ଗ କରଙ୍କ କରମାଳେ ଶଙ୍କର ଜପଇ।

ବସନ କଷାୟ ଭିକ୍ଷା ଆଣି ଦିଅ ଥାଳିରେ ବୋଇଲା ।

ବସ କ୍ଷଣେ ଈଶ ଆସନ୍ତୁ ଏ ଭାଷ ଭାଷଣ ମହିଳା । ୩୪। 

ବିଂଶପାଣି ଭଣି ଈଶାନ କଲେଣି ଏ ବନେ କି ବସା ?

ବୈଦେହୀ କହି ନ ବୁଝ କି ସେ ନୋହେ ଧବରେ ଏ ଭାଷା।

ବୋଲେ ଲଙ୍କପତି ଏଥି ଗତାଗତ କରନ୍ତି ବୃକ୍ଷ କି ?

ବଲ୍ଲଭେ କହଇ ରାଘବଟି ସେହି ଭାଷିତ ଜାନକୀ । ୩୫।

 

୩୧ଶ ପଦ :- ସେ ରାକ୍ଷସ ଅଳ୍ପ ଦୂରରେ ବିଜୁଳି ପ୍ରାୟ ଦେଖାଦେଇ ପୁଣି ଅଦୃଶ୍ୟ ହୋଇଯାଏ । ଏହିପରି ରାମଙ୍କୁ ବହୁତ ଦୂରକୁ ନେଇଗଲା । ଅବଶେଷରେ ରାମ ଶର ମାରନ୍ତେ, ‘ହେ ଲକ୍ଷ୍ମଣ ରକ୍ଷାକର’ ! ଏହିପରି ତିନିଥର ଶୁଣାଇ (ସୀତା ଓ ଲକ୍ଷ୍ମଣ ଯେପରି ଶୁଣିପାରିବେ-ସେହିପରି ଉଚ୍ଚ ଶବ୍ଦରେ) ଡାକ ଦେଲା । ସେ ଶବ୍ଦ ଶୁଣି ଲକ୍ଷ୍ମଣ ସ୍ଥିର ଭାବରେ କାଲ ପରି (ଶୁଣି ନ ଶୁଣିଲା ପ୍ରାୟ) ହୋଇ ରହିଲେ । ମାତ୍ର ସୀତା କହିଲେ, ‘‘ହେ ଲକ୍ଷ୍ମଣ ! ତୁମ୍ଭେ ଶୀଘ୍ର ଯାଅ ।’’

୩୨ଶ ପଦ :- ‘‘ବିପତ୍ତି ପଡ଼ିବାରୁ ରାମଚନ୍ଦ୍ର ତୁମ୍ଭେ ନାମ ଧରି ଡାକୁଛନ୍ତି ।’’ ସୀତାଙ୍କ ବାଣୀ ଶୁଣି ଲକ୍ଷ୍ମଣ କହିଲେ, ‘‘ହେ ସତି ! ସଂସାର ମଧ୍ୟରେ ରାମ ଅଦ୍ୱିତୀୟ ବୀର । ତାଙ୍କଠାରୁ ଏପରି ନିଷତ ବଚନ ବାହାରିବ କି ?’’ ଲକ୍ଷ୍ମଣ ଏହା କହିବାରୁ ସୀତା ଉତ୍ତର ଦେଲେ, ‘‘ତୁ ମୋତେ ଭରତର ଭାର୍ଯ୍ୟା କରି ତା ପାଖରେ ଦେବୁ ବୋଲି ବିଚାରି କପଟରେ ବନକୁ ଆସିଅଛୁ ।’’

୩୩ଶ ପଦ :- ଈଶତ-ଇଚ୍ଛା ।

୩୩ଶ ପଦ :- ‘‘ମୁଁ ଯାଉଛି ଅଗ୍ନିରେ ଝାସ ଦେବି’’ ଏହା କହି ଶୀଘ୍ର ସେ ଅଗ୍ନି ପାଖକୁ ଝାସ ଦେବା ଇଚ୍ଛାରେ ଗଲେ । ତାହା ଦେଖି ଲକ୍ଷ୍ମଣ କହିଲେ, ‘‘ଆମ୍ଭେ ଏକ ଆତ୍ମା ଅଟୁଁ । ତୁମ୍ଭେ ଆମ୍ଭଙ୍କୁ ଭିନ୍ନ ମନେ କରୁଅଛ, ତେଣୁ ଦୂଷିତା ହେବ ।’’ ଏପରି କହି କ୍ରୁଦ୍ଧ ମନରେ ସେ ଲକ୍ଷ୍ମଣ ବ୍ୟାଘ୍ର ପ୍ରାୟ ଗତି କରି ଖରତରରେ ଗଲେ । ଲକ୍ଷ୍ମଣ ଚାଲିଯିବାରୁ ଜାନକୀ ନିର୍ଜନବନ ହେତୁ ଭୟ କରି ଲୁଚିଲେ ।

୩୪ଶ ପଦ :- ଲକ୍ଷ୍ମଣ ଚାଲିଯିବାରୁ ରାବଣ ନବ ମୁଖ ଓ ଅଠର ଭୁଜକୁ ଲୁଚାଇ, ବ୍ରହ୍ମଚାରୀ ବେଶ ଧରି, ଦେହଯାକ ଭସ୍ମ ବୋଳିହୋଇ, କଷାବସ୍ତ୍ର ପିନ୍ଧି, ହସ୍ତରେ କମଣ୍ଡଳୁ ଓ ମାଳାଧରି ଶଙ୍କର ନାମକୁ ଜପି ଜପି ଆସି ‘‘ଥଳିରେ ଭିକ୍ଷା ଆଣି ଦଅ’’ ବୋଲି ଡାକିଲା । ତାହା ଶୁଣି ସୀତା କହିଲେ, ‘‘କ୍ଷଣେ ମାତ୍ର ବସ, ‘ଈଶ’ ସ୍ୱାମୀ ଆସନ୍ତୁ ।’’

୩୫ଶ ପଦ :- ଈଶ ଆସନ୍ତୁ ବୋଲି କହିବାରୁ ରାବଣ ବକ୍ରୋକ୍ତିରେ କହିଲା, ‘‘ଏ ବନରେ ‘ଈଶାନ’ ମହାଦେବ ବସା କଲେଣି କି ?’’ ସୀତା କହିଲେ, ‘ଧବ’ ପତିଙ୍କୁ ଈଶ କହନ୍ତି, ଏହା କ’ଣ ତୁମ୍ଭେ ବୁଝିପାରିଲ ନାହିଁ ?’’ ରାବଣ ପୁଣି ପଚାରିଲା, ‘‘ଏ ବନରେ ଧବ ବୃକ୍ଷସବୁ ଯିବା ଆସିବା କରନ୍ତି କି ?’’ ଜାନକୀ ଉତ୍ତର ଦେଲେ, ‘ବଲ୍ଲଭ’ ପତିଙ୍କୁ ଧବ କହନ୍ତି, ମୋ ବଲ୍ଲଭଙ୍କ ନାମ ରାଘବ ଅଟେ ।’’

 

ବିଚିତ୍ର ବାଣୀ ଶୁଣିଲି ଦୈତ୍ୟ ଭଣି ତୁହି ତ ମାନୁଷୀ ।

ବାରିଧିବାସୀ ମତ୍ସ୍ୟ ସେ ସ୍ଥଳେ ଆସି ତୋ ସଙ୍ଗେ ବିଳସି।

ବକ୍ର ଉକତି କହୁଛ ହୋଇ ଯତି ବୋଇଲେ ପାର୍ଥିବୀ ।

ବୋଲେ ମୁଁ ଲଙ୍କେଶ ତୋତେ କରି ଆଶ ଆସିଛି ସାଧବି । ୩୬। 

ବିଭୂତି କିସ କହିବି ମୋର ଦେଶ କନକ ମୃତ୍ତିକା।

ବିଂଶଭୁଜ ଦଶବଦନ ବିଶେଷ ପଦ୍ମିନୀନାୟିକା ।

ବଡ଼ପଣୁ ବସେ ଇନ୍ଦ୍ର ଦ୍ଵାସ୍ଥ ପାଶେ ବିଶୁଦ୍ଧ ଜାତିରେ।

ବ୍ରହ୍ମାର ଚତୁର୍ଥ ପୁରୁଷ ମୁଁ ସତ ଚିରାୟୁ ତା ବରେ । ୩୭। 

ବୋଇଲେ ମହୀଜା ଜାତୁଧାନ ଯା ଯା ନୋହି ଶିରଚ୍ଛେଦ ।

ବୃଷାଳି ବଞ୍ଚକ ବିରୂପ କି ଠିକ ବଡ଼ାଇ ସମ୍ବାଦ।

ବୀରକେଶରୀ ଜାୟାକୁ ଲୋଡ଼ୁହରି ହୋଇଛି କେବେହେଁ ।

ବୀର ଆରଣ୍ୟନୃପୁଁ ତୋ ପତି ଧନ୍ୟ ହେବ କି ସେ କହେ । ୩୮। 

ବପ୍ତା ଦଶରଥ ଜଣା ସାମରଥ ଡରାଉଁ ଭୃଗୁପ ।

ବୋଲେ ମୈଥିଳୀ ତା ଗର୍ବଦଳି ନାଶ ଯିବୁରେ କୌଣପ।

ବିଂଶାଭିମାନ ଉଦ୍ଧରେ ସୁନନ୍ଦନ ସେ କାଳ ପ୍ରମାଣ।

ବହି ନିଜମୂର୍ତ୍ତି ବଳେ ନେବା ରୀତି ଆରମ୍ଭୁ ରାବଣ । ୩୯। 

ବରହି ଅନ୍ତରେ ଗୁପତ ସତ୍ଵରେ ନ ଦେଖି ଲଙ୍କେଶ।

ବେଦମତୀ ମତ ଏହି ହେଲା ସତ ବିଚାରେ ମାନସ।

ବ୍ୟକ୍ତ ଦିଶୁଁ ପୁଣି ବଳେ ଧରି ଆଣି ଆଣନ୍ତେ ଅଙ୍ଗଣ ।

ବାତ ସରିତ ସ୍ଥକିତ ତରଳିତ ହୋଇଲା ପାଷାଣ । ୪୦।

 

୩୬ଶ ପଦ :- ରାବଣ କହିଲା, ‘‘ତୋଠାରୁ ଆଶ୍ଚର୍ଯ୍ୟ କଥା ଶୁଣିଲି । ତୁ ତ ମାନବୀ, ସମୁଦ୍ର ମଧ୍ୟରେ ଥିବା ‘ରାଘବ’ ମତ୍ସ୍ୟ ସ୍ଥଳକୁ ଆସି ତୋ ସହିତ ବିହାର କରେ କି ?’’ ସୀତା କହିଲେ ‘‘ତୁମ୍ଭେ ଯତି ହୋଇ ଏପରି ବକ୍ରୋକ୍ତିରେ କଥା କହୁଅଛ? ଏହା ଶୁଣି ରାବଣ ଉତ୍ତର ଦେଲା ମୁଁ ଲଙ୍କାର ରାଜା, ହେ ସତି ! ତୋତେ ଆଶାକରି ଆସିଅଛି ।’’

୩୭ଶ ପଦ :- ‘‘ମୋର ଐଶ୍ୱର୍ଯ୍ୟ କଥା କ’ଣ ବା କହିବି ? ମୋ ଦେଶର ମାଟିସବୁ ସ୍ୱର୍ଣ୍ଣ ନିର୍ମିତ । ମୋର କୋଡ଼ିଏ ହାତ, ଦଶ ମୁଖ ବିଦ୍ୟମାନ । ମୋର ପଦ୍ମିନୀ ଜାତୀୟା ସ୍ତ୍ରୀମାନେ ଅଛନ୍ତି । ମୋର ବଳିଷ୍ଠପଣ ହେତୁ ଇନ୍ଦ୍ର ମୋର ଦ୍ୱାରପାଳ ପାଖରେ ଆସି ବସେ । ମୁଁ ବ୍ରହ୍ମାଙ୍କର ‘ଚତୁର୍ଥ ପୁରୁଷ’ ଅଣନାତି । (ତେଣୁ ଜାତିରେ ବିଶୁଦ୍ଧ) । ପୁଣି ବ୍ରହ୍ମାଙ୍କ ବରରେ ଦୀର୍ଘାୟୁ ହୋଇଅଛି ଏହା ମିଥ୍ୟା ନୁହେଁ ।’’

୩୮ଶ ପଦ :- ମହୀଜା-ସୀତା । ଜାତୁଧାନ-ରାକ୍ଷସ । ବୃଷ-ମୂଷା । ଆଳି-ବିଚ୍ଛା । ବଞ୍ଚକ-ବିଲୁଆ । ବିରୂପ-ବିକୃତ ରୂପ ।

୩୮ଶ ପଦ :- ରାବଣର କଥା ଶୁଣି ସୀତା କହିଲେ, ‘‘ରେ ରାକ୍ଷସ ! ଶିରଚ୍ଛେଦ ନ ହେଉଣୁ, ତୁ ଏଠାରୁ ଶୀଘ୍ର ପଳାଇ ଯା । ତୁ ମୂଷା, ବିଚ୍ଛା, ଭ୍ରମର, ବିକଳାଙ୍ଗ ଓ ବିଲୁଆ ଅଟୁ । (ତୁ କହିଲୁ ମୋ ଦେଶ କନକ ମୃର୍ତ୍ତିକା-ମୂଷାର ମୃର୍ତ୍ତିକାରେ ଆଦର ଥାଏ । ତୁ କହିଲୁ ମୋର ବିଂଶ ଭୂଜ-ବିଛାର ବହୁତ ଭୂଜ ଥାଏ । ତୁ କହିଲୁ ମୋର ପଦ୍ମିନୀ ନାୟିକା ଅଛନ୍ତି- ଭ୍ରମରର ବହୁତ ପଦ୍ମିନୀ ଥାନ୍ତି । ତୁ କହିଲୁ ଦଶମୁଣ୍ଡ- ତେଣୁ ବିକଳାଙ୍ଗ, ତୁ କହିଲୁ ଦୀର୍ଘାୟୁ- ବିଲୁଆ ଦୀର୍ଘାୟୁ ଅଟନ୍ତି) । ବିଲୁଆ ହୋଇ ତୁ ବୀର କେଶରୀ ଭାର୍ଯ୍ୟା ହରିବାବୁ ଇଚ୍ଛା କରୁଅଛୁ,-ଏହା ସମ୍ଭବ ହୋଇଛି କି ?’’ ସୀତାଙ୍କ କଥା ଶୁଣି ରାବଣ ପୁଣି କହିଲା, ‘‘ବୀର ଅନରଣ୍ୟ ରାଜାଠାରୁ (ରାମର ପୂର୍ବପୁରୁଷ) ତୋ ପତି ବେଶୀ ପ୍ରଶଂସାର ଯୋଗ୍ୟ କି ? (ବେଶୀ ବଳିଷ୍ଠ କି ?-ମୁଁ ତ ତାକୁ ମାରିଛି) ।

୩୯ ଓ ୪୦ଶ ପଦ :- ‘‘ତାହାର ପିତା [ତୋ ସ୍ୱାମୀର ପିତା] ଦଶରଥର ଯେପରି ସାମର୍ଥ୍ୟ, ତା ଜଣାଅଛି । ତାକୁ ପର୍ଶୁରାମ ଡରାଇବାୟରୁ ସେ ସ୍ତ୍ରୀମାନଙ୍କ ମଧ୍ୟରେ ଲୁଚି ରହିଲା ।’’ ସୀତା କହିଲେ, ‘‘ସେହି ପର୍ଶୁରାମର ଗର୍ବ ରାମଚନ୍ଦ୍ର ଦଳି ଅଛନ୍ତି । ରେ ରାକ୍ଷସ ! ତୁ ନିଶ୍ଚୟ ନାଶଯିବୁ । ପୂର୍ବପୁରୁଷ ଅନରଣ୍ୟକୁ ମାରିଛୁ ବୋଲି ଯେ ଗର୍ବ ଦେଖାଇଲୁ, ସୁପୁତ୍ର କୁଳର ଅଭିମାନକୁ ଉଦ୍ଧାର କରେ । ବର୍ତ୍ତମାନ ସେ ସମୟ ଉପସ୍ଥିତ (ସୁବଂଶଧର ରାମଚନ୍ଦ୍ର ତୋତେ ମାରି କୁଳ ମର୍ଯ୍ୟାଦା ବଢ଼ାଇବେ) ।’’ ଏହା ଶୁଣି ରାବଣ ନିଜ ରୂପ ଧରି ବଳପୂର୍ବକ ସୀତାଙ୍କୁ ନେବାକୁ ଆରମ୍ଭ କରନ୍ତେ, ସୀତା ଶୀଘ୍ର ଅଗ୍ନି ମଧ୍ୟରେ ଗୁପ୍ତ ହେଲେ । ରାବଣ ତାଙ୍କୁ ଦେଖି ନ ପାରି ମନ ମଧ୍ୟରେ ବିଚାର କଲା, ବେଦମତୀ କନ୍ୟା ପରି ଏ କନ୍ୟା ଦେଖି ନ ପାରି ମନ ମଧ୍ୟରେ ବିଚାର କଲା, ବେଦମତୀ କନ୍ୟା ପରି ଏ କନ୍ୟା ହେଲା ତା ପୁଣି ସୀତା ପ୍ରକାଶିତ ହୋଇ ଦେଖାଯାନ୍ତେ, [ମୟା ସୀତା ପ୍ରକାଶିତ ହୁଅନ୍ତେ] ରାବଣ ପତ୍ରକୁଡ଼ିଆର ଅଗଣାରୁ ବଳାତ୍କାରରେ ଧରି ଆଣିଲା । ସେତେବେଳେ ବାୟୁ ଓ ଜଳ ସ୍ରୋତ ସ୍ଥିର ହୋଇଗଲେ ଏବଂ ପାଷାଣ ତରଳି ଗଲା ।

 

ବସୁଧା କମ୍ପିତା ଚକିତ ଦେବତା କି ହେଲା କି ହେଲା।

ବଚନେ ଶୋଭନ ଅଶ୍ରୁ ବିମୋଚନେ ଆକାଶ ପୁରିଲା ।

ବରଷିଲା ଟୋପା ଟୋପା ନୀର କିମ୍ପା ନ ଥାଇ ମୁଦୀରେ ।

ବିହଙ୍ଗେ ଉତ୍ସୁକେ ଭାବନ୍ତି ଚାତକେ ବାରିଲେ ପାନରେ । ୪୧।

 

ବିବୁଧ ବିବିଧ ବୁଦ୍ଧି କଲେ ସିଦ୍ଧି କେ ବୋଲେ ଏ ସୀତା।

ବୋଲେ କେ ଛାୟା କେ ବୋଲେ ମାୟା କାୟା ଜାଣଇ ବିଧାତା।

ବନ୍ଦୀ କାରାପୁରେ ମୁଦିଲା ପ୍ରକାରେ ବସାଇ ସ୍ୟନ୍ଦନେ।

ବନ୍ଦୀ ହୋଇ ସେ ସ୍ତୁତିପାଠ ପଠନେ ବାହିଲା ବହନେ । ୪୨।

 

ବନ ବଳଜା ହା ରାମ ସ୍ଵନେ ପୂର୍ଣ୍ଣ ଜଟାୟୁ ତରକେ।

ବନପ୍ରିୟକୁ ଶିଖାଇ ଗୀତ ଶୋକବରାଡ଼ୀ ରାଗେ କେ ?

ବଜାଇ ବୀଣାରେ ନାରଦ ରାମରେ ସଙ୍ଖୋଳି ଯାଇ କି ?

ବିଂଶବାହୁ ସୀତା ଏକ ରଥେ ସ୍ଥିତା ଚାହାଁନ୍ତେ ବିଲୋକି । ୪୩।

 

ବେଦପୋଥି କେ ପୁରାପ କରେ ଦେଲା ବୋଲି ସେ ଟାଇଁଲା ।

ବିସ୍ତାରି ଚଞ୍ଚୁ ସ୍ୟନ୍ଦନ ଗ୍ରାସ ରଞ୍ଚୁଁଉଦ୍‌ଗାରି ଥୋଇଲା।

ବାର୍ଦ୍ଧି ଅଗସ୍ତି ଉଦରେ ଜୀର୍ଣ୍ଣମତି ଏକ୍ଷଣି ହୁଅନ୍ତୁ।

ବୈଦେହୀ ତ୍ରାହି କହି ଦେହ ବିଦାରି ମୁଖ କ୍ରୋଟି ହେତୁ । ୪୪।

 

ବିମାନକୁ ପକ୍ଷପାତେ ପକ୍ଷଘାତେ ଭାଙ୍ଗିଲା ଉଦ୍‌ବେଗେ ।

ବାମେ କ୍ଷୀଣକୁକ୍ଷୀ ଦକ୍ଷିଣେ ପକ୍ଷକୁ ଛେଦିଲା ଖଡ଼ଗେ ।

ବସି ବୁଷ୍ପକରେଭାବୁଁ ଆସିବାରେ ପୁଷ୍କରେ ଗମନ।

ବାର୍ତ୍ତା ଦେବାଯାଏଅଯୋଧ୍ୟାଈଶ୍ଵରେ ଥାଉ ତୋ ଜୀବନ । ୪୫।

 

୪୧ଶ ପଦ :- ପୃଥିବୀ କମ୍ପିତ ହେଲା, ଦେବତାମାନେ ଚମତ୍କୃତ ହେଲେ । କି ହେଲା, କି ହେଲା ?- ଏହି ଶୋକପୂର୍ଣ୍ଣ ବାକ୍ୟରେ ଆକାଶ ପୂର୍ଣ୍ଣ ହେଲା । ସୀତା ଅଶ୍ରୁପାତ କରିବାରୁ ପକ୍ଷୀମାନେ ଉତ୍ସୁକ ମନରେ ଭାବିଲେ, ମେଘ ନ ଥାଇ ମେଘ ଟୋପାଟୋପା ହୋଇ ବର୍ଷିଲା କିପରି ? ଚାତକ ପକ୍ଷୀମାନେ ତା ପାନ କରିବାରୁ ଜାଣିଲେ, ତାହା ବୃଷ୍ଟିଜଳ ନୁହେଁ ।

୪୨ଶ ପଦ :- ଦେବତାମାନେ ନାନାପ୍ରକାର ବିଚାର ଠିକ୍ କଲେ । କିଏ କହିଲା, ‘ଏ ସୀତା’, କିଏ କହିଲା, ‘ଏ ଛାୟା, ’ କିଏ କହିଲା, ‘‘ଏ ମାୟା ସୀତା,’ ଆଉ କିଏ କହିଲା, ‘ସତ କଥା କ’ଣ ବିଧାତା ଜାଣେ । ’ ବନ୍ଦୀଘରେ ବନ୍ଦୀ ଲୋକକୁ ବନ୍ଦ କରି ରଖିଲା ପରି ସୀତାଙ୍କୁ ରଥରେ ବସାଇ ରାବଣ ଶୀଘ୍ର ରଥ ଚଳାଇ ନେଲା । ସୀତା ସେ ରଥରେ ‘ବନ୍ଦୀ’ ଭାଟ ପ୍ରାୟ ସ୍ତୁତି ପାଠ କରିବାକୁ ଲାଗିଲା । [ସୀତା ରାମଚନ୍ଦ୍ରଙ୍କ ଗୁଣ ବାହୁନି କାନ୍ଦିବାକୁ ଲାଗିଲେ ।]

୪୩ଶ ପଦ :- ବନବଳକା-ବନଭୂମି । ବଳକା-ବରସ୍ତ୍ରୀ ।

୪୩ଶ ପଦ :- ବନଭୂମି ‘ହା ରାମ’ ସ୍ୱରରେ ପୂର୍ଣ୍ଣ ହୁଅନ୍ତେ [ଅଥବା ‘ବନଜା’ ଶ୍ରେଷ୍ଠ ସ୍ତ୍ରୀ ସୀତାଙ୍କ ହା ରାମ ସ୍ୱନରେ ବନ ପୂର୍ଣ୍ଣ ହୁଅନ୍ତେ] ଜଟାୟୁ ବିଚାର କଲା, ‘କୋକିଳକୁ ଶୋକବରାଡ଼ୀ ରାଗରେ କେଉଁ ଲୋକ ଗୀତ ଶିଖାଇଲା କି ? କିମ୍ବା ନାରଦ ବୀଣାରେ ରାମ ନାମ ବରାଡ଼ୀ ରାଗରେ ଗାଇ ରାମଙ୍କୁ ସଙ୍ଖୋଳିବାକୁ ଯାଉଅଛନ୍ତି କି?’ ଜଟାୟୁ ଏହା ବିଚାର ଉପରକୁ ଚାହାଁନ୍ତେ ଦେଖିଲା ଯେ, ରାବଣ ଓ ସୀତା ଏକା ରଥରେ ବସି ଅଛନ୍ତି ।

୪୪ଶ ପଦ :- ସୁରାପ-ମଦ୍ୟପ ଅର୍ଥାତ୍ ଯେ ସୁରାବା ମଦ୍ୟପାନ କରେ ।

୪୪ଶ ପଦ :- ‘‘ମଦୁଆ ହାତରେ ବେଦପୋଥି କିଏ ଦେଲା ?’’ ଏହା ଭାବି ଜଟାୟୁ ଧାଇଁଲା । ସେ ଥଣ୍ଟ ବିସ୍ତାର କରି ରଥକୁ ଗିଳିଦେଇ ପୁଣି ବାନ୍ତି କରି ପକାଇଲା । [ରଥରେ ସୀତା ଅଛନ୍ତି, ରଥ ଗିଳିଦେଲେ ସୀତା ପେଟରେ ଜୀର୍ଣ୍ଣ ହୋଇଯିବେ, ଏହା ଭାବି ବାନ୍ତିକଲା] । ରାବଣକୁ ଚାହିଁ କହିଲା, ‘‘ଅଗସ୍ତି ୠଷିଙ୍କ ପେଟରେ ସମୁଦ୍ର ଜୀର୍ଣ୍ଣ ହେଲା ପ୍ରାୟ ତୁ ଏକ୍ଷଣି ମୋ ପେଟରେ ଜୀର୍ଣ୍ଣ ହୋଇଯାନ୍ତୁ, ମାତ୍ର ସୀତା ଯୋଗୁ ରକ୍ଷା ପାଇଲୁଁ ।’’ ଏହା କହି ନଖ ଚଞ୍ଚୁଦ୍ୱାରା ରାବଣକୁ ବିଦାରି ପକାଇଲା ।

୪୫ଶ ପଦ :- ପୁଷ୍କରେ-ଆକାଶରେ ।

୪୫ଶ ପଦ :- ସୀତାଙ୍କୁ ରକ୍ଷା କରିବା ଆଶାରେ ଉଦ୍‌ବେଗ ହୋଇ ସୀତାଙ୍କ ପକ୍ଷ ନେଇ ନିଜର ପକ୍ଷାଘାତଦ୍ୱାରା ରାବଣର ରଥକୁ ଭାଙ୍ଗି ପକାଇଲା । ଏହା ଦେଖି ରାବଣ ବାମ ହସ୍ତରେ କ୍ଷୀଣକଟୀ ସୀତାଙ୍କୁ ଧରି, ଦକ୍ଷିଣ ହସ୍ତରେ ଖଡ଼୍‌ଗ ଧରି ଜଟାୟୁର ପକ୍ଷକୁ ଛେଦନ କଲା । ତତ୍ପରେ ପୁଷ୍ପକ ଯାନକୁ ସ୍ମରଣ କରନ୍ତେ, ସେ ରଥ ଆସିଲା । ରାବଣସୀତାଙ୍କୁ ଘେନି ତହିଁରେ ବସି ଶୂନ୍ୟମାର୍ଗରେ ଗମନ କଲା । ସେତେବେଳେ ସୀତା ଜଟାୟକୁ କହିଲେ, ‘‘ ‘ଅଯୋଧ୍ୟାବର’ ଶ୍ରୀରାମଙ୍କୁ ବାର୍ତ୍ତା ଦେବାଯାଏ, ତୋ ଜୀବନ ଥାଉ ।’’

 

ବୋଲୁଁ ଠାକୁରାଣୀ ରକ୍ଷ ଛଳ ଭଣି ଅଯୋଧ୍ୟାବର ଯେ।

ବାରତା ପ୍ରାପତେ କି କରିବ ମୋତେ ପୁଣି ସେ ନାରାଜେ ?

ବ୍ୟୋମେ ରଥ ଯାଇ ଋଷ୍ୟମୂକେ ପାଇ ଅବଳା ଦେଖିଲେ।

ବସିଛି ସୁଗ୍ରୀବ ଘେନିଣ ସଚିବ ଭୂଷଣ କାଢ଼ିଲେ । ୪୬।

 

ବସନେ ବାନ୍ଧି ପକାଇ କୃପାନିଧି ପାଇବେ କଳ୍ପିଣ ।

ବାନରେଶ ପାଇ ଦେଲା ଶୂନ୍ୟେ ଚାହିଁ ଜାନକୀ ଭାଷଣ।

ବାର୍ତ୍ତା କହ ରାମେ ମୋତେ ଲଙ୍କାଗ୍ରାମେ ନେଲାଟି ରାବଣ।

ବିସୋରିଲେ ଚିତ୍ତୁଁ ମୂଳିଟି ମୋ ମୃତ୍ୟୁ କାହାକୁ ଦୂଷଣ ? ୪୭।

 

ବୋଲିବାକୁ ରଥ ଗଲା ଏତେ ପଥ ଅଦୃଶ୍ୟ ହୋଇଲା।

ବିଭୂଷଣମାନ କରିଣ ଯତନ ସୁଗ୍ରୀବ ଥୋଇଲା।

ବିୟତୁଁ ଖସାଇ ରଥ ପୁରେ ଯାଇ ଅଶୋକ ବିପିନେ।

ବେଢ଼ାଇ ସହସ୍ର ଅସୁରୀ ଜଗାଇ ତହିଁରେ ପ୍ରଧାନେ । ୪୮।

 

ବେଭାରେ ସମର୍ପି ସମର୍ପାକୁ ସଖୀ ତ୍ରିଜଟା କରାଇ।

ବୃଦ୍ଧି ହରଷ ଭବନରେ ପ୍ରବେଶ ହସିଲା ହୁଅଇ।

ବାନ୍ଧବୀ ରାମର ପାଶବନ୍ଧା ମୃଗୀ ପରାୟ ଭୟରୁ।

ବହିଲା ଶିଳା ପିତୁଳା ତୁଳା ସିଦ୍ଧି ସୁଶୀଳା ହେବାରୁ । ୪୯।

 

ବିଧାତା ବଚନେ ସୁଧା ଘେନି ବନେ ନାରଦ ମିଳିତ।

ବିମୋହିତ କରି ଅସୁରୀମାନଙ୍କୁ କହିଲେ ସଙ୍କେତ।

ବିଚ୍ଛେଦ ତୁଟିବ ଚତୁର୍ଦ୍ଦଶମାସେ ନ କର ଶୋଚନା ।

ବଧ ରାବଣ ସଗୋତ୍ର ହୋଇ ହେବ ବିମଳଲୋଚନା । ୫୦।

 

ବାଧା ନ କରିବ କ୍ଷୁଧା ପିପାସା ଏ ସୁଧା କର ଗ୍ରାସ।

ବୈଦ୍ୟ ଅଷ୍ଟାଙ୍ଗବ୍ୟାଧିମନ୍ତେ ଔଷଧ ବିହିଲା ସଦୃଶ ।

ବିବେକ ହେଲା ପାଇବି ତ ମୁଁ ଧନ୍ୟ ଈଶ୍ଵର ଭରସା ।

ବାହୁଡ଼ିଲେ ଋଷି ଅମୃତକୁ ଗ୍ରାସି ବସିଲେ ସୁଦୃଶା । ୫୧।

 

ବିମ୍ବୋଷ୍ଠୀ ଅବନୀଦୃଷ୍ଟି ଅତି କଷ୍ଟୀ କପୋଳେ ଶ୍ରୀକର।

ବ୍ୟାକୁଳ କେତେ ନ ଦେଖି ହେବେ ମୋତେ କରେ ଏ ବିଚାର।

ବଇଦେହୀଶ ବିଳାଶ ନାମ ଗୀତ ବକାରେ ରଚନ।

ବାମପଦେ ଛାନ୍ଦ ଉପୈନ୍ଦ୍ର କୃତ ବୁଝିବେ ସୁମନ । ୫୨।

 

୪୬ଶ ପଦ :- ସୀତା ଏହା କହନ୍ତେ, ରାବଣ ଛଳ କରି କହିଲା, ‘‘ସେ ‘ଅଯୋଧ୍ୟାବର’ ଶତ୍ରୁ ସଙ୍ଗେ ଯୁଦ୍ଧ କରିବାକୁ ଅସମର୍ଥ, ତେଣୁ ଅଯୋଧ୍ୟା ରାଜ୍ୟକୁ ‘ବରଦ’ ତ୍ୟାଗ କଲା । ସେ ପୁଣି ମାନବ ମାତ୍ର, ସେ ବାରତା ପାଇଲେ ତା ଶରଦ୍ୱାରା ମୋର କ’ଣ କରିବ ?’’ ଏହି ସମୟରେ ରଥ ଆକାଶମାର୍ଗରେ- ଯାଇ ଋଷ୍ୟମୂକ ଗିରି ସମାନ ପହଞ୍ଚିଲା । ସେ ଗିରିରେ ସୁଗ୍ରୀବ ମନ୍ତ୍ରୀମାନଙ୍କ ସଙ୍ଗତରେ ଘେନି ବସିଛନ୍ତି । ସୀତା ତାହା ଦେଖି ଆପଣ ଦେହରୁ ଅଳଙ୍କାରମାନ କାଢ଼ିଲେ ।

୪୭ଶ ପଦ :- ‘କୃପାନିଧି’ ରାମଚନ୍ଦ୍ର ଏହା ପାଇବେ, ସୀତା ଏହିପରି ମନରେ ବିଚାର କରି, ବସନରେ ବାନ୍ଧି ଅଳଙ୍କାରମାନ ପକାଇ ଦେଲେ । ବାନରରାଜ ସୁଗ୍ରୀବ ସେ ଅଳଙ୍କାର ପାଇ ଶୂନ୍ୟକୁ ଚାହିଁ ଦେଲେ । ତା ଦେଖି ଜାନକୀ କହିଲେ, ‘‘ରାମଙ୍କୁ ଏ ବାର୍ତ୍ତା କହିବ,- ରାବଣମୋତେ ଲଙ୍କା ଗ୍ରାମକୁ ନେଇଯାଉଛି । ସେ ମୋତେ ମନରୁ ପାସୋରି ଦେଲେ, ନିଶ୍ଚୟ ମୋର ମୃତ୍ୟୁ ହେବ । ଏ ନିନ୍ଦା କାହାକୁ ହେବ ? (ତାଙ୍କୁହିଁ ଏ ନିନ୍ଦା ହେବ) ।’’

୪୮ଶ ପଦ :- ବିୟତୁଁ-ଆକାଶରୁ ।

୪୮ଶ ଓ ୪୯ଶ ପଦ :- ସୀତା ଏହି କଥା କହୁ କହୁ ରଥ ଏତେ ଦୂର ଗଲା ଯେ, ଆଉ ଦୃଶ୍ୟ ହେଲା ନାହିଁ । ସୁଗ୍ରୀବ ସୀତା ପକାଇଥିବା ଅଳଙ୍କାରମାନ ଯତ୍ନ କରି ଥୋଇଲେ । ରାବଣ ଆକାଶରୁ ରଥ ଖସାଇ ଆପଣ ପୁରକୁ ଯାଇ ଅଶୋକ ବନରେ ସହସ୍ରେ ଅସୁରୀ ଘେରାଇ ସୀତାଙ୍କୁ ରଖିଲା । ସେମାନଙ୍କ ମଧ୍ୟରେ ପ୍ରଧାନ ସମର୍ପୀ ରାକ୍ଷସୀକୁ ସୀତାଙ୍କୁ ସମର୍ପଣ କଲା ଏବଂ ତ୍ରିଜଟା ନାମକ ରାକ୍ଷସୀକୁ ତାଙ୍କ ସଖୀ କରାଇ ଆନନ୍ଦ ବୃଦ୍ଧି ହୋଇଥିବାରୁ ହସ ହସ ହୋଇ ଯାଇ ନିଜ ଗୃହରେ ପହଞ୍ଚିଲା । ସୀତା ଭୟ ପାଇ ପାଶବଦ୍ଧ ହରିଣୀ ପ୍ରାୟ ହେଲେ, ମାତ୍ର ସୁଶୀଳା ହେତୁ ପ୍ରସ୍ତରମୂର୍ତ୍ତି ପରି ତୁନି ହୋଇ ରହିଲେ ।

୫୦ଶ ପଦ :- ବ୍ରହ୍ମାଙ୍କ ଆଜ୍ଞାରେ ନାରଦ ଅମୃତ ଘେନି ଯାଇ ଅଶୋକବନରେ ମିଳିଲେ, ଅସୁରୀମାନଙ୍କୁ ବିମୋହିତ କରି ସୀତାଙ୍କୁ ସଙ୍କେତ ଦେଇ କହିଲେ, ‘‘ଚଉଦ ମାସ ପରେ ତୁମ୍ଭର ବିଚ୍ଛେଦ କଷ୍ଟ ତୁଟିବ, ସେଥିପାଇଁ ଶୋକ କର ନାହିଁ । ହେ ନିର୍ମଳ ଲୋଚନେ । ରାବଣ ସବଂଶରେ ବିନାଶ ପ୍ରାପ୍ତ ହେବ ।’’

୫୧ଶ ପଦ :- ‘‘ଏ ଅମୃତ ନେଇ ଗ୍ରାସ କର, ତୁମ୍ଭଙ୍କୁ କ୍ଷୁଧା ତୃଷା ବାଧିବ ନାହିଁ ।’’ ଅଷ୍ଟାଙ୍ଗବ୍ୟାଧି ଘୋଟିଥିବା ରୋଗୀକୁ ବୈଦ୍ୟର ଔଷଧ ଭଲ କଲା ପରି ସୀତାଙ୍କୁ ନାରଦଙ୍କ ବାଣୀ ସୁସ୍ଥ କଲା । ସେ ବିଚାର କଲେ, ମୁଁ ରାମଚନ୍ଦ୍ରଙ୍କୁ ପୂନର୍ବାର ପାଇ ଧନ୍ୟ ହେବି । ଏଥିପାଇଁ କେବଳ ମାତ୍ର ଈଶ୍ୱର ଭରସା ।’ ତତ୍ପରେ ନାରଦ ଋଷି ବାହୁଡ଼ି ଗଲେ, ସୀତା ଅମୃତ ଖାଇ ବସିଲେ ।

୫୨ଶ ପଦ :- ସୀତା ରାମଚନ୍ଦ୍ରଙ୍କ ବିହରରେ ଅତି ଦୀନ ଭାବିରେ ମୁଖ ପୋତି ଭୂମିକୁ ଚାହିଁ ଦକ୍ଷିଣ ହସ୍ତ ଗଣ୍ଡସ୍ଥଳରେ ଦେଇ ଚିନ୍ତା କଲେ, ‘‘ରାମଚନ୍ଦ୍ର ମୋତେ ନ ଦେଖି କେତେ ବ୍ୟାକୁଳ ହେବେ । ବୈଦେହୀଶବିଳାସ ନାମକ କାବ୍ୟ ବ ଆଦ୍ୟ ଅକ୍ଷରରେ ରଚିତ ହୋଇଅଛି । ଉପେନ୍ଦ୍ର କୃତ ବାଉନ ପଦର ଏ ଛାନ୍ଦ ପଣ୍ଡିତମାନେ ବୁଝିବେ ।

 

ପଞ୍ଚବିଂଶ ଛାନ୍ଦ

(ରାଗ-ଶଙ୍କରାଭରଣ)

 

ବାଜୀ ବାଜିବାରେ ତ୍ରାହି ଲକ୍ଷ୍ମଣ ଶବଦ।

ବିରଚନେ ରାମ ରାମ ହୋଇଲେ ସ୍ତବଧ।

ବିହିଲାକ ନର-ବାଣୀ !

ବିପଦ ନ ପୁଣ ଉପସ୍ଥିତ ହୁଏ ଶୁଣି । ୧।

 

ବିମଳ କେମନ୍ତ ଚନ୍ଦ୍ର ସେ ନ ମାରୁଁ ମରି।

ବସିଲା କଳଙ୍କ ହୋଇ ଅଙ୍କେ ସେହିପରି।

ବଧ ମୋହ ଯୋଗୁଁ ଏହି।

ବିଶ୍ଵେ କଳଙ୍କ ନ କରୁ ରାମଚନ୍ଦ୍ର ମୁହିଁ । ୨।

 

ବିଗ୍ରହ ମାୟାମୃଗର ଜ୍ୟୋତି ବାହାରିଲା।

ବପୁରେ ସେ ଦୂଷଣରିପୁର ମିଶିଗଲା।

ବଡ଼ ସୁକୃତ ଶବର।

ବାହୁଡ଼ିଲେ ଭାର କରି ସୁମନସବର । ୩।

 

ବାଟରେ ଅନୁଜ ଭେଟ ମତି ବିରସିତା ।

ବୋଲେ ବୀର ସୀତା କାହିଁ କଲୁ ତୁ ଏକତା।

ବକ୍ଷୁଁ ହୋଇଲେ ଅନ୍ତର।

ବହଇ ଯେ ଥର ଭୟେ ହୃଦର ପଥର । ୪।

 

ବୋଇଲେ ସୁମିତ୍ରାସୁତ ଶୁଣ ରଘୁରାଣ ।

ବଣାହେଲେ ଜଣାଥାଉଁ ତୁମ୍ଭ ବୀରପଣ।

ବାଣୀ ମୋର ନାମେ ତ୍ରାହି।

ବିକାଶରୁ ସରୁମଧ୍ୟା ଭୀରୁ ଭୟ ବହି । ୫।

 

୧ମ ପଦ :- ବାଜୀ-ଶର । ରାମ-ମୃଗ । ନରବାଣୀ-ମନୁଷ୍ୟ ପରି କଥା ।

୧ମ ପଦ :- ଶର ବାଜିବା ମାତ୍ରକେ କନକମୃଗ ‘ତ୍ରାହି ଲକ୍ଷ୍ମଣ’ ଶବ୍ଦ କରିବାରୁ ରାମଚନ୍ଦ୍ର ଚକିତ ହୋଇ ଭାବିଲେ, ‘‘ଏ ପଶୁ ହୋଇ ମନୁଷ୍ୟପରି କଥା କହିଲା । ବିପଦ କିଛି ପଡ଼ିବ ନାହିଁ ତ ?’’ (ପଶୁ ବଚନ ଶ୍ରବଣରେ ବିପଦ ପଡ଼ିବାର ସମ୍ଭାବନା ।)

୨ୟ ପଦ :- ‘‘ଚନ୍ଦ୍ର କିପରି ନିଷ୍କଳଙ୍କ; ସେ ନ ମାରି ମଧ୍ୟ ମୃଗ ନିଜ ଇଚ୍ଛାରେ ମରି ତା କୋଳରେ କଳଙ୍କ ପ୍ରାୟ ହୋଇବସି ରହିଲା । ଅଥଚ ଏ ମୃଗ ମୋ ହସ୍ତରେ ବଧ ହେଲା । ମୁଁ ‘ରାମଚନ୍ଦ୍ର’ ମନୋହର ଚନ୍ଦ୍ର । ସଂସାର ମଧ୍ୟରେ ଏ ମୃଗ ମୋହର କଳଙ୍କସ୍ୱରୂପ ନ ହେଉ ।’’

୩ୟ ପଦ :- ବିଗ୍ରହୁଁ-ଦେହରୁ । ବପୁରେ-ଦେହରେ । ଦୂଷଣରିପୂ-ରାମଚନ୍ଦ୍ର । ଶବର-ମୃତଦେହର । ସୁମନସବର-ଦେବଶ୍ରେଷ୍ଠ ବା ପଣ୍ଡିତ ଶ୍ରେଷ୍ଠ ।

୩ୟ ପଦ :- ମାୟାମୃଗର ଦେହରୁ ଜ୍ୟୋତି ବାହାରିଲା । ସେ ଜ୍ୟୋତି ପାପର ଶତ୍ରୁ ରାମଚନ୍ଦ୍ରଙ୍କ ଦେହରେ ମିଶିଗଲା । ସେ ମୃତଦେହର ବଡ଼ ପୁଣ୍ୟ, କାରଣ ଦେବଶ୍ରେଷ୍ଠ ରାମଚନ୍ଦ୍ର ତାକୁ ଭାର କରି କାନ୍ଧରେ ବହି ବାହୁଡ଼ିଲେ ।

୪ର୍ଥ ପଦ :- ଅନୁଜ-ସାନଭାଇ । ଥର-କମ୍ପନ । ହୃଦୟପଥରେ-ମନରେ ।

୪ର୍ଥ ପଦ :- ବାଟରେ ଲକ୍ଷ୍ମଣଙ୍କର ଭେଟ ହେବାରୁ ରାମଚନ୍ଦ୍ରଙ୍କ ମନ ବିରସଯୁକ୍ତ ହେଲା । ସେ କହିଲେ, ‘‘ସୀତା କାହିଁ, ତାକୁ ଏକାକିନୀଛାଡ଼ି ଆସିଲୁ କାହିଁକି ? ମୋବକ୍ଷସ୍ଥଳରୁ ଅନ୍ତର ହେଲେ ସେ ଯେ ମନମଧ୍ୟରେ ଭୟରେ ଥରହର ହୁଏ ।’’

୫ମ ପଦ :- ସରୁମଧ୍ୟା-କ୍ଷୀଣକଟୀ ବିଶିଷ୍ଟା ।

୫ମ ପଦ :- ଲକ୍ଷ୍ମଣ କହିଲେ, ‘‘ହେ ରଘୁରାଣ ! ଶୁଣ, ତୁମ୍ଭର ବୀରପଣ ଜଣାଥିଲେ ମଧ୍ୟ ‘ତ୍ରାହି ଲକ୍ଷ୍ମଣ’ ଶବ୍ଦ ଶୁଣାଯିବାରୁ କ୍ଷୀଣକଟୀ ଭୀରୁ ସୀତା ବଣାହୋଇ ଭୟ କଲେ ।’’

 

ବୈଦେହୀ ପ୍ରମାଣ ଫଳେ କଟୁ କରି ଜାତ।

ବିଦାରିତ ହୃଦକ୍ଷେତ୍ର ସୀତା ନାମ ସତ।

ବିନା ଭକ୍ଷୁଁ ଜନେ ବାମା।

ବାଣୀ ସୁଧା ବୋଲେ ସୁରମତେ ନୋହେ ହେ ସମା । ୬।

 

ବିଜ୍ଞ ଯେଣୁ ଯୋଗୀ ତେଣୁ ଶ୍ରଦ୍ଧାରେ ନ ଶୁଣି।

ବୋଲେ ରାମ ଶିବରୁ କେ ବଡ଼ ଯୋଗୀ ପୁଣି।

ବହି ଅର୍ଦ୍ଧ ଅବୟବେ।

ବିଦୁର ଶଙ୍କାରେ ଶୁଣୁଛନ୍ତି ରାତ୍ରଦିବେ । ୭।

 

ବଚନ ଦୀର୍ଘ ରଚନ ସତ୍ଵର ଗମନ।

ବାଳା ଅନୁସରି ନ ଆସିବା ଦେଖି ଛନ୍ନ।

ବିଚାରନ୍ତି ସ୍ନେହାଧୀନା ।

ବିମାନ ନୋହେ ସଦୋଷେ ଏବେ ଦୋଷ ବିନା । ୮ ।

 

ବୃକ୍ଷ କରୁଣାରେ ସେ ନିରାଶ ଫଳ ବହି।

ବନ୍ଧୁ ସ୍ଵାଧୀନ ଭର୍ତ୍ତୃକା ବୋଲି ଯେବେ ମୁହିଁ।

ବାଡ଼େ ଲେଖିଥାଇଁ ସ୍ମରି।

ବୋଲୁଥାଇ ଲେଖ ତବାଧୀନଭର୍ତ୍ତା କରି । ୯।

 

ବିରହୋତ୍କଣ୍ଠିତା ସାର ନାଗରୀ ରତନ ।

ବିଚାରି ତ ଥାନ୍ତା ନବ ନବ ଭାବମାନ ।

ବଚନକେ ମୁଁ ତାହାରି।

ବନ୍ଧନେ କବରୀ ଆଣି ଆସିଛି ଚଉଁରୀ । ୧୦।

 

୬ଷ୍ଠ ପଦ :- ବୈଦେହୀ-ପିପ୍‌ଳୀ । ସୀତା-ଲଙ୍ଗଳଲୁହା । ସୁରମତେ-ଦେବତାମାନଙ୍କ ମତରେ ।

୬ଷ୍ଠ ପଦ :- ‘‘ତାଙ୍କର ବୈଦେହୀ ନାମ ପ୍ରମାଣିତ ହେଲା । ‘ବୈଦେହୀ’ ପିପ୍‌ଳୀ ବୃକ୍ଷର ଫଳ ଯେପରି କଟୁ ପ୍ରଦାନ କରେ, ସୀତା ସେହିପରି ଶେଷରେ ମୋତେ କଟୁକଥା କହିଲେ । ପୁଣି ତାଙ୍କର ସୀତା ନାମ ସାର୍ଥକ ଅଟେ । ‘ସୀତା’ ଲାଙ୍ଗଳାଗ୍ର କିଆରୀକୁ ଚଷି ଫାଳ ଫାଳ କଲା ପରି ସେ ମୋ ହୃଦୟ କ୍ଷେତ୍ରକୁ ବିଦାରି ପକାଇଲେ । ଲୋକେ ଅମୃତ ଖାଇ ନ ଥିବାରୁ ସ୍ତ୍ରୀଙ୍କ କଥାକୁ ଅମୃତ ସହିତ ତୁଳନା ଦେଇଥାନ୍ତି, ମାତ୍ର ଦେବତାମାନଙ୍କ ମତରେ ତା ଠିକ୍ ନୁହେଁ । (ଦେବତାମାନେ ଯେ ଅମୃତ ଖାଇଅଛନ୍ତି) ।’’

୭ମ ପଦ :- ବିଜ୍ଞ-ଜ୍ଞାନୀ । ବିଦୂର-ଅନ୍ତର ।

୭ମ ପଦ :- ‘‘ଯୋଗୀମାନେ ବିଶେଷ ଜ୍ଞାନୀ ଅଟନ୍ତି, ତେଣୁ ସ୍ତ୍ରୀଙ୍କ ବଚନରେ ସେମାନେ ଶ୍ରଦ୍ଧାନ୍ୱିତ ହୁଅନ୍ତି ନାହିଁ କି ତା ଶୁଣନ୍ତି ନାହିଁ ।’’ ଲକ୍ଷ୍ମଣ ଏହା କହିବାରୁ ରାମଚନ୍ଦ୍ର କହିଲେ, ‘‘ଶିବଙ୍କଠାରୁ ଆଉ ବଡ଼ଯାଗୀ କିଏ ଅଛି ? ସ୍ତ୍ରୀ ଅନ୍ତର ହେବା ଭୟରେ ସେ ଅର୍ଦ୍ଧାଙ୍ଗରେ ଦିନ ରାତି ସ୍ତ୍ରୀକୁ ବହନ କରି ସ୍ତ୍ରୀର ବଚନ ଶୁଣୁଅଛନ୍ତି ।’’

୮ମ ପଦ :- ରାମଚନ୍ଦ୍ର ଏ କଥା ଦୀର୍ଘ ସ୍ୱରରେ ଲକ୍ଷ୍ମଣଙ୍କୁ କହି ଶୀଘ୍ର ଗମନ କଲେ । କୁଟୀର ନିକଟରେ ପ୍ରବେଶ କରି ପ୍ରିୟା ଆସି ବାଟକୁ ଚାହୁଁ ନ ଥିବାର ଦେଖି ସେ କାତର ହେଲେ । ପୁଣି ମନ ମଧ୍ୟରେ ବିଚାର କଲେ, ସେ ତ ସ୍ନେହାଧୀନା, ମୁଁ ଦୋଷ କରିଥିଲେ ମଧ୍ୟ ମୋଠାରେ ସେ ବିମନା ହୁଏ ନାହିଁ । ଏବେ ବିନା ଦୋଷରେ ବିମନା କାହିଁକି ହେଲା ? (ସେ କାହିଁକି ଦୁଆର ମୁହଁରେ ମୋ ଆସିବା ବାଟକୁ ଚାହିଁ ଠିଆ ହୋଇନାହିଁ ?)

୯ମ ପଦ :- କରୁଣ-ଦୟା । ସ୍ୱାଧୀନଭର୍ତ୍ତୃକା-ଯେଉଁ ସ୍ତ୍ରୀର ଅଧୀନରେ ସ୍ୱାମୀ ଥାଏ । ଭର୍ତ୍ତା-ସ୍ୱାମୀ ।

୯ମ ପଦ :- କରୁଣା ବୃକ୍ଷରେ ନୈରାଶ୍ୟଫଳ କେବେ ଫଳେ କି ? ଯେବେ ମୁଁ କାନ୍ଥରେ ‘ମୋର ପ୍ରିୟା ସ୍ୱାଧୀନ ଭର୍ତ୍ତୃକା’ ମୁଁ ମୋ ପ୍ରିୟାର ଦାସ- ଏହା ଲେଖିଥାଏଁ, ତେବେ ସେ ତାହା ଦେଖି ମୋତେ କହେ ‘ତବାଧୀନଭର୍ତ୍ତା’- ତୁମ୍ଭର ମୁଁ ଦାସୀ ବୋଲି ଲେଖ ।

୧୦ମ ପଦ :- ସେ ନାଗରୀବରର ସୀତା ବିରହୋତ୍କଣ୍ଠିତା ନାୟିକାଙ୍କ ମଧ୍ୟରେ ଶ୍ରେଷ୍ଠ । ସେ ମୋର ବିରହରେ ନବ ନବ ଭାବନାମାନ ଚିତ୍ତରେ ବିଚାରୁଥାନ୍ତା । ମୁଁ ତାହାର ପଦେ କଥାରେ କେଶ ବନ୍ଧନ ପାଇଁ ଚଉଁରୀ ଆଣିଅଛି । (ତେବେ ସେ ବିମନା ହେଲା କାହିଁକି ? )

 

ବାସକସଜ୍ଜା ହୋଏ ମୁଁ ପାଶୁଁ ଗଲା କ୍ଷଣେ ।

ବେଶ ସାରି ଶଯ୍ୟା କରି ନିରେଖେ ପ୍ରାଙ୍ଗଣେ।

ବିପ୍ରଲବ୍ଧା ହୋଇ ଧନ।

ବିକାଶ କୁସୁମକାଳେ ତେଜି କେଳି ସ୍ଥାନ । ୧୧।

 

ବାର ବାର ଅଭିସାର ମୋ ପାଶେ ପଣ୍ଡିତା।

ବିପରୀତ ମାଗିବାରେ ହୁଅଇ ଖଣ୍ଡିତା।

ବିଧି ପ୍ରୋଷିତଭର୍ତ୍ତୃକା।

ବାନ୍ଧବୀକୁ କରିବାକୁ କରୁଅଛି ଦକା । ୧୨।

 

ବହିଥିବାରେ ଶରୀର ଜୀବନଈଶ୍ଵରୀ ।

ବହିବ ନାହିଁ କଳହାନ୍ତରିତା ଚାତୁରୀ।

ବିବର୍ଜିତ ପ୍ରିୟାହୃଦ ।

ବିଚ୍ଛନ୍ଦରେ କେମନ୍ତେ କଲା ଆସପଦ । ୧୩।

 

ବୋଇଲେ ଦେହଳୀ ପାଶେ ମୃଗଭାର ଥୋଇ।

ବାସ ଦେହରେ କି କରି ନିବାରିବୁତୁହି?

ବିଳମ୍ବୁଁ ମୋ କରି ହଟ।

ବିଧାନ ଯେ କରିଅଛୁ ଲୁଚିବା କପଟ । ୧୪।

 

ବିଲୋପ ନୋହିବୁ ରସବତୀ ପୁର ତମେ।

ବିଧିରେ ପ୍ରସନ୍ନମୁଖୀ ହାସ ହୀରା କ୍ରମେ।

ବିସ୍ତାରିତ କରି ପାଣି।

ବେଶ୍ମେ ପଶି କୋଳକୁ ଆସରେ ପ୍ରିୟ ଭଣି । ୧୫।

 

୧୧ଶ ପଦ :- ମୋ ପାଖରୁ ଗଲାକ୍ଷଣି ସେ ବାସକସଜ୍ଜା ନାୟିକାପ୍ରାୟ ହୁଏ । ଆପେ ବେଶ ସାରି ଶେଯ ପକାଇ ଅଗଣାରେ ଠିଆହୋଇ ମୋତେ ନିରେଖୁ ଥାଏ । ପୁଣି ସେହି ପ୍ରିୟା ମୋର ବିପ୍ରଲବ୍‌ଧା ନାୟିକା ହୋଇ ପୁଷ୍ପବତୀ ସମୟରେ କେଳି ସ୍ଥାନ ତେଜି ଚାଲିଯାଏ । (ତାହା ତ ହୋଇ ନାହିଁ ଏବେ ନ ଆସେ କାହିଁକି ?)

୧୨ଶ ପଦ :- ଅଭିସାର -ସଙ୍କେତ ସ୍ଥଳକୁ ଗମନ ।

୧୨ଶ ପଦ :- ‘ଅଭିସାରିକା ନାୟିକା ପରି ସେ ବାରମ୍ବାର ମୋ ପାଖକୁ ଆସିବାରେ ନିପୁଣ ଅଟେ । ମୁଁ ବିପରୀତ ରତି ମାଗିବାବେଳେ ସେ ଖଣ୍ଡିତା ନାୟିକା ହୁଏ ଅର୍ଥାତ୍ କ୍ରୋଧଯୁକ୍ତା ହୋଇ ମୋ ବାକ୍ୟ ଖଣ୍ଡନ କରେ । (ଏବେ ମୁଁ ବିପରୀତ ରତି ମାଗି ନାହିଁ- ତେବେ ସେ ବିମନା ହେଲା କାହିଁକି ?) । ବିଧାତା ମୋର ପ୍ରିୟାକୁ ‘ପ୍ରୋଷିତଭର୍ତ୍ତୃକା’ କରିବାକୁ [ମୋ ସହିତ ବିଚ୍ଛେଦ କରିବାକୁ] ମୁଁ ସବୁବେଳେ ଆଶଙ୍କା କରୁଥାଏ । ବର୍ତ୍ତମାନ ସେ ଆଶଙ୍କା ସତ୍ୟ ହେଲା କି ?’

୧୩ଶ ପଦ :- ବିବର୍ଜିତ-ଶୂନ୍ୟ । ବିଚ୍ଛନ୍ଦରେ-କୌଶଳରେ । ଛନ୍ଦ-କପଟ । ଆସପଦ-ସ୍ଥାନ।

୧୩ଶ ପଦ :- ‘ମୋ ପ୍ରାଣେଶ୍ୱରୀ ଦେହ ଧରି ଥିବାଯାଏ; କଳହାନ୍ତରିତା ଚାତୁରୀ ବହିବ ନାହିଁ । (କଳହ କରି ମୋଠାରୁ ଅନ୍ତର ହେବ ନାହିଁ) । କାରଣ ମୋର ପ୍ରିୟାର ହୃଦୟ କପଟଶୂନ୍ୟ । ଏବେ କି କୌଶଳରେ ‘ଛନ୍ଦ’ କପଟ ସେ ହୃଦୟରେ ପାଇଲା ?’

୧୪ଶ ପଦ :- ଦେହଳୀ-ଏରୁଣ୍ଡୀବନ୍ଧ ।

୧୪ଶ ପଦ :- ରାମଚନ୍ଦ୍ର ମନେ ମନେ ଏହା ବିଚାରି ଯାଇ ଦ୍ୱାରମୁହଁ ପାଖରେ ମୃଗଭାର ଥୋଇ ଦେଇ କହିଲେ, ‘‘ମୋର ଆସିବାରେ ବିଳମ୍ବ ହେବାରୁ, ତୁ ହଟ କରି କପଟରେ ଲୁଚିଅଛୁ । ମାତ୍ର ତୋହର ଦେହର ବାସନାକୁ କିପରି ନିବାରି ତୁ ଲୁଚି ରହିପାରିବୁ ? (ତୋର ଦେହର ବାସନାରୁ ମୁଁ ଜାଣିପାରିବି ଯେ, ତୁ କେଉଁଠି ଲୁଚିଅଛୁ । ତେଣୁ ଲୁଚି ଫଳ କିଛି ନାହିଁ) ।’’

୧୫ଶ ପଦ :- ବିଲୋପ-ଛପିବା । ତମ-ଅନ୍ଧକାର । ପ୍ରସନ୍ନମୁଖୀ-ଉଜ୍ଜ୍ୱଳବଦନୀ ବା ଚନ୍ଦ୍ରମୁଖୀ । ପାଣି-ହସ୍ତ । ବେଶ୍ମ-ଘର ।

୧୫ଶ ପଦ :- ହେ ରସବତି ! ତୁ ଅନ୍ଧକାର ଗୃହରେ ମଧ୍ୟ ଅଦୃଶ୍ୟ ହୋଇପାରିବୁ ନାହିଁ । ଦୈବକ୍ରମେ ତୁ ପ୍ରସନ୍ନମୁଖୀ । ତୋର ହାସ୍ୟ ହୀରା ପରି ଝଟକିବ (ତେଣୁ ଅନ୍ଧକାରରେ ମଧ୍ୟ ତୋ ଦେଖା ମିଳିପାରିବ) ।’’ ଏହା କହି ରାମଚନ୍ଦ୍ର ଗୃହ ମଧ୍ୟରେ ପ୍ରବେଶ କରି ହସ୍ତ ବଢ଼ାଇ ଡାକିଲେ, ‘‘ହେ ପ୍ରିୟା ! ମୋ କୋଳକୁ ଆ ।’’

 

ବୋଲିଥିଲୁ ଆଣ ଏକା ମୃଗଚର୍ମ ପୁଚ୍ଛ।

ବାଛି ବାଛି ତୋଳି ଆଣିଅଛି ପୁଷ୍ପଗୁଚ୍ଛ।

ବସ ସେ ଅଜିନେ ବେଗେ।

ବାନ୍ଧଇଁ ମୁଁକୁନ୍ତଳ ଚାମର ଫୁଲଯୋଗେ । ୧୬।

 

ବହିଛୁ ଶଙ୍କା ଚଉଁରୀ ଦେଇ ମୋର ହସ୍ତ।

ବଦାଇବେ ରଚିବାକୁ କି ପୁରୁଷାୟିତ ।

ବୋଲିବାକୁ ନାହିଁ ତାହି।

ବୋଇଲା ବଚନ ଆନ ହୋଇଛି ମୋ କାହିଁ ? ୧୭।

 

ବନ୍ଧୁ ତୁହି ଧନ ତୁହି ପ୍ରାଣ ତୁହି ସତେ।

ବନ୍ଧୁ ଧନ ଦୂର କରି ଆଣିଛି ସଙ୍ଗତେ।

ବିଗତ ତୁ ହେଲେ ରକ୍ଷା।

ବ୍ରହ୍ମାଣ୍ଡରେ କି ରୂପରେ ଅଛି ସୁକଟାକ୍ଷା । ୧୮।

 

ବସଇ ହୃଦୟେ ଦୟା କଠିନ ଉରଜ।

ବନ୍ଦ୍ୟ ଜଗତରେ ଜ୍ୟେଷ୍ଠ ଅଟଇ ସହଜ।

ବିକର୍ମରୁ ମୋର ହେଜି।

ବରାରୋହା ଏମନ୍ତ ଭାବକୁ ଅଛୁ ଭଜି । ୧୯।

 

ବିନତି ଇଙ୍ଗିତ ଛଳ ବଚନ ପ୍ରକାଶି।

ବେଳେ ନ ପାରିଲେ ଯହୁଁ ବାଳା ମନ ତୋଷି।

ବ୍ୟର୍ଥ ବାଚାଳେ ପଣ୍ଡିତ।

ବୁଝାଇଲା ପ୍ରାୟ ଶାସ୍ତ୍ର ହୋଇଲା ତେମନ୍ତ । ୨୦।

 

୧୬ଶ ପଦ :- ପୁଷ୍ପଗୁଚ୍ଛ-ଫୁଲପେଣ୍ଡା । ଅଜିନ-ମୃର୍ଗଚର୍ମ । କୁନ୍ତଳ-କେଶ । ଚାମର-ଚଉଁରୀ ।

୧୬ଶ ପଦ :- ‘‘ତୁ କେବଳ ମୃଗଚର୍ମ ଓ ମୃଗପୁଚ୍ଛ ଆଣିବାକୁ କହିଥିଲୁ । ମାତ୍ର ମୁଁ ତାହା ବ୍ୟତୀତ ବାଛି ବାଛି ଫୁଲପେଣ୍ଡା ସବୁ ତୋଳି ଆଣିଛି । ତୁ ଶୀଘ୍ର ଆସି ସେ କନକ ମୃଗଛାଲରେ ବସ । ଫୁଲ ଓ ଚାମର ଯୋଗେ ମୁଁ ତୋର କେଶ ବାନ୍ଧି ଦେବି ।’’

୧୭ଶ ପଦ :- ପୁରୁଷାୟିତ-ବିପରୀତ ରତି ।

୧୭ଶ ପଦ :- ‘‘ହେ ପ୍ରିୟେ ! ଚଉଁରୀ ମୋର ହସ୍ତରେ ଦେଇ ବିପରୀତ ରତି କରିବାକୁ କୁହାଇବେ’- ଏହା ଭାବି ତୁ ଭୟ କରୁଛୁ କି ? ତା ମଧ୍ୟ ମୁଁ କହୁ ନାହିଁ । ମୋର କହିବା କଥା କେବେ ଅନ୍ୟଥା ହୋଇଛି କି ?’’

୧୮ଶ ପଦ :- ସୁକଟାକ୍ଷା-ସୁଦୃଶା ।

୧୮ଶ ପଦ :- ‘‘ତୁ ମୋର ବନ୍ଧୁ, ତୁ ମୋର ଧନ, ତୁ ମୋର ପ୍ରାଣ ଅଟୁ, ଏହା ସତ୍ୟ ଅଟେ । ତେଣୁ ବନ୍ଧୁ ଧନ ଦୂରକରି ତୋତେ ସଙ୍ଗତରେ ଆଣିଅଛି । ହେ ସୁଦୃଶା ! ତୁ ମୋର ପ୍ରାଣ, ତୁ ଛାଡ଼ି ଚାଲିଗଲେ ମୋର ଆଉ ବ୍ରହ୍ମାଣ୍ଡରେ କିପରି ରକ୍ଷା ଅଛି ? (ପ୍ରାଣହୀନ ଶରୀର ରହିବା ଅସମ୍ଭବ) ।’’

୧୯ଶ ପଦ :- ବରାରୋହା-ସୁନ୍ଦରୀ।

୧୯ଶ ପଦ :- ‘‘ତୋ ହୃଦୟରେ ଦୟା ଓ କଠିନ ସ୍ତନଯୁଗଳ ଉଭୟେ ବାସ କରନ୍ତି । ତାଙ୍କ ମଧ୍ୟରେ ଜ୍ୟେଷ୍ଠ ଦୟା ସ୍ୱଭାବରେ ଜଗତରେ ପୂଜ୍ୟ ଅଟେ (କଠିନ ଗୁଣ ପୂଜ୍ୟ ନୁହେଁ) । ହେ ପରମାସୁନ୍ଦରୀ ! ମୋର କର୍ମ ବିପାକରୁ ତୁ କନିଷ୍ଠ କଠିନ ଗୁଣକୁ ଧାରଣ କରିଅଛୁ କି ? (ଏ ଜ୍ୟେଷ୍ଠ ହୋଇ ସୁଦ୍ଧା ପୂଜ୍ୟ ହେଲେନାହିଁ, ମାତ୍ର ଭରତ କନିଷ୍ଠ ହୋଇ ପୂଜ୍ୟ ହେଲେ । ଏହି କଥା ହେଜି ତୁ ଜ୍ୟେଷ୍ଠ ଗୁଣ ଦୟାକୁ ଛାଡ଼ି କଠିନ ଗୁଣକୁ କହିଲୁ କି ?)’’

୨୦ଶ ପଦ :- ବାଚାଳ-ବାତୁଳ ବା ବାବଦୁକ ।

୨୦ଶ ପଦ :- ରାମଚନ୍ଦ୍ର ଏହିପରି ବିନୟ, ପରିହାସ, ଛଳ ପୂର୍ଣ୍ଣ ବାକ୍ୟମାନ ପ୍ରକାଶ କରି ମଧ୍ୟ ସୀତାଙ୍କ ମନ ତୋଷି ପାରିଲେ ନାହିଁ । ବାତୁଳ ଲୋକକୁ ପଣ୍ଡିତ ଶାସ୍ତ୍ର ବୁଝାଇଲା ପ୍ରାୟଏ ବଚନ ସବୁ ବ୍ୟର୍ଥ ହେଲା ।

 

ବକ୍ତବ୍ୟ ଲକ୍ଷ୍ମଣେ କି ଜାନକୀ କ୍ଷୀଣକୁକ୍ଷୀ ।

ବିଗ୍ର ହେଲା ରାକ୍ଷସୀ କପଟେ ଗଲା ଭକ୍ଷି ।

ବାଧ ବୋଲି ସ୍ତିରୀହତ୍ୟା ।

ବଧ ନ କଲାକୁ ଶୁଝାଇଲା ବଇରତା । ୨୧।

 

ବିଧାତା ନିର୍ମାଣ କଲା କେ ଆନ କରିବ।

ବୋଲୁଁ ପିତା ହା ରାମ ରାମ ଗଲା ଜୀବ।

ବେଳ ପଡ଼ିଲା ଲକ୍ଷ୍ମଣ।

ବୋଲୁ ହା ରାମା ହା ରାମା ଯିବ ମୋ ପରାଣ । ୨୨।

 

ବିରଚି କରୁଣ ତୋତେ କୃପାସିନ୍ଧୁ ମିତ।

ବୋଲଇ ଯେ ପ୍ରଥମୁଁପୀୟୁଷ କରି ଜାତ।

ବଶ କରି କଲୁ ଶିବ।

ବିଷ ଜନ୍ମାଇଲୁ ଆନ ଅର୍ଥେ ପାର ଯବ । ୨୩।

 

ବୋଲନ୍ତି ଯେ ଚନ୍ଦ୍ର ଶଶୀ କର୍ପୂର ହାଟକ।

ବାର ଶଶୀ ମାତ୍ର କରେ ଜଗତ ଆଲୋକ।

ବିଧ୍ଵଂସଇ ତମ ଘୋର।

ବିବେକିରତନ ଧନ ମନେ ବେଳ କର । ୨୪।

 

ବସନ୍ତ ଋତୁ ତ ଅନ୍ତ ହୋଇ ନାହିଁ ଗୋରି ।

ବଚନ କୋକିଳ କିପାଁ ଛାଡ଼ିଲା ମାଧୁରୀ।

ବେଳୁ ବେଳୁ ସେ ଅଧିକ।

ବିଭ୍ରମ ଜନ୍ମୁ ପାଦବେ ବିନୟ ସର୍ଜକ । ୨୫।

 

୨୧ଶ ପଦ :- କ୍ଷୀଣକୁକ୍ଷୀ-କ୍ଷୀଣୋଦରୀ । ବିଗ୍ର-ନାକକଟା ବ୍ୟକ୍ତି । ବଇରତା-ଶତ୍ରୁତା ।

୨୧ଶ ପଦ :- ତତ୍ପରେ ଲକ୍ଷ୍ମଣଙ୍କୁ କହିଲେ, ‘କୃଶୋଦରୀ ସୀତାକୁ ବିଗତ ନାସିକା ସୂର୍ପଣଖା ରାକ୍ଷସୀ କପଟରେ ଆସି ଖାଇଗଲା କି ? ସ୍ତ୍ରୀ ହତ୍ୟା ଦୋଷ ବାଧିବ ବୋଲି ବିଚାରି ତାକୁ ବଧ ନ କରିବାରୁ ସେ ଏହିପରି ଶତ୍ରୁତା ଶୁଝାଇଲା କି ?’’

୨୨ଶ ପଦ :- ‘‘ହେ ଲକ୍ଷ୍ମଣ ! ବିଧାତାର ବିଧାନ କଥା କିଏ ଅନ୍ୟଥା କରିବ ? ପିତା ଦଶରଥ ‘ହା ରାମ ହା ରାମ’ କହି ଜୀବନ ଛାଡ଼ିଲେ; ଏବେ ସେହି ସମୟେ ଆସି ପଡ଼ିଲା, ‘ହା ରାମା, ହା ରାମା, କହି ମୋର ଜୀବନ ଯିବ ।’’

୨୩ଶ ପଦ :- କରୁଣ-କ୍ରନ୍ଦନ । ପୀୟୂଷ-ଅମୃତ । ଶିବ-ମଙ୍ଗଳ, ମହାଦେବ ।

୨୩ଶ ପଦ :- ତତ୍ପରେ ରାମଚନ୍ଦ୍ର ରୋଦନ କରି କହିଲେ, ‘‘ହେ ବନ୍ଧୁ ! ତୋତେ ମୁଁ କୃପାସମୁଦ୍ର ବୋଲି କହେ । ସମୁଦ୍ର ପ୍ରଥମରେ ଅମୃତ ଜାତ କରି ପରେ ବିଷ ଜାତ କଲା; ସେହିପରି ତୁ ପ୍ରଥମେ ସୁଖରୂପ ଅମୃତ ଦେଇ ମୋତେ ବଶ କଲୁ । ବର୍ତ୍ତମାନ ଶେଷରେ ତୁ ବିଷ ଜନ୍ମାଇଲୁ । ସେ ବିଷ ଶିବ ଭିନ୍ନ ଅନ୍ୟ କାହାଠାରେ ପାର ହେବ କି ? (ମୋର ହୃଦୟରେ ବିଷ ଭରି ଦେଲୁ, ମୁଁ ତାହା ସହ୍ୟ କରି ନ ପାରି ନିଶ୍ଚୟ ନାଶ ଯିବି ) ।’’

୨୪ଶ ପଦ :- ଶଶୀ-ଚନ୍ଦ୍ର । ହାଟକ-ସୁବର୍ଣ୍ଣ । ତମ-ଅନ୍ଧକାର । ବିବେକିରତନ-ବିଚାରଚତୁରୀ ।

୨୪ଶ ପଦ :- ଶଶୀ, କର୍ପୂର, ହାଟକ (ସୁବର୍ଣ୍ଣ), ବାରି (ଜଳ) ଏ ସମସ୍ତ ଚନ୍ଦ୍ର ବୋଲାନ୍ତି, ମାତ୍ର କେବଳ ଶଶୀ ଘୋର ଅନ୍ଧକାରକୁ ନାଶ କରେ ଓ ସଂସାରକୁ ଆଲୋକିତ କରେ । ସେହିପରି ସୀତା ଅନେକ ଥିଲେ ମଧ୍ୟ ତୁ କେବଳ ଏକା ମୋର ଆନନ୍ଦଦାୟିନୀ । ଓ ଦୁଃଖବିନାଶିନୀ ଅଟୁ । (କର୍ପୂର, ସୁବର୍ଣ୍ଣ, ଜଳ, ଚନ୍ଦ୍ର ନାମ ବହନ କଲେ ମଧ୍ୟ ଯେପରି ଜଗତକୁ ଆଲୋକିତ କରିବାର ଗୁଣ ତାଙ୍କର ନାହିଁ, ସେହିପରି ଏକା ତୋ ବ୍ୟତୀତ ଅନ୍ୟ କୌଣସି ସୀତା ନାମ୍ନୀ ରମଣୀର ମୋତେ ତୋଷ କରିବାର କ୍ଷମତା ନାହିଁ) । ରେ ବିବେକିରତ୍ନ ! ରେ ଧନ ! ଏକଥାକୁ ଥରେ ମାତ୍ର ତୋ ମନରେ ବିଚାର କର ।’’

୨୫ଶ ପଦ :- ‘‘ରେ ଗୋରି ! ବସନ୍ତ ଋତୁ ତ ଶେଷ ହୋଇନାହିଁ । ତୋର ବଚନ କୋକିଳ କିମ୍ପା ମାଧୁର୍ଯ୍ୟ ଛାଡ଼ିଲା ? (ବସନ୍ତ ଋତୁ ଥାଉଁ ଥାଉଁ ତୋର ବଚନ ରୂପ କୋକିଳର ଶବ୍ଦ ନିରବ ହେଲା କାହିଁକି ?)’’ ଏହିପରି କହୁ କହୁ ରାମଙ୍କର ଅଧିକ ବିଭ୍ରମ ଜାତ ହୁଅନ୍ତେ, ସେ ବୃକ୍ଷମାନଙ୍କୁ ବିନୟ କରି କହିଲେ -

 

ବଲ୍ଲୀ ଆଲିଙ୍ଗନ ତ ତୁମ୍ଭର ନାହିଁ ଭଳି।

ବିଯୋଗୀ ହେଲି ବିଶେଷେ ଅନୁସରିଥିଲି।

ବାଳୀ କାହିଁ ଗଲା ଭାଷ।

ବିକଶିତେ ପୁଷ୍ପେ ତ ନିର୍ଦ୍ଦୟ ହୋଇ ହସ । ୨୬।

 

ବୋଲାଉଛ କେ ରସାଳ କେ ପୁଣି ଅଶୋକ।

ବିଭୀତକ କେହି କରି ତୁମ୍ଭ ମଧ୍ୟେ ଓକ।

ବିନା ରସ ମୁଁ ହୋଇବି।

ବୁଡ଼ି ଶୋକରେ ଭୀତକ ହୋଇ ଦିନ ନେବି । ୨୭।

 

ବୋଲାଅ ଯେ ଫଳବନ୍ତ ମୋ ପ୍ରତିଆଶାରେ ।

ବିଫଳ ହୋଇଣ କିଏ ହୋଇବ ସଂସାରେ।

ବିହୃଦ ମୁଁ ନୋହେ ମିତ।

ବହ ବୋଲି ତୁମ୍ଭେ ଜଟା ମୁଁ ବହିଛି ସତ । ୨୮।

 

ବିମୋହିତ ଏକ ପତ୍ର-ବାସ ସୁମନରେ।

ବଳ୍‌କଳ ପିଧାନ ପୁଣି ଶାଖା ରଞ୍ଜନରେ।

ବିଳସିତ କରେ ଖଗ।

ବାର୍ତ୍ତା କହି ମୋ ପ୍ରିୟାର ନାଶ ହେ ଉଦ୍‌ବେଗ । ୨୯।

 

ବାତ ପଲ୍ଲବ ଚଳିଲେ ଯେଉଁ ମାର୍ଗେ ନଗେ।

ବିବେକ ଏ ଠାରନ୍ତି ଅଛି କି ଏହି ଦିଗେ।

ବାସ ନିକଟେ ଋଷିଙ୍କ।

ବିଶୁଦ୍ଧ ବାକ୍ୟକୁ ଶିଖିଛନ୍ତି ସାରୀ ଶୁକ । ୩୦।

 

୨୬ଶ ପଦ :- ‘‘ହେ ବୃକ୍ଷଗଣ ! ତୁମ୍ଭଙ୍କୁ ତ ଲତାମାନେ ଆଲିଙ୍ଗନ କରି ଅଛନ୍ତି- ତା ଅନ୍ୟଥା ହୋଇନାହିଁ । ମୁଁ ବିଶେଷରେ ତୁମ୍ଭଙ୍କୁ ଅନୁସରଣ କରି ଏଠାରେ ରହିଥିଲି । ବର୍ତ୍ତମାନ ମୁଁ ବିରହୀ ହେଲି । ମୋର ସୀତା କୁଆଡ଼େ ଗଲା କହ । ପୁଷ୍ପ ବିକାଶ ଛଳରେ ତ ନିର୍ଦ୍ଦୟ ଭାବରେ ହସୁଅଛ । (ମୁଁ ତମ୍ଭର ଆଶ୍ରି-ତଥାପି ମୋ ବିପଦ ବଳେ ହସୁଛ । ଏ କ’ଣ ଭଲ ବ୍ୟବହାର ?)’’

୨୭ଶ ପଦ :- ରସାଳ-ରସଯୁକ୍ତ, ଆମ୍ବଗଛ । ଅଶୋକ-ଶୋକହୀନ, ଅଶୋକ ବୃକ୍ଷ । ବିଭୀତକ-ନିର୍ଭୀକ, ବାହାଡ଼ା ଗଛ ।

୨୭ଶ ପଦ :- ‘‘ତୁମ୍ଭମାନଙ୍କୁ ମଧ୍ୟରେ କିଏ ‘ରସାଳ’ ରସବନ୍ତ (ଆମ୍ବ), କିଏ ପୁଣି ‘ଅଶୋକ’ ଶୋକବିହୀନ, କିଏ ‘ବିଭୀତକ’ ଭୟହୀନ (ବାହାଡ଼ା) ବୋଲାଉଛ । ତୁମ୍ଭମାନଙ୍କ ମଧ୍ୟରେ ମୁଁ ବାସକରି ନୀରସ ହେବି, ପୁଣି ଶୋକରେ ବୁଡ଼ି ଭୟାଳୁ ହୋଇ ଦିନ ନେବି । (ତୁମ୍ଭଙ୍କୁ ଆଶ୍ରୟ କରିବାରୁ କ’ଣ ଏହି ଫଳ ମିଳିଲା) ?’’

୨୮ଶ ପଦ :- ‘‘ତୁମ୍ଭେମାନେ ପୁଣି ‘ଫଳବନ୍ତ’ ଫଳଯୁକ୍ତ ବୋଲାଅ, ମୋ ପ୍ରତି ଆଶାରେ ବିଫଳ ହୋଇବ କି ? (ମୋ ଆଶାକୁ ବିଫଳ କରିବ କି ?) । ସଂସାର ମଧ୍ୟରେ ମୁଁ ତୁମ୍ଭର ଶତ୍ରୁ ନୁହେ, ମିତ୍ର ଅଟେ । ତୁମ୍ଭେ ‘ଜଟା’ ଚେର ଧାରଣ କରିଅଛ ବୋଲି ମୁଁ ମଧ୍ୟ ବହିଅଛି । ଏହା ମଧ୍ୟ ମିଥ୍ୟା ନୁହେଁ ।’’

୨୯ଶ ପଦ :- ବିମୋଦିତ-ସୁବାସିତ ବା ପରମାନନ୍ଦିତ । ପିଧାନ-ପିନ୍ଧିବା । ଶାଖା-ଡାଳ, ସହାୟ । କରେ-କରିବା, ହସ୍ତରେ । ଖଗ-ପକ୍ଷୀ, ଶର ।

୨୯ଶ ପଦ :- ‘‘ତୁମ୍ଭେ ପତ୍ର ଓ ‘ବାସ ସୁମନରେ’ ସୁବାସିତ କୁସୁମରେ ବିମୋହିତ ହୋଇଅଛ, ସେହିପରି ମୁଁ ମଧ୍ୟ ଉତ୍ତମ ମନରେ ପତ୍ର କୁଡ଼ିଆରେ ମୋହିତ ହୋଇଅଛି । ପୁଣି ତୁମ୍ଭେ ବକଳ ପିନ୍ଧିଛ (ତୁମ୍ଭ ଦେହରେ ବକଳ ଜଡ଼ି ତହୋଇ ରହିଛି) ଓ ଡାଳମାନଙ୍କରେ ରଞ୍ଜିତ ହୋଇଅଛି । ମୁଁ ସେହିପରି ବକଳ ପିନ୍ଧୁଅଛି ଓ ଲକ୍ଷ୍ମଣର ସହାୟରେ ରହିଅଛି । ତୁମ୍ଭଠାରେ ପକ୍ଷୀମାନେ ବିଳାସ କରନ୍ତି, ମୋ ହସ୍ତରେ ବାଣମାନେ ଶୋଭିତ ହୁଅନ୍ତି । (ସବୁ ପ୍ରକାରରେ ମୁଁ ତୁମ୍ଭର ମିତ୍ର ଅଟେ) । ଅତଏବ ମୋ ପ୍ରିୟାର ଖବର କହି ମୋର ଉଦ୍‌ବେଗ ଦୂର କର ।’’

୩୦ଶ ପଦ :- ପଲ୍ଲବ-ପତ୍ର । ନଗେ-ବୃକ୍ଷମାନେ ।

୩୦ଶ ପଦ :- ପବନଦ୍ୱାରା ବୃକ୍ଷମାନଙ୍କର ପତ୍ର ଯେଉଁ ଦିଗକୁ ଚାଳିତ ହେଲା, ରାମ ସେ ଦିଗକୁ ଚାହିଁ ବିଚାର କଲେ, ‘ତୁମ୍ଭର ପ୍ରିୟା ଏହି ଦିଗରେ ଅଛି’- ବୃକ୍ଷମାନେ ମୋତେ ଠାରି ଏହା କହୁଅଛନ୍ତି କି ? ଏହା ଭାବି ସେ ସେହି ଦିଗକୁ ଯିବାରୁ ଋଷିଙ୍କ ମଠ ନିକଟରେ ଥିବା ଶାରୀ ଶୁକ ବିଶୁଦ୍ଧଭାବରେ କଥାବାର୍ତ୍ତା କରୁଥିବାର ଶୁଣିଲେ ।

 

ବୋଲନ୍ତେ ରାମ ରାଘବ ଦାଶରଥି ତହିଁ।

ବିବେଚନା ନାମ ଧରି ଡାକେ କି ବୈଦେହୀ ।

ବେଗି ହୋଇ ଦେଖି ମାର୍ଗ।

ବୈଷ୍ଣବ ସରସୀ ପ୍ରାୟ ଚକ୍ରଚିହ୍ନେ ଯୋଗ । ୩୧।

 

ବଦନ୍ତି ଭ୍ରାତେ ସୁଦନ୍ତି ସୁଦନ୍ତୀଗମନୀ ।

ବଳେ ବସାଇ ସ୍ୟନ୍ଦନେ କେ ଗଲା କି ଘେନି।

ବାରି-ରାଶି ମଧ୍ୟେ ମୋର।

ବହିତ୍ର କଟାଇ ଧନ ହରିନେଲା ଜୂର । ୩୨।

 

ବାଣିଜ୍ୟ ବିହୀନେ କେହି ଜୀବନ ପୋଷିବି ?

ବର୍ଷ୍ମଶିଳେ କାହା ତନୁ ସୁବର୍ଣ୍ଣ କଷିବି?

ବାରବାନରୁ ସେ ପାଇଁ।

ବୃଦ୍ଧି ରତି ଲାଭ ମନ ଅନୁରୂପେ ପାଇ । ୩୩।

 

ବିହ୍ଵଳିଲା ମାନସ ଝିଲ୍ଲିକା ସ୍ଵନ ଶୁଣି।

ବାଜୁଛି ତ ନୁପୁର ସଂଦ୍ରାବ ଯୋଷାମଣି ।

ବେଗି ପୁଣି ଏତେ ଭଣି।

ବିଭଞ୍ଜନ ରଥକୁ ଦେଖିଲେ ଚାପପାଣି । ୩୪।

 

ବିଲୋଳ ଚିତ୍ତ ମୋ ଶୁଭ କର୍ମେ ଏ ଭଗନ।

ବାମାଚୋର ଧରି ତାକୁ କରେ କି ଗମନ।

ବଦେ ଭ୍ରମର କିଙ୍କିଣୀ ।

ବିରଚିବାରୁ କି ରଣ ରଣ ପୁଣି ପୁଣି । ୩୫।

 

ବାଣୀ ଶୁଣାଇବା ଭଳି ରହ ରହ ଡାକି।

ବନ୍ଧୁ ରସସିନ୍ଧୁରସାଭୂଷା ବୋଲି ଟେକି।

ବକ୍ରତୁଲେ ବିଧୁ ତୁଳୁଁ ।

ବିଦ୍ୟମାନେ କବି ହୁଦପାତ୍ରେ ଲଘୁ କଲୁ । ୩୬।

 

ବ୍ରହ୍ମା ଯହୁଁ ଜାତ ତାକୁ ଦଳିଛୁ ପାଦରେ।

ବନ୍ଧାଉ ଶାଟୀ ଧଟୀରେ ସିଂହକୁ ମଧ୍ୟରେ।

ବିପକ୍ଷର ଜୀବନକୁ।

ବଳାଇଛୁ ମୋର କରେ ଦେବାର ମନକୁ । ୩୭।

 

ବୋଲି ବୋଲି ଯାଉଁ ଏହା ଜଟାୟୁ ପିଚ୍ଛନ୍ତି ।

ବିଜ୍ଞାନ ହତ ଅନ୍ତରେ କହିଲା ଏମନ୍ତ।

ବିଭୋ କୋଦଣ୍ଡଧାରଣା !

ବୈଦେହୀ ଘେନି ଗଲାଟି ଲଙ୍କାକୁ ରାବଣ । ୩୮।

 

ବିବାଦେ ମୁଁ ଭାଙ୍ଗିଲି ଶତାଙ୍ଗ ମୋତେ ହାଣି।

ବସାଇ ପୁଷ୍ପକେ ଘେନି ଗଲା ରାମାମଣି ।

ବସା ମଧ୍ୟରୁ କପୋତୀ ।

ବନ୍ଦୀ କରି ଜାଲେ ଯଥା ଲୁବ୍‌ଧକେ ନିଅନ୍ତି । ୩୯।

 

ବିଜେ କର ଦକ୍ଷିଣେ ଦକ୍ଷିଣ ତୁମ୍ଭେ ଗୁଣେ।

ବିଂଶକର ପ୍ରାଣ କ୍ଷୀଣ କର ତୀକ୍ଷ୍‌ଣବାଣେ ।

ବୋଲେ ବିସର୍ଜିଲା ଜୀବ।

ବିହାୟସେ ରହି ଦିବ୍ୟରୂପେ କଲା ସ୍ତବ । ୪୦।

 

୩୧ଶ ପଦ :- ସେହି ଶୁକ ଶାରୀ ‘ରାମ ରାଘବ ଦାଶରଥି’ ବୋଲି କହନ୍ତେ ରାମ ବିଚାରିଲେ, ‘‘ବୈଦେହୀ ମୋର ନାମ ଧରି ଡାକେ କି ?’’ ଏହା ଭାବି ଖରତରରେ ଯାନ୍ତେ ଦେଖିଲେ, ବାଟ ବୈଷ୍ଣବ ଓ ପୁଷ୍କରିଣୀ ପରି ଚକ୍ରଚିହ୍ନ ଯୁକ୍ତ ହୋଇଅଛି । (ବୈଷ୍ଣବମାନେ ଯେପରି ଚକ୍ର ଛାପାରେ ଯୁକ୍ତ ହୋଇଥାନ୍ତି, ପୁଷ୍କରିଣୀ ଯେପରି ଚକ୍ରବାକ ପକ୍ଷୀ ଦ୍ୱାରା ଯୁକ୍ତ ହୋଇଥାଏ, ସେହିପରି ପଥ ରଥର ଚକ ଚିହ୍ନରେ ଯୁକ୍ତ ହୋଇଅଛି) ।

୩୨ଶ ପଦ :- ସୁଦନ୍ତି-ସୁଦଶନା । ସୁଦନ୍ତୀଗମନୀ-ଗଜଗମନା । ସ୍ୟନ୍ଦନ-ରଥ । ବହିତ୍ର-ବୋଇତ ବା ଜାହାଜ । ଜୂର-ଲୁଟି ।

୩୨ଶ ପଦ :- ରଥ ଚକ ପଡ଼ିଥିବାର ଦେଖି ରାମ ଲକ୍ଷ୍ମଣଙ୍କୁ କହିଲେ, ‘‘ଗଜରାଜ ଗମନା ସୁଦର୍ଶନା ସୀତାକୁ ବଳାତ୍କାରରେ ରଥରେ ବସାଇ କିଏ ଘେନି ଗଲା କି ? ଏହା ଯେ କଲା, ସେ ମୋର ଭାବସମୁଦ୍ର ମଧ୍ୟରେ ପ୍ରତି ବାଣିଜ୍ୟର ବୋଇତକୁ ଫଟାଇ ସୀତାରୂପ ଧନକୁ ଲୁଟି କରି ନେଇଗଲା ।’’

୩୩ଶ ପଦ :- ବର୍ଷ୍ମ-ଶିଳ-ଦେହରୂପ କଷଟି ପଥର । ବାରବାନ-ବାରବାନୀ ସ୍ୱର୍ଣ୍ଣ ଅର୍ଥାତ୍ ଖାଣ୍ଟି ସୁନା । ପାଇଁ-ଲାଭ ।

୩୩ଶ ପଦ :- ‘‘ଏବେ ବାଣିଜ୍ୟ ବିହୁନରେ ମୁଁ କିପରି ଜୀବନ ପୋଷିବି ? (ଧନ ଥିବାରୁ ସିନା ପ୍ରେମ ବାଣିଜ୍ୟ କରି ଜୀବନ ପୋଷୁଥିଲି, ଏବେ ତ ସୀତାରୂପ ଧନ ଗଲା, ମୁଁ କିପରି ଚଳିବି) କାହା ଦେହ ସୁନାକୁ ମୋ ଦେହରୂପ କଷଟି ପଥରରେ କଷିବି ? (ମୁଁ ଆଉ କାହାକୁ ଆଲିଙ୍ଗନ କରିବି ?) ବିଶୁଦ୍ଧ ସୁନାଠାରୁ ମୋ ପ୍ରିୟା ତନୁରୂପ ସୁନା ଅଧିକ ଅଟେ । ମନ ଅନୁରୂପେ ବାଣିଜ୍ୟରେ ସୁନା ରତିଏ ମାତ୍ରାରେ ବୃଦ୍ଧି ହେଲେ, ଯେପରି ବଣିକର ଆନନ୍ଦ ଜାତ ହୁଏ, ସେହିପରି ମୁଁ ସୁରତି ଲାଭକରି ସୁଖୀ ହେଉଥିଲି ।’’

୩୪ଶ ପଦ :- ଝିଲ୍ଲିକା-ଝିଙ୍କାରୀ । ସଂଦ୍ରାବ-ପଳାଇଯିବା ।

୩୪ଶ ପଦ :- ଏହି ସମୟରେ ରାମଚନ୍ଦ୍ରଙ୍କ ମନ ଝିଙ୍କାରି ନାଦ ଶୁଣି ବିହ୍ୱଳିତ ହେଲା । ସେ ଭାବିଲେ, ନେଉଥିବା ଲୋକ ପାଶରୁ ସୀତା ପଳାଇ ଯାଉଛି କି ? ତେଣୁ ନୂପୁର ଶବ୍ଦ ଶୁଣାଯାଉଛି, (ଝିଙ୍କାରି ଶବ୍ଦ ଶୁଣି ନୂପୁର ଶବ୍ଦ ବୋଲି ମନେ କଲେ) । ଏହା ଭାବି ରାମ ଶୀଘ୍ର ଆଗକୁ ଓ ଭଙ୍ଗା ହୋଇ ପଡ଼ିଥିବା ରଥକୁ ଦେଖିଲେ ।

୩୫ଶ ପଦ :- ଭଙ୍ଗା ରଥ ଦେଖି ରାମଚନ୍ଦ୍ର ପୁଣି ଅସ୍ଥିର ମନରେ ଭାବିଲେ, ‘ମୋହର ଶୁଭକର୍ମଯୋଗୁ ଏ ରଥ ଭଗ୍ନ ହେଲା । ନାରୀ ଚୋର ମୋ ପ୍ରିୟାକୁ ଧରି ଚାଲି ଚାଲି ଯାଉଅଛି କି ?’ ସେହି ସମୟରେ ଭ୍ରମର ଗୁଞ୍ଜନ ଶବ୍ଦ ଶୁଣି ସେ ମନେକଲେ, ‘ମୋ ପ୍ରିୟା ନାରୀଚୋର ସହିତ ଯୁଦ୍ଧ କରିବାରୁ ତାରକଟି କିଙ୍କିଣୀ ଏପରି ଶବ୍ଦ କରୁଅଛି କି ?’

୩୬ଶ ପଦ :- ସୀତାଙ୍କୁ ଶୁଣାଇବା ଭଳି ଉଚ୍ଚରେ ଡାକି କହିଲେ, ‘‘ହେ ବନ୍ଧୁ ! ହେ ରସସିନ୍ଧୁ ! ହେ ପୃଥିବୀ ଶୋଭିନି ! ରହ, ରହ । କବିମାନେ ଚନ୍ଦ୍ରକୁ ତୋ ମୁଖ ସଙ୍ଗେ ହୃଦୟ ନିକିତିରେ ଓଜନ କରନ୍ତେ, (ତୋର ମୁଖ ଚନ୍ଦ୍ରକୁ ଲଘୁ କରିଦେଲା, ତେଣୁ ସେ ଉପରକୁ ଉଠିଗଲା (ତୋର ମୁଖଶୋଭା ଚନ୍ଦ୍ରର ଗର୍ବକୁ ଦଳୁଅଛି) । ’

୩୭ଶ ପଦ :- ‘‘ଯେଉଁ ପଦ୍ମରୁ ବ୍ରହ୍ମା ଜାତ ହେଲେ, ସେହି ପଦ୍ମକୁ ତୁ ପାଦରେ ଦଳିଅଛୁ । (ପଦ୍ମ ଶୋଭାଠାରୁ ତୋ ପାଦର ଶୋଭା ବେଶି) । ତୁ କଟୀରେ ପିନ୍ଧିଥିବା ଶାଢ଼ିର ଧଡ଼ିରେ ସିଂହକୁ ବନ୍ଧାଇଥାଉ (ତୋ କଟୀ ସିଂହକଟୀ ଅପେକ୍ଷା ସରୁ) । ତୁ ସିଂହକୁ ବନ୍ଧାଇ ଥିବାରୁ ମହାବୀର ଅଟୁ,- ତେଣୁ ଶତ୍ରୁକୁ ନିଜେ ସଂହାର ନ କରି ତାହାର ପ୍ରାଣକୁ ମୋ ହାତରେ ଦେବାକୁ ମନ ବଳାଇଛୁ । (ତୁ ନିଜେ ସଂହାର କରିବାକୁ ଇଚ୍ଛା କରିଥିଲେ ବହୁତ ବେଳୁ ସିଂହାର କରି ସାରନ୍ତୁଣି, ମାତ୍ର ମୋ ହାତରେ ମରାଇବାକୁ ମନ କରିଥିବାରୁ ଏ ପର୍ଯ୍ୟନ୍ତ ରଖିଅଛୁ) । ’

୩୮ଶ ପଦ :- ପିଚ୍ଛନ୍ତି-ପକ୍ଷୀ ।

୩୮ଶ ପଦ :- ରାମ ଏହା କହି କହି ଯାଆନ୍ତେ, ଜଟାୟୁ ପକ୍ଷୀ ସେ ଶବ୍ଦ ଶୁଣି ଚେତନା ପାଇ ଉଠିଲା ଏବଂ ଉଚ୍ଚ ସ୍ୱରରେ ଦେଇ କହିଲା, ‘‘ହେ ବିଭୋ ! ହେ କୋଦଣ୍ଡ ଧାରଣ ! ରାବଣ ସୀତାଙ୍କୁ ନେଇ ଲଙ୍କାକୁ ଚାଲିଗଲା ।’’

୩୯ଶ ପଦ :- ‘‘ସେ ସୀତାଙ୍କୁ ନେବାର ଦେଖି ମୁଁ ତା ସହିତ ଯୁଦ୍ଧ କରି ତା ରଥ ଭାଙ୍ଗିଦେଲି । ସେ ରାବଣ ମୋ ଡେଣା ହାଣି ରତ୍ନ କଙ୍କଣରେ ମଣି ବସାଇଲା ପ୍ରାୟ ପୁଷ୍ପକ ବିମାନରେ ସୀତାଙ୍କୁ ବସାଇ ଘେନିଗଲା । ଯେପରି ବ୍ୟାଧମାନେ ବସା ମଧ୍ୟରୁ କପୋତୀ ପକ୍ଷୀକି ଜାଲରେ ବନ୍ଦୀ କରି ନିଅନ୍ତି, ସହିପରି ରାବଣ ପତ୍ର କୁଡ଼ିଆରୁ ସୀତାଙ୍କୁ ରଥରେ ବନ୍ଦିକରି ନେଇଗଲା ।’’

୪୦ଶ ପଦ :- ଦକ୍ଷିଣ-ପ୍ରବୀଣ । ବିହାୟସେ-ଆକାଶରେ । ଦିବ୍ୟରୂପେ-ଦେବତା ରୂପରେ ।

୪୦ଶ ପଦ :- ‘‘ଆପଣ ତ କ୍ଷତ୍ରୀୟ ଗୁଣରେ ପ୍ରବୀଣ ଅଟନ୍ତି । ଏବେ ଦକ୍ଷିଣ ଦିଗକୁ ବିଜେ କରି [ଲଙ୍କାକୁ ଯାଇ] ତୀକ୍ଷ୍‌ଣ ବାଣରେ ରାବଣର ପ୍ରାଣକୁ ବିନାଶ କରନ୍ତୁ ।’’ ଏହା କହି ଜଟାୟୁ ପ୍ରାଣ ଛାଡ଼ିଲା । ଦିବ୍ୟରୂପ ଧରି ଆକାଶରେ ରହି ସ୍ତୁତି କଲା ।

ବିମଳ ହୋଇ ଲଭିଲା ସେ ପରମଗତି ।

ବହ୍ନି ଯୋଗ କଲେ ଶବ ସ୍ଵୟଂ ରଘୁପତି।

ବାସବରେ ବନ୍ଦ୍ୟ ଯେହି।

ବିପ୍ର ପୋଷ୍ୟପୁତ୍ର ପ୍ରାୟ ପ୍ରେତକ୍ରିୟାବିହି । ୪୧।

 

ବହିଲା ପ୍ରାୟେ କଳିନ୍ଦପର୍ବତୁଁ କାଳିନ୍ଦୀ।

ବକ୍ଷସ୍ଥଳେ ପଡ଼େ ଅଶ୍ରୁ ଗଲେ କାନ୍ଦି କାନ୍ଦି ।

ବୟାଳିଶ ପଦେ ଛାନ୍ଦ।

ବିରଚନ ବୀରବର ଚିନ୍ତି ରାମଚନ୍ଦ୍ର । ୪୨।

 

୪୧ଶ ପଦ :- ସେ ଜଟାୟୁ ଏହି ପୂଣ୍ୟକାର୍ଯ୍ୟ କରି ପରମ ଗତି ଲଭିଲା । ନିଜେ ରଘୁପତି ସେ ମୃତ ପିଣ୍ଡକୁ ଅଗ୍ନି ସଂଯୋଗ କଲେ । ଯେଉଁ ରାମଚନ୍ଦ୍ର ଇନ୍ଦ୍ରର ପୂଜ୍ୟ ଅଟନ୍ତି, ସେ ପାଳିତ ବ୍ରାହ୍ମଣପୁତ୍ର ପରି ପ୍ରେତକର୍ମ କଲେ । [ରାଜାମାନେ ମୃତ୍ୟୁପରେ ପ୍ରେତକ୍ରିୟା କରିବା ପାଇଁ ବ୍ରାହ୍ମଣ ପୁତ୍ରମାନଙ୍କୁ ଆଣି ପୋଷି ରଖିଥାନ୍ତି]।

୪୨ଶ ପଦ :- କାଳିନ୍ଦୀ-ଯମୁନା ନଦୀ ।

୪୨ଶ ପଦ :- କଳିନ୍ଦ ପର୍ବତରୁ ଯମୁନା ନଦୀ ବହିଲାପରି ରାମଙ୍କ ଛାତିରେ ଲୁହ ବହି ପଡ଼େ । ସେ ଏହିପରି କାନ୍ଦି କାନ୍ଦି ସେଠାରୁ ଗଲେ । ଏ ଛାନ୍ଦକୁ ବୀରବର ଉପେନ୍ଦ୍ର ବୀରବର ରାମଚନ୍ଦ୍ରଙ୍କ ଚିନ୍ତା କରି ବୟାଳିଶ ପଦରେ ରଚନା କଲେ।

 

Unknown

ଷଡ଼୍‌ବିଂଶ ଛାନ୍ଦ

ରାଗ ମଙ୍ଗଳବିରାଡ଼ି

(ମୁନିବର ବାଣୀ)

 

ବନେ ଘନେ ରଘୁମଣି

ବିପଥ ପଥ ନ ମଣି।

ବନପୂର୍ଣ୍ଣ ଅନୁକ୍ଷଣ

ବେନି ଈକ୍ଷଣ ଯେ। ୧ ।

ବିଚ୍ଛନ୍ନ ମନ ଉଚିତ

ବଚନ ଉଚ୍ଚେ ।

ବିଚ୍ଛେଦ ହେଲୁ ଈଷିତେ

ବୈଦେହୀ ସୀତେ ଯେ। ୨ ।

ବଦନ ତମାଳ ତମ

ବାଳେ ନୋହେ ତାରତମ ।

ବିଚ୍ଛେଦାଇ ହେଲେ ତମ

ବିଶ୍ୱ ଉତ୍ତମ ଏ। ୩ ।

ବାୟୁବାହନ ଚମରୀ

ବନ୍ଧେ ଗର୍ଭକ ସୁମରି ।

ବିଦୂର ସେହି ସକାଶେ

ବିହି ପ୍ରକାଶେ କି। ୪ ।

ବସିବେ ଉଚ୍ଚ ସମାନେ

ବେଭାରେ କିଞ୍ଚିତ ମାନେ।

ବିଧି ସିଦ୍ଧିକି ରଖିଛି

ବୁଦ୍ଧି ଶିଖୁଛି ଯେ। ୫ ।

 

୧ମ ପଦ :- ଘନ-ନିବିଡ଼ । ବିପଥ-ଅବାଟ । ବନ-ଜଳ ଅର୍ଥାତ୍ ଲୋତକ ଜଳ । ଈକ୍ଷଣ-ଚକ୍ଷୁ ।

୧ମ ପଦ :- ରାମଚନ୍ଦ୍ରଙ୍କର ଦୁଇ ଆଖି ସର୍ବଦା ଲୋତକ ପୂର୍ଣ୍ଣ ହୋଇଥିବାରୁ, ସେ ନିବିଡ଼ କାନନରେ ବାଟ ଅବାଟ ଜ୍ଞାନ ନ କରି ଚାଲୁଥାନ୍ତି ।

୨ୟ ପଦ :- ସୀତାଙ୍କ ବିଚ୍ଛେଦ ହେତୁ, ତାଙ୍କ ମନ ବିଶେଷ ଭାବରେ ଛନ୍ନ ହୋଇଅଛି । ତେଣୁ ସେ ଉଚ୍ଚ ସ୍ୱରରେ କହିଲେ, ‘‘ଗୋ ବୈଦେହୀ ! ଗୋ ସୀତେ ! ତୁ ଲେଶମାତ୍ର ଦୁଃଖିତ ନ ହୋଇ ମୋ ନିକଟରୁ ଅନ୍ତର ହୋଇଗଲୁ ।’’

୩ୟ ପଦ :- ବନଦ-ମେଘ । ତମ-ଅନ୍ଧକାର । ତାରତମ-ପ୍ରଭେଦ । ତମ-ରାହୁ ।

୩ୟ ପଦ :- ‘‘ମେଘ, ତମାଳ ବୃକ୍ଷ, ଅନ୍ଧକାର, ଏମାନେ ତୋ କେଶ ସହିତ ଦେବୀପ୍ୟମାନ ନୁହନ୍ତି । ରାହୁ କେଶ ସହିତ ସମାନ ବୋଲି ମନେକଲା; ମାତ୍ର ସମାନ ନ ହେବାରୁ ଭଗବାନଙ୍କଦ୍ୱାରା ସୁଦର୍ଶନ ଚକ୍ରରେ ବିଖଣ୍ଡିତ ହେଲା ।’’

୪ର୍ଥ ପଦ :- କବରୀ-ଜୁଡ଼ା । ଗର୍ଭକ-କେଶ ମଧ୍ୟସ୍ଥ । ବାୟୁବାହାନ ଚମରୀ-ମୃଗର ପୃଚ୍ଛ ।

 

୪ର୍ଥ ପଦ :- ‘‘ଏପରି ଯେ ସର୍ବୋତ୍କୃଷ୍ଟ କେଶ- ତାକୁ ‘ବାୟୁବାହାନ’ ଚମରୀ ମୃଗର ପୁଚ୍ଛରେ ବାନ୍ଧି ମଧ୍ୟଭାଗରେ ରଖିବାକୁ ମନ କରିବାରୁ ସେଥିପାଇଁ ବିଧାତା ଏ ବିଚ୍ଛେଦ ଘଟାଇଲା କି ?

୫ମ ପଦ :- ‘‘ନୀଚଲୋକମାନେ ମର୍ଯ୍ୟାଦାରେ ବଡ଼ଲୋକଙ୍କ ସମାନରେ କାଳେ ସ୍ଥାନ ପାଇବେ, ବିଧାତା ଏହି ସିଦ୍ଧାନ୍ତ କରି ଏପରି ବୁଦ୍ଧି କଲା କି ? (ଚମରୀ ମୃଗର ପୁଚ୍ଛ ରୂପ ନୀଚ ଲୋକ କେଶ ରୂପ ବଡ଼ ଲୋକଙ୍କ ସଙ୍ଗରେ ଏକାଠି ସ୍ଥାନ ପାଇ ନ ପାରିବ- ସେଥିପାଇଁ ବିଧାତା ଏ ବିରହ କରାଇ ଦେଲା କି) ?’’

 

ବିହରାଇଲା ଚନ୍ଦନେ

ବ୍ୟାଳ ପାଇଲା ନିନ୍ଦନେ।

ବସାଇ ଚନ୍ଦ୍ରରେ ଶଶା

ବିନା ପ୍ରଶଂସା ଏ। ୬ ।

ବିଭୋଗ କାଳ ବିଚାରି

ବନ୍ଧୁ କଲି ବନଚାରୀ।

ବାଞ୍ଛିଲା ଅକର୍ମବନ୍ତ

ବିଫଳବନ୍ତ ଏ। ୭ ।

ବିପିନେ କରି ବିଳାସ

ବଢ଼ାଇଥିଲି ଉଲ୍ଲାସ।

ବିଧ୍ଵଂସ ଯଥା ସ୍ଵପନ

ବୃଦ୍ଧି କମ୍ପନ ଯେ। ୮ ।

ବୋଲାଉ ଅତି ଗୁଣିକ

ବନିତାରତ୍ନେ ମାଣିକ୍ୟ।

ବେଳୁଁ ବେଳ ରାଗନିଧି

ବସୁଁ ସନ୍ନିଧି ଯେ। ୯ ।

ବାହୁରେ କରି ବନ୍ଧନ

ବୋଲୁଥାଉ ଏକା ଧନ।

ବାଧି ନ ପରେ ଦୀନତା

ବଡ଼ ଉନ୍ନତା ମୁଁ। ୧୦ ।

 

୬ଷ୍ଠ ପଦ :- ବ୍ୟାଳ-ସର୍ପ ।

୬ଷ୍ଠ ପଦ :- ‘‘ବିଧାତା ଚନ୍ଦନ ବୃକ୍ଷରେ ସର୍ପଙ୍କୁ ବିଳସାଇ ନିନ୍ଦା ପାଇଅଛି, ଚନ୍ଦ୍ର କୋଳରେ ଶଶାକୁ ଅପ୍ରଶଂସ୍ୟ ହୋଇଅଛି । (ସେଥିପାଇଁ ଅଧିକ ନିନ୍ଦା ପାଇବା ଭୟରେ ତୋ କେଶ ସହିତ ଚାମରୀ ପୁଚ୍ଛକୁ ସ୍ଥାନ ନ ଦେବା ପାଇଁ ଏହା ହେଲା କି ) ?’’

୭ମ ପଦ :- ‘‘ଯୌବନ କାଳ ଭୋଗ କରିବାର ସମୟ,- ଏହା ବିଚାର କରି ପ୍ରିୟାକୁ ସଙ୍ଗତରେ ବନକୁ ଆଣିଲି । କିନ୍ତୁ ଅକର୍ମା ଲୋକ ଯାହା ବାଞ୍ଛାକରେ, ତାହା ନିଷ୍ଫଳା ହୁଏ (ସେହିପରି ମୋର ଏ ବିଚାର ନିଷ୍ଫଳ ହେଲା) ।’’

୮ମ ପଦ :- ‘‘ବନରେ ପ୍ରିୟା ସହିତ ବିହାର କରି ଆନନ୍ଦ ବର୍ଦ୍ଧନ କରୁଥିଲି,- ତାହା ଏବେ ସ୍ୱପ୍ନ ପ୍ରାୟ ନାଶ ହୋଇଗଲା (ନିଦ୍ରା ଭଙ୍ଗରେ ସ୍ୱପ୍ନ କଥା ନାଶ ଗଲା ପ୍ରାୟେ ମୋର ଏ ଆନନ୍ଦ ନାଶ ଗଲା) ।’’ ଏହା କହିବା ସାଙ୍ଗେ ସାଙ୍ଗେ ତାଙ୍କର ଦେହ ବିରହବାଧାରେ ବେଶି କମ୍ପିବାକୁ ଲାଗିଲା ।

୯ମ ପଦ :- ‘‘ହେ ପ୍ରିୟେ ! ତୁ ଅତି ଗୁଣବତୀ ବୋଲାଉ, ପୁଣି ବନିତାରତ୍ନଙ୍କ ମଧ୍ୟରେ ମାଣିକ୍ୟ ପ୍ରାୟ ଅଟୁ । ତୁ ବେଳକୁ ବେଳ ବେଶି ସ୍ନେହ ପ୍ରକାଶ କରି ଆସି ମୋ ପାଖରେ ବସୁଥିଲୁ ।’’

୧୦ମ ପଦ :- ‘‘ମୁଁ ତୋତେ ବାହୁଦ୍ୱାରା ଆଲିଙ୍ଗନ କରି କହେ ‘‘ହେ ଧନ ! ତୋ ଯୋଗୁଁ ମୋର କିଛି ଦୁଃଖ ନାହିଁ, ମୁଁ ବଡ଼ ମହତ୍‌ ହୋଇଛି ।’’ (ମାଣିକ୍ୟ ବାହୁରେ ବାନ୍ଧିଲେ କୋଳକୁ ଦୁଃଖ ବାଧେ ନାହିଁ- ସେ ଉଦ୍ଧତ ହୋଇଥାଏ) ।’’

 

ବଣା ହେଲି ତେଜୁଁ ଦଣ୍ଡେ

ବିଭର୍ତ୍ତି ହେଲି କି ଦଣ୍ଡେ।

ବାହୁଡ଼ି ଆଉ ପାଇବି

ବୋଧି ହୋଇବି କି। ୧୧ ।

ବିଦାରି ହେଉଛି ଉର

ବସିଥିଲା କେ ଚଉର।

ବିଦୂର ମୋର ହେବାକୁ

ବେଗେ ନେବାକୁ ସେ। ୧୨ ।

ବିଚିତ୍ର ଥିଲା ସେ ବନ

ବିମ୍ବ ଚନ୍ଦ୍ରର ଚୁମ୍ବନ।

ବାଳାରୁଣୁ ପାନ ସୁଧା

ବଡ଼ ବିଶୁଦ୍ଧା ଯେ। ୧୩ ।

ବିଚିତ୍ର ଏବେ ଭାବନ

ବଞ୍ଚଇ ଦୂର ଜୀବନ।

ବିନା ପିତୁଳା ନୟନ

ବ୍ୟକ୍ତ ଅୟନ ଏ। ୧୪ ।

ବପୁ ନ ମରୁଁ ପୋଡ଼ଇ

ବେଳ ପ୍ରଭାତୁଁ ବୁଡ଼ଇ ।

ବିଶେଷେ ଅନ୍ଧାର ଦିଶେ

ବ୍ୟୋମାଦି ଦିଶେ ଯେ। ୧୫ ।

 

୧୧ଶ ପଦ :- ‘‘ମୁଁ ମୃଗ ଲୋଭରେ ବଣା ହୋଇ ଦଣ୍ଡେମାତ୍ର ସମୟ ଛାଡ଼ି ଯାଇ ମୋ ଧନ ହରାଇ ଏବେ ଏପରି ଦଣ୍ଡ ଭୋଗ କରୁଅଛି । ଆଉ କ’ଣ ସତେ ମୋର ଧନକୁ ଫେରି ପାଇ ମୁଁ ସ୍ଥିର ଚିତ୍ତ ହେବି ?’’

୧୨ଶ ପଦ :- ‘‘ମୋ ଛାତି ବିଦାରି ହେଉଛି । ଚୋର କ’ଣ ଜଗି ବସିଥିଲା ? ମୁଁ ଅନ୍ତର ହେବା ମାତ୍ରକେ, ତତ୍‌କ୍ଷଣାତ୍ ମୋ ଧନକୁ ଚୋରାଇ ନେଇଗଲା ?’’

୧୩ଶ ପଦ :- ‘‘ସେ ଦଣ୍ଡକାରଣ୍ୟ ଆଶ୍ଚର୍ଯ୍ୟ ଜନକ ଥିଲା । କାରଣ ସେ ବନରେ ମୁଁ ଏକାବେଳକେ ତୋର ମୁଖରୂପ ଚନ୍ଦ୍ରମଣ୍ଡଳରୁ ଏବଂ ଅଧରରୂପ ବାଳସୂର୍ଯ୍ୟ ମଣ୍ଡଳରୁ ଅତି ବିଶୁଦ୍ଧ ଅମୃତ ପାନ କରୁଥିଲି ।’’

୧୪ଶ ପଦ :- ‘‘ଏବେ ମଧ୍ୟ ମୁଁ ଭାବୁଛି, ବିଚିତ୍ର ରକମର ଘଟନା ହେଉଅଛି । କାରଣ ମୋ ପ୍ରାଣ ଅନ୍ତର ହେଲା, ଅଥଚ ମୁଁ ବିଞ୍ଚି ରହିଅଛି । ମୋର ଚକ୍ଷୁ ପିତୁଳାଶୂନ୍ୟ ହେଲା, ତଥାପି ବାଟ ମୋତେ ଦେଖା ଯାଉଅଛି ।’’ (ତୁ ମୋର ପ୍ରାଣ ଓ ନେତ୍ରର ପିତୁଳା) ।

୧୫ଶ ପଦ :- ‘‘ପୁଣି ଆଶ୍ଚର୍ଯ୍ୟ କଥା ଯେ, ମରଣ ନ ହେଉଣୁ ଏ ଦେହ ପୋଡ଼ିଯାଏ । ସନ୍ଧ୍ୟା ହେଲେ ସିନା ବେଳ ବୁଡ଼େ, ମାତ୍ର ମୋର ସକାଳେ ବେଳ ବୁଡ଼ି ଯାଉଅଛି । ଆକାଶ ଏବଂ ଦିଗମାନେ ବିଶେଷରେ ଅନ୍ଧକାର ଦେଖା ଯାଉଅଛନ୍ତି ।’’

 

ବର ଯେ ବୀରବୃନ୍ଦର

ବିଦେହ ହୋଏ ତା ଦର।

ବିଭେଦିବ ଫୁଲଶର

ବପୁଦେଶର ଯେ। ୧୬ ।

ବଜ୍ର ପାକ ବଚୋଦୟେ

ବାଜିବ ଆସ ହୃଦୟେ।

ବୁଦ୍ଧି ଆଉ ନ ଦିଶିଲେ

ବୁଝି ବସିଲେ ଯେ। ୧୭ ।

ବୋଲୁଁ ଏମନ୍ତ ଶୁଭିଲା

ବିବନ୍ଧ କୃତେ ଲୋଭିଲା ।

ବାହୁ ଯୋଜନ ପ୍ରମାଣ

ବରୁଁ ନିର୍ମାଣ ତା। ୧୮ ।

ବଡାଇ ଜୀବ ଭୁଞ୍ଜିତ

ବୁକୁରେ ତୁଣ୍ଡ ରାଜିତ।

ବିକଟମୂର୍ତ୍ତି କବନ୍ଧ

ବିହିଲା ବନ୍ଧ ସେ। ୧୯ ।

ବୋଲନ୍ତି ଭ୍ରାତେ ରାଘବ

ବାହୁ ହେଲା କି ଲାଘବ।

ବାଟରେ ଏକ କମଠ

ବିହିଛି ମଠ ଏ। ୨୦ ।

 

୧୬ଶ ପଦ :- ଯେଉଁ ରାମଚନ୍ଦ୍ର ବୀରମାନଙ୍କ ମଧ୍ୟରେ ଶ୍ରେଷ୍ଠ, ତାହାଙ୍କର ମଧ୍ୟ କନ୍ଦର୍ପଠାରେ ଭୟ ଜାତ ହେଉଅଛି, କାରଣ ଫୁଲଶର ତାଙ୍କର ଦେହ ଭେଦ କରିବ । (ବଜ୍ରସମ ତାଙ୍କ କଠିନ ଦେହରେ କୋମଳ ଫୁଲଶର ମଧ୍ୟ ଭେଦ କରିବ ଏ ମଧ୍ୟ ଏକ ଆଶ୍ଚର୍ଯ୍ୟ ଘଟନା) ।

୧୭ଶ ପଦ :- ‘‘କୋକିଳସ୍ୱନ କରିବା ମାତ୍ରକେ ତାହା ଆସି ଛାତିରେ ବଜ୍ର ପ୍ରାୟ ଭେଦ କରିବ । ଏ କଥା ଚିନ୍ତା କଲାବେଳକୁ ମୋତେ ଆଉ କିଛି ବୁଦ୍ଧି ଦିଶୁ ନାହିଁ ।’’

୧୮ଶ ପଦ :- ରାମଚନ୍ଦ୍ର ଏହା କହିବାର ଶୁଣିପାରି କବନ୍ଧ ତାଙ୍କୁ ବାହୁରେ ବନ୍ଧନ କରିବାକୁ ଲୋଭ ପ୍ରକାଶ କରି ବର ପ୍ରଭାବରୁ ତାହାର ବାହୁଦ୍ୱୟକୁ ଯୋଜନେ ପର୍ଯ୍ୟନ୍ତ ବଢ଼ାଇ ଦେଲା ।

୧୯ଶ ପଦ :- ସେ ରାକ୍ଷସ ଯୋଜନପ୍ରମାଣ ବାହୁଦ୍ୱୟକୁ ବଢ଼ାଇ ଜୀବମାନଙ୍କୁ ଆଣି ଭୋଜନ କରେ । ତାହାର ଛାତିରେ ମୁଖ ବିଦ୍ୟମାନ । ଏହିପରି ବିକରାଳ ମୂର୍ତ୍ତି ‘କବନ୍ଧ’ ଶିରିବିହୀନ ରାକ୍ଷସ ରାମଲକ୍ଷ୍ମଣଙ୍କୁ ଧରି ବନ୍ଧନ କଲା ।

୨୦ଶ ପଦ :- କବନ୍ଧ ବନ୍ଧନରେ ପଡ଼ି ରାମ ଲକ୍ଷ୍ମଣଙ୍କୁ କହିଲେ, ‘‘ଆମ୍ଭର ବାହୁବଳ କ୍ଷୀଣ ହୋଇଗଲାଣି କି ? ଦେଖ, ବାଟରେ ଗୋଟିଏ କଇଁଛ ଆମର ପ୍ରତିବନ୍ଧକ ହେଉଅଛି ।’’

 

ବଦନ ଗୁପ୍ତ ହୋଇଛି

ବିନାଶି ଭକ୍ଷିବାଇଛି ।

ବିପାକକର୍ମରେ ରୋଧ

ବ୍ୟଙ୍ଗ ନିରୋଧ ଏ। ୨୧ ।

ବିକୋଷ କୃପାଣ କରେ

ବିଘାତ କଲେ ତା କରେ।

ବ୍ୟୋମେ ଦିବ୍ୟ ରୂପସ୍ଥିତ

ବାର୍ତ୍ତା କଥିତ ସେ। ୨୨ ।

ବକ୍ତ୍ରମାଳୀ ଲଙ୍କପତି

ବିହିଛି ଭିନ୍ନ ବିପତ୍ତ ।

ବସୁମତୀ ସ୍ଥିରତାକୁ

ବିନାଶ ତାକୁ ଯେ। ୨୩ ।

ବିବୁଧ ଭାବ ଘେନି ତ

ବିଧିରେ ନରେ ଜନିତ।

ବିଷ୍ଣୁ ମା ତୁମେ ଦମ୍ପତି

ବ୍ରହ୍ମାଣ୍ଡପତି ହେ। ୨୪ ।

ବିଗ୍ରହାନୁଗ୍ରହେ ସରି

ବିଶିଷ୍ଟ ଗତି ପ୍ରସରି।

ବିଦୃଶ୍ୟ କହି ବହନେ

ବିଜେ ଗହନେ ସେ। ୨୫ ।

 

୨୧ଶ ପଦ :- ‘‘ଏହାର ମୁଖ ଅଦୃଶ୍ୟ ହୋଇଅଛି; ମାତ୍ର ଆମ୍ଭଙ୍କୁ ଭକ୍ଷିବା ଇଚ୍ଛାରେ ମୁଖ ପ୍ରକାଶିତ କରୁଅଛି । (କଇଁଛ ମୁହଁ ଲୁଚାଇ ଥାଏ ଖାଇବାକୁ ଦରକାର ପଡ଼ିଲେ ମୁହଁ ବାହାର କରେ) । ତେଣୁ ମୁଁ ବିଚାରୁଛି, କର୍ମବିପାକ ବେଳେ ‘ବ୍ୟଙ୍ଗ’ ଅଙ୍ଗହୀନ କବନ୍ଧ ବାଟ ରୋଧ କରୁଅଛି । (ଅଥବା କର୍ମ ପଡ଼ିଲାବେଳେ ବେଙ୍ଗ ମଧ୍ୟ ବାଟ ପାତେ) ।’’

୨୨ଶ ପଦ :- ଏହା ଶୁଣି ଲକ୍ଷ୍ମଣ ନିଜ ହସ୍ତରେ ଖଗଡ଼୍‌କୁ ଖାପରୁ ବାହାର କରି କବନ୍ଧର ହସ୍ତରେ ପ୍ରହାର କଲେ । ହାତ ଛିଡ଼ି ଯିବାରୁ ସେ କବନ୍ଧ ଦେବତା ରୂପ ଧାରଣ କରି ଆକାଶକୁ ଉଠିଯାଇ ସେଠାରେ ରହି ସୀତାଙ୍କ ବାର୍ତ୍ତା କହିଲା :-

୨୩ଶ ପଦ :- ‘‘ବିଂଶମୁଖ ରାବଣ ତୁମ୍ଭର ବିରହ ଦୁଃଖକୁ ବିଧାନ କରିଅଛି । ତୁମ୍ଭେ ତାକୁ ବିନାଶ କରି ପୃଥ୍ୱୀକୁ ସ୍ଥିର କର ।’’

୨୪ଶ ପଦ :- ଦମ୍ପତି-ସ୍ତ୍ରୀ ଓ ପୁରୁଷ । ବିବୁଧ-ଦେବତା । ମା-ଲକ୍ଷ୍ମୀ।

୨୪ଶ ପଦ :- ‘‘ହେ ବ୍ରହ୍ମାଣ୍ଡର ପାଳନକର୍ତ୍ତା ! ତୁମ୍ଭେ ସ୍ତ୍ରୀ ପୁରୁଷ ଦୁଇଜଣ ଲକ୍ଷ୍ମୀ ଓ ନାରାୟଣ ଅଟ । ଦେବତାମାନଙ୍କ ସକାଶେ ରାବଣର ବିନାଶ ପାଇଁ ନର ଦେହରେ ଜନ୍ମ ହୋଇଅଛି ।’’

୨୫ଶ ପଦ :- ‘‘ତୁମ୍ଭେ ଶତ୍ରୁ ଓ ମିତ୍ରଙ୍କଠାରେ ସମାନ ବ୍ୟବହାର କର । ତୁମ୍ଭଠାରୁ ମୋକ୍ଷଗତି ପ୍ରାପ୍ତ ହୁଏ । (ଶତ୍ରୁ ଓ ମିତ୍ର ଉଭୟଙ୍କୁ ମୋକ୍ଷଗତି ଦିଅ) ।’’ ଏହା କହି କବନ୍ଧ ଶୀଘ୍ର ଅଦୃଶ୍ୟ ହୋଇଗଲା । ରାମ ଲକ୍ଷ୍ମଣ ଦୁହେଁ ବନମଧ୍ୟରେ ବିଜେ କଲେ ।

 

ବିକଳ ଚିତ୍ତେ ଶ୍ରୀରାମ

ବିଶ୍ଵଲୋଚନାଭିରାମ ।

ବିଗ୍ରହ କ୍ଷୁଧାରେ ଥରେ

ବହୁ ପଥରେ ଯେ। ୨୬ ।

ବିହେ ସ୍ତୁତି ଯାରେ ଶ୍ରୁତି

ବତ୍ସା ଧେନୁସ୍ଵନ ଶ୍ରୁତି।

ବରଜେ କ୍ଷୀର ମାଗ ତ

ବିହୁ ଇଙ୍ଗିତ ସେ। ୨୭ ।

ବୋଲନ୍ତେ ହୋଇ ବିରକ୍ତ

ବିଦୁହଁ ନ ପୟଃ ରକ୍ତ।

ବିନୟ ବ୍ରଜ ସରବ

ବିନା ଗରବ ସେ। ୨୮ ।

ବଲ୍ଲବେ କ୍ଷୀର ଦାନକୁ

ବିହି ବୋଧିଲା ମନକୁ।

ବିପୁଳ ତୋଷ ଚିତ୍ତରେ

ବରଦ ତାରେ ସେ। ୨୯ ।

ବଞ୍ଛା ତୋ ଦେବୁଁ କୁମର

ବର ଏ କେଉଁ ଅମର।

ବର୍ତ୍ତିବୁ ହୋଇ ତୁ ନନ୍ଦ

ବହି ଆନନ୍ଦ ଯେ। ୩୦ ।

 

୨୬ଶ ପଦ :- ସଂସାରସ୍ଥ ପ୍ରାଣୀମାନଙ୍କ ନୟନର ଆନନ୍ଦ ପ୍ରଦାନକାରୀ ଶ୍ରୀରାମ ବିକଳ ମନରେ ପଥ ଚାଲୁ ଚାଲୁ କ୍ଷୁଧାରେ ତାଙ୍କ ଦେହ ଥରିଲା ।

୨୭ଶ ପଦ :- ଶ୍ରୁତି-ବେଦ। ବତ୍ସା-ବାଛୁରୀ । ଧେନୁସ୍ୱନ-ଗାଈମାନଙ୍କରଧ୍ୱନି । ଶ୍ରୁତି-ଶୁଣି । ବରଜେ-ଗୋପାଳମାନଙ୍କୁ । କ୍ଷୀର-ଦୁଧ ।

୨୮ଶ ପଦ :- ବିଦୁହଁ-ବିଶେଷରୂପେ ଦୋହନ କର । ପୟ-ଦୁଧ ।

୨୭ ଓ ୨୮ଶ ପଦ :- ଯେଉଁ ରାମଚନ୍ଦ୍ରଙ୍କୁ ବେଦ ସ୍ତୁତି କରେ, ସେହି ସର୍ବଶ୍ରେଷ୍ଠ ପୁରୁଷ ଗାଈ ବାଛୁରୀଙ୍କ ରାବ ଶୁଣି ସେଠାକୁ ଯାଇ ଗୋପାଳଙ୍କୁ କ୍ଷୀର ମାଗିଲେ । ଗୋପାଳମାନେ କ୍ଷୀର ନ ଦେଇ ପରିହାସ କରିବାରୁ ରାମଚନ୍ଦ୍ର ବିରକ୍ତ ହୋଇ କହିଲେ, ‘‘ତୁମ୍ଭେ ଦୁଧ ନ ଦୁହିଁ ରକ୍ତକୁ ଦୋହନ କର ।’’ ଏହା କହିବାକ୍ଷଣି ଗୋପାଳମାନଙ୍କର ଦୁହୁଁଥିବା କ୍ଷୀର ରକ୍ତ ହୋଇଯିବାରୁ; ସେମାନେ ଗର୍ବହୀନ ହୋଇ ବିନୟୀ ହେଲେ । ରାମଚନ୍ଦ୍ର ଆଜ୍ଞା ଦେଲେ,-‘ରକ୍ତ ନ ଦୁହଁ’ ରକ୍ତ ଦୋହନ କରି କ୍ଷୀର ଦୁହଁ ।

୨୯ଶ ପଦ :- ତାଙ୍କ ମଧ୍ୟରୁ ଗୋଟିଏ ଗୋପାଳାକ୍ଷୀର ଦାନ କରି ରାମଚନ୍ଦ୍ରଙ୍କ ମନକୁ ତୋଷ କଲା । ରାମଚନ୍ଦ୍ର ଚିନ୍ତାଯୁକ୍ତ ହୋଇଥିଲେ ମଧ୍ୟ କ୍ଷୀର ପାନ ଯୋଗେ ସନ୍ତୁଷ୍ଟ ହେବାରୁ ସେ ଗୋପାଳକୁ ବର ପ୍ରଦାନ କଲେ ।

୩୦ଶ ପଦ :- ଅନ୍ତର୍ଯ୍ୟାମୀ ହେତୁ ସେ ଗୋପାଳର ମନ କଥା ଜାଣିପାରି କହିଲେ, ‘‘ତୁମ୍ଭର ଏହି ଇଚ୍ଛା ଯେ, ଏ କେଉଁ ଦେବତା ଆସିଛନ୍ତି, ମୋତେ ପୁତ୍ରଦାନ ରୂପ ବର ଦେବେ । ତୁମ୍ଭେ ପରଜନ୍ମରେ ନନ୍ଦ ନାମ ବହି ଆନନ୍ଦରେ ରହିବ ।’’

 

ବାରେ କ୍ଷୀରଦାନେ ଜୀବ

ବୋଧିଲୁ ଏ ଶୁଝାଯିବ।

ବଢ଼ିବୁଁ ପୁତ୍ର ଭାବରେ

ବ୍ରଜ ନବରେ ଯେ। ୩୧ ।

ବାମା ଯଶୋଦା ବୋଲାଉ

ବାଳଖେଳରେ ଭୁଲାଉ।

ବନମାଳୀ କୃଷ୍ଣ ହରି

ବୋଲି ବିହରି ଯେ। ୩୨ ।

ବଳଭଦ୍ର ଅବରଜ

ବୋଲାଇବ ହେ ବରଜ।

ବୁଡ଼ ନା ଆଉ ଦ୍ଵାପରେ

ବିଦ୍ୟଦ୍ଵାପରେ ଏ। ୩୩ ।

ବାସ ସେ ସ୍ଥାନେ ନିଶିକ

ବାସରେ ସୂର୍ଯ୍ୟବଂଶିକ।

ବନେ ଦକ୍ଷିଣ ମୁଖରେ

ବିହାର ଖରେ ସେ। ୩୪ ।

ବିପିନେ ଅତି ଝଳିକା

ବିକଚନବମାଳିକା ।

ବିଳସେ ଅଳିପାଳିକା

ବାଣମେଳିକା କି ?୩୫ ।

 

୩୧ଶ ପଦ :- ‘‘ଥରେ କ୍ଷୀର ଦେଇ ଆମ୍ଭ ପ୍ରାଣ ରଖିଲ । ଏହି ସୁକୃତ ଫଳରୁ ଗୋପପୁରରେ ତୁମ୍ଭ ଘରେ ଆମ୍ଭେ ପୁତ୍ର ରୂପରେ ବଢ଼ିବୁଁ-ସେତେବେଳେ ଏ ଉପକାର ଶୁଝାଯିବ ।’’

୩୨ଶ ପଦ :- ‘‘ତୁମ୍ଭ ଗୃହିଣୀ ଯଶୋଦା ବୋଲାଇ ଆମ୍ଭଙ୍କୁ ବାଲ୍ୟକ୍ରୀଡ଼ାରେ ଭୁଲାଇବ । ପୁଣି ଆମ୍ଭଙ୍କୁ ସେ ବନମାଳୀ, କୃଷ୍ଣ, ହରି ବୋଲି ଡାକି ଆନନ୍ଦରେ କାଳ ହରଣ କରିବ ।’’

୩୩ଶ ପଦ :- ବରଜ-ଗୋପାଳ । ଅବରଜ-ସାନଭାଇ । ଦ୍ୱାପରେ-ସନ୍ଦେହରେ, ଦ୍ୱାପର ଯୁଗରେ ।

୩୩ଶ ପଦ :- ‘‘ହେ ଗୋପାଳ ! ଆମ୍ଭର ଏ ସାନଭାଇ ଲକ୍ଷ୍ମଣ ବଳଭଦ୍ର ବୋଲାଇବ । ତୁମ୍ଭେ ଆଉ ସଂସୟ କର ନାହିଁ । ଏହା ଦ୍ୱାପର ଯୁଗରେ ଘଟିବ ।’’

୩୪ଶ ପଦ :- ରାମ ଲକ୍ଷ୍ମଣ ସେ ସ୍ଥାନରେ ସେ ରାତ୍ରକ ବାସ କଲେ । ପର ଦିବସ ଦକ୍ଷିଣ ମୁଖରେ ବନ ମଧ୍ୟରେ ଶୀଘ୍ର ଗମନ କଲେ ।

୩୫ଶ ପଦ :- ବିପିନ-ବନ । ନବମାଳିକା-ନିଆଳୀଫୁଲ । ବିକଚ-ପ୍ରଷ୍ଫୁଟିତ । ଅଳିପାଳିକା-ଭ୍ରମରଶ୍ରେଣୀ ।

୩୫ଶ ପଦ :- ସେ ବନରେ ବିଶେଷରୂପେ ଶୋଭା ପାଉଥିବା ପ୍ରଷ୍ଫୁଟିତ ନିଆଳୀ ଫୁଲରେ ଭ୍ରମରଶ୍ରେଣୀ ବିହାର କରୁଥାନ୍ତି । ତାହା ଦେଖି ରାମଚନ୍ଦ୍ର ଭାବିଲେ, ‘ଏ କନ୍ଦର୍ପର ଶର ସମୂହ କି ?’

 

ବିଷମ ବିଶିଖ ଗୁଣେ

ବଳାଇ ଅଛି କି ଗୁଣେ।

ବହି ଅତସୀ ପ୍ରମାଣ

ବିଦ୍ୟ କମାଣ କି ?୩୬ ।

ବିଷାଇ ମଧୁପ ତନୁ

ବନେ ଚମକିତ ତନୁ।

ବଲ୍ଲଭୀମଣି ହା ସୀତା

ବଳେ ଭାଷିତା ସେ। ୩୭ ।

ବୃଷା ଶରଭଙ୍ଗାଳୟେ

ବସିଥିଲେ କଲେ ଲୟେ।

ବିଷ୍ଣୁ ଆମ୍ଭ କଷ୍ଟ ଭାଙ୍ଗି

ବିପଦଭାଗୀ ସେ। ୩୮ ।

ବନ୍ଦୀ ଜଗତଜନନୀ

ବିମଳ କମଳାନନୀ ।

ବୋଲି ରହିଲେ ଅନ୍ତରେ

ବିଜେ ସତ୍ଵରେ ସେ। ୩୯ ।

ବାଣ ଶରାସନଧର

ବେନି ମୁନି ସନ୍ନିଧିର।

ବିବୁଧାଳୟକୁ ଗମେ

ବନ୍ଦି ନିଗମେ ସେ। ୪୦ ।

 

୩୬ଶ ପଦ :- ବିଷମବିଶିଖ-କନ୍ଦର୍ପ । କମାଣ-ଧନୁ ।

୩୬ଶ ପଦ :- ‘କନ୍ଦର୍ପ’ କେଉଁ ଗୁଣରେ ଅତସୀ ପୁଷ୍ପ ରୂପ ପ୍ରଧାନ ଧନୁରେ ଭ୍ରମର ରୂପଗୁଣ ଚଢ଼ାଇ ଅଛି ? (କନ୍ଦର୍ପ ଅର୍ଦ୍ଧ ଚନ୍ଦ୍ରାକାର ଅତସୀ ଫୁଲ ଧନୁରେ ଭ୍ରମର ଶ୍ରେଣୀ ରୂପ ଗୁଣ ଚଢ଼ାଇ ନିଆଳୀ ଫୁଲ ଶର ବିନ୍ଧିଛି କି ?) ଅଥବା- କନ୍ଦର୍ପ କି ଅବିଗୁଣ ହେତୁ ନିଆଳୀ ରୂପ ଫୁଲରେ ଭ୍ରମର ରୂପ ଗୁଣ ଯୋଗ କରିଅଛି ? (ବିନା ଗୁଣରେ ବି ସେ ଫୁଲ ବିରହୀଙ୍କ ହୃଦୟ ଭେଦ କରିବ) । ଅତସୀ ଫୁଲକୁ ଦେଖି ମନେ କଲେ, ‘ଏ କନ୍ଦର୍ପର ଧନୁ କି ?’

୩୭ଶ ପଦ :- ବିଷାଇ-ବିଷଯୁକ୍ତ କରି ।

୩୭ଶ ପଦ :- ଏହି ସମୟରେ ଫୁଲ ଝଡ଼ି ରାମଚନ୍ଦ୍ରଙ୍କ ଦେହରେ ପଡ଼ିବାରୁ ସେ ଭାବିଲେ ‘ମକରନ୍ଦ ରୂପ ବିଷରେ ବିଷ ଯୁକ୍ତ କରି କନ୍ଦର୍ପ ଏ ଫୁଲ ଶରକୁ ମୋତେ ମାଇଲା କି ?’ ଏହା ଭାବି ସେହି ବନରେ ତାଙ୍କ ଦେହ ଥରି ଉଠିଲା । ସେତେବେଳେ ସେ କହି ଉଠିଲେ, ‘‘ହେ ପ୍ରିୟାମଣି ! ହେ ସୀତା ! (ତୋ ସକାଶେ ସିନା ମୋର ଦୁଃଖ) ।’’

୩୮ଶ ପଦ :- ବୃଷା-ଇନ୍ଦ୍ର ।

୩୮ଶ ପଦ :- ଇନ୍ଦ୍ର ସେ ସମୟରେ ଶରଭଙ୍ଗ ଋଷିଙ୍କ ଆଶ୍ରମରେ ବସିଥିଲେ । ସେ ଚିନ୍ତା କଲେ,- ବିଷ୍ଣୁ ଆମ କଷ୍ଟ ଦୂର କରିବାପାଇଁ ରାମ ରୂପରେ ଏ ବିପଦର ଭାଗୀ ହୋଇଅଛନ୍ତି ସିନା !

୩୯ଶ ପଦ :- ଶରାସନ ଧର-ଧନୁର୍ବାଣଧାରୀ ।

୩୯ଶ ପଦ :- ନିର୍ମଳ ପଦ୍ମମୁଖୀ ଜଗତ୍‌ଜନନୀ ସୀତାରୂପେ ବନ୍ଦୀ ହୋଇ ଅଛନ୍ତି । ଏହା ଭାବି ଇନ୍ଦ୍ର ଗୁପ୍ତ ହୋଇ ରହିଲେ । ରାମ ଶୀଘ୍ର ସେଠାରେ ବିଜେ କଲେ ।

୪୦ଶ ପଦ :- ବିବୁଧାଳୟ-ସ୍ୱର୍ଗ । ବନ୍ଦି ନିଗମେ-ବେଦବାକ୍ୟରେ ସ୍ତୁତି କରି ।

୪୦ଶ ପଦ :- ଶରଭଙ୍ଗ ମୁନି କାଣ୍ଡ କୋଦଣ୍ଡଧାରୀ ରାମ ଲକ୍ଷ୍ମଣ ଦୁହିଁଙ୍କୁ ନିଜ ଆଶ୍ରମରେ ଦେଖି ବେଦବାକ୍ୟରେ ସ୍ତୁତି କରି ସ୍ୱର୍ଗକୁ ଗମନ କଲେ ।

 

ବଡ଼ ସୁକୃତି ଶବରୀ

ବୁଲିଣ ଦିବା ଶର୍ବରୀ।

ବୁଝେ ରସାଳ ଅସ୍ୱାଦୁଁ

ବାଛଇ ସ୍ୱାଦୁ ସେ। ୪୧ ।

ବିଜୟ ରାମ କରିବେ

ବିଭୁକ୍ତେ ମୋତେ ତାରିବେ।

ବିଲୋକି ସନ୍ତାପ ଚ୍ୟୁତ

ବଢ଼ାଇ ଚୂତ ସେ। ୪୨

ବିଶ୍ୱବ୍ୟାପୀ ତା ଭାବରେ

ବିଭୋଗୀ ହେଲେ ଜବରେ।

ବିଦ୍ୟ ଭାବଗ୍ରାହୀ ପଦ

ବେଗେ ଆସ୍ପଦ ସେ। ୪୩ ।

ବିଦନ୍ତମୁଦ୍ରା ରସାଳ

ବିଯୋଗ କଲେ ବିଶାଳ।

ବନଜାକ୍ଷ ତତପର

ବସୁଧାପର ଯେ। ୪୪ ।

ବିଚିହ୍ନ ଏ ଦଶନରେ

ବିରୋଧୀ ମୋ ଅଶନରେ।

ବୋଲି ଚାହିଁ ପ୍ରସନ୍ନରେ

ବିଦ୍ୟମାନରେ ସେ। ୪୫ ।

 

୪୧ଶ ପଦ :- ଦିବା ଶର୍ବରୀ-ଦିନରାତି ।

୪୧ଶ ପଦ :- ଅତି ପୁଣ୍ୟବତୀ ଶବରୀ ଦିନ ରାତି ବୁଲି ବୁଲି ପାଚିଲା ଆମ୍ବ ସବୁ ଚାଖି ତନ୍ମଧ୍ୟରୁ ସ୍ୱାଦୁ ଆମ୍ବକୁ ବାଛି ରଖିଥିଲା ।

୪୨ଶ ପଦ :- ଆସ୍ୱାଦୁଁ-ଚାଖିବାଦ୍ୱାରା । ରସାଳ-ଆମ୍ବ । ବିଭୁକ୍ତେ-ବିଶେଷ ରୂପରେ ବା ସନ୍ତୋଷରେ ଭୋଜନ କରି । ଚୂତ-ଆମ୍ବ । ଚ୍ୟୁତ-ଦୂର ।

୪୨ଶ ପଦ :- ‘ରାମଚନ୍ଦ୍ର ଏଠାକୁ ବିଜେ କରିବେ ଏବଂ ଏ ସୁସ୍ୱାଦ ପାଚିଲା ଆମ୍ବକୁ ଭୋଜନ କରି ମୋତେ ଏ ଜନ୍ମରୁ ଉଦ୍ଧାର କରିବେ’- ଏହା ଭାବି ସେ ଆମ୍ବ ଚାଖି ରଖୁଥାଏ । ରାମଚନ୍ଦ୍ର ସେଠାକୁ ଯିବାରୁ ସେ ତାଙ୍କୁ ଦେଖି ଦୁଃଖ ଦୂର କଲା ଓ ଚାଖି ରଖିଥିବା ସ୍ୱାଦୁ ଆମ୍ବ ଭୋଜନ ପାଇଁ ରାମଙ୍କ ହାତକୁ ବଢ଼ାଇ ଦେଲା ।

୪୩ଶ ପଦ :- ଚରାଚରବ୍ୟାପୀ ରାମଚନ୍ଦ୍ର ଶବରୀର ଭକ୍ତି ଭାବରେ ବଶ ହୋଇ ଶୀଘ୍ର ସେ ଆମ୍ବ ଭକ୍ଷଣ କଲେ । ଭାବଗ୍ରାହୀ ଏହି ନାମ ବିଦ୍ୟମାନ ଥିବାରୁ ସେ ଅତିଶୀଘ୍ର ଭକ୍ତିର ପାତ୍ର ହେଲେ (ଅର୍ଥାତ୍ ‘ଭାବଗ୍ରାହୀ’ ଏହି ନାମକୁ ସାର୍ଥକ କଲେ) ।

୪୪ଶ ପଦ :- ବିଶାଳ ବନଜାକ୍ଷ- ବୃହତ୍ ନେତ୍ରପଦ୍ମ । ବିଦନ୍ତ-ମୁଦ୍ରା-ଦନ୍ତଚିହ୍ନ ରହିତ ।

୪୪ଶ ପଦ :- ବୃହତ୍ ପଦ୍ମନେତ୍ର ରାମଚନ୍ଦ୍ର ଦନ୍ତଚିହ୍ନ ନ ଥିବା ପାଚିଲା ଆମ୍ବ ଗୋଟିକୁ ପୃଥିବୀ ଉପରେ ଥୋଇ ଦେଲେ ।

୪୫ଶ ପଦ :- ଅଶନ-ଭୋଜନ

୪୫ଶ ପଦ :- ‘ଏ ଆମ୍ବର ଦନ୍ତ ଚିହ୍ନ ନାହିଁ, ତେଣୁ ମୋର ଭକ୍ଷଣର ଉପଯୁକ୍ତ ନୁହେଁ’- ଏହା କହି ରାମଚନ୍ଦ୍ର ପ୍ରସନ୍ନ ଚିତ୍ତରେ ସେ ଶବରୀକୁ ଚାହିଁ ରହିଲେ ।

 

ବ୍ୟାଖ୍ୟାନ ଶବରୀ କରେ

ବସତି ଋଷ୍ୟମୂକରେ ।

ବିହି ସୁଗ୍ରୀବ କ୍ରୋଡ଼ରେ

ବାଳିର ଡ଼ରେ ଯେ। ୪୬ ।

ବିଘ୍ନକର ଏ ଦଶା ସେ

ବିବାଦ ରଚି ଦଶାସ୍ୟେ।

ବିମ୍ବୋଷ୍ଠୀକି ଦେବ ଆଣି

ବିକାଶି ଆଣି ସେ। ୪୭ ।

ବାରତା କହି ଭକତି

ବିମାନେ ସେ ନଭଗତି ।

ବାହାର ସେହି ଆଦେଶେ

ବନପ୍ରଦେଶେ ସେ। ୪୮ ।

ବାଟେ ପମ୍ପା ସାରସର

ବିରାଜିତ ସାରସର।

ବିରାଜିତ ସାରସର

ବୃଷାର ସର ସେ। ୪୯ ।

ବିଧିରେ ହୀନ ଭ୍ରମର

ବିଳସୁଛନ୍ତି ଭ୍ରମର।

ବିଳାସ ଯହିଁ ଭ୍ରମର

ବାଞ୍ଛେ ଅମର ସେ। ୫୦ ।

 

୪୬ଶ ପଦ :- ରାମଙ୍କ ଚାହିଁବା ଭଙ୍ଗୀରୁ ଜାଣିପାରି ଶବରୀ କହିଲା ‘‘କିଷ୍କିନ୍ଧ୍ୟାରାଜ ବାଳିର ଭୟରେ ସୁଗ୍ରୀବ ରୁଷ୍ୟମୂକ ପର୍ବତ ଗୁହାରେ ବାସ କରିଅଛି ।’’

୪୭ଶ ପଦ :- ‘‘ସେ ସୁଗ୍ରୀବ-ତୁମ୍ଭର ଏ ଅବସ୍ଥାର ବିଘ୍ନକର ହେବ । ସେ ତାହାର ବୀରତ୍ୱ ପ୍ରକାଶ କରି ରାବଣ ସଙ୍ଗେ ବିବାଦ ଲଗାଇ ତୁମ୍ଭ ବିମ୍ବାଧରୀକୁ ଆଣିଦେବ ।’’

୪୮ଶ ପଦ :- ସେ ଶବରୀ ଭକ୍ତିର ସହିତ ଏ ବାର୍ତ୍ତା କହି ଦେଇ ବିମାନରେ ଆରୋହଣ କରି ଆକାଶମାର୍ଗରେ ଗମନ କଲା । ଶବରୀର କଥା ଅନୁସାରେ ରାମ ଲକ୍ଷ୍ମଣ ଅରଣ୍ୟ ମଧ୍ୟରେ ବିଜେ କଲେ ।

୪୯ଶ ପଦ :- ସାରସର-ଉତ୍ତମ ସରୋବର । ବିରାଜି-ପକ୍ଷୀଗଣ । ସାରସ-ଜଳଚର ପକ୍ଷୀବିଶେଷ । ବରାଜିତ-ପକ୍ଷୀଙ୍କଦ୍ୱାରା ମଣ୍ଡିତ, ଶୋଭିତ । ସାରସର-ପଦ୍ମମାନଙ୍କର । ବୃକ୍ଷା-ଇନ୍ଦ୍ର । ସର-ପୁଷ୍କରିଣୀ ।

୪୯ଶ ପଦ :- ରାମ ଲକ୍ଷ୍ମଣ ଯାଉଁ ଯାଉଁ ବାଟରେ ପମ୍ପା ନାମକ ଏକ ସରୋବର ଦେଖିଲେ । ସେ ସରୋବର ପଦ୍ମମାନଙ୍କରେ ଶୋଭିତ, ପୁଣି ହଂସ ଓ ପକ୍ଷୀମାନଙ୍କଦ୍ୱାରା ମଣ୍ଡିତ ହୋଇଅଛି । ସେ ଇନ୍ଦ୍ରଙ୍କ ସରୋବର ଅଟେ ।

୫୦ଶପଦ :- ଭ୍ରମର-ଭଉଁରୀ । ଭ୍ରମର-ଭ୍ରମବଶତଃ । ଅମର-ଦେବତା ।

୫୦ଶ ପଦ :- ଦୈବଯୋଗରେ ସେ ସରୋବରରେ ଜଳ ଭଉଁରୀ ନାହିଁ, ଭ୍ରମରମାନେ ତହିଁରେ ଫୁଟିଥିବା ପଦ୍ମମାନଙ୍କରେ ବିହାର କରୁଅଛନ୍ତି । ସେହି ସରୋବରରେ ଦେବତାମାନେ ସ୍ୱର୍ଗ ଗଙ୍ଗା ଭ୍ରମରେ ଜଳକ୍ରୀଡ଼ା କରିବାକୁ ବାଞ୍ଛା କରନ୍ତି ।

 

ବାରିରେ ଆଦର ସରେ

ବିମଳ ଆଦରଶରେ ।

ବିବେକ ହଂସ ମାନସ

ବଳି ମାନସ ଯେ। ୫୧ ।

ବିଧ୍ୱଂସ ତାପ ସ୍ପରଶ

ବଡ଼ ଅତଳସ୍ପରଶ ।

ବିନିଦ୍ର ନୀଳ ସାରସ

ବହଇ ରସ ସେ। ୫୨ ।

ବାଞ୍ଛି ତୃଷାର୍ତ୍ତ କମଳ

ବିଘନ ତୀରେ କମଳ।

ବିରତେଭୃଙ୍ଗ କୁମୁଦ

ବହୁ କୁମୁଦ ଏ। ୫୩ ।

ବିଡ଼ି ଉଠେ ଚକ୍ରଚକ୍ର ।

ବହେ ଗତି ଯଥା ଚକ୍ର।

ବିନୋଦରେ ଚକ୍ରବାକୀ

ବିଚକ୍ରବାକି ସେ। ୫୪ ।

ବୀକ୍ଷଣେ ହୋଇ ବିରହୀ

ବୋଲେ ରଘୁବୀର ରହି।

ବିଷ୍କିର କହ ମଧୁର

ବାର୍ତ୍ତା ବଧୂର ମୋ। ୫୫ ।

 

୫୧ଶ ପଦ :- ଆଦର୍ଶ-ଦର୍ପଣ ।

୫୧ଶ ପଦ :- ସେ ସରୋବରର ଜଳ ଏପରି ସ୍ୱଚ୍ଛ ଯେ, ତାକୁ ଦେଖିଲେ ନିର୍ମଳ ଦର୍ପଣର ଗୌରବ ରହିବ ନାହିଁ, (ନିର୍ମଳ ଦର୍ପଣଠାରୁ ସେ ଜଳର ନିର୍ମଳତା ଖୁବ୍ ବେଶି) । ହଂସମାନେ ସେ ସରୋବରରେ କ୍ରୀଡ଼ା କରି ମନେକରନ୍ତି, ମାନସରୋବରଠାରୁ ଏହା ଉତ୍କୃଷ୍ଟତର ।

୫୨ଶ ପଦ :- ସ୍ପରଶ-ଛୁଇଁବା । ଅତଳସ୍ପରଶ-ଅତିଗଭୀର । ବିନିଦ୍ର-ପ୍ରସ୍ଫୁଟିକ । ନୀଳସାରସ-ନୀଳପଦ୍ମ ।

୫୨ଶ ପଦ :- ସେ ସରୋବର ଜଳ ଏପରି ଶୀତଳ ତାହା ସ୍ପର୍ଶକଲେ ଗ୍ରୀଷ୍ମ ତାପ ଦୂର ହେବ, ପୁଣି ସେ ଅତି ଗଭୀର ଅଟେ । ତହିଁରେ ବିକଶିତ ଓ ମଧୁପୂର୍ଣ୍ଣ ନୀଳପଦ୍ମ ଶୋଭା ପାଉଅଛି ।

୫୩ଶ ପଦ :- କମଳ-ମୃଗ । ବିଘନ-ପୂର୍ଣ୍ଣ । କମଳ-ଜଳ। ଭୃଙ୍ଗ-ଭ୍ରମର । କୁମୁଦ-କଇଁଫୁଲ । କୁମୁଦ-ଆନନ୍ଦ ।

୫୩ଶ ପଦ :- ତୃଷାତୁର ମୃଗଯୂଥ ଜଳପାନ କରିବା ଇଚ୍ଛାରେ ସେହି ସରୋବର ତଟଦେଶରେ ବିଶେଷରୂପେ ରୁଣ୍ଡ ହୋଇଅଛନ୍ତି । ଜଳରେ ଫୁଟିଥିବା କଇଁଫୁଲ ଭ୍ରମରମାନଙ୍କୁ ବହୁତ ଆନନ୍ଦ ପ୍ରଦାନ କରୁଅଛି । (କଇଁ ସବୁ ଫୁଟିଥିବାରୁ ଭ୍ରମରମାନେ ଆନନ୍ଦମନରେ ସେଠାରେ ବିହାର କରୁଅଛନ୍ତି) ।

୫୪ଶ ପଦ :- ଚକ୍ର-ଚକ୍ରବାକପକ୍ଷୀ । ଚକ୍ର-ସମୂହ । ବିନୋଦରେ-ଆନନ୍ଦରେ । ବିଚକ୍ରବାକି-ଖଣ୍ଡିଆଭୁତ ।

୫୪ଶ ପଦ :- ଚକ୍ରବାକ ପକ୍ଷୀସମୂହ ସେ ସରୋବର ଜଳରେ ବୁଡ଼ି ଉଠନ୍ତି । ସେମାନେ ଚକ୍ରବାକୀ ସହିତ କ୍ରୀଡ଼ାରେ ରତହୋଇ ଜଳରେ ବିହାର କଲାବେଳେ ଏପରିଭାବରେ ଗତି କରୁଅଛନ୍ତି ଯେ, ତାଙ୍କୁ ଦେଖି ଖଣ୍ଡିଆଭୁତ ଗତି କଲାପରି ବୋଧ ହେଉଅଛି । (ଖରାଦିନେ ପ୍ରାନ୍ତର ସ୍ଥାନରେ ପବନ ବକ୍ରକାରରେ ଖୁବ୍ ଯୋରରେ ବୁଲି ବୁଲି ଉପରକୁ ଉଠିଯାଏ, ତାକୁ ଖଣ୍ଡିଆଭୁତ କହନ୍ତି) ।

୫୫ଶ ପଦ :- ବୀଷଣେ-ଦେଖିବାରେ । ବିଷ୍କିର-ପକ୍ଷୀର ।

୫୫ଶ ପଦ :- ସେ ଚକ୍ରବାକ ଓ ଚକ୍ରବାକୀଙ୍କ କେଳି ଦେଖିବାରୁ ରାମଙ୍କର ବିରହ ଯନ୍ତ୍ରଣା ବର୍ଦ୍ଧିତ ହୁଅନ୍ତେ, ସେ କହିଲେ, ‘‘ହେ ପକ୍ଷୀ ! ମୋ ପ୍ରିୟାର ମନୋହର ବାର୍ତ୍ତାକୁ କୁହ ।’’

 

ବାଳା ମୋ ରସସରସୀ

ବିହରେ ମୁଁ ମୀନ ରସି।

ବିଧୂରେ କେମନ୍ତ ଜୀବ

ବୁଝ ନ ଯିବ ଯେ। ୫୬ ।

ବଡ଼ିଶଶରେ ମଦନ

ବିଚାରୁଅଛି ଭେଦନ।

ବହିଛି ସେ କେଉଁ ଦେଶ

ବୁଝି ସନ୍ଦେଶ ଏ। ୫୭ ।

ବଦନ ସଦା ଅମଳ

ବିକାଶି ଥିଲା କମଳ।

ବିଲୋଳ ନେତ୍ର ଖଞ୍ଜନ

ବସି ରଞ୍ଜନ ସେ। ୫୮ ।

ବିଲୋକି ମୋ ସୁରପତି

ବିଭୁତି ଥିଲା ପ୍ରାପତି ।

ବିଚ୍ଛେଦୁ ଦୀନ ହୋଇଛି

ବାହୁଡୁଁ ଇଚ୍ଛି ଏ। ୫୯ ।

ବକ୍ଷୋଜେ ତବ ଯୁଗକୁ

ବିହନ୍ତି କବି ଯୋଗକୁ।

ବଦ ଅଛି ସୋଦରତା

ବନ୍ଧୁ ବାରତା ତୁ। ୭୦ ।

 

୫୬ଶ ପଦ :- ‘‘ମୋ ପ୍ରିୟା ରସବତୀ ହେତୁ ଜଳପୂର୍ଣ୍ଣ ସରୋବର ପରି ଅଟେ । ତେଣୁ ମୁଁ ମୀନ ପ୍ରାୟ ବିହାରରେ ରସିଥିଲି । ଜଳ ବିହୁନରେ ମୀନ ନାଶ ହେଲାପରି ତାର ବିଚ୍ଛେଦରେ ମୋ ପ୍ରାଣ ବା ନ ଯିବ କିପରି ? (ମୁଁ ନିଶ୍ଚୟ ନାଶ ଯିବି) ।’’

୫୭ଶ ପଦ :- ମଦନ-କନ୍ଦର୍ପ । ବଡ଼ିଶ-ଶର-ବନିଶକଣ୍ଟା ରୂପ ଶର ।

୫୭ଶ ପଦ :- ‘‘କନ୍ଦର୍ପ ବନିଶ କଣ୍ଟାରୂପ ଶରରେ ମୋତେ ବଦ୍ଧ କରିବାକୁ ବିଚାରୁଅଛି । ମୋ ପ୍ରିୟା କେଉଁ ଦେଶରେ ରହିଛି; ଏ ବାର୍ତ୍ତା ମୋତେ ବୁଝାଇ କହ ।’’

୫୮ଶ ପଦ :- ବଦନା-ମୁଖ । କମଳ-ପଦ୍ମ । ବିଲୋକ-ଚଞ୍ଚଳ ।

୫୮ଶ ପଦ :- ‘‘ମୋର ପ୍ରିୟାର ମୁଖ ସର୍ବଦା ଫୁଟିଥିବା ପଦ୍ମପ୍ରାୟ ନିର୍ମଳ ଦିଶେ । ତହିଁରେ ଚଞ୍ଚଳ ହେଉଥିବା ନେତ୍ରଯୁଗଳ ଖଞ୍ଜନ ପକ୍ଷୀ ପ୍ରାୟ ଖେଳା କରି ଶୋଭା ପାଉଥିଲା ।’’

୫୯ଶ ପଦ :- ସୁରପତି-ଇନ୍ଦ୍ର । ବିଭୁତି-ଐଶ୍ୱର୍ଯ୍ୟ ବା ସମ୍ପତ୍ତି ।

୫୯ଶ ପଦ :- ‘‘ତା ମୁଖ ପଦ୍ମରେ ନେତ୍ର ଖଞ୍ଜନର ଖେଳା ଦେଖି ମୁଁ ଇନ୍ଦ୍ର ସମ୍ପତ୍ତି ପ୍ରାପ୍ତ ହୋଇଥିଲି । ମାତ୍ର ବର୍ତ୍ତମାନ ତାହାର ବିଚ୍ଛେଦରୁ ବଡ଼ ଦୁଃଖୀ ହୋଇଅଛି । ସେ ଫେରି ଆସୁ-ମୁଁ ଏହା ଭାବନା କରୁଅଛି ।’’

୬୦ଶ ପଦ :- ବକ୍ଷୋଜ-ସ୍ତନ ବା କୁଚ । ସୋଦରତା-ବନ୍ଧୁତା ।

୬୦ଶ ପଦ :- ‘‘ମୋ ପ୍ରିୟାର ସ୍ତନଯୁଗଳ ସହିତ ତୁମ୍ଭ ଦୁହିଙ୍କର ମିଳନକୁ କବିମାନେ ଉପମା ଦେଇଥାନ୍ତି । ସୁତରାଂ ତା ସହିତ ତୁମ୍ଭର ବନ୍ଧୁତା ଅଛି । ଅତଏବ ମୋ ପ୍ରିୟାର ବାର୍ତ୍ତା କହ ।’’

 

ବୋଲୁଁ କୋପି ଚକ୍ରବାକ

ବୋଇଲା ଏମନ୍ତ ବାକ ।

ବେନିନାବେ ଦେଇ ପଦ

ବ୍ୟର୍ଥ ସମ୍ପଦ ଏ। ୬୧ ।

ବହୁ ଜଟା ସ୍ତିରୀହିତ

ବୁଡ଼ିମରିବା ବିହିତ।

ବିହଗ ରତି ବିଲୋକ

ବିଲଜ୍ଜ ଲୋକ ତୁ। ୬୨ ।

ବୋଲୁଁ ବୋଇଲେ ତକ୍ଷଣ

ବିଚକ୍ଷଣ ସୁଲକ୍ଷଣ ।

ବିଜ୍ଞ ହେଉଛୁ ଇଚ୍ଛାର

ବିହଗ ଛାର ତୁ। ୬୩ ।

ବିଖ୍ୟାତୁ ତପ ହେତୁ ହି

ବୋଲାଉ କୁଟୁମ୍ବୀ ତୁହି ।

ବଶିଷ୍ଠାଦି ଏ ଅଜାଣ

ବଡ଼ ସୁଜାଣ ତୁ। ୬୪ ।

ବିଯୋଗରେ ନିଅ କାଳ

ବିହି ଏ ଶାପ ତତ୍କାଳ।

ବେନି ସୋଦର ବହନେ

ବିଜେ ଗହନେ ସେ। ୬୫ ।

 

୬୧ଶ ପଦ :- ରାମଚନ୍ଦ୍ର ଏହା କହନ୍ତେ ଚକ୍ରବାକ ପକ୍ଷୀ କୋପ କରି କହିଲା, ‘‘ଦୁଇ ନାବରେ ଗୋଡ଼ ଥୋଇଲେ ସମସ୍ତ ସମ୍ପତ୍ତି ବ୍ୟର୍ଥ ହୁଏ । (ଦୁଇ ନାରେ ଗୋଡ଼ ଦେଲେ ମଣିଷ ବୁଡ଼ିମରେ) ।’’

୬୨ଶ ପଦ :- ବିହଗ-ପକ୍ଷୀ । ବିଲଜ୍ଜ-ଲଜ୍ୟାଶୂନ୍ୟ ।

୬୨ଶ ପଦ :- ‘‘ତୁମ୍ଭେ ଶିରରେ ଜଟା ବହିଅଛ, ପୁଣି ସ୍ତ୍ରୀ ଲମ୍ପଟ ଅଟ; (ଦୁଇ ନାବରେ ଗୋଡ଼ ଦେଇଛ) ତେଣୁ ବୁଡ଼ି ମରିବା ତୁମ୍ଭ ପକ୍ଷରେ ନିଶ୍ଚିତ ଅଟେ । ପୁଣି ଏଡ଼େ ନିର୍ଲ୍ଲଜ ଯେ ପକ୍ଷୀଙ୍କ ରତିକ୍ରୀଡ଼ା ଦେଖୁଅଛ ।’’

୬୩ଶ ପଦ :- ଚକ୍ରବାକଠାରୁ ଏହା ଶୁଣି ଲକ୍ଷଣବନ୍ତ ଓ ପଣ୍ଡିତ ଲକ୍ଷ୍ମଣ ତତ୍‌କ୍ଷଣାତ କହିଲେ, ‘‘ତୁ ଚ୍ଛାର ପକ୍ଷୀ ହୋଇ ମନେ ବଡ଼ ବିଜ୍ଞ ବୋଲି ଜଣାଇ ଦେଉଛୁ ।’’

୬୪ଶ ପଦ :- ବିଖ୍ୟାତୁ-ବିଖ୍ୟାତ କରୁ ।

୬୪ଶ ପଦ :- ‘‘ତୁ ସାମାନ୍ୟ ପକ୍ଷୀ ମାତ୍ର ପୁଣି ତୁ ଗୃହୀ, ଅଥଚ ତପସ୍ୟାର ଲକ୍ଷଣ କହୁଅଛୁ । ବଶିଷ୍ଠାଦି ଋଷିମାନେ କ’ଣ ବଡ଼ ଅଜ୍ଞ ? -ସେ ଜଟାଜୁଟ ବାନ୍ଧି, ତପସ୍ୟା କରି ମଧ୍ୟ ଗୃହୀ ହୋଇଅଛନ୍ତି । ତୁ ତାଙ୍କଠାରୁ ବଡ଼ ପଣ୍ଡିତ ପରା !’’

୬୫ଶ ପଦ :- ‘‘ଆଜିଠାରୁ ବିଚ୍ଛେଦରେ ସମୟ କଟାଅ ।’’ ଏହି ଶାପ ଦେଇ ରାମ ଲକ୍ଷ୍ମଣ ଦୁଇ ଭାଇ ତତ୍‌କ୍ଷଣାତ ସେଠାରୁ ଗହନ ବନ ମଧ୍ୟକୁ ବିଜେ କରି ଗଲେ ।

 

ବ୍ୟାକୁଳରେ ହୋଇ କ୍ଷୀଣୀ

ବଲ୍ଲଭେ ଭାଷେ ପକ୍ଷିଣୀ।

ବିଭୋଗରେ ରତି ସାର

ବିଦ୍ୟ ସଂସାର ଏ। ୬୬ ।

ବିପଦ କି ଶିରଚ୍ଛେଦ

ବଡ଼ ବିପଦ ବିଚ୍ଛେଦ।

ବଂଶ ବଢ଼ିବା ଅର୍ଜ୍ଜନ

ବ୍ୟର୍ଥ ସର୍ଜ୍ଜନ ଏ। ୬୭ ।

ବିଚାରି ସେ ଗୋଡ଼ାଇଲେ

ବିନୟ ରାମେ ହୋଇଲେ।

ବିଭୋ ଦକ୍ଷିଣ ଗମନ

ବାମ ସୁମନ ହେ। ୬୮ ।

ବହି ମଧୁର ମୂରତି

ବିହିଲେ କଟୁ ଭାରତୀ।

ବି-ଜାତ କେତେ ମାତ୍ରକେ

ବେଳେ ବିତର୍କ ଯେ। ୬୯ ।

ବଦନ ଦଶ ବିଂଶତି

ବାହୁ ତା ଆଗେ ବସତି।

ବିମାନେ ଶୋକ ଜନିତା

ବରବନିତା ଯେ। ୭୦ ।

ବିଲୋକ ଏତେ ମାତର

ବିବେକ କର ଚିତ୍ତର।

ବିହ ଶାପକୁ ସୁଗତି

ବିହୁଁ ଭଗତି ସେ। ୭୧ ।

ବାସରେ ମାତର ତର

ବିଭାବରୀରେ ଅନ୍ତର।

ବେନିକୂଳେ ନଦେ ରହି

ବାଧୁ ବିରହ ଏ।

ବରଦ ରାଘବ ହେଲେ

ବାହୁଡ଼ିଲେ ପକ୍ଷୀ ହେଳେ।

ବୋଲେ ଉପେନ୍ଦ୍ର ଆସ୍ପଦ

ବାସ୍ତରୀ ପଦ ଏ। ୭୨ ।

 

୬୬ଶ ପଦ :- ଶାପ ପାଇବାରୁ ଚକ୍ରବାକୀ ବ୍ୟାକୁଳରେ କ୍ଷୀଣଦଶା ପ୍ରାପ୍ତ ହୋଇ କାନ୍ତକୁ କହିଲା, ‘‘ଏ ସଂସାର ଭିତରେ ସମସ୍ତ ଭୋଗ ମଧ୍ୟରେ ରତି ସମ୍ଭୋଗ ଶ୍ରେଷ୍ଠ ବୋଲି କଥିତ ହୋଇଅଛି ।’’

୬୭ଶ ପଦ :- ‘‘ଶିରଚ୍ଛେଦ ହେବା ବା କି ବିପଦ ? ତା ଅପେକ୍ଷା ବିରହ ବିପଦ ବେଶୀ କଷ୍ଟଦାୟକ । ବଂଶ ବୃଦ୍ଧି ପ୍ରାପ୍ତ ନ ହେଲେ ଆମ୍ଭ ଜୀବନ ବୃଥା ସିନା ! (ସମ୍ଭୋଗ ନ ହେଲେ ବଂଶ ବୃଦ୍ଧି ହେବ ନାହିଁ । ତେଣୁ ଆମ କୁଳ ଏହିଠାରୁ ଲୋପ ପାଇବ) ।’’

୬୮ଶ ପଦ :- ସେ ଚକ୍ରବାକ ଓ ଚକ୍ରବାକୀ ଏମନ୍ତ ବିଚାର କରି ରାମଙ୍କ ପଛରେ ଗୋଡ଼ାଇଲେ ଓ ବିନୟ ପ୍ରକାଶ କରି କହିଲେ, ‘‘ହେ ବିଭୋ ! ତୁମ୍ଭେ ଦକ୍ଷିଣ ଦିଗକୁ ଗମନ କରିବାରେ ଆଗ୍ରହୀ ହୋଇଅଛ (ଅଥବା-ତୁମ୍ଭେ ଦେବତା ବା ବିଜ୍ଞ ପରି ସମଦର୍ଶୀ ହୋଇଅଛ) ଅଥଚ ଆମ୍ଭଠାରେ ପ୍ରତିକୂଳ ଆଚରଣ କରୁଅଛ ।’’

୬୯ଶ ପଦ :- ‘‘ତୁମ୍ଭେ ସୁନ୍ଦର ମୂର୍ତ୍ତି ଧାରଣା କରିଅଛି । ଅଥଚ ଏପରି କଟୁ କଥା କହିଲ (ମଧୁରଠାରେ କଟୁ ରହିବା ଅସମ୍ଭବ) । ଆମ୍ଭେ ଛାର ପକ୍ଷୀ ଜାତି- ଆମର ଜ୍ଞାନ ଅବା କେତେ ? ଅଭିଶାପ ଦେଲାବେଳେ ଏହା ଟିକିଏ ମାତ୍ର ବିଚାର କଲ ନାହିଁ ?’’

୭୦ଶ ପଦ :- ‘‘ଦଶମୁଖ ବିଂଶବାହୁ ବିଶିଷ୍ଟ କେହି ବିମାନରେ ବସି ସାଉଥିବାବେଳେ, ତା ଆଗରେ ଏକ ଶ୍ରେଷ୍ଠ ମହିଳା ବସି ଶୋକ କରୁଥିଲା ।’’

୭୧ଶ ପଦ :- ‘‘ଆମ୍ଭେ ଏତିକି ମାତ୍ର ଦେଖିଅଛୁ,- ତୁମ୍ଭେ ହୃଦମଧ୍ୟରେ ବିଚାର କର । ଆମ୍ଭଙ୍କୁ ଦେଇଥିବା ଶାପରୁ ମୁକ୍ତି ପାଇବାର ଉପାୟ କହ ।’’ ଏହା କହି ସେମାନେ ବିଶେଷ ଭାବରେ ଭକ୍ତି କଲେ ।

୭୨ଶ ପଦ :- ବାସର-ଦିନ । ହର-ରକ୍ଷାପାଅ । ଆସ୍ପଦ-ସ୍ଥାନ ।

୭୨ଶ ପଦ :- ତାଙ୍କର ଭକ୍ତି ଦେଖି ରାମଚନ୍ଦ୍ର ତାଙ୍କୁ ବର ପ୍ରଦାନ କଲେ, ‘‘ତୁମ୍ଭେ ଦିବସରେ କେବଳ ଏକତ୍ର ହେବ । ରାତ୍ରିରେ ନଦୀର ଦୁଇ କୂଳରେ ଅନ୍ତର ହୋଇ ରହିବ । ତେଣୁ ବିଚ୍ଛେଦ ଘଟିବ।’’ ରାମଚନ୍ଦ୍ର ଏହି ବର ଦେବାରୁ ପକ୍ଷୀଦୁହେଁ ତତ୍‌କ୍ଷଣାତ୍ ଫେରିଗଲେ । ଉପେନ୍ଦ୍ର ବାସ୍ତରୀପଦର ସ୍ଥାନ ଏହି ଛାନ୍ଦକୁ କହିଲେ । (ଶେଷ ପଦ ବାସ୍ତରୀ ପଦ ମିଶିଅଛି)